Unknown

 

 

 

 

 

 

 

 

 

 

ସାମୟିକ ସାହିତ୍ୟ ସମୀକ୍ଷା

(ପ୍ରଥମ ଖଣ୍ଡ : ସାହିତ୍ୟ ପରିକ୍ରମା)

କାଳିନ୍ଦୀ ଚରଣ ପାଣିଗ୍ରାହୀ

 

 

 

 

 

 

 

 

 

‘ସମାଜ’ ସମ୍ପାଦକ

ପଦ୍ମଭୂଷଣ

ଶ୍ରୀ ରାଧାନାଥ ରଥ

ଶ୍ରଦ୍ଧାଭାଜନେଷୁ

 

ସଂକ୍ଷେପରେ

 

ସାହିତ୍ୟ ସୃଷ୍ଟି ଓ ତାହାର ବିଚାର ଆଲୋଚନା–ଦୁଇଟି ବସ୍ତୁ ହଠାତ୍‌ ପୂରାପୁରି ଫରକ୍‌ ମନେହେଲେ ହେଁ, ଉଭୟ ପରସ୍ପର ଅଙ୍ଗାଙ୍ଗୀ ଭାବରେ ଜଡ଼ିତ ଓ ପରସ୍ପରରେ ପରିପୂରକ । ବିଚାରହୀନ ସୃଷ୍ଟି କଳ୍ପନାତୀତ । ବିଚାର ଆଲୋଚନା ବଳରେ ହିଁ ଦ୍ରୁତ ପରିବର୍ତ୍ତନଶୀଳ ସୃଷ୍ଟିହୁଏ ସୁସମ୍ବଦ୍ଧ, ପରିମାର୍ଜିତ ଓ ପରିବର୍ଦ୍ଧିତ ।

 

ଉତ୍‌କୃଷ୍ଟ ପାଠକହିଁ ଆଲୋଚକ ହୋଇପାରନ୍ତି । ଯେକୌଣସି ଲେଖକ ପକ୍ଷରେ ମଧ୍ୟ ସୃଷ୍ଟିର ଆଲୋଚକ କିମ୍ବା ବିଚାରକ ହେବାର ପ୍ରମାଣ ଅଭାବ ନାହିଁ ।

 

‘‘ସାମୟିକ ସାହିତ୍ୟ ସମୀକ୍ଷା’’କୁ ସମସାମୟିକ ସାହିତ୍ୟ ଉପରେ ଏକ କ୍ଷିପ୍ର ବିହଙ୍ଗମ ଦୃଷ୍ଟିପାତରୂପେ ବିଚାରକୁ ହେବ–ଆଧୁନିକ ଓଡ଼ିଆସାହିତ୍ୟର ଏକ ପୂର୍ଣ୍ଣାବୟବ ଆଲୋଚନାରୂପେ ଆଶାକଲେ ନିରାଶ ହେବାକୁ ପଡ଼ିବ । କାରଣ ଏହା ସ୍କୁଲ କଲେଜର ପରୀକ୍ଷାର୍ଥୀଙ୍କ ସକାଶେ ସ୍ୱତନ୍ତ୍ରରୂପେ ଉଦ୍ଦିଷ୍ଟ ନୁହେଁ ।

 

ସେତେବେଳେ ଦୈନିକ ‘‘ସମାଜ’’ର ସାପ୍ତାହିକ ଶନିବାର ସଂଖ୍ୟାଗୁଡ଼ିକରେ ଏହା ଧାରାବାହିକ ଭାବରେ ‘‘ସାହିତ୍ୟ–ପରିକ୍ରମା’’ ନାମରେ ଓ ଲେଖକର ପ୍ରକୃତ ନାମକୁ ଲୁଚାଇ ‘‘ଆଗବୋଲା’’ ଛଦ୍ମ ରୂପରେ ପ୍ରକାଶିତ ହୁଏ । ପାଠକଗୋଷ୍ଠୀରେ ତାହା କିଞ୍ଚିତ୍‌ ଚାଞ୍ଚଲ୍ୟ ସୃଷ୍ଟି କରିଥିବାର ପ୍ରମାଣ ମିଳେ, ଗ୍ରନ୍ଥ ସନ୍ନିହିତ ପତ୍ର କେତେଖଣ୍ଡିରୁ । ମନେପଡ଼େ, ଏହି ଆଲୋଚନାର ନାମକରଣ କରନ୍ତି, ସେତେବେଳେ ‘‘ସମାଜ’’ର ସହକର୍ମୀ ଶ୍ରୀ ଶ୍ରୀହର୍ଷ ମିଶ୍ର ଓ ସହଯୋଗିତା କରନ୍ତି ଶ୍ରୀ ଉଦୟନାଥ ଷଡ଼ଙ୍ଗୀ । ସେମାନଙ୍କ ନିକଟରେ ଲେଖକ ଋଣୀ ।

 

ଲେଖକ ଆଜି ତାହାର ଛଦ୍ମବେଶ ପରିହାର କରିଛି ପ୍ରିୟ ପାଠକମାନଙ୍କ ସମକ୍ଷରେ–ଯାହାଙ୍କ ଗୋଷ୍ଠୀରେ ଏକାଧିକ ନୂତନ ପାଠକଙ୍କର ମଧ୍ୟ ଆବିର୍ଭାବ ହେବଣି–କୋଡ଼ିଏବର୍ଷ ପୂର୍ବେ ଯେଉଁମାନେ ମାତୃଗର୍ଭକୁ ଆସିଥିବେ । ଆଜିର ଗଳ୍ପ, ଉପନ୍ୟାସ, କବିତା, ପ୍ରବନ୍ଧର ପ୍ରକୃଷ୍ଟ ପାଠକ ଓ ବିଚାରକ ସେଇମାନେ । ସାମାଜିକ ଚରିତ୍ର ଓ ରୁଚି ଗଠନରେ ଆଜିର ସାହିତ୍ୟ–ସୃଷ୍ଟି କି ପରିମାଣରେ ସହାୟକ ହୋଇପାରିଛି, ତାହା ନିରୂପଣ କରିବା ଦିଗରେ ସେଇମାନେ ହିଁ ଅଗ୍ରଦୁତ । ଆଜିର ସାହିତ୍ୟ କ’ଣ ସୂର୍ଯ୍ୟ–ଚନ୍ଦ୍ର–ତାରା–ଶୂନ୍ୟ ଆକାଶ ଭଳି ମେଘ–ବିଜୁଳି–ଘଡ଼ଗଡ଼ି କିମ୍ବା ଛଅ ଋତୁ ସୃଷ୍ଟି କରିବାକୁ ଅସମର୍ଥ ? ଅଥବା ସତ୍ୟାସତ୍ୟ–ନ୍ୟାୟାନ୍ୟୟ–ସମ୍ଭବାସମ୍ଭବ ବିଚାର ତାହାର ସବୁ ଯୁଗରେ ଯେପରି ନେତୃତ୍ୱ ଦେଇଛି, ଆଜି ବି ତାହା ଅକ୍ଷୁଣ୍ଣ ? ଏଇଭଳି ଏକ ପ୍ରଳୟପୟୋଧିରୁ ବେଦ ଅର୍ଥାତ୍‌ ଜ୍ଞାନ ଉଦ୍ଧାର କରିବା ଶକ୍ତି ମୀନ ଅବତାରରୂପେ ସାହିତ୍ୟ ଉପରେ ହିଁ ନ୍ୟସ୍ତ । ନିଜେହିଁ ନିଜ ଆତ୍ମାକୁ ଉଦ୍ଧାର କରି ପ୍ରତିଷ୍ଠା କରିବା ତା’ର ଚିର କୌଳିକ ପରମ୍ପରା ।

 

କୋଡ଼ିଏ ବର୍ଷ ପୂର୍ବେ ଆମ ସାହିତ୍ୟିକ ଦୃଷ୍ଟିଭଙ୍ଗୀ କିମ୍ବା ସୃଷ୍ଟିଭଙ୍ଗି ଯାହା ଯେପରି ରହିଥିଲା, ଆଜି ତାହା କି ପରିମାଣରେ ବଦଳିଛି କି ନାହିଁ–ରୂପାତ୍ମକ କିମ୍ବା ଗୁଣାତ୍ମକ ବିଚାରରୁ–ତାହାରି ଉପରେ ଏହି ସଂକ୍ଷିପ୍ତ ସମୀକ୍ଷାକୁ ଟର୍ଚ୍ଚ ଆଲୁଅ ଭଳି ଗ୍ରହଣ କରାଯାଇପାରେ–ଯେଉଁ ଆଲୁଅ ସାହାଯ୍ୟରେ ଏକତ୍ର ଅଳ୍ପ ସମୟ ଭିତରେ ଆଧୁନିକ ସାହିତ୍ୟ–ସମୁଦ୍ରର ଉଜାଣି ଉଠୁଥିବା କେତେ ଗୋଟି ଢେଉ ମହା ଗର୍ଜନରେ ଭାଙ୍ଗିପଡ଼ିବା ସଙ୍ଗେ ସଙ୍ଗେ ଗୁଡ଼େଇହୋଇ ଚମକି ଆସି ପୁଣି ଆସ୍ତେ ଉଭେଇ ଯିବାର ରୂପ ଟିକିଏ ଝାପ୍‌ସା ଦିଶିପାରେ, ଶୁଣାଯାଇପାରେ ଟିକିଏ ବାଜିଉଠି ପୁଣି ସେହି ପାତଳା ଦୂର ଦିଗ୍‌ବଳୟ ତଳେ ଅକାରଣଟାରେ ହଜିଯାଉଥିବା ଛନ୍ଦ ତା’ର !

 

ପୁଣି ହୁଏତ ଚିହ୍ନରା ଗ୍ରାହକମାନେ ଘେନିପାରନ୍ତି ଏହାରି ଭିତରୁ ସାହିତ୍ୟର ଅତ ଜୀବନ୍ତ, ଅତି ବଳିଷ୍ଠ ଆଶାବାଦୀ ବାସ୍ତବ ରୂପ–ଯାହା ମଣିଷର ପୃଥିବୀପୃଷ୍ଠରେ ଆବିର୍ଭାବ କାଳରୁ ଆଜିଯାକେ ତା’ର ନାଡ଼ିରେ, ରକ୍ତରେ, ପ୍ରାଣରେ ଅବା ପ୍ରତି ଲୋମକୂପରେ ଯୋଗାଇ ଆସିଛି ନବ ନବ କର୍ମ ପ୍ରେରଣାର ସ୍ପନ୍ଦନ–ଅପୂର୍ବ ଶକ୍ତି ସାହସ ସଂଗଠନର ବଳିଷ୍ଠ ବୈପ୍ଳବିକ ବିକାଶ ।

 

ପୁସ୍ତକାକାରରେ ପ୍ରକାଶିତ ହେବାପାଇଁ କେତେକ ମାସ ହେଲା ଯାନ୍ତ୍ରିକ କୋଠରୀ ମଧ୍ୟରେ ଆବଦ୍ଧ ରହି ଆଜି ପୁଣି ତାହାର ଆବିର୍ଭାବ ପାଠକମାନଙ୍କ ସମକ୍ଷରେ–ଏକ ଅପୂର୍ବ ଶୁଭ ମୁହୂର୍ତ୍ତରେ–ଆଧୁନିକ ଓଡ଼ିଆ ସାହିତ୍ୟର ‘‘ସର୍ବୋଚ୍ଚ ବିଚାରାଳୟ’’ * ଉତ୍କଳ–ସାହିତ୍ୟ–ସମାଜର ହୀରକ ଜୟନ୍ତୀ ଉତ୍ସବ ଦିବସରେହିଁ ଗ୍ରନ୍ଥାକାରରେ ଏହାର ପୁନର୍ଜନ୍ମ ଉତ୍ସବ ଅନୁଷ୍ଠିତ ହେଲା ‘ଗ୍ରନ୍ଥମନ୍ଦିର’ ପ୍ରକାଶନ ସଂସ୍ଥାର ସାର୍ଥକ ସହାୟତାରେ ।

 

କଟକ

 

୬ । ୫ । ୧୯୭୨

ଗ୍ରନ୍ଥକାର

ଶନିବାର

 

Image

 

ସୂଚୀପତ୍ର

 

୧.

ସାଂପ୍ରତିକ ସାହିତ୍ୟ

୨.

ଓଡ଼ିଆ ନାଟକ ଓ ରଙ୍ଗମଞ୍ଚ

୩.

ଚରିତ୍ର ଓ ଅଭିନୟ

୪.

ଉପନ୍ୟାସ

୫.

ପତ୍ରପତ୍ରିକା

୬.

ସ୍ୱେଚ୍ଛାଚାରିତା

୭.

ସର୍ବୋଚ୍ଚ ବିଚାରାଳୟ

୮.

ପ୍ରଗତି-ପ୍ରତିକ୍ରିୟା

୯.

ତିନିଗୋଟି ସ୍ତମ୍ଭ

୧୦.

ବ୍ୟଙ୍ଗ, କୁତ୍ସା, ଅଶ୍ଳୀଳତା

୧୧.

ସତ୍ୟବାଦୀ ଯୁଗ

୧୨.

ଆହୁରି ମଧ୍ୟ

୧୩.

ବହୁଜନ ହିତାୟ

୧୪.

ନୂଆ ମଣିଷ

୧୫.

ବୈପ୍ଳବିକ ବିକାଶ

୧୬.

ଗଣ ଉଦ୍‌ବୋଧନ

୧୭.

ହିତ ସହିତ

୧୮.

ଅଦ୍ୱୈତ ବିଚାର

୧୯.

ବୈଦେଶିକ

୨୦.

ଆଲୋକ ଆନନ୍ଦ

୨୧.

ପ୍ରେମହିଁ ସତ୍ୟ

୨୨.

ନବ ସଙ୍କେତ

୨୩.

ମୁକ୍ତି-ସଂଗୀତ

୨୪.

ରାଜତନ୍ତ୍ରର ବିଲୋପ

୨୫.

ମିଳନର ସନ୍ଧାନ

୨୬.

ଅଖଣ୍ଡ ସାମାଜିକତା

୨୭.

ସୌନ୍ଦର୍ଯ୍ୟରେ ସାମଞ୍ଜସ୍ୟ

୨୮.

ନେହେରୁଙ୍କ ସାହିତ୍ୟତତ୍ତ୍ୱ

୨୯.

ଦୃଷ୍ଟିଭଙ୍ଗୀରେ ଐକ୍ୟ

୩୦.

ରାଜନୀତି ଓ ସାହିତ୍ୟ

୩୧.

ସାହିତ୍ୟ ସମସ୍ୟା

୩୨.

ନବୀନକୁ ପରାମର୍ଶ

୩୩.

ସ୍ୱାତନ୍ତ୍ର୍ୟ ସଙ୍ଗେ ମୌଳିକତା

୩୪.

ସମାଜ, ରାଷ୍ଟ୍ର ଓ ଲେଖକ

୩୫.

ସାହିତ୍ୟ ବିଚାର

୩୬.

ସାହିତ୍ୟ ଓ ବିପ୍ଳବ

୩୭.

ଅନ୍ତର୍ଜାତୀୟ ପଟ୍ଟଭୂମି

୩୮.

ଅହିଂସା*ବିପ୍ଳବ

୩୯.

ଜାତୀୟ ଓ ଅନ୍ତର୍ଜାତୀୟ

୪୦.

ଆତ୍ମିକ ଅନୁଧ୍ୟାନ

୪୧.

ଜାତୀୟ ପ୍ରେରଣା

୪୨.

ବିଚାର ବିଭ୍ରାଟ

୪୩.

ନାଟ୍ୟସାହିତ୍ୟ

୪୪.

ପ୍ରତିବେଶୀ ସାହିତ୍ୟ

୪୫.

ବ୍ରହ୍ମଜ୍ଞ କବି ମଧୁସୂଦନ

୪୬.

ସ୍ୱତନ୍ତ୍ର ଦୃଷ୍ଟିକୋଣ

Image

 

 

 

 

 

 

 

 

 

 

 

 

 

ସାହିତ୍ୟ ପରିକ୍ରମା

 

ସାଂପ୍ରତିକ ସାହିତ୍ୟ

 

ସଂସ୍କୃତ, ଲାଟିନ୍‌ ବା ଇଂରାଜୀ ଭାଷାରେ ସାହିତ୍ୟ ଶବ୍ଦଟିର ଅନେକ ଅର୍ଥ, ଅନେକ ସଂଜ୍ଞା ଓ ଅନେକ ପ୍ରକାର ବିଚାର ଅଛି । ସାହିତ୍ୟ କହିଲେ କାହାକୁ ବୁଝାଏ, ତାହାର ଗୂଢ଼ତତ୍ତ୍ୱ କ’ଣ, ସେଥିରେ ରସ, ଅଳଙ୍କାର, ଉପମା ଉପମେୟ, ଛନ୍ଦ, ଶବ୍ଦଯୋଜନା ଓ ଭାବଭଙ୍ଗୀ କିପରି କେତେଦୂର ରହିଛି, ତାହାର ଟିକିନିଖି ବିଚାର ବହୁତ ଦେଖାଯାଏ ପ୍ରାୟ ସବୁ ଉନ୍ନତ ଭାଷାରେ ।

 

ଇତିହାସ ଜାଣୁଥିବା ଲୋକେ ମନେକରନ୍ତି ଯେ ବେଦ ଆମର ପ୍ରଥମ ସାହିତ୍ୟ । କେହି କେହି ଏହାକୁ ପୃଥିବୀର ଆଦି–ସାହିତ୍ୟ ବୋଲି ବିଶ୍ୱାସ କରନ୍ତି । ଏମିତିକି ମଣିଷ ଯେତେବେଳେ ଅକ୍ଷର ଲେଖି ଶିଖିନଥିଲା, ସେତେବେଳେ ସୁଦ୍ଧା ବେଦକୁ ପୁରୁଷ ଧରି ଲୋକେ ଶୁଣି ଶୁଣି ମନେରଖୁଥିଲେ ବୋଲି ପ୍ରବାଦ ଅଛି । ସେଥିଲାଗି ଏହାର ଅପର ନାମ ଶ୍ରୁତି ।

 

କଥିତ ସାହିତ୍ୟ

 

ଶୁଣି ଶୁଣି ମନେରଖିବା ସାହିତ୍ୟ ଏବେ ମଧ୍ୟ ପୃଥିବୀରେ ଅଭାବ ନାହିଁ । ଏଇ ସାହିତ୍ୟ ଭିତରେ ଆମର ଅସଂଖ୍ୟ ଢଗଢ଼ମାଳି, ଗାଉଁଲି ଗୀତ, କାହାଣୀ କଥା ଲୁଚିରହିଚି । ପ୍ରତିଦିନ ତାହାର ସଂଖ୍ୟା ଅଲକ୍ଷ୍ୟରେ ବଢ଼ିଚାଲିଚି । ସେଗୁଡ଼ିକୁ ଉଦ୍ଧାର କରିବା ଗୋଟିଏ ମସ୍ତବଡ଼ କାମ । ସୁଖର କଥା, ଏ ଦିଗରେ ଶ୍ରୀ ଚକ୍ରଧର ମହାପାତ୍ର ଓ ଶ୍ରୀ କୁଞ୍ଜବିହାରୀ ଦାଶ କେତେକ ମୂଲ୍ୟବାନ୍‌, ଗାଉଁଲି ଗୀତ ସଂଗ୍ରହ କରି ଓଡ଼ିଆ ସାହିତ୍ୟର ମୂଳ ବାଟ ବଢ଼ାଇଛନ୍ତି ।

 

ଓଡ଼ିଆ ସାହିତ୍ୟ କହିଲେ ଓଡ଼ିଶାରେ ବାସକରି ରହିଥିବା ବେଶା ଲୋକଙ୍କର ମାଳ କିମ୍ବା ସାହିତ୍ୟକୁ ବୁଝାଇଥାଏ; ସବୁ ଲୋକଙ୍କର ନୁହେଁ । ଓଡ଼ିଶାର ମାଳ କିମ୍ବା ପାର୍ବତ୍ୟ ଅଞ୍ଚଳରେ ରହୁଥିବା ଲକ୍ଷ ଲକ୍ଷ ଆଦିବାସୀଙ୍କର ଭାଷା ଅଲଗା; ସେମାନଙ୍କର ଲିଖିତ ଅକ୍ଷର ନାହିଁ–କିନ୍ତୁ ସାହିତ୍ୟ ଅଛି, ସଙ୍ଗୀତ ଅଛି, ନୃତ୍ୟ, ଚିତ୍ର ବା ଶିଳ୍ପଚର୍ଚ୍ଚା ମଧ୍ୟ ଅଛି । ଓଡ଼ିଆ ସାହିତ୍ୟର ସ୍ୱତନ୍ତ୍ର ବିଚାରଠାରୁ ସେମାନଙ୍କ ଭାଷା ଓ ସାହିତ୍ୟ ଅଲଗା ହେଲେହେଁ ପରସ୍ପର ମଧ୍ୟରେ ବିଷୟବସ୍ତୁ ଓ ଭାଷାଗତ ଅନେକ ସାମ୍ୟ ବୁଝାପଡ଼େ ।

 

ମହାତ୍ମା ଗାନ୍ଧୀଙ୍କର ଅନ୍ୟତମ ଅନୁରକ୍ତ ଅନୁଗାମୀ ଏବଂ ଭାରତର ଆଦିବାସୀ ସମାଜ–ବିଜ୍ଞାନ ଓ ସାହିତ୍ୟରେ ବିଖ୍ୟାତ ପଣ୍ଡିତ ଡକ୍‌ଟର ଭେରିୟର୍‌ ଏଲୁଇନ୍‌ ସାହେବ ଗୋଟିଏ ନାମଜାଦା ଇଂରାଜୀ ପତ୍ରିକାର ଗତ ସ୍ୱାଧୀନତା ସଂଖ୍ୟାରେ ଆଦିବାସୀଙ୍କ ପୁରାଣ ସାହିତ୍ୟରେ ରାମାୟଣକଥାର ବର୍ଣ୍ଣନା କିପରି ଅଛି, ସେ ବିଷୟରେ ଏକ ସୁନ୍ଦର ସଚିତ୍ର ପ୍ରବନ୍ଧ ଲେଖିଛନ୍ତି ।

 

କୋରାପୁଟ ଜିଲ୍ଲାର ‘ବୋନ୍ଦ’ ସ୍ତ୍ରୀଲୋକମାନେ ସୀତାଙ୍କ ଅଭିଶାପରେ କିପରି ମୁଣ୍ଡ ଖିଅର ହୁଅନ୍ତି ଓ ଅଣ୍ଟାରେ ଖଣ୍ଡେ ବକଳ ପିନ୍ଧନ୍ତି, ଗଦବା ରମଣୀମାନେ କିପରି ନିଜର ହାତବୁଣା ସୁନ୍ଦର ବେହରଣ ଛଡ଼ା ଆଉ କିଛି ପିନ୍ଧନ୍ତି ନାହିଁ, କନ୍ଧମାନେ ନିଜକୁ ରାବଣର ବଂଶଧର, ଶବରମାନେ ନିଜକୁ ରାମଚନ୍ଦ୍ରଙ୍କ ବଂଶଧର ଓ ଭୂୟାଁମାନେ ସୀତାଙ୍କ ବଂଶଧର ବୋଲି କିପରି ଗର୍ବ କରନ୍ତି, ପୁଣି ଶବରୀର ଅଇଁଠା କୋଳି ଶ୍ରୀରାମଚନ୍ଦ୍ର ଆହାର କରିବାର ଉପାଖ୍ୟାନ ଯେତେପ୍ରକାରେ ସେମାନଙ୍କ ଭିତରେ ପ୍ରଚଳିତ, ତାହାର ବର୍ଣ୍ଣନା କରି ସେସବୁ ଉଭେଇଯିବା ଆଗରୁ ସଂଗୃହୀତ ହେବା ଆବଶ୍ୟକ ବୋଲି ଲେଖକ ଜଣାଇଛନ୍ତି ।

 

ଗାଉଁଲି ଗୀତ ଓ କାହାଣୀ

 

ଗାଉଁଲି ଗୀତ, କଥା, କିମ୍ବଦନ୍ତୀ ଓ ଢଗଢ଼ମାଳିଗୁଡ଼ିକର ସଂଗ୍ରହ ସେହିପରି ଅତି ଜରୁରି-। ତାହା ଭିତରର ଭାଷା, ଛନ୍ଦ ଓ ଭାବ ଆମ୍ଭମାନଙ୍କ ଲିଖିତ ସାହିତ୍ୟକୁ କେତେଦୂର ପ୍ରଭାବିତ କରିଛି ଏବଂ ଆଧୁନିକ ସାହିତ୍ୟରେ ସେଗୁଡ଼ିକର ପ୍ରୟୋଗ କେତେଦୂର ଆବଶ୍ୟକ, ବିଶେଷତଃ ଗଣସାହିତ୍ୟର ସୃଷ୍ଟି ଉଦ୍ଦେଶ୍ୟରେ, ତାହା ହୃଦୟଙ୍ଗମ କରିବା କଠିଣ ନୁହେଁ ।

 

ଉଦାହରଣ ସ୍ୱରୂପ, କେତେକ କାହାଣୀର ଆରମ୍ଭ ହୁଏ–‘ଦୁଃଖ କହିବି କି ସୁଖ କହିବି, ନା ଯାହା ଅଙ୍ଗେ ନିଭାଇଚି ତାହା କହିବି ?’ ସେହି କାହାଣୀ ଭିତରେ ଏହାର ଉତ୍ତର ମିଳେ, ‘ଯାହା ଅଙ୍ଗେ ନିଭାଇଛ, ତାହା କହ ।’ ଅଙ୍ଗେ ନିଭାଇବା କଥାଟାର ଅର୍ଥ ଯେ, ଅନୁଭୂତି ଏବଂ ଅନୁଭୂତି ଯେ ସାହିତ୍ୟର ମୂଳ ଉପାଦାନ, ଏହା ପ୍ରତ୍ୟେକ ଗଳ୍ପଲେଖକ, ଔପନ୍ୟାସିକ, କବି, ନାଟ୍ୟକାର ସ୍ୱୀକାର କରିବେ ।

 

ସେହିପରି ରାଜାଙ୍କ ଛାମୁରେ କୌଣସି ଖବର ଜଣା କରିବାବେଳେ କହିବାକୁ ହୋଇଥାଏ, ‘ମଣିମା, ମୁଣ୍ଡ ରହିଲେ କହିବି ।’ ରାଜାଙ୍କଠାରୁ ଆଶ୍ୱାସନା ବାଣୀ ଶୁଣିସାରିଲା ପରେ ଚାର ତାଙ୍କ ଆଗେ ଗଳ୍ପ କହିବାକୁ ଆରମ୍ଭ କରେ । ରାଜାଙ୍କ ପାଖରେ ଯେ କଥା କହନ୍ତି, ସେମାନେ ଯେ ଆଗରୁ ନିଜ ମୁଣ୍ଡ ପାଣିଛଡ଼ାଇ ଆସିଥାନ୍ତି, ପୁଣି ମନ୍ତ୍ରୀଙ୍କ ମୁଣ୍ଡ ରଖିବାପାଇଁ ମନ୍ତ୍ରୀ–ଝିଅର କୌଶଳ ଯେ ବହୁତ କାମରେ ଲାଗେ, ଏଭଳି କାହାଣୀ ଖାଲି ଓଡ଼ିଶା କି ଭାରତବର୍ଷରେ ନୁହେଁ, ଅନେକ ଦେଶରେ ପ୍ରଚଳିତ । ପ୍ରାଚୀନ ଓ ଆଧୁନିକ ରାଜନୀତି ସମ୍ପର୍କରେ ଏଇ ସାଧାରଣ କଥାଟି ଅନେକ ଚିନ୍ତାର ଖୋରାକ ଯୋଗାଇଥାଏ ।

 

ଆମ୍ଭମାନଙ୍କର ତଥାକଥିତ ଉଚ୍ଚ ସାହିତ୍ୟର ଭାବ, ଭାଷା, ଉପମା ଓ ଅଳଙ୍କାରରୁ ଲୋକମୁଖରେ ଥିବା ଅସଂଖ୍ୟ କାହାଣୀ ବା ଗାଉଁଲିଗୀତ ନାନାରୂପରେ ପ୍ରଭାବିତ କରେ; ଠିକ୍‌ ଯେପରି ଅମଲାତନ୍ତ୍ର ଶାସନରେ ବହୁସଂଖ୍ୟକ ଅମଲା ଅଳ୍ପ ସଂଖ୍ୟକ ମନ୍ତ୍ରୀ ଓ ଉଚ୍ଚ କର୍ମଚାରୀଙ୍କୁ ପ୍ରଭାବିତ କରନ୍ତି । ଏହି ସକଳ ଗୀତ କାହାଣୀ ଦେଶର ତଥାକଥିତ ଅଶିକ୍ଷିତା ନାରୀ, ଶିଶୁ ଓ ବୃଦ୍ଧଙ୍କ ମୁଖରୁ ଶୁଣାଯାଏ । ସେଇମାନେହିଁ ସାହିତ୍ୟ–ରାଜ୍ୟର ଅମଲାତନ୍ତ୍ର ।

 

ବିଭିନ୍ନ ଅଙ୍ଗ ଓ ବାହନ

 

ପାଲା, ସଙ୍ଗୀତ, ଦାସକାଠିଆ, ଧୁଡ଼ୁକି, କେନ୍ଦରା, ନାଟସୁଆଙ୍ଗ, କାନ୍ଦଣା, ଗେଲ ଆଦି କେତେ ପ୍ରକାର ବାହନ ଓ ଯନ୍ତ୍ର ସାହାଯ୍ୟରେ ପଥେ ପଥେ ଘରେ ଘରେ ଆମର ସାହିତ୍ୟ ପରିବେଷଣ ହୁଏ । କେତେ କଥକମୁଖରୁ କଥାର ସ୍ରୋତ ଅବାରିତ ଗତିରେ ବହିଚାଲେ । ସେ ସମସ୍ତଙ୍କୁ ଆୟତ୍ତ କରିବା ସବୁଠୁଁ ବେଶି ଶକ୍ତିଶାଳୀ ବେତାର ଷ୍ଟେସନ ପକ୍ଷରେ ସୁଦ୍ଧା ସମ୍ଭବପର ବୋଲି ମନେହୁଏ ନାହିଁ । ସାହିତ୍ୟ କହିଲେ ଏ ସମସ୍ତଙ୍କୁ ମଧ୍ୟ ବୁଝାଇଥାଏ ।

 

କାଗଜ ଓ କାଳିର ବେଡ଼ିଦ୍ୱାରା ଗିରଫ ହୋଇ ସାହିତ୍ୟ ଅବଶ୍ୟ ଅନେକ କରାମତି ଦେଖାଇପାରିଛି । ଦେଖାଇପାରିଛି ଯେ, ତୋପ କମାଣରୁ ବେଶି ଶକ୍ତିଶାଳୀ ଲେଖନୀ । ବିଶେଷତଃ ସମ୍ବାଦ–ସାହିତ୍ୟ ଆଧୁନିକ ଯୁଗର ପ୍ରଧାନ ଅସ୍ତ୍ର ବୋଲି ନଜିର ହୋଇସାରିଛି ।

 

ଆମ୍ଭେମାନେ ଏଠାରେ କେବଳ ସର୍ଜ୍ଜନ–ସାହିତ୍ୟ ଉପରେ ବେଶି ଧ୍ୟାନ ଦେବୁ (ଯାହାର ଇଂରାଜୀ ପ୍ରତିଶବ୍ଦ creative literature); ଅର୍ଥାତ୍‌ ଗଳ୍ପ, ଉପନ୍ୟାସ, କବିତା, ନାଟକ ବା ଚିନ୍ତାଶୀଳ ପ୍ରବନ୍ଧର ଧାରା ଓଡ଼ିଆ ସାହିତ୍ୟ କ୍ଷେତ୍ରରେ କିପରି ଗତିରେ ଚାଳିଛି, ତାହାର କିଞ୍ଚିତ୍ ଆଲୋଚନା ଓ ଧାରଣା କରିବା ଆମ୍ଭମାନଙ୍କର ଲକ୍ଷ୍ୟ । ସେଥିସଙ୍ଗେ ଭାରତର ଅନ୍ୟାନ୍ୟ ପ୍ରାଦେଶିକ ସାହିତ୍ୟ କିମ୍ବା ବିଶ୍ୱସାହିତ୍ୟର ଆବିଷ୍କାର କେଉଁଠାରେ ନିହିତ ଅଛି; ତାହା ମଧ୍ୟ ଆମକୁ ଆବିଷ୍କାର କରିବାକୁ ହେବ ।

 

ଦାୟିତ୍ୱ ବିଚାର

 

ଏହି ଦାୟିତ୍ୱ ଯେତିକି ଭଲ ସେତିକି ମନ୍ଦ । ବୋଧହୁଏ ଭଲଠାରୁ ମନ୍ଦଟା ଅନେକ ବେଶି । ସେଥିପାଇଁ ପରା ଗୋଟାଏ କଥା ଅଛି, ‘ଆଗଚଲା, ଆଗବୋଲା, ପରଗାଈଦୁହାଁ ବଇଠାଠେଲା, ସଖୀ ବଡ଼ ମନ୍ଦରେ ।’ ଲେଖକମାତ୍ରେ ଆଗବୋଲା ଶ୍ରେଣୀର । ସେମାନେ ନିଜେ ଆଗୁଆହୋଇ ନଚାଲନ୍ତୁ ପଛକେ ଆଗୁଆ ହୋଇ ବୋଲିବା ଫଳରେ କେବଳ କାବ୍ୟ, ନାଟକ, ଗଳ୍ପର ଚରିତ୍ର ସୃଷ୍ଟି କରନ୍ତି ନାହିଁ; ଅନେକ ଅଶାନ୍ତି, ଅସନ୍ତୋଷ, ମନାନ୍ତର, କ୍ରୋଧ, ଈର୍ଷା, ଅନାଚାର ସୃଷ୍ଟି କରନ୍ତି ବୋଲି ଶୁଣାଯାଏ । ସେହି କାରଣରୁ ହିଁ ଲେଖକ ସର୍ବତ୍ର ଦୟା ଓ କ୍ଷମାର ପାତ୍ର; କିନ୍ତୁ ତାହାକୁ ଦୟା ବା କ୍ଷମା କରିବ କିଏ–ପାଠକଗୋଷ୍ଠୀ ? ମାନବସମାଜ ? ସେଥିପାଇଁ କ’ଣ ସେମାନେ ଉପଯୁକ୍ତ ? ଏ ସକଳ ପ୍ରଶ୍ନର ଯଥାଯଥ ଉତ୍ତର ଖୋଜିବାକୁ ହେବ ସାହିତ୍ୟ ପରିକ୍ରମା ଭିତରେ ।

 

ଦୟା କିମ୍ବା କ୍ଷମାର ପ୍ରାର୍ଥୀ ହେବାପାଇଁ ନିଜେ ସାହିତ୍ୟିକ କି ପରିମାଣରେ ପ୍ରସ୍ତୁତ ତାହା ମଧ୍ୟ ଭାବିବାର କଥା । କାରଣ, ବିଶ୍ୱପ୍ରକୃତିରେ ଅନ୍ଧାର ଆଲୁଅ, ଦିନ ରାତି, ଖରା ବର୍ଷା, ଶୀତ ବସନ୍ତ ଯେମିତି ବିପରୀତ ହୋଇ ମଧ୍ୟ ସବୁକାଳେ ପାଖକୁପାଖ ଲାଗି ରହିଛନ୍ତି, ସେଇପରି ସାହିତ୍ୟ–ଜଗତରେ ଶାନ୍ତି ଅଶାନ୍ତି, ବୈର ବନ୍ଧୁତା, ସ୍ନେହ ଈର୍ଷା ଆଦି ସକଳ ବିରୋଧ ମଧ୍ୟରେ ଏକ ଅଚ୍ଛେଦ୍ୟ ଓ ଅଖଣ୍ଡ ବନ୍ଧନ ନିହିତ । ଏହାହିଁ ସାହିତ୍ୟର ମୌଳିକ ଛନ୍ଦ । ସେଥିଲାଗି ଆମ ଦେବଭାଷା ସଂସ୍କୃତ ସାହିତ୍ୟରେ ସୁଦ୍ଧା ପାରସିକ ବା ଅପରାପର ଯାବନିକ ଶବ୍ଦର ପ୍ରୟୋଗ ଦେଖାଯାଏ । ପୁଣି ସକଳ ବିରୋଧିତା ମଧ୍ୟରେ, ସୁଖ ଦୁଃଖ ବା ବିରହ–ମିଳନର ମଧ୍ୟବର୍ତ୍ତୀ ଅବକାଶରେ ଏଇ ଛନ୍ଦର ଝଙ୍କାର ଅଧିକ ନିନାଦିତ ହୁଏ ।

 

ଆଦାନପ୍ରଦାନ

 

ପକ୍ଷାନ୍ତରେ ସଂସ୍କୃତର ପ୍ରଭାବ ବିଦେଶୀ ଭାଷା ଓ ସାହିତ୍ୟରେ ବିରଳ ନୁହେଁ । ସଂସ୍କୃତର ‘ବିଧବା’ ଶବ୍ଦ ଇଂରାଜୀ ଭାଷାରେ ‘ଉଇଡ଼ୋ’ (widow) ଶବ୍ଦରେ ରୂପାନ୍ତରିତ ହେଲାଭଳି କାଳିଦାସୀୟ ନାଟକାବଳୀର ‘ଯବନିକା’ ବିଦେଶରୁ ଗୃହୀତ । ବେଦର ପରବର୍ତ୍ତୀ ରଚନାମାନଙ୍କରେ ‘ଅଲ୍ଲୀ’ଙ୍କ ସ୍ତୋତ୍ର ମଧ୍ୟ ସେହି କାରଣରୁ ଦେଖାଯାଏ । ସେହି କାରଣରୁ ହିନ୍ଦୀ ଓ ଉର୍ଦ୍ଦୁର ସମ୍ପର୍କ ଘନିଷ୍ଠ ଥିଲେ ହେଁ ପରସ୍ପର ମଧ୍ୟରେ ଆଜି ବିବାଦର ସୂତ୍ରପାତ ହୋଇଛି ।

 

କବିସୂର୍ଯ୍ୟପ୍ରମୁଖ ଓଡ଼ିଆ ପ୍ରାଚୀନ କବିଗଣ ପାରସିକ ବା ଯାବନିକ ଶବ୍ଦଗୁଡ଼ିକୁ ଯେପରି ସ୍ୱଚ୍ଛନ୍ଦରେ ଆପଣାର କରିନେଇପାରିଛନ୍ତି, ତାହା ଫଳରେ ଓଡ଼ିଆ ସାହିତ୍ୟ ପୃଷ୍ଟ ଓ ଶକ୍ତିଶାଳୀ ହୋଇଛି ।

 

ସଭ୍ୟତା, ସଂସ୍କୃତି ଓ ଶିଳ୍ପକଳା ଭଳି ଭାଷା କିମ୍ବା ସାହିତ୍ୟ ମଧ୍ୟରେ ପରସ୍ପର ଆଦାନପ୍ରଦାନ ଏକ ଚିରାଚରିତ ରୀତି । ଏହିଭଳି ଆଦାନପ୍ରଦାନ ମଧ୍ୟରେ ଯେଉଁ ଭାଷା ବା ସାହିତ୍ୟର ସ୍ୱାତନ୍ତ୍ର୍ୟ ଯେତେ ବେଶି ଫୁଟିଉଠେ, ତାହାକୁ ସେତିକି ପରିମାଣରେ ଉନ୍ନତ ବୋଲି ଗ୍ରହଣ କରାଯାଏ ।

 

ସ୍ୱାତନ୍ତ୍ର୍ୟ କିମ୍ବା ସ୍ୱାଧୀନତାର ଅର୍ଥ ପୃଥିବୀପୃଷ୍ଠରୁ ବା ଆନ୍ତର୍ଜାତିକ ସାହିତ୍ୟ କ୍ଷେତ୍ରରୁ ବିଚ୍ଛିନ୍ନ ହୋଇ ରହିବାକୁ ବୁଝାଏନାହିଁ । ସ୍ୱାତନ୍ତ୍ର୍ୟ ବୋଇଲେ ଏକୁଟିଆ ବାହାଡ଼ା ହୋଇ ରହିବା ନୁହେଁ । ସବୁରି ସଙ୍ଗେ ସମାନ ଆସନରେ ବସି ଓ ଉତ୍କର୍ଷକୁ ଅନ୍ୟକୁ ଦାନ କରିବା ସ୍ୱାଧୀନତାର ଧର୍ମ । ଯେକୌଣସି ସାହିତ୍ୟର ବିଚାରପାଇଁ ଏହାହିଁ ଅସଲ ଭିତ୍ତିଭୂମି । ଓଡ଼ିଆ ସାହିତ୍ୟର ବିଚାର ମଧ୍ୟ ଏହାରି ଉପରେ ପ୍ରତିଷ୍ଠିତ ହେବା ବାଞ୍ଛନୀୟ । [ତା ୨୯। ୮। ୫୩]

Image

 

ଓଡ଼ିଆ ନାଟକ ଓ ରଙ୍ଗମଞ୍ଚ

 

ସ୍ୱାଧୀନତା ହିଁ ସାହିତ୍ୟର ମୂଳଦୁଆ ବୋଲି ଗଲାଥର ଆମେ କହିଛୁ । ଏହି ସ୍ୱାଧୀନତାକୁ କେବଳ ରାଜନୈତିକ ବା ଅର୍ଥନୈତିକ ସ୍ୱାଧୀନତା ବୋଲି କେହି ଯେମିତି ନ ବୁଝନ୍ତି । ବରଂ ରାଜନୈତିକ ସ୍ୱାଧୀନତା ପ୍ରଭାବରେ ସାହିତ୍ୟିକ ସ୍ୱାଧୀନତା ବହୁ ପରିମାଣରେ ମ୍ଳାନ ଓ ପଙ୍ଗୁ ହୋଇପଡ଼େ ବୋଲି ମନେହୋଇଥାଏ । ତଥାକଥିତ ସ୍ୱାଧୀନ ଦେଶମାନଙ୍କର ଆଧୁନିକ ସାହିତ୍ୟର ଆଲୋଚନାରୁ ଏକଥା ଭଲରୂପେ ବୁଝାପଡ଼େ ।

 

ସାହିତ୍ୟିକ ସ୍ୱାଧୀନତା

 

ଆମରି ଭାରତବର୍ଷରେ ମଧ୍ୟ ରାଜନୈତିକ ବା ଅର୍ଥନୈତିକ ସ୍ୱାଧୀନତା ଆନ୍ଦୋଳନ ପ୍ରବଳ ହୋଇପଡ଼ିବା ଦିନୁ ସାହିତ୍ୟିକ ସ୍ୱାଧୀନତା ଆମେ ଯେମିତି ଅବା କ୍ରମେ ହରାଇବସିଲୁ । ଫକୀରମୋହନ, ରାଧାନାଥ ଓ ମଧୁସୂଦନଙ୍କ ପରେ ସାହିତ୍ୟ ଯେମିତି ଗୋଟାଏ ଦୁରାରୋହ ଗିରିସଙ୍କଟ ପାଖରେ ଅଟକିଗଲା । ଆଉ ଖୁବ୍‌ ବେଶି ଆଗେଇପାରିଲା ନାହିଁ, ଅର୍ଥାତ୍‌ ସ୍ୱାଧୀନତା ଆନ୍ଦୋଳନ ସଙ୍ଗେ ସଙ୍ଗେ ସାହିତ୍ୟର ସ୍ଥିରତା ପ୍ରାୟ ଉଭେଇଯାଇଛି । ଏହା ଯେମିତି ‘‘ନଳିନୀଦଳଗତ ଜଳବତ୍ତରଳମ୍‌’’–ସଦା ଚଞ୍ଚଳ ଓ ଅସ୍ଥିର ।

 

କେତେବେଳେ କେଉଁ ଦଳୀୟ ରାଜନୀତିର ଏହା ସମର୍ଥକ ହେବ–ଏହାହିଁ ହେଲା ଆଜି ସାହିତ୍ୟିକ ସ୍ୱାଧୀନତାର ଅର୍ଥ । ସାହିତ୍ୟିକ ସ୍ୱାଧୀନତା ବୋଇଲେ ଯେ, ମାନବିକ ଚିନ୍ତା ଓ ପ୍ରକାଶର ସ୍ୱାଧୀନତା ଏବଂ ଆତ୍ମାର ସ୍ୱାଧୀନତାକୁ ବୁଝାଇଥାଏ ଏଇ ସହଜ କଥାଟିକୁ ଆମେ ଯେମିତି ଆଜି ପାସୋରି ପକାଇଛୁ ।

 

ଅସ୍ଥିରତା ହିଁ ଯଦି ସାହିତ୍ୟକ୍ଷେତ୍ରକୁ ସ୍ୱାଧୀନତା ଆନ୍ଦୋଳନ ଓ ସ୍ୱାଧୀନତାପ୍ରାପ୍ତିର ଦାନ ହୋଇଥାଏ, ତେବେ ଅବଶ୍ୟ ସେଥିଲାଗି ଦୁଃଖ କରିବାର କିଛି ନାହିଁ । କାରଣ ସେଭଳି ଦାନପାଇଁ କୌଣସି ବ୍ୟକ୍ତି ବିଶେଷ ଦାୟୀ ନୁହନ୍ତି । ଦାୟୀ ସମଗ୍ର ଦେଶ ଓ ତାହାର ପରିସ୍ଥିତି, ପୁଣି ଗଟଣାବଳୀର ମୁହୁର୍ମୁହୁଃ ଐତିହାସିକ ପରିବର୍ତ୍ତନ ଓ ବିବର୍ତ୍ତନ ।

 

ଦୁଃଖ ନ କରିବାର ଅନ୍ୟତମ କାରଣ–ସ୍ୱାଧୀନତା ବଜାରରେ ସାହିତ୍ୟର ମୂଲ୍ୟ ଏକାବେଳେ ହେୟ ହୋଇପଡ଼ି ନାହିଁ । ପୁଣି ଆଜି ମଧ୍ୟ ସାହିତ୍ୟିକ ସ୍ୱାଧୀନତା ରକ୍ଷା କରିବାକୁ ତାହାର ଜଡ଼ତା, ସଂଶୟ, ଅବସାଦ ବିରୁଦ୍ଧରେ କମ୍ ଘର୍ମାକ୍ତ ବା ରକ୍ତାକ୍ତ ଲଢ଼େଇ ଚାଲିନାହିଁ; ତାହାର ଚିନ୍ତା ଓ ପ୍ରକାଶର ସ୍ୱାଧୀନତା ଫେରାଇଆଣିବା ସକାଶେ, ଫେରିପାଇବା ପାଇଁ ଆତ୍ମାର ହୃତ ସ୍ୱାତନ୍ତ୍ର୍ୟ । ପୁଣି ସ୍ୱାଧୀନତା ଆନ୍ଦୋଳନ ଆରମ୍ଭରୁ, ଅର୍ଥାତ୍‌ ଫକୀରମୋହନ, ରାଧାନାଥଙ୍କ ପରବର୍ତ୍ତୀ ଯୁଗରେ ଯେଉଁ ପରିମାଣ ସାହିତ୍ୟ ସୃଷ୍ଟି ହୋଇପାରିଛି, ତାହା ଆମୂଳଚୂଳ ଅନାଦରଣୀୟ ବା ଅନାଲୋଚ୍ୟ, ଏହା କଦାପି ନୁହେଁ । ଏହା କହିବାମାନେ ସୃଷ୍ଟିକୁ ଅସ୍ୱିକାର କରିବା ।

 

ଅବଶ୍ୟ ଗୋଟିଏ କଥା ଅସ୍ୱୀକାର କରିବାର ଉପାୟ ନାହିଁ ଯେ, ଆମର ଏହି ‘ସୃଷ୍ଟି’ର ସଂଖ୍ୟା ବିଶ୍ୱ–ସାହିତ୍ୟ ଦରବାରରେ ଅତି ନଗଣ୍ୟ । ପ୍ରକୃତ ‘ସୃଷ୍ଟି’ କଥା ଛାଡ଼ିଦେଲେ ମଧ୍ୟ ଓଡ଼ିଆ ପ୍ରାଚୀନ ଓ ଆଧୁନିକ ପ୍ରକାଶିତ ପୁସ୍ତକଗୁଡ଼ିକ ଖଣ୍ଡିଏ ସୁଦ୍ଧା ବଡ଼ ଆଲମାରିକୁ ପୂରଣ କରିପାରିବ ନାହିଁ । ସେଗୁଡ଼ିକର ଅନ୍ତର୍ନିହିତ ଚିନ୍ତା ଓ ଶିଳ୍ପସୃଷ୍ଟିର ମୂଲ୍ୟ କିନ୍ତୁ ଅନେକ ବଡ଼ ବଡ଼ ଆଲମାରିକୁ ପୂର୍ଣ୍ଣ କରିପାରିବ ବୋଲି ଯୁକ୍ତି କରିବାର ପ୍ରମାଣ ଅଛି ।

 

ଓଡ଼ିଆ ନାଟକ

 

କାବ୍ୟକବିତା, ଗଳ୍ପ, ନାଟକ ନିର୍ମାଣରେ ଆଧୁନିକ ସାହିତ୍ୟ ଯେତେ ଅଗ୍ରସର ହୋଇଛି ଏବଂ ଯେଉଁ ଅଭିନବ ପ୍ରକାଶଭଙ୍ଗୀ ଓ ଭାଷାନୈପୁଣ୍ୟ ଦେଖାଇପାରିଛି, ତାହା ପାଠକମାନଙ୍କର ଉପଭୋଗ୍ୟ । ସେଥିମଧ୍ୟରୁ ଶେଷୋକ୍ତ ଗଳ୍ପ, ଉପନ୍ୟାସ ବା ନାଟକର ଇତିହାସ ବେଶିଦିନର ନୁହେଁ । ବିଶେଷତଃ ସଡ଼ିଆ ସାହିତ୍ୟର ଅନ୍ୟାନ୍ୟ ବିଭାଗ ମଧ୍ୟରେ ନାଟକର ପ୍ରବର୍ତ୍ତନ ଅତ୍ୟାଧୁନିକ ବୋଲି ମନେହୁଏ । ରାସ, ରାମଲୀଳା, ପାଲା, ସୁଆଙ୍ଗ ପ୍ରଭୃତିକୁ ଆଧୁନିକ ନାଟକର ପ୍ରାଥମିକ ଉଦ୍ୟମରୂପେ ବିଚାର କରାଯାଇପାରେ ।

 

ଅନେକ ସମାଲୋଚକ ସାହିତ୍ୟର ବିଭିନ୍ନ ବିଭାଗ ମଧ୍ୟରେ ନାଟକକୁ ହିଁ ସର୍ବୋଚ୍ଚ ସ୍ଥାନ ଦେଇଥାନ୍ତି । ତାହାର କାରଣ–ସାକ୍ଷର ନିରକ୍ଷର ବହୁ ଦର୍ଶକ ଓ ଶ୍ରୋତାଙ୍କୁ ଏହା ଏକକାଳୀନ ସାହିତ୍ୟ ପରିବେଷଣ କରିଥାଏ । ସେଥିଲାଗି ନାଟକର ଅନ୍ୟ ନାମ ଦୃଶ୍ୟକାବ୍ୟ ଏବଂ ନାଟକ ସହିତ ରଙ୍ଗମଞ୍ଚ ଘନିଷ୍ଠ ଭାବରେ ଜଡ଼ିତ ।

 

ନାଟକ ମଧ୍ୟରେ ସକଳ ରସ, ଛନ୍ଦ, ଅଳଙ୍କାର ଓ ସୌନ୍ଦର୍ଯ୍ୟ ଫୁଟାଇବାର ଯେଉଁ ଅବକାଶ ଅଛି, ଗଳ୍ପ ଉପନ୍ୟାସ ବା କାବ୍ୟକବିତା ଆଦି ସାହିତ୍ୟର କୌଣସି ଗୋଟିଏ ବିଭାଗରେ ତାହା ନାହିଁ । ଲୋକଚରିତ୍ରର ବିଶ୍ଳେଷଣ କରି ଲୋକଶିକ୍ଷା ପାଇଁ ନାଟକ ହିଁ ରଙ୍ଗମଞ୍ଚ ମାଧ୍ୟମରେ ଜୀବନ୍ତ ଆଦର୍ଶ ସୃଷ୍ଟିକରେ; କିନ୍ତୁ ଏହା ସ୍ୱୀକାର କରିବାକୁ ହେବ ଯେ, କାବ୍ୟକବିତା ବା ଗଳ୍ପ ଉପନ୍ୟାସ ଭଳି ଓଡ଼ିଆ ନାଟ୍ୟ–ସାହିତ୍ୟ ଉନ୍ନତ ହୋଇପାରିନାହିଁ ।

 

ରଙ୍ଗମଞ୍ଚ

 

ଆମ୍ଭମାନଙ୍କ ରଙ୍ଗମଞ୍ଚର ଦାରିଦ୍ର୍ୟ ଅତିରିକ୍ତ ହେଲେ ମଧ୍ୟ ତାହା ତୁଳନାରେ ନାଟକ ରଚନାର ଦାରିଦ୍ର୍ୟ ଆହୁରି ବେଶି ବୋଲିସ ମନେହୋଇଥାଏ । ଅବଶ୍ୟ ସ୍ୱାଧୀନତା ପରେ କିମ୍ବା ପୂର୍ବରୁ ଓଡ଼ିଆ ଭାଷାରେ ଏକାଧିକ ନାଟକ ରଚିତ ଓ ଅଭିନୀତ ହୋଇସାରିଛି । କେହି କେହି ସ୍ୱନାମଧନ୍ୟ କବିସାହିତ୍ୟିକ ମୃତବତ୍ସା ଭଳି ନାଟକ ଉତ୍ପାଦନ କରିଛନ୍ତି, ଯାହାର ଅଭିନୟ ସାଧାରଣରେ ଆଦୃତ ହୋଇପାରିନାହିଁ । ପଣ୍ଡିତ ଗୋଦାବରୀଶଙ୍କ ରଚିତ କେତେଖଣ୍ଡି ନାଟକ ଏହି ଦଶାକୁ ଭଜିଛି ।

 

ରଙ୍ଗମଞ୍ଚ ସହିତ ସଂପୃକ୍ତଥିବାରୁ ଶ୍ରୀ ଅଶ୍ୱିନୀ କୁମାର ଓ ଶ୍ରୀ କାଳୀଚରଣ ନାଟକ ଲେଖି ଖ୍ୟାତି ଅର୍ଜନ କରିପାରିଛନ୍ତି । ଭାଷା, ଭାବ ଓ ନାଟକୀୟ ଶୈଳୀ ଦୃଷ୍ଟିରୁ ସେ ଦୁହିଙ୍କର ରଚନାବଳୀକୁ ମଧ୍ୟମ ଶ୍ରେଣୀର ଅନ୍ତର୍ଭୁକ୍ତ କରାଯାଇପାରେ । ଅବଶ୍ୟ ନାଟକର ନିର୍ମାଣ ଲାଗି କେବଳ ନାଟ୍ୟକାର ଦାୟୀନୁହେଁ । ଆମ ଦେଶର ସାଧାରଣ ଶ୍ରୋତା ବା ଦର୍ଶକ ହୁଏତ ନାଟକ ଅପେକ୍ଷା ‘ନାଟ’ ଦେଖିବାକୁ ଅଧିକ ପ୍ରୟାସୀ; ତେଣୁ ଉଚ୍ଚଶ୍ରେଣୀୟ ବଦଳରେ ମଧ୍ୟମ ଶ୍ରେଣୀୟ ନାଟକର ଆଦର ବରଂ ବେଶି ଦେଖାଯାଇଥାଏ ।

 

ବର୍ତ୍ତମାନ ଏହି ମଧ୍ୟବିଧ ନାଟକହିଁ ଓଡ଼ିଆ ରଙ୍ଗମଞ୍ଚରେ ଲୋକପ୍ରିୟ ହୋଇଛି । ଗତ ତିନିସପ୍ତାହ ହେଲା କଟକ ରଙ୍ଗମଞ୍ଚରେ ଅଭିନୀତ ଅନ୍ନପୂର୍ଣ୍ଣା ‘ବି’ ଗ୍ରୁପ୍‌ର ‘ସାଇପଡ଼ିଶା’ ନାଟକଟିକୁ ଉଦାହରଣରୂପେ ଧରାଯାଇପାରେ । ‘ସାଇପଡ଼ିଶାର’ ରଚୟିତା ଶ୍ରୀ ରାମଚନ୍ଦ୍ର ମିଶ୍ର । ଅଳ୍ପ କାଳ ପୂର୍ବେ ଏହି ଲେଖକଙ୍କର ‘ଘରସଂସାର’ ନାଟକ କୃତକାର୍ଯ୍ୟ ହୋଇଥିଲା ।

 

ସାଇପଡ଼ିଶା

 

‘ସାଇପଡ଼ିଶା’ର ବିଷୟବସ୍ତୁ, ଭାଷା ଓ ଭାବର ପ୍ରକାଶଭଙ୍ଗୀରେ କୌଣସି ମୌଳିକତା ଫୁଟାଇବାକୁ ଲେଖକ ଛଳନା କରିନାହାନ୍ତି; କିନ୍ତୁ ସ୍ଥାନୀୟ ରଙ୍ଗମଞ୍ଚକୁ ଘେନିଲାଭଳି ଏବଂ ମଧ୍ୟମ–ଶ୍ରେଣୀୟ ଶ୍ରୋତା ବା ଦର୍ଶକମାନଙ୍କ ଚିତ୍ତବିନୋଦନ ସକାଶେ ନାଟକ ଓ ତାହାର ଅଭିନୟ ଉପଯୁକ୍ତ ହୋଇଛି ।

 

ଶଙ୍କର, ନିମେଇଁ ଦୁହେଁ ଆବାଲ୍ୟ ବନ୍ଧୁ । ଶଙ୍କର ପୋଲିସ ଦାରୋଗା ହୋଇ ସହରରେ ଆଡ଼ମ୍ବରରେ ଚଳେ । ନିମେଇଁ ମଫସଲ ଗାଁରେ ଜଣେ ସାମାନ୍ୟ ସ୍କୁଲ ଶିକ୍ଷକ । ଚାକିରିରୁ ଅବସର ନେଇ ଶଙ୍କର ତାହାର ତିନିଟି ଶିକ୍ଷିତା ଝିଅ ଓ ଗର୍ବିତା ସ୍ତ୍ରୀକୁ ଘେନି ସେହି ମଫସଲ ଗାଁକୁ ଫେରିଆସିଛି । ପ୍ରିୟ ବନ୍ଧୁ ଶଙ୍କରପାଇଁ ଖଣ୍ଡିଏ ଘର ତୋଳିଦେବାକୁ ସ୍କୁଲପାଣ୍ଠିରୁ ଟଙ୍କାଦେଇ ନିମେଇଁ ସାହାଯ୍ୟ କରିଛି । ଗାଁକୁ ଫେରିଆସିବା ପରେ ସ୍ୱଚ୍ଛଳ ଦାରୋଗା ପରିବାର ଓ ଦରିଦ୍ର ଶିକ୍ଷକ ପରିବାର ମଧ୍ୟରେ କଳହ ଦ୍ୱନ୍ଦ୍ୱର ସୂତ୍ରପାତ; କିନ୍ତୁ ନିମେଇଁଙ୍କ ପ୍ରେମର ଚିତ୍ରଣ–ପୁଣି କୁନୁର ସହାଧ୍ୟାୟୀ ବନ୍ଧୁର ନିଷ୍କପଟ ବ୍ୟବହାର ଏହି ଦ୍ୱନ୍ଦ୍ୱ ଦୂରକରିବାରେ ଯେପରି ସାହାଯ୍ୟ କରିଛି, ସେହିପରି କରିଛି ଶଙ୍କର ଓ ନିମେଇଁଙ୍କ ମଧ୍ୟରେ ଅବିଚ୍ଛିନ୍ନ ବନ୍ଧୁତା ।

 

ଅଭିନେତା ଓ ଅଭିନେତ୍ରୀଙ୍କ ଅଭିନୟ ବହୁ ପରିମାଣରେ ନିର୍ଦ୍ଦୋଷ ହେଲେ ମଧ୍ୟ ଅଯଥା ସଙ୍ଗୀତ ଓ ଭଜନର ପ୍ରବର୍ତ୍ତନ ଅନେକ ସମୟରେ ଦର୍ଶକର ଧୈର୍ଯ୍ୟଚ୍ୟୁତି ଘଟାଇଥାଏ । ତଥାପି ‘ସାଇପଡ଼ିଶା’ ଆହୁରି କେତେ ସପ୍ତାହ ପର୍ଯ୍ୟନ୍ତ ଚାଲିବ । ତାହାର ଅସଲ କାରଣ ମଧ୍ୟବିଧ ନାଟକୀୟ କୌଶଳଦ୍ୱାରା ଚିତ୍ତବିନୋଦନ ଏବଂ ଅଭିନେତା ଓ ଅଭିନେତ୍ରୀମାନଙ୍କର କୃତିତ୍ୱ । [୫। ୯। ୫୩]

Image

 

ଚରିତ୍ର ଓ ଅଭିନୟ

 

ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚର ପରିଚାଳନା ଏବଂ ଅଭିନୟର କୃତିତ୍ୱ ସଙ୍ଗେ ‘ସାଇପଡ଼ିଶା’ର ସାର୍ଥକତା ଯେ ବହୁ ପରିମାଣରେ ଜଡ଼ିତ ଅଛି, ଏହା ଯେ କେହି ଦର୍ଶକ ଅନୁଭବ କରିପାରନ୍ତି । ରଙ୍ଗମଞ୍ଚ ପରିଚାଳନାରେ ବିଶେଷତ୍ୱ ହେଉଛି, ନୂଆ ଦୃଶ୍ୟ ବା ଅଙ୍କର ଆରମ୍ଭରେ ଅବକାଶର ସ୍ୱଳ୍ପତା ଏପରିକି ପଟ୍ଟପରିବର୍ତ୍ତନ ପ୍ରାୟ ଚଳଚ୍ଚିତ୍ରର ସମକକ୍ଷ ହୋଇଛି ବୋଲାଯାଇପାରେ । ଏହା କମ୍‌ ବାହାଦୁରି ନୁହେଁ । କାରଣ ରଙ୍ଗମଞ୍ଚ ଅଭିନୟରେ ସବୁଠାରୁ ବୋଧହୁଏ ବେଶି ତାଳି ବାଜେ ସମୟାନୁବର୍ତ୍ତିତାର ଅଭାବରୁ, ପୁଣି ଯବନିକା ଉତ୍ତୋଳନ ବା ପଟ୍ଟପରିବର୍ତ୍ତନରେ ଅସମ୍ଭବ କାଳକ୍ଷେପଜନିତ ତ୍ରୁଟି ଯୋଗୁଁ । ଆଲୋକବିନ୍ୟାସର ପରିପାଟି ସହିତ ଅନ୍ନପୂର୍ଣ୍ଣା ଆଜି ଏହି ତ୍ରୁଟିରୁ ମୁକ୍ତ ହୋଇ ଦରିଦ୍ର ଓଡ଼ିଆ ରଙ୍ଗମଞ୍ଚ–ଇତିହାସରେ ଏକ ନୂତନ ଅଧ୍ୟାୟ ଲେଖିଛି ।

 

‘ସାଇପଡ଼ିଶା’ର ଅଭିନୟ

 

ପ୍ରତ୍ୟେକ ଅଭିନେତା ଓ ଅଭିନେତ୍ରୀଙ୍କର ଅଭିନୟ ଯେଉଁ ପରିମାଣରେ ସ୍ୱାଭାବିକ ଓ ବାସ୍ତବିକ ହୋଇପାରିଛି, ତାହା ରଙ୍ଗମଞ୍ଚ, ସାଜସଜ୍ଜା, ବେଶଭୂଷା ପୁଣି ରଚନାର ତ୍ରୁଟି ଓ ଦାରିଦ୍ର୍ୟକୁ ସୁଦ୍ଧା ବହୁଗୁଣରେ ଘୋଡ଼ାଇ ପକାଇଛି । ପୋଲିସ ଦାରୋଗା ଶଙ୍କରଙ୍କ ସହରିଆ ଚାଲିଚଳନ ସଙ୍ଗେ ଗାଁ ସ୍କୁଲ ଶିକ୍ଷକ ନିମେଇଁଙ୍କ ମଫସଲ ଜୀବନର ବୈଷମ୍ୟ ମନ୍ଦ ଫୁଟିନାହିଁ । ଅବଶ୍ୟ ଅଭିନେତାମାନଙ୍କର ସମାନ ଆସନରେ ଅଭିନେତ୍ରୀମାନଙ୍କୁ ବସାଇଦେଲେ ଟିକିଏ ପକ୍ଷପାତିତା ଦୋଷ ରହିଯାଇପାରେ । ଶଙ୍କର, ନିମେଇଁ, ଶ୍ରୀକାନ୍ତ, କୁନୁ, ତହସିଲଦାର ବା ବିଦ୍ୟାଧରଙ୍କ ଅଭିନୟ ଭିତରେ ବାଛିବାକୁ ଯେମିତି ପ୍ରାୟ କିଛି ନାହିଁ, ଶଙ୍କରଙ୍କୁ ସ୍ତ୍ରୀ ଓ ତିନୋଟି ଝିଅ ଶୈଳଜା, ମନଜା ଓ ବନଜା କିମ୍ବା ନିମେଇଁଙ୍କ ସ୍ତ୍ରୀକାଳୀ ଅଭିନୟ ସେହି ପରିମାଣରେ ନିର୍ଦ୍ଦୋଷ ହୋଇନପାରେ; ମାତ୍ର ଆମ ଦେଶରେ ଅଭିନେତ୍ରୀ ଜୀବନର ସାମାଜିକ ଦୁଃସ୍ଥିତି, ଦୁର୍ବିପାକ ଓ ଶିକ୍ଷାଦୀକ୍ଷା ପରିବେଶ ମଧ୍ୟରେ ସେମାନେ ଆଜି ଯେତେଦୂର ଅଗ୍ରସର ହୋଇପାରିଛନ୍ତି, ତାହା ଆଶାତୀତ ବୋଲିବାକୁ ହେବ ।

 

ଚରିତ୍ର

 

ନାଟକୀୟ ଘଟଣାର ସମାବେଶ ଓ ଅଭିନୟର ବୈଶିଷ୍ଟ୍ୟହିଁ ଚରିତ୍ର ଫୁଟାଇବାରେ ପ୍ରଧାନ ସହାୟକ ହୋଇଥାଏ । ଯେତେ ସହଜ ଭାବରେ ଗୋଟିକ ପରେ ଆଉ ଗୋଟିଏ ଅଙ୍କ ବା ଦୃଶ୍ୟର ପରିବର୍ତ୍ତନ ଘଟିଛି, ସେହିପରି ସ୍ୱାଭାବିକ ରୀତିରେ ଉଦାର–ଚରିତ୍ର ଶଙ୍କର ନିଜର ଦୋଷ ଓ ଭ୍ରମ ଧାରଣା ବୁଝିପାରି ପ୍ରିୟ ବନ୍ଧୁ ନିମେଇଁଙ୍କୁ କୋଳାଗ୍ରତ କରିଛନ୍ତି । ତାଙ୍କର ଦାମ୍ଭିକା ଗୃହିଣୀ ମଧ୍ୟ ନିଜ କନ୍ୟା ଶୈଳାଜାକୁ ଅପ୍ରତ୍ୟାଶିତ ଭାବରେ ନିଜ ଇଚ୍ଛାବିରୁଦ୍ଧରେ ନିମାଇଁଙ୍କ ପୁତ୍ରବଧୂ ହେବାର ଦେଖି ଏହି ନୂଆ ପରିସ୍ଥିତି ଭିତରେ ଆପଣାକୁ ବେଶ୍‌ ସଜାଡ଼ି ନେଇପାରିଛନ୍ତି ଅଥବା ସଜାଡ଼ି ନେବାକୁ ବାଧ୍ୟ ହୋଇପଡ଼ିଛନ୍ତି । ତାଙ୍କର ଦ୍ୱିଧାହୀନ ଅନବନତ ସ୍ୱଭାବ ଶେଷରେ ସାଲିସ ସ୍ୱୀକାର କରିଛି ସ୍ୱାମୀ ଚରିତ୍ରର ପ୍ରଭାବରେ ।

 

ସକଳ ସଂଶୟ ଓ ଦ୍ୱନ୍ଦ୍ୱକୁ ଉଦ୍‌ଘାଟନ କରିବା କୌଶଳରେ ଏବଂ ଲୋକଚରିତ୍ରକୁ ଅବିଳମ୍ବେ ବୁଝିନେବାର ଦକ୍ଷତାରେ ପୋଲିସ ଦାରୋଗା ଶଙ୍କର ଯେଉଁ ପାରଦର୍ଶିତା ଦେଖାଇଛନ୍ତି, ତାହାହିଁ ସମାଧାନର ବାଟ ଫିଟାଇଥିବାର ଜଣାପଡ଼େ; ଏକ ପକ୍ଷରେ ଦାରୋଗା ପରିବାର ମଧ୍ୟରେ ନାଗରିକ ଜୀବନର ସଂଘର୍ଷ ଓ ଜଟିଳତା, ଅନ୍ୟପକ୍ଷରେ ପଲ୍ଲୀର ଅମାୟିକ ସାରଲ୍ୟ ଶିକ୍ଷକ ପରିବାର ମଧ୍ୟରେ, ପୁଣି କୁଟିଳତାର ଚୁଡ଼ାନ୍ତ ଚକ୍ରାନ୍ତ ତହସିଲଦାର ଚରିତ୍ରରେ ।

 

ଛଦ୍ମବେଶୀ ପାଷାଣ୍ଡ ଚରିତ୍ର ଅଭିନୟରେ ତହସିଲଦାର ଯେଉଁ ତ୍ରୁଟିଶୂନ୍ୟ କୃତିତ୍ୱ ଦେଖାଇପାରିଛି, ନାଟକ ଗଠନର ସମତା ରକ୍ଷା ଦିଗରେ ତାହାର ଦାନ ସାମାନ୍ୟ ନୁହେଁ ।

 

ଦୋଷାଦୋଷ

 

ଶୈଳଜା ଓ କୁନୁ ମଧ୍ୟରେ ଅନାବିଳ ପ୍ରେମର ଚିତ୍ରଣ ସଙ୍ଗେ ଅତ୍ୟାଧୁନିକା ନଜାର କୁନୁ ନିକଟରେ ଗୋପନ ଆତ୍ମସମର୍ପଣ କରିବାରହୀନ ଦୃଷ୍ଟାନ୍ତ ତୁଳନୀୟ । ନଜା ଏବଂ ଶ୍ରୀକାନ୍ତକୁ ଦୁଇଟି ଅନୁକରଣପ୍ରିୟ ବିଦେଶୀ ସଂସ୍କରଣ ବୋଲାଯାଇପାରେ; କିନ୍ତୁ ଶ୍ରୀକାନ୍ତ ଚରିତ୍ର ଯେତେ ବେଶି ସଚେତନ ଓ ସାମାଜିକ ପରିସ୍ଥିତି ବିଜୟରେ ବିଚାରବୁଦ୍ଧି ସମ୍ପନ୍ନ, ପୁଣି ବିଜାତୀୟ ଆବରଣତଳେ ଯେତେ ବେଶି ତୀକ୍ଷ୍‍ଣ ଓ ସଚ୍ଚୋଟ, ମନଜାର ଅଗଭୀର ଚାପଲ୍ୟଜନିତ ଚାରିତ୍ରିକ ସ୍ଥଳନ ତାହାପାଖରେ ତୁଚ୍ଛ ହୋଇପଡ଼ିଛି । ତଥାପି ଶେଷରେ ସେ ଦୁହିଙ୍କ ମଧ୍ୟରେ ଯେପରି ମିଳନ ସଂଘଟିତ ହେଲା, ସେଥିଲାଗି ମନଜାର ପ୍ରାୟଶ୍ଚିତ ଯଥେଷ୍ଟ ନୁହେଁ; ବରଂ ସେ ମିଳନରେ ଅଧିକ ପ୍ରକଟିତ ହୋଇଛି ଶ୍ରୀକାନ୍ତର ମହତ୍ତ୍ୱ ।

 

ସବୁରି ଉପରେ ନିମେଇଁଙ୍କର ଅନାବିଳ ଅମାୟିକ ସ୍ୱଚ୍ଛନ୍ଦ ନିରାଟ ଚରିତ୍ର ଏବଂ ତଦୀୟ ପୁତ୍ର କୁନୁର ତଦନୁରୂପ ପ୍ରଶାନ୍ତ ସ୍ୱଭାବ ନାଟକୀୟ ଗତିଶୀଳତା ଉପରେ ବାଧାସୃଷ୍ଟି କରିଛି ବୋଲି ମନେହୁଏ । ନିମେଇଁ ଓ ତାଙ୍କର ସ୍ତ୍ରୀପୁତ୍ର ଯେମିତି ନିଷ୍ପ୍ରାଣ କାଷ୍ଠପିତୁଳା ପରି ରଙ୍ଗମଞ୍ଚ ଉପରେ ଆବିର୍ଭୂତ ହୋଇ ବିଦାୟ ଘେନିଛନ୍ତି; କେବଳ ଶଙ୍କର, ଶ୍ରୀକାନ୍ତ, ତହସିଲଦାରଙ୍କ ଉପରେ ସେମାନେ ଯାହା ତିଷ୍ଠି ରହିଛନ୍ତି, ନଇଲେ ତାଙ୍କର ସ୍ୱତନ୍ତ୍ର ସତ୍ତା କିଛି ନାହିଁ କହିଲେ ଚଳେ । ସେଥିଲାଗି ନିମେଇଁ, ତାଙ୍କ ସ୍ତ୍ରୀ ଓ ପୁତ୍ର କୁନୁର ତ୍ୟାଗପୂତ ଚରିତ୍ରରେ କାରୁଣ୍ୟ, ରୋମାଞ୍ଚ କିମ୍ବା ଗଭୀର ସମବେଦନାର ପରିସ୍ଫୁଟନ ଲାଗି ଯେତେ ଉଦ୍ୟମ କରାଯାଇଛି, ତାହା ଅନେକାଂଶରେ ପଣ୍ଡ ହୋଇଛି ।

 

କାରୁଣ୍ୟ ଓ ଲୋମାଞ୍ଚ

 

କାରୁଣ୍ୟ ଓ ଲୋମାଞ୍ଚର ଉଦ୍ରେକ ଲାଗି ଯେଉଁ ବୈଷ୍ଣବ କୀର୍ତ୍ତନ ଓ ଭଜନର ଆଶ୍ରୟ ନିଆଯାଇଛି, ତାହା ଯେପରି ଗତାନୁଗତିକ, ସେଇପରି ସମ୍ପୂର୍ଣ୍ଣ ଅବାନ୍ତର ଓ ଆତଶଯ୍ୟ ଦୋଷରେ ଦୁଷ୍ଟ । ଏହାଫଳରେ ନାଟକୀୟ ରସଭଙ୍ଗ ଯେତେଦୂର ଘଟିଛି, ତାହା ଅକ୍ଷମଣୀୟ । ତହସିଲଦାର ଚରିତ୍ରର ଶାସ୍ତି ଓ ଅନୁତାପ ଲାଗି ଯମଦଣ୍ଡର ପଟ୍ଟପ୍ରଦର୍ଶନରେ ଅଭିନୟର କିଞ୍ଚିତ୍‌ ନୂତନତା ଥିଲେହେଁ, ତାହାକୁ ମଧ୍ୟ ଏହି ଶ୍ରେଣୀରେ ଧରିବାକୁ ହେବ । ଏହି ଧରଣର ଚାରିତ୍ରିକ ପରିମାଣ ପ୍ରଦର୍ଶନ କଳାନୈପୁଣ୍ୟର ଅଭାବ ସୂଚାଇଥାଏ ମାତ୍ର ।

 

ଶୈଳଜାର ଶାନ୍ତ ସମାହିତ ଲାବଣ୍ୟ ଫୁଟାଇବାପାଇଁ ଆବେଗମୟୀ ଅସ୍ଥିରମତି ମନଜା ଯେତିକି ସାହାଯ୍ୟ କରିଛି, ସେତିକି କିମ୍ବା ତାହାଠାରୁ ସେ ଅଧିକ କରିଛି ନାଟକର ଦ୍ରୁତ ଗତିଶୀଳତା ପାଇଁ । ମନଜା ରୂପର ବୈଦ୍ୟୁତିକ ଝଲକ, ଶ୍ରୀକାନ୍ତର ଚାର୍ଲିଚାପ୍‌ଲିନୀୟ ରହସ୍ୟମୟ ଲଘୁତା, ଶଙ୍କରର ଧୈର୍ଯ୍ୟଶୀଳ ବିଚକ୍ଷଣତା, ତାଙ୍କ ଗୃହିଣୀର ନାରୀସୁଲଭ ଅସମ୍ଭବ ଜାତ୍ୟାଭିମାନ ଏବଂ ତହସିଲଦାରର ନିର୍ଲିପ୍ତ ଭଣ୍ଡାମୀ ‘ସାଇପଡ଼ିଶା’ର ବିଜୟ ପାଇଁ ଦାୟୀ; ପୁଣି ତା’ର ପରାଜୟ ପାଇଁ ଦାୟୀ ନିମେଇଁ, ତାଙ୍କ ସ୍ତ୍ରୀ, ତାଙ୍କ ପୁତ୍ର କୁନୁ ଓ ବୈଷ୍ଣବ ପ୍ରଭୃତି ନିର୍ବେଦ ନିରୀହ ବୈଚିତ୍ର୍ୟହୀନ ନିପଟ ନିସ୍ତେଜ ଚରିତ୍ରଗୁଡ଼ିକ ।

 

ନାଟକୀୟ ଭାଷା

 

ଶେଷୋକ୍ତ ଚରିତ୍ରଗୁଡ଼ିକୁ ନାଟ୍ୟକାର ଅଳ୍ପାୟାସରେ ଭାଷା ଓ ଘଟନାର ମୋଡ଼ଦେଇ ଅଧିକ ଜୀବନ୍ତ କରିପାରିଥାନ୍ତେ ବୋଲି ଆମ୍ଭମାନଙ୍କର ମତ ଏବଂ ବୈଷ୍ଣବ ପ୍ରଭୃତି ପୁରୁଣାକାଳିଆ ଚରିତ୍ରଗୁଡ଼ିକୁ ଅନାୟାସରେ ବାଦ୍‌ଦେଇ କିଛି ନୂତନତ୍ୱ ଦେଖାଇପାରିଥାନ୍ତେ ବୋଲି ଆଶା କରିବା ଅସମୀଚୀନ ନୁହେଁ । ବିଶେଷତଃ ‘ସାଇପଡ଼ିଶା’ରେ ଭାଷାର ମୌଳିକତା ଲକ୍ଷ୍ୟ କରିବାକୁ ଗଲେ ଅନ୍ୟାନ୍ୟ ଓଡ଼ିଆ ନାଟକ ଭଳି ହତାଶ ହେବାକୁ ପଡ଼େ । ମୌଳିକତା ଅର୍ଥରେ ଲେଖକଙ୍କର ବ୍ୟକ୍ତିଗତ ବିଶିଷ୍ଟ ପ୍ରକାଶଭଙ୍ଗୀକୁ ହିଁ ବୁଝାଇଥାଏ ।

 

ସ୍ୱୀକାର କରିବାକୁ ହେଲା ଯେ, ନାଟ୍ୟକାର ଅନ୍ୟଭାଷାର ବଦ୍‌ହଜମୀ ରୂପାନ୍ତର ଗ୍ରହଣ ନ କରି ସ୍ୱକୀୟ ଭାଷା ହିଁ ବ୍ୟବହାର କରିଛନ୍ତି । ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚରେ ଏଥିପୂର୍ବେ ଆଉ କେତେକ ମଧୁନିକ ନାଟକ ଅଭିନୀତ ହେଇଛି । ସେଗୁଡ଼ିକର ନାଟକୀୟ କଳା ଓ ଚରିତ୍ରଗଠନ ନିକୃଷ୍ଟତର ହେଲେହେଁ ଭାଷାର ପ୍ରକାଶଭଙ୍ଗୀ ଓ କଥୋପକଥନର ବୈଚିତ୍ର୍ୟ ଉତ୍କଷ୍ଟତର ବୋଲି ମନେହୁଏ । ସେଥିସଙ୍ଗେ ତାହା ଅନ୍ୟାନ୍ୟ ପଡ଼ୋଶୀ ଭାଷାର ଅନୁକରଣ ଓ ସଂଗ୍ରହ ବୋଲି ମଧ୍ୟ ଦୁର୍ନାମ ଅର୍ଜନ କରିଛି । ‘ସାଇପଡ଼ିଶା’ର ଲେଖକ ତାଙ୍କ ପରବର୍ତ୍ତୀ ଉଦ୍ୟମରେ ଭାଷାକୁ ଅଧିକ ଶକ୍ତିଶାଳୀ ଓ ଉନ୍ନତ କରିବାକୁ ଧ୍ୟାନଦେଲେ ଏବଂ ଆମ୍ଭମାନଙ୍କ ଆଲୋଚନାପ୍ରତି ଟିକିଏ ବିଚାରବନ୍ତ ହେଲେ ତାଙ୍କ ପାଇଁ ଏକ ଉଜ୍ଜ୍ୱଳତର ଭବିଷ୍ୟତ ଅପେକ୍ଷା କରିଛି ବୋଲି ଆମର ବିଶ୍ୱାସ । କାରଣ ଯେଉଁମାନେ ରଙ୍ଗମଞ୍ଚ ସ୍ଥାନକୁ ଚଳଚ୍ଚିତ୍ର ଅଧିକାର କରିବ ବୋଲି ବିଚାରନ୍ତି, ତାଙ୍କ ସହିତ ଆମେ ଏକମତ ନୋହୁଁ ।

 

ରଙ୍ଗମଞ୍ଚର ଭବିଷ୍ୟତ

 

ବ୍ୟୟଦୃଷ୍ଟିରୁ, ପ୍ରଚାରଦୃଷ୍ଟିରୁ ଏବଂ ଚିତ୍ରବାହୁଲ୍ୟ ଯୋଗୁଁ ଅବଶ୍ୟ ଚଳଚ୍ଚିତ୍ରର ପ୍ରସାର ପାଇଁ ଏବଂ ଲୋକପ୍ରିୟତା ପାଇଁ ଅନେକ ବେଶି ସୁଯୋଗ ଅଛି । ମାତ୍ର ଉଚ୍ଚ ସାହିତ୍ୟ ସୃଷ୍ଟି ଓ ଚିନ୍ତାର ପ୍ରଶସ୍ତି ଲାଗି ରଙ୍ଗମଞ୍ଚ ଯେଉଁ ସାମ୍ରାଜ୍ୟ ପ୍ରତିଷ୍ଠା କରିଛି, ତାହାର ପତନ ଘଟିବା ସହଜ ନୁହେଁ । ଓଡ଼ିଆ ରଙ୍ଗମଞ୍ଚର ପ୍ରାରମ୍ଭକାଳ ଅଳ୍ପଦିନର ହେଲେହେଁ ଏବଂ ତାହାର ଇତିହାସ ଅତି ନଗଣ୍ୟ ହେଲେ ସୁଦ୍ଧା ଏ କଥା କହିବାପାଇଁ ଆମର ସାହସ ଅଛି ।

 

ଏଠାରେ ଆମେ ଲଣ୍ଡନ କିମ୍ବା ମସ୍କୋ ଥିଏଟର କଥା ଉଠାଇଲେ ଅଥବା ତାହାର ଆଲୋଚନା ଆରମ୍ଭ କଲେ ବକ–ହଂସର ତୁଳନା ଭଳି ଶୁଣାଯିବ । ସେକ୍‌ସପିୟରଙ୍କ ସମୟରୁ ଗତ ୫୦୦ ବର୍ଷ ହେଲା ଲଣ୍ଡନ ଥିଏଟର କିପରି ସରକାରୀ ପୃଷ୍ଠପୋଷକତା ଫଳରେ ଆଜିପର୍ଯ୍ୟନ୍ତ ନିଜର ଆଭିଜାତ୍ୟ ବଜାୟ ରଖିଆସିଛି, ପୁଣି ମସ୍କୋ ଥିଏଟର ସୋଭିଏଟ୍‌ ସରକାରଙ୍କ ବିପୁଳ ଆର୍ଥିକ ଯୋଜନାବଳରେ ଆଜି କିଭଳି ପୃଥିବୀପୃଷ୍ଠରେ ସମ୍ମାନିତ ଆସନ ଲାଭ କରିଛି, ସେ ସକଳ ଦୃଷ୍ଟାନ୍ତ ଅନେକଙ୍କୁ ଜଣାଥିବ ।

 

ଭାରତ ସରକାରଙ୍କ ଆନୁକୂଲ୍ୟରେ ରାଜଧାନୀ ଦିଲ୍ଲୀରେ ଏକ ଜାତୀୟ ରଙ୍ଗମଞ୍ଚ ପ୍ରତିଷ୍ଠାର ମଧ୍ୟ ଏବେ ସୂତ୍ରପାତ ହୋଇଛି । ତାହାଛଡ଼ା ପ୍ରତି ରାଜ୍ୟରେ ଆଞ୍ଚଳିକ ଭାଷା ମାଧ୍ୟମରେ ନାଟକାଭିନୟ ଲାଗି ରଙ୍ଗମଞ୍ଚର ପ୍ରତିଷ୍ଠା କରିବା ସରକାରଙ୍କ ବିଚାରଧୀନ ଥିବାର ଶୁଣାଯାଏ । କାରଣ ସରକାରୀ ସାହାଯ୍ୟ ଓ ପୃଷ୍ଠପୋଷକତା ବିନା ରଙ୍ଗମଞ୍ଚ ପ୍ରତିଷ୍ଠାର ବିପୁଳ ପରିକଳ୍ପନା କରାଯାଇନପାରେ । ପୁଣି ଆଧୁନିକ ରାଷ୍ଟ୍ରର ସାଂସ୍କୃତିକ ଅଙ୍ଗରୂପେ ନାଟକ–ସାହିତ୍ୟ ସୃଷ୍ଟିର ପ୍ରଧାନ ପୀଠ ହିଁ ରଙ୍ଗମଞ୍ଚ । ଜଣେ ବିଶିଷ୍ଟ ଓଡ଼ିଆ ବ୍ୟବସାୟୀଙ୍କର ପ୍ରଶଂସନୀୟ ବଦାନ୍ୟତା ଫଳରେ କଟକରେ ‘ଜନତା’ ରଙ୍ଗମଞ୍ଚ ନିର୍ମିତ ହୋଇଥିବା ଗୋଟିଏ ସୁଖବର । [ତା ୧୨।୯।୫୩]

Image

 

ଉପନ୍ୟାସ

 

ନାଟକ ବିଷୟରେ ଯେଉଁ ଟିପ୍‌ପଣୀ ଗଲାଥର ଦିଆଯାଇଥିଲା ଆଧୁନିକ ଗଳ୍ପ ଉପନ୍ୟାସ କିମ୍ବା କାବ୍ୟ-କବିତା ବିଷୟରେ ମଧ୍ୟ କମ୍‌ବେଶି ସେହିପରି ମନ୍ତବ୍ୟ ପ୍ରଯୁଜ୍ୟ । ଅବଶ୍ୟ ଗଳ୍ପ–ଉପନ୍ୟାସ ବା କାବ୍ୟ–କବିତାର ସ୍ତର ଓଡ଼ିଆ ନାଟକ ରଚନା ଓ ପ୍ରଦର୍ଶନଠାରୁ ଉଚ୍ଚତର ବୋଲି କାହାରି କାହାରି ମତ ଶୁଣାଯାଏ ।

 

ଆଧୁନିକ ଭାଷା, ଛନ୍ଦ ଓ ଭାବପ୍ରକାଶର ନିପୁଣତା ଗଳ୍ପ–କବିତାରେ ଯେପରି ପ୍ରକଟିତ, ନାଟକରେ ତାହା ହୋଇପାରିନାହିଁ । ଏପର୍ଯ୍ୟନ୍ତ ବୋଧହୁଏ କୌଣସି ନାଟକ ଓଡ଼ିଆରେ ଲିଖିତ ହୋଇନାହିଁ, ଯାହା ଉଭୟ ପଠନ ଏବଂ ଅଭିନୟ ପାଇଁ ଉପଯୋଗୀ । ଯେଉଁ ନାଟକ ସୁଖପାଠ୍ୟ, ତାହା ଅଭିନୟ ଲାଗି ଅଯୋଗ୍ୟ; ପୁଣି ରଙ୍ଗମଞ୍ଚରେ ଯାହା କୃତକାର୍ଯ୍ୟ ହୁଏ, ତାହାର ପାଠକସଂଖ୍ୟା ଅତି ଅଳ୍ପ । ଉଭୟ ଅଭିନୟ ଏବଂ ପଠନ ଉପଯୋଗୀ ଶ୍ରେଷ୍ଠ ନାଟ୍ୟକଳାର ସୃଷ୍ଟି ଲାଗି ଉତ୍କଳୀୟ ପ୍ରତିଭା ଯେ ଆଜିଯାଏଁ ସମର୍ଥ ହୋଇପାରିନାହିଁ, ଏହା ଦୁଃଖର କଥା ହେଲେମଧ୍ୟ ସ୍ୱୀକାର କରିବାକୁ ହେବ ।

 

ଅବଶ୍ୟ ରାୟ ରମାନନ୍ଦକୃତ ସଂସ୍କୃତ ‘ଜଗନ୍ନାଥବଲ୍ଲଭ’ କିମ୍ବା କପିଳେଶ୍ୱର ଦେବ ଓ ପ୍ରତାପରୁଦ୍ର ଦେବ ପ୍ରମୁଖ ଉତ୍କଳୀୟ ରାଜାଗଣ ଯେଉଁସବୁ ଏକାଙ୍କିକା ସଂସ୍କୃତ ଭାଷାରେ ଲେଖି ସ୍ୱୀୟ ଦରବାରରେ ଅଭିନୟ କରାଉଥିଲେ, ସେଗୁଡ଼ିକୁ ପାଠ କରିବାର ସୁଯୋଗ ଆମ୍ଭମାନଙ୍କୁ ମିଳିନାହିଁ । ଓଡ଼ିଆ ଭାଷାରେ ରଚିତ ଆଧୁନିକ ନାଟକଗୁଡ଼ିକ ପ୍ରତି ହିଁ ଆମ୍ଭମାନଙ୍କର ଉପରୋକ୍ତ ମନ୍ତବ୍ୟ ପ୍ରାଯୁଜ୍ୟ ।

 

ଓଡ଼ିଆ ଉପନ୍ୟାସର ସୂଚନା

 

ଫକୀରମୋହନଙ୍କ ସମୟରୁ ହିଁ ଓଡ଼ିଆ ଉପନ୍ୟାସ ଆରମ୍ଭହେବା ସଙ୍ଗେ ସଙ୍ଗେ ଶୀର୍ଷକୁ ଉଠିବାର ପ୍ରୟାସ କରିଛି । ବାସ୍ତବ ଦୃଷ୍ଟିକୋଣରୁ ବିଚାର କଲେ ଏବଂ ଫକୀରମୋହନଙ୍କ ପ୍ରାଥମିକ ଓଡ଼ିଆ ଗଦ୍ୟର ରୂପକୁ ପୁଣି ମଧ୍ୟଯୁଗୀୟ ଭାଷା ଓ ପ୍ରକାଶଭଙ୍ଗୀକୁ ଛାଡ଼ିଦେଲେ ତାହାଙ୍କ ବିଷୟ–ନିର୍ବାଚନ, ଗଳ୍ପଗଠନ ଓ ଭାବର ମୌଳିକତା ପୁଣି ଆଧୁନିକତା ଆଜିପର୍ଯ୍ୟନ୍ତ ଅନତିକ୍ରମ୍ୟ ହୋଇ ରହିଛି, ବୋଲିବାକୁ ହେବ । ତଥାପି ତାଙ୍କରି ନିର୍ଦ୍ଦେଶିତ ପଥରେ ଓଡ଼ିଆ ଉପନ୍ୟାସ କେତେଦୂର ଅଗ୍ରସର ହୋଇପାରିଛି, ତାହା ଅବଶ୍ୟ ବିଚାର୍ଯ୍ୟ ।

 

‘ଛ’ମାଣ ଆଠଗୁଣ୍ଠ’, ‘ମାମୁଁ’, ‘ଲଛମା’ କିମ୍ବା ‘ପ୍ରାୟଶ୍ଚିତ୍ତ’ ଯୁଗରେ ଆଜି ମଧ୍ୟ ଓଡ଼ିଆ ଉପନ୍ୟାସର ସର୍ବାଧିକ ଯୁଗର ଲେଖକମାନେ ରହିଥିବାର ପ୍ରମାଣ ବାଢ଼ିବା କଷ୍ଟକର ନୁହେଁ । ଫକୀରମୋହନ ସାମାଜିକ ପ୍ରଗତିର ଅଗ୍ରଦୂତରୂପେ ଯେଉଁ ପଥ ଦେଖାଇଯାଇଛନ୍ତି, ତାହା ଆଜିସୁଦ୍ଧା ଅଳ୍ପ କେତେକ ସ୍ଥଳରେ ଅନୁସୃତ ହେଉଥିଲେ ହେଁ ଅଧିକାଂଶ ସ୍ଥଳରେ ଯେ ହେଉନାହିଁ, ଏକଥା ଅନେକ ବିଜ୍ଞ ପାଠକ ସ୍ୱୀକାର କରିବେ ବୋଲି ଆମର ବିଶ୍ୱାସ । ଯେଉଁ ଅଳ୍ପକେତେକ ସ୍ଥଳରେ ଉଚ୍ଚାଙ୍ଗ ଉପନ୍ୟାସ ଆମ ଆଖିଆଗରେ ପଡ଼େ, ସେଗୁଡ଼ିକର ସଂଖ୍ୟା ଏତେ କମ୍‌ ଯେ, ତାକୁ ସାଧାରଣ ପାଠକ ଆଜି ପାସୋରି ଦେଇନପାରନ୍ତି ।

 

ଦୁଇଟି ଶ୍ରେଣୀ ବିଭାଗ

 

ବାକି ଯେଉଁ ଅଧିକାଂଶ ଆଧୁନିକ ଓଡ଼ିଆ ଉପନ୍ୟାସର ସଂଖ୍ୟା ଦୈନନ୍ଦିନ ବଢ଼ିଚାଲିଛି, ସେଗୁଡ଼ିକ ମନୁଷ୍ୟର ନିକୃଷ୍ଟତର ପ୍ରବୃତ୍ତିର ଉତ୍ତେଜକ ହୋଇଥାଏ ମାତ୍ର । ଏହିଭଳି ନିମ୍ନଶ୍ରେଣୀୟ ଉପନ୍ୟାସର ସଂଖ୍ୟା ଆମ ସାହିତ୍ୟରେ ଏତେ ବେଶି ଯେ ଗଣତାନ୍ତ୍ରିକ ନୀତିରେ ଭୋଟ୍‌ ନିଆଗଲେ ସେହି ଶ୍ରେଣୀର ସାହିତ୍ୟିକହିଁ ସବୁଠାରୁ ଅଧିକ ସଂଖ୍ୟକ ଭୋଟ ପାଇ ଜୟଯୁକ୍ତ ହେବ ଏବଂ ଉତ୍କଷ୍ଟ ଉପନ୍ୟାସର ସ୍ଥାନ ସଂଖ୍ୟାଦୃଷ୍ଟିରୁ ସର୍ବନିମ୍ନ ହୋଇପଡ଼ିବ ବୋଲି ନିଶ୍ଚିନ୍ତରେ ବୋଲାଯାଇପାରେ । ଅବଶ୍ୟ ନିମ୍ନଶ୍ରେଣୀର ସାହିତ୍ୟ ପାଠକର ନିକୃଷ୍ଟ ବୃତ୍ତିଚୟ ପକ୍ଷରେ ଉପଭୋଗ୍ୟ ହୋଇଥାଏ; କିନ୍ତୁ ତାହାର ଉତ୍କୃଷ୍ଟ ବୃତ୍ତିଦ୍ୱାରା ଯାହା ଆଦରଣୀୟ, ବରଣୀୟ ବା ପୂଜନୀୟ ହୁଏ, ତାହା ସର୍ବଦା ଉଚ୍ଚ ସାହିତ୍ୟ ଓ ଉଚ୍ଚ ଚିନ୍ତା ।

 

ଯେଉଁ ଅଧିକ ସଂଖ୍ୟକ ଉପନ୍ୟାସକୁ ଆମେ ନିକୃଷ୍ଟ କହୁଚୁ, ସେଗୁଡ଼ିକୁ ମୋଟାମୋଟି ଶ୍ଳୀଳ ଓ ଅଶ୍ଳୀଳ ଏପରି ଦୁଇଟି ଶ୍ରେଣୀରେ ଅଲଗା କରିଦିଆଯାଇପାରେ । ଶ୍ଳୀଳ ସାହିତ୍ୟ ଭିତରେ ସ୍ପନ୍ଦନପୂର୍ଣ୍ଣ ଉତ୍ତେଜକ ଘଟଣାବଳୀ ଯଥା ହତ୍ୟା, ବ୍ୟଭିଚାର, ରେଳ ମଟର କିମ୍ବା ବ୍ୟୋମଯାନରୁ ପତନ, ଅଦ୍ଭୁତ ଚୋରି ଓ ଡକାୟତି ପ୍ରଭୃତିର ଚିତ୍ତାକର୍ଷକ ସମାବେଶ ଓ ବିଚିତ୍ର ବର୍ଣ୍ଣନାଗୁଡ଼ିକୁ ସଂକ୍ଷେପରେ ଧରିନିଆଯାଇପାରେ । ଏହା ଓଡ଼ିଆ ସାହିତ୍ୟରେ ନିରୁଦ୍ଦେଶ୍ୟ ନିମ୍ନସ୍ତର କଳାଚର୍ଚ୍ଚାର କଲମଚାଷ ସଙ୍ଗେ ସଙ୍ଗେ କଲମୀଚାଷର ମଧ୍ୟ ଅନେକ ଶ୍ରୀବୃଦ୍ଧି ଘଟାଇଛି । ଆମେରିକା ଦେଶରେ ଏଇ ଧରଣର ସାହିତ୍ୟ ଉତ୍ପାଦନ କରୁଥିବା ବ୍ୟକ୍ତିବିଶେଷ ଲେଖକ ନୁହନ୍ତି, ଟାଇପିଷ୍ଟ । ଟାଇପରାଇଟର ପାଖେ ବସି ସେମାନେ ରାତାରାତି ଗଳ୍ପ ଉପନ୍ୟାସମାନ ଉତ୍ପାଦନ କରିଯାନ୍ତି ଏବଂ ବଜାର କାଟ୍‌ତିକୁ ସବୁବେଳେ ମଖିଆଗରେ ରଖିଥିବାରୁ ଏଇ ବ୍ୟବସାୟ ଫଳରେ ଯଥେଷ୍ଟ ଅର୍ଥ ଉପାର୍ଜନ କରନ୍ତି । ଏ ଶ୍ରେଣୀର କେତେକ ଗଳ୍ପ ଉପନ୍ୟାସ ଓଡ଼ିଆ ସାହିତ୍ୟରେ ଆମଦାନୀ ହୋଇଥିଲେ ହେଁ ସେଗୁଡ଼ିକର ବହୁଳ କାଟ୍‌ତି ବିଷୟରେ ଆମେ ସନ୍ଦିହାନ । ନିକୃଷ୍ଟ ଶ୍ରେଣୀର ହେଲେ ବି ଏ ସବୁ ଅବଶ୍ୟ ନିକୃଷ୍ଟତମ ନୁହେଁ । ଓଡ଼ିଆ ସାହିତ୍ୟରେ ଏହାର ଆବିର୍ଭାବ ସମ୍ପୂର୍ଣ୍ଣ ଅଭିନବ କହିଲେ ଚଳେ । ପ୍ରଗତିଶୀଳ ସମାଲୋଚକଗଣ ଏହାକୁ ପୁଞ୍ଜିବାଦୀ ସାହିତ୍ୟ କହିଥାନ୍ତି ।

 

ଅଶ୍ଳୀଳତାର ପରମ୍ପରା

 

ନିକୃଷ୍ଟତମ ସାହିତ୍ୟ ମଧ୍ୟରେ ଅଶ୍ଳୀଳ ଗଳ୍ପ ଉପନ୍ୟାସ ପରିଗଣିତ । ଏହି ଶ୍ରେଣୀର ସାହିତ୍ୟ ଉତ୍ପାଦନରେ ମଧ୍ୟ ଓଡ଼ିଆ ସାହିତ୍ୟ ଖୁବ୍‌ ପଛରେ ପଡ଼ିନାହିଁ; କିନ୍ତୁ ଅଶ୍ଳୀଳ ସାହିତ୍ୟ ଓଡ଼ିଆାରେ ଅଭିନବ ନୁହେଁ । ପ୍ରାଚୀନ କବିମାନଙ୍କ ମଧ୍ୟରେ ସମ୍ରାଟ ପଦବୀରେ ଭୂଷିତ ଉପେନ୍ଦ୍ର ଭଞ୍ଜ ହିଁ ଏହି ପରମ୍ପରାର ପ୍ରଧାନ ସ୍ଥାପୟିତା ବୋଲି କୁହାଯାଇଥାଏ । ତାଙ୍କରି ବିରାଟ କବି ପ୍ରତିଭା, ବିପୁଳ ଶବ୍ଦାଳଙ୍କାର ସମ୍ଭାର ଓ ରୂପ ଏବଂ ବେଶବର୍ଣ୍ଣନାର ଆଶ୍ଚର୍ଯ୍ୟ ଚିତ୍ରଣ ଓ ବିଚିତ୍ର ଛନ୍ଦ ପ୍ରଦର୍ଶୀ ମଧ୍ୟରେ ଅଶ୍ଳୀଳତାର ଯେତେ ପ୍ରଶୟ ଦେବାକୁ ଦୁଃସାହସ ସେ ଦେଖାଇ ଯାଇଛନ୍ତି, ସେଥିଲାଗି ତାଙ୍କର କଳାବତ୍‌, ସ୍ତାବକ ଓ ନୀତିନିପୁଣ ନିନ୍ଦୁକଙ୍କ ଭିତରେ କାହାର ସଂଖ୍ୟା ଅଧିକ ହେବ, ସେକଥା ନିର୍ଣ୍ଣୟ କରିବା ସହଜ ନୁହେଁ ।

 

ମଧ୍ୟଯୁଗର କବିସମ୍ରାଟଙ୍କ ପରେ ଆଧୁନିକ ଯୁଗର କବିବର ରାଧାନାଥ ଭାଷା ଏବଂ ବର୍ଣ୍ଣନାରେ ଭଦ୍ରତା ରକ୍ଷା କରିଥିଲେ ହେଁ ‘ଯଯାତିକେଶରୀ’, ‘କେଦାରଗୌରୀ’ ଓ ଚନ୍ଦ୍ରଭାଗା’ ଆଦିର ବିଷୟବସ୍ତୁ ନିର୍ବାଚନରେ ଯେ ଚରମ ଦୁର୍ନୀତି ପରାୟଣତାର ପରିଚୟ ଦେଇଛନ୍ତି, ଏକଥା କାହାକୁ ବୁଝାଇବାକୁ ପଡ଼ିବ ନାହିଁ । ତାଙ୍କ ପରେ ଯେଉଁମାନେ ଆସିଛନ୍ତି, ଗଦ୍ୟରେ ପରଲୋକଗତ ଗୋପାଳଚନ୍ଦ୍ର ପ୍ରହରାଜ ବ୍ୟଙ୍ଗ ବିଦ୍ରୂପ ଓ ହାସ୍ୟରସ ସୃଷ୍ଟି କରିବାକୁ ଯେପରି ନଗ୍ନତାର ଦୃଷ୍ଟାନ୍ତ ଦେଖାଇଛନ୍ତି, କବିତାରେ ସେହିପରି ଆଜି କେତେ ମୃତ କିମ୍ବା ଜୀବିତ କବି ଏହି ପରମ୍ପରାର ସୂତ୍ରଧରରୂପେ ଗୌରବର ଅଧିକାରୀ ହୋଇପାରିଛନ୍ତି । ଲାଳିକା ରଚୟିତା ଲକ୍ଷ୍ମୀକାନ୍ତ ତାଙ୍କ ଭିତରେ ଅନ୍ୟତମ । ଏପରିକି କେତେକ ଓଡ଼ିଆ ଦୈନିକ, ସାପ୍ତାହିକ, ସାମୟିକ ପୁଣି ମାସିକ ପତ୍ରିକା ମଧ୍ୟ ମୁଖ୍ୟତଃ ନ ହେଲେହେଁ କାର୍ଯ୍ୟତଃ ଏହି ପରମ୍ପରାର ସମର୍ଥକ ବୋଲି ଜଣାପଡ଼େ । ତେଣୁ କେବଳ ଆଧୁନିକ ଅଶ୍ଳୀଳ ଗଳ୍ପ ଉପନ୍ୟାସକୁ ନିକୃଷ୍ଟତମ ଶ୍ରେଣୀର ଅନ୍ତର୍ଭୁକ୍ତ କଲେ ଯଥେଷ୍ଟ ହେବନାହିଁ ।

 

ଉଚ୍ଚାଙ୍ଗ କାବ୍ୟ ନାଟକରେ ଅଶ୍ଳୀଳତାର କିଞ୍ଚିତ୍‌ ସ୍ଥାନ ଥିଲେ ବି ତାହା ମୁଖ୍ୟ ସ୍ଥାନ ନୁହେଁ-। ତାହା ମୁଖ୍ୟ ହେଲେ କେବଳ ଜାତୀୟ ଜୀବନର ଭୟାବହ ପତନ ଓ କ୍ଳୀବତ୍ୱ ଲକ୍ଷଣକୁ ପ୍ରକଟିତ କରେ । ଏହି ଦୃଷ୍ଟିରୁ ବିଚାର କଲେ କବିସମ୍ରାଟଙ୍କ ସମୟରୁ ଆଜି ସୁଦ୍ଧା ଓଡ଼ିଆ ସାହିତ୍ୟ ଏହି ପତନ ଓ କ୍ଳୀବାତ୍ୱ ଭିତରେ ଗତି କରୁଛି ବୋଲିବାକୁ ହେବ ।

 

ସ୍ପନ୍ଦନପୂର୍ଣ୍ଣ ଉତ୍ତେଜକ ସାହିତ୍ୟର ଖୋରାକ ପାଇଁ ଆମ ଚକ୍ଷୁ ସମକ୍ଷରେ ପ୍ରତି ମୁହୂର୍ତ୍ତରେ ଯେତେ ଘଟନା ଘଟିଯାଉଛି, ସେଥିପ୍ରତି ସମ୍ପୂର୍ଣ୍ଣ ଉଦାସୀନ ବା ଅନ୍ଧ ହୋଇ ଅଶ୍ଳୀଳତା ଆଡ଼କୁ ଢଳିପଡ଼ିବା ଯେଉଁ ପୌରୁଷହିନ ପରାଜିତ ମନୋଭାବର ନଜିର ହୋଇ ରହିଛି, ତାହା ଭଞ୍ଜିୟ ସମାଜ ଭଳି ଆଧୁନିକ ସମାଜର ପ୍ରାୟ ସମାନ ନୈତିକ ପରିସ୍ଥିତିର ସୂଚନା ଦେଇଥାଏ । ଭଞ୍ଜ ଯେଭଳି ତାଙ୍କର ସମସାମୟିକ ସମାଜର ବାସ୍ତବ ସଂସ୍ପର୍ଶରୁ ପଳାୟନ କରି ଏକ ମନୋଜ୍ଞ କାଳ୍ପନିକ ସମାଜର ପ୍ରଦର୍ଶନୀ ଉଦ୍‌ଘାଟନ କରିଛନ୍ତି, ଆଧୁନିକ ବହୁ ରୂପ–ସ୍ରଷ୍ଟାହିଁ ସେହିପରି ଖାଲି ନୂଆ ବୋତଲରେ ପୁରୁଣା ମଦ ଢାଳିଲା ଭଳି ନୂତନ ଭାଷା ଓ ପ୍ରକାଶଭଙ୍ଗୀର ଛଳନା କରିଛନ୍ତି, ମାତ୍ର ଦେଇଛନ୍ତି ସେହି ଏକା ଜିନିଷ ପ୍ରାଚୀନ ପ୍ରତିକ୍ରିୟା ଓ ପଙ୍ଗୁତା ।

 

ଆଧୁନିକ ଯୁଗରେ ଫକୀରମୋହନହିଁ ସାହିତ୍ୟର ଏହି ପଙ୍ଗୁତା ଉପରେ ବୀରବିକ୍ରମରେ ଆକ୍ରମଣ କରିଛନ୍ତି । ଅଥଚ ସେ ଯେଉଁସବୁ ସ୍ପନ୍ଦନପୂର୍ଣ୍ଣ ଉତ୍ତେଜକ ବିଷୟବସ୍ତୁ ଗ୍ରହଣ କରିଛନ୍ତି, ତାହା ଅତିବାସ୍ତବ ଓ ସମସାମୟିକ । ସେଥିଲାଗି ଯେଉଁ ଔପନ୍ୟାସିକମାନେ ଆଜି ଅଶ୍ଳୀଳତାକୁହିଁ ଉତ୍ତେଜନା ସୃଷ୍ଟିର କାରଣ ବୋଲି ଧରିନେଉଛନ୍ତି, ସେମାନେ ଫକୀରମୋହନଙ୍କ ନେତୃତ୍ୱ ବୁଝିବାକୁ ଅସମର୍ଥ ହୋଇଛନ୍ତି । ଫକୀରମୋହନ ସାହିତ୍ୟର ପ୍ରଗତିଶୀଳତା ଅପେକ୍ଷା ଓଡ଼ିଆ କାବ୍ୟାଦର୍ଶର ଅଶ୍ଳୀଳତା ଓ ପ୍ରତିକ୍ରିୟାଶୀଳତାହିଁ ସେମାନଙ୍କ ପକ୍ଷରେ ଅଧିକ ସହଜ ଓ ସୁଗମ ହୋଇଛି । [ତା ୧୯।୯।୫୩]

Image

 

ପତ୍ର-ପତ୍ରିକା

 

ଅଶ୍ଳୀଳ ସାହିତ୍ୟ ଲେଖି ଧନ କିମ୍ବା ନାମ କମେଇବା ଅର୍ଥ ଲୁଗାପଟା ଛାଡ଼ି ଦାଣ୍ଡରେ ନାଚିବା ସଙ୍ଗେ ସମାନ ହୋଇପଡ଼େ । ପୁଣି ଖାଲି ଗୁଳି, ବନ୍ଧୁକ, ଚୋରି ଡକେଇତି, ହତ୍ୟା ବା ନାରୀହରଣ ବ୍ୟାପାରମାନ ଘେନି ଲୋମାଞ୍ଚ ଓ ଚାଞ୍ଚଲ୍ୟ ସୃଷ୍ଟି କରିବାଦ୍ୱାରା ସାହିତ୍ୟକୁ ବହୁରୂପା ବେଶରେ ସଜାଇବା ଭଳି ହୋଇଥାଏ ଏ ସବୁ କ୍ଷେତ୍ରରେ ବିଚିତ୍ର ନୂଆ ନୂଆ ଚମକପ୍ରଦ ଖବରମାନ ଯୋଗାଇ ପାଠକ ପାଖରେ ବିକେଇ ହେବା ସମ୍ବାଦପତ୍ରମାନଙ୍କ ସଙ୍ଗେ ସାହିତ୍ୟ ଯେମିତି ଅବା ପ୍ରତିଯୋଗିତା କରିବାକୁ ଲୋଡ଼େ !

 

ଲୋମାଞ୍ଚ ଓ ଚାଞ୍ଚଲ୍ୟ

 

ଲୋମାଞ୍ଚକର ଚାଞ୍ଚଲ୍ୟମୟ ବା ସ୍ପନ୍ଦନପୂର୍ଣ୍ଣ ଅଭିନବ ଭାବପ୍ରବଣତା ମଧ୍ୟରେ ଯେ ଅତି ଉଚ୍ଚ ସାହିତ୍ୟର ସୃଷ୍ଟି ହୋଇଛି, ଏହା ଅବଶ୍ୟ କେହି ସୃଷ୍ଟି ଛଡ଼ା ବ୍ୟକ୍ତି ସୁଦ୍ଧା ଅସ୍ୱୀକାର କରିପାରିବ ନାହିଁ । ସେଥିଲାଗି ଆମ ଆଗରେ ସବୁଦିନର ନଜିର ହୋଇ ଥୁଆହୋଇଛି ରାମାୟଣ ଓ ମହାଭାରତ; କିନ୍ତୁ ଲୋମାଞ୍ଚ ବା କୌତୂହଳ ଭିଆଇବା ପାଇଁ ଆଧୁନିକ ସାହିତ୍ୟରେ ଯେଉଁସବୁ ଉପାୟ ଅବଲମ୍ବନ କରାଯାଉଛି, ସେଗୁଡ଼ିକ ଭିତରେ ନିରୁପାୟତା, ଅସହାୟତା ଏବଂ ଭାବ ଓ ଭାଷାର ଦୈନ୍ୟ ଏତେ ବେଶି ଯେ ଦୈନିକ ସମ୍ବାଦପତ୍ର ଅପେକ୍ଷା ମଧ୍ୟ ସାହିତ୍ୟ ବିଚାରରୁ ତାହା ଅନେକ ତଳେ । ବରଂ ଉଚ୍ଚକୋଟୀର ସମ୍ବାଦପତ୍ର ରାଷ୍ଟ୍ର ଓ ସମାଜ ଉପରେ ଦଳମତ ନିର୍ବିଶେଷରେ ଯେଉଁ ପ୍ରଭାବ ପକାଇଥାଏ, ସେଥି ସଙ୍ଗେ ଏ ଧରଣର ସାହିତ୍ୟ ଆଦୌ ତୁଳନୀୟ ହୋଇନପାରେ । କାରଣ ତାହାର ବର୍ତ୍ତମାନ ନାହିଁ କି ଭବିଷ୍ୟତ ନାହିଁ ।

 

ତଥାପି ଏହି ଶ୍ରେଣୀୟ ଲଘୁ ସାହିତ୍ୟର ପାଠକ, ସ୍ତାବକ ଓ ସମର୍ଥକ ଆମ ଦେଶରେ ରହିଥିବାରୁ ସେ ସବୁ ଆଜି ଉଧେଇପାରୁଛି । ଯେଉଁ ସାହିତ୍ୟ ସମାଜର ମସ୍ତିଷ୍କ ସହିତ ଚିନ୍ତାକୁ ମଧ୍ୟ ଦୂଷିତ, କଳୁଷିତ, ଅସୁସ୍ଥ, ରୁଗ୍‌ଣ ଓ ସଂକ୍ରାମିତ କରିପକାଏ, ତାହାର ଯଥାଯଥ ନିୟନ୍ତ୍ରଣ ଲାଗି କୌଣସି ସାମାଜିକ ବା ରାଷ୍ଟ୍ରୀୟ ବ୍ୟବସ୍ଥା ନାହିଁ । ଯାହା ବା ଅଛି, ତାହା ସ୍ୱାସ୍ଥ୍ୟବିଭାଗ ଆମ ସ୍ୱାସ୍ଥ୍ୟର ଦାୟିତ୍ୱ ନେଲାଭଳି ଅତି କ୍ଷୀଣ, ଅଦୃଶ୍ୟ ଓ ଦୁର୍ବଳ ପ୍ରଚେଷ୍ଟା ମଧ୍ୟରେ ସୀମାବଦ୍ଧ ରହିଛି ମାତ୍ର । ସାହିତ୍ୟ କ୍ଷେତ୍ରରେ ଏଇ ରୋଗର ନିବାରଣ ପାଇଁ ସାମୂହିକ ଚେଷ୍ଟାର ପ୍ରୟୋଜନ ହୋଇପଡ଼ିଛି ବୋଲି ମନେହୁଏ । କାରଣ ବାଳକ ବାଳିକା କିମ୍ବା ଯୁବକଯୁବତୀମାନଙ୍କ ମଧ୍ୟରେ ଏହି ନିକୃଷ୍ଟ ସାହିତ୍ୟର ପ୍ରତିକ୍ରିୟା ଯେପରି ପ୍ରତିଫଳିତ ହୋଇ ଅତି ଜନଘ୍ୟ ଦୃଷ୍ଟାନ୍ତମାନ ସୃଷ୍ଟି କରୁଛି, ତାହା କାହାରି ଅବିଦିତ ନୁହେଁ ।

 

ସାହିତ୍ୟ ପତ୍ରପତ୍ରିକା

 

ଆମ ସାହିତ୍ୟ ପତ୍ରପତ୍ରିକାଗୁଡ଼ିକର ଦାୟିତ୍ୱ ଏହି ଅବସ୍ଥାକୁ ସୁଧାରିବାଲାଗି ଯଥେଷ୍ଟ ପରିମାଣରେ ରହିଛି; କିନ୍ତୁ ଯଥାର୍ଥରେ ସୁସମ୍ପାଦିତ ଉଚ୍ଚକୋଟୀର ସାହିତ୍ୟ ପତ୍ରିକା ବୋଲି ଆମେ ଆଜି କାହାକୁ କହିବା ? ବିଷୟବସ୍ତୁର ବିଚାରକୁ ଛାଡ଼ିଦେଲେ କେଉଁ ସାହିତ୍ୟ–ପତ୍ରିକାର ଭାଷା ଆଗ ସଞ୍ଜତ, ସୁସମ୍ବନ୍ଧ ଓ ସକ୍ରିୟ ? ପୁଣି କେଉଁ ସାହିତ୍ୟ–ପତ୍ରିକାକୁ ଆଧୁନିକ ଆଖ୍ୟା ଦିଆଯିବ ? କାହିଁରେ ଭଲା ମଧ୍ୟଯୁଗୀୟ ବିଷୟବସ୍ତୁ ଓ ବର୍ଣ୍ଣନାର ପ୍ରାଦୁର୍ଭାବ ନାହିଁ ?

 

କେତୋଟି ଗଳ୍ପର ଚରିତ୍ରରେ ପୌରୁଷବ୍ୟଞ୍ଜକ ବଳିଷ୍ଠ ବ୍ୟକ୍ତିତ୍ୱ ଅଙ୍କିତ ? କେତୋଟି କବିତା ରମଣୀର ଆଦିମ କୁଚ–ନିତମ୍ବ ଅଧର ଜଘନର ବର୍ଣ୍ଣନାରୁ ମୁକ୍ତ ? କେତୋଟି ପ୍ରବନ୍ଧରେ ଭାଷାଭାବର ପରିଚ୍ଛନ୍ନତା ନିହିତ ? ପ୍ରକାଶ୍ୟରେ ଅଶ୍ଳୀଳତାର ସମର୍ଥକ ନହେଲେ ମଧ୍ୟ କେଉଁ ଗୋଟିକ ଓଡ଼ିଆ ସାହିତ୍ୟ ପତ୍ରିକା ଏହି ଦୋଷରେ ଅପରାଧୀ ନୁହେଁ ?

 

ସାହିତ୍ୟ ପତ୍ରପତ୍ରିକାରେ ଏ ସବୁ ବାଛବିଚାର କରିବା ଆଜି ବାସ୍ତବିକ ଦୁଃସାଧ୍ୟ ହୋଇପଡ଼ିଛି । ଆମେ ଏଠାରେ ସ୍ୱତନ୍ତ୍ର ଭାବରେ ପ୍ରତ୍ୟେକ ପ୍ରତଷ୍ଠିତ ବା ନୂତନ ସାହିତ୍ୟ ପତ୍ରିକାର ସମାଲୋଚନା କରିବାକୁ ଯାଉନାହୁଁ । ହୁଏତ ତାହା କ୍ରମଶଃ କରିବାକୁ ପଡ଼ିବ । ମାତ୍ର ଏକ ବିରାଟ ଐତିହ୍ୟ ସମନ୍ୱିତ ଓଡ଼ିଆ ସାହିତ୍ୟର ଆଧୁନିକ ମୁଖପାତ୍ରରୂପେ ତାହାର ମର୍ଯ୍ୟାଦା ବା ମହତ୍ତ୍ୱକୁ ଅକ୍ଷୁଣ୍ଣ ରଖିବା ଦିଗରେ ଆମ୍ଭମାନଙ୍କ ପତ୍ରିକାଗୁଡ଼ିକ କେତେଦୂର ସଚେତନ, ସେ କଥା ସମ୍ପାଦକ ଓ ଲେଖକମାନଙ୍କର ଟିକିଏ ଭାବିବା ଉଚିତ ନୁହେଁ କି ?

 

ସମ୍ପାଦନାର ତ୍ରୁଟି

 

ଯେକୌଣସି ସାହିତ୍ୟ ପତ୍ରିକାର ପୃଷ୍ଠା ଓଲଟାଇଲେ ତାହାର ସମ୍ପାଦନା ପ୍ରତି ପ୍ରଥମେ ନଜର ପଡ଼େ । ମନେହୁଏ ସାହିତ୍ୟକୁ ଉନ୍ନତ, ସୁପୁଷ୍ଟ, ଶକ୍ତିଶାଳୀ କରିବାପାଇଁ ଯେଭଳି ନିଷ୍ଠାପର ସମ୍ପାଦନା ଲୋଡ଼ା, ତାହା ଆଜି ଉଭେଇଯାଇଛି । ପତ୍ରିକାସ୍ଥ ରଚନାର ପାଣ୍ଡୁଲିପିରେ ସମ୍ପାଦକୀୟ ନାଲିକାଳି ବାଜେ କି ନାହିଁ ସନ୍ଦେହ । ପୁଣି ସ୍ୱୀୟ ପତ୍ରିକାର ନୀତି ନିୟନ୍ତ୍ରଣ ବିଷୟରେ ସମ୍ପାଦନ ମହୋଦୟ ସାହିତ୍ୟ କ୍ଷେତ୍ରରେ କେଉଁ ପନ୍ଥା ଅନୁସରଣ କରିବାକୁ ପ୍ରୟାସୀ, ତାହା ଠାବ କରିବା ମୁସ୍କିଲ । ପତ୍ରିକାର ପୃଷ୍ଠା ପୂରଣ ହିଁ ସମ୍ପାଦକଙ୍କର ଏକମାତ୍ର ଳକ୍ଷ୍ୟ ବୋଲି ମନେହୁଏ । ସମ୍ପାଦକମାନେ ଯେ ଭାଷା ଗଢ଼ନ୍ତି, ସାହିତ୍ୟ ଗଢ଼ନ୍ତି, ଲେଖା ଓ ଲେଖକ ଗଢ଼ିବାର ଭାର ଯେ ତାଙ୍କରି ଉପରେ ବହୁପରିମାଣରେ ନ୍ୟସ୍ତ, ଏଥିପ୍ରତି ଆଜିର ସମ୍ପାଦକ ଅବହିତ ଥିଲାପରି ଜଣାପଡ଼େ ନାହିଁ ।

 

ଉତ୍‌ଶୃଙ୍ଖଳ ସଂଯମହୀନତା ହିଁ ଆଜି ଯେପରି ସାହିତ୍ୟର ଏକପ୍ରକାର ଲକ୍ଷଣ ହୋଇପଡ଼ିଛି । ତାହାକୁ ଲଗାମଟାଣି ଠିକ୍‌ ବାଟରେ ଚଳାଇବା ପାଇଁ ଦୃଢ଼ ଓ ବଳିଷ୍ଠ ସମ୍ପାଦନା ଦୃଷ୍ଟିଗୋଚର ହେଉନାହିଁ । ପତ୍ରିକାଗୁଡ଼ିକର ଆକାର ପ୍ରକାର ବେଶପରିପାଟୀ ପୂର୍ବ ଅପେକ୍ଷା ଅନେକ ପରିମାଣରେ ଉନ୍ନତ ହୋଇଥିଲେହେଁ ତାହା ଭିତରେ ଜ୍ଞାତବ୍ୟ ଓ ପଠିତବ୍ୟ ବିଷୟ ସେହି ଅନୁପାତରେ ଊଣା ହୋଇପଡ଼ୁଛି । ଅଥଚ ପାଠକପାଠିକାଙ୍କ ସଂଖ୍ୟା ବହୁଗୁଣରେ ବଢ଼ିଚାଲିଛି ନିଶ୍ଚୟ ।

 

ବଢ଼ିଚାଲିଛି ପିଚ୍ଛିଳ ସାହିତ୍ୟର ସାରଣୀ–ମାତୃପିତୃହୀନ ଛେଉଣ୍ଡ ପିଲାଟି ପରି ତାହାର ଦୁର୍ଦ୍ଦଶା କହିଲେ ନ ସରେ–ସବୁବେଳେ ଟଳମଳ ଅସ୍ଥିର, ରୁଗ୍‌ଣ, କ୍ଷୁଧିତ, ଅସହାୟ । କାହାରି ଯେପରି ଦୟାଦୃଷ୍ଟି ତା’ଉପରେ ପଡ଼ୁନାହିଁ । ନେତୃସ୍ଥାନୀୟ ସମ୍ପାଦକମାନଙ୍କର ମଧ୍ୟ ନୁହେଁ । ଆଉ ତେବେ ଗୁହାରି କରିବା କାହାଆଗେ ?

 

ଆଜି ଏଠାରେ ଗୋଟିଏ ସ୍ୱନାମଧନ୍ୟ ସାହିତ୍ୟ ପତ୍ରିକାରେ ଚଳିତ ମାସରେ ପ୍ରକାଶିତ ମଧୁନିକ କବିତାର କେତୋଟି ଧାଡ଼ି ଆମର ଅନିଚ୍ଛାସତ୍ତ୍ୱେ ନମୁନାସ୍ୱରୂପ ଉଦ୍ଧାର କରୁଛୁ–

 

‘‘ଆଠ ନଅ ବର୍ଷ ଆଗେ

‘‘ଆସିଥିଲି ଥରେ ଏଥି କଚେରି କାମରେ

‘‘ରାତିରେ ଏ ‘ନନାର’ ହୋଟେଲ

‘‘ଖାଇସାରି ଯାଉଥିଲି ଅଦାଲତ ପିଣ୍ଡା

‘‘ଏ ଟୋକୀକି ଡାକିନେଲି ଏଠୁ,

‘‘ଆଃ ସେଇଦିନ

‘‘ଦେଇଥିଲି ୟା’ ମୁଖେ ଚୁମ୍ବନ

‘‘ସେତେବେଳେ ଥିଲା କିନ୍ତୁ ଚୋସ୍ତ କିଶୋରୀ

‘‘ଚାହିଦା ତା’ ଥିଲା ଏଠି ଭାରି ।’’

 

ଆଧୁନିକ ମୁକ୍ତ ଛନ୍ଦରେ ରଚିତ । ସମ୍ପାଦକ ସ୍ୱୟଂ ଏହି କବିତା ଉପରେ ଟିପ୍‌ପଣୀ କରିଛନ୍ତି– ‘‘ମନୁଷ୍ୟ ଭିତରେ ଏକ ଜଘନ୍ୟ ପଶୁର ଯେଉଁ ନିର୍ମମ ଶିକାରକୁ ସମାଜ ନିର୍ବାକାରରେ ସହ୍ୟ କରୁଛି, ସେ ସମାଜ ପ୍ରତି କବି ଦୁଃସ୍ଥ ମନକୁ ଆକର୍ଷଣ କରିଛନ୍ତି ।’’ କବି ଯେଉଁଠି ଦୁଃସ୍ଥ ମନକୁ ଆକର୍ଷଣ କରିବା ବିଚାରିଲେ କିପରି ? ଦୁଃସ୍ଥ ମନକୁ ସୁସ୍ଥ କରିବା ମାନସରେ ତ ? ଏହା ପ୍ରକୃତ ଔଷଧର କାମ କରିବଟି ?

 

ସମାଜରେ ଏଇଭଳି କିମ୍ବା ଏହା ଅପେକ୍ଷା ଅଧିକ ଜଘନ୍ୟର ଯେତେ ଚିତ୍ର ଅଛି, ସେଗୁଡ଼ିକୁ ଏମିତି ଛନ୍ଦ, ଭାଷା ଓ ପ୍ରକାଶଭଙ୍ଗୀଦ୍ୱାରା ପ୍ରଶ୍ରୟ ଦେବାକୁ ସମ୍ପାଦକମାନେ ଯଦି ଅହିତ ବୋଲି ଭାବନ୍ତି ନାହିଁ, ତେବେ ବାସ୍ତବିକ ଗୁହାରି କରିବା କାହାଆଗେ ? ତା ୨୭।୯।୫୩ ।

Image

 

ସ୍ୱେଚ୍ଛାଚାରିତା

 

ଆଜିର ସାହିତ୍ୟ ପତ୍ରପତ୍ରିକାମାନଙ୍କ ପୃଷ୍ଠା ଓଲଟାଇଲାବେଳେ ସ୍ୱତଃ ଆମ ଦୃଷ୍ଟି ପଶ୍ଚାତ୍‌କୁ ଧାବିତ ହୁଏ । ବର୍ତ୍ତମାନ ଅବଶ୍ୟ ସ୍ୱାଧୀନ ପରିସ୍ଥିତି ଭିତରେ ରହି ଏଭଳି ପଶ୍ଚାତ୍‌ ଦୃଷ୍ଟି ଶୁଭଲକ୍ଷଣ ନୁହେଁ । କାରଣ ତାହାଫଳରେ ଆମ ଅଗ୍ରଗତିରେ ବାଧା ପହଞ୍ଚେ; କିନ୍ତୁ ବିଲୁପ୍ତ ସାହିତ୍ୟ ପତ୍ରପତ୍ରିକାଗୁଡ଼ିକ ସଙ୍ଗେ ଆଜି କେଉଁ ଗୋଟିକ ସାହିତ୍ୟ ପତ୍ରିକା ସମ୍ପାଦନା ଓ ବିଷୟ ନିର୍ବାଚନ ଦୃଷ୍ଟିରୁ ତୁଳନୀୟ, ତାହା ଖୋଜି ବାହାର କରିବା ବାସ୍ତବିକ ଅସାଧ୍ୟ ବୋଲି ମନେହୋଇଥାଏ ।

 

ଲୁପ୍ତ ସାହିତ୍ୟ ପତ୍ରିକା

 

‘ଉତ୍କଳ ସାହିତ୍ୟ’, ‘ମୁକୁର’ ଓ ‘ସତ୍ୟବାଦୀ’ ପ୍ରଭୃତି ଦୀର୍ଘକାଳସ୍ଥାୟୀ । ପ୍ରତିଷ୍ଠାସମ୍ପନ୍ନ ପତ୍ରିକା କଥା ଛାଡ଼ିଦେଲେ ‘ନବଭାରତ’, ‘ସହକାର’ ଆଦି ପତ୍ରିକାର ପ୍ରତିଷ୍ଠା ମଧ୍ୟ ଆଜି କାହିଁ ? ତଦପେକ୍ଷା ସ୍ୱଳ୍ପଜୀବୀ ‘ଯୁଗ ବୀଣା’, ‘ଆଧୁନିକ’ ବା ‘ପ୍ରଗତି’ । ପତ୍ରିକାର ମର୍ଯ୍ୟଦା ମଧ୍ୟ ଆଜି କେଉଁ ସାହିତ୍ୟ ପତ୍ରିକା ଦାବି କରେ ? କେଉଁ ଗୋଟିକ ପତ୍ରିକା ଅଳ୍ପ ବେଶି ଅଶ୍ଳୀଳତା ଦୋଷରେ ଦୁଷ୍ଟ ବୋଲି ଜଣାପଡ଼େ ନାହିଁ ? କେଉଁ ଗୋଟିକରେ ଆମୂଳଚୂଳ ଭାଷାର ସମ୍ଭ୍ରମ ଓ ସମ୍ପାଦକୀୟ ଶିଷ୍ଟାଚାର ବା ବିଚାର ଗୁରୁତ୍ୱ ଓ ନୈତିକ ମାନଦଣ୍ଡ ଅକ୍ଷୁଣ୍ଣ ଥିବାର ଦେଖାଯାଏ ?

 

ଆମ୍ଭେମାନେ ଏହାଦ୍ୱାରା ଅବଶ୍ୟ ଓଡ଼ିଶାର ସକଳ ସାହିତ୍ୟପତ୍ରିକାର ମାନନୀୟ ସମ୍ପାଦକମାନଙ୍କ ପ୍ରତି ଆକ୍ଷେପ କରୁନାହୁଁ, କ୍ଷୋଭ ପ୍ରକାଶ କରୁଛୁ ମାତ୍ର । କାଁ ଭାଁ ଗୋଟିଏ ଅଧେ ସାହିତ୍ୟ ପତ୍ରିକା ଏହି ଅଭିଯୋଗରୁ ହୁଏତ ମୁକ୍ତ ଅଛନ୍ତି, ଅଥବା ସେହିଦିଗରେ ଉଦ୍ୟମ କରୁଛନ୍ତି; କିନ୍ତୁ ଅଧିକାଂଶ ପତ୍ରିକା ଆଜି ଏହିପରି ଦୁର୍ଦ୍ଦଶାଗ୍ରସ୍ତ ବୋଲି ମନେହୁଏ । ସମ୍ପାଦକୀୟ ଅନବଧାନତା ଦୋଷରୁ ଯେଉଁସବୁ ତ୍ରୁଟି ଆଜି ଦୃଷ୍ଟିଗୋଚର ହୁଏ, ପୂର୍ବେ ତ ତାହା କାହିଁକି ନ ଥିଲା କିମ୍ବା ଅତି ନଗଣ୍ୟ ଆକାରରେ ରହିଥିଲା !

 

ସାହିତ୍ୟରେ ସ୍ୱେଚ୍ଛାଚାରିତା

 

ମନେହୁଏ ଯେପରି ଅନ୍ୟାନ୍ୟ କେତେକ କ୍ଷେତ୍ରଭଳି ସାହିତ୍ୟକ୍ଷେତ୍ରରେ ମଧ୍ୟ ଏହା ହେଉଛି ନବଲବ୍‌ଧ ସ୍ୱାଧୀନତାର ଦୁର୍ଲକ୍ଷଣ । ଅନାଚାର, ଅଜ୍ଞତା, ଭାଷା ଓ ଚିନ୍ତାର ବିଭ୍ରାଟ, ସ୍ୱେଚ୍ଛାଚାରିତା କିମ୍ବା ଅଶ୍ଳୀଳତା ଯେ ଦ୍ରୁତଗତିରେ ଆମ କବିତାଗଳ୍ପ ଭିତରେ ପ୍ରବେଶ କରିଚାଲିଛି, ଏକଥା ଆଉ କେହି ନ ବୁଝନ୍ତୁ ପଛକେ ଦାୟିତ୍ୱସମ୍ପନ୍ନ ସମ୍ପାଦକମାନେ ନିଶ୍ଚୟ ବୁଝୁଥିବେ ଏବଂ ତାହାର ପ୍ରତିକାର ଲାଗି ଅବଶ୍ୟ କିଛି ଚିନ୍ତା କରୁଥିବେ । କାରଣ ଉପସ୍ଥିତ ବିଶୃଙ୍ଖଳାକୁ ଦୂର କରିବାର ଭାର ସେମାନଙ୍କ ଉପରେହିଁ ମୁଖ୍ୟତଃ ନ୍ୟସ୍ତ ରହିଛି ।

 

ରାଜନୈତିକ ବିଶୃଙ୍ଖଳା ସଙ୍ଗେ ସାହିତ୍ୟିକ ବିଶୃଙ୍ଖଳା ଘଟିବା ଆଦୌ ଶୋଭନୀୟ ନୁହେଁ । ବରଂ ରାଜନୈତିକ ବିଶୃଙ୍ଖଳାକୁ ଯୁଗେ ଯୁଗେ ଶୃଙ୍ଖଳବଦ୍ଧ କରିବାର କର୍ତ୍ତବ୍ୟକୁ ସାହିତ୍ୟହିଁ ବହନ କରିଆସିଛି । ଆମ୍ଭେମାନେ ଏଠାରେ ଓଡ଼ିଆ ସାହିତ୍ୟ ପତ୍ରିକା ମହଲରେ ‘କାଣୀ ଆଖିରେ କଜଳଗାର’ ପରି ପୂର୍ଣ୍ଣତଃ ସାହିତ୍ୟ ପତ୍ରିକା ଆଖ୍ୟାରେ ଅଧିକାରୀ ଗୋଟିଏ ପତ୍ରିକାର ସମ୍ପାଦକୀୟରୁ କୀୟଦଂଶ ଉଦ୍ଧାର କରୁଛୁ । ଏହି ମନ୍ତବ୍ୟ ସ୍ୱାଧୀନତା ଦିବସର ୪ର୍ଥ ବର୍ଷ ସମ୍ପର୍କରେ ପ୍ରକାଶିତ ହୋଇଥିଲେ ହେଁ ବର୍ତ୍ତମାନ ପ୍ରସଙ୍ଗରେ ମଧ୍ୟ ଉଲ୍ଲେଖଯୋଗ୍ୟ ।

 

ପ୍ରତି ପଦକ୍ଷେପ ହିଁ ପୃଷ୍ଠାଏ ଇତିହାସ

 

–‘‘ସ୍ୱାଧୀନ ଦେଶକୁ ବହୁ ବ୍ୟୁତ୍ପାତ, ବହୁ ଉଦ୍‌ବେଗ ସହ୍ୟ କରିବାକୁ ହୁଏ । ପୃଥିବୀରେ କୌଣସି ଗୋଟିଏ ଦେଶ ଏପରି ନାହିଁ, ଯେଉଁଠି ଶାନ୍ତି ବିରାଜିଛି । ଏଣୁ ଭାରତର ବିଶୃଙ୍ଖଳାକୁ ବଡ଼ ବୋଲି ମନେକରିବା ଉଚିତ ନୁହେଁ । ସାହସ ଓ ଦମ୍ଭର ସହିତ ସମସ୍ତ ସମସ୍ୟାର ସମ୍ମୁଖୀନ ହେବାରେ ଆନନ୍ଦ ଅଛି । କାରଣ ତାହାହିଁ ମନୁଷ୍ୟତ୍ୱ ।

 

ସମସ୍ତ ସମସ୍ୟାର ସମ୍ମୁଖୀନ ହୋଇ ଭାରତ ଗତି କରୁଛି ଓ ତାହାର ପ୍ରତି ପଦକ୍ଷେପରେ ଇତିହାସର ଏକ ପୃଷ୍ଠା ଲେଖା ହୋଇଯାଉଛି । ଭବିଷ୍ୟତ ଇତିହାସ ପ୍ରତି ଦୃଷ୍ଟିଦେଇ ଆମ୍ଭେମାନେ ପ୍ରତ୍ୟେକେ ନିଜେହିଁ ନିଜକୁ ପଚାରୁଁ, କୌଣସି ପୃଷ୍ଠାରେ ଆମର କାର୍ଯ୍ୟର କିଛି ହେଲେ ଉଲ୍ଲେଖ ରହିବ ତ ? ସମାଲୋଚନା, ବାଦବିବାଦ ଲୋକେ ଭୁଲିଯାନ୍ତି । ସେ ସବୁପାଇଁ ଇତିହାସରେ ସ୍ଥାନ ନାହିଁ; କିନ୍ତୁ ପ୍ରତ୍ୟେକ ନିର୍ଦ୍ଦିଷ୍ଟ କାର୍ଯ୍ୟ ଯେତେ ଛୋଟ ହେଉ ପଛକେ, ତାହାପାଇଁ ସ୍ଥାନ ଅଛି ।’’

 

ସମାଲୋଚନା

 

ଆମ୍ଭେମାନେ ଉକ୍ତ ସମ୍ପାଦକୀୟର ଶେଷୋକ୍ତ ମନ୍ତବ୍ୟ ସହିତ ଅବଶ୍ୟ ଏକମତ ନୋହୁଁ-। ବରଂ ସମ୍ପାଦକୀୟ ବିଶିଷ୍ଟତା ପ୍ରତିପାଦନ ଲାଗି ସମାଲୋଚ ନାହିଁ ପ୍ରତ୍ୟେକ ସାହିତ୍ୟ ପତ୍ରିକାର ପ୍ରଧାନ ଅଙ୍ଗ ହେବା ଉଚିତ ବୋଲି ଆମର ଧାରଣା । ପୁଣି ସମାଲୋଚନାର ପରିସର ଓ ଭାଷା କିରୂପ ଆକାର ଗ୍ରହଣ କରିବ, ତାହା ସମ୍ପାଦକୀୟ ଯୋଗ୍ୟତା ଉପରେହିଁ ନିର୍ଭର କରେ । ମାତ୍ର କେତେକ ସମ୍ପାଦକ ସେଭଳି ଯୋଗ୍ୟତାର ସମ୍ପୂର୍ଣ୍ଣ ଅଧିକାରୀ ହେଲେ ମଧ୍ୟ ତାହାକୁ ବ୍ୟବହାର କରିବା ଲାଗି ଯେପରି ପରାଙ୍‌ମୁଖ ! ଏହି ନିଶ୍ଚେଷ୍ଟତା ବା ନିଷ୍କ୍ରିୟତା ବିରୁଦ୍ଧରେହିଁ ଆମର ଅସଲ ଅଭିଯୋଗ । ସମ୍ପାଦକମାନେ ଯେପରି ନେତୃତ୍ୱ ଦେବେ ଲେଖକମାନେ ତାହା ଗ୍ରହଣ କରିବେ-। ସାହିତ୍ୟ କ୍ଷେତ୍ରରେ ନେତୃତ୍ୱ ଯେ, ଦୁନିଆର କୌଣସି ପ୍ରକାର ନେତୃତ୍ୱ ଅପେକ୍ଷା ନ୍ୟୁନ ନୁହେଁ, ଆଜି କେବଳ ଏହି କଥା ଆମେ ଶ୍ରଦ୍ଧେୟ ସମ୍ପାଦକମାନଙ୍କୁ ବାରମ୍ବାର ସ୍ମରଣ କରାଇଦେବାକୁ ଚାହୁଁ-

 

ପ୍ରତ୍ୟେକ ଉନ୍ନତ ସାହିତ୍ୟରେ ସମାଲୋଚନାର ସ୍ଥାନ ବହୁ ଊର୍ଦ୍ଧ୍ୱରେ । ସାହିତ୍ୟ ଓ ସମାଜକୁ ସଂସ୍କୃତ ବା ମାର୍ଜିତ କରିବାହିଁ ସମାଲୋଚନାର ପ୍ରଧାନ କାର୍ଯ୍ୟ । ସେଥିଲାଗି ସମାଲୋଚନାକୁ ଉତ୍ସାହ ଦେବା ଆଜି ପୃଥିବୀର ଆଦର୍ଶ ରାଷ୍ଟ୍ରମାନଙ୍କର ମଧ୍ୟ ଗୋଟିଏ କର୍ତ୍ତବ୍ୟ ହୋଇପଡ଼ିଚି । ସମ୍ପାଦକମାନେ ସମାଲୋଚନାର କ୍ଷୁରଧାରରେ ଆଜିର ସାହିତ୍ୟକୁ ପରୀକ୍ଷା କରନ୍ତୁ-। ଅଳ୍ପ କାଳ ମଧ୍ୟରେ ହିଁ ସାହିତ୍ୟ କ୍ଷେତ୍ରରୂ ବହୁ ଦୁଷ୍କୃତି ଓ ଆବର୍ଜନା ଦୂର ହୋଇପାରିବ ବୋଲି ଆମର ବିଶ୍ୱାସ । ନିର୍ଭୀକ, ନିଷ୍ଠୁର ଓ ନିରପେକ୍ଷ ସମାଲୋଚନାର ଅବକାଶ ଆମ ସାହିତ୍ୟରେ ବିସ୍ତାର ଅଛି । ସେଥି ସଙ୍ଗେ ସମାଲୋଚନାର ସ୍ତର ମଧ୍ୟ ଟିକିଏ ଉଚ୍ଚତର ହେବାର ପ୍ରୟୋଜନ ଅଛି ଅନେକ । ତା ୪। ୧୦। ୫୩।

 

ସମ୍ପାଦକୀୟ ବିଷୟ ନିର୍ବାଚନ ଓ ସମାଲୋଚନା ଯେତିକି ତୀବ୍ର ଏବଂ ନିରପେକ୍ଷ ହେବ, ସାହିତ୍ୟ କ୍ଷେତ୍ରରେ ସେହି ପରିମାଣରେ ତାହା ଉପାଦେୟତା ସୃଷ୍ଟି ଲାଗି ଯେ ସହାୟତା କରିବ, ଏ କଥାରେ ଆଦୌ ସନ୍ଦେହ ନାହିଁ । ଅବଶ୍ୟ ଅନ୍ୟକୁ ଯେ ସମାଲୋଚନା କରନ୍ତି, ଅନ୍ୟଠାରୁ ସମାଲୋଚନା ଗ୍ରହଣ କରିବାକୁ ସେ ନିଜେ ମଧ୍ୟ ସମର୍ଥ ହେବା ଲୋଡ଼ା । ସୁଯୋଗ ସମ୍ପାଦକମାନଙ୍କଠାରେ ଏହିପରି ସାମର୍ଥ୍ୟ ଯଥେଷ୍ଟ ଆଶା କରାଯାଏ ।

 

ଯୋଗ୍ୟତା

 

ଯେତେ ବଡ଼ ପ୍ରତିଷ୍ଠିତ ସାହିତ୍ୟିକ ହେଲେହେଁ ସେ କଦାପି ସମାଲୋଚନାରୁ ବହିର୍ଭୂତ ନୁହନ୍ତି । ସମାଲୋଚନା ଫଳରେ ଲେଖକ ନିଜ ଦୋଷ ତ୍ରୁଟି ବିଷୟରେ ଅଧିକ ସଚେତନ ହୋଇଥାଏ, ପୁଣି ତାହାର ପଙ୍ଗୁତା, ଅସ୍ତ୍ର ହେଲା, ବଳିଷ୍ଠ ବିଚକ୍ଷଣ ସମାଲୋଚନା ।

 

ଉପଯୁକ୍ତ ସମ୍ପାଦକ, ବିଚାରକ ବା ସମାଲୋଚକ ହେବାପାଇଁ ଯେତେଗୁଡ଼ିଏ ଗୁଣ ବା ଯେଉଁସବୁ ଯୋଗ୍ୟତା ଆବଶ୍ୟକ, ସେଗୁଡ଼ିକୁ ଆୟତ୍ତ କରିବା ସେ ପ୍ରଥମ କର୍ତ୍ତବ୍ୟ, ଏକଥା ପାସୋରିଦେଲେ ଚଳିବ ନାହିଁ । ଅବଶ୍ୟ ଜଣେ ଓକିଲ, ଜଣେ ଡାକ୍ତର, ଜଣେ ଇଞ୍ଜିନିୟର, ଜଣେ ଶିକ୍ଷକ ବା ଅଧ୍ୟାପକ ଅଥବା ଜଣେ ହାକିମ କି କାରିଗର ପ୍ରଭୃତି କୌଣସି ବିଷୟରେ ବିଶେଷଜ୍ଞ ହେବାପାଇଁ ଯେପରି କେତେକ ନିର୍ଦ୍ଦିଷ୍ଟ ଯୋଗ୍ୟତା ଓ ପରୀକ୍ଷାର ମାନଦଣ୍ଡ ଅଛି, ସମ୍ପାଦକ ହେବାକୁ ସେପରି କିଛି ନାହିଁ । ଅର୍ଥାତ୍‌ ଯେ କେହି କିଛି କାଗଜ ଓ ଛାପାଖର୍ଚ୍ଚ ଯୋଗାଡ଼ କରିପାରିଲେ ତାଙ୍କର ସମ୍ପାଦକ ହେବାକୁ ବାଧା ନାହିଁ । ତେଣୁ ସମ୍ପାଦକର ଯୋଗ୍ୟତା ଅନିର୍ଦ୍ଦିଷ୍ଟ ତଥା ଅସୀମ ବୋଲି ମନେହୋଇଥାଏ ।

 

ଜ୍ଞାନ–ଜଗତର ସୁବିଶାଳ ସୁବିସ୍ତୃତ ପରିଧିର ପୂର୍ଣ୍ଣ ଅଧିକାରୀ ହେବାଲାଗି ଅବିଶ୍ରାନ୍ତ ଅଧ୍ୟୟନ, ଅନୁଶୀଳନ, ଶ୍ରମ ଓ ସାଧନାହିଁ ସମ୍ପାଦକୀୟ ଯୋଗ୍ୟତାର ସର୍ବପ୍ରଧାନ ଲକ୍ଷଣ । କୌଣସି ଏକ ନିର୍ଦ୍ଦିଷ୍ଟ ସଂକୀର୍ଣ୍ଣ ବିଷୟରେ ତାଙ୍କର ଜ୍ଞାନ ଆବଦ୍ଧ ରହିବା ବାଞ୍ଛନୀୟ ନୁହେଁ । ନିଜ ଭାଷା ବା ସାହିତ୍ୟର ପ୍ରାଚୀନ କିମ୍ବା ଆଧୁନିକ ରୂପ ସହିତ ନିବିଡ଼ ପରିଚୟ ହେବା ସଙ୍ଗେ ସଙ୍ଗେ ବିଶ୍ୱସାହିତ୍ୟର ରୂପରେଖ ଓ ଗତିବିଧି ବିଷୟରେ ମଧ୍ୟ ତାଙ୍କର ଗଭୀର ଜ୍ଞାନ ନ ଥିଲେ ପଦେ ପଦେ ବିଚାରଭ୍ରଷ୍ଟ ହେବାର ଆଶଙ୍କା ଅଛି । ଭାଷାର ବ୍ୟଭିଚାର, ରୁଚିର କଦର୍ଯ୍ୟତା ଏବଂ ବିଷୟବସ୍ତୁର ଚୌର୍ଯ୍ୟ ବୃତ୍ତିକୁ ରୋକିବା ପାଇଁ ସମ୍ପାଦକୀୟ ଜ୍ଞାନର ବିସ୍ତୃତି ଓ ଗଭୀରତାର ଯେଉଁ ପରିମାଣ ପ୍ରୟୋଜନୀୟତା ଆଜି ଅନୁଭୂତ ହୁଏ, ତାହା ଏଥିପୂର୍ବେ ହୋଇଥିଲା କି ନାହିଁ ସନ୍ଦେହ ।

 

(ଏଠାରେ ଜଣେ ବିଶିଷ୍ଟ ପାଠକ ଓ ହେଡ଼୍‌ମାଷ୍ଟର ସାହିତ୍ୟିକଙ୍କର ଉକ୍ତି ଉଦ୍ଧାର କରୁଛୁ । ତହିଁରେ ‘ଆଗବୋଲା’ର ପ୍ରଶସ୍ତି ଥିଲେ ହେଁ ଲେଖକଙ୍କ ନିରପେକ୍ଷ ବିଚାର ‘ସାହିତ୍ୟ ପରିକ୍ରମା’ ସହିତ ପ୍ରକାଶିତ ହୁଏ ଏଇ ତାରିଖ ୪।୧୦।୫୩ ସାପ୍ତାହିକ ‘ସମାଜ’ରେ ।)

 

ସାହିତ୍ୟିକ ଆଲୋଚନା

 

ଶ୍ରଦ୍ଧେୟ ସମ୍ପାଦକ ମହୋଦୟ–

ମାନନୀୟେଷୁ ।

ମହାଶୟ,

ନିମ୍ନଲିଖିତ ପତ୍ରଖଣ୍ଡି ଆପଣଙ୍କ ଦୈନିକ ‘ସମାଜ’ରେ ପ୍ରକାଶ କରି ବାଧିତ କରିବା ହେବେ ।

ଗତ ପାଞ୍ଚ ସପ୍ତାହ ହେଲା ଆପଣଙ୍କ ଶନିବାର ପତ୍ରିକାର ଆଲୋଚନା ସ୍ତମ୍ଭରେ ‘ଆଗବୋଲା’ଙ୍କ ‘ସାହିତ୍ୟ–ପରିକ୍ରମା’ ମୁଁ ମନୋଯୋଗପୂର୍ବକ ପାଠ କରୁଅଛି । ସାହିତ୍ୟିକ ସମାଲୋଚନା ସୁରୁଚିପୂର୍ଣ୍ଣ ଏବଂ ଉଚ୍ଚକୋଟୀର ହେବାର ଦେଖି ମୁଁ ବିଶେଷ ଆନନ୍ଦ ଅନୁଭବ କରୁଥିବାରୁ ଆଜି ଆପଣଙ୍କୁ ଏ ପତ୍ରଦ୍ୱାରା ଜଣାଇଲି । ‘ଆଗବୋଲା’ ମହାଶୟ ତାଙ୍କର ବଳିଷ୍ଠ, ଅଥଚ ପ୍ରାଞ୍ଜଳ ଭାଷାରେ ସାହିତ୍ୟର ପ୍ରତ୍ୟେକ ସ୍ତରକୁ ଯେପରି ଉଦାର ଭାବରେ ସ୍ପର୍ଶ କରୁଅଛନ୍ତି, ତାହା ହିଁ ପ୍ରଧାନ ଭାବରେ ଲକ୍ଷ୍ୟ କରିବାର ବିଷୟ । ତାଙ୍କର ଆଲୋଚନା ଆକ୍ରୋଶମୂଳକ କିମ୍ବା କାହାରି ପ୍ରତି ତାଚ୍ଛଲ୍ୟମୂଳକ ନ ହୋଇ ଆଧୁନିକ ସାହିତ୍ୟସାଧନା ପ୍ରତି ପାଠକମାନଙ୍କର ଦୃଷ୍ଟି କେନ୍ଦ୍ରୀଭୂତ କରାଇ ଦେଇପାରୁଛି । ତେଣୁ ସେ ସାହିତ୍ୟର ବିକାଶକ୍ଷେତ୍ରରେ ଗୋଟିଏ ମହତ୍‌କାର୍ଯ୍ୟ ସମ୍ପାଦନ କରୁଅଛନ୍ତି, ଏହା କହିବା ବାହୁଲ୍ୟ ମାତ୍ର । ‘ଆଗବାଲା’ ମୋଠାରୁ ବୟୋଜ୍ୟେଷ୍ଠ ହୋଇଥିଲେ ସେ ଅବଶ୍ୟ ମୋର ଭକ୍ତିପୂର୍ଣ୍ଣ ସମ୍ମାନ ଗ୍ରହଣ କରିବେ, ନଚେତ୍‌ କନିଷ୍ଠ ହୋଇଥିଲେ ମୁଁ ତାଙ୍କର ଏହି ସାଧନା ପାଇଁ ଆଶୀର୍ବାଦ ଜଣାଉଅଛି ।

ଆଜିକାଲି ଥିଏଟର ଓ ସିନେମା ଯୁଗରେ ବ୍ୟବସାୟମୂଳକ, ଉତ୍ତେଜକ, ଉନ୍ମାଦକ ଏବଂ ଆପାତ ମନୋରଞ୍ଜକ ଲେଖାବଳୀଦ୍ୱାରା ସାହିତ୍ୟର ପ୍ରତ୍ୟେକ ସ୍ତର ପୂର୍ଣ୍ଣ ହେଉଅଛି, ଯାହାର ତାଙ୍କରି ଭାଷାରେ–‘‘ନାହିଁ ବର୍ତ୍ତମାନ ଏବଂ ନାହିଁ ଭବିଷ୍ୟତ ।’’ ଅଧିକାଂଶ ଲେଖକ ସାହିତ୍ୟକୁ ପ୍ରକୃତ ଦାନ ନ ଦେଇ କେବଳ ପରିପ୍ରଚାର ଓ ଅନ୍ୟାନ୍ୟ ପ୍ରଶଂସା ସାହାଯ୍ୟରେ ସ୍ଥାୟୀ ସମ୍ମାନ ଲାଭ କରିବାକୁ ବିଶେଷ ବ୍ୟଗ୍ର ହେଉଥିବାର ଦେଖାଯାଏ । ସେଥିପାଇଁ ଯେଉଁମାନଙ୍କର ସୁବିଧା ଅଛି, ସେମାନେ ଠେଲାପେଲା କରି କୌଣସିମତେ ସାଧାରଣଙ୍କ ଆଖିଆଗକୁ ଆସିବାକୁ ପ୍ରବଳ ଉଦ୍ୟମ କରୁଅଛନ୍ତି । ମନେରଖିବାକୁ ହେବ, ଭବିଷ୍ୟତ ହିଁ ପ୍ରତ୍ୟେକଙ୍କୁ ତାଙ୍କର ଯଥାଯୋଗ୍ୟ ସ୍ଥାନରେ ବସାଇଦେବ । ସେତେବେଳେ ଆଜିର ତଥାକଥିତ ବିଶିଷ୍ଟ ସାହିତ୍ୟିକ ବା ସୁଲେଖକ କାଲି ହୁଏତ ବିସ୍ତୃତିର ସାଗର ଗର୍ଭରେ ଲୀନ ହୋଇଯିବେ । ଭବିଷ୍ୟତର ଅଭ୍ରାନ୍ତ ନିକଷରେ ସମସ୍ତଙ୍କୁ ଦିନେ ପରୀକ୍ଷିତ ହେବାକୁ ପଡ଼ିବ ।

‘ଆଗବାଲା’ ମହାଶୟ ଏହି ନିର୍ମମ ସତ୍ୟ ପ୍ରତି ସମସ୍ତଙ୍କ ଦୃଷ୍ଟି ଅଭିନିବିଷ୍ଟ କରାଇ ଦେଉଥିବାରୁ ସେ ନିଶ୍ଚୟ ଧନ୍ୟବାଦାର୍ହ ଅଟନ୍ତି । ଆପଣଙ୍କର ଏହି ସାହିତ୍ୟିକ ଆଲୋଚନା ବିଭାଗଟି ନିୟମିତ ରହିପାରିଲେ ତଦ୍ଦ୍ୱାରା ଆମ ସାହିତ୍ୟର ବିଶେଷ ଉପକାର ହେବ ବୋଲି ମୋର ଦୃଢ଼ ବିଶ୍ୱାସ ।

ଆପଣଙ୍କର

ଶ୍ରୀ ଚନ୍ଦ୍ରଶେଖର ମିଶ୍ର

 

ଏଠାରେ ପୁଣି ‘ଜଣେ ପାଠକ’ଙ୍କଦ୍ୱାରା ଲିଖିତ ଓ ପରବର୍ତ୍ତୀ ସଂଖ୍ୟା ‘ସମାଜ’ରେ ପ୍ରକାଶିତ ଆଉ ଖଣ୍ଡିଏ ପତ୍ର ମଧ୍ୟ ଉଦ୍ଧାର କରାଯାଉଛି ସେଥି ସଙ୍ଗେ ‘ଆଗବୋଲା’ର ମନ୍ତବ୍ୟ ସହିତ ।

 

‘ଆଗବୋଲା’ଙ୍କ ଅଭିମତ ସତ୍ୟ କି ?

 

ମହାଶୟ,

 

‘ସମାଜ’ର ଗତ ଶନିବାର ସଂଖ୍ୟାରେ ପ୍ରକାଶିତ ‘ସାହିତ୍ୟ ପରିକ୍ରମା’ ଶୀର୍ଷକ ଆଲୋଚନାରେ ଲୁପ୍ତ ସାହିତ୍ୟ ପତ୍ରିକା ସମ୍ପର୍କରେ ‘ଆଗବୋଲା’ ଯେଉଁ ମତ ପ୍ରକାଶ କରିଥିଲେ, ତାହା କେତେକ କ୍ଷେତ୍ରରେ ସତ୍ୟର ସମର୍ଥକ ବୋଲି ମନେହୁଏ ନାହିଁ । ସାହିତ୍ୟ ପତ୍ରିକାର ମର୍ଯ୍ୟାଦା ଓ ଶାଳୀନତା ତଥା ପ୍ରଭାବ ରକ୍ଷା ଦିଗରେ ଅନ୍ୟାନ୍ୟ ପତ୍ରିକା ଭିତରେ ‘ଉତ୍କଳ ସାହିତ୍ୟ’ ଓ ‘ପ୍ରଗତି’ର ନାମ ସେ ଉଲ୍ଲେଖ କରିଛନ୍ତି । ‘ଉତ୍କଳ ସାହିତ୍ୟ’ ମାର୍ଫତରେ ପ୍ରଥମେ ଯେ, ଓଡ଼ିଆ ସାହିତ୍ୟରେ ଆବର୍ଜନା ପ୍ରବେଶ କଲା, ଏହା ‘ଆଗବୋଲା’ ଭୁଲିଯାଇଥିବାପରି ମନେହେଲା । ଏହି ପତ୍ରିକାରେ ଯେତେ ଆବର୍ଜନା ସ୍ଥାନ ପାଇଥିଲା, ତାହାର ଉଲ୍ଲେଖ ପାଇଁ ଏଠାରେ ସ୍ଥାନାଭାବ ହେବ-। ତେବେ ସଂକ୍ଷେପରେ କହୁଛି ଯେ, ‘କାସ୍ତେ’, ‘ହାପର’ ଓ ‘ବେଲଫୁଲ’ ପ୍ରଭୃତି ଶବ୍ଦ ପ୍ରୟୋଗରେ ‘ଉତ୍କଳ ସାହିତ୍ୟ’ରେ ବହୁ ଓଡ଼ିଆ କବିତା ପ୍ରକାଶ ପାଇଥିଲା । ଏପରିକି ବଙ୍ଗଳାର ନାଟ୍ୟକାର ସ୍ୱର୍ଗତ ଡି. ଏଲ୍‌. ରାୟଙ୍କ ଚନ୍ଦ୍ରଗୁପ୍ତ ନାଟକର ଚାଣକ୍ୟ ବଚନିକାର ଅବିକଳ ସମାବେଶରେ ‘ସହର ଢଳି’ ନାମରେ ଘା’ ପୂଯ ବୋଳା ପ୍ରଭାତଚିତ୍ର ସମ୍ବଳିତ ଗୋଟିଏ ଓଡ଼ିଆ କବିତା ମଧ୍ୟ ପ୍ରକାଶ ପାଇଥିଲା । ‘ନବଭାରତ’ ପତ୍ରିକାର ପ୍ରଥମସଂଖ୍ୟା ପ୍ରକାଶ ପରେ ତାହାର ଯେଉଁ କଦର୍ଯ୍ୟ ସମାଲୋଚନା ସେହି ‘ଉତ୍କଳ ସାହିତ୍ୟ’ରେ ପ୍ରକାଶ ପାଇଥିଲା, ତାହାର ଦୃଷ୍ଟାନ୍ତ ଏ ପର୍ଯ୍ୟନ୍ତ ଓଡ଼ିଆ ସାହିତ୍ୟ ପତ୍ରିକା–ରାଜ୍ୟରେ ଅନୁପମ ହୋଇ ରହିଛି ।

 

‘ପ୍ରଗତି’ ପତ୍ରିକାର ଅବସ୍ଥା ମଧ୍ୟ ଦେଖାଯାଉ । ଏହାର ମଲାଟରେ ଗୋଟିଏ ଯୁବତୀ ସାଇକେଲ ଚଢ଼ି ଯାଉଥିବାର ଚିତ୍ର ଦିଆଯାଇଥିଲା ଓ ସେ ଯୁବତୀ କାନ୍ଧରେ ଭରାଦେଇ କେରିଅର ଓ ଫୁଟପିନ୍‌ରେ ଗୋଡ଼ ରଖି ତା’ ପଛରେ ଗୋଟିଏ ଯୁବକ ଚିତ୍ର ମଧ୍ୟ ରହିଥିଲା । ତା’ପରେ ଏ ପତ୍ରିକାରେ କେତେକ ଚୁଡ଼ାନ୍ତ ନଗ୍ନକବିତା ମଧ୍ୟ ପ୍ରକାଶ ପାଇଥିଲା । ଏଥିରେ ବି କ’ଣ ଏ ପତ୍ରିକା ଅଶ୍ଳୀଳତାବର୍ଜିତ ବୋଲି ଅଭିହିତ ହେବ ?

 

ଜଣେ ପାଠକ

 

‘ଆଗବୋଲା’ର ‘ଜଣେ ପାଠକ’

 

ଅଳ୍ପ କାଳ ମଧ୍ୟରେ ‘ଆଗବୋଲା’ କେତେଜଣ ସୁବିଜ୍ଞ ପାଠକ ପାଇ ନିଜକୁ ଗୌରାବାନ୍ୱିତ ମନେକରୁଛି । ପ୍ରତିଷ୍ଠିତ ସାହିତ୍ୟିକ ଶ୍ରୀ ଚନ୍ଦ୍ରଶେଖର ମିଶ୍ରଙ୍କର ଆଶୀର୍ବାଦ ପ୍ରତି ‘ଆଗବୋଲା’ ନତଶିର ଏବଂ ତାହାର ଅଭିମତର ସଭ୍ୟତା ବିଷୟରେ ପ୍ରଶ୍ନ କରିଥିବା ‘ଜଣେ ବିଜ୍ଞ ପାଠକଙ୍କୁ ପାଇ ସେ ଗର୍ବିତ । ଏଭଳି ପ୍ରାଶ୍ନିକ ଓ ପାଠକଙ୍କଦ୍ୱାରା ସଂଶୋଧିତ ହେବାର ଭରସା ଥିଲେ ‘ଆଗବୋଲା’ ନିଜ ତ୍ରୁଟି ଲାଗି ଭୟ କରେନାହିଁ । ମାତ୍ର ଗୋଟିଏ କଥା–‘ଉତ୍କଳ ସାହିତ୍ୟ’ରେ କେତେକ ଭାଷାଗତ ଓ ବିଷୟଗତ ଆବର୍ଜନା ପଶିଥିଲା ସତ; କିନ୍ତୁ ଦୀର୍ଘକାଳ ସ୍ଥାୟୀ ଏହି ସମ୍ମାନିତ ଓ ଆଧୁନିକ ଓଡ଼ିଆ ସାହିତ୍ୟର ଅପ୍ରତିଦ୍ୱନ୍ଦ୍ୱୀ ମୁଖପତ୍ର ଭିତରେ ତାହା ଚନ୍ଦ୍ରରେ କଳଙ୍କ ପରି, ଯେଉଁ କଳଙ୍କ ହୁଏତ ସବୁ ଚନ୍ଦ୍ରରେ ଥାଏ । ସେ ତ ଚନ୍ଦ୍ର ଭିତରେ କଳଙ୍କ ଖୋଜିବା କଥା; କିନ୍ତୁ ଆଜି ଯେ କଳଙ୍କ ଭିତରେ ଚନ୍ଦ୍ର ଖୋଜିବାକୁ ହେଉଛି ! ପୁଣି ‘ଉତ୍କଳ ସାହିତ୍ୟ’ ପତ୍ରିକାର ନବ ପ୍ରକାଶିତ ‘ନବ–ଭାରତ’ର ଯେଉଁ କଦର୍ଯ୍ୟ ସମାଲୋଚନା କରାଯାଇଥିଲା, ତହିଁରେ ଯେତେଦୂର ସ୍ମରଣ ହୁଏ ଅତିରିକ୍ତ ଅସୂୟା ଥିଲା; ମାତ୍ର ଅଶ୍ଳୀଳତା ନ ଥିଲା ପରା !

 

‘ଆଗବୋଲା’ ଯେ, ଆଜିଯାକେ ତୁଚ୍ଛା ଅରଣ୍ୟରୋଦନ କରିନାହିଁ, ବରଂ ଏହିଭଳି ସୁବିଜ୍ଞ ପାଠକଙ୍କ ସମକ୍ଷରେ ନିଜ ଅନୁଭୂତି ବାଢ଼ିବାର ସୁଯୋଗ ପାଇଛି, ସେ ଭାବନା ତାହାର ଅଧିକ ଅଗ୍ରସର କରିବ ।

 

ଶିଷ୍ଟାଚାର ଓ ସୁରୁଚି

 

ଆମର ବର୍ତ୍ତମାନ ସାହିତ୍ୟ ପତ୍ରପତ୍ରିକାଗୁଡ଼ିକର ସମ୍ପାଦକୀୟ ଶିଷ୍ଟାଚାର ମଧ୍ୟ ଲକ୍ଷ୍ୟ କରିବାର ବସ୍ତୁ । ଯେକୌଣସି ସ୍ୱନାମଧନ୍ୟ ଇଂରାଜୀ କିମ୍ୱା ବିଦେଶୀ ପତ୍ରିକାରେ ସମ୍ପାଦକଙ୍କର ନାମ ସୁଦ୍ଧା ଅଧିକାଂଶ ସ୍ଥଳରେ ଅତି କ୍ଷୁଦ୍ର ଅକ୍ଷରରେ ପତ୍ରିକାର ଶେଷ ପୃଷ୍ଠାରେ ମୁଦ୍ରିତ ଥିବା ଦେଖାଯାଏ । ସ୍ୱୀୟ ସମ୍ପାଦିତ ପତ୍ରିକାରେ ଶେଷ ପୃଷ୍ଠାରେ ମୁଦ୍ରିତ ଥିବା ଦେଖାଯାଏ । ସ୍ୱୀୟ ସମ୍ପାଦିତ ପତ୍ରିକାରେ ନିଜ ପ୍ରଶସ୍ତିକୁ ଅଧିକ ପ୍ରଶୟ ଦେବା କିମ୍ୱା ନିଜ ରଚନାକୁ ମୁଖ୍ୟ ସ୍ଥାନ ଦେବା ଯେ, ସମ୍ପାଦକୀୟ ଶିଷ୍ଟାଚାରର ବିରୋଧୀ, ଏହି ସାଧାରଣ ନିୟମଟି ମଧ୍ୟ ଆମ୍ଭମାନଙ୍କୁ ବିଦେଶୀ ପତ୍ର–ପତ୍ରିକାମାନଙ୍କଠାରୁ ଶିଖିବାକୁ ଆହୁରି ବାକି ଅଛି ବୋଲି ମନେହୁଏ ।

 

ସମାଲୋଚନା ଯେ, କଦାପି ନୀଚଜାତୀୟ କୁତ୍ସା ନୁହେଁ, ଯାହାଫଳରେ ସାହିତ୍ୟ–କ୍ଷେତ୍ର କୁତ୍ସିତ ହୋଇପଡ଼େ, ସେଥିପ୍ରତି ସମ୍ପାଦକୀୟ ରୁଚିଜ୍ଞାନ ଥିବା ଲୋଡ଼ା । ପିଚ୍ଛିଳ ଭାଷାକୁ ରୁଚିପୂର୍ଣ୍ଣ ଭାବଦ୍ୱାରା ଦିନକୁଦିନ ସାମୟିକ ସାହିତ୍ୟ ପୃଥୁଳି ହେଉଥିଲେ ହେଁ ଜଳ–ଉଦରୀ ବ୍ୟାଧି ପରି ତାହା ନିକଟ ମୃତ୍ୟୁର ସୂଚନା ଦେଉଛି ମାତ୍ର । ଏହି କାରଣରୁ ଅନେକ ସାହିତ୍ୟ ପତ୍ରିକା ଅକାଳ ମୃତ୍ୟୁର ସମ୍ମୁଖୀନ ହେଉଛନ୍ତି କିମ୍ୱା ମୃତବତ୍ସା ଭଳି ସମ୍ପାଦକମାନଙ୍କ ଗର୍ଭରୁ ହିଁ ନିଷ୍ପ୍ରାଣ ହୋଇ ଜନ୍ମଲାଭ କରୁଛନ୍ତି । ସମ୍ପାଦକମାନେ ଏଭଳି ‘ଲୁପ୍ତପିଣ୍ଡ’ ପତ୍ରିକା ପ୍ରସବ କରିବା ପୂର୍ବରୁ ନିଜେ ଆଗ ସୁରୁଚି, ଶିଷ୍ଟାଚାର ଓ ଭାଷାଜ୍ଞାନରେ ସ୍ୱାସ୍ଥ୍ୟସମ୍ପନ୍ନ ହେଉଥିଲେ, ଏହି ସକଳ ଦୁର୍ଘଟଣାର ସଂଖ୍ୟା ନିଶ୍ଚୟ ଅଳ୍ପ ହୁଅନ୍ତା ।

 

ଆର୍ଥିକ ଲାଭ ବା ଲୋଭର ବଶବର୍ତ୍ତୀ ହୋଇ କେତେକ ସାହିତ୍ୟ ପତ୍ରିକା ଯେକୌଣସି ପ୍ରତାରକ ବିଜ୍ଞାପନ–ଦାତାଙ୍କର ବିଜ୍ଞାପନ; ଯଥା–ମେହ, ଉପଦଂଶ ବ୍ୟାଧିର ଔଷଧରେ କବଚ ଆଦି ପ୍ରଚାର କରିବାକୁ ପଶ୍ଚାତ୍‌ପଦ ନୁହନ୍ତି । ଶବ୍ଦଧନ୍ଦା ଓ ରାଶିଫଳ ତ କେତେ ପତ୍ରିକାରେ ବିଶେଷ ଅଙ୍ଗ ହୋଇପଡ଼ିଲାଣି । ପୁଣି ବିଜ୍ଞାପନରେ ରମଣୀର ପ୍ରସାଧନ ଚିତ୍ର ଏକ ସାଧାରଣ କଥା । ଅବଶ୍ୟ ଶବ୍ଦଧନ୍ଦା ପ୍ରକାଶ ଭିତରେ ଶବ୍ଦ ଶିକ୍ଷାର କିଛି ତାତ୍ପର୍ଯ୍ୟ ଥାଇପାରେ । ଅନ୍ୟଗୁଡ଼ିକ ଅର୍ଥକାରୀ ହେଲେ ମଧ୍ୟ ତାହାର ପ୍ରକାଶଦ୍ୱାରା ସାହିତ୍ୟ ପ୍ରତି ଏବଂ ପାଠକ ବା ଗ୍ରାହକମାନଙ୍କ ପ୍ରତି ସମ୍ପାଦକ ଯେଉଁ କର୍ତ୍ତବ୍ୟ ସମ୍ପାଦନ କରନ୍ତି, ତାହା ବିଚାର୍ଯ୍ୟ ।

 

ଆଧୁନିକ ଉପାୟ

 

ଆହୁରି ମଧ୍ୟ ସାହିତ୍ୟ ପତ୍ରିକାମାନଙ୍କରେ ଚଳଚ୍ଚିତ୍ର କିମ୍ୱା ବେତାର ଅନୁଷ୍ଠାନମାନଙ୍କର ଅଥବା ନାଟକ ପ୍ରଦର୍ଶନର ଉପଯୁକ୍ତ ସମାଲୋଚନା ହେବା ଯେ, ନିତାନ୍ତ ଜରୁରି ହୋଇପଡ଼ିଛି, ଏ କଥା କାହାରିକି ବୁଝାଇବାକୁ ପଡ଼ିବ ନାହିଁ । କାରଣ ଜନତା ସହିତ ସାହିତ୍ୟର ସମ୍ପର୍କ ସ୍ଥାପନ କରିବା ଉଦ୍ଦେଶ୍ୟରେ ଆମୋଦ ଓ ଆନନ୍ଦ ଦାନ କରିବା ସଙ୍ଗେ ସଙ୍ଗେ ସୁସ୍ଥ ଉନ୍ନତ ସମାଜ ସଙ୍ଗଠନ ଲାଗି ଏହି ତିନିଗୋଟି ଆଧୁନିକ ଉପାୟରେ ଉପାଦେୟତା ସମ୍ୱନ୍ଧରେ କୌଣସି ପ୍ରଶ୍ନ ଉଠି ନ ପାରେ ।

 

ଆମ୍ଭେମାନେ ଏଥିପୂର୍ବେ ନାଟକ ଓ ରଙ୍ଗମଞ୍ଚ ସମ୍ପର୍କରେ କିଞ୍ଚିତ୍‌ ସୂଚନା ଦେଇଥିଲୁ; କିନ୍ତୁ ନୂତନ ନାଟକାଭିନୟରେ ସଂଖ୍ୟା ଖୁବ୍‌ ବେଶି ନୁହେଁ, ଯେତେ ବେଶି ଚଳଚ୍ଚିତ୍ର ପ୍ରଦର୍ଶନ ଏବଂ ଆକାଶବାଣୀର ଆବୃତ୍ତି । ଓଡ଼ିଆରେ ଚଳଚ୍ଚିତ୍ରର ସଂଖ୍ୟା ମଧ୍ୟ ନଗଣ୍ୟ ଗଠନ ପାଇଁ ଲେଖକମାନଙ୍କର ନିଯୁକ୍ତି ବା ସାହିତ୍ୟିକ ଦାନର ପ୍ରଶ୍ନ ବର୍ତ୍ତମାନ ଉଠି ନ ପାରେ । ତଥାପି ହିନ୍ଦୀ ଓ ବଙ୍ଗଳା ଭାଷାରେ ଯେଉଁ ସକଳ ଚଳଚ୍ଚିତ୍ର ଓଡ଼ିଆ ଦର୍ଶକମାନଙ୍କ ସମକ୍ଷରେ ପ୍ରଦର୍ଶିତ ହେଉଛି, ସେଗୁଡ଼ିକର ଯଥାଯଥ ସମାଲୋଚନା ପାଇଁ ସାହିତ୍ୟ ପତ୍ରିକାରେ ସ୍ଥାନ ଅଛି ।

 

କଥାଚିତ୍ର

 

ଆଧୁନିକ ଚଳଚ୍ଚିତ୍ରମାନଙ୍କରେ ସଙ୍ଗୀତବାହୁଲ୍ୟ ଥାଇ ଅଭିନେତା ବିଶେଷତଃ ଅଭିନେତ୍ରୀମାନଙ୍କର ଯୌନ ଭାବୋଦ୍ଦୀପକ ଅଙ୍ଗଚାଳନାଦ୍ୱାରା ଦର୍ଶକ ଚିତ୍ତକୁ ଆକର୍ଷଣ କରିବାର ଉପାଦାନ ଥାଇପାରେ; କିନ୍ତୁ ଯଥାର୍ଥରେ ଦର୍ଶନୀୟ ଓ ଶ୍ରାବ୍ୟ ବିଷୟ ତହିଁରେ କି ପରିମାଣରେ ନିହିତ, ତାହା ଜାଣିବାପାଇଁ ରୀତିମତ ପରିଶ୍ରମ ଆବଶ୍ୟକ । ପୁଣି ଆଧୁନିକ ନାଟକ ମଧ୍ୟ ଚଳଚ୍ଚିତ୍ରର ଦୃଶ୍ୟପଟ, କଥୋପକଥନ ଓ ଭାବଭଙ୍ଗୀକୁ ଅନେକାଂଶରେ ଅନୁକରଣ କରୁଥିବାର ଜଣାଯାଏ । ଏହି ସୂତ୍ରକୁ ଅବଲମ୍ୱନ କରି ଅର୍ଥାତ୍‌ ଟିକିଏ ମାର୍ଜିତ ଅଶ୍ଳୀଳତାର ଆଶ୍ରୟ ନେଇ ଏବଂ ସେହିପରି ଯୌନ ଭାବୋଦ୍ଦୀପକ କବିତା ଲେଖି କେହି କେହି ଆଧୁନିକ ଜଣାଶୁଣା କବି ମଧ୍ୟ ଶସ୍ତା ଲୋକପ୍ରିୟତା ଅର୍ଜନ କରିବାର ସୁଯୋଗ ପାଇଛନ୍ତି । ତେଣୁ ଚଳିଚ୍ଚିତ୍ର ଭଳି ଏ ଶ୍ରେଣୀୟ ନାଟକ କିମ୍ୱା କବିତାର ଆୟୁଷ ଅଳ୍ପକାଳ ସ୍ଥାୟୀ ବୋଲି ବୁଝିବାକୁ ହେବ । ମାତ୍ର ସେଇ ଅଳ୍ପକାଳ ମଧ୍ୟରେ ଏହି ସକଳ କଥାଚିତ୍ର, ନାଟକ ବା କବିତା ସାମାଜିକ ତଥା ଜାତୀୟ ଚରିତ୍ର ଉପରେ ଯେଉଁ ଦୂଷିତ ପ୍ରଭାବ ପକାଇ ଯେତେ ଅପୂରଣୀୟ ଓ ଅକ୍ଷମଣୀୟ କ୍ଷତି ଘଟାଇଥାଏ, ସେ ଦିଗରେ ସମ୍ପାଦକ ବା ସମାଲୋଚନାମାନଙ୍କର କିଛି ହେଲେ କର୍ତ୍ତବ୍ୟ ନାହିଁ କି ?

 

ପତ୍ରପତ୍ରିକାମାନଙ୍କରେ ନୂଆ ନୂଆ କଥାଚିତ୍ରଗୁଡ଼ିକର ଆଲୋଚନା ଦେଖି ବରଂ ମନେହୋଇଥାଏ ଯେ, ସମ୍ପାଦକମାନେ ଏହି ସବୁ କଥାଚିତ୍ରକୁ ପ୍ରକାରାନ୍ତରେ ସମର୍ଥନ କରୁଛନ୍ତି । ଅଥଚ ନୂଆ ବୋଲି ଯେଉଁ ସମସ୍ତ କଥାଚିତ୍ରର ବିଜ୍ଞାପନ ବାହାରୁଛି, ତାହା କେବଳ ନୂଆ ଅଭିନେତ୍ରୀ ବା ଅଭିନେତାଙ୍କର ଅଭିନୟ ହୋଇପାରେ, ମାତ୍ର ଗଳ୍ପର କଥାବସ୍ତୁ, ଭାବ ଓ ଭାଷା ଭିତରେ କିଛି ହେଲେ ନୂତନତ୍ୱ ଥାନ୍ତା ! ତଥାପି ଏହି ଶ୍ରେଣୀୟ କଥାଚିତ୍ରକୁ ସମ୍ପାଦନକୁ ସମ୍ପାଦକମାନେ ଯଦି ଉତ୍ସାହ ଦିଅନ୍ତି, ତାହାହେଲେ ସୁରୁଚିର ସ୍ଥାନ ରହିବ କେଉଁଠାରେ ? କେଉଁଠାରେ ତେବେ ବାଛ ବିଚାରର ପ୍ରଶ୍ନ ଉଠିବ ?

 

ସରକାର ମଧ୍ୟ ଏ ଦିଗରେ ସଚେତନ ଥିବାର ଜଣାପଡ଼େ । ସେଥିଲାଗି କଥାଚିତ୍ରରେ ବିଶିଷ୍ଟ ସାହିତ୍ୟିକମାନଙ୍କର ନାଟକ ଉପନ୍ୟାସଗୁଡ଼ିକ ପ୍ରଦର୍ଶନ କରିବା ପାଇଁ ଏକ ସରକାରୀ ନିର୍ଦ୍ଦେଶ ଦିଆଯାଇଛି । ଏହି ସୂତ୍ରରେ ହିନ୍ଦୀ ଓ ବଙ୍ଗଳା ପ୍ରଭୃତି ଭାଷାରେ କେତେକ ଲେଖକ ପ୍ରଚୁର ଅର୍ଥ ଉପାର୍ଜନ କରିପାରୁଛନ୍ତି । ତାହାଛଡ଼ା କଥାଚିତ୍ରର ଦୃଶ୍ୟାବଳୀରେ କଥୋପକଥନ ବା ସଙ୍ଗୀତ ପ୍ରଭୃତି ଲେଖି ଅନେକ ଲେଖକଙ୍କର ଆର୍ଥିକ ଉନ୍ନତି ଘଟିଛି । ଓଡ଼ିଆଲେଖକ ପାଇଁ ସେ ଦ୍ୱାର ଅବଶ୍ୟ ଉନ୍ମୁକ୍ତ ନୁହେଁ । ସରକାରୀ ନିର୍ଦ୍ଦେଶ ସତ୍ତ୍ୱେ ଚଳଚ୍ଚିତ୍ରର ନୈତିକ ମାନ ଯେପରି ଅଧୋଗତି କରୁଛି, ସେଥିଲାଗି ସମ୍ପାଦକୀୟ ନେତୃତ୍ୱର ଆବଶ୍ୟକତା ଅଧିକ ହୋଇପଡ଼ିଛି । ତା ୧୧ । ୧୦ । ୫୩ ।

 

କଥାଚିତ୍ର ଭଳି ବେତାରଯନ୍ତ୍ର ସାହାଯ୍ୟରେ ସାହିତ୍ୟ ପରିବେଷଣ ଆଧୁନିକ ଯନ୍ତ୍ରଯୁଗର ଅନ୍ୟତମ ଅବଦାନ । ସାଂସ୍କୃତିକ ଉନ୍ନତି ପକ୍ଷରେ ଏହି ଦୁଇଟି ଯନ୍ତ୍ରର ଉଦ୍ଭାବନ ପୃଥିବୀପୃଷ୍ଠରେ ଅଭୂତପୂର୍ବ ପରିବର୍ତ୍ତନ ଆଣିଦେଇଛି । କଥାଚିତ୍ରରେ ଯେପରି ବହୁ ଲେଖକ ଏବଂ ପରଲୋକଗତ ଏଚ୍‌. ଜି. ଓୟେଲ୍‌ସ୍‌ବା ଅଧୁନାତନ ଶ୍ରେଷ୍ଠ ଇଂରେଜ ଗଦ୍ୟସ୍ରଷ୍ଟା ସୋମରସେଟ୍‌ମୋମ୍‌ ପ୍ରମୁଖ ପ୍ରସିଦ୍ଧ ସାହିତ୍ୟିକମାନେ ନିଯୁକ୍ତି ରହି ସ୍ୱୀୟ ରଚନାବଳୀର ପ୍ରଦର୍ଶନ କରିଛନ୍ତି, ସେହିପରି ବେତାର ବା ଆକାଶବାଣୀ ଅନୁଷ୍ଠାନରେ ମଧ୍ୟ ପ୍ରିଷ୍ଟ୍‌ଲି ପ୍ରମୁଖ ଶ୍ରେଷ୍ଠ ଇଂରେଜ ନାଟ୍ୟକାର ଓ କୃତୀ ରଚୟିତାଗଣ ନିଯୁକ୍ତି ରହି ତାହାରି ମାଧ୍ୟମରେ ସାହିତ୍ୟର ପ୍ରତିଷ୍ଠା ବୃଦ୍ଧି କରୁଛନ୍ତି ।

 

ଆକାଶବାଣୀ

 

ଭାରତରେ କଥାଚିତ୍ର ଅପେକ୍ଷା ଆକାଶବାଣୀର ସଙ୍ଗଠନ ସମ୍ପୂର୍ଣ୍ଣ ପୃଥକ୍‌ । ଆକାଶବାଣୀ ଅନୁଷ୍ଠାନଟି କେନ୍ଦ୍ରର ମିଳିତ ସରକାରଙ୍କଦ୍ୱାରା ପରିଚାଳିତ ହୁଏ; ତେଣୁ ତହିଁରେ ଉପଯୁକ୍ତ ଉଚ୍ଚଶିକ୍ଷିତ ବ୍ୟକ୍ତିମାନଙ୍କୁ ନିଯୁକ୍ତି କରାଯାଏ ଏବଂ ତହିଁରେ ବିଷୟ ନିର୍ବାଚନ ଓ ନୀତି ନିୟନ୍ତ୍ରଣ ମୁଖ୍ୟତଃ ସରକାରଙ୍କଦ୍ୱାରା କରାଯାଇଥାଏ । ଅବଶ୍ୟ ପରାମର୍ଶ ପାଇଁ ଗୋଟିଏ ଲେଖାଏଁ ବେସରକାରୀ କମିଟି ଗଠିତ ହୋଇଛି ।

 

ସେହି କାରଣରୁ ଆକାଶବାଣୀର ସମାଲୋଚନା କରାଗଲେ ତାହାର ପ୍ରତିକାର ଲାଗି ବ୍ୟବସ୍ଥା ଅଛି । ପୁଣି ସାହିତ୍ୟମାନଙ୍କୁ ଯତ୍‌କିଞ୍ଚିତ୍‌ କହିବାର ସୁଯୋଗ ମଧ୍ୟ ଏଥିରେ ମଧ୍ୟେ ମଧ୍ୟେ ମିଳିଥାଏ; ମାତ୍ର ଆକାଶବାଣୀର ଶ୍ରୋତା ଏବଂ ବେତାରଯନ୍ତ୍ରର କ୍ରେତା ଓଡ଼ିଶାରେ ଏତେ ଅଳ୍ପ ଯେ, ସେଥିଲାଗି କଟକରେ ଅଧିକ ଶକ୍ତିବିଶିଷ୍ଟ ଯନ୍ତ୍ର ରଖିବା ସମ୍ଭବପର ହେଉନଥିବାର ଶୁଣାଯାଏ । ଅଥଚ ଆସାମ ରାଜ୍ୟରେ ସୁଦ୍ଧା ଓଡ଼ିଶା ଅପେକ୍ଷା ବହୁଗୁଣରେ ବେଶି ସଂଖ୍ୟକ ବେତାରଯନ୍ତ୍ର ତଥା ଶ୍ରୋତା ଥିବାରୁ ଗୌହାଟି ଷ୍ଟେସନକୁ ଏବେ ଅଧିକ ଶକ୍ତିସମ୍ପନ୍ନ କରାଯାଇଛି ।

 

ଯାହାହେଉ, ବେତାର ସାହାଯ୍ୟରେ ଆମ୍ଭମାନଙ୍କର ଯେତିକି ସାହିତ୍ୟ ପ୍ରଚାରିତ ହେଉଛି, ତାହାକୁ ଉନ୍ନତ କରିବା ଲାଗି ସମାଲୋଚନାର ଅନେକ ଅବକାଶ ଅଛି । ଏବେ ପୁଣି କଥାଚିତ୍ର ସଙ୍ଗୀତ ବଦଳରେ ଲୋକସଙ୍ଗୀତ ଏବଂ ସମାଜ ଓ ରାଷ୍ଟ୍ରର କଲ୍ୟାଣ ତଥା ଉନ୍ନତି ବିଧାୟକ ବିଭିନ୍ନ ବିଷୟରେ ସଙ୍ଗୀତ ବେତାର ଅନୁଷ୍ଠାନ ମାଧ୍ୟମରେ ପ୍ରଚାର କରିବାର ସରକାରୀ ଉଦ୍ୟମ ହେଉଛି । ଆକଶବାଣୀ ଅନୁଷ୍ଠାନରେ ବ୍ୟବସାୟଗତ ଲାଭ ଆଶାର ପ୍ରଶ୍ନ ନଥିବାରୁ ସମ୍ପାଦକ ତଥା ଲେଖକମାନଙ୍କ ସହଯୋଗ ଓ ସୁପରାମର୍ଶ ଫଳରେ ଏହାର ଉନ୍ନତି ସହଜ ହୋଇପଡ଼ନ୍ତା ଏବଂ ଆମ୍ଭମାନଙ୍କ ସାହିତ୍ୟ ସଂସ୍କୃତିର ଉପଯୁକ୍ତ ବାହକରୂପେ ଏହି ଅନୁଷ୍ଠାନକୁ ଅକ୍ଳେଶରେ ବ୍ୟବହାର କରାଯାଇପାରନ୍ତା । ପତ୍ରପତ୍ରିକା ଓ ସାହିତ୍ୟିକ ଅନୁଷ୍ଠାନମାନେ ବିଶେଷତଃ ଉତ୍କଳ ସାହିତ୍ୟ ଏ ଦିଗରେ ସଚେଷ୍ଟ ହେବା ବାଞ୍ଛନୀୟ ।

 

କଟକ ବେତାର କେନ୍ଦ୍ର

 

କଟକ ବେତାର କେନ୍ଦ୍ରର ପରିଧି ମାତ୍ର ପଚାଶ ମାଇଲ; ଅର୍ଥାତ୍‌ କଟକକୁ କେନ୍ଦ୍ର କରି ତାହା ଚାରିପଟେ ପୁରୀଠାରୁ ଏକ ବୃତ୍ତ ଟାଣିଦେଲେ ଯେଉଁ ଅଞ୍ଚଳଟି ବୃତ୍ତ ଭିତରେ ରହିବ, କଟକର ବେତାର ବାର୍ତ୍ତା ତାହାର ଭିତରେ ଆବଦ୍ଧ । ଅନ୍ୟାନ୍ୟ ଜିଲାର ରାଜଧାନୀଗୁଡ଼ିକୁ ଛାଡ଼ିଦେଲେ ବ୍ରହ୍ମପୁର କିମ୍ୱା ବାଲେଶ୍ୱର ପର୍ଯ୍ୟନ୍ତ ପହଞ୍ଚିବାକୁ ସୁଦ୍ଧା ଏହାର ଶକ୍ତି ନାହିଁ । ତାହାର ଅସଲି ନଜିର ହେଉଛି, ଓଡ଼ିଶାରେ ବେତାରଯନ୍ତ୍ରର ସଂଖ୍ୟା ଆସାମ ରାଜ୍ୟଠାରୁ ମଧ୍ୟ ଅଧେ; ଅଥଚ କଟକ କେନ୍ଦ୍ରର ପ୍ରତିଷ୍ଠା ସମୟରେ ଗୌହାଟି କେନ୍ଦ୍ର ମଧ୍ୟ ପ୍ରତିଷ୍ଠିତ ହୋଇ ଉଭୟ ରାଜ୍ୟର ବେତାରଯନ୍ତ୍ର ସଂଖ୍ୟା ପ୍ରାୟ ସମାନ ଥିଲା ।

 

ଓଡ଼ିଶାରେ ବେତାର ଶ୍ରୋତାମାନଙ୍କ ସଂଖ୍ୟା ବଢ଼ୁନଥିବାର କାରଣ ଅବଶ୍ୟ ଅନେକ ଅଛି; କିନ୍ତୁ ଆର୍ଥିକ ଦୁରବସ୍ଥା କିମ୍ୱା ଅଶିକ୍ଷା ଦିଗରୁ ବିଚାର କଲେ ଆସାମ ଯେ, ଓଡ଼ିଶାଠାରୁ ଖୁବ୍ ଉନ୍ନତ, ଏ କଥା ତ ମନହୁଏ ନାହିଁ । ଅବଶ୍ୟ ଆସାମର ଭୌଗୋଳିକ, ରାଜନୀତିକ କିମ୍ୱା ସାମରିକ ପରିସ୍ଥିତିର ଗୁରୁତ୍ୱ ଓଡ଼ିଶା ସଂଖ୍ୟା ଓଡ଼ିଶା ଅପେକ୍ଷା ଦୁଇଗୁଣ ହେବାର କାରଣ କ’ଣ ସେଇଆ ହେବ ?

 

ପ୍ରାଗ୍‌ସ୍ୱାଧୀନତା କାଳରେ ଇଂରେଜ ସରକାରଙ୍କ ଦିଲ୍ଲୀ ଦପ୍ତରରେ ଆସାମ ସମ୍ୱାଦପତ୍ର ବା ସମ୍ୱାଦ ସାହିତ୍ୟର ସ୍ଥାନ ଓଡ଼ିଶା ଅପେକ୍ଷା ଉନ୍ନତ ଥିଲା । ସ୍ୱାଧୀନତା ପରେ ଓଡ଼ିଶା ଅନ୍ତତଃ ଆସାମର ସମସ୍କନ୍ଧ ହେବାକୁ ଅନେକେ ଆଶାକରିବା ସ୍ୱାଭାବିକ, ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ । ଆଜି ଯଦି କଟକ ବେତାର କେନ୍ଦ୍ରକୁ ଏକରୁ ଦଶଗୁଣ ଶକ୍ତିସମ୍ପନ୍ନ କରିଦିଆଯାଏ, ତା’ହେଲେ ଯେ ଏହି ରାଜ୍ୟରେ ବେତାର ସେଟ୍‌ ବା ଶ୍ରୋତାମାନଙ୍କ ସଂଖ୍ୟା ଶୀଘ୍ର ବଢ଼ିଯିବ, ଏହାର ମଧ୍ୟ କି ଗ୍ୟାରେଣ୍ଟି ଅଛି ?

 

କଟକ ଓ ଗୌହାଟି

 

ଅଳ୍ପ କେତେକ ବର୍ଷ ପୂର୍ବେ ଓଡ଼ିଶା ସରକାର ବହୁସଂଖ୍ୟକ ରେଡ଼ିଓ ସେଟ୍‌ ଖରିଦ କରି ରାଜ୍ୟ ତମାମ୍‌ ଯୋଗାଇବେ ବୋଲି ଯେଉଁ ପରିକଳ୍ପନା ହୋଇ କେତେଗୁଡ଼ିଏ ସେଟ୍‌ ଖରିଦ ହୋଇଥିଲା ଓ ତାହା ପରେ ଅଗ୍ନ୍ୟତ୍ପାତ ଆଦି ଦୁର୍ଘଟଣା ଫଳରେ ସେ ଯୋଜନାର କାର୍ଯ୍ୟକାରିତା ସମ୍ୱନ୍ଧରେ ଆଉ କିଛି ଶୁଣାଗଲା ନାହିଁ; ଆସାମ ରାଜ୍ୟର ସରକାରୀ ଦପ୍ତରରେ ସେହିଭଳି ଦୁର୍ଘଟଣା ଘଟିଥିଲା କି ନାହିଁ, ଆମ୍ଭମାନଙ୍କୁ ଅଗୋଚର । ତାହା ଘଟିଥିଲେ ବୋଧହୁଏ ସେ ରାଜ୍ୟରେ ଓଡ଼ିଶାର ଦୁଇଗୁଣ ରେଡ଼ିଓ ସେଟ୍‌ ଆଜି ବଢ଼ିପାରିନଥାନ୍ତା ।

 

ପଣ୍ଡିତମାନେ ଗତ କଥାକୁ ଶୋଚନା କରନ୍ତି ନାହିଁ ବୋଲି ଗୀତାରେ ଅଛି, ମାତ୍ର ‘‘ଆଗମୋଲା’ ଆଦୌ ପଣ୍ଡିତ ନୁହେଁ । ପୁଣି ପଣ୍ଡିତମାନେ କେବେହେଲେ ଆଗବୋଲା ନୁହନ୍ତି ବୋଲି ସେ ପହିଲୁ ସୂଚାଇ ଦେଇଛି; ତେଣୁ ନିକଟ ଅତୀତରେ ଘଟଣାବଳୀକୁ ସହଜେ ପାସୋରି ପକାଇବାର ସାମର୍ଥ ତାହାଠାରେ ନାହିଁ । ସେ କେବଳ ନିରୁପାୟ ହୋଇ ବ୍ୟାକୁଳ ନିବେଦନ କରୁଛି ମାତ୍ର ତାହାର ପାଠକମାନଙ୍କ ଦରବାରରେ । ତାହା ଛଡ଼ା ପୃଥିବୀର ଅନ୍ୟ କୌଣସି ଦରବାର ସଙ୍ଗେ ତା’ର ସମ୍ପର୍କ ନାହିଁ କି ସ୍ୱୀକୃତି ନାହିଁ । ନିବେଦନ କରୁଛି, ସାହିତ୍ୟ ସଂସ୍କୃତିର ଆଧୁନିକ ବାହକ ବେତାର ଅନୁଷ୍ଠାନର ଉନ୍ନତି ଦିଗରେ ଟିକିଏ ସେମାନେ ଭାବିବାକୁ, ବର୍ତ୍ତମାନ ଅବସ୍ଥାରୁ ସୁଧୁରିବା ପାଇଁ କିଛି ହେଲେ ଉପାୟ ବା ପ୍ରତିକାର କରିବାକୁ ।

Image

 

ସର୍ବୋଚ୍ଚ ବିଚାରାଳୟ

 

ଚଳଚ୍ଚିତ୍ର କିମ୍ୱା ବେତାର ଅନୁଷ୍ଠାନ ଭଳି ଆଉ କେତେଗୋଟି ଅନୁଷ୍ଠାନ ଅଛି, ଯେଉଁଠାରେ ସାହିତ୍ୟର ପାଠ ବା ଆଲୋଚନା କରାଯାଇଥାଏ । ପ୍ରାଚୀନ ଅନୁଷ୍ଠାନମାନଙ୍କ ମଧ୍ୟରେ ପାଲା, ସୁଆଙ୍ଗ, ରାସ, ରାମଲୀଳା, ଭଜନ, ସଂକୀର୍ତ୍ତନ, ଗୋଟିପୁଅ–ସଙ୍ଗୀତ, ଦଣ୍ଡନାଟ ବା ଦାସକାଠିଆ ଆଦି ପ୍ରଧାନ । ଭାଗବତ ଟୁଙ୍ଗି ପ୍ରାଚୀନ ସାହିତ୍ୟ ଆଲୋଚନାର ଯେପରି କେନ୍ଦ୍ର ଥିଲା, ସେହିଗୁଡ଼ିକ ଆଜି ସାହିତ୍ୟ–ସମିତି କିମ୍ୱା ସାହିତ୍ୟ–ସମାଜର ରୂପ ଘେନିଛି । ସାହିତ୍ୟାଲୋଚନାର ଆଧୁନିକ ମଧ୍ୟରେ ସର୍ବପ୍ରଧାନ ହେଲା କଟକରେ ଅବସ୍ଥିତ ଉତ୍କଳ ସାହିତ୍ୟ ସମାଜ ।

 

ଆମ୍ଭେମାନେ ବୋଧହୁଏ ଏଇ ଅନୁଷ୍ଠାନଟି ବିଷୟରେ ଏତେ ବେଶି ସଚେତନ ଯେ, ଶେଷରେ ତାକୁ ଏକପ୍ରକାର ପାସୋରି ଦେଇଛୁ । ଆଜି ଯେମିତି ଉତ୍କଳ ସାହିତ୍ୟ ସମାଜ ବୋଲି କୌଣସି ପଦାର୍ଥ ନାହିଁ; ଯଦି କିଛି ଥାଏ, ତାହା କେବଳ ଶ୍ରୀରାମଚନ୍ଦ୍ର ଭବନ । ଗଡ଼ଜାତ ରାଜାମାନଙ୍କର ଖାଲି ନାମ ଥାଇ ରାଜ୍ୟ ଲୋପ ପାଇଲାଭଳି ମାନବ ନଥାଇ ତାହା ଜନଶୂନ୍ୟ ହେଲାଭଳି ଉତ୍କଳ ସାହିତ୍ୟ ସମାଜ ନାମମାତ୍ର ତିଷ୍ଠି ରହିଛି କହିଲେ ଦୋଷାବହ ହେବ କି ? ଏଥିରେ ସାହିତ୍ୟାଲୋଚନା ଆଶାନୁରୂପ ହେଉନାହିଁ ଅଥବା ଏଇ ସର୍ବପ୍ରଧାନ କେନ୍ଦ୍ର ଅନୁଷ୍ଠାନର ନେତୃତ୍ୱ ଯେ ସାହିତ୍ୟ କ୍ଷେତ୍ରରେ ଅନୁଭୂତି ହେଉନାହିଁ, ସେଇ ତ୍ରୁଟିକୁ ଚିରକାଳ ବାହୁନି ବସିଲେ ବାହୁନା କେବଳ ସାର ହେବ ସିନା ! ସେଥିଲାଗି ଆଶୁ ପ୍ରତିକାରରେ ଉପାୟମାନ ଖୋଜିବାକୁ ହେବ । ଦରକାର ହେଲେ ଉପସ୍ଥିତ କର୍ମକର୍ତ୍ତାମାନଙ୍କୁ ସସମ୍ମାନରେ ଅନ୍ୟମାନଙ୍କ ପାଇଁ ସ୍ଥାନ ଛାଡ଼ିଦେବାକୁ ପଡ଼ିବ । ସମ୍ପୂର୍ଣ୍ଣ ନୂଆ ଯୋଜନା ବାଢ଼ି ସମାଜର ଗତିନିୟନ୍ତ୍ରଣ କରିବାକୁ ହେବ ।

 

ମାତ୍ର ଅସଲ କଥା ହେଉଛି, ଏସବୁ କରିବ କିଏ ? କିଏ ସମର୍ଥ ହେବ ବିଲେଇ ବେକରେ ଘଣ୍ଟି ବାନ୍ଧିବାକୁ ? ଏ ପ୍ରଶ୍ନର ଅବଶ୍ୟ ଗୋଟାଏ ସାଧାରଣ ଉତ୍ତର ହେଉଛି, ଦେଶର ସ୍ୱୟଂ ସାହିତ୍ୟିକମାନେ; କିନ୍ତୁ ସେମାନେ ପ୍ରତ୍ୟେକ ନିଜକୁ ଅନ୍ୟ ସାହିତ୍ୟିକଠାରୁ ବଡ଼ ବୋଲି ବିଚାରିବା ହେତୁରୁ ହେଉ କିମ୍ୱା ତାଙ୍କ ଭିତରେ ସଙ୍ଗଠନ ଶକ୍ତିର ଅଭାବ ଦୋଷରୁ ହେଉ, ଆଜିପର୍ଯ୍ୟନ୍ତ କେହି ସାହିତ୍ୟିକ କର୍ତ୍ତୃକ ଏ କଥା ସମ୍ଭବପର ହୋଇପାରିନାହିଁ । ଏହି କାରଣରୁ ସମୟେ ସମୟେ ବହୁ ଅସାହିତ୍ୟିକ ଅଭିନୟଦ୍ୱାରା ଉତ୍କଳ ସାହିତ୍ୟ ସମାଜର ପରମ୍ପରା ନଷ୍ଟ ହୋଇଯାଇଛି । ତେବେ ବର୍ତ୍ତମାନ ତ କେତେଜଣ ବିଶିଷ୍ଟ ସାହିତ୍ୟିକ ଏହି ଅନୁଷ୍ଠାନର କର୍ମକର୍ତ୍ତା ପଦରେ ଓ କାର୍ଯ୍ୟ–ନିର୍ବାହିକା କମିଟିରେ ଅଛନ୍ତି । କାହିଁ ? ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ନେତୃତ୍ୱ ଦେଲାଭଳି ବୈଶିଷ୍ଟ୍ୟ ଏ ସମାଜ ଅର୍ଜନ କରୁଥିବାର କି କି ସୂଚନା ମିଳୁଛି ?

 

ଆମର ଦୁର୍ଗତି

 

ଉତ୍କଳ ସାହିତ୍ୟ ସମାଜର ସଭାପତି ପଦରେ କାହାକୁ ବରଣ କରାଯିବ, ଏ ସମ୍ପର୍କରେ କଥା ଉଠିଥିଲାବେଳେ ଓଡ଼ିଶାର ଜଣେ ମୁଖ୍ୟ ବ୍ୟକ୍ତି ଥରେ ପରିହାସ ଛଳରେ ମନ୍ତବ୍ୟ ଦେଇଥିଲେ ଯେ ସ୍ୱନାମଧନ୍ୟ ବିଶ୍ୱାନାଥ କରଙ୍କୁ ସଭାପତି କରାଯାଉ । ସେତେବେଳେ ବିଶ୍ୱନାଥ ବାବୁ ଅବଶ୍ୟ ପରଲୋକରେ ! ଏବେ ସରକାରୀ ସ୍କୁଲ ଶିକ୍ଷକସଂଘର ଯେଉଁ ଅଧିବେଶନ ଅଳ୍ପଦିନ ପୂର୍ବେ କଲେଜିଏଟ୍‌ ସ୍କୁଲରେ ହୋଇଥିଲା, ତହିଁରେ ଆମ୍ଭମାନଙ୍କର ଶିକ୍ଷାମନ୍ତ୍ରୀ ନିଜର ସଭାପତି ଅଭିଭାଷଣରେ ଉତ୍କଳ ସାହିତ୍ୟ ସମାଜର ଦୁର୍ଦ୍ଦଶା ପ୍ରତି ସାଧାରଣଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

 

ସାହିତ୍ୟ ସମାଜର ମୁମୂର୍ଷୁ ଅବସ୍ଥାକୁ ଭାଙ୍ଗି ଏହା ଭିତରେ ନୂଆ ଜୀବନ ସଞ୍ଚାର କରିବାକୁ ହେଲେ କେତେଗୁଡ଼ିଏ କଥା ଅବଶ୍ୟ ବିଚାରିବାକୁ ଅଛି । ଏହା ଏକ ରାଜନୈତିକ ଅନୁଷ୍ଠାନ ନୁହେଁ ଯେ, ତାହା ଭିତରେ ଫୌଜଦାରୀ ଆରମ୍ଭ କରିଦେଲେ କିମ୍ୱା ଦଳପୃଷ୍ଟିରେ ଉପାୟ ଓ ଅପାୟମାନ ଅବଲମ୍ୱନ କରିଦେଲେ ନୂଆ ଜୀବନ ଖେଳିଯିବ; କିମ୍ୱା ଏହା କଟକ ମ୍ୟୁନିସିପାଲିଟି ନୁହେଁ ଯେ, ସରକାର ତାହାର ନିୟନ୍ତ୍ରଣ ନିଜ ହାତକୁ ନେଇ ସବୁ ଅଡ଼ୁଆ ସୁଧାରିଦେବେ । ପ୍ରକୃତ ସାହିତ୍ୟିକମାନଙ୍କର ସଂଗଠନ ଶକ୍ତି ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ସାହିତ୍ୟ–ସମାଜର ଦୃଷ୍ଟ ପରମ୍ପରା ନିଶ୍ଚୟ ଉଭେଇଯିବ ଏବଂ ନୂତନ ଶକ୍ତି ଜାଗ୍ରତ ହୋଇଉଠିବ । ଯଥାର୍ଥ ସାହିତ୍ୟିକମାନେ ହିଁ ଏହାର ନେତୃତ୍ୱ ପ୍ରତିଷ୍ଠା କରିବେ । ସବୁ କଳଙ୍କ ଦୂର କରି ଏହାକୁ ମାର୍ଜିତ ଓ ଶୁଦ୍ଧପୂତ ସଂଗଠନରୂପେ ଗଢ଼ିପାରିବେ କେବଳ ସେହିମାନେ । କାରଣ ଏହା ସେହିମାନଙ୍କର ହିଁ ସମ୍ପତ୍ତି ପ୍ରତି ଅନାସ୍ଥା ଓ ଅବହେଳା ଦେଖାଇ ଉଜାଡ଼ିଦେବା କୌଣସି ସାହିତ୍ୟିକ ସହ୍ୟ କରିନପାରେ ।

 

ମନେରଖିବାକୁ ହେବ, ଉତ୍କଳ ସାହିତ୍ୟ ସମାଜ ହିଁ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ସର୍ବୋଚ୍ଚ ବିଚାରାଳୟ । ଓଡ଼ିଆ ଭାଷାର ପ୍ରାଚୀନ ଓ ଆଧୁନିକ ରୂପ ସମ୍ୱନ୍ଧରେ ବିଚାର କରି ସିଦ୍ଧାନ୍ତରେ ଉପନୀତ ହେବାକୁ ଏହି ଅନୁଷ୍ଠାନ ହିଁ ଅଧିକାରୀ । ସାହିତ୍ୟର ଗତି ନିୟନ୍ତ୍ରଣ ଲାଗି ଏହାର ନିର୍ଦ୍ଦେଶ ହିଁ ଚୂଡ଼ାନ୍ତ ହେବ । ସାହିତ୍ୟ ସମାଜର ପୁନର୍ଗଠନ କରିବାକୁ ଗଲାବେଳେ ଆଉ ଏଣିକି ସଭ୍ୟ ଯୋଗାଡ଼ କରିବାକୁ ହେବନାହିଁ । ତାହାର ସଭ୍ୟପଦ ପାଇଁ ଯୋଗ୍ୟ ହେବାକୁ ପଡ଼ିବ–ନେପୋଲିୟନ ଯେପରି ଫରାସୀ ଏକାଡେମୀର ସଭ୍ୟପଦକୁ ନିଜ ନାମରେ ବ୍ୟବହାର କରିବା ପାଇଁ ଆପଣାକୁ ଗୌରବାନ୍ୱିତ ମନେକରିଥିଲେ, ଚର୍ଚିଲ ଯେପରି ସ୍ୱିଡ଼ିଶ ଏକାଡେମୀରୁ ନୋବେଲ ପୁରସ୍କାର ଲାଭ କରି ଗୌରବାନ୍ୱିତ ହୋଇଛନ୍ତି, ପ୍ରାଚୀନ ଭାରତରେ ମଧ୍ୟ ଏଭଳି ଦୃଷ୍ଟାନ୍ତ ଖୋଜି ବସିଲେ ଏକାଧିକ ମିଳିପାରେ ।

 

ସାହିତ୍ୟ ସମାଜର ପୁନର୍ଗଠନ ଦିଗରେ ଆର୍ଥିକ ଅଭାବ ହେବନାହିଁ ବୋଲି ଆମ୍ଭମାନଙ୍କର ବିଶ୍ୱାସ । ଓଡ଼ିଶାର ପ୍ରବୀଣ ଏବଂ ନବୀନ ବିଶିଷ୍ଟ ସାହିତ୍ୟିକମାନଙ୍କର ସମ୍ମିଳିତ ଉଦ୍ୟମ ହିଁ ଏଥିଲାଗି ସର୍ବପ୍ରଥମେ ଲୋଡ଼ା । ବ୍ୟକ୍ତିଗତ ଆତ୍ମଚାରିତା ପରିହାରପୂର୍ବକ ଦେଶର ଶ୍ରେଷ୍ଠ ସାହିତ୍ୟିକମାନେ ଏହି ପବିତ୍ର ଅନୁଷ୍ଠାନର ଐତିହ୍ୟ ଓ ମହତ୍ତ୍ୱ କରି ଭବିଷ୍ୟତ ସାହିତ୍ୟର ପଥପ୍ରଦର୍ଶକ ହୁଅନ୍ତୁ, ଏହା ଆମର କୃତାଞ୍ଜଳିପୁଟରେ ନିବେଦନ ।

Image

 

ପ୍ରଗତି-ପ୍ରତିକ୍ରିୟା

 

ଯୁଗ-ଯୁଗର ଐତିହ୍ୟ ପ୍ରତିଷ୍ଠା କରିଥିବା ପୃଥିବୀପ୍ରସିଦ୍ଧ ଫରାସୀ ଏକାଡେମୀ କିମ୍ୱା ଆଧୁନିକ ଆନ୍ତର୍ଜାତିକ ସାହିତ୍ୟ ଓ ସଂସ୍କୃତିର ଶ୍ରେଷ୍ଠ ପରିମାପକ ସ୍ୱିଡ଼ିଶ ଏକାଡେମୀ ସଙ୍ଗେ ଆମ୍ଭମାନଙ୍କ ଉତ୍କଳ ସାହିତ୍ୟ ସମାଜର ନାମୋଲ୍ଲେଖ କରିବା ଅବଶ୍ୟ ହଂସଗତି ସଙ୍ଗେ ବଗଚାଲ କିମ୍ୱା ରାଣୀ ସଙ୍ଗେ କାଣୀର ତୁଳନା କଲାପରି ହାସ୍ୟାସ୍ପଦ ହେବାର କଥା । ଏଥିପୂର୍ବରୁ ଆମେ କେବଳ ସେ ଦୁଇଟି ବୈଦେଶିକ ଅନୁଷ୍ଠାନକୁ ଆଦର୍ଶ ଭାବରେ ସୂଚାଇଥିଲୁ ।

 

ବ୍ୟକ୍ତିଗତ ସୃଷ୍ଟି

 

ଉତ୍କଳ ସାହିତ୍ୟ ସମାଜର ଆନୁଷ୍ଠାନିକ କ୍ରିୟା ଯାହାହେଉ ପଛେ, ସାହିତ୍ୟ ଏକ ବ୍ୟକ୍ତିଗତ ସୃଷ୍ଟି । ଉତ୍କଳ ସାହିତ୍ୟ ସମାଜ ସେ ସୃଷ୍ଟିରେ ସାହାଯ୍ୟ କରିବ, ପ୍ରେରଣା ବା ଉତ୍ସାହ ଦେବ କିମ୍ୱା ତାହାର ପୃଷ୍ଟି ଓ ଉନ୍ନତିକଳ୍ପେ ଗତିନିୟନ୍ତ୍ରଣ କରିବ ମାତ୍ର । ପ୍ରକୃତ ସାହିତ୍ୟ ସୃଷ୍ଟି କରନ୍ତି କବି, ଔପନ୍ୟାସିକ, ପ୍ରବନ୍ଧକାର ଓ ନାଟ୍ୟକାରମାନେ । ଯେଉଁସବୁ କାରଣରୁ ଆଧୁନିକ ଓଡ଼ିଆ କବିତା ବା ଉପନ୍ୟାସ ଆଦି ଆଶାନୁରୂପ ବଳିଷ୍ଠ ହୋଇପାରୁନାହିଁ, କଳାଦୃଷ୍ଟିରୁ ପୁଣି ଚିନ୍ତାଦୃଷ୍ଟିରୁ ଅଗ୍ରଗାମୀ ନ ହୋଇପାରି ପଙ୍ଗୁ ହୋଇପଡ଼ୁଛି; ତାହାର ଅଳ୍ପ କିଛି ସୂଚନା ଆମ୍ଭେମାନେ ଏଥିପୂର୍ବରୁ ଦେଇଛୁଁ । ସେ ସକଳ ବ୍ୟାଧିର ନିରାକରଣ ଉପାୟ ପ୍ରତି ଲେଖକଙ୍କଠାରେ ହିଁ ନିହିତ ।

 

ସ୍ଥାୟିତ୍ୱ

 

ଫକୀରମୋହନ, ରାଧାନାଥ କିମ୍ୱା ମଧୁସୂଦନଙ୍କ ଯୁଗ ପରେ ଆଧୁନିକ ସାହିତ୍ୟ ବୋଲି ଯେଉଁସବୁ କବିତା, ଗଦ୍ୟ, ଉପନ୍ୟାସ ବା ନାଟକରେ ସୃଷ୍ଟି ଆମ ସାହିତ୍ୟରେ ଆଜି ସୁଦ୍ଧା ସମ୍ଭବ ହୋଇପାରିଛି, ସେ ସମ୍ପର୍କରେ କୌଣସି ସିଦ୍ଧାନ୍ତରେ ହଠାତ୍‌ ପହଞ୍ଚିବାର ନିରାପଦ ସମୟ ଆସିଲାଣି କି ନାହିଁ, ତାହା ବିଚାର କରିବାକୁ ଗଲେ ଏକ ସନ୍ଦେହମୂଳକ ପରିସ୍ଥିତିରେ ହିଁ ପହଞ୍ଚିବାକୁ ହୋଇଥାଏ । ଏହି ସମୟ ମଧ୍ୟରେ ଭାଷା ଓ ଛନ୍ଦ ଯେଉଁ ନବ ରୂପ ପରିଗ୍ରହ କରିଛି, ବୈଦେଶିକ ବିଭିନ୍ନ ସାହିତ୍ୟର ପ୍ରଭାବ ଫଳରେ ଏବଂ ନବୀନ ଲେଖକମାନଙ୍କରେ ସ୍ୱତନ୍ତ୍ର ପ୍ରକାଶଭଙ୍ଗୀ ଆବିଷ୍କାର କରିବାର ପ୍ରୟାସ ବଳରେ ଯେତେ ଆଧୁନିକ ଛନ୍ଦ ବା ଶବ୍ଦସମ୍ଭାରରେ ଦିନକୁଦିନ ଆମ ସାହିତ୍ୟ ସମୃଦ୍ଧ ହୋଇଉଠୁଛି, ସେଥିମଧ୍ୟରୁ କିଏ ସ୍ଥାୟୀ ବା ଅସ୍ଥାୟୀ, ପୁଣି କିଏ ଗ୍ରହଣୀୟ ବା ପରିତ୍ୟାଜ୍ୟ ତାହାର ବିଚାର ଭବିଷ୍ୟତ କାଳହିଁ ଅବଶ୍ୟ କରିବ । ଭବିଷ୍ୟତରେ ପୁଣି ସାହିତ୍ୟର କେତେ ରୂପ ପ୍ରକଟିତ ହେବ, ତାହା ଆଜିଠାରୁ କହି ହେବନାହିଁ ।

 

ପ୍ରଗତି-ପ୍ରତିକ୍ରିୟା

 

ଆମ୍ଭମାନଙ୍କ ସାମାଜିକ ଜୀବନ ଓ ସାମାଜିକ ସଂଗଠନ ଯେପରିକି ଏକ ପ୍ରଗତି–ପ୍ରତିକ୍ରିୟାର ଅନିଶ୍ଚିତତା ମଧ୍ୟରେ ଘଣ୍ଟାର ପେଣ୍ଡୁଲମ୍‌ ଭଳି ଅହରହ ଦୋଳାୟମାନ ହେଉଛି; ବିଭିନ୍ନ ବୈଦେଶିକ ପ୍ରଭାବ ଯୋଗୁଁ ସାମାଜିକ ସ୍ଥିରତା ନିର୍ଣ୍ଣୟ କରିବା ଯେପରି କଠିନ ହୋଇପଡ଼ିଛି, ସାହିତ୍ୟ ଉପରେ ସେ ପ୍ରଭାବ ପ୍ରତିଫଳିତ ହେବା ମଧ୍ୟ ସ୍ୱାଭାବିକ; କିନ୍ତୁ ଘଣ୍ଟାର ପେଣ୍ଡୁଲମ ଅହରହ ଦୋଳାୟମାନ ହେବାଫଳରେ ତାହାର କଣ୍ଟା ଯେ, ଅନବରତ ଅଗ୍ରଗାମୀ ହୋଇ ସମୟର ଗତିକୁ ଚିହ୍ନାଇ ଦେଇଚାଲିଥାଏ, ସାହିତ୍ୟ ଓ ସମାଜ ନିର୍ମାଣର ପ୍ରତ୍ୟକ୍ଷ ଭୂତ ଏଇ ଅନିଶ୍ଚତତା ଭିତରେ ସେଇପରି କେତେଦୂର ଅଗ୍ରଗତି ନିହିତ ଅଛି, ତାହା ଲକ୍ଷ୍ୟ ରଖିବା ଆବଶ୍ୟକ । ଦ୍ୱନ୍ଦ୍ୱ ଓ ସଂଶୟ ମଧ୍ୟରେ ହିଁ ସମାଧାନର ପଥ ଗଠିତ ହୋଇଥାଏ ।

 

ଆମ ମତାମତ

 

ଜ୍ୟୋତିଷୀମାନଙ୍କ ମତରେ ଗ୍ରହ ଉପଗ୍ରହ ତଥା ନିଜ ବାସଭୂମି ଏଇ ପୃଥିବୀ ଗ୍ରହର ଗତି ଓ ଅବସ୍ଥିତି କାଳକ୍ରମେ ବଦଳିଯାଉଥିବା ସ୍ଥଳେ ସାହିତ୍ୟ ବିଷୟକ ଆମ ମତାମତ ସର୍ବଦା ଅଭ୍ରାନ୍ତ ହେବାର ଔଦ୍ଧତ୍ୟ ଆମ୍ଭେମାନେ କେବେହେଲେ ପୋଷଣ କରୁନାହୁଁ । ତଥାପି ସମୟ ଉପରେ ଏବଂ ଜାଗତିକ ଅବଶ୍ୟମ୍ଭାବୀ ପ୍ରକ୍ରିୟା ଓ ନିୟମ ଉପରେ ଆଧୁନିକ ସାହିତ୍ୟର ସିଦ୍ଧାନ୍ତକୁ ସମ୍ପୂର୍ଣ୍ଣରୂପେ ଛାଡ଼ିଦେବାର ନିଷ୍କ୍ରିୟତାକୁ କେହି କେବେ ବରଣ କରିପାରେ ନାହିଁ । ନିଶ୍ଚେଷ୍ଟତା ଜୀବନର ଲକ୍ଷଣ ନୁହେଁ । ଏହି ବିଚାରରୁ ଆମ ମତାମତ ଯେ ସର୍ବଥା ସଂଶୋଧନୀୟ, ସେ କଥା ତ ଆଗରୁ କହିସାରିଛୁ ।

 

ଆଧୁନିକତା

 

ବିଦେଶୀ ଛାଞ୍ଚରେ ଢଳାଇଦେଇ ଭାଷାକୁ ଶବ୍ଦାୟିତ କଲେ କିମ୍ୱା କ୍ରିୟାଗୁଡ଼ିକୁ କର୍ତ୍ତାସ୍ଥାନରେ ବସାଇଦେଲେ ଆଧୁନିକ ଗଦ୍ୟ ହେବ କି ନାହିଁ; ଯକୌଣସି ଛନ୍ଦହୀନ ଗଦ୍ୟକବିତା ଲେଖି ଆମେ ଓଆଲ୍‌ଟ ହୁଇଟ୍‌ମ୍ୟାନ୍‌ ବା ଟି.ଏସ୍‌.ଇଲିୟଟ୍‌ଙ୍କ ସଙ୍ଗେ ସମକକ୍ଷ ହେବା କି ନାହିଁ; ଚଳଚ୍ଚିତ୍ରରୁ ବିଷୟବସ୍ତୁ, ନୃତ୍ୟ, ଗୀତ ଗ୍ରହଣ କରି ପୁଣି ଅନ୍ୟ ଭାଷାରୁ କଥୋପକଥନକୁ ଭାଷାନ୍ତରିତ କରି ରଙ୍ଗମଞ୍ଚରେ ପ୍ରଦର୍ଶନ କଲେ ତାହା ଶ୍ରେଷ୍ଠ ନାଟକ ହେବ କି ନାହିଁ; ରାସ୍ତାକଡ଼ରୁ କୁତ୍ସିତ ଓ ନୀଚ ଭାଷା ଗୋଟାଇଆଣି ଅନ୍ୟପ୍ରତି ନିକ୍ଷେପ କରିବା ଫଳରେ ସମାଜ ଓ ସାହିତ୍ୟର ବାୟୁମଣ୍ଡଳକୁ ଦୂଷିତ କଲେ, ଜନସନ୍‌ଙ୍କ ସମାଲୋଚନା ସଙ୍ଗେ ବା ବର୍ଣ୍ଣାଡ଼୍‌’ଶ କିମ୍ୱା ଗୋଗୋଲ୍‌ଙ୍କ ଅପୂର୍ବ ବ୍ୟଙ୍ଗ ସୃଷ୍ଟି ସଙ୍ଗେ ତାହାକୁ ତୁଳନା କରିବା କି ଅନ୍ୟକୌଣସି ସମ୍ଭବଯୋଗ୍ୟ ଅଜ୍ଞାତନାମା ପାର୍ଥିବ ବସ୍ତୁ ସଙ୍ଗେ ତୁଳନା କରିବା; ଈର୍ଷା, ଦ୍ୱେଷ ଓ ଅସୂୟାର ଅର୍ଥ ହିଁ ସାହିତ୍ୟିକ ସମାଲୋଚନା ହେବ କିମ୍ୱା ସମାଲୋଚନାର ଆଉ କିଛି ବଡ଼ ଉଦ୍ଦେଶ୍ୟ ଅଛି; ଇଂରେଜ ଅଧିକାର ଅମଳରୁ ଭାରତୀୟ ଅନ୍ୟାନ୍ୟ ସାହିତ୍ୟ ସଙ୍ଗେ ଓଡ଼ିଆ ସାହିତ୍ୟ ଯେପରି ନାନାଭାବରେ ଇଂରେଜୀ ସାହିତ୍ୟର ଅନୁବର୍ତ୍ତୀ ହୋଇଆସିଥିଲା, ଆଜି ସେହି ପନ୍ଥା ଅନୁସରଣ କରିବ କିମ୍ୱା ନୂତନ ସମାଜ ଗଠନ ସଙ୍ଗେ ଅଭିନବ ସାହିତ୍ୟ ନିର୍ମାଣ କରୁଥିବା ରୁଷୀୟ ଆଦର୍ଶକୁ ଗ୍ରହଣ କରିବ–ଏହି ସମସ୍ତ ବିଷୟରେ ଅନ୍ୟମାନଙ୍କ ପରି ଆମ୍ଭମାନଙ୍କର ମଧ୍ୟ କହିବାର ହକ୍‌ ଅଛି ।

 

ଫକୀରମୋହନଙ୍କ ପରବର୍ତ୍ତୀ ସାହିତ୍ୟ ଭିତରେ ଆମ୍ଭମାନଙ୍କୁ ଏହି ସକଳ ପ୍ରଶ୍ନର ଉତ୍ତର ଖୋଜିବାକୁ ହେବ । ଅବଶ୍ୟ ଏହି ସୁଦୀର୍ଘ କାଳର ସବୁ ସାହିତ୍ୟମାନଙ୍କ ସାହିତ୍ୟାଲୋଚନା ପୁଙ୍ଖାନୁପୁଙ୍ଖରୂପେ କରିବା ଆମ ପକ୍ଷରେ ଏକା ସମ୍ଭବ ନୁହେଁ । ପାଠକମାନଙ୍କ ଚିନ୍ତା ଓ ବିଚାର ସାହାଯ୍ୟ ମଧ୍ୟ ଏଥିପାଇଁ ବହୁ ଅଂଶରେ ଲୋଡ଼ା ।

Image

 

ତିନିଗୋଟି ସ୍ତମ୍ଭ

 

ଆଧୁନିକ ସାହିତ୍ୟର ଗୂଢ଼ତତ୍ତ୍ୱ ଭିତରକୁ ନ ପଶି କେବଳ ଉପର ଚେହେରାକୁ ଚାହିଁଲେ, ଆଗ ହୋଇ ନଜରରେ ପଡ଼େ ଯେ ଏହା ଗଦ୍ୟବହୁଳ । ଫକୀରମୋହନଙ୍କ ପୂର୍ବେ ଯେଉଁମାନେ ଓଡ଼ିଆ ଗଦ୍ୟର ମୂଳଦୁଆ ପକାଇଥିଲେ, ସେମାନେ ଉପସ୍ଥିତ ଆଲୋଚନାର ଅନ୍ତର୍ଭୁକ୍ତ ନୁହନ୍ତି । ତାହା କରିବାକୁ ଗଲେ ଏକାବେଳେ ମାଦଳା ପାଞ୍ଜିଯୁଗକୁ ଫେରିଯିବାକୁ ପଡ଼ିପାରେ ତଥା ଆଲୋଚନାର ପରିସର ଓଡ଼ିଆ ଗଦ୍ୟର ଏକ ଧାରାବାହିକ ଇତିହାସ ଲେଖିବାରେ ପରିଣତ ହେବାର ଆଶଙ୍କା ବିଦ୍ୟମାନ ।

 

ବିଶ୍ୱନାଥ କର

 

ଆଲୋଚନାକୁ ଅଧିକ ସୀମାବଦ୍ଧ ଓ ଏକାଗ୍ର କରିବା ଲାଗି ଫକୀରମୋହନଙ୍କୁ ହିଁ ଆଧୁନିକ ଗଦ୍ୟର ନିର୍ମାତା ବୋଲି ଆମେ ଧରିନେଇପାରୁଁ । ତାଙ୍କର ସମସାମୟିକ ବା ପରବର୍ତ୍ତୀ ଗଦ୍ୟସ୍ରଷ୍ଟାମାନଙ୍କ ମଧ୍ୟରେ ବିଶ୍ୱନାଥ କର ହିଁ ପ୍ରଧାନ । ବିଶ୍ୱାନାଥଙ୍କ ସ୍ୱଳ୍ପ ପ୍ରବନ୍ଧ ସମଷ୍ଟି ଏବଂ ‘ଉତ୍କଳ ସାହିତ୍ୟ’ର ଧାରାବାହିକ ସମ୍ପାଦକୀୟଗୁଡ଼ିକରେ ଗଦ୍ୟ–ଭାଷାର ମାର୍ଜିକ ରୂପ ଯେଉଁ ପରିମାଣରେ ପ୍ରକଟିତ ହୋଇପାରିଛି ପୁଣି ପ୍ରକାଶଭଙ୍ଗିର ନିର୍ଭୀକତା ସଙ୍ଗେ ଯୁକ୍ତିର କଠୋରତାଦ୍ୱାରା ତାହା ଯେପରି ଭାବଗର୍ଭକ ହୋଇପାରିଛି, ସ୍ୱଳ୍ପ ହେଲେ ସୁଦ୍ଧା ସେଥିସଙ୍ଗେ ବହୁଗୁଣ ଓଜନର ଅନ୍ୟାନ୍ୟ ଓଡ଼ିଆ ଗଦ୍ୟକୁ ତୁଳନା କରାଯାଇପାରେ । ତାଙ୍କ ବିକ୍ଷିପ୍ତ ରଚନାସବୁ ପୁସ୍ତକାକାରରେ ପ୍ରକାଶିତ ହେବା ବାଞ୍ଛନୀୟ ।

 

କ୍ଷୟିଷ୍ଣୁ ପ୍ରାଚୀନ ଆଚାରପଦ୍ଧତିର ପ୍ରତିବାଦ ବିଶ୍ୱାନାଥଙ୍କ ଭାଷାରେ ଧ୍ୱନିତ ହେବାର କାରଣ ଅବଶ୍ୟ ଥିଲା । ଫକୀରମୋହନଙ୍କ ଭଳି ସେ ବ୍ରାହ୍ମମତାବଲମ୍ୱୀ ଥିଲେ ଏବଂ ସେତେବେଳେ ବ୍ରାହ୍ମମାନଙ୍କ ଦୃଷ୍ଟିକୋଣ ସମାଜକୁ ନୂଆ ରୂପରେ ଦେଖିବା ଲାଗି ନିବଦ୍ଧ ଥିଲା । ଉପନିଷଦ୍‌ର ଏକେଶ୍ୱରବାଦରେ ପ୍ରଣୋଦିତ ବ୍ରାହ୍ମମତ ସେତେବେଳେ ଭାରତୀୟ ସାଂସ୍କୃତିକ ଚିନ୍ତାଧାରାର ଅଗ୍ରଦୂତ ହୋଇପଡ଼ିଥିଲା । ଅତୀତ ଭାରତ ଯେଭଳି ଶକ, ହୁନ, ଗ୍ରୀକ୍, ମୋଗଲ ଆଦି ସଂସ୍କୃତିକୁ ହଜମ କରିନେବାକୁ ଆଗୁଆ ହୋଇପଡ଼ିଥିଲା ସେତେବେଳେ ବ୍ରାହ୍ମବାଦ ।

 

ବ୍ରାହ୍ମମତର ପ୍ରଭାବ

 

ଅତୀତରେ ବୁଦ୍ଧ ଚୈତନ୍ୟଙ୍କ ପ୍ରଭାବ ପରି ବର୍ଣ୍ଣିତ ଯୁଗରେ ବ୍ରାହ୍ମମତର ପ୍ରଭାବ ସାହିତ୍ୟକୁ ସାମାନ୍ୟ ଦାନ କରିନାହିଁ । ଚୈତନ୍ୟଙ୍କ ଶୁଦ୍ଧାଭକ୍ତି କିମ୍ୱା ‘ଅତିବଡ଼ି’ ଜଗନ୍ନାଥ ଦାସଙ୍କ ଜ୍ଞାନ–ମିଶ୍ରା ଭକ୍ତି ଦୀନକୃଷ୍ଣ, ଅଭିମନ୍ୟୁ, ଭକ୍ତଚରଣ, ଗୋପାଳକୃଷ୍ଣ ଓ କବିସୂର୍ଯ୍ୟ ଆଦି ସାହିତ୍ୟ ସୃଷ୍ଟି ପାଇଁ ଯେପରି ଦାୟୀ, ସେହିପରି ଆଧୁନିକ ବ୍ରାହ୍ମମତ ପ୍ରଭାବରେ ଓଡ଼ିଶାର ମଧୁସୂଦନ ଓ ବିଶ୍ୱନାଥଙ୍କଠାରୁ ବଙ୍ଗର ରବୀନ୍ଦ୍ର ସାହିତ୍ୟ ପର୍ଯ୍ୟନ୍ତ ପ୍ରଭାବାନ୍ୱିତ । ଫକୀରମୋହନଙ୍କର ବିଶେଷତ୍ୱ ଏହି ଯେ, ବ୍ରାହ୍ମଧର୍ମର ସାମାଜିକ ସଂସ୍କାର ନୀତିକୁ ସେ ଗ୍ରହଣ କରିଥିଲେ ହେଁ ତାହାର ଏକେଶ୍ୱର ଭକ୍ତିକୁ ସ୍ପଷ୍ଟତଃ ସ୍ୱୀକାର କରିନାହାନ୍ତି । ବରଂ ‘ବୌଦ୍ଧାବତାର’ କାବ୍ୟର ରଚୟିତାଙ୍କୁ ନିରୀଶ୍ୱର କହିବାର କାରଣ ଅଛି । ତାହାଙ୍କ ଦାୟାଦ ମୋହିନୀମୋହନଙ୍କଠାରେ ଏହି ଦର୍ଶନ ଉତ୍କଟତର ହୋଇ ଦେଖାଦେଇଥିଲା ।

 

ଜଳନ୍ଧର ଦେବ

 

ଫକୀରମୋହନ–ସାହିତ୍ୟର ଦର୍ଶନ ପରବର୍ତ୍ତୀ ଯେଉଁ ଲେଖକମାନଙ୍କଠାରେ ଫୁଟିଥିଲା, ସେମାନଙ୍କ ଭିତରୁ ବୋଧହୁଏ ସ୍ୱର୍ଗୀୟ ଜଳନ୍ଧର ଦେବ ସର୍ବପ୍ରଥମେ ଆଖିଆଗରେ ପଡ଼ନ୍ତି । ତାଙ୍କର ସୁଯୋଗ୍ୟପୁତ୍ର ହରପ୍ରସାଦ ଓ ହରିପ୍ରସାଦ ଦେବ ଜଳନ୍ଧରଙ୍କ ରଚନାବଳୀ ସଂଗ୍ରହ ଓ ପ୍ରକାଶ କରିବେ ବୋଲି ଆଶା କରାଯାଏ ।

 

ଜଳନ୍ଧରଙ୍କ ନିରପେକ୍ଷ ବେଦତତ୍ତ୍ୱ ବ୍ୟାଖ୍ୟା–ଧର୍ମ, ଆଚାର, ସମାଜ ଓ ବ୍ୟକ୍ତିଗତ ମତାମତ ପୁଣି ବିଶ୍ୱାସ ସମ୍ପର୍କରେ ତାଙ୍କର ବିଭିନ୍ନ ବିକ୍ଷିପ୍ତ ପ୍ରବନ୍ଧଗୁଡ଼ିକୁ ଦେଖିଲେ ମନେହୁଏ, ଓଡ଼ିଆ ସାହିତ୍ୟର ଚିନ୍ତାରାଜ୍ୟରେ ସେ ଯେଉଁ ବିପ୍ଳବ ସୃଷ୍ଟି କରି ସ୍ୱାତନ୍ତ୍ର୍ୟ ପ୍ରତିଷ୍ଠା କରି ଯାଇଛନ୍ତି, ତାହା ଅତୁଳନୀୟ । କିନ୍ତୁ ଭାଷାରାଜ୍ୟରେ ତାଙ୍କର ସ୍ୱାତନ୍ତ୍ର୍ୟ ଲକ୍ଷ୍ୟ କରିବା କଠିଣ । ତାଙ୍କର ପ୍ରତ୍ୟେକ ଆଲୋଚନାମୂଳକ ପ୍ରବନ୍ଧରେ ପ୍ରଗତିଶୀଳ ସାହିତ୍ୟର ବାସ୍ତବ ଦୃଷ୍ଟିକୋଣର ପରିଚୟ ମିଳେ । ପ୍ରତ୍ୟେକ ଯୁକ୍ତି ଯେପରି ଶାଣିତ ଓ ଶୋଧିତ, ସେହିଭଳି ନଗ୍ନ ଓ ନିରପେକ୍ଷ; କିନ୍ତୁ ଜଳନ୍ଧରଙ୍କ ଭାଷା ବହୁକାଂଶରେ ଦାର୍ଶନିକ, ଅଳ୍ପାଂଶରେ ସାହିତ୍ୟିକ ।

 

ଫକୀରମୋହନ–ଦର୍ଶନର ଏକ ଗଭୀର ପାଣ୍ଡିତ୍ୟପୂର୍ଣ୍ଣ ଗବେଷଣା ଓ ବିଶ୍ଳେଷଣ ରୂପେ ଜଳନ୍ଧରଙ୍କ ରଚନାବଳୀକୁ ଗ୍ରହଣ କରାଗଲେ, ତାହା ଯେ କଦାପି ଅନୁସରଣ ନ ହୋଇ ସ୍ୱୀୟ ସ୍ୱତନ୍ତ୍ର୍ୟ ଉପରେ ହିଁ ସଗୌରବେ ଅଧିଷ୍ଠିତ, ଏ କଥାକୁ କଦାପି ଫାଙ୍କି ମାରି ଉଡ଼ାଇ ଦେଇହେବ ନାହିଁ । ସମାଜବେଷ୍ଟନୀ ଓ ପରିସ୍ଥିତି ଉପରେ ଅଧୁନାତନ ପ୍ରଗତିଶୀଳ ବାସ୍ତବ ଦୃଷ୍ଟିକୋଣରୁ ଜଳନ୍ଧରଙ୍କ ଅପେକ୍ଷା ଆଉ କେହି ବୋଧହୁଏ ବଡ଼ ରାୟ ଦେଇନାହାନ୍ତି ।

 

ଗୋପାଳଚନ୍ଦ୍ର ପ୍ରହରାଜ

 

ଗଦ୍ୟର ଦର୍ଶନଭଙ୍ଗିକୁ ଗଭୀରତାର ସ୍ପଷ୍ଟତର କରିଦେବାରେ ଜଳନ୍ଧରଯେଭଳି ସମର୍ଥ ହେଲେ, ସେହିଭଳି କିମ୍ୱର ତଦପେକ୍ଷା ଅଧିକ ସମର୍ଥ ହେଲେ, ଗଦ୍ୟର ଭାଷାକୁ ଅଧିକ ଜନପ୍ରିୟ ଓ ଉପଭୋଗ୍ୟ କରିବାରେ ଗୋପାଳଚନ୍ଦ୍ର ପ୍ରହରାଜ । ଅବଶ୍ୟ ଜଳନ୍ଧରଙ୍କ ଭାଷାଭଳି ଗୋପାଳଚନ୍ଦ୍ରଙ୍କ ଭାଷା ତଥ୍ୟପୂର୍ଣ୍ଣ ଗଭୀର ନ ହେଲେ ମଧ୍ୟ ତାହା ଯଥେଷ୍ଟ ବେଶି ରସମୟ ଓ ବହୁଜନର ବୋଧଗମ୍ୟ ତଥା ସୁଖପାଠ୍ୟ ।

 

ଗୋପାଳଚନ୍ଦ୍ରଙ୍କ ଭାଷା–ସୃଷ୍ଟିରେ ଫକୀରମୋହନଙ୍କ କଥା–ସୃଷ୍ଟିର ସନ୍ଧାନ ମିଳୁ ନ ଥିଲେହେଁ ତହିଁରେ ଯେଉଁ କଥକତା ଅଛି, ତାହା ଅନିତିକ୍ରମ୍ୟ; ଯେଉଁ ବ୍ୟଙ୍ଗ ଓ ହାସ୍ୟରସ ଅଛି, ତାହା ଓଡ଼ିଆ ଗଦ୍ୟରେ ଦୁର୍ଲଭ । ଭାଷା ନିର୍ମାଣରେ ଅନବଦ୍ୟ ଛନ୍ଦମାଧୁରୀ ଭିତରେ ଗୋପାଳଚନ୍ଦ୍ରଙ୍କ ଶବ୍ଦ–ସୃଷ୍ଟିର ଅସରନ୍ତି ପ୍ରତିଭା ବିକଶିତ ହୋଇଉଠିଛି । ତାଙ୍କ ଶବ୍ଦ–ସୃଷ୍ଟିର ବିପୁଳ ସମ୍ଭାର ଶେଷରେ ‘‘ଭାଷାକୋଷ’’ ଗ୍ରନ୍ଥରୂପେ ଆତ୍ମପ୍ରକାଶ କରିଛି ।

 

ବ୍ୟଙ୍ଗ ଓ ହାସ୍ୟରସର ଅବତାରଣା କରିବାକୁ ଯାଇ ଗୋପାଳଚନ୍ଦ୍ର ଯେଉଁ ଅଶ୍ଳୀଳତାର ଆଶ୍ରୟ ନେଇଛନ୍ତି, ତାହା ଯେପରି ତାଙ୍କର ଅବିଶ୍ରାନ୍ତ ବିପୁଳ ଶବ୍ଦସ୍ରୋତ ମୁଖରେ କାହିଁ ଭାସି ବିଲୀନ ହୋଇଯାଇଛି । ତାହା ଭିତରୁ ଭାତିଉଠିଛି ସୁନିର୍ମଳ ରସିକତା । ତେବେ ତାହା କେବଳ ରସିକତା ମଧ୍ୟରେହିଁ ପର୍ଯ୍ୟବେସିତ ହୋଇପଡ଼ିଛି ।

 

ଉତ୍କୃଷ୍ଟ ବ୍ୟଙ୍ଗ ଓ ହାସ୍ୟର ସ୍ଥାନ ଯେ ସାହିତ୍ୟାକାଶର ବହୁ ଊର୍ଦ୍ଧ୍ୱରେ, ରସିକ ଗୋପାଳଚନ୍ଦ୍ର ଏ କଥାଟିକୁ ଯେପରି ପ୍ରାୟ ପାସୋରି ପକାଇଛନ୍ତି, ବ୍ୟଙ୍ଗ ସାହାଯ୍ୟରେ ଆଧୁନିକ ସମାଜର ଦୁର୍ନୀତି ଓ ଦୁଷ୍ଟାଚାରଗୁଡ଼ିକୁ ଆଘାତ କରି ନୂତନ ସମାଜଗଠନ ଦିଗରେ ଯେ ମୂଲ୍ୟବାନ ଦାନ କରାଯାଇପାରେ, ଫକୀରମୋହନଙ୍କ ଗଦ୍ୟକୁ ନୂତନ ରୂପ ଦେଲାବେଳେ ଗୋପାଳଚନ୍ଦ୍ର ଏ ସତ୍ୟଟିକୁ ତାଙ୍କ ସାହିତ୍ୟରୁ ଧରିପାରିନାହାନ୍ତି ଅବା ଯଥାଯଥ ରୂପେ !

 

ଲକ୍ଷ୍ୟହୀନ, ଉଦ୍ଦେଶ୍ୟଶୂନ୍ୟ ଜୀବନ ଯାତ୍ରାରେ ଯେଉଁ ଆନନ୍ଦ ମିଳେ, ତାହା କିନ୍ତୁ ନିର୍ମଳ ନିର୍ଲିପ୍ତ ଆନନ୍ଦ । ସେଥିରେ ଲକ୍ଷ୍ୟଭ୍ରଷ୍ଟ ହେବାର ଦୁଶ୍ଚିନ୍ତା ମିଶ୍ରିତ ନ ଥାଏ କିମ୍ୱା ଜୟ–ପରାଜୟର ଉଦ୍ଦେଶ୍ୟଦ୍ୱାରା ତାହା ବିଦୀର୍ଣ୍ଣ ନୁହେଁ । ଗୋପାଳଚନ୍ଦ୍ରଙ୍କ ବ୍ୟଙ୍ଗର ବ୍ୟାବାହାରିକ ମୂଲ୍ୟ ନିକୃଷ୍ଟ ହେଲେହେଁ କଳା ଦୃଷ୍ଟିରୁ ତାହା ଉତ୍କୃଷ୍ଟ, ଯଦି ବା ଶବ୍ଦାତିଶଯ୍ୟଦ୍ୱାରା ତାହା ସ୍ଥାନେ ସ୍ଥାନେ ଭାଷା ଓ ଭାବର ଭାରସାମ୍ୟ ରକ୍ଷା କରିପାରିନାହିଁ ।

Image

 

ବ୍ୟଙ୍ଗ, କୁତ୍ସା, ଅଶ୍ଳୀଳତା

 

ବ୍ୟଙ୍ଗ କିମ୍ୱା ହାସ୍ୟରସ ପରିବେଷଣ ଯେତେ ନିର୍ମଳ ଓ ନିର୍ଲିପ୍ତ ହେଲେହେଁ ତାହା ଯେକୌଣସି ଦିଗରୁ ଦୋଷଯୁକ୍ତ ହୋଇପଡ଼େ । ନିରୁଦ୍ଦେଶ୍ୟ ରସୋପଲବ୍‌ଧି ହିଁ ତାହାର ଏକମାତ୍ର ଉଦ୍ଦୋୟ ହେଲେ ସୁଦ୍ଧା କଦାପି ତାହା ନିର୍ଦ୍ଦୋଷ ହୋଇ ରହିପାରେ ନାହିଁ । ଏହି ଶ୍ରେଣୀୟ ବ୍ୟଙ୍ଗ ଅନେକ ସମୟରେ ଅଶ୍ଳୀଳ ଓ କୁତ୍ସିତ ହୋଇପଡ଼ି ନୀତିନିପୁଣମାନଙ୍କର ନିନ୍ଦାର ସାମଗ୍ରୀ ହୋଇଥାଏ । ଗୋପାଳଚନ୍ଦ୍ରଙ୍କ ବ୍ୟଙ୍ଗ ବା ହାସ୍ୟରସରେ ଏହି ଦୋଷ ଯେପରି ସ୍ଫୁଟ, ତାହାର କିଞ୍ଚିତ୍‌ ସୂଚନା ଏଥିପୂର୍ବେ ଆମେ ଦେଇଥିଲୁ ।

 

ବ୍ୟଙ୍ଗ ଓ ଅଶ୍ଳୀଳତା

 

ସାହିତ୍ୟକ୍ଷେତ୍ରରେ ବ୍ୟଙ୍ଗ ବା ହାସ୍ୟରସର ଉପାଦେୟତା ଯେତେ ବେଶି ଅନୁଭୂତ ହୁଏ, ସେଥି ସଙ୍ଗେ ତାହାର ଉପାଦାନଗୁଡ଼ିକୁ ବିଚାର କରିବା ଲୋଡ଼ା । ବିଭିନ୍ନ ସାହିତ୍ୟର ବ୍ୟଙ୍ଗ ସୃଷ୍ଟି ପ୍ରତି ଲକ୍ଷ୍ୟ କଲେ, ଅଶ୍ଳୀଳତା ତାହାର ଏକ ଅପରିହାର୍ଯ୍ୟ ଅଙ୍ଗ ବୋଲି ମନେହୁଏ । ଅବଶ୍ୟ ସାହିତ୍ୟ ଓ ଶିଳ୍ପଜଗତରେ ଅଶ୍ଳୀଳତାର ସୀମା କୌଣସିଠାରେ ନିର୍ଦ୍ଦିଷ୍ଟ ହୋଇନାହିଁ । ଅନେକ ସମୟରେ ସମାଜ କିମ୍ୱା ରାଷ୍ଟ୍ରଦଣ୍ଡ ହିଁ ତାହାର ସୀମା ନିର୍ଦ୍ଦେଶ କରି ଦେଇଥାଏ । ତାହା ସତ୍ତ୍ୱେ ପ୍ରାଚୀନ ବା ଆଧୁନିକ ବ୍ୟଙ୍ଗରେ ଅଶ୍ଳୀଳତା ଯେଉଁ ସୀମାକୁ ସ୍ପର୍ଶ କରିଛି, ତାହା ଅନେକାଂଶରେ ଅକଥନୀୟ । ପ୍ରାଚୀନ ‘ଯଦୁମଣି–ରହସ୍ୟ’ ଭଳି ଆଧୁନିକ ଅନେକ ରହସ୍ୟରେ ଆମେ ଏହାର ସନ୍ଧାନ ପାଉଁ ।

 

ବ୍ୟଙ୍ଗର ଆକ୍ଷରିକ ଅର୍ଥ ହେଲା ଅଙ୍ଗର ବ୍ୟବଚ୍ଛେଦ ବା ବିକଳାଙ୍ଗକରଣ । ବ୍ୟଙ୍ଗ–ସାହିତ୍ୟର ପରିବେଷଣ ଭିତରେ ସର୍ବତ୍ର ଦୁଇଟି ଦିଗ ରହିଥିବା ଲକ୍ଷ୍ୟ କରାଯାଏ–ଗୋଟିଏ ସାହିତ୍ୟିକ, ଅନ୍ୟଟି ରାଜନୈତିକ ବା ସାମାଜିକ । ସାହିତ୍ୟିକ ପ୍ରଗତିକୁ କ୍ଷୁଣ୍ଣ କରୁଥିବା ଯେଉଁ ସକଳ ରଚନା ପ୍ରଚାରିତ ହୁଏ, ସେଗୁଡ଼ିକର ବ୍ୟଙ୍ଗୀକରଣ ଯେପରି ଆବଶ୍ୟକ, ସେହିପରି ଆବଶ୍ୟକ ସମାଜରାଷ୍ଟ୍ରର ସ୍ୱାଭାବିକ ଅଗ୍ରଗତି ଓ ଉନ୍ନତିର ଅନ୍ତରାୟ ହେଉଥିବା ଅଥବା ବାଧା ଘଟାଉଥିବା ସମାଜର ଶତ୍ରୁମାନଙ୍କ ବିରୁଦ୍ଧରେ । ଯେଉଁ ସକଳ କୁସଂସ୍କାର, ଅନ୍ଧବିଶ୍ୱାସ, ପୁଣି କେବଳ ପ୍ରାଚୀନ ଯୁଗରେ ପ୍ରଯୁଜ୍ୟ ଯେଉଁ ସମସ୍ତ ଚିନ୍ତା, ଧାରଣା ଓ ଯୁକ୍ତିହୀନ, ଅର୍ଥହୀନ, ଆଚାରପଦ୍ଧତି ବା କାର୍ଯ୍ୟଫଳରେ ସମାଜ ରୁଗ୍‌ଣ, ଦୁର୍ବଳ ହୋଇପଡ଼ି ମନୁଷ୍ୟର ଗତିରୋଧ କରେ, ଉପଯୁକ୍ତ ବ୍ୟଙ୍ଗର ତୀକ୍ଷ୍‌ଣତା ସେଗୁଡ଼ିକର ମୂଳୋତ୍ପାଟନରେ ସହାୟତା କରିଥାଏ । ବ୍ୟଙ୍ଗର ଅସଲ ଲକ୍ଷ୍ୟ ହେଲା ସୁସ୍ଥ, ସବଳ, ସୁନ୍ଦର ଓ ସୁଖୀ ସମାଜ ଗଠନ କରିବା; ମନୁଷ୍ୟର ଚିନ୍ତାକୁ ଉଜ୍ଜ୍ୱଳତର, ମହତ୍ତର ଓ ପ୍ରଖରତର କରିବା ।

 

ବ୍ୟଙ୍ଗ ଓ କୁତ୍ସା

 

ସାହିତ୍ୟିକ ବ୍ୟଙ୍ଗ ଭିତରେ ଏହି ସକଳ ସାଧାରଣ ଓ ଅସାଧାରଣ ସାମାଜିକ ଦୁର୍ନୀତି ପ୍ରତି ଆକ୍ଷେପ କିମ୍ୱା କଟାକ୍ଷ କିଞ୍ଚିତ୍‌ ପ୍ରଚ୍ଛନ୍ନ ରହିଥିଲେହେଁ ରାଜନୈତିକ ବ୍ୟଙ୍ଗ ବିଶେଷତଃ ବ୍ୟକ୍ତିଗତ ବା ଗୋଷ୍ଠୀଗତ ହୋଇପଡ଼ିବାର ଦେଖାଯାଏ । ବ୍ୟଙ୍ଗ-ଚିତ୍ରକରମାନେ ରାଷ୍ଟ୍ରନାୟକମାନଙ୍କଠାରୁ ଆରମ୍ଭ କରି ସମାଜର ବିଭିନ୍ନ ବ୍ୟକ୍ତିବିଶେଷଙ୍କ ଚିତ୍ର ଅଙ୍କନଦ୍ୱାରା ଏକସଙ୍ଗରେ ଖ୍ୟାତି ଓ ଅର୍ଥ ଉପାର୍ଜନ କରିଥାନ୍ତି; କିନ୍ତୁ ଲେଖକଙ୍କ ପକ୍ଷରେ ବ୍ୟଙ୍ଗ ସୃଷ୍ଟି ଉପରେ ହସ୍ତକ୍ଷେପ କରିବା ଏକ ବିପଜ୍ଜନକ ଦୁଃସାହସିକ କାର୍ଯ୍ୟ । କାରଣ ଅନେକ ସମୟରେ ଏହା ସାପ ଲାଙ୍ଗୁଡ଼ରେ ହାତ ମାରିବା ଭଳି ତୁଚ୍ଛ ବିପଦ ଡାକିଆଣେ । ସେଥିଲାଗି ବ୍ୟଙ୍ଗକାର ଖୁବ୍ ଟାଣ ଗୁଣିଆ ହୋଇଥିବା ଲୋଡ଼ା, ନିଜ ଦେହରୁ ସାପ ବିଷ ଛଡ଼ାଇବା ଲାଗି ତାଙ୍କ ପାଖରେ କିଛି ଉପାୟ ଥିବା ମଧ୍ୟ ବାଞ୍ଛନୀୟ । ପୁଣି ବ୍ୟଙ୍ଗ ଓ କୁତ୍ସା ଭିତରେ ତଫାତ୍‌ ଏତେ କମ୍‌ ଯେ, ବ୍ୟଙ୍ଗକାର ସ୍ୱୟଂ କୁତ୍ସିତ ହୋଇପଡ଼ିବାର ଆଶଙ୍କା ପଦେ ପଦେ ଅଛି ।

 

କବି ରବୀନ୍ଦ୍ରନାଥ ତାଙ୍କର ଗୋଟିଏ କବିତାରେ ‘‘ଝୁଁଟି ବାଧା ଉଡ଼େ ପଞ୍ଚମ ସ୍ୱରେ ପାଡ଼ିତେ ଲାଗିଲ ଗାଲି’’ ପଦଟି ଲେଖିଦେଇ ‘ପ୍ରାଚୀ’ ନାମକ ‘‘ପ୍ରାଚୀ ସମିତି’’ଦ୍ୱାରା ପ୍ରକାଶିତ ଇଂରାଜୀ ପତ୍ରିକାଦ୍ୱାରା କିଭଳି ସମାଲୋଚିତ ହୋଇଥିଲେ, ତାହା ଅନେକଙ୍କର ମନେଥିବ । ଏହି ଘଟଣାର କିଛିଦିନ ପରେ ଜଣେ ଶିକ୍ଷିତ ଓଡ଼ିଆ ଯୁବକ ଶାନ୍ତିନିକେତନରେ କବିଙ୍କ ସହିତ ସାକ୍ଷାତ କରିଥିଲେ । କବି ସେହି ଯୁବକଙ୍କ ସମକ୍ଷରେ ‘ପ୍ରାଚୀ’ର ସମାଲୋଚନା ବିଷୟ ଉତ୍‌ଥାପନ କରିଥିଲେ ଏବଂ କହିଥିଲେ ଯେ, ଓଡ଼ିଆମାନଙ୍କ ପ୍ରତି କୌଣସି ଘୃଣା ବା ଅବମାନନା ହେତୁ ସେ କଦାପି ସେପରି ଲେଖିନାହାନ୍ତି । କେବଳ ବଙ୍ଗୀୟ ପାଠକମାନଙ୍କ ଚିତ୍ତରେ ହାସ୍ୟରସର ଉଦ୍ରେକ କରିବା ହିଁ ଉକ୍ତ ରଚନାର ଉଦ୍ଦେଶ୍ୟ । ତାଙ୍କ ମତ ଅନୁସାରେ କବି ଓ ସାହିତ୍ୟିକମାନଙ୍କୁ ଯଦି ଏତିକି ସ୍ୱାତନ୍ତ୍ର୍ୟ ନ ମିଳେ, ତେବେ ଲେଖନୀ ଧରିବା ଅସମ୍ଭବ ହୋଇପଡ଼ିବ । ଓଡ଼ିଆମାନଙ୍କ ନିର୍ବୁଦ୍ଧିତା ବିନିମୟରେ ବଙ୍ଗ–ସାହିତ୍ୟର ବ୍ୟଙ୍ଗ ସୃଷ୍ଟି ପାଇଁ ଏକାଧିକ ଉପାଦାନ ମିଳିଥିବାର ଜଣାଯାଏ । ଅଳ୍ପଦିନ ପୂର୍ବେ କଟକ ହିନ୍ଦୀ ସିନେମାରେ ‘ଶ୍ୱଶୁରବାଡ଼ି’ ନାମଧେୟ ଚିତ୍ରଟି ବାସନ୍ଦ ହୋଇଥିବା ଗୋଟିଏ ସଦ୍ୟ ଉଦାହରଣ । ବଙ୍ଗୀୟ ଦର୍ଶକ କିମ୍ୱା ପାଠକମାନଙ୍କ ପକ୍ଷରେ ଯାହା ନିର୍ଦ୍ଦୋଷ ହାସ୍ୟରସ, ଓଡ଼ିଆମାନଙ୍କ ପକ୍ଷରେ ତାହା ଯେ କୁତ୍ସା ଓ ତାଚ୍ଛଲ୍ୟର ରୂପାନ୍ତର ହୋଇଉଠେ ଏବଂ ଘୃଣା ଓ ବିଦ୍ୱେଷ ଭାବ ଜାତ କରାଏ, ଏହି ଉଦାହରଣରୁ ହିଁ ବ୍ୟଙ୍ଗ ଓ କୁତ୍ସା ମଧ୍ୟରେ ତାରତମ୍ୟ କେତେକ ପରିମାଣରେ ବୁଝାଯାଇଥାଏ । ଲେଖକ ଦୃଷ୍ଟିରେ ଯାହା ବ୍ୟଙ୍ଗ, ପାଠକ ପକ୍ଷରେ ତାହା କୁତ୍ସା ଓ ବିଦ୍ୱେଷ ଭାବ ଜନ୍ମାଇବା ଆଦୌ ବିଚିତ୍ର ନୁହେଁ ।

 

କାନ୍ତକବି ଲକ୍ଷ୍ମୀକାନ୍ତ

 

ସାହିତ୍ୟିକ, ସାମାଜିକ ଅଥବା ରାଜନୈତିକ ବ୍ୟଙ୍ଗ ସୃଷ୍ଟିରେ ଆଧୁନିକ ଓଡ଼ିଆ ସାହିତ୍ୟ ଯେତେଦୂର ସଫଳ ହୋଇପାରିଛି, ତାହା ଭିତରୁ ନିର୍ମଳ ସମାଲୋଚନାକୁ ଅଲଗା କରି ରଖି କୁତ୍ସା, ଅଶ୍ଳୀଳତା ଓ ବ୍ୟକ୍ତିଗତ ବିଦ୍ୱେଷକୁ ବାଛିଦେବାକୁ ପଡ଼ିବ । ଏହିରୂପେ ବାଛି ବସିଲେ ମଧ୍ୟ ଗୋପାଳଚନ୍ଦ୍ରଙ୍କ ‘‘ନନାଙ୍କ ବସ୍ତାନି’’, ‘‘ଭାଗବତ ଟୁଙ୍ଗିରେ ସନ୍ଧ୍ୟା’’ କିମ୍ୱା ‘‘ସ୍ୱପ୍ନରେ ରାଜଯୋଗ’’ ଆଦି ବହୁ ରଚନାରେ ତୀବ୍ର ସମାଲୋଚକର ଦୃଷ୍ଟି ଧରାପଡ଼େ । ପୁଣି ଲକ୍ଷ୍ମୀକାନ୍ତଙ୍କ ‘‘ଅସହଯୋଗୀର ଆତ୍ମକଥା’’ ବା ଚମତ୍କାର ‘‘ଲାଳିକା’’ ପ୍ରଭୃତି ମଧ୍ୟରେ ନିର୍ମଳ, ନିରପେକ୍ଷ ଓ ଶକ୍ତିଶାଳୀ ସମାଲୋଚନାର ସନ୍ଧାନ ମିଳେ । ‘‘ଅସହଯୋଗୀର ଆତ୍ମକଥା’’ରେ ଲକ୍ଷ୍ମୀକାନ୍ତଙ୍କ ଗଦ୍ୟର ଅକୃତ୍ରିମ ଶୈଳୀ ଓ ତୀକ୍ଷ୍‌ଣତା ଗୋପାଳଚନ୍ଦ୍ରଙ୍କୁ ସୁଦ୍ଧା ଅତିକ୍ରମ କରିଯାଇଛି ବୋଲି କେହି କେହି କହିଥାନ୍ତି ।

 

ଆମ ସାହିତ୍ୟର ବ୍ୟଙ୍ଗ ବା ରହସ୍ୟର ଆଲୋଚନା କଲାବେଳେ ଅନ୍ୟାନ୍ୟ ପ୍ରଗତିଶୀଳ ସାହିତ୍ୟ ଉପରେ ମଧ୍ୟ ନଜର ପଡ଼େ । ଓଡ଼ିଆ ଗଦ୍ୟର ପ୍ରାରମ୍ଭିକ ଯୁଗ ସଙ୍ଗେ ରୁଷୀୟ ସାହିତ୍ୟର ପ୍ରାରମ୍ଭିକ ଗଦ୍ୟର କେତେକ ସାଦୃଶ୍ୟ ଲକ୍ଷିତ ହୁଏ । ଆମ ଗଦ୍ୟର ଜନକରୂପେ ପ୍ରଧାନତଃ–ଫକୀରମୋହନଙ୍କୁ ଯେପରି ଧରାଯାଏ, ପୁଣି ଫକୀରମୋହନ ଯେପରି ବ୍ୟଙ୍ଗ ସୃଷ୍ଟିର ସୂଚନା ଓଡ଼ିଆ ସାହିତ୍ୟରେ ଆରମ୍ଭ କରିଥିଲେ, ଠିକ୍‌ ସେହିପରି ରୁଷ୍‌ ସାହିତ୍ୟରେ ଗୋଗୋଲଙ୍କର ସ୍ଥାନ ସୁନିର୍ଦ୍ଦିଷ୍ଟ ହୋଇଛି ।

 

ବ୍ୟଙ୍ଗ-ସାହିତ୍ୟର ଆଦର

 

ରୁଷୀୟ ବିପ୍ଳବ ପରେ ତତ୍ରତ୍ୟ ସମାଜରେ ଯେଉଁ ତୁମୂଳ ପରିବର୍ତ୍ତନ ଦେଖାଦେଇଛି, ତାହା ମଧ୍ୟରେ ବ୍ୟଙ୍ଗର ସ୍ଥାନ ନାହିଁ ବୋଲି ଅନେକ ସାହିତ୍ୟିକଙ୍କର ଧାରଣା ଜନ୍ମିଯାଇଛି । କାରଣ ଯୁଗ ଯୁଗ ବ୍ୟାପୀ ରାଜନୈତିକ ଓ ସାମାଜିକ ତ୍ରୁଟି ବା କଳୁଷଗୁଡ଼ିକୁ ସମୂଳେ ଉଚ୍ଛେଦ କରିବାରେ ସେ ଦେଶର ସରକାର ଏପରି କ୍ଷିପ୍ରଗତିରେ ଲାଗିପଡ଼ିଛି ଯେ, ସେଇ ତୀବ୍ର କଠୋର ନିଷ୍ଠା ଓ କର୍ମଠତା ମଧ୍ୟରେ ବ୍ୟଙ୍ଗ ପାଇଁ ଅବକାଶ ରହୁନାହିଁ ।

 

ଏଭଳି ଏକ ପରିସ୍ଥିତି ଆମକୁ ଅବଶ୍ୟ ଅସମ୍ଭବ ବୋଧ ହୋଇଥାଏ । ଗୋଟାଏ ପ୍ରକାଣ୍ଡ ଦେଶର କୋଟି କୋଟି ଅଧିବାସୀ ଏତେଦୂର ସଚ୍ଚୋଟ ହୋଇପଡ଼ିବା କିମ୍ୱା ସଚ୍ଚୋଟ ହେବାକୁ ଲାଗିପଡ଼ିବାଦ୍ୱାରା ବ୍ୟଙ୍ଗ ସୃଷ୍ଟି ଲାଗି ଉପାଦାନର ଅଭାବ ଘଟିପାରେ; ତାହା ପୁଣି ସେ ଦେଶର ରାଜନୈତିକ ସମ୍ମିଳନୀର ଏକ ପ୍ରଧାନ ବିଚାର୍ଯ୍ୟ ବିଷୟ ହୋଇପାରେ ଏବଂ ବ୍ୟଙ୍ଗ–ସାହିତ୍ୟକୁ ଉତ୍ସାହ ଦେବାଦ୍ୱାରା ଏବେ ସୁଦ୍ଧା ପୁରୁଣା ଛଟା ରହିଯାଇଥିବା ସାମାଜିକ ଆଚାର ପଦ୍ଧତିକୁ ଆକ୍ରମଣ କରାଯାଇପାରେ; ଆହୁରି ମଧ୍ୟ ବ୍ୟଙ୍ଗ ସାହାଯ୍ୟରେ ସମାଜର ଭାବୀ ଉତ୍ତରାଧିକାରୀ ଯୁବକମାନଙ୍କୁ ଚିନ୍ତାଶୀଳ, ନିର୍ଭୀକ, କର୍ମଠ ଓ ଚରିତ୍ରବାନ୍‌ ହେବାପାଇଁ ପ୍ରେରଣା ଦିଆଯାଇପାରେ; ଏସବୁ ବାସ୍ତବିକ ଆମ ଧାରଣାର ଅତୀତ । ତଥାପି ଆମ ବ୍ୟଙ୍ଗ–ସାହିତ୍ୟ ଭିତରେ ସମାଜଗଠନର ଉଦ୍ଦେଶ୍ୟ ଏକାବେଳେ ନାହିଁ ବୋଲି କହିଦେବା ସହଜ ନୁହେଁ ।

 

ଅସହଯୋଗ ଆନ୍ଦୋଳନର ପ୍ରାରମ୍ଭ ଯୁଗରେ ଲକ୍ଷ୍ମୀକାନ୍ତଙ୍କ ‘ଅସହଯୋଗୀର ଆତ୍ମକଥା’ ଯେପରି ଅନ୍ତର୍ଦୃଷ୍ଟିରେ ପରିଚୟ ଦେଇଥିଲା, ସେହିପରି ପ୍ରାଚୀନ ଓଡ଼ିଆ ଚମ୍ପୂ ଓ ଅନ୍ୟାନ୍ୟ କବିତାର ଲାଳିକାଗୁଡ଼ିକ ମଧ୍ୟରେ ପ୍ରାଚୀନ ଓ ଆଧୁନିକ ଦୃଷ୍ଟିଭଙ୍ଗୀର ତାରତମ୍ୟ, ଆଧୁନିକ ସମାଜରେ ରାଧାକୃଷ୍ଣଙ୍କ ଅଭିନୟରେ ତାତ୍ପର୍ଯ୍ୟ, ଯୁବକଯୁବତୀ ତଥା ନାରୀପୁରୁଷର ସମ୍ପର୍କ ମଧ୍ୟରେ ମଧ୍ୟଯୁଗୀୟ ପରିହାସ ଅତି ସ୍ପଷ୍ଟ ଆକାର ଧାରଣ କରିଛି । ବର୍ତ୍ତମାନ ପ୍ରାଚୀନ ଛନ୍ଦ ଓ ପ୍ରାଚୀନ ବିଷୟବସ୍ତୁକୁ ଘେନି ସାହିତ୍ୟ ରଚନା କଲେ ତାହା ଯେ, କେବଳ ଲାଳିକାରେ ପରିଣତ ହେବ, ଏ କଥାଟିକୁ କଳାନୈପୁଣ୍ୟ ସହିତ ପ୍ରକାଶ କରିବାକୁ ଲକ୍ଷ୍ମୀକାନ୍ତଙ୍କ ବ୍ୟତୀତ ଅନ୍ୟ କେହି ଆଧୁନିକ ଓଡ଼ିଆ କବି ବୋଧହୁଏ ସମର୍ଥ ହୋଇପାରିନାହାନ୍ତି ।

Image

 

Unknown

ସତ୍ୟବାଦୀ-ଯୁଗ

 

ଲକ୍ଷ୍ମୀକାନ୍ତଙ୍କ ସମସାମୟିକ ଓ ପରବର୍ତ୍ତୀ ଏକାଧିକ ଲେଖକ ବ୍ୟଙ୍ଗ ଭଳି ସାହିତ୍ୟର ଏକ ବିଷଧର ସର୍ପ ଉପରେ ହସ୍ତକ୍ଷେପ କରିବାକୁ ଯାଇଛନ୍ତି; ମାତ୍ର ଲକ୍ଷ୍ମୀକାନ୍ତଙ୍କ ଭଳି କେତେ ଜଣ ଗୁଣିମ ସେ ସର୍ପର ପ୍ରତିଆକ୍ରମଣ ଓ ଦଂଶନରୁ ନିବର୍ତ୍ତି ପାରିଛନ୍ତି, ତାହା କହିବା କଠିଣ । ବ୍ୟଙ୍ଗ–ସ୍ରଷ୍ଟା ଲକ୍ଷ୍ମୀକାନ୍ତଙ୍କର ଏହାହିଁ ପ୍ରଧାନ ବିଶେଷତ୍ୱ ବୋଲି ମନେହୁଏ । ତାଙ୍କ ସମସାମୟିକ ବ୍ୟଙ୍ଗ–ରହସ୍ୟର ଲେଖକମାନଙ୍କ ମଧ୍ୟରୁ ଦିବ୍ୟସିଂହ ପାଣିଗ୍ରାହୀଙ୍କ ନାମୋଲ୍ଲେଖ କରାଯାଇପାରେ ।

 

ହାସ୍ୟରସିକ ଦିବ୍ୟସିଂହ

 

ଦିବ୍ୟସିଂହଙ୍କ କ୍ଷୁଦ୍ରଗଳ୍ପ ଓ ଉପନ୍ୟାସ ଦିନେ ଯଥେଷ୍ଟ ଆଦର ପାଇଥିଲା; କିନ୍ତୁ ସେଥିରେ ବ୍ୟଙ୍ଗ ଅପେକ୍ଷା ରହସ୍ୟର ମାତ୍ରା ବୋଧହୁଏ ଅଧିକ; ଯାହା ପାଠକର ହାସ୍ୟ ଉଦ୍ରେକ କଲେହେଁ ଚିନ୍ତା କରିବାକୁ ଖୋରାକ ଯୋଗାଇପାରେ । ଯେଉଁ ରହସ୍ୟ ବିଚକ୍ଷଣ କୌତୁକ ଓ କୌତୂହଳର ସାମଗ୍ରୀ ହୋଇପାରେ, ମାତ୍ର ପ୍ରେରଣାପୂର୍ଣ୍ଣ ମୌଳିକ ଚିନ୍ତାର ନିର୍ଦ୍ଦେଶକ ନୁହେଁ, ଉତ୍କୃଷ୍ଟତର ବ୍ୟଙ୍ଗଭଳି । ଦିବ୍ୟସିଂହଙ୍କ ଗଳ୍ପଗଠନର ପଟୁତା ଓ ଗଦ୍ୟ ରଚନାରେ ଭଙ୍ଗି ଫକୀରମୋହନଙ୍କୁ କେତେକାଂଶରେ ଅନୁସରଣ କରିଛି ।

 

‘‘ତୁ ମୋ ମା’’ର ମୂଳୀନାଥ ଖ୍ୟାତି, ପ୍ରତିପତ୍ତି ଓ ଅର୍ଥୋପାର୍ଜନ ଲାଗି ଯେପରି ନାନା ଛଦ୍ମନାମ ଓ ଛଦ୍ମବେଶରେ ଭଣ୍ଡ ସନ୍ନ୍ୟାସୀ ହୋଇ ଶେଷରେ ଚିଦାନନ୍ଦ ସ୍ୱାମୀରୂପେ ଜନହିତ ଲାଗି ସକଳ ତ୍ୟାଗ କରିଛି, ସେପରି ଉଦାହରଣ ବର୍ତ୍ତମାନ ସମାଜରେ ବିରଳ ନୁହେଁ । ତାଙ୍କର ଏକାଧିକ କ୍ଷୁଦ୍ରଗଳ୍ପରେ ମଧ୍ୟ ସେ ଚମତ୍କାର ହାସ୍ୟରସର ଅବତାରଣା କରିଛନ୍ତି । ଫକୀରମୋହନଙ୍କ ପରେ କ୍ଷୁଦ୍ରଗଳ୍ପର ଲେଖକରୂପେ ତାଙ୍କ ପ୍ରତିଷ୍ଠା ଅସ୍ୱୀକାର କରି ହେବନାହିଁ, ବିଶେଷତଃ ହାସ୍ୟରସିକ ଭାବରେ । ମାତ୍ର ହାସ୍ୟରସ–ସୃଷ୍ଟିର ଦିବ୍ୟସିଂହଙ୍କରେ ବିଶେଷତ୍ୱ ଏହି ଯେ, ଅଶ୍ଳୀଳତାର ଦ୍ୱାରଦେଶ ସେ ମାଡ଼ିନାହାନ୍ତି । ଅଶ୍ଳୀଳତାର ବିନା ସାହାଯ୍ୟରେ ବ୍ୟଙ୍ଗ କିମ୍ୱା ହାସ୍ୟ ବାଢ଼ିବା ଯେ, ଆଦୌ ଅସମ୍ଭବ ନୁହେଁ, ଫକୀରମୋହନଙ୍କ ପରି ଦିବ୍ୟସିଂହ ମଧ୍ୟ ଏ କଥାଟିକୁ ଦେଖାଇ ଦେଇଛନ୍ତି-

 

ଗଦ୍ୟଲେଖକ କହିଲେ ମୁଖ୍ୟତଃ ପ୍ରବନ୍ଧକାରମାନଙ୍କୁ ବୁଝାଇଥାଏ । ସେ ଦୃଷ୍ଟିରୁ ଔପନ୍ୟାସିକ ବା ଗଳ୍ପ ଲେଖକମାନଙ୍କର ସ୍ଥାନ ସ୍ୱତନ୍ତ୍ର ଏବଂ ଫକୀରମୋହନଙ୍କୁ ଓଡ଼ିଆ ଗଦ୍ୟର ଉତ୍କୃଷ୍ଟ ସ୍ରଷ୍ଟା ନ କହି ବରଂ ବିଶ୍ୱନାଥ କରଙ୍କୁ କହିବାର ଅଧିକ ତାତ୍ପର୍ଯ୍ୟ ଅଛି; କିନ୍ତୁ ଏଠାରେ ଆମ୍ଭେମାନେ ସାହିତ୍ୟର ଯଥାଯଥ ଶ୍ରେଣୀବିଭାଗ କରିବାକୁ ଯାଉନାହୁଁ । ତାହା କରିବାକୁ ଗଲେ ଫକୀରମୋହନ ଓ ଦିବ୍ୟସିଂହ ଉପନ୍ୟାସ ତଥା କ୍ଷୁଦ୍ରଶିଳ୍ପ ବିଭାଗରେ ସ୍ଥାନ ପାଇବାର କଥା ।

 

ପ୍ରକୃତିପ୍ରିୟ ଶଶିଭୂଷଣ

 

ଗଦ୍ୟଲେଖକ ରୂପେ ଏଥିପୂର୍ବେ ଏଇ ସ୍ତମ୍ଭରେ ଯେ, କେତେ ଜଣ ସାହିତ୍ୟରଥୀଙ୍କ ନାମୋଲ୍ଲେଖ କରାଯାଇଥିଲା, ତାଙ୍କ ଭିତରୁ ସାହିତ୍ୟଭୂଷଣ ଶଶିଭୂଷଣଙ୍କ ଗଦ୍ୟ ସର୍ବାଦୌ ବିଚାରଯୋଗ୍ୟ । ତାଙ୍କ ଗଦ୍ୟରେ ଉଷ୍ଣତା କିମ୍ୱା ତୀବ୍ରତା ନ ଥିଲେ ସୁଦ୍ଧା ଚିନ୍ତାର ଶାନ୍ତ ସଂଯତ ମହନୀୟତା ଅଛି । ଶ୍ରେଷ୍ଠକବି ସ୍ୱୀୟ ପିତା ରାଧାନାଥଙ୍କୁ ଅନୁସରଣ କରି ସେ କେବଳ ଜଡ଼ପ୍ରକୃତିର ସୌନ୍ଦର୍ଯ୍ୟରେ ବିହ୍ୱଳ ହୋଇନାହାନ୍ତି, ଫରାସୀ–ବିପ୍ଳବର ସ୍ରଷ୍ଟା ରୋଷୋଙ୍କ ଭଳି ମନୁଷ୍ୟକୁ ପ୍ରକୃତିସ୍ଥ ହେବାକୁ ଲୋଡ଼ିଛନ୍ତି । ପ୍ରକୃତି–ପୂଜକ ରୋଷଙ୍କ ଲେଖନୀ ମାନବସମାଜର ଚିନ୍ତାରାଜ୍ୟରେ ଯେଉଁ ଅଗ୍ନି ପ୍ରଜ୍ଜ୍ୱଳିତ କରିଦେଇ ପୃଥିବୀପୃଷ୍ଠରେ ପ୍ରଥମ ବିପ୍ଳବ ଆଣିଥିଲା, ବହୁସଂଖ୍ୟକ ସାଧାରଣ ମନୁଷ୍ୟହିଁ ପ୍ରକୃତିକ ବୋଲି ଘୋଷଣା କରି ତାହାର ଅଧିକାରକୁ ହିଁ ସାବ୍ୟସ୍ତ କରିଥିଲା, ଶଶିଭୂଷଣଙ୍କ ଲେଖନୀରେ ଅବଶ୍ୟ ସେ ଅଗ୍ନିର ଉତ୍ତାପ ମିଳେନାହିଁ; କିନ୍ତୁ ଆଲପସ୍‌ ପର୍ବତର ପ୍ରାକୃତିକ ଶୋଭାରେ ଆକୃଷ୍ଟ ହୋଇ ରୋଷୋ ଯେପରି ସର୍ବପ୍ରଥମେ ପଦବ୍ରଜରେ ତାହାକୁ ଆରୋହଣ କରିଥିଲେ ଏବଂ ସ୍ୱୀୟ ଯଶସ୍ୱୀ ଜୀବନର ମଧ୍ୟ ପ୍ରକୃତି ତ୍ରୋଡ଼ରେ ବିଚରଣ କରିବାକୁ ସୁଖ ମଣୁଥିଲେ, ଶଶିଭୂଷଣଙ୍କଠାରେ ସେହିଭଳି ଉତ୍କଳ–ପ୍ରକୃତିଙ୍କର ଆକର୍ଷଣ ଦେଖାଯାଇଥିଲା । ଓଡ଼ିଶାର ଦେଶୀୟ ରାଜ୍ୟମାନଙ୍କ ନଦୀ–ଗିରି–ବଦ ପ୍ରକୃତିର ମୁକ୍ତ ଜୀବନକୁ ଧବଳେଶ୍ୱରନିବାସୀ ଶଶିଭୂଷଣ ନଗରର ଆଧୁନିକ ନାମଧେୟ ଅପ୍ରାକୃତିକ ମୌଖିକ ସଭ୍ୟତା ସଙ୍କୁଚିତ ମୌଖିକତା କେବେହେଲେ ତାଙ୍କୁ ସୁଖ ଦେଇପାରିନାହିଁ । କଥାରେ ଓ ବ୍ୟବହାରରେ ସୁଦ୍ଧା ଜଣେ ପ୍ରାକୃତିକ ମନୁଷ୍ୟ ଦେଖିବାପାଇଁ ତାଙ୍କ ପ୍ରାଣ ଯେପରି ବିକଳ ଓ ରୁଦ୍ଧଶ୍ୱାସ ହୋଇପଡ଼ୁଥିଲା; କିନ୍ତୁ ସେଭଳି ମନୁଷ୍ୟ ପାଇଁ ରୋଷୋଙ୍କ ଲେଖନୀ ଯେଉଁ ସଂଗ୍ରାମ ଘୋଷଣା କରିଥିଲା, ଶଶିଭୂଷଣଙ୍କ ଲେଖନୀରେ ତାହା ନାହିଁ । ‘ଧୀରପାଣି ପଥର କାଟେ’ ଏହାହିଁ ଯେପରି ତାଙ୍କର ନୀତି । ତାଙ୍କ ରଚନାବଳୀରେ ଚାଞ୍ଚଲ୍ୟ ନ ଥାଇପାରେ କିନ୍ତୁ ଗତି ଅଛି; ପ୍ରଳୟ ନ ଥାଇପାରେ, ସୃଷ୍ଟି ଅଛି । ‘ବିକ୍ଷିପ୍ତ ଚିନ୍ତା’ ଅନେକାଂଶରେ ବିକ୍ଷିପ୍ତ ହେଲେହେଁ ତାହାଙ୍କ ଜୀବନାଦର୍ଶର ବହୁ ଚିନ୍ତା ତହିଁରେ ପ୍ରକଟିତ ।

 

ଶିଳ୍ପୀର ପଟୁତା ଏହି ଗଦ୍ୟସ୍ରଷ୍ଟାମାନଙ୍କ ମଧ୍ୟରୁ କାହାଠାରେ କେଉଁ ପରିମାଣରେ ନିହିତ ଅଛି, ତାହାର ଅନ୍ୱେଷଣ ଓ ଅବଧାରଣ କରିବା ପ୍ରତ୍ୟେକ ସମାଲୋଚକର କର୍ତ୍ତବ୍ୟ । ଏଠାରେ ନମୁନାସ୍ୱରୂପ କେତେ ଜଣ ପ୍ରତିନିଧିସ୍ଥାନୀୟ ଲେଖକଙ୍କର ସାମାନ୍ୟ ସୂଚନା ଦିଆଯାଉଛି ମାତ୍ର । ମୋହିନୀମୋହନ, ବିପିନବିହାରୀ, ରତ୍ନାକର ଓ ଗିରିଜାଶଙ୍କର ପ୍ରମୁଖ ଅଧ୍ୟାପକମାନେ ଦାର୍ଶନିକ ଓ ସାହିତ୍ୟିକ ପ୍ରବନ୍ଧମାନ ଲେଖି ଚିନ୍ତାଶୀଳତାର ପରିଚୟ ଦେଇଛନ୍ତି ଏବଂ ପ୍ରତ୍ୟେକ ସ୍ୱତନ୍ତ୍ର ଭାବରେ ଆଲୋଚିତ ହେବାର ଯୋଗ୍ୟତା ଅର୍ଜନ କରିଛନ୍ତି ।

 

ପଣ୍ଡିତ ଗୋପବନ୍ଧୁ

 

ଗୋପବନ୍ଧୁଙ୍କୁ ସ୍ୱତନ୍ତ୍ରଭାବରେ ଆଲୋଚନା କରିବସିଲେ ଗୋଟାଏ ଯୁଗର ଆଲୋଚନା ଆସି ପହଞ୍ଚିଯାଏ । ପୁଣି ସେ ଯୁଗଟା ଗୋପବନ୍ଧୁଙ୍କ ମୃତ୍ୟୁର ପଚିଶ ବର୍ଷ ପରେ ମଧ୍ୟ ଆଜିପର୍ଯ୍ୟନ୍ତ ବ୍ୟାପୀ ରହିଛି ବୋଲି ମନେହୁଏ । ପୁଣି ତାଙ୍କ ସାହିତ୍ୟ ଅପେକ୍ଷା ଗୋପବନ୍ଧୁଙ୍କ ଜୀବନ ବୋଧହୁଏ ଅନେକ ବଡ଼ । ତାଙ୍କ ଜୀବନରେ ସାହିତ୍ୟ ଏକମାତ୍ର ପ୍ରଧାନ ଆସନ ଗ୍ରହଣ କରିନଥିଲା । ସାହିତ୍ୟ, ସାମ୍ୱାଦିକତା, ଶିକ୍ଷା, ସମାଜସେବା ଓ ରାଜନୀତି ଆଦି ବିଭିନ୍ନ ଦିଗରେ ସେ ଜୀବନ କେଉଁଠାରେ କେତେ ବେଶୀ ବା କେତେ କମ୍‌ ନିବିଷ୍ଟ ଥିଲା, ତାହା କହିବା ଅତ୍ୟନ୍ତ କଠିନ । ଆଜି ମଧ୍ୟ ଏଇ ସକଳ ଦିଗରେ ତାଙ୍କ ବୈଶିଷ୍ଟ୍ୟ ଅନୁଭୂତି ହୋଇଥାଏ । ପୁଣି ଆଧୁନିକ ଉତ୍କଳର ଏହି ସମସ୍ତ ବିଭାଗ ମଧ୍ୟରୁ ଯେକୌଣସି ବିଭାଗରେ ସଭାପତିର ଆସନ ତାଙ୍କର ହିଁ ସର୍ବାଦୌ ପ୍ରାପ୍ୟ ବୋଲି ମନେହୁଏ । ଏଠାରେ କେବଳ ଗୋପବନ୍ଧୁ–ସାହିତ୍ୟ ଉପରେ ମନୋନିବେଶ କଲେ ସେଥିସଙ୍ଗେ ଯେଉଁ ଯୁଗଟି ଅବିଚ୍ଛିନ୍ନ ହୋଇ ରହିଛି, ତାହାକୁ ତ ବାଦ୍‌ ଦେଇହେବ ନାହିଁ । ଗୋପବନ୍ଧୁ–ଯୁଗ କହିଲେ ତାହା ‘‘ସତ୍ୟବାଦୀ–ଯୁଗ’’ର ନାମାନ୍ତର ମାତ୍ର । ପୁଣି ସତ୍ୟବାଦୀ ଯୁଗର ଅର୍ଥ ନୀଳକଣ୍ଠ, ଗୋଦାବରୀଶ, କୃପାସିନ୍ଧୁ, ଲିଙ୍ଗରାଜ, ରାଧାନାଥ, ବାସୁଦେବ, ଛନ୍ଦ୍ରଶେଖର ଓ ଗୋଦାବରୀଶ ମହାପାତ୍ର ପ୍ରମୁଖ ବିଖ୍ୟାତ ଲେଖକ ବୃନ୍ଦ । ଏପରିକି ପରବର୍ତ୍ତୀ ସବୁଜ–ଯୁଗର ଭଗବତୀଚରଣ ପାଣିଗ୍ରାହୀ ମଧ୍ୟ ସତ୍ୟବାଦୀ ବିଦ୍ୟାଳୟର ଛାତ୍ରରୂପେ ତାହାର ଶିକ୍ଷା, ରୁଚି ଓ ସାହିତ୍ୟ ଆଦର୍ଶରେ ଅନୁପ୍ରାଣିତ ହୋଇଥିବାର ଜଣାଯାଏ ।

 

ଯୁଗ ବିଚାର

 

‘ସତ୍ୟବାଦୀ–ଯୁଗ’ କିମ୍ୱା ଗୋପବନ୍ଧୁ–ଯୁଗର ସାହିତ୍ୟ ଯେତିକି ବିସ୍ତୃତି ବା ବ୍ୟାପକତା ଲାଭ କରିଛି, ସେତିକି ତହିଁରେ ଆଧୁନିକତାର ପ୍ରଧାନ ଲକ୍ଷଣମାନ ପ୍ରକଟିତ ହୋଇଛି । ରାଧାନାଥ ଓ ଫକୀରମୋହନ ଯୁଗରେ ଏସବୁ ଲକ୍ଷଣ ଓ ବୈଶିଷ୍ଟ୍ୟ କେତେକ ପରିମାଣରେ ଜଣାପଡ଼ି ଯାଇଥିଲେହେଁ ଗୋପବନ୍ଧୁ–ଯୁଗର ଲେଖକଗଣ ସେ ଲକ୍ଷଣଗୁଡ଼ିକୁ ଉଜ୍ଜ୍ୱଳତର ବା ସ୍ଫୁଟତର କରିବାରେ ଲାଗିପଡ଼ିଲେ ।

 

ସତ୍ୟବାଦୀ-ଯୁଗ

 

‘‘ମହାଯାତ୍ରା’’, ‘‘ଦରବାର’’ କିମ୍ୱା ‘‘ଛମାଣ ଆଠ ଗୁଣ୍ଠ’’ରେ ଯେଉଁ ମୁକ୍ତି ଓ ସ୍ୱାଧୀନତା–ଅଭିମୁଖୀ କୈନ୍ଦ୍ରିକ ଭାବଧାରା ପ୍ରକାଶିତ ହୋଇଥିଲା, ଦେଶପ୍ରେମ ଓ ଜାତିଗଠନ ଲାଗି ଯେଉଁ ପ୍ରାରମ୍ଭିକ ଉଦ୍ୟମ କରାଯାଇଥିଲା, ତାହାହିଁ ହେଲା ସତ୍ୟବାଦୀଯୁଗର ସର୍ବୋତ୍ତମ ଲକ୍ଷ୍ୟ । ସାହିତ୍ୟ ଯେ, କେବଳ ଚିତ୍ତବିନୋଦନର ସାମଗ୍ରୀ ନୁହେଁ, ବ୍ୟକ୍ତିଗତ ଜୀବନ ଓ ସାମାଜିକ ଜୀବନର ଗଠନ, ସଂଶୋଧନ ଓ ସର୍ବୋଦୟ ପାଇଁ ଏହା ଯେ, ଏକ ଅପରିହାର୍ଯ୍ୟ ଅଙ୍ଗ, ପୁଣି ସାହିତ୍ୟର ରୁଚି, ଭାଷା, ପ୍ରକାଶଭଙ୍ଗି, ଛନ୍ଦ, ରସ, ଉପମା, ଉପମେୟ କିମ୍ୱା ବିଷୟବସ୍ତୁ ଆଦି କୌଣସି ବିଭାଗରେ କିଛି ହେଲେ ତ୍ରୁଟି ପରିଲିକ୍ଷିତ ହେବା ଅର୍ଥ ଯେ, ବ୍ୟକ୍ତିଗତ ତଥା ସାମାଜିକ ଜୀବନର ତ୍ରୁଟି ଏବଂ ଅଧୋଗତି–ଏ କଥାକୁ ସୁସ୍ପଷ୍ଟଭାବରେ ଜଣାଇଦେଲେ ସତ୍ୟବାଦୀ–ଯୁଗର ଲେଖକବୃନ୍ଦ ।

 

ପ୍ରୀତି ରହସ୍ୟ

 

କେହି କେହି ଗୋପବନ୍ଧୁ କିମ୍ୱା ସତ୍ୟବାଦୀ–ଯୁଗ ସାହିତ୍ୟକୁ ଅତିନୈତିକତା ଓ ଅତି ଜାତୀୟତା ଦୋଷରେ ଦୁଷ୍ଟ କହିପାରନ୍ତି । କାରଣ ଅଶ୍ଳୀଳତା ତ ଅନେକ ଦୂରର କଥା, ଆଦିମ କାଳରୁ ନାରୀ-ପୁରୁଷର ପ୍ରଣୟ ଯେ, ସାହିତ୍ୟ–ଜଗତର ଭିତ୍ତିଭୂମି ହୋଇଆସିଥିଲା, ତାହାକୁ ସୁଦ୍ଧା ବର୍ଣ୍ଣିତ ଯୁଗର କବିମାନେ ବୋଧହୁଏ ସ୍ୱୀକାର କରିବାକୁ ଯାଇନାହାନ୍ତି । ଛଅଟି ବର୍ଷର ‘‘ସତ୍ୟବାଦୀ’’ ମାସିକ ପତ୍ରିକା ଘାଣ୍ଟି ବସିଲେ ଛଅଟି ଧାଡ଼ିର ଗୋଟିଏ ପ୍ରଣୟ ବିଷୟକ କବିତା ନଜରରେ ପଡ଼ିଥାଏ । ତାହାର ନାମ ‘‘ପ୍ରୀତି-ରହସ୍ୟ’’ ।

 

‘‘ପୀରତି ସ୍ୱପନେ ତରୁଣ ପରାଣେ

ଢଳ ଢଳ ନାରୀ ତରଳ ଛବି

ଶ୍ମଶାନତମସେ ଭେଦି ପରକାଶେ

ସେହି ସେ ବିମଳ ପୀରତି ରବି ।

ଗୀତତାନଲୟେ ବିଳାସ ହୃଦୟେ

ମୋହନ ପୀରତି ମରମ ମୋହେ

ସମର ପ୍ରାଙ୍ଗଣେ ଘୋର ବୀର ବର୍ମେ

ନଚାଇ ପରାଣ ପୀରତି ଶୋହେ ।

ପୀରତି ବିମଳା ତରୁଣୀର ଲୀଳା

ନିମିଷେ କରଇ ପରାଣ ବଶ

କଠୋର କରମେ ନଚାଇ ପରାଣେ

ପୀରତିରେ ନାରୀ ଲଭଇ ଯଶ ।’’

 

‘ପ୍ରୀତିରହସ୍ୟ’ର ରସିକ କବି କିଏ ଜାଣନ୍ତି କି ? ସେ ହେଉଛନ୍ତି, ‘‘ପ୍ରଣୟିନୀ’’ କାବ୍ୟର ରଚୟିତା ପଣ୍ଡିତ ନୀଳକଣ୍ଠ ଦାସ । ପଞ୍ଚତ୍ରିଂଶ ବର୍ଷ ତଳେ ଏହା କବିଙ୍କ ଯୌବନକାଳର ରଚନା । ସେତେବେଳେ ତାଙ୍କ ନାମ ଅଗ୍ରରେ ‘ପଣ୍ଡିତ’ ନଥାଇ କେବଳ ‘ଶ୍ରୀ’ ଥିଲା ଏବଂ ମୁଖ ଅଗ୍ରରେ ଦୀର୍ଘ ଶୁକ୍ଳ ଶ୍ମଶ୍ର ନଥାଇ ବୋଧହୁଏ କୃଷ୍ଣବର୍ଣ୍ଣର ସଙ୍କୁଚିତ ‘‘ମୋ ନିଶ’’ ଟିକିଏ ଥିଲା । (ଯେଉଁ ‘‘ମୋ ନିଶ’’ ବିଷୟରେ ପ୍ରବନ୍ଧ ଲେଖି ଦିନେ ସେ ପାଠକମହଲରେ ଚହଳ ପକାଇ ଦେଇଥିଲେ) । ପୁଣି ତାଙ୍କ ମୁଖାଭ୍ୟନ୍ତରରେ ସେତେବେଳେ ନକଲି ଦାନ୍ତ ନଥାଇ ଅବଶ୍ୟ ସୁନ୍ଦର ମଜଭୁତ ଖାଣ୍ଟି ଦାନ୍ତ ଥିଲା । ସେହି ଅବସ୍ଥାରେ ଯେଉଁ କବି ଉକ୍ତ ରୂପ ‘‘ପ୍ରୀତିରହସ୍ୟ’’ ରଚନା କଲେ, ସେ ଯେ କାହିଁକି ଆଧୁନିକ ବାସ୍ତବବାଦୀ ପ୍ରଣୟବିହ୍ୱଳ କବିମାନଙ୍କଦ୍ୱାରା ଉପହସିତ ନ ହେବେ, ତାହାର ମର୍ମ ନୀଳକଣ୍ଠଙ୍କର ଅନ୍ୟତମ ଶିଷ୍ୟ ‘‘ନିଆଁଖୁଣ୍ଟା’’ ସମ୍ପାଦକ ଶ୍ରୀ ଗୋଦାବରୀଶ ମହାପାତ୍ର ଅବା କହିଲେ କହିପାରନ୍ତି । କାରଣ ଆଧୁନିକ ଗୋଦାବରୀଶ କେଶଶୁକ୍ଳାଭ ହୋଇପଡ଼ିଥିଲେହେଁ ଦାନ୍ତଗୁଡ଼ିକ ଅବିଚଳିତ ଓ ଠିକ୍‌ ଅଛି ପରା !

 

ପୂର୍ବ–ଯୁଗର ପ୍ରତିବାଦ

 

‘‘ଚନ୍ଦ୍ରଭାଗା’’, ‘‘କେଦାରଗୌରୀ’’, ‘‘ଯଯାତିକେଶରୀ’’ ଓ ‘‘ନନ୍ଦୀକେଶ୍ୱରୀ’’ ଆଦି ରାଧାନାଥଙ୍କ କାବ୍ୟର କଟୁ ସମାଲୋଚକରୂପେ ନୀଳକଣ୍ଠ ଯେପରି ଆତ୍ମପ୍ରକାଶ କଲେ, ତାହା ‘‘ସତ୍ୟବାଦୀ–ଯୁଗ’’ର ହିଁ ପ୍ରତିବାଦ ବୋଲି ବୁଝିବାକୁ ହେବ । ରାଜନୀତି ବା ସାମ୍ୱାଦିକତା ପ୍ରଭୃତି ବିଭିନ୍ନ କ୍ଷେତ୍ର ଭଳି ସାହିତ୍ୟକ୍ଷେତ୍ରରେ ମଧ୍ୟ ଗୋପବନ୍ଧୁ ଏହି ଯୁଗର ସ୍ରଷ୍ଟା ରୂପେ ନିଜର ସ୍ୱଳ୍ପ ଉଚ୍ଚ ଚେହେରା ଘେନି ସବୁରି ଊର୍ଦ୍ଧ୍ୱରେ ଦଣ୍ଡାୟମାନ । ଗୋପବନ୍ଧୁ–ରଚିତ କବିତାବଳୀ ତାଙ୍କରି ଚେହେରାଭଳି କ୍ଷୁଦ୍ର ଓ ମୁଷ୍ଟିମେୟ ହେଲେହେଁ ତାଙ୍କରି ଶକ୍ତିଶାଳୀ ନେତୃତ୍ୱ ଓ ନିର୍ଦ୍ଦେଶ ହିଁ ସାହିତ୍ୟ ପାଇଁ ଏକ ଅଭୂତପୂର୍ବ ସ୍ୱାତନ୍ତ୍ର୍ୟ ପ୍ରତିଷ୍ଠା କରାଯାଇଛି ।

 

ରାଧାନାଥଙ୍କ କାବ୍ୟାଦର୍ଶ ବିରୁଦ୍ଧରେ ଏହା ଯେପରି ପ୍ରତିବାଦ ସ୍ୱର ଉଠାଇଛି, ସେହିପରି ଉଠାଇଛି ବ୍ରାହ୍ମଧର୍ମର ଏକେଶ୍ୱରବାଦ ତଥା ପାଶ୍ଚାତ୍ୟ ସଂସ୍କୃତିର ଅନୁଗତ୍ୟ ସ୍ୱୀକାର କରିବା ବିରୁଦ୍ଧରେ । ଗୋପବନ୍ଧୁ ନିଜେ ଯେପରି ଗଣନେତା ଥିଲେ, ସେହିପରି ଥିଲେ ଗଣକବି ଓ ଗଣସାହିତ୍ୟିକ । ଯେଉଁ ଜଗନ୍ନାଥ ଆବହମାନକାଳରୁ ଓଡ଼ିଆ କବିମାନଙ୍କର ଭଜନ, ଜଣାଣ ଓ ମଙ୍ଗଳାଚରଣରେ ଦେବତାରୂପେ ପୂଜା ପାଇଆସିଛନ୍ତି, ତାଙ୍କରି ଭିତରେ ହିଁ ସେ ଏକେଶ୍ୱରଙ୍କ ଦର୍ଶନ ଲୋଡ଼ିଛନ୍ତି । ‘‘ସାରଳା’’, ‘‘ଜଗନ୍ନାଥ’’, ‘‘ବଳରାମ’’, ‘‘ଉପେନ୍ଦ୍ର’’ ଆଦି ଯେଉଁ କବିଗଣ ଲୋକପୂଜ୍ୟ ହୋଇଛନ୍ତି, ସେହିମାନେ ହିଁ ତାଙ୍କର କବି । ତାଙ୍କର କି ଗଦ୍ୟ, କି ପଦ୍ୟ, ପ୍ରତ୍ୟେକ ରଚନାର ଭାଷା ଓ ପ୍ରକାଶଭଙ୍ଗି ଯେପରି ସରଳ, ସେହିପରି ସହଜବୋଧ୍ୟ ।

 

ସାମାଜିକ ହିତ

 

ପରୋକ୍ଷ ଅଥବା ପ୍ରତ୍ୟକ୍ଷରେ ହେଉ, ସାହିତ୍ୟ ଯେ କେବଳ ସାମାଜିକ ହିତ ପାଇଁ ଉତ୍‍କୃଷ୍ଟ, ଏ କଥାକୁ ଗୋପବନ୍ଧୁ ନାନା ଭାବରେ ପ୍ରକାଶ କରିଛନ୍ତି । ପୁଣି ନିଜ ଲେଖନୀକୁ ପ୍ରତ୍ୟକ୍ଷ ଭାବରେ ଏହି ଦିଗରେ ହିଁ ପ୍ରଯୁଜ୍ୟ କରି ଯାଇଛନ୍ତି । ଆଜି ଆମେ ପ୍ରଗତିଶୀଳ ସାହିତ୍ୟ ବୋଇଲେ ଯାହା ବୁଝୁ, ଗୋପବନ୍ଧୁ ସେହି କଥାଟିକୁ ଅନେକ ଆଗରୁ ସୂଚାଇ ଦେଇଛନ୍ତି–କେବଳ ବାକ୍ୟରେ ନୁହେଁ, କର୍ମରେ ମଧ୍ୟ ।

 

ଭଗବତ୍‌ ପ୍ରେମ ସହିତ ରମଣୀ ପ୍ରେମ ଓ ସ୍ୱଦେଶ ପ୍ରେମ ଯେ, ସାହିତ୍ୟ କ୍ଷେତ୍ରରେ ଏଥିପୂର୍ବେ ଅଙ୍ଗାଙ୍ଗୀଭାବରେ ଜଡ଼ିତ ହୋଇଆସିଥିଲା, ସତ୍ୟବାଦୀ–ଯୁଗ ସେଥିମଧ୍ୟରେ ରମଣୀ ପ୍ରେମଟିକୁ ଛାଡ଼ିଦେଇ ବାକି ଦୁଇଟିକୁ ଗ୍ରହଣ କରିନେଲା । ପ୍ରଗତିଶୀଳ ସାହିତ୍ୟରେ ଅବଶ୍ୟ ଭଗବତ୍‌ ପ୍ରେମ ନାହିଁ । ଅନ୍ୟ ଦୁଇଟି ମଧ୍ୟରୁ ସ୍ୱେଦେଶ ପ୍ରେମ ହିଁ ମୁଖ୍ୟ ସ୍ଥାନ ଅଧିକାର କରିଛି ନିରାଟ ନିଷ୍କପଟ ଆକାରରେ । ସତ୍ୟବାଦୀ–ଯୁଗ ଏହି ଦିଗକୁ ହିଁ ସର୍ବୋପେକ୍ଷା ଅଧିକ ଆଲୋକପାତ କରିନାହିଁ କି ? ଆଜି ପୃଥିବୀର ପ୍ରଗତିଶାଳୀ ଦେଶନେତାମାନଙ୍କ ସାହିତ୍ୟ–କଳାର ପରିପୃଷ୍ଟି ଓ ବିକାଶ ଲାଗି ଏବଂ ମାନବସମାଜର ଉପଯୋଗୀ ହେବାଲାଗି ଯେଭଳି ବିଜ୍ଞାନସମ୍ମତ ଓ ଯୁକ୍ତିସମ୍ମତ ନିର୍ଦ୍ଦେଶମାନ ଦେଇଥାନ୍ତି, ସେଭଳି ନିର୍ଦ୍ଦେଶ ଗୋପବନ୍ଧୁଙ୍କ ବ୍ୟତୀତ ଓଡ଼ିଶାରେ ତାଙ୍କ ସମସାମୟିକ ଅଥବା ପୂର୍ବବର୍ତ୍ତୀ–ପରବର୍ତ୍ତୀ ଆଉ କେଉଁ ନେତା ଦେବାକୁ ସମର୍ଥ ହୋଇପାରିଛନ୍ତି, ତାହା ଆମକୁ ଜଣାନାହିଁ ।

 

ସାହିତ୍ୟ ପରିକ୍ରମା

 

‘‘ସତ୍ୟବାଦୀ’’ର ପ୍ରଥମ ବର୍ଷ ପ୍ରଥମ ସଂଖ୍ୟାରେ ହିଁ ଗୋପବନ୍ଧୁ ସୂଚନା ଦେଇଛନ୍ତି, ‘‘ଉତ୍କୃଷ୍ଟ ଶ୍ରେଣୀର କବିତା ନ ହେଲେ ପଦ୍ୟ ‘ସତ୍ୟବାଦୀ’ରେ ପ୍ରକାଶିତ ହେବନାହିଁ । ଯଥାର୍ଥରେ ଗୋଦାବରୀଶ ଓ ନୀଳକଣ୍ଠଙ୍କ ବ୍ୟତୀତ ଆଉ ପ୍ରାୟ କାହାରି କବିତା ସେଥିରେ ସ୍ଥାନ ପାଇନଥିଲା । ଅବଶ୍ୟ ସେ କବିତାଗୁଡ଼ିକ ମଧ୍ୟରୁ ଅଧିକାଂଶ ଆଧୁନିକ ବା ଇଂରାଜୀ କବିତାର ଭାବକୁ ଅନୁସରଣ, ଅନୁକରଣ ବା ଅନୁବାଦ କଲାପରି ଜଣାପଡ଼େ ଏବଂ ବୈଦେଶିକ ରୀତିକୁ ନିଜସ୍ୱ କରିପାରିବାରେ କୃତିତ୍ୱ ସୂଚାଇଦିଏ । ନୀଳକଣ୍ଠଙ୍କର ବିରାଟ ଶବ୍ଦସମ୍ଭାର ନିକଟରେ ଗୋଦାବରୀଶଙ୍କର କବିତ୍ୱମୟ ହୃଦୟସ୍ପର୍ଶୀ ସରଳ ସୁକୁମାର ଲାଳିତ୍ୟର ଚିହ୍ନ ‘ସତ୍ୟବାଦୀ’ରେ ପ୍ରକାଶିତ ସ୍ୱଳ୍ପ ସଂଖ୍ୟକ କବିତାରେ ଅଙ୍କିତ ହୋଇ ରହିଛି ।

 

(ଏଇ ୬।୧୨।୧୯୫୩ର ସାପ୍ତାହିକ ‘‘ସାହିତ୍ୟ–ପରିକ୍ରମା’’ ସହିତ ନିମ୍ନୋକ୍ତ ପତ୍ରଟି ମଧ୍ୟ ପ୍ରକାଶପାଏ ।)

 

ଆଲୋଚନା

 

ମାନନୀୟ ‘ସମାଜ’ ସମ୍ପାଦକ ମହୋଦୟ ସମୀପେଷୁ !

 

ଆଜି ଓଡ଼ିଆ ସାହିତ୍ୟର ଅବସ୍ଥା ଯେପରି, ଏତିକିବେଳେ ‘‘ଆଗବୋଲା’’ଙ୍କ ପରି କେତେ ଜଣ ନ ବାହାରିଲେ ଆମ ସାହିତ୍ୟ କ୍ରମଶଃ ଧ୍ୱଂସପଥକୁ ଗତି କରିବ ବୋଲି ମୋର ବିଶ୍ୱାସ । ତେଣୁ ତାଙ୍କର ତଥା ଆପଣଙ୍କର ଉଦ୍ୟମ ଅତୀବ ପ୍ରଶଂସନୀୟ ଓ ସମୟୋପଯୋଗୀ ।

 

ଓଡ଼ିଆ ସାହିତ୍ୟର ଏହିଦିନ ଅବସ୍ଥା ପାଇଁ ଲେଖକମାନଙ୍କର ଅଶ୍ଳୀଳତା, ଅବାସ୍ତବତା, ଦାୟିତ୍ୱହୀନତା, ଅସହଯୋଗ, ଅଦରକାରୀ ଅନୁକରଣ ଏବଂ ବିଶେଷଭାବେ ପୁନରାବୃତ୍ତି ହିଁ ଦାୟୀ-। ଅଧିକାଂଶ ଓଡ଼ିଆ ଲେଖକ ଆଜି ଅଶ୍ଳୀଳ ଓ ଅବାସ୍ତବ ସାହିତ୍ୟ ସୃଷ୍ଟି କରି ଓଡ଼ିଆ ସାହିତ୍ୟକୁ କଳଙ୍କିତ କରିପକାଉଛନ୍ତି । ଅଧିକାଂଶ ଲେଖକ, ତାଙ୍କ ଉପରେ ନିଜ ଜାତିଗଠନର କି ଦାୟିତ୍ୱ ଅଛି, ତାହା ଭୁଲିଯାଉଛନ୍ତି । ଲେଖକ, ପ୍ରକାଶକ, ସମ୍ପାଦକ ପ୍ରଭୃତିଙ୍କ ମଧ୍ୟରେ ସହଯୋଗ ନାହିଁ । ପ୍ରତ୍ୟେକେ ସାହିତ୍ୟ ଚର୍ଚ୍ଚାକୁ ଆଜିକାଲି ବ୍ୟବସାୟରୂପେ ଧରିଲେଣି । ଚାହିଦା ଅନୁସାରେ ଅଶ୍ଳୀଳ, କୁତ୍ସିତ ଲେଖା ସୃଷ୍ଟି କରିବାରେ ଜୋରଦାରରେ ଲାଗିପଡ଼ିଲେଣି । ଆଜିକାଲି ଅଧିକାଂଶ ଏକ ଛାଞ୍ଚରେ ଗଢ଼ା ପରି ଜଣାପଡ଼ୁଛି–ଅଧିକାଂଶର ନୂତନତ୍ୱ ଓ ବାସ୍ତବ ଚିତ୍ର ନାହିଁ କହିଲେ ଚଳେ-। ଶେଷରେ ଆଜିକାଲି ଓଡ଼ିଆ ସାହିତ୍ୟରେ ଯେପରି ଭାବରେ ପୁନରାବୃତ୍ତି ଚାଲିଲାଣି, ସେଥିରୁ ସ୍ପଷ୍ଟ ସୂଚନା ମିଳିସାରିଲାଣି ଯେ, ଶୀଘ୍ର ଏହାକୁ ରୋକିବାର ବ୍ୟବସ୍ଥା ନହେଲେ ତାହାର ଅବସ୍ଥା ଅତି ନିମ୍ନସ୍ତରକୁ ଚାଲିଯିବ ।

 

ଗୋଟାଏ ଲେଖାକୁ ବିଭିନ୍ନ ଲୋକଙ୍କ ନାମରେ ବିଭିନ୍ନ ପତ୍ରିକାରେ ପ୍ରକାଶ କରିବା ବା ଜଣଙ୍କର ଲେଖାକୁ ପୁଣି ଅନ୍ୟ ନାମରେ ପ୍ରକାଶ କରିବା ଆଜିକାଲି ଅନେକ ଦେଖାଗଲାଣି–ବିଶେଷତଃ ଶସ୍ତା ସାହିତ୍ୟ ପତ୍ରିକାଗୁଡ଼ିକରେ ଏହା ଦେଖିବାକୁ ମିଳୁଛି । ବର୍ଷକ ତଳେ ‘ଆସନ୍ତାକାଲି’ ଓ ଯୁଗଭାରତୀରେ ‘ଝଡ଼’ ନାମରେ ଗୋଟାଏ ଲେଖା ଦୁଇଟି ଲେଖକ ଲେଖିକାଙ୍କ ନାମରେ ପ୍ରକାଶ ପାଇଥିଲା । ଯେଉଁ ମାସ ‘ଆସନ୍ତାକାଲି’ରେ ଶ୍ରୀ ନାରାୟଣ ଆଚାର୍ଯ୍ୟଙ୍କ ନାମରେ ‘ଝଡ଼’ ପ୍ରକାଶ ପାଇଥିଲା, ଠିକ୍‌ ସେହି ମାସ ‘ଯୁଗଭାରତୀ’ରେ କୁମାରୀ ଉମାଙ୍କ ନାମରେ ‘ଝଡ଼’ ପ୍ରକାଶ ପାଇଥିଲା । ଗଳ୍ପଟି ଭଲ; ତେଣୁ ଉଭୟ ପତ୍ରିକାର ସମ୍ପାଦକ ଲେଖାଟି ପ୍ରକାଶ କରିବାକୁ ଉପଯୁକ୍ତ ମନେକରି ପ୍ରକାଶ କରିଛନ୍ତି । ଏଥିରେ ସମ୍ପାଦକଙ୍କର କଳାବଜାରୀ ନାହିଁ; ଅଛି ଲେଖକ–ଲେଖିକାଙ୍କର ।

 

ପୁଣି ଏଥର ‘ଆସନ୍ତାକାଲି’ରେ ସେହିପରି ଦୋଷ ଦିଆଯାଇଛି । ଶ୍ରୀଯୁକ୍ତ ମାୟାଧର ମାନସିଂହଙ୍କଦ୍ୱାରା ସମ୍ପାଦିତ ‘ଶଙ୍ଖ’ର ୧୯୪୫ ମସିହା ପ୍ରଥମ ବର୍ଷ ୨ୟ ସଂଖ୍ୟାରେ ପ୍ରକାଶିତ ଶ୍ରୀମତୀ ଅନୁଭାବିନୀ ଦେବୀଙ୍କର ‘ଉପନ୍ୟାସର ଦୁଇଟି ପରିଚ୍ଛେଦ’ର ବିଷୟବସ୍ତୁ ଲବଙ୍ଗଲତା ଦେବୀଙ୍କର ‘ଚପଳ ଛନ୍ଦା’ ବି ସେଇଆ । ଉକ୍ତ ଲେଖିକା (ବିଦୁଷୀ ଲବଙ୍ଗଲତା) ଜଣେ ପୁରୁଷା ଲେଖିକା । ‘ଶଙ୍ଖ’ର ପ୍ରଥମ ସଂଖ୍ୟାରେ ବିଜ୍ଞାପିତ ‘ମନର ମଣିଷ’ ଓ ‘ହସ ହସ ମୋର ପ୍ରିୟ’ ଉପନ୍ୟାସ ଦୁଇଟିର ସେ ନିଜେ ଲେଖିକା । ଅନୁଭାବିନୀ ଦେବୀଙ୍କର ‘ତରୁଣୀୟ’ ଉପନ୍ୟାସର ବିଜ୍ଞାପନ ତାଙ୍କ ଲେଖା ପ୍ରକାଶିତ ସଂଖ୍ୟା ‘ଶଙ୍ଖ’ରେ ପ୍ରକାଶିତ ହୋଇଥିଲା । ମୁଁ ଯଦିବା ଉକ୍ତ ଉପନ୍ୟାସଟି ପଢ଼ିନି, ତଥାପି ବିଜ୍ଞାପନରେ ପ୍ରକାଶିତ ବିଷୟବସ୍ତୁକୁ ପଢ଼ି ଭାବୁଛି ଯେ, ବୋଧହୁଏ ‘ଉପନ୍ୟାସର ଦୁଇଟି ପରିଚ୍ଛେଦ’ ଗଳ୍ପଟି ତା’ର ଦୁଇଟି ପରିଚ୍ଛେଦ (‘ଶଙ୍ଖ’ରେ ଗଳ୍ପଟି ଦୁଇଭାଗ କରାହୋଇ ପ୍ରକାଶିତ ହୋଇଥିଲା ।)

 

‘ଆସନ୍ତାକାଲି’ର ଯେଉଁ ‘ଚପଳଛନ୍ଦା’ ଗଳ୍ପଟି ପ୍ରକାଶ ପାଇଛି, ସେଥିରେ ‘ଉପନ୍ୟାସର ଦୁଇଟି ପରିଚ୍ଛେଦ’ ଗଳ୍ପର କେତୋଟି ପାରାକୁ ଛାଡ଼ି ଆଉ ସବୁ ପୂରାପୂରି ଅଛି ।

 

ଆଉ ମଧ୍ୟ କଟକରୁ ପ୍ରକାଶିତ ଗୋଟିଏ ନୂଆ ପତ୍ରିକାର ଚଳିତ ସଂଖ୍ୟାରେ ସେହିପରି ଗୋଟିଏ ଗଳ୍ପର ପୁନରାବୃତ୍ତି ହୋଇଛି । ଏହିପରି କେତେ ଆଜିକାଲି ଦେଖିବାକୁ ମିଳିଲାଣି । ଏହିସବୁ ଦୋଷରେ ଆଜି ତ ଓଡ଼ିଆ ସାହିତ୍ୟ ପୂର୍ଣ୍ଣ ।

 

ଏତିକିବେଳେ ମୁଁ ‘ଆଗବୋଲା’ଙ୍କୁ ଅନୁରୋଧ କରେ, ସେ ‘ସାହିତ୍ୟ ପରିକ୍ରମା’ରେ ଏସବୁର ସମାଲୋଚନା ଦିଗରେ ଆଉ ଟିକିଏ ଜୋରରେ ଲେଖନୀ ଚଳାନ୍ତୁ । ନଚେତ୍‌ ଏ ସାହିତ୍ୟ ଅଚିରେ ବିଶ୍ୱ–ଦରବାରରେ ଅତି ନିକୃଷ୍ଟତମ ସାହିତ୍ୟ ବୋଲି ପ୍ରତିପାଦିତ ହେବ ବୋଲି ଆଶଙ୍କା କରେ । ଇତି ।

 

ଆପଣଙ୍କର ଶୁଭାନୁଧ୍ୟାୟୀ

ଶ୍ରୀ ବ୍ରଜସୁନ୍ଦର ମହାପାତ୍ର

ପୁରୀ, ତା ୨୬ । ୧୧ । ୫୩ ରିଖ

 

ଛଅଟି ମାତ୍ର ବର୍ଷ ‘ସତ୍ୟବାଦୀ’ ପତ୍ରିକା ପ୍ରକାଶିତ ହୋଇଥିଲା ବୋଲି ଏଥିପୂର୍ବେ ସୂଚାଇ ଦିଆଯାଇଛି । ପ୍ରତି ସଂଖ୍ୟାରେ ଗୋପବନ୍ଧୁଙ୍କର ଧାରାବାହିକ ସମ୍ପାଦକୀୟ ଆଲୋଚନା ବ୍ୟତୀତ ଯେଉଁ ଲେଖକମାନଙ୍କର ରଚନାବଳୀଦ୍ୱାରା ପତ୍ରିକାର କଳେବର ମଣ୍ଡିତ ହେଉଥିଲା, ସେମାନଙ୍କ ମଧ୍ୟରୁ ଅନେକେ ଆଜି ବିସ୍ମୃତ ହୋଇପଡ଼ିଲେଣି–ଆଉ କେହି କେହି ସ୍ୱଦେହରେ ଜୀବିତ ଥିଲେ ସୁଦ୍ଧା ସାହିତ୍ୟ କ୍ଷେତ୍ରରେ ମୃତକଳ୍ପ । ‘ସତ୍ୟବାଦୀ’ର ନିୟମିତ ଲେଖକମାନଙ୍କ ମଧ୍ୟରେ ଜଗବନ୍ଧୁ ସିଂହ, ପଣ୍ଡିତ ଗୋପୀନାଥ ନନ୍ଦ ଶର୍ମା, ପଣ୍ଡିତ ଜଗନ୍ନାଥ ମିଶ୍ର ଓ କୃପାସିନ୍ଧୁ ମିଶ୍ର ଇହଜଗତରେ ନାହାନ୍ତି । ଶ୍ରୀ ବାସୁଦେବ ମହାପାତ୍ର, ଶ୍ରୀ ବିରୂପାକ୍ଷ କର, ଶ୍ରୀ ରତ୍ନାକର ପତି, ଶ୍ରୀ ଲକ୍ଷ୍ମୀନାରାୟଣ ସାହୁ, ଶ୍ରୀ ମଦନମୋହନ ରଥ, ଶ୍ରୀ ରୁଦ୍ରନାରାୟଣ ଷଡ଼ଙ୍ଗୀ ଓ ଶ୍ରୀ ଲିଙ୍ଗରାଜ ମିଶ୍ର ପ୍ରମୁଖ ଲେଖକଗଣ ସମାଜ, ରାଷ୍ଟ୍ର ଓ ଜୀବନର ବିଭିନ୍ନ ଆଲୋଚନାମୂଳକ ପ୍ରବନ୍ଧ ଲେଖିଥିବାର ଦେଖାଯାଏ ।

 

ଛାତ୍ର–ସାହିତ୍ୟ

 

ଛାତ୍ର ବିଭାଗରେ ଶ୍ରୀ ଚନ୍ଦ୍ରଶେଖର ମିଶ୍ର, ଶ୍ରୀ ଗୋଦାବରୀଶ ମହାପାତ୍ର ଓ ଶ୍ରୀ ଜଗଦ୍‌ବନ୍ଧୁ କର ପ୍ରଭୃତିଙ୍କ ନାମୋଲ୍ଲେଖ ଅଛି । ଶ୍ରୀ ଗୋଦାବରୀଶ ମହାପାତ୍ରଙ୍କ ‘କବିର ମାନ’ କବିତାଟି ଷଷ୍ଠ ଖଣ୍ଡ ‘ସତ୍ୟବାଦୀ’ର ୪ର୍ଥ ସଂଖ୍ୟା ପ୍ରଥମରେ ପ୍ରକାଶିତ ହୋଇ ତାଙ୍କ କବିପ୍ରତିଭାର ପ୍ରାରମ୍ଭିକ ଉନ୍ମେଷ ସୂଚାଇଦିଏ । ବାଳକ କବିଙ୍କ କଳ୍ପନା–ଦ୍ୱାର ଏହିରୂପେ ଉଦ୍‌ଘାଟିତ ହେଲା–

 

‘‘ଜଗତ–ହୃଦୟେ ଫିଟିଲା ନିମିଷେ

ପରାଣୁ ପରାଶେ କି ଆଶା–ବନ୍ଧ

ପଲକେ ପଲକେ ଖେଳିଲା ଚମକେ

ଅନନ୍ତ ଆବେଗ ଭାବପ୍ରବନ୍ଧ ।’’

 

‘‘ତରଙ୍ଗେ ତରଙ୍ଗେ ଧାଇଁଛି କା’ଗାନ

ମହା ଅମ୍ୱୁନିଧି ମହା ପୁଲିନେ

(ସେ ତ) କବିର ରାଗିଣୀ କବି–ବୀଣା–ତାରେ

ଅନନ୍ତ ପୁଲକ ମରଜୀବନେ ।’’

 

ଏହିରୂପ ଭାବମୟ କବିତାରେ ଯେଉଁ କବିଜୀବନର ଆରମ୍ଭ ହୋଇଥିଲା, ତାହାର ପରିଣାମ ‘ନିଆଁଖୁଣ୍ଟା’ର ବ୍ୟଙ୍ଗ, ସମାଲୋଚନା ଓ କୁତ୍ସାରେ କାହିଁକି ଘଟିଲା, ସେ କଥା ବିଚାର କରିବାପାଇଁ ଅନେକ ଦିଗ ଉନ୍ମୁକ୍ତ ରହିଛି ।

 

ଇଂରାଜୀରେ ଗୋଟିଏ କଥା ଅଛି–‘‘Bad poets turn critics” ଅର୍ଥାତ୍‌ ମନ୍ଦକବିମାନେ ସମଲୋଚକରେ ପରିଣତ ହୁଅନ୍ତି, ମାତ୍ର ‘ନିଆଁଖୁଣ୍ଟା’ର ଗୋଦାବରୀଶଙ୍କୁ ତ ମନ୍ଦକବି ଆଖ୍ୟା ଦେବାପାଇଁ କାହାରି ଜିଭ ଲେଉଟିବ ନାହିଁ ! ଆଉ ଏକ ଯୁକ୍ତି ହୋଇପାରେ, ତାଙ୍କର ସୃଷ୍ଟି ଶକ୍ତି ନିଃଶେଷ ହୋଇଆସିଲାବେଳକୁ ଅନ୍ତର୍ନିହିତ କବିତ୍ୱ ବିଷାକ୍ତ ହୋଇପଡ଼ିଛି । ଉଚ୍ଚ ଦରର ସମାଲୋଚନା ଓ ବ୍ୟଙ୍ଗ ବ୍ୟତୀତ ଯେଉଁଠାରେ ସେ କେବଳ କୁତ୍ସା ବିଦ୍ରୂପ ରଚନା କରି ‘ବ୍ରୁଣମିଚ୍ଛନ୍ତି ମକ୍ଷିକା’ ଭଳି ଅତ୍ୟନ୍ତ କ୍ଷୁଦ୍ର ହୋଇପଡ଼ିଛନ୍ତି, ସେଠାରେ ସୁଦ୍ଧା କବିର ଛନ୍ଦୋମୟ ଆତ୍ମା ଓ ନବ ନବ ସୃଷ୍ଟି ଲାଗି ପ୍ରୟାସର ଆଭାସ ମିଳେ । ଆହୁରି ମଧ୍ୟ ବିଚାରକୁ ଆସେ ‘ସତ୍ୟବାଦୀ–ଯୁଗ’ର ପ୍ରଭାବ ।

 

ଅଖଣ୍ଡ ରାଜତ୍ୱ

 

‘ଓଡ଼ିଆ ସାହିତ୍ୟର କ୍ରମପରିଣାମ’ର ପ୍ରଣେତା ପଣ୍ଡିତ ନୀଳକଣ୍ଠଙ୍କ ପ୍ରଭାବ ସାହିତ୍ୟକ୍ଷେତ୍ରରେ ଆଜି ଲୁପ୍ତ ହୋଇନାହିଁ; ପୁଣି ପାଠ୍ୟପୁସ୍ତକ–ରାଜ୍ୟରେ ଏବେ ରାଜତ୍ୱ କରୁଛନ୍ତି ପଣ୍ଡିତ ଗୋଦାବରୀଶ । ‘ସମାଜ’ ରାଜତ୍ୱ କରୁଛି, ସମ୍ୱାଦ–ସାହିତ୍ୟରେ ଏବଂ ‘ନିଆଁଖୁଣ୍ଟା’ର ଅଖଣ୍ଡ ରାଜତ୍ୱ ସମାଲୋଚନା, ବ୍ୟଙ୍ଗ ବିଦ୍ରୂପ ଓ କୁତ୍ସା–ସାହିତ୍ୟ–ଜଗତରେ ! ସାହିତ୍ୟ ମାଧ୍ୟମରେ ସମାଜକୁ ଶିକ୍ଷିତ, ସୁଗଠିତ ଓ ସବଳ କରିବାଲାଗି ସତ୍ୟବାଦୀ–ଯୁଗର ଏହି ସକଳ ବ୍ୟକ୍ତିବିଶେଷ କିମ୍ୱା ଅନୁଷ୍ଠାନର ଦାନ ଆଜି ମଧ୍ୟ ଅସାମାନ୍ୟ ବୋଲି ଅନୁଭୂତ ହୁଏ । ପୁଣି ଏହି ବ୍ୟକ୍ତିବିଶେଷ କେବଳ ସାହିତ୍ୟିକ, ସାମ୍ୱାଦିକ, କବି କିମ୍ୱା ସମାଲୋଚକ ନୁହନ୍ତି; ତାଙ୍କ ଭିତରୁ ଅଧିକାଂଶ ସମାଜ–ସେବକ, ରାଜନୀତିଜ୍ଞ ଓ କର୍ମୀ ମଧ୍ୟ ।

 

କବି, ସାହିତ୍ୟିକ, ସାମ୍ୱାଦିକ ତଥା ରାଜନୀତିଜ୍ଞ ଓ ସମାଜସେବକ ଗୋପବନ୍ଧୁଙ୍କ ବହୁମୁଖୀ ପ୍ରତିଭା ଏହିରୂପେ ନାନା ଦିଗରେ ଆଜି ବିକଶିତ ହୋଇଉଠିଛି । ରାଧାନାଥ ଫକୀରମୋହନ ଓ ମଧୁସୂଦନ ପରେ ସତ୍ୟବାଦୀଯୁଗର ବିଶେଷତ୍ୱ ଏହି ଯେ ସାହିତ୍ୟ ବହୁ ପରିମାଣେ ଏକ ବ୍ୟାବହାରିକ ରୂପର ଆଭିମୁଖ୍ୟ ଗ୍ରହଣ କରିଛି । ଏହା ଯେପରି ନୂଆ ରୂପ ଘେନି ଫେରିଯାଇଛି ଓଡ଼ିଆ ସାହିତ୍ୟର ପ୍ରାରମ୍ଭ ଯୁଗକୁ । ସାରଳା, ଜଗନ୍ନାଥ ଓ ବଳରାମ ଆଦି ଗଣକବିକୁଳ ଏହାର ଆଦର୍ଶ ହୋଇଛନ୍ତି । ଜଗନ୍ନାଥ ଓ ବଳରାମଙ୍କ ଭଳି ବର୍ଣ୍ଣିତ ଯୁଗର ଗୋପବନ୍ଧୁଙ୍କଠାରୁ ଆରମ୍ଭ କରି ଏକାଧିକ କବି ସାହିତ୍ୟିକ ରାଜଦଣ୍ଡରେ ଦଣ୍ଡିତ ହୋଇଛନ୍ତି । ପୃଥିବୀର ପ୍ରାୟ ସକଳ ଉନ୍ନତି ଦେଶରେ ବହୁ କବି, ସାହିତ୍ୟିକ ଯେପରି ନିଜର ବୈପ୍ଳବିକ କର୍ମଧାରା ଓ ଚିନ୍ତାଧାରା ଲାଗି ରାଷ୍ଟ୍ରକର୍ତ୍ତୃକ ବନ୍ଦି ହୋଇଥାନ୍ତି, ଆଧୁନିକ ଉତ୍କଳରେ ଗୋପବନ୍ଧୁ ହିଁ ପ୍ରଥମେ ଏହି ପଥର ପ୍ରଦର୍ଶକ ହେଲେ ।

 

କର୍ମ ଓ କଳ୍ପନା

 

ଚିନ୍ତାଧାରା ଓ କର୍ମଧାରାର ସାମଞ୍ଜସ୍ୟ ଆଣିବାକୁ ଯାଇ ସତ୍ୟବାଦୀ–ଯୁଗର ଲେଖକବୃନ୍ଦ ଯେଉଁ ସାହିତ୍ୟ ସୃଷ୍ଟି କଲେ, ତାହାର ଶିଳ୍ପକଳା ସେଥିଲାଗି ରାଧାନାଥ–ଯୁଗର ସମକକ୍ଷ ହୋଇପାରିଲା ନାହିଁ । ଶିଳ୍ପୀର କଳ୍ପନା କର୍ମୀର ବାସ୍ତବ ଦୃଷ୍ଟିଦ୍ୱାରା ପ୍ରତିହିତ ହେଲା । ସାହିତ୍ୟ ଯେ ସ୍ୱୟଂ ଏକ ଐକାନ୍ତିକ ସାଧନାର ସ୍ୱତନ୍ତ୍ର କ୍ଷେତ୍ର–ଏ କଥାକୁ ସତ୍ୟବାଦୀ–ଯୁଗର କବି ଲେଖକମାନେ ଯେପରି ପାସୋରିଦେଲେ । କ୍ଷମତା–ରାଜନୀତିକୁ ମଧ୍ୟ ତାଙ୍କ ମଧ୍ୟରୁ କେହି କେହି ଗ୍ରହଣ କରିବାର ଲୋଭ ସମ୍ଭାଳିପାରିଲେ ନାହିଁ । ଏହି କାରଣରୁ ବୋଧହୁଏ ତାଙ୍କରି ମଧ୍ୟରୁ ‘ନିଆଁଖୁଣ୍ଟା’ର ଉଦ୍ଭବ ହୋଇ ଆତ୍ମସମାଲୋଚନା ଓ ଆତ୍ମବିଦ୍ରୂପ ଭଳି ଖୁଣ୍ଟା ଦେଉଛି । ପୁଣି ସାହିତ୍ୟକୁ ଲୋକଶିକ୍ଷାର ଏକ ପ୍ରତ୍ୟକ୍ଷ ଉପକରଣରୂପେ ବ୍ୟବହାର କରିବାଦ୍ୱାରା କଳାସୃଷ୍ଟିର ସ୍ଥାନ ଗୌଣ ହୋଇପଡ଼ିଛି । ‘କବିର ଗାନ’ ରଚନା କରିବାର ସ୍ୱପ୍ନ ଶେଷରେ ବ୍ୟଙ୍ଗ ବିଦ୍ରୂପର କୋଳାହଳରେ ଭାଙ୍ଗିଯାଇଛି ।

 

କାରା–ସାହିତ୍ୟ

 

ରାଧାନାଥଙ୍କ ବିଭିନ୍ନ କାବ୍ୟସୃଷ୍ଟି ମଧ୍ୟରୁ ‘ଦରବାର’ କାବ୍ୟକୁ ଯଦି ସର୍ବୋତ୍‍କୃଷ୍ଟ ବୋଲି ବିଚାର କରାଯାଏ, ତାହାହେଲେ ସତ୍ୟବାଦୀର କବିପ୍ରତିଭା ସେଇଠାରେ ପର୍ଯ୍ୟବସିତ ବୋଲି କହିବାକୁ ହେବ । କାରଣ ସେ ଯୁଗର ସର୍ବାଧିକ ଲୋକପ୍ରିୟ ‘ବନ୍ଦୀର ଆତ୍ମକଥା’ ଉପରେ ‘ଦରବାରୀ’ ଛନ୍ଦ, ଭାଷା, ଭାବ ଓ ପ୍ରକାଶଭଙ୍ଗିର ପ୍ରଭାବ ଅସ୍ୱୀକାର କରିହେବ ନାହିଁ । କାରାବାସ କରିବାକୁ ଯାଇ ଗୋପବନ୍ଧୁ ଏହି କବିତା ରଚନା କରିଥିଲେ । ‘କାରାକବିତା’ ଆଦି ଆଉ ଯେତେ ରଚନା ତାଙ୍କ ଲେଖନୀରୁ କାରାବାସକାଳରେ ନିଃସୃତ ହୋଇଥିଲା, ସେଥିମଧ୍ୟରେ ଏହା କବିଙ୍କ ଜୀବନାଦର୍ଶର ସର୍ବୋତ୍ତମ ପ୍ରକାଶ । କବି ଓ କର୍ମୀ ଗୋପବନ୍ଧୁ ଏହି ରଚନା ମଧ୍ୟରେ ହିଁ ଜୀବନର ଚୂଡ଼ାନ୍ତ ମୀମାଂସା କରିଯାଇଛନ୍ତି, ଯାହା ସମଗ୍ର ଓଡ଼ିଆ ସାହିତ୍ୟରେ ସୁଦୁର୍ଲଭ । ଗୋପବନ୍ଧୁଙ୍କର ପଦାଙ୍କ ଅନୁସରଣ କରି ତାଙ୍କରି ଆଦର୍ଶରେ ପ୍ରଭାବିତ ପରବର୍ତ୍ତୀ ଏକାଧିକ ନେତା, କବି ଓ କର୍ମୀ ମଧ୍ୟ ରାଜନୈତିକ ସ୍ୱାଧୀନତା ଲାଭ କରିବାକୁ କାରାବରଣ କରିଛନ୍ତି; ମାତ୍ର କାରା–ସାହିତ୍ୟ ସୃଷ୍ଟିରେ ଗୋପବନ୍ଧୁ ସମସ୍ତଙ୍କର ଅଗ୍ରଣୀ ।

 

ବନ୍ଦଶାଳା କେବଳ ଶ୍ରେଷ୍ଠ ମନୁଷ୍ୟ ପ୍ରସ୍ତୁତ ନ କରି ଶ୍ରେଷ୍ଠ ସାହିତ୍ୟ ସୃଷ୍ଟିରେ ଯେ ସହାୟକ ହୋଇଥାଏ, ଓଡ଼ିଶାରେ ସେକଥା ଗୋପବନ୍ଧୁଙ୍କ ଜୀବନରେ ପ୍ରମାଣିତ ହୋଇଛି । ତାଙ୍କ ପରେ ମଧ୍ୟ ବନ୍ଦିଶାଳାଦ୍ୱାରା ଓଡ଼ିଆ ସାହିତ୍ୟ ଯେଉଁ ପରିମାଣରେ ପରିପୁଷ୍ଟ ହୋଇପାରିଛି, ତାହା ଭାବିଲେ ବାସ୍ତବିକ କାରାଗାର ପ୍ରତି କୃତଜ୍ଞାତା ଜାତ ହୁଏ । ପଣ୍ଡିତ ଲିଙ୍ଗରାଜ, ଡକ୍‌ଟର ମହତାବ, ଶ୍ରୀଯୁକ୍ତ ସୁରେନ୍ଦ୍ରନାଥ ଦ୍ୱିବେଦୀ, କବି ବୀରକିଶୋର, ଶ୍ରୀଯୁକ୍ତ ନିତ୍ୟାନନ୍ଦ ମହାପାତ୍ର ପ୍ରଭୃତି ଅନେକ ବିଶିଷ୍ଟ ନେତା ଓ ଲେଖକ କାରାଗାରରେ ଥିବା ସମୟରେ ସାହିତ୍ୟର ଯେଉଁ ଶ୍ରୀବୃଦ୍ଧି କରିଛନ୍ତି, ସେଥିରେ ତାଙ୍କର ପାଠକ ଓ ସ୍ତାବକର ସ୍ୱତଃ ଇଚ୍ଛା ହେବ, ଆଉ ଥରେ ସେମାନେ ହେଲେ ଜେଲଖାନାକୁ ଯାଆନ୍ତେ କି !

 

(ଏଥିସହିତ ପ୍ରକାଶିତ ଅନ୍ୟ ପତ୍ର ଉଦ୍ଧାର କରାଗଲା ।)

 

ମତାମତ

 

ମାନନୀୟ ‘ସମାଜ’ ସମ୍ପାଦକ ମହୋଦୟ !

 

ସାପ୍ତାହିକ ଆଲୋଚନାରେ ‘ଆଗବୋଲା’ଙ୍କର ‘ସାହିତ୍ୟ ପରିକ୍ରମା’ ଧାରାବାହିକ ଭାବରେ ପ୍ରକାଶିତ ହେଉଅଛି । ରଙ୍ଗମଞ୍ଚରୁ ଆରମ୍ଭ କରି ବେତାରକେନ୍ଦ୍ର ପର୍ଯ୍ୟନ୍ତ ‘ଆଗବୋଲା’ ‘ପରିକ୍ରମା’ କରିସାରିଛନ୍ତି । ସମାଲୋଚନାଗୁଡ଼ିକ ଅତି ନିରପେକ୍ଷ ଓ ଉଚ୍ଚଦରର ହେଉଥିଲେହେଁ ସମସ୍ତ ବିଷୟକୁ କେବଳ ସ୍ପର୍ଶ କଲାପରି ମନେହୁଏ । ପ୍ରତ୍ୟେକ ବିଷୟ ଉପରେ ଆଉ ଟିକିଏ ଗଭୀର ଆଲୋଚନା ହୋଇପାରୁଥିଲେ ଆହୁରି ଭଲହୁଅନ୍ତା ବୋଲି ଆଶା । ଯେତେବଳେ ‘ଆଗବୋଲା’ଙ୍କର କେବଳ ‘ପରିକ୍ରମା’ କରିବାର କଥା ଏବଂ ତାହା ସପ୍ତାହରେ ‘ସମାଜ’ର ଦୁଇକଲମ ଭିତରେ, ସେତେବେଳେ ତାଙ୍କଠାରୁ ଆଉ ବିଶେଷ ଆଶା କରିବା ଅସମୀଚୀନ ହେବ । ଆଧୁନିକ ଓଡ଼ିଆ ସାହିତ୍ୟ ସମ୍ପର୍କରେ ଆଜିପର୍ଯ୍ୟନ୍ତ କୌଣସି ଧାରାବାହିକ ସମାଲୋଚନା ପ୍ରକାଶିତ ହୋଇନାହିଁ । ‘ଆଗବୋଲା’ଙ୍କର ପାଣ୍ଡିତ୍ୟପୂର୍ଣ୍ଣ ଆଲୋଚନା ଯେ ଆଧୁନିକ ଓଡ଼ିଆ ସାହିତ୍ୟ ସମ୍ପର୍କରେ ସାଧାରଣଙ୍କୁ ଏକ ନିର୍ଦ୍ଦିଷ୍ଟ ପଥ ପ୍ରଦର୍ଶନ କରିବ, ଏଥିରେ ସନ୍ଦେହ ନାହିଁ । ଯାହାହେଉ, ଆପଣଙ୍କର ଏବଂ ‘ଆଗବୋଲା’ଙ୍କର ଉଦ୍ୟମ ଅତୀବ ପ୍ରଶଂସନୀୟ ।

 

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ବର୍ତ୍ତମାନ ଓଡ଼ିଆ ସାହିତ୍ୟ ସମ୍ପର୍କରେ ଯେଉଁ ସମାଲୋଚନାଗୁଡ଼ିକ ପ୍ରକାଶ ପାଉଅଛି, ତାହା ଅତ୍ୟନ୍ତ ନିମ୍ନସ୍ତରର । ଗତ ୧୩।୧୪ ତାରିଖ ରିବିବାର ‘ପ୍ରଜାତନ୍ତ୍ର’ରେ କେହି ଜଣେ ‘ଶ୍ରୀ ସମାଲୋଚକ’ ‘କାଳେନ୍ଦୀବାବୁଙ୍କୁ ପଦେ’ ଶୀର୍ଷକ ଗୋଟିଏ ସମାଲୋଚନା ଲେଖିଛନ୍ତି । ଯଦିଓ ‘ଆଗବୋଲା’ ଏପର୍ଯ୍ୟନ୍ତ ତାଙ୍କର ପରିକ୍ରମା ଭିତରେ କାଳିନ୍ଦୀଚରଣଙ୍କ ପର୍ଯ୍ୟନ୍ତ ଆସିନାହାନ୍ତି, ତଥାପି ଉପରୋକ୍ତ ଲେଖାଟି ପ୍ରତି ମୁଁ ତାଙ୍କ ଦୃଷ୍ଟି ଆକର୍ଷଣ କରୁଅଛି । କାଳିନ୍ଦୀବାବୁ ଆଧୁନିକ ଓଡ଼ିଆ ସାହିତ୍ୟ ବିଷୟରେ ବମ୍ୱେର ‘ଇଲଷ୍ଟ୍ରେଟେଡ଼୍‌ଇଉକ୍ଳି’ରେ ଯେଉଁ ଇଂରାଜୀ ପ୍ରବନ୍ଧ ଲେଖିଛନ୍ତି, ‘ଶ୍ରୀ ସମାଲୋଚକ’ ତାହାରି ଉପରେ ତାଙ୍କ ସମାଲୋଚନାଟି ପ୍ରକାଶ କରିଛନ୍ତି । ତହିଁରେ ସେ କାଳିନ୍ଦୀବାବୁଙ୍କ ପ୍ରବନ୍ଧର ସାହିତ୍ୟିକ ସମାଲୋଚନା କରିବା ପରିବର୍ତ୍ତେ ବ୍ୟକ୍ତିଗତ ସମାଲୋଚନା କରିଥିବା ପରି ମନେହୁଏ । ଆଧୁନିକ ଓଡ଼ିଆ ସାହିତ୍ୟରେ କାଳିନ୍ଦୀବାବୁଙ୍କ ସ୍ଥାନ ସୁପ୍ରତିଷ୍ଠିତ । ତାଙ୍କର ପ୍ରବନ୍ଧକୁ ପାଠକଗଣ ଯଥେଷ୍ଟ ଗୁରୁତ୍ୱ ସହିତ ଗ୍ରହଣ କରିଛନ୍ତି । ତେଣୁ ତା’ ଉପରେ ଜଣେ ଅନାମଧେୟ ଅପରିପକ୍ୱ (ତାଙ୍କ ସମାଲୋଚନାରୁ ଯେପରି ମନେହୁଏ) ସମାଲୋଚକଙ୍କର ଏପ୍ରକାର ବ୍ୟକ୍ତିଗତ ଆକ୍ରୋଶମୂଳକ ଅସାହିତ୍ୟିକ ସମାଲୋଚନା ଓଡ଼ିଆ ସାହିତ୍ୟକୁ କିପରି ସାହାଯ୍ୟ କରିପାରିବ, ସେ ବିଷୟରେ ‘ଆଗବୋଲା’ ତାଙ୍କ ‘ପରିକ୍ରମା’ରେ ଟିକିଏ ବିଚାରେ କି ? ଇତି–

 

ଦାମୋଦର ପଣ୍ଡା

 

ପୁରାକାଳରେ ବାଲ୍ମୀକି, ବ୍ୟାସ, ବଶିଷ୍ଠ, ବିଶ୍ୱାମିତ୍ର ଆଦି ଯେଭଳି ଭାରତୀୟ ସାହିତ୍ୟ, ଦର୍ଶନ ଗଠନ କରିବା ଲାଗି ଜନପଦର ଦୂରରେ ତପୋବନ ଆଶ୍ରୟ କଲେ, ପରବର୍ତ୍ତୀ ନାଳନ୍ଦା ବା ତକ୍ଷଶିଳାର ଶିକ୍ଷାୟତନ ଯେଉଁ ଆଦର୍ଶରେ ନିର୍ମିତ ହେଲା କିମ୍ୱା ଚୀନର କନ୍‌ଫ୍ୟୁସିୟସ୍‌ଓ ଲାଓସି ଯେପରି ଅରଣ୍ୟବାସୀ ହୋଇ ସେ ରାଜ୍ୟର ସାହିତ୍ୟ ସଂସ୍କୃତିର ସମ୍ରାଟ ହେଲେ; ପୁଣି ପ୍ଳେଟୋ, ସକ୍ରେଟିସ୍‌ ଯେପରି ଗ୍ରୀସର ଉଦ୍ୟାନ ‘ଏକାଡେମୀ’ରେ ପାଶ୍ଚାତ୍ୟ ସଂସ୍କୃତି ଓ ଦର୍ଶନର ମୂଳଦୁଆ ଦେଲେ, ସତ୍ୟବାଦୀ ବନବିଦ୍ୟାଳୟ ସେହି ଆଦର୍ଶରେହିଁ ଗଠିତ ହେଲା । ବିଶ୍ୱଭାରତୀ ଶାନ୍ତିନିକେତନର ପରିକଳ୍ପନା ତାହାହିଁ ।

 

ତପୋବନ-ସାହିତ୍ୟ

 

ନବ ଉତ୍କଳର ନୈମିଷାରଣ୍ୟ ପ୍ରତିଷ୍ଠାତାଙ୍କୁ ଏ ଦେଶ ତାଙ୍କ ଜୀବିତାବସ୍ଥାରେ କିମ୍ୱା ମୃତ୍ୟୁପରେ ସୁଦ୍ଧା କିପରି ସମ୍ମାନ ପ୍ରଦର୍ଶନ କରିଛି, ତାହା ଆଜି ଭାବିବାର ବିଷୟ; କିନ୍ତୁ ସାହିତ୍ୟ ଓ ଭାଷାକ୍ଷେତ୍ରରେ ସେ ଯେଉଁ ଦାନ କରିଯାଇଛନ୍ତି, ତାହା ପ୍ରତ୍ୟହ ଆମେ ଅନୁଭବ କରୁଛୁ । ତାଙ୍କରି ପ୍ରତିଷ୍ଠିତ ‘ସମାଜ’ ହିଁ ଆମର ଦୈନନ୍ଦିନ କଥୋପକଥନ ଭାଷାକୁ ମାର୍ଜିତ, ସଂଯତ, ସଂଶୋଧିତ, ସୁଗଠିତ ଓ ସୁନିୟନ୍ତ୍ରିତ କରୁଛି କହିଲେ ଅତ୍ୟୁକ୍ତି ହେବନାହିଁ । ଓଡ଼ିଆ ଭାଷାଭାଷୀମାନଙ୍କର ସଂଖ୍ୟା ଅନୁପାତରେ ଆଶାନୁରୂପ ନ ହେଲେ ମଧ୍ୟ ‘ସମାଜ’ ପତ୍ରିକାର ପାଠକସଂଖ୍ୟା ଯେତିକି ବୃଦ୍ଧିପାଉଛି, ଭାଷାଶିକ୍ଷାର ପରିସର ସେହି ପରିମାଣରେ ଉନ୍ମୁକ୍ତ ହେଉଛି । ‘ସମାଜ’ ଭାଷାର ମାନଦଣ୍ଡକୁ ଅତିକ୍ରମ କଲାଭଳି ସମ୍ୱାଦ–ସାହିତ୍ୟ ଓଡ଼ିଆରେ ଉଦ୍ଭବ ହୋଇପାରିନାହିଁ; ବରଂ ‘ସମାଜ’ର ଭାଷା ହିଁ ଅନ୍ୟାନ୍ୟ ସମ୍ୱାଦପତ୍ରର ଆଦର୍ଶ ଓ ଅନୁକରଣୀୟ ବୋଲି ମନେହୋଇଥାଏ ।

 

ବକୁଳ ଛୁରିଅନା କୁଞ୍ଜର କମନୀୟ ପ୍ରାକୃତିକ ବେଷ୍ଟନୀ ମଧ୍ୟରେ କିଛି କାଳ ପାଇଁ ଯେଉଁ ତପସ୍ୟାର ଆରମ୍ଭ ହୋଇଥିଲା, ଭାଷା ଓ ସାହିତ୍ୟଗଠନ ଲାଗି ଯେଉଁ ବିରାଟ ଯୋଜନା ପ୍ରସ୍ତୁତ କରାଯାଇଥିଲା, ତାହା ଆଜି ସଂକୀର୍ଣ୍ଣ ସମ୍ୱାଦ–ସାହିତ୍ୟ ମଧ୍ୟରେ ମୁଖ୍ୟତଃ ଆବଦ୍ଧ ହୋଇପଡ଼ିଥିଲେହେଁ ସମଗ୍ର ଦେଶକୁ ହିଁ ପ୍ରଭାବିତ କରିପାରୁଛି । ଗୋପବନ୍ଧୁ–ଯୁଗ–ସାହିତ୍ୟର ବିଶାଳ କୀର୍ତ୍ତି ଓ ପ୍ରତିଭା ମଧ୍ୟରେ ଏହା ଏକ ଆଂଶିକ ପରିଚୟ ମାତ୍ର; ତଥାପି ସେହି ଅଂଶଟିକର ବ୍ୟାପ୍ତି ଆଜି ଅକଳନ ।

 

ସତ୍ୟବାଦୀ ତପୋବନର ପ୍ରଧାନ ଆଚାର୍ଯ୍ୟ ପଚିଶ ବର୍ଷ ହେଲା ତିରୋହିତ ହୋଇଛନ୍ତି-। ତାହାଙ୍କର କଣ୍ଠସ୍ୱରରେ ତପୋବନ ଦିନେ ଝଙ୍କୃତ, ମନ୍ଦ୍ରିତ ହୋଇଉଠିଥିଲା, ଯାହାଙ୍କ ଭାଷାସମ୍ଭାର ସଂରଚନା ବୈଶିଷ୍ଟ୍ୟ ଓଡ଼ିଆ ସାହିତ୍ୟର ଗର୍ବର ସାମଗ୍ରୀ ହୋଇ ରହିଛି, ସେହି ବାଣୀବରପୁତ୍ର ଆଜି ସପ୍ତତିବର୍ଷ ବୟସରେ ଉପନୀତ । ଗୋପବନ୍ଧୁଙ୍କ ଜୀବଦ୍ଦଶାରେ ତାଙ୍କୁ ଅବହେଳା କରି ଉତ୍କଳ ସାହିତ୍ୟସମାଜ କିମ୍ୱା ଦେଶର ଅନ୍ୟାନ୍ୟ ସାହିତ୍ୟିକ ଅନୁଷ୍ଠାନ ଯେଭଳି ସ୍ୱୟଂ ଉର୍ତ୍ସିତ ଓ ସ୍ୱୟଂ ଅବମାନିତ ହୋଇପଡ଼ିଛନ୍ତି, ନୀଳକଣ୍ଠ ମଧ୍ୟ ସେହିଭଳି ଅବହେଳିତ ହେବେ କି ? ପୁଣି ତାଙ୍କର ସହଧର୍ମୀ ଓ ଆଜୀବନ ସହକର୍ମୀ ସୁନ୍ଦର ସୁନିର୍ମଳ ରୁପଶ୍ରୀମଣ୍ଡିତ ଗୋଦାବରୀଶଙ୍କ ମଧୁର ସ୍ୱରମୂର୍ଚ୍ଛନା ଦିନେ ଯେ ଛୁରିଅନାକୁଞ୍ଜକୁ ମୁଖରିତ, ବିମୋହିତ କରୁଥିଲା, ଆଜି ତାଙ୍କ ମୁଖମଣ୍ଡଳରେ ଅସ୍ତଗାମୀ ରବିର ସ୍ୱର୍ଣ୍ଣାଭା ଉକୁଟି ଉଠିଛି । ଅଙ୍ଗର ତେଜୋମୟ ଗୌରକାନ୍ତି ସହିତ ପଳିତ ମସ୍ତକର କେଶରାଜିର ରଙ୍ଗ ସମାନ ହୋଇଡ଼ିଛି । ଏହି ଦୁଇ ସାହିତ୍ୟରଥୀଙ୍କ ସମ୍ୱର୍ଦ୍ଧନା ଲାଗି ଓଡ଼ିଶାର କିଛି ହେଲେ କରିବାକୁ ନାହିଁ କି ?

 

‘ନିଆଁଖୁଣ୍ଟା’ର ହେତୁ

 

ନୀଳକଣ୍ଠଙ୍କ ତେଜୋଗ୍ନି ଏବଂ ଗୋଦାବରୀଶଙ୍କ ସରସ ମାଧୁରିମା ଗ୍ରହଣ କରି ସତ୍ୟବାଦୀର ଅନ୍ତେଃବାସୀମାନଙ୍କ ମଧ୍ୟରେ ଯେଉଁ ପିକର କୁହୁଧ୍ୱନି କୁଞ୍ଜେ କୁଞ୍ଜେ ଧ୍ୱନିତ ହୋଇଉଠିଥିଲା, ତାହାଙ୍କ ‘ନିଆଁଖୁଣ୍ଟା’ ସମ୍ପାଦନାର କିଞ୍ଚିତ ସୂଚନା ଗତଥର ଦିଆଯାଇଛି । ରାଜନୀତି ଓ ସମାଜସେବାରେ ନିଜକୁ ଉତ୍ସର୍ଗ କରିଥିବା ଗୋପବନ୍ଧୁଙ୍କୁ ସାହିତ୍ୟସାଧନାରୁ ବିରତ ହେବା କଥା କେହି ଉଲ୍ଲେଖ କଲେ ଉତ୍ତର ମିଳୁଥିବାର ଜଣାଯାଏ ଯେ, ତାଙ୍କ ଦୃଷ୍ଟିରେ ଦେଶବ୍ୟାପୀ ଯେଉଁ ଘୋର ନିଦାଘ ଓ ଦୁଃଖ ଦୁର୍ଦ୍ଦିନ ଘୋଟିଯାଇଛି, ସେଥିରେ ପିକକୁହୁ କେବଳ ବ୍ୟଙ୍ଗ–ବିଦ୍ରୂପର ଆକାର ଧାରଣ କରିଛି ସିନା ! ସେଥିଲାଗି ସେ କବିତାରେ ଅଧିକ ମନୋନିବେଶ କରିବାକୁ ଅବକାଶ ପାଇନଥିଲେ ।

 

ଯେଉଁଠାରେ ବସନ୍ତ ନାହିଁ କି ମଳୟ ନାହିଁ, ସେଠାରେ କୋକିଳର କଣ୍ଠ ଯାହା ହୋଇଥାଏ, ତାହାହିଁ ହୋଇଛି ବୋଧହୁଏ ‘ନିଆଁଖୁଣ୍ଟା’ର ସ୍ୱର ! ଯେଉଁ ରାଜ୍ୟର ସଂଖ୍ୟାତୀତ ଯୌବନ ଅକାଳ ବାର୍ଦ୍ଧକ୍ୟରେ ପରିଣତ ହୁଏ, କେତେ ସ୍ୱାଭାବିକ ପ୍ରାଣର ସ୍ପନ୍ଦନ ଶୁଷ୍କ ହୋଇଯାଏ, କେତେ ମସ୍ତିଷ୍କର ସହଜ ବିକାଶ ନଷ୍ଟ ହୋଇପଡ଼େ, ସେଇ ଶ୍ମଶାନର ‘ନିଆଁଖୁଣ୍ଟା’ ଯଦି ଅର୍ଦ୍ଧ ଦଗ୍‌ଧ ଅଙ୍ଗାର ମଧ୍ୟରେ ଟିକିଏ ସରସତା, ଟିକିଏ ହାସ୍ୟରସ ଖୋଜିବାପାଇଁ କାହାକୁ ନିର୍ମମ ଆକ୍ରମଣ ବା କୁତ୍ସିତ ସମାଲୋଚନା କରିବସେ, ତେବେ ଏ ପ୍ରଶ୍ନର ସମାଧାନ ଏକ ଦୁର୍ଭେଦ୍ୟ ପ୍ରହେଳିକା ଭଳି ମନେହୁଏ ନାହିଁକି ?

 

ସମାଲୋଚନା, ପରିହାସ, ବ୍ୟଙ୍ଗ ଓ ବିଦ୍ରୂପ ମାଧ୍ୟମରେ ରସସୃଷ୍ଟି କରିବା ‘ନିଆଁଖୁଣ୍ଟା’ର ବିଶେଷତ୍ୱ । ସତ୍ୟବାଦୀ–ଯୁଗର ତଥା ଆଧୁନିକ ସାହିତ୍ୟରେ ଏ ବିଶେଷତ୍ୱ ସେପରି ଆଉ କୌଣସି ପତ୍ରିକା ଅର୍ଜନ କରିପାରିନାହିଁ କହିଲେ ଚଳେ । ଅପରକୁ ପ୍ରତ୍ୟକ୍ଷ ଆକ୍ରମଣ କରିବାର ମଧ୍ୟ କବିତ୍ୱ ଓ ମୌଳିକତା ଫୁଟାଇବାର ବାହାଦୁରି ଏହି ପତ୍ରିକାର ଛତ୍ରେ ଛତ୍ରେ ଲକ୍ଷିତ ହୁଏ ।

 

କୁତ୍ସା ଓ ଅଶ୍ଳୀଳତା

 

ମାତ୍ର ସମାଲୋଚନା ଓ ବ୍ୟଙ୍ଗର ମଧ୍ୟ ଅନ୍ୟ ସକଳ ବିଷୟଭଳି ସୀମା ଅଛି, ମର୍ଯ୍ୟାଦା ଅଛି । ଏହି ସୀମା ଓ ମର୍ଯ୍ୟାଦାକୁ ଲଘଂନ କଲେ ସମାଲୋଚନା ଓ ବ୍ୟଙ୍ଗ କ୍ରମେ କୁତ୍ସାରେ ପରିଣତ ହୋଇଥାଏ; ପୁଣି ପ୍ରେମର ପରିଣତ ଘଟେ ଅଶ୍ଳୀଳତାର । ସାହିତ୍ୟ–ରାଜ୍ୟରେ କୁତ୍ସା ଓ ଅଶ୍ଳୀଳତାକୁ ଅବଲମ୍ୱନ କରି ସହଜରେ ଲୋକପ୍ରିୟ ହେବାର ଉଦାହରଣ ଅନେକ ଅଛି । ସମାଜ ତଥା ସାମାଜିକ ଲୋକପ୍ରିୟ ହେବାର ଉଦାହରଣ ଅନେକ ଅଛି । ସମାଜ ତଥା ସାମାଜିକ ଚରିତ୍ରକୁ ଯଦି ନିର୍ଦ୍ଦୋଷ ଓ ନିଷ୍କଳଙ୍କ କରିବା ଲକ୍ଷ୍ୟରେ କୁତ୍ସାର ଆଶ୍ରୟ ନେବାକୁ ହୋଇଥାଏ, ତେବେ ଅବଶ୍ୟ ତାହାର କିଛି ମୂଲ୍ୟ ରହେ; ଆଉ ଯେଉଁଠାରେ ତାହା କେବଳ ବ୍ୟକ୍ତିଗତ ଲାଭପାଇଁ ଈର୍ଷାଜଡ଼ିତ ଓ ଲୋକପ୍ରିୟତା ଅର୍ଜନର ଏକ ଉପାୟ ମାତ୍ର ବା ଅଭିସନ୍ଧି ହୁଏ, ସେଠାରେ ତାହା ଅତ୍ୟନ୍ତ ଘୃଣ୍ୟ ଓ ନୀଚ ସ୍ତରକୁ ଖସିପଡ଼େ । ‘ନିଆଁଖୁଣ୍ଟା’ରେ ଏ ଉଭୟ ଲକ୍ଷଣ ଓ ଦୁର୍ଲକ୍ଷଣ ପରିସ୍ଫୁଟ । ମାତ୍ର ଅଶ୍ଳୀଳତା ପାଇଁ ସାହିତ୍ୟଜଗତର ଇହକାଳରେ କିମ୍ୱା ପରକାଳରେ ସୁଦ୍ଧା କ୍ଷମା ନାହିଁ । ଅଶ୍ଳୀଳତାର ଲକ୍ଷ୍ୟ ବ୍ୟଭିଚାର ଓ କ୍ଳୀବତ୍ୱ ସୃଷ୍ଟି ଛଡ଼ା ଆଉ କିଛି ହୋଇନପାରେ ସତ୍ୟବାଦୀ ଯୁଗର ସାହିତ୍ୟରେ କଟୁ ସମାଲୋଚନା, ବ୍ୟଙ୍ଗ ଓ କୁତ୍ସା ଥିଲେ ମଧ୍ୟ ଅଶ୍ଳୀଳତା ଖୋଜି ପାଇବା ସହଜ ନୁହେଁ ।

 

ବୈଦେଶିକ ପ୍ରଭାବ ଓ ମୌଳିକତା

 

ଭାରତୀୟ ବୈଶିଷ୍ଟ୍ୟ ଓ ସଂସ୍କୃତି ସଂରକ୍ଷଣ ବର୍ଣ୍ଣିତ ଯୁଗର ପ୍ରଧାନ ଲକ୍ଷ୍ୟ ହେଲେହେଁ ସାହିତ୍ୟ ସୃଷ୍ଟି କ୍ଷେତ୍ରରେ ତାହାହିଁ ପ୍ରଧାନ ଲକ୍ଷଣ ବୋଲି ମନେହୁଏ ନାହିଁ । ଓଡ଼ିଆ ସାହିତ୍ୟ ଉପରେ ଇଂରେଜ କାବ୍ୟ–କବିତାର ପ୍ରଚୁର ପ୍ରଭାବ ଏ ଯୁଗରେ ପଡ଼ିଛି । ଉଭୟ ନୀଳକଣ୍ଠ ଓ ଗୋଦାବରୀଶ ଏକାଧିକ ଇଂରେଜୀ କାବ୍ୟକବିତା ଅତୁଳନୀୟ ଦକ୍ଷତା ସହିତ ଅନୁବାଦ କରିଛନ୍ତି । କେତେକ ବୈଦେଶିକ ଉପନ୍ୟାସର ସଫଳ ଅନୁବାଦ ମଧ୍ୟ ଗୋଦାବରୀଶଙ୍କ ସିଦ୍ଧହସ୍ତର ପରିଚୟ ଦିଏ । ନାଟକ ରଚନାରେ ଚରିତ୍ର ସୃଷ୍ଟିର ଯେଉଁ ବିଶେଷତ୍ୱ ବା ମୌଳିକତା ସେ ପ୍ରଦର୍ଶନ କରିଛନ୍ତି, ରଙ୍ଗମଞ୍ଚର ଅଭିନୟରେ ତାହା ସେହି ପରିମାଣରେ କୃତକାର୍ଯ୍ୟ ହୋଇପାରି ନାହିଁ । ନୀଳକଣ୍ଠଙ୍କ ‘କୋଣାର୍କ’ ଅଥବା ‘ଖାରବେଳ’ ଚରିତ୍ର ସୃଷ୍ଟିରେ ମଧ୍ୟ ସେହିଭଳି ଐତିହାସିକ ବର୍ଣ୍ଣନାର ପାଟବ ଲକ୍ଷିତ ହେଲେହେଁ ଚାରିତ୍ରିକ ବିଶ୍ଳେଷଣ, ସଂଘର୍ଷ ଓ ଜଟିଳତା ମଧ୍ୟରେ ବୈଶିଷ୍ଟ୍ୟ ପ୍ରତିପାଦନର ଉଦ୍ୟମ ଦେଖିବାକୁ ମିଳେ ନାହିଁ । ଉତ୍କଳୀୟ ରାଜକୁଳର ମହତ୍ତ୍ୱ ଫୁଟାଇ ଜାତୀୟ ଜୀବନର ପ୍ରତିଷ୍ଠା ହିଁ ପ୍ରଧାନ ଲକ୍ଷ୍ୟ ହୋଇପଡ଼ିଛି । ମାତ୍ର ରାଧାନାଥ ଉତ୍କଳୀୟ ରାଜକୁଳ ଚରିତ୍ରରେ ସ୍ଖଳନ ପ୍ରଦର୍ଶନ କରି ସୁଦ୍ଧା ଯେଉଁ ମହତ୍ତ୍ୱ ଫୁଟାଇ ପାରିଛନ୍ତି, ସତ୍ୟବାଦୀଯୁଗର କବି ସେ ଚରିତ୍ରକୁ ନିଷ୍କଳଙ୍କ କରିବାକୁ ଯାଇ ସେପରି ମହତ୍ତ୍ୱ ଫୁଟାଇବାରେ ଅସମର୍ଥ ହୋଇଛନ୍ତି ।

 

ତାହାର କାରଣ ସତ୍ୟବାଦୀଯୁଗ ସାହିତ୍ୟର ଭାଷା ଓ ଭାବରାଜ୍ୟରେ ବିପୁଳ ଆଧିପତ୍ୟ ଥିଲେ ମଧ୍ୟ ଶିଳ୍ପ ଓ କଳାଜଗତରେ ସେହିଭଳି ଆଧିପତ୍ୟ ନଥିଲା ।

Image

 

ଆହୁରି ମଧ୍ୟ

 

ଆହୁରି ମଧ୍ୟ ଭାବିବାର ବିଷୟ ଏହି ଯେ, ରାଜନୀତିକୁ ଛାଡ଼ି ଆଧୁନିକ ସାହିତ୍ୟର ସ୍ଥାନ ନିର୍ଣ୍ଣୟ କରିବା କଠିଣ; ତେଣୁ ପ୍ରାଚୀନ ସାହିତ୍ୟଭଳି ଆଧୁନିକ ସାହିତ୍ୟ ମଧ୍ୟ ଯେତେ ଉଚ୍ଚକୋଟିର କଳାସମନ୍ୱିତ ହେଲେହେଁ ତାହାର ଅନ୍ତର୍ନିହିତ ଗତିଧାରା ଓ ପ୍ରେରଣା ରାଜନୈତିକ ପ୍ରଚାରମୁଖୀ ନ ହୋଇ ଅନ୍ୟଥା ହୋଇନପାରେ । ରାଜନୈତିକ ବିବର୍ତ୍ତନ ସଙ୍ଗେ ସାମାଜିକ ଜୀବନର ବିବର୍ତ୍ତନ ଯେଭଳି ଅଙ୍ଗାଙ୍ଗୀଭାବରେ ଜଡ଼ିତ, ତହିଁରୁ ସାହିତ୍ୟକୁ ବିଚ୍ଛିନ୍ନ କରିହେବ ନାହିଁ । ଦଳମତ ନିର୍ବିଶେଷରେ ସକଳ ରାଜନୈତିକ ଘାତ–ପ୍ରତିଘାତ ଓ ସଂଘର୍ଷର ଚିତ୍ର ସାହିତ୍ୟରେ ପ୍ରତିଫଳିତ ହେବାକୁ ବାଧ୍ୟ । ବିଭିନ୍ନ ରୂପରେ ଓ ଭଙ୍ଗୀରେ ସକଳ ଦ୍ରୁତ ପରିବର୍ତ୍ତନର ଛାୟାପାତ ସାହିତ୍ୟରେ ହେବା ମଧ୍ୟ ସ୍ୱାଭାବିକ ।

 

ସମାଜର ଦର୍ପଣ

 

ସାରଳା ମହାଭାରତରେ ପାଞ୍ଚଶତ ବର୍ଷ ପୂର୍ବେ କପିଳେନ୍ଦ୍ର ଦେବଙ୍କ ରାଜତ୍ୱର ଓଡ଼ିଆ ସାମାଜିକ ବା ରାଜନୈତିକ ଚିତ୍ର ଯେଭଳି ଫୁଟିଉଠିଛି, ସେହିଭଳି ବିଭିନ୍ନ ଯୁଗରେ ତଥା ଆଧୁନିକ ‘ସତ୍ୟବାଦୀ’ ଯୁଗରେ ସାହିତ୍ୟ ଯେ ସମାଜର ଦର୍ପଣଭଳି କାର୍ଯ୍ୟ କରିଛି, ତାହା ଅସ୍ୱୀକାର କରିବାର ଉପାୟ ନାହିଁ । ପ୍ରତି ଯୁଗର ସାମାଜିକ ଜୀବନ ତଥା ଆଦର୍ଶକୁ ରୂପଦାନ କରିବା ହିଁ ସାହିତ୍ୟର ଧର୍ମ । ଏହି ଦୃଷ୍ଟିରୁ ଯେଉଁଠାରେ ସତ୍ୟବାଦୀ ଯୁଗ ଆଧୁନିକ ସାହିତ୍ୟକୁ ଆଣି ପହଞ୍ଚାଇପାରିଛି, ସେହିଠାରୁ ତାହା କି ଭାବରେ ଗତି କରୁଛି, ସାମାଜିକ ରାଜନୈତିକ କିମ୍ୱା ବ୍ୟକ୍ତିଗତ ଜୀବନର ଆଦର୍ଶ ଆଶା ଆକାଂକ୍ଷା ଓ କ୍ରିୟାକଳାପକୁ କି ପରିମାଣରେ ଫୁଟାଇପାରିଛି, ପୁଣି ଆଧୁନିକ ଜୀବନର ତ୍ୟାଗ, ସାହସ, ବୀରତ୍ୱ, ବ୍ୟର୍ଥତା ଓ କାପୁରୁଷତା ତହିଁରେ କେତେଦୂର ପ୍ରତିଫଳିତ, ସେସବୁର ଯଥାଯଥ ବିଚାର ହେବା ଆବଶ୍ୟକ ।

 

ଯୁଗ-ଆହ୍ୱାନ

 

ସ୍ୱରାଜ ସାଧନଲାଗି ଦେହ, ମନ ଓ ପ୍ରାଣପାତ କରିବାର ଯେଉଁ ସୁମହତ୍‌ ହୃଦୟସ୍ପର୍ଶୀ ଆହ୍ୱାନ ସତ୍ୟବାଦୀଯୁଗର ସାହିତ୍ୟରୁ ମିଳିଥିଲା, ତାହାର ଫଳାଫଳ କାର୍ଯ୍ୟକ୍ଷେତ୍ରରେ କିପରି ଦେଖାଗଲା ଏବଂ ସେ ଯୁଗର ଆହ୍ୱାନ ସଙ୍ଗେ ଯୋଗସୂତ୍ର ରକ୍ଷା କରିବାକୁ ପରବର୍ତ୍ତୀ କବି ସାହିତ୍ୟିକଗଣ କେତେଦୂର ସମର୍ଥ କିମ୍ୱା ଅସମର୍ଥ ହୋଇଛନ୍ତି, ଆଧୁନିକ କବିତା, ନାଟକ, ଗଳ୍ପ, ଉପନ୍ୟାସ ଆଦି ତାହାର ସାକ୍ଷୀରୂପେ ଆମ ସମକ୍ଷରେ ବିଦ୍ୟମାନ ।

 

ସତ୍ୟବାଦୀଯୁଗର ସେହି ଆହ୍ୱାନ ପରେ ଦେଶବ୍ୟାପୀ ଯେଉଁ ତୁମୂଳ ମୁକ୍ତ–ସଂଗ୍ରାମର ସୂତ୍ରପାତ ହେଲା, ଶେଷରେ ପୁଣି ତାହା ଜୟଯୁକ୍ତ ହେଲା । ସେ ସକଳ ଅନୁଭୂତି, ଅଭିଜ୍ଞତା କିମ୍ୱା ଘଟଣା ନାଟକ, ଉପନ୍ୟାସ ବା ଗଳ୍ପ କବିତାରେ କି ଆକାରରେ ଅଙ୍କିତ ହୋଇଛି, ତାହାର ସନ୍ଧାନ କରିବାକୁ ହେବ ଏବଂ ତଦୁପରି ନୂତନ ସାହିତ୍ୟ ଗଢ଼ିବାକୁ ହେବ । ସ୍ୱାଧୀନତା ଆସିବା ସଙ୍ଗେ କିପରି ତାହାଦ୍ୱାରା ସମାଜ ସ୍ପନ୍ଦିତ, ଅନୁପ୍ରାଣିତ ବା ପ୍ରଭାବିତ ହୋଇପାରିଛି ଏବଂ ସାହିତ୍ୟରେ ସେ ଭାବ ଉକୁଟିଉଠିଛି, ସେଥିପ୍ରତି ମଧ୍ୟ ସମାଲୋଚକର ବିଶ୍ଳେଷକ ଦୃଷ୍ଟିନିବଦ୍ଧ ରହିବା ଲୋଡ଼ା ।

 

ନୂତନ ସମାଜ

 

ସ୍ୱାଧୀନତା ସଙ୍ଗେ ସମଗ୍ର ଭାରତ ଦ୍ୱିଖଣ୍ଡିତ ହେଲେହେଁ ଏବଂ ଉନ୍ନତ ପଡ଼ୋଶୀ ରାଜ୍ୟ ବଙ୍ଗ ଓ ପଞ୍ଜାବର ବ୍ୟବଚ୍ଛେଦ ଘଟିଥିଲେହେଁ ଯୁଗଯୁଗାବଧି ଇଂରେଜ ରାଜତ୍ୱରେ ବିଚ୍ଛିନ୍ନ ହୋଇପଡ଼ିଥିବା ଗଡ଼ଜାତ ଅଞ୍ଚଳଗୁଡ଼ିକ ସଙ୍ଗେ ଓଡ଼ିଶାର ରାଜନୈତିକ ମିଳନ ଫଳରେ ଯେଉଁ ବିଶାଳତର ଓଡ଼ିଶାର ଗଠନ ସମ୍ଭବପର ହେଲା, ଆଧୁନିକ ଓଡ଼ିଆ ସାହିତ୍ୟ ସେହି ଆକସ୍ମିକ ଜାତୀୟ ଅଭ୍ୟୁତ୍‌ଥାନର ବାର୍ତ୍ତାବହ ହେବା ଦିଗରେ କେତେଦୂର ସଫଳତା ସହିତ ଅଗ୍ରସର ହୋଇପାରିଛି ? ପୁଣି ସ୍ୱାଧୀନତାପ୍ରାପ୍ତି ପରେ ଦେଶବ୍ୟାପୀ ଯେଉଁ ସକଳ ବିରାଟ ଗଠନମୂଳକ ଯୋଜନା କାର୍ଯ୍ୟକାରୀ କରାଯାଉଛି, ହୀରାକୁଦ ମାଛକୁଣ୍ଡ, ଭୁବନେଶ୍ୱର ଓ ରାସ୍ତା ପୋଲ ଆଦି ନିର୍ମାଣରେ ସହସ୍ର ସହସ୍ର ଶ୍ରମିକଙ୍କ ଜୀବନ ଗଠିତ ହେଉଛି, ପୁଣି ତାହା ମୂଳରେ ଶତସହସ୍ର ମିସ୍ତ୍ରି ଇଞ୍ଜିନିୟରଙ୍କ ଚିନ୍ତା ଓ ଅଧ୍ୟବସାୟ ନିହିତ ଅଛି; ପଞ୍ଚବାର୍ଷିକ ଯୋଜନା, ଓଡ଼ିଶାରେ ବିରାଟ ସୁନା ଓ ଯୁଗନିୟମ ଆବିଷ୍କାର ବା କାର୍ଯ୍ୟକାରିତା, ଗ୍ରାମ୍ୟଗୋଷ୍ଠୀ ଯୋଜନା, ପଞ୍ଚାୟତ ଶାସନ, ଅଞ୍ଚଳଶାସନ, ଭୂଦାନଯଜ୍ଞ, ଅସ୍ପୃଶ୍ୟତା ବା ଆଶ୍ରୟପ୍ରାର୍ଥୀଙ୍କ ସମସ୍ୟାର ସମାଧାନ ଲାଗି ପୁଣି ନଦୀନାଳ ପୋଲବନ୍ଧଦ୍ୱାରା କୃଷି–ଶିଳ୍ପର ଉନ୍ନତିକଳ୍ପେ ଯେଉଁ ଅଜସ୍ର ସାଧାରଣ ଅର୍ଥ ବ୍ୟୟିତ ହେଉଛି; ରାଜୁଡ଼ା, ଜମିଦାରୀ, ଦେବୋତ୍ତର ଲୋପ ଫଳରେ ବା ଶାସନ ସଂସ୍କାର କ୍ଷେତ୍ରରେ ଯେଉଁ ଅର୍ଥନୈତିକ ଦ୍ରୁତ ବିପ୍ଳବ ଦେଖାଦେଇଛି, ଆଧୁନିକ ସମାଜରେ ତାହାର ପ୍ରତିକ୍ରିୟାଗୁଡ଼ିକୁ ସମୀକ୍ଷା, ସହାନୁଭୂତି, ବିଚାର ଓ ଉଦାରତା ସହିତ ସାହିତ୍ୟରେ ଯଥାଯଥରୂପେ ପ୍ରତିଫଳିତ କରିବାପାଇଁ କି ଉଦ୍ୟମ ହୋଇଛି ଅଥବା ତାହାର ତ୍ରୁଟିଗୁଡ଼ିକୁ ପ୍ରଦର୍ଶନ ଓ ଦୂରୀକରଣ ବ୍ୟବସ୍ଥା ଆଜି ଆମ ସାହିତ୍ୟରେ କାହିଁ ?

 

ଆଧୁନିକ ବିଷୟବସ୍ତୁ

 

ଯଥାର୍ଥରେ ଆଧୁନିକ ସାହିତ୍ୟ ବୋଇଲେ ଏହିଭଳି ବିଷୟବସ୍ତୁକୁ ବୁଝାଇଥାଏ । ଜାତୀୟ ଆଶା–ଆକାଂକ୍ଷାକୁ ବିକଶିତ କରୁଥିବା ଏହିରୂପ ଉପସ୍ଥିତ ଅସଂଖ୍ୟ ସମସ୍ୟାମୂଳକ ବିଷୟବସ୍ତୁରୁ ପ୍ରେରଣା ଲାଭ କରି ଉନ୍ନତ ଦେଶମାନଙ୍କର ଆଧୁନିକ ସାହିତ୍ୟ ଗଠିତ ହେଉଛି । ଚିକିତ୍ସାବିଜ୍ଞାନର ଅଭିନବ ପ୍ରଣାଳୀମାନେ ଏବଂ ମନସ୍ତାତ୍ତ୍ୱିକ ଚିକିତ୍ସାର ଅଦ୍ଭୁତ ପ୍ରକ୍ରିୟାମାନ ଆଧୁନିକ ଇଂଲଣ୍ଡ ବା ଆମେରିକାର ନାଟକ–ଉପନ୍ୟାସମାନଙ୍କରେ ପ୍ରତିଫଳିତ ହେଉଛି; ପୁଣି ସେଥିଲାଗି ସାହିତ୍ୟର ସ୍ୱତନ୍ତ୍ର ଶ୍ରେଣୀବିଭାଗ ମଧ୍ୟ କରାଯାଇଥାଏ । ବହୁ ଔପନ୍ୟାସିକ, କବି, ଶିଳ୍ପୀ ଓ ନାଟ୍ୟକାର ଦେଶର ବିଭିନ୍ନ ସ୍ଥାନ ଓ ଜୀବନର ଚିତ୍ର ଅଙ୍କନ ଲାଗି ସେଠାରେ କିଛିକାଳ ଅତିବାହିତ ମଧ୍ୟ କରିଥାନ୍ତି । ଆଧୁନିକ ରୁଷ–ସାହିତ୍ୟରେ ସେହିପରି ମାନବାତ୍ମାର ନବ ନବ ଆବିଷ୍କାର ମଧ୍ୟରେ ଭଲ୍‌ଗା–ଡ଼ନ କେନାଲ ଆଦି ବିରାଟ ନିର୍ମାଣ ଯୋଜନା ଉପରେ ନାଟକ–ଉପନ୍ୟାସ ରଚିତ ହେବାରୁ ଦେଖାଯାଏ । ପୁଣି ଚୀନ ସାହିତ୍ୟରେ ଜମିବଣ୍ଟନ ସମସ୍ୟା ଏକ ପ୍ରଧାନ ବିଷୟବସ୍ତୁ ହୋଇପଡ଼ିଛି । ଜନତାଜୀବନରେ ଏସବୁର ପ୍ରତିକ୍ରିୟା ନବ ନବ ଚରିତ୍ର ସୃଷ୍ଟିରେ ସହାୟକ ହେଉଛି ।

 

ଆଧୁନିକ ଓଡ଼ିଆ ସାହିତ୍ୟ ଲାଗି ସେଭଳି ଖୋରାକର ତ ଅଭାବ ନାହିଁ । ଆଜି ଓଡ଼ିଶା ତଥା ଭାରତର ଜାତୀୟ ଜୀବନ ତଳେ ଅନ୍ତଃସଲିଳା ଫଲ୍‌ଗୁ ପରି ନବଯୁଗର ମନୁଷ୍ୟ ଗଠନ ଲାଗି ଅହରହ ଯେଉଁ ବିରାଟ କର୍ମପ୍ରବାହ ଛୁଟିଚାଲିଛି, ଚିନ୍ତାରାଜ୍ୟରେ ଯେଉଁ ତୁମୂଳ ପରିବର୍ତ୍ତନର ହତ୍ୟା ବହିଯାଉଛି, ସମାଜ ତାହାର ପ୍ରଚୀନ ବେଶ ପରିତ୍ୟାଗ କରି ଯେଉଁ ନୂତନ ବେଶ ପରିଗ୍ରହ କରୁଛି, ତାହାର ସୂକ୍ଷ୍ମାତିସୂକ୍ଷ୍ମାନୁଭୂତି କବି, ଶିଳ୍ପୀ, ନାଟ୍ୟକାର ବା ଔପନ୍ୟାସିକ ବ୍ୟତୀତ ଆଉ କାହାଠାରେ ଅଧିକ ପ୍ରକଟିତ ହୋଇଉଠିବ ? ଆଉ କିଏ ତାହାର ବାସ୍ତବ ଚିତ୍ରଣ ଲାଗି ଅଧିକ ସକ୍ଷମ ହେବେ-? ଏହି ସକଳ ଗଠନ ପର୍ଯ୍ୟାୟରେ ମାନବାତ୍ମାର ଯେଉଁ ନବ ନବ ଉନ୍ମେଷ ଘଟୁଛି, ଦିନକୁଦିନ ଜାତୀୟ ଚରିତ୍ର ଯେପରି ଶକ୍ତିଶାଳୀ, କର୍ମଠ ଓ ସୁନ୍ଦର ହେବାକୁ ଯାଉଛି, ତାହାକୁ ଲୋକଲୋଚନର ଅନ୍ତରାଳରୁ ଓଟାରିଆଣି ସର୍ବସମକ୍ଷରେ ଉପସ୍ଥାପିତ କରିବାର ସାମର୍ଥ୍ୟ ଆଉ କାହାର ଅଧିକ ଅଛି-? ସକଳ ଦ୍ୱନ୍ଦ୍ୱ ଓ ପ୍ରତିକ୍ରିୟା ମଧ୍ୟରେ ଆମର କ୍ଷିପ୍ର ଅଗ୍ରଗତିର ମହତ୍ତ୍ୱ ବା କ୍ଷୁଦ୍ରତାଗୁଡ଼ିକୁ ବାଧା ଓ ଅନ୍ତରାୟଗୁଡ଼ିକୁ ପ୍ରତିପନ୍ନ କରିବାଦ୍ୱାରା ଜାତି ଗଠନକ୍ଷେତ୍ରରେ ଆଧୁନିକ ଓଡ଼ିଆ ସାହିତ୍ୟ ତାହାର କର୍ତ୍ତବ୍ୟ ସମ୍ପାଦନ କରୁଛି ତ ?

Image

 

ବହୁଜନହିତାୟ

 

ବିଭିନ୍ନ ଦେଶୀୟ ଆଧୁନିକ ସାହିତ୍ୟର ସ୍ୱରୂପ ତୁଳନାରେ ଓଡ଼ିଆ ସାହିତ୍ୟର ବିଷୟବସ୍ତୁ ବା ନୂତନ ରୂପାୟନ କିଭଳି ହେବା ବାଞ୍ଛନୀୟ, ତାହାର କେତେକ ସୂଚନା ଏବଂ କେତେକ ବିଷୟବସ୍ତୁର ନମୁନା ଏଥିପୂର୍ବେ ଉଲ୍ଲେଖ କରାଯାଇଥିଲା । ଆହୁରି ମଧ୍ୟ ଆଧୁନିକ ସାହିତ୍ୟର ରୂପ ସଙ୍ଗେ ରସ ଓ ଗୁଣର କିଞ୍ଚିତ ପରିଚୟ ଦେବାପାଇଁ ଉଦ୍ୟମ ହୋଇଥିଲା । କେବଳ ରସ ଓ ଗୁଣ ଦିଗରୁ ବିଚାର କଲେ ଆଧୁନିକ ସାହିତ୍ୟର ରୂପ ଯେ, ଏକମାତ୍ର ଉପସ୍ଥିତ ବିଷୟବସ୍ତୁରେ ଆବଦ୍ଧ ରହିବାକୁ ବାଧ୍ୟ, ତାହା ନୁହେଁ । ପ୍ରଚୀନ ବିଷୟବସ୍ତୁ ବା ଅତୀତ ସମାଜର ଚିତ୍ରଣ ମଧ୍ୟରେ ସୁଦ୍ଧା ଆଧୁନିକ ରସଗୁଣର ସମାବେଶ ଅଳ୍ପ ଦେଖାଯାଏ ନାହିଁ ।

 

ପ୍ରାଚୀନ କଥାବସ୍ତୁ

 

ଆମେରିକାର ଜଣେ ପ୍ରସିଦ୍ଧ ଲେଖିକାଙ୍କଦ୍ୱାରା ରଚିତ ଓ ବହୁଳ ପ୍ରଚାରିତ ଉପନ୍ୟାସକୁ କେହି କେହି ପଢ଼ିଥିବେ କିମ୍ୱା ଚଳିଚ୍ଚିତ୍ରରେ ଦେଖିଥିବେ । ତାହାର ବିଷୟବସ୍ତୁ ପ୍ରାଚୀନ ସମାଜରୁ ଗୃହୀତ ହେଲେହେଁ ଆଧୁନିକ ଜୀବନକୁ ପ୍ରଚଣ୍ଡ ଭାବରେ ପ୍ରଭାବିତ କରିଛି ।

 

ଆମେରିକାର ଅନ୍ୟତମ ସୁପରିଚିତ ପ୍ରଗତିଶୀଳ ଲେଖକ ହାଓଆଡ଼୍‌ଫାଷ୍ଟାଙ୍କର ଏକାଧିକ ଉପନ୍ୟାସ ଅତୀତ ଯୁଗର ବର୍ଣ୍ଣନା ହେଲେ ସୁଦ୍ଧା ସେଗୁଡ଼ିକର ପ୍ରତି ଛତ୍ରରେ ପ୍ରଗତିଶୀଳ ଚିନ୍ତାଧାରା ଓ ଚରିତ୍ରର ଚିହ୍ନ ମୁଦ୍ରିତ । ଅବଶ୍ୟ ପ୍ରଥମୋକ୍ତ ଲୋକପ୍ରିୟ ଉପନ୍ୟାସଟିରେ ପ୍ରେମ କିମ୍ବା ଯୁଦ୍ଧ ଓ ବୀରତ୍ୱ ସଙ୍ଗେ ଯୌନଜୀବନର ପ୍ରାଧାନ୍ୟ ଓ ମାଦକତା ଯେତେ ବେଶୀ ପରିସ୍ଫୁଟ, ହାଓଆଡ଼୍ ଫାଷ୍ଟଙ୍କ ରଚନାରେ ତାହା ନାହିଁ । ଏହି ଲେଖକଙ୍କ ଲେଖାରେ ଏକ ଅଭିନବ କର୍ମଠ ସାମାଜିକ ତଥା ଗଠନପ୍ରିୟାସୀ ମାନବାତ୍ମାର ବିରାଟ ବିଜୟ । ତେଣୁ ପ୍ରାଚୀନ ପୌରାଣିକ ଐତିହାସିକ କଥାବସ୍ତୁ ଆଧୁନିକ ସାହିତ୍ୟର ପରିତ୍ୟାଜ୍ୟ ନୁହେଁ । ତାହା ଭିତରେ ମଧ୍ୟ ଆଧୁନିକ ଜୀବନ ଓ ସମାଜକୁ ଫୁଟାଇବା କଷ୍ଟକର ହୁଏନାହିଁ ।

 

ସ୍ନେହ, ପ୍ରେମ, ତ୍ୟାଗ, ସାହସ, ଯୁଦ୍ଧ, ବୀରତ୍ୱ, ଧର୍ମ, ଭକ୍ତି କିମ୍ବା ପ୍ରାକୃତିକ ଦୃଶ୍ୟର ବର୍ଣ୍ଣନା ଆଦି ଇନ୍ଦ୍ରିୟଭୁକ୍ତ ଓ ଇନ୍ଦ୍ରିୟାତୀତ ଅନୁଭୂତି ସାହିତ୍ୟର ମୌଳିକ ଅବଲମ୍ୱନ ହୋଇ ଅବଶ୍ୟ ରହିବ । କିନ୍ତୁ ଆଧୁନିକ ଜୀବନର ଛାଞ୍ଚ ଭିତରେ ସେଗୁଡ଼ିକର ପ୍ରୟୋଗ ବଦଳିଯିବା ସ୍ୱାଭାବିକ । ସେଗୁଡ଼ିକର ମୂଲ୍ୟବୋଧ, ବିଚାର, ଆଚାର ଓ ଆକାର–ପ୍ରକାର ଆଧୁନିକ ଜୀବନ ତଥା ଆଧୁନିକ ଆଦର୍ଶ ସହିତ ପୂର୍ଣ୍ଣ ସହଯୋଗ ରକ୍ଷା ନକରି ଅନ୍ୟଥା ହୋଇନପାରେ ।

 

ଆଧୁନିକ ଜୀବନ ଓ ଆଦର୍ଶ

 

ଆଧୁନିକ ଜୀବନ ଓ ଆଧୁନିକ ଆଦର୍ଶ କି ବସ୍ତୁ, କିଭଳି ପରିସ୍ଥିତି ମଧ୍ୟରେ ବର୍ତ୍ତମାନ ମନୁଷ୍ୟ ଅଛି ଓ କେଉଁ ପଥରେ କେଉଁ ଦିଗକୁ ସେ ଗତି କରୁଛି, ପୁଣି କିଏ ତାହାର ଅବଶ୍ୟମ୍ଭାବୀ ଲକ୍ଷ୍ୟ, ଅଥବା ତାହାର ସହଜ ସ୍ୱଚ୍ଛନ୍ଦ ଗତିପଥରେ କି କି ଅନ୍ତରାୟ ଅଛି–ସେଗୁଡ଼ିକୁ ଅନ୍ତତଃ ସକଳ ସୁଖଦୁଃଖର ସନ୍ଧାନୀ ଓ ବିଶ୍ୱବୈଚିତ୍ର୍ୟର ଉଦ୍‌ଘାଟକ କୌଣସି ଲେଖକ, ଭାବୁକ ବା କବିଙ୍କୁ କଦାପି ବଢ଼ାଇବାକୁ ପଡ଼ିବ ନାହିଁ । ପୁଣି ଓଡ଼ିଆରେ ଯେତେ ସଂଖ୍ୟକ କବିତା, ଗଳ୍ପ, ନାଟକ, ଉପନ୍ୟାସ ଏବେ ରଚିତ ହେଉଛି, ତାହା ଭିତରେ କେଉଁଗୁଡ଼ିକ ଯଥାର୍ଥରେ ଆଧୁନିକ ପଦବାଚ୍ୟ, ତାହାର ତନ୍ନତନ୍ନ ଆଲୋଚନା ଓ ସମୀକ୍ଷା କରିବାକୁ ସେହିମାନଙ୍କ ବ୍ୟତୀତ ଆଉ କେହି ଅଧିକ ସମର୍ଥ ନୁହେଁ ।

 

ସେହିମାନଙ୍କ ଲେଖନୀ ହିଁ ବିଶାଳ ଆଧୁନିକ ସାହିତ୍ୟର ଆବିଷ୍କାରକ ହୋଇଛି । ପ୍ରାଚୀନ ସାହିତ୍ୟରେ ହିଁ ସମସ୍ତ ଶୀର୍ଷତମ ଚିନ୍ତା, ଗଭୀରତମ ଅନୁଭୂତି ଏବଂ ମାନବାତ୍ମାର ସକଳ ବିଭାବ ପୂର୍ଣ୍ଣତଃ ନିଃଶେଷିତ ହୋଇଛି ଏବଂ ଆଧୁନିକ ସାହିତ୍ୟର ଆବଶ୍ୟକତା ଆଦୌ ନାହିଁ ବୋଲି ମଧ୍ୟେ ମଧ୍ୟେ ଯେତେ ଅକାରଣ ଯୁକ୍ତି ଶୁଣାଯାଏ, ତାହାକୁ ଅପ୍ରମାଣ କରିଛି । ପୁଣି ମାନବସମାଜ ଜଗତରେ ତିଷ୍ଠି ରହିଥିବା ପର୍ଯ୍ୟନ୍ତ ସାହିତ୍ୟ ମଧ୍ୟ ଗତିଶୀଳ ହେବାକୁ ତଥା ନବ ନବ ପ୍ରକାଶଭଙ୍ଗିରେ ପୁର୍ନଜନ୍ମ ଲାଭ କରିବାକୁ ବାଧ୍ୟ ବୋଲି ପ୍ରମାଣ କରିଛି ।

 

ଯନ୍ତ୍ରଯୁଗର ସଙ୍ଗୀତ

 

ପ୍ରମାଣିତ ହୋଇଛି ଯେ, ପ୍ରାଚୀନଠାରୁ ଆଧୁନିକର ଜନ୍ମହେଲେ ସୁଦ୍ଧା ଧର୍ମନୀତି, ଅର୍ଥନୀତି କିମ୍ୱା ରାଜନୀତି ପ୍ରଭୃତି ମନୁଷ୍ୟ ସଭ୍ୟତାର ବିଭିନ୍ନ ଅଙ୍ଗ ପ୍ରାଚୀନତାକୁ ବର୍ଜନ କରି ଆଧୁନିକତାକୁ ଯେପରି ଗ୍ରହଣ କରେ ଅବା ପ୍ରଚୀନଠାରୁ ସମ୍ପୂର୍ଣ୍ଣ ସ୍ୱତନ୍ତ୍ର ରହିବାକୁ ଲୋଡ଼େ; ସାହିତ୍ୟ ସଂସ୍କୃତି କଳାଶିଳ୍ପ ମଧ୍ୟ ସେହି ପାରମ୍ପରିକ ଐତିହାସିକ ନିୟମରୁ ବିଚ୍ଛିନ୍ନ ନୁହେଁ । ସେହି କାରଣରୁ କାଳିଦାସଙ୍କ ‘ମେଘଦୂତ’ର ଅପୂର୍ବ ବର୍ଣ୍ଣନାଚାତୁରୀରେ ମୁଗ୍‌ଧ କରି ଅଥବା ସ୍ନିଗ୍‌ଧତାରୁ ଚ୍ଛାୟାସେବିତ ରାମଗିରି ଆଶ୍ରମର ପବିତ୍ର ପ୍ରାକୃତିକ ଶୋଭାରେ ବିହ୍ୱଳ କରି ଯେଉଁ ଅତୁଳନୀୟ ଛନ୍ଦମାଧୁରୀ ଓ ଶବ୍ଦମାଧୁରୀ, ଧମ–ଜ୍ୟୋତି–ସଲିଳ–ମରୁତା ସନ୍ନିପାତଃ ଅଚେତନ ମେଘକୁ ପ୍ରାଣୀଭଳି ବନ୍ଦନା କରିବାରୁ ଯାଇ ଦିନେ ଝଙ୍କୃତ ହୋଇଉଠିଥିଲା, ସେହି ଚନ୍ଦ ଆଜି ପ୍ରତିଧ୍ୱନିତ ହେଇଛି ଶତ ସହସ୍ର ଶ୍ରମିକଚାଳିତ କାରଖାନାର ବଂଶୀନାଦରେ; ଅଥବା ମନୁଷ୍ୟ–ଶ୍ରମର ଅଦ୍ଭୁତ ସୃଷ୍ଟି କୃତ୍ରିମ କେଉଁ ହ୍ରଦ ବା ନଦୀର ଖନନରେ କିମ୍ୱା ଏକ ଶିଳ୍ପକେନ୍ଦ୍ର ଶୋଭିତ ବିରାଟ ନୂତନ ନଗର ନିର୍ମାଣରେ ।

 

ଆମେରିକାର ଶ୍ରେଷ୍ଠ ଔପନ୍ୟାସିକ ନୋବେଲ ପୁରସ୍କାର–ଭୂଷିତ ସିନ୍‌କ୍ଳେୟାର ଲୁଇଙ୍କ ‘ବାବିଟ’ ଉପନ୍ୟାସରେ ଏହି ଯନ୍ତ୍ରସଙ୍ଗୀତ ନିନାଦିତ ହୋଇଛି ଓ ରୁଷର ଷ୍ଟାଲିନ୍‌ ପୁରସ୍କାର ପ୍ରାପ୍ତ ବହୁ ଉପନ୍ୟାସ ବିଜ୍ଞାନ ଓ ଯନ୍ତ୍ରଯୁଗୀୟ ଶ୍ରମିକର ବିଜୟଗାନରେ ମୁଖର ହୋଇଉଠିଛି । ପୁଣି ଭୂତତ୍ତ୍ୱ, ନୃତତ୍ତ୍ୱ ବା ପ୍ରତ୍ନତତ୍ତ୍ୱ ଆଦି ବିଭିନ୍ନ ବୈଜ୍ଞାନିକ ପ୍ରଚେଷ୍ଟା ମଧ୍ୟରେ କବିତାର ତଥା ଗଳ୍ପ ନାଟକାଦିର ବିଚିତ୍ର ସନ୍ଧାନ ମିଳିଛି ।

 

ନବଯୁଗର କାଳିଦାସ ଶିଳ୍ପନଗରୀସ୍ଥ ବାଷ୍ପୀୟ ଯନ୍ତ୍ରରୁ ଉଦ୍‌ଗତ ଧୂମପଟଳ ମଧ୍ୟରେ ଉଜ୍ଜୟିନୀର ବର୍ଷଣୋନ୍ମୁଖ ନିଳଘନର ସୌନ୍ଦର୍ଯ୍ୟ ଅବଲୋକନ କରି ମୁଗ୍‌ଧ ହୁଅନ୍ତି; ଏକଦା କେବଳ ସିଦ୍ଧମାନଙ୍କ ତପସ୍ୟାସ୍ଥଳ ‘ଆମେଖଳଂ ସଞ୍ଚରତାଂ ଘନାନାଂ’ ନଗାଧିରାଜ ହିମାଳୟ ବା ଏଭରେଷ୍ଟ ଉପରେ ସାଧାରଣ ମନୁଷ୍ୟର ଆଜି ଅଭିଯାନ ଦେଖି ଅଭିନବ କୁମାରସମ୍ଭବର ଗୌରବ ରଚନା କରନ୍ତି । ଆଧୁନିକା ନାରୀଅଙ୍ଗର ରୂପଲାଳିତ୍ୟ ମଧ୍ୟରେ ଯେଉଁ ବଳିଷ୍ଠ ବ୍ୟକ୍ତିତ୍ୱର ପରାକାଷ୍ଠା ଫୁଟିଉଠିଛି, ତାହା ସେହି ପ୍ରଚୀନ ସୌନ୍ଦର୍ଯ୍ୟର ମହିମାକୁ ଆଜି ଦ୍ୱିଗୁଣିତ କରି ପକାଇଛି-

 

ଯୁଗ ଯୁଗ ପ୍ରସାରିତ ସଭ୍ୟତା ଓ ସଂସ୍କୃତିର ଏକ ନିରବଚ୍ଛିନ୍ନ ଛନ୍ଦମୂର୍ଚ୍ଛନା ହିଁ ପ୍ରାଚୀନ ତଥା ଆଧୁନିକ ସାହିତ୍ୟକୁ ଏକତାସୂତ୍ରରେ ଆବଦ୍ଧ କରିରଖିଛି । ତଥାପି ଉଭୟ ମଧ୍ୟରେ ଯେଉଁ ସୂକ୍ଷ୍ମ ସୀମାରେଖାଟିକ ଅଛି, ତାହାହିଁ ପରସ୍ପରର ସ୍ୱାତନ୍ତ୍ର୍ୟକୁ ଚିହ୍ନାଇଦିଏ । ପ୍ରଚୀନଠାରୁ ନବୀନର ତୀକ୍ଷଣ ପ୍ରଭେଦ କେଉଁଠାରେ, ତାହା ସାହିତ୍ୟବିଚାରରୁ ଏବେ ସ୍ପଷ୍ଟତର ହୋଇଉଠିଲାଣି । ତାହାର ନୂତନ କଥାବସ୍ତୁ ସଙ୍ଗ ରସ, ଗୁଣ ଓ ଭାବଧାରାର ଯେଉଁ ନୂତନତା ଲକ୍ଷ୍ୟ କରାଯାଏ, ତାହା ଏକ ଅନନୁଭୂତ କର୍ମପ୍ରେରଣାର ପ୍ରାଚୁର୍ଯ୍ୟ; ପୁଣି ବିରାଟ ନିର୍ମାଣସ୍ପୃହା, ଶ୍ରମର ମହତ୍ତ୍ୱ ଓ ବିପୁଳ ଆଶାର ଆଲୋକଦ୍ୱାରା ଫିଟାଇଦେଇଛି ।

 

ବିଷାଦବାଦ

 

ମନୁଷ୍ୟକୁ ପଙ୍ଗୁ ଓ ହୀନବାର୍ଯ୍ୟ କରି ପକାଉଥିବା ବିଷାଦବାଦ ଅଫସାରିତ ହେଲାଣି । ଏହି ବିଷାଦବାଦର ଆନୁଷାଙ୍ଗିକ ଅଶ୍ଳୀଳତା ଆଦି ନ୍ୟୂନ ପ୍ରବୃତ୍ତିଚୟ ତଥା ଧର୍ମ–ଭକ୍ତିର ଭାଷ୍ୟ ଉପରେ ଅନ୍ଧବିଶ୍ୱାସ ରଖି ହାତତୋସ୍ମି କରିବାର ଦୁର୍ବଳ, ଅପୌରୁଷେୟ ବା କ୍ଳୀବ ମନୋବୃତ୍ତି ସାହିତ୍ୟ ଓ କଳାସୃଷ୍ଟିରୁ ଉଭେଇଯାଇଛି । ବିଳାପ, ବିଚ୍ଛେଦ ଓ କ୍ରନ୍ଦନ ମଧ୍ୟରେ ସାହିତ୍ୟ ଯେ ପ୍ରାରମ୍ଭରୁ ଗଠିତ ହୋଇଆସିଥିଲା, ପୁଣି ପାଠକପ୍ରାଣକୁ ସ୍ପର୍ଶ କରିବାଲାଗି ଦୈନ୍ୟ, ଦୁଃଖ ଓ ଅଭାବ ଉପରେ ତ୍ୟାଗର ଆବରଣ ବେଢ଼ାଇ ଦେଇଥିଲା, ଯଥାର୍ଥ ଆଧୁନିକ ସାହିତ୍ୟରୁ ସେହି ପ୍ରାଚୀନ ଆବରଣ ଖସିପଡ଼ିଛି ।

 

ଯେଉଁ ବିଷାଦବାଦ ମନୁଷ୍ୟର ନିଜ ଶକ୍ତି ଉପରେ ଅନାସ୍ଥା ପ୍ରସ୍ତାବ ଆଣେ, ତାହାର ଅନ୍ତର୍ନିହିତ ଅସୀମ ଧୈର୍ଯ୍ୟ ଓ ସାହସକୁ ଜାଗ୍ରତ କରିପାରେ ନାହିଁ ଏବଂ ଶେଷରେ ପଳାୟନବାଦରେ ହିଁ ପରିଣତ ହୁଏ,–ଆଧୁନିକ ସାହିତ୍ୟ–ରାଜ୍ୟରୁ ତାହା ପଳାୟନ କରିଛି । ଆଧୁନିକ ତରୁଣ–ତରୁଣୀର ଚରିତ୍ର କେବଳ ପ୍ରଣୟସର୍ବସ୍ୱ ନୁହେଁ, କେବଳ ମିଳନ ବିଚ୍ଛେଦକୁ ହିର୍ ତାହାର ସର୍ବମୟ ଜଗତ୍‌ଜ୍ଞାନ କରି ତହିଁରେ ସେ ଅଭିଭୂତ, ଆସକ୍ତ ବା ଲୀନ ହୋଇଯାଏ ନାହିଁ । ପ୍ରଣୟ ଅପେକ୍ଷା ଜୀବନକୁ ସେ ଯଥେଷ୍ଟ ବଡ଼ ବୋଲି ଅନୁଭବ କରେ; କିନ୍ତୁ ଜୀବନର ଅଶେଷ ବିକାଶ କ୍ରିୟାମଧ୍ୟରେ ପ୍ରଣୟ ବା ପ୍ରୀତିକୁ ତାହାର ନ୍ୟାଯ୍ୟ ସ୍ଥାନ ଦେବାକୁ ପଶ୍ଚାତ୍‌ପଦ ନୁହେଁ । ଜୀବନର ସ୍ୱାଭାବିକ ଅଭିବୃଦ୍ଧି, ପରିଣତ ବା ବିକାଶ ଲାଗି ଅନ୍ୟାନ୍ୟ କ୍ରିୟାଭଳି ପ୍ରଣୟ ତାହାକୁ ସାହାଯ୍ୟ କରିଥାଏ ମାତ୍ର ।

 

ସାଧାରଣ ମନୁଷ୍ୟ

 

ମିଥ୍ୟା, ଅହମିକା ଓ ଅବସାଦର ବିରୋଧୀ ଆଧୁନିକ ସାହିତ୍ୟ ପ୍ରଧାନତଃ ଜୀବୀଧର୍ମୀ । ଶ୍ରମ ଓ କର୍ମର ମହିମାରେ ତାହା ମହିମାନ୍ୱିତ । ମନୁଷ୍ୟକୁ ଆଶାବାଦୀ ଓ କର୍ମପ୍ରବଣ ହେବାକୁ ଏବଂ ଶ୍ରମର ମହାତମ୍ୟରେ ଉଦ୍‌ବୋଧନ ଦେବାକୁ ଯେଉଁ ସାହିତ୍ୟ ଅସମର୍ଥ, ତାହା ଆଧୁନିକ ପଦବାଚ୍ୟ ନୁହେଁ । ସାମାଜିକ ବା ରାଷ୍ଟ୍ରୀୟ ସଙ୍ଗଠନରେ ପ୍ରାଚୀନତା ଲୁପ୍ତ ହୋଇ ‘ଦିଲ୍ଲୀଶ୍ୱର’ ଆଉ ‘ଜଗଦୀଶ୍ୱର’ ରୂପେ ପୂଜା ପାଉନଥିବାରୁ ମିଥ୍ୟାଡମ୍ବର ଓ ଅହମିକା ଗୁଣରୁ ଯେଉଁ ଅବସାଦ ଓ ଆଳସ୍ୟ ଆଦି ସାହିତ୍ୟରାଜ୍ୟରୁ ବିଦାୟ ନେଇଛି ।

 

ସାଧାରଣ ମନୁଷ୍ୟର ଗୁଣକୀର୍ତ୍ତନରେ ଆଧୁନିକ ସାହିତ୍ୟର ଆକାର ପୂର୍ବ ଅପେକ୍ଷା ଚତୁର୍ଗୁଣ ହୋଇପଡ଼ିଛି । ଆନ୍ତର୍ଜାତିକ ସାହିତ୍ୟ କ୍ଷେତ୍ରରେ ବିଭିନ୍ନ ଶ୍ରେଷ୍ଠ ଲେଖକଲେଖିକାଙ୍କ ରଚନାଗୁଡ଼ିକରୁ ଏହି ତଥ୍ୟ ପ୍ରକଟିତ ହୁଏ । ନୋବେଲ ପୁରସ୍କାରପ୍ରାପ୍ତ ସେଲ୍‌ମା ଲଗରଲଫ୍‌ଙ୍କ ‘ଆଉଟ୍‌କାଷ୍ଟ୍‌’, ପର୍ଲ ବକ୍‌ଙ୍କର ‘ଗୁଡ଼୍‌ଆର୍ଥ’, ନୁଟ୍‌ହାମ୍‌ସୁନ୍‌ଙ୍କର ‘ହଙ୍ଗର୍‌’ ଇତ୍ୟାଦି ବହୁ ଆଧୁନିକ ରଚନାରେ କୃଷକ ଓ ଶ୍ରମିକ ଜୀବନର ମହତ୍ତ୍ୱ ପ୍ରକାଶହିଁ ପ୍ରଧାନ ବିଷୟବସ୍ତୁ ହୋଇଛି । ସାଧାରଣ ଜନସମୁଦ୍ର ମଧ୍ୟରୁ ସଂଖ୍ୟାତୀତ ଅସାଧାରଣ ଚରିତ୍ରକୁ ଆବିଷ୍କାର କରିବାରେ ସ୍ରଷ୍ଟାର ବିଶେଷତ୍ୱ ଲକ୍ଷିତ ହୋଇଛି ।

 

କର୍ମପ୍ରେରଣା

 

ଅଖଣ୍ଡ ଆଶା ଓ ବିଶ୍ୱାସ, ଅଦମ୍ୟ ସାହସ ଓ ଅସୀମ କର୍ମପ୍ରେରଣା ଆଧୁନିକ ପ୍ରଗତିଶୀଳ ସାହିତ୍ୟର ପ୍ରତି ଧମନୀକୁ ଯେଭଳି ସ୍ପନ୍ଦନପୂର୍ଣ୍ଣ କରିଛି, ତାହା ଅତୀତରେ ଆଉ କେବେ ସମ୍ଭବପର ହୋଇଥିଲା ବୋଲି ଜଣାଯାଏ ନାହିଁ । ବିଶ୍ୱସାହିତ୍ୟର ଏହି ବିରାଟ ଅଭିଯାନ ସପକ୍ଷରେ ବିଷାଦ, ପ୍ରତିକ୍ରିୟା ଏବଂ ମୃତ୍ୟୁ; ଅପରପକ୍ଷରେ ଆନନ୍ଦ, ପ୍ରଗତି ଏବଂ ଜୀବନ ମଧ୍ୟରେ ସୂତ୍ରପାତ ହୋଇଛି ତୁମୂଳ ସଂଗ୍ରାମ; ପୁଣି ସର୍ବତ୍ର ଜୟୀ ହୋଇଉଠିଛି ଆଶା ଆଉ କର୍ମପ୍ରେରଣା ।

 

ଆଧୁନିକ ମେଘଦୂତ

 

ସ୍ତ୍ରୈଣତାବଶତଃ ସ୍ୱୀୟ କର୍ତ୍ତବ୍ୟ–କର୍ମରେ ଅବହେଳା କରିବାରୁ ଅଳକା ପତି କୁବେର ପକ୍ଷର ସକଳ କ୍ଷମତା କାଢ଼ିନେଇ ତାହାକୁ ଏକବର୍ଷ ପର୍ଯ୍ୟନ୍ତ ରାମଗିରି ନାମକ ପର୍ବତରେ ନିର୍ବାସନ କରିବାକୁ ଯେତେବେଳେ ଶାପ ଦେଲେ ନିର୍ବାସିତ ଯକ୍ଷ ପ୍ରେୟସୀ–ବିରହରେ ତହୁଁ ଉନ୍ମାଦପ୍ରାୟ ହୋଇ ମେଘକୁ ଦୂତରୂପେ ଯେଉଁ ମର୍ମସ୍ପର୍ଶୀ ସମ୍ବୋଧନ କରିଥିଲା ଏବଂ ଅଳକାପୁରୀର ଚିର ଯୌବନ ଓ ଚିର ବସନ୍ତକୁ ଝୁରି ଯେଉଁ ଲୋତକରେ ବିଶ୍ୱସାହିତ୍ୟକୁ ଆର୍ଦ୍ର କରିପାରିଥିଲା, ଆଧୁନିକ କାଳିଦାସଙ୍କ ଲେଖନୀରେ ତାହା ନ ହୋଇ ଯକ୍ଷର ନିଜ କର୍ତ୍ତବ୍ୟ–କର୍ମର ଅବହେଳା ଲାଗି ଗଭୀର ଅନୁତାପ ଓ ପ୍ରାୟଶ୍ଚିତ୍ତହିଁ ‘ମେଘଦୂତ’ କାବ୍ୟର ମୁଖ୍ୟ ସ୍ଥାନ ଅଧିକାର କରନ୍ତା ବୋଲି ଅନୁମିତ ହୁଏ । ଯକ୍ଷର ସୁଦୀର୍ଘ ବିଳାପ ମଧ୍ୟରେ ସ୍ୱୀୟ କର୍ତ୍ତବ୍ୟ–କର୍ମର ତ୍ରୁଟିଗୁଡ଼ିକୁ ଦୂର କରିବା ସମ୍ବନ୍ଧରେ ଅନ୍ତତଃ କେତେକ ସୂଚନା ଓ ପ୍ରେରଣା ମିଳିଥାନ୍ତା ନବଯୁଗର ‘ମେଘଦୂତ’ରେ ।

 

ଅପୂର୍ବ ଗୌରବମଣ୍ଡିତା ଉଜ୍ଜ୍ୱୟିନୀ, ବିଦୀଶା, ଦଶପୁର, ବ୍ରହ୍ମାବର୍ତ୍ତ, କୁରୁକ୍ଷେତ୍ର, କନଖଳ ଆଦି ନଗରୀର ଲଳନାଗଣ ବିଭିନ୍ନ ଅବସ୍ଥାରେ ଏହି ନୀଳଜୀମୂତକୁ ନିରୀକ୍ଷଣ କରିବାର ଯେଉଁ ଅବରୂପ ସୌନ୍ଦର୍ଯ୍ୟ କବି ଚିତ୍ରଣ କରିଯାଇଛନ୍ତି, ବର୍ତ୍ତମାନ ଯୁଗରେ ଏହି କାବ୍ୟ ରଚନା କରିଥିଲେ, ଦିଗନ୍ତବିସ୍ତାରୀ କୃଷିକ୍ଷେତ୍ର, ପ୍ରକାଣ୍ଡ ଜଳ–ବିଦ୍ୟୁତ୍‌ ଯୋଜନା ଓ ନବ ନବ ନବର, ପୁଣି ବିରାଟ ସେତୁ ଓ ଧୁମାଗ୍ରଶୋଭିତ ଶିଳ୍ପକେନ୍ଦ୍ର ଗୁଡ଼ିକର ନିର୍ମାଣରେ ଲକ୍ଷ ଲକ୍ଷ ମନୁଷ୍ୟର ବିଚିତ୍ର କରସ୍ପର୍ଶ ସଙ୍ଗେ କର୍ମରତା ରମଣୀର କପୋଳଦେଶ–ଲାଞ୍ଛିତ ସ୍ୱାଦବିନ୍ଦୁ ଅଳକା–ପୁରୀର ସୁଧାବିନ୍ଦୁ କିମ୍ୱା ବିଦୀଶା ଉଦ୍ୟାନର ପୁଷ୍ପଚୟନରତା ‘ଗଣ୍ଡସ୍ୱେଦା ପନୟଜରୁଜାକ୍ଳାନ୍ତ କର୍ଣ୍ଣୋତ୍ପଳାନାଂ’ ସମ ତାଙ୍କ ସମକ୍ଷରେ ପ୍ରତିଭାତ ହୋଇଥାନ୍ତା ବୋଲି ଅନୁମାନ କଲେ ନିତାନ୍ତ ବିଡ଼ମ୍ୱନା ହେବନାହିଁ ।

Image

 

ନୂଆ ମଣିଷ

 

ବାସ୍ତବ ଅଳକାପୁରୀର ନିର୍ମାଣପ୍ରୟାସୀ ଆଧୁନିକ କବି ଯେଉଁ ସକଳ ସୁରସୁନ୍ଦରୀ, କିନ୍ନରୀ ଓ ଗନ୍ଧର୍ବ କନ୍ୟାମାନଙ୍କର ସୃଷ୍ଟି କରେ, ସେମାନଙ୍କର ଶ୍ରେଷ୍ଠ ସୁଷମା କର୍ମର ମହିମାରେହିଁ ମହିମାନ୍ୱିତ । ସକଳ ସୌନ୍ଦର୍ଯ୍ୟ ଠୁଳ ହେଇଛି, ସବୁ ପ୍ରଣୟିନୀର ବିଚ୍ଛେଦ ଦୁଃଖରେ କାତର ହୋଇ ଏବଂ ସ୍ୱୀୟ ଅସମାପ୍ତ କର୍ତ୍ତବ୍ୟ ସମ୍ପାଦନରେ ନିୟୋଜିତ କରି ଶେଷରେ ତାହାର ପ୍ରଣୟ ଅଭିଯାନରେ ହିଁ ସେ ଜୟଯୁକ୍ତ ହୁଏ ।

 

ଗୋଟିଏ କ୍ଷୁଦ୍ର ଗଳ୍ପ

 

ଗୋଟିଏ ଆଧୁନିକ କ୍ଷୁଦ୍ର ଗଳ୍ପର ଉଦାହରଣ ଦେଇ କଥାଟିକୁ ଆହୁରି ସ୍ପଷ୍ଟ କରି ଦିଆଯାଇପାରେ । ଗଳ୍ପଟି ବୈଦେଶିକ ।

 

ବିସ୍ତୃତ ସମବାୟ ଶସ୍ୟକ୍ଷେତ୍ର ଉପରେ ସାୟାହ୍ନ ଛାୟା ନଇଁଆସିଛି । ସନ୍ଧ୍ୟା ଆଗତ ପ୍ରାୟ । ପକ୍ୱଶସ୍ୟ କର୍ତ୍ତନ କରିବାର ଦାୟିତ୍ୱ ଘେନି ଏଇ ପ୍ରକାଣ୍ଡ କ୍ଷେତ୍ରର ଅଧ୍ୟକ୍ଷ ଟିଖନ୍‌ ତାଙ୍କର ଯୁବକ ସହକର୍ମୀ ଭ୍ୟାସିଲି ସହିତ କାର୍ଯ୍ୟବ୍ୟସ୍ତ ଅଛନ୍ତି । ହଠାତ୍‌ ଗୋଟାଏ ମଟରଗାଡ଼ିର ଶବ୍ଦ ଶୁଣାଗଲା । ଗାଡ଼ିଟା ସମ୍ପୂର୍ଣ୍ଣ ବନ୍ଦ ହେବା ଆଗରୁ ତାହା ଭିତରୁ କୃଷି ବିଭାଗର ଡିରେକ୍‌ଟର ଓହ୍ଲାଇପଡ଼ିଲେ ।

 

ଟିଖନ୍‌ଙ୍କୁ ଡାକି ସେ କହିଲେ, ‘‘ବାଃ, ଏଠା କାମ ତ ସରିଗଲାଣି ।’’

 

ବାକିପଡ଼ିଥିବା ଶସ୍ୟକ୍ଷେତ୍ରକୁ ଦେଖାଇ ଟିଖନ୍‌ ଉତ୍ତର କଲେ, ‘‘ଆହୁରି ପ୍ରାୟ ଛ ସାତ ଘଣ୍ଟା ଲାଗିବ ।’’

 

‘‘ବେଶ୍‌ ତ ! ତା’ହେଲେ ଆଜି ରାତିକ ଭିତରେ ଶସ୍ୟକଟା କାମ ସରିଯିବ । ନିର୍ଦ୍ଦିଷ୍ଟ ସମୟରେ କେତେ ଆଗରୁ ଆମେ ତେବେ ଏହି କ୍ଷେତ୍ରର କାର୍ଯ୍ୟ ଶେଷ କରିବା ?’’

 

‘‘ତିନିଦିନ ଆଗରୁ ।’’

 

ଡିରେକ୍‌ଟର ଖୁସିହୋଇ କହିଲେ, ‘‘ଚମତ୍କାର । ଶୁଣ ଟିଖନ୍‌, ତୁମକୁ ଆଜି ଏଠାରୁ ଆଉ ଗୋଟିଏ ଦୂରବର୍ତ୍ତୀ କୃଷିକ୍ଷେତ୍ରକୁ ଯିବାକୁ ହେବ । ସେଠାରେ ଅନେକ କାମ ବାକିପଡ଼ିଚି । ଏହି ଅଳ୍ପ ବାକି ଥିବା ଶସ୍ୟତକ ତୁମ ଯୁବକ ସହକର୍ମୀ ଭ୍ୟାସିଲି କାଟିଦେଇପାରିବ ନାହିଁ କି ?’’

 

ଏ ପ୍ରଶ୍ନରେ ଟିଖନ୍‌ ଇତସ୍ତତଃ ହୋଇ କ’ଣ ଭାବିଲେ; କାରଣ ଭ୍ୟାସିଲି ଆଜି ସନ୍ଧ୍ୟାରେ ତାଙ୍କୁ ଛୁଟି ମାଗିଥିଲା ।

 

ଟିକିଏ ଥଙ୍ଗେଇ ଟିଖନ କହିଲେ, ‘‘ହଁ, ନ ପାରିବ କାହିଁକି, ସେ ତ ବେଶ୍‌ କାମିକା ପିଲା-।’’ ସେ ଜାଣନ୍ତି, ତାଙ୍କ କନ୍ୟା ମେରିନାକୁ ଭ୍ୟାସିଲି ଭଲପାଏ ।

 

ଡିରେକ୍‌ଟର ପୁଣି କହିଲେ, ‘‘ତାକୁ ଏଠିକି ଡାକିଲ ।’’

 

ସହକର୍ମୀ ଯୁବକ ଭ୍ୟାସିଲି ଆସି ତାଙ୍କୁ ଅଭିବାଦନ କଲା । ଭ୍ୟାସିଲିର ବଳିଷ୍ଠ ମାଂସପେଶୀକୁ ଚାହିଁ ଡିରେକ୍‌ଟର ଖୁସିହୋଇ କହିଲେ, ‘‘ତୁମ୍ଭ ମାଲିକଙ୍କୁ ମୁଁ ସାଙ୍ଗରେ ଘେନିଯାଉଛି-। ତୁମେ ଆଜି ଭିତରେ ଏହି ଶସ୍ୟତକ କାଟିପାରିବ ତ ?’’

 

ଯୁବକ ଏହି ଅପ୍ରତ୍ୟାଶିତ ପ୍ରଶ୍ନର କୌଣସି ଉତ୍ତର ନ ଦେବାରୁ ସେ ପୁଣି କହିଲେ, ‘‘ତୁମେ ବୋଧହୁଏ ଏକାକୀ ରହିବାକୁ ଆଗ୍ରହୀ ନୁହଁ ?’’

 

ଏଥର ଦୃଢ଼ଭାବରେ ଯୁବକ ଉତ୍ତର କଲା, ‘‘ମୁଁ ତ ଆପତ୍ତି କରିନାହିଁ ।’’

 

‘‘ବେଶ୍‌ । ତେବେ ଏହି କୃଷିକ୍ଷେତ୍ରର ସବୁ ଭାର ତୁମ ଉପରେ ନ୍ୟସ୍ତ କରାଯିବ । ତୁମ ମାଲିକ ଗୋଟିଏ ବଡ଼ କାମରେ ନିଯୁକ୍ତ ହୋଇଛନ୍ତି । ସେ ଆଉ ଏଠାକୁ ଫେରିବେ ନାହିଁ ।’’

 

ପ୍ରଣୟ ଓ କର୍ତ୍ତବ୍ୟ

 

ଟିଖନ୍‌ଙ୍କୁ ସଙ୍ଗରେ ଘେନି ଡିରେକ୍‌ଟରଙ୍କ ଗାଡ଼ି ଗ୍ରାମ ମଧ୍ୟରେ ଅଦୃଶ୍ୟ ହୋଇଯିବା ପର୍ଯ୍ୟନ୍ତ ଭ୍ୟାସିଲି ସେଇଦିଗକୁ ଚାହିଁରହିଲା ।

 

ସେ କେବେହେଲେ କାମକାତର ନୁହେଁ; ମାତ୍ର ଡିରେକ୍‌ଟରଙ୍କ ଆଦେଶ ଶୁଣି ଗୋଟିଏ କଥାରେ ତା’ର ମନ ଘାଣ୍ଟି ହେଉଥିଲା । ଆଜି ସନ୍ଧ୍ୟାରେ ମେରିନା ସହିତ ଏକାନ୍ତରେ ଏକ ଲତାକୁଞ୍ଜରେ ଭେଟହେବ ବୋଲି ଉଭୟଙ୍କ ମଧ୍ୟରେ ଆଗରୁ ସ୍ଥିର ହୋଇସାରିଛି । ପରଦିନ ସକାଳୁ ମେରିନା ଏକ ମତ୍ସ୍ୟ–ପାଳନ କେନ୍ଦ୍ରରେ ଶିକ୍ଷା କରିବାକୁ ଦୀର୍ଘ ବର୍ଷେକାଳ ପାଇଁ ବିଦାୟ ହୋଇଯିବ । ଅଥଚ ଡିରେକ୍‌ଟରଙ୍କ ଆଦେଶ ପାଳନ କଲେ ତ କୃଷିକ୍ଷେତ୍ରର କାର୍ଯ୍ୟ ସରିବାକୁ ପ୍ରାୟ ଅର୍ଦ୍ଧରାତ୍ରି ହୋଇଯିବ ।

 

ବର୍ଷକ ପାଇଁ ପ୍ରିୟତମା ମେରିନା ସହିତ ଭ୍ୟାସିଲିର ତ ଆଉ ସାକ୍ଷାତ୍‌ ହେବନାହିଁ । କେତେ ବ୍ୟସ୍ତ ବ୍ୟାକୁଳ ହୋଇ ଲତାକୁଞ୍ଜରେ ମେରିନା ତାହାକୁ ଅପେକ୍ଷା କରି ଚାହିଁବ; ତାହା ପରେ ସିନା ବିମୁଖ ବିରକ୍ତ ହୋଇ ଗୃହକୁ ଲେଉଟିବ ! ବାର୍ଷିକ ଭିତରେ ନୂତନ ସ୍ଥାନ ଓ ନୂତନ ମନୁଷ୍ୟ ଦେଖି ଭ୍ୟାସିଲିଙ୍କୁ ମଧ୍ୟ ସେ ଭୁଲିଯାଇପାରେ ତ ! ଏହିପରି ଦୁଶ୍ଚିନ୍ତାରେ ତାହାର ଚିତ୍ତ ଆନ୍ଦୋଳିତ ହେଉଥିବାବେଳେ ଅସ୍ତଗାମୀ ସୂର୍ଯ୍ୟକୁ କରୁଣ ଦୃଷ୍ଟିରେ ଚାହିଁ ଭ୍ୟାସିଲି ଶସ୍ୟ କର୍ତ୍ତନରେ ଲାଗିଥାଏ ।

 

ମେରିନା ମୋହ

 

ମେରିନା ତାହାର ସହୃଦୟ ଅଧ୍ୟକ୍ଷ ଟିଖନ୍‌ଙ୍କର ସୁଯୋଗ୍ୟା କନ୍ୟା । ମେରିନାର ବିଦ୍ୟାବୁଦ୍ଧି ଓ ବ୍ୟବହାରରେ ଭ୍ୟାସିଲି ମୋହିତ ହୋଇଯାଇଥିଲା ଏବଂ ତାହାକୁହିଁ ଜୀବନର ସଙ୍ଗିନୀ ରୂପେ ପାଇବ ବୋଲି କେତେ ଦିନ କେତେ ରାତି କଳ୍ପନା କରିଥିଲା । ଆଜି ତାହାର ସକଳ ସ୍ୱପ୍ନର ସୌଧ ଧୂଳିସାତ୍‌ ହେବାକୁ ଯାଉଛି । ଦିଗ୍‌ବଳୟଚୁମ୍ୱୀ ଏଇ ଅସ୍ତଗାମୀ ରବି ପରି ତାହାର ସକଳ ସୁଖ–କଳ୍ପନାକୁ ସେ ଶସ୍ୟଚ୍ଛେଦନର ନିରବଚ୍ଛିନ୍ନ ଶବ୍ଦସଙ୍ଗୀତ ମଧ୍ୟରେ ବୁଡ଼ାଇଦେଇ କଠୋର କର୍ତ୍ତବ୍ୟ ପାଳନ କରୁଛି । କୃଷିକେନ୍ଦ୍ରର ସମଗ୍ର ଦାୟିତ୍ୱ ବର୍ତ୍ତମାନ ତାହାରି ଉପରେ ନ୍ୟସ୍ତ କରାଯାଇଥିବାର ସ୍ୱାତନ୍ତ୍ର୍ୟ ଓ ସ୍ୱାଧୀନତାର ଉନ୍ମାଦନା ଭାସିଉଠୁଚି ମେରିନାର ମଧୁର ଉଦାର ଦୃଷ୍ଟି-!

 

ଦିଗନ୍ତବିସ୍ତାରୀ ଶସ୍ୟକ୍ଷେତ୍ରର ଚତୁର୍ଦ୍ଦିଗ କେତେବେଳେ ନୀରବ ଅନ୍ଧକାରାଚ୍ଛନ୍ନ ହୋଇ ଊର୍ଦ୍ଧ୍ୱ ଆକାଶରେ ଏକ ତାମ୍ରଫଳକ ପରି ରକ୍ତାଭ ଚନ୍ଦ୍ରାଲୋକ ଶସ୍ୟକ୍ଷେତ୍ର ଉପରେ ପଡ଼ିଲାଣି ଏବଂ ଶସ୍ୟ ଖଳାରୁ ଓ ବୃକ୍ଷାଚ୍ଛାଦିତ ପଲ୍ଲୀ ଗୃହଗୁଡ଼ିକର ବାତାୟନରୁ ଆଲୋକ ଦେଖାଗଲାଣି, ସେଥିପ୍ରତି ତାହାର ଲକ୍ଷ୍ୟ ନାହିଁ । ଏହିପରି ଗୋଟିଏ ଗୃହରେ ମେରିନା ହୁଏତ କାଲି ସକାଳେ କର୍ମକେନ୍ଦ୍ରକୁ ଯାତ୍ରା କରିବାପାଇଁ ତାହାର ଜିନିଷପତ୍ର ସଜାଡ଼ୁଛି !

 

ଶୁଭ ମିଳନ

 

ଘଣ୍ଟା ପରେ ଘଣ୍ଟା ଅତିବାହିତ ହୋଇଗଲା । ଚାହୁଁ ଚାହୁଁ ଶସ୍ୟକ୍ଷେତ୍ରଟି କ୍ଷୁଦ୍ରରୁ କ୍ଷୁଦ୍ରତର ହୋଇ ଶେଷ ଶସ୍ୟ ଚ୍ଛେଦନ ସରିଗଲା । ବର୍ତ୍ତମାନ ଭ୍ୟାସିଲି ଅନୁଭବ କଲା, କିପରି ସେ କ୍ଳାନ୍ତ ଅବସନ୍ନ ହୋଇପଡ଼ିଛି । କିଛି ବାଟ ଯାଇ ସେ ଭୂମିଉପରେ ସ୍ୱୀୟ ହସ୍ତକୁ ଉପାନହ କରି ଅବସନ୍ନ ଅବୟବକୁ ଢାଳିଦେଲା ।

 

ନିକଟରେ କାହାର ପଦଶବ୍ଦ ଶୁଣି ସେ ଚକିତ ଦୃଷ୍ଟିରେ ଚାହିଁଲା ।

 

‘‘ଭ୍ୟାସିଲି !’’ କେଉଁ ପରିଚିତ କୋମଳ ସ୍ୱର ଶୁଣି ସେ ଉଠିବସିଲା ବିସ୍ମୟ ଓ ଆହ୍ଲାଦରେ ।

 

‘‘ମେରିନା, ତୁମେ ?’’ ଏତିକି ଛଡ଼ା ସେ ଆଉ କିଛି କହିପାରିଲାନି ।

 

‘‘ହଁ, ବାପା ମୋତେ କହିଗଲେ, ତୁମକୁ ସେ ଏକା ଏଠାରେ ଛାଡ଼ି ଯାଇଛନ୍ତି । ସେଥିପାଇଁ ମୁଁ ବିଦାୟ ନେବାକୁ ଆସିଲି ।’’

 

ନିଜ ସ୍ୱେଦାକ୍ତ ହାତରେ ମେରିନାର ହାତ ଧରିପକାଇ ଭ୍ୟାସିଲି ତାହାର ଉଜ୍ଜ୍ୱଳ ଗଭୀର ନୀଳଡ଼ୋଳା ଯୋଡ଼ିକୁ ଚାହିଁ ରହିଲା । ମୁହୂର୍ତ୍ତକେ ତାହାର ସବୁ କ୍ଳାନ୍ତି ଦୂର ହୋଇଗଲା ।

 

ସେତିକିବେଳେ ହିଁ ଭ୍ୟାସିଲି ମୁଖରେ ମିଳିଗଲା ତାହାର ସବୁ ସ୍ୱପ୍ନ ଓ ସବୁ କଳ୍ପନାର ଭାଷା–ଯେଉଁ ଭାଷାକୁ ମନୁଷ୍ୟ ସ୍ୱୀୟ ସୁଦୀର୍ଘ ଜୀବନକାଳ ମଧ୍ୟରେ ଥରେମାତ୍ର ଉଚ୍ଚାରଣ କରିଥାଏ-

 

ସେ ଯେ ଭଲପାଏ !

 

ମେରିନାକୁ ସଙ୍ଗରେ ଘେନି ଘରେ ପହଞ୍ଚାଇଦେବାକୁ ଗଲାବେଳେ ପରଦିନ ସକାଳ ତାହାକୁ ରେଳ ଷ୍ଟେସନରେ ବିଦାୟ ଦେବ ବୋଲି ଭ୍ୟାସିଲି ଗଦ୍‌ଗଦ୍‌ କଣ୍ଠରେ ପ୍ରକାଶ କଲା ଏବଂ ପଚାରିଲା–

 

‘‘ଆଚ୍ଛା, ତୁମେ କ’ଣ ଭାବିନାହଁ ଯେ ଏଠା କାମ ଛାଡ଼ି ତୁମକୁ ଭେଟିବା ମୋର ଉଚିତ ଥିଲା ?’’

 

‘‘ନାଁ’’–ଧୀର ଗମ୍ଭୀର ସ୍ୱରରେ ମେରିନା ଉତ୍ତର କଲା । ନିଜର ଗୋଟିଏ ହାତକୁ ଭ୍ୟାସିଲିର ବାହୁଉପରେ ବିଶ୍ରାମ ଦେଇ ସେ କହିଲା, ‘‘ସେ କଥା କିପରି ବିଚାରନ୍ତି; କାରଣ ମୁଁ ଯେ ତୁମକୁ ଭଲପାଏ, ଭ୍ୟାସିଲି !’’

 

ଓଡ଼ିଆ ସାହିତ୍ୟର ଆଧୁନିକ ଲେଖକ ଓ ପାଠକମାନଙ୍କ ସମକ୍ଷରେ ଏହି ସଂକ୍ଷିପ୍ତ ରୁଷଦେଶୀୟ ଗଳ୍ପଟିର ବୈଶିଷ୍ଟ୍ୟ ଓ ମହତ୍ତ୍ୱ ଉପରେ କୌଣସି ଟିପ୍‌ପଣୀ କରିବା ଅବଶ୍ୟ ଧୃଷ୍ଟତା ହେବ ।

 

ଉଦାହରଣ ଛଳରେ ଯେଉଁ ବୈଦେଶିକ କ୍ଷୁଦ୍ରଗଳ୍ପଟିର ଉଲ୍ଲେଖ କରାଗଲା, ସେଥି ସଙ୍ଗେ ତୁଳିତ ହେବାଭଳି କ୍ଷୁଦ୍ରଗଳ୍ପ ବିଭିନ୍ନ ଭାରତୀୟ ସାହିତ୍ୟରେ ଯେ ନାହିଁ, ତାହା ନୁହେଁ । ମାତ୍ର ବିଳାସ–ଆମୋଦ–ପ୍ରଣୟ–ସର୍ବସ୍ୱ ନିରୁଦ୍ଦେଶ୍ୟ ଗଳ୍ପଗୁଡ଼ିକର ସଂଖ୍ୟାନୁପାତରେ ତାହା ଅଳ୍ପ । ମନୁଷ୍ୟଜୀବନର ଅସଂଖ୍ୟ ଅଭିଜ୍ଞତା, ସବୁ ଅନୁଭୂତି, ଏ ସକଳ ପ୍ରେରଣା ଯେ, ଏକ ବୃହତ୍ତର ପରିଣତିର ଉପାୟ ମାତ୍ର ଏବଂ ଜୀବନକୁ ନିଷ୍ଠାପୂର୍ଣ୍ଣ, କର୍ମମୟ, ରସମୟ ଓ ମଧୁମୟ କରିବାକୁ ସଦା ଉନ୍ମୁଖୀନ, ଏହା ଯେପରି ପ୍ରଗତିଶୀଳ ସାହିତ୍ୟର ପ୍ରଧାନ ଧର୍ମ ଓ ମୌଳିକ ନୀତି ହୋଇପଡ଼ିଛି ।

 

ନୂତନ ମନୁଷ୍ୟ

 

ନିରଳସ, ନିରହଙ୍କାର ଓ ନିର୍ଭୀକ୍ଷ ନୂତନ ମନୁଷ୍ୟ–ନିର୍ମାଣ ହିଁ ସକଳ ପ୍ରଗତିଶୀଳ ଚରିତ୍ର ସୃଷ୍ଟିର ସୁସ୍ପଷ୍ଟ ଲକ୍ଷଣ ବୋଲି ମନେହୋଇଥାଏ । ଚିତ୍ତପଟରେ ଫୁଟିଉଠେ ଏକ ସୁଖମୟ ନୂତନ ଜଗତର ଆଲେଖ୍ୟ, ଯାହା ଅତି ବାସ୍ତବ ଓ ଅବଶ୍ୟମ୍ଭାବୀ, ଯହିଁରେ ସବୁ ବ୍ୟର୍ଥତା ବା ଅପାରଗତା କେବଳ ସଫଳତାର ଗୋଟିଏ ଲେଖାଏଁ ବିଜୟସ୍ତମ୍ଭ; ଅସୀମ ଆଶା ଓ ଆନନ୍ଦର ଉନ୍ମାଦନା ଘେନି ଯେଉଁ ଜଗତର ନୂତନ ମନୁଷ୍ୟ କର୍ମତତ୍ପର ହୁଏ, ଯେଉଁଠାରେ ଦୟା, କ୍ଷମା, ସ୍ନେହ, ପ୍ରେମ ଆଦି ସଦ୍‌ବୃତ୍ତିଚୟ କେବଳ ଏକ ବିପୁଳ କର୍ମପ୍ରବାହକୁ କେନ୍ଦ୍ର କରି ଗତିଶୀଳ । ଆଧୁନିକ ଭାରତୀୟ ଗଳ୍ପ–ସାହିତ୍ୟର ବିଷୟବସ୍ତୁ ସାଧାରଣ କୃଷକ ବା ଶ୍ରମିକ ଜୀବନର ବିଭିନ୍ନ ଚିତ୍ର ପରିବେଷଣରେ ପର୍ଯ୍ୟବସିତ ଥିଲେହେଁ ତାହା ମଧ୍ୟରେ ଏହି କର୍ମପ୍ରବାହର ଗତିଶୀଳତା ସହଜରେ ଧରାପଡ଼େନାହିଁ-। ପ୍ରଣୟର ମହତ୍ତ୍ୱ ଫୁଟାଇବାକୁ ହେଲେ ତାହା କେବଳ ଅତୀତର ଓମାରଖେୟାମୀ ବା ଭଞ୍ଜୀୟ ପ୍ରଣୟରେ ହିଁ ନିଃଶେଷ ହୋଇଯାଏ । ପ୍ରଣୟ ଯେ ପ୍ରସୂନମୟ ଏକ ସୁନ୍ଦର ସଂସାରର ପ୍ରାକୃତିକ ଗଠନକ୍ରିୟା, ସେ ଦିଗକୁ ତାହା ଆଗେଇପାରେ ନାହିଁ ।

 

ଭାରତୀୟ ଗଳ୍ପ

 

ଏଠାରେ ଗୋଟିଏ ଭାରତୀୟ ଗଳ୍ପର ଉଦାହରଣ ଦିଆଯାଇପାରେ । ଗଳ୍ପଟି ଏକ ଇଂରେଜୀ ପତ୍ରିକାରେ ପ୍ରକାଶିତ ହୋଇଛି ।

 

ଗ୍ରାମ ସୀମାର ଅବସ୍ଥିତ କ୍ଷୁଦ୍ର କୁଟୀରଦ୍ୱାରରେ ଜଣେ ନାରୀ ଅବିଶ୍ରାନ୍ତ ଦୃଷ୍ଟିପାତ ମଧ୍ୟରେ କାହାକୁ ଅପେକ୍ଷା କରି ଦଣ୍ଡାୟମାନ । ବହୁ ସମୟ ପରେ ହତାଶ ହୋଇ ଫେରିବାବେଳେ ନିଜ ସ୍ୱାମୀର ପଦଶବ୍ଦ ସେ ଶୁଣିପାରିଲା । ଉଭୟେ କୁଟୀର ଭିତରେ ପ୍ରବେଶ କଲେ । ଅସ୍ପଷ୍ଟ ଆଲୋକ ମଧ୍ୟରେ ସ୍ୱାମୀର ମୁଖକୁ ଚାହିଁ ତାହା ମନରେ ସନ୍ତୋଷ ଜନ୍ମିଲା । କାରଣ ସେ ବୁଝିପାରିଲା, ଆଜି ସେ ମଦ୍ୟପାନ କରିନାହିଁ; କିନ୍ତୁ ସ୍ୱାମୀମୁଖରେ ଏକ ଅଶାନ୍ତି ଓ ଅବସାଦର ଛାୟାପାତ ହୋଇଥିଲା ।

 

‘‘କ୍ଷେତ କିପରି ହୋଇଛି ?’’ ସ୍ୱାମୀକୁ ସେ ପଚାରିଲା ।

 

ହେଁସ ଉପରେ ଦେହଟାକୁ ଲମ୍ୱାଇଦେଇ ପୁରୁଷଟି କହିଲା, ‘‘ବଡ଼ ଖରାପ । ବନ୍ଧ ଭାଙ୍ଗିଯାଇ ସବୁ ଫସଲ ଧୋଇଯାଇଛି ।’’

 

‘‘ହଉ, ତୁମେ ତ ବଡ଼ କ୍ଳାନ୍ତ ଜଣାପଡ଼ୁଚ । ଖାଇ ପିଇ ବିଶ୍ରାମ ନିଅ ଆାଗ । ପରେ ସେସବୁ କଥାବାର୍ତ୍ତା ହେବା–’’ କୋମଳ କଣ୍ଠରେ ସ୍ତ୍ରୀ ତାହାକୁ ସାନ୍ତ୍ୱନା ଦେଲା ।

 

ଆହାର ପରେ ସ୍ତ୍ରୀପୁରୁଷ ନିଦ୍ରା ଗଲେ । ବାହାରେ ଭୟଙ୍କର ତୋଫାନ ଓ ପ୍ରଚଣ୍ଡ ବର୍ଷାର ଶବ୍ଦ । ହଠାତ୍‌ ସ୍ତ୍ରୀର ନିଦ ଭାଙ୍ଗିଗଲା । ଚାହିଁ ଦେଖିଲା, ସ୍ୱାମୀ ତାହାର ପାଖରେ ନାହିଁ । ନିଜ ଦୁଃଖକୁ ମଦ୍ୟପାନରେ ପାସୋରି ଦେବାପାଇଁ ଏହିପରି ଦଶା କ’ଣ ହେବ !

 

ପ୍ରେମର ପ୍ରଭାବ

 

ପାଗଳିନୀ ପରି ସେ ନିଜ ସ୍ୱାମୀକୁ ଖୋଜିବା ପାଇଁ ଘରଭିତରୁ ପାଦ କାଢ଼ିଲା; କିନ୍ତୁ ବର୍ଷା, ତୋଫାନ ଓ ଅନ୍ଧକାର ମଧ୍ୟରେ ସେ ବେଶିଦୂର ଚାଲି ନ ପାରି ଫେରିଆସିଲା । ଆଉ ତା’ ଚକ୍ଷୁକୁ ନିଦ୍ରା ଆସିବ କିପରି ? ବହୁ ସମୟ ପରେ ସ୍ୱାମୀ ଫେରିଲା ମଦ୍ୟପାନରେ ଉନ୍ମତ୍ତ ଓ ଦେହମୟ କର୍ଦ୍ଦମାକ୍ତ ହୋଇ । ଢଳି ଢଳି ସେ କହିଲା, ‘‘କିଛି ଆଉ ଭଲଲାଗୁନି । ଯେଉଁ କାମରେ ହାତଦେଲି, ତାହା ତ ବିଫଳ ହୋଇଯାଉଛି । ମୋ ଜୀବନଟା ଅକାରଣ । ଏଭଳି ଜୀବନକୁ ମଦପିଇ ଶେଷ କରିଦେବା ବରଂ ଭଲ ହେବ ।’’

 

‘‘ନାଁ, ନାଁ’’–ସ୍ତ୍ରୀ ତାହାକୁ ଚାହିଁ ଦୃଢ଼ସ୍ୱରରେ ଜଣାଇଲା, ‘‘ତୁମ ଜୀବନ କଦାପି ବ୍ୟର୍ଥ ନୁହେଁ । ପାରୁପର୍ଯ୍ୟନ୍ତ ତୁମେ ଖଟିଛ; କିନ୍ତୁ ବର୍ଷାକୁ ହାତ କାହାର ? ମନେରଖ, ଅନ୍ତତଃ ମୁଁ ତୁମକୁ ବଞ୍ଚିବାକୁ ଚାହେଁ । କାହିଁକି ଜାଣ କି ? କାରଣ ମୁଁ ଯେ ତୁମକୁ ଭଲପାଏ । ମୋତେ ଚାହିଁଲ, ମୁଁ କ’ଣ ତୁମକୁ ସତ କହୁନି ?’’

 

ଧୀରେ ଧୀରେ ମୁହଁଟେକି ସେ ସ୍ତ୍ରୀମୁଖକୁ ଚାହିଁଲା । ତାହାର ସର୍ବାଙ୍ଗରେ ଆଶା ଓ ଆନନ୍ଦ ଖେଳିଗଲା; କାରଣ ସେ ସ୍ତ୍ରୀର ଚକ୍ଷୁ ଦୁଇଟିରେ ସତ୍ୟକୁ ହିଁ ଦେଖିପାରିଥିଲା ।

 

ଆଧୁନିକ ଓ ପ୍ରଗତିଶୀଳ

 

ଗଳ୍ପଟିରେ ଆଧୁନିକ ଭାରତୀୟ ଜୀବନର ଛାପ କେଉଁ ପରିମାଣରେ ରହିଯାଇଛି, ତାହା କିଞ୍ଚିତ ଆଲୋଚ୍ୟ । ସ୍ତ୍ରୀଚକ୍ଷୁରେ ପୁରୁଷ ଯେଉଁ ସତ୍ୟ ଦେଖିପାରିଛି, ତହିଁରେ ଆଶା ଅଛି; ମାତ୍ର ଭରସା ନାହିଁ ବିଶ୍ୱାସ ଅଛି ମାତ୍ର ତାହା ନିର୍ଭରଯୋଗ୍ୟ ନୁହେଁ–ଆଧ୍ୟାତ୍ମିକତା ପାଖରେ କର୍ମପ୍ରେରଣାରେ ତାହା ବଳିଷ୍ଠ ନୁହେଁ । ଆଶା, ବିଶ୍ୱାସ, ପ୍ରେମ ଓ ଆଧ୍ୟାତ୍ମିକତା ପାଖରେ ଭାରତୀୟ ଆଧୁନିକ ଜୀବନ ଗୋଟାଏ ଓଲିମ୍ପୀୟ ପ୍ରତିଯୋଗିତାରେ ଅବା ଆସି କେବଳ ଅଟକିଯାଇଛି । ସେଠାରୁ ଆଉ ଅଗ୍ରସର ହେବାକୁ ସେ ଯେପରି ବାଟ ପାଉନାହିଁ । ତେଣୁ ଭାରତୀୟ ସାହିତ୍ୟରୁ ଉଦ୍ଧୃତ ହୋଇଥିବା ଏହି ଶ୍ରେଣୀୟ ଗଳ୍ପ ପ୍ରତିନିଧିମୂଳକ ବା ଉତ୍କୃଷ୍ଟ ଶ୍ରେଣୀର ନ ହେଲେହେଁ ଆଧୁନିକ ହୋଇପାରେ । ପୁଣି ଏହାକୁ ବାସ୍ତବ ସାହିତ୍ୟର ଏକ ନମୁନାରୂପେ ଧରାଯାଇପାରେ; ମାତ୍ର ପ୍ରଗତିଶୀଳ ବୋଲି କହି ହେବନାହିଁ ।

 

ବାସ୍ତବ ଭାରତୀୟ ମନୁଷ୍ୟ ଭଳି ନବୀନ ଅବୟବ ଓ ରୂପଭେକ ଘେନି ଆମ ସାହିତ୍ୟ ବଞ୍ଚିରହିଥିଲେହେଁ ଜୀବନର ଶକ୍ତିଶାଳୀ, ସମୃଦ୍ଧିଶାଳୀ ଓ ସବୁ ଗୁଣର ଅଧିକାରୀ ଲକ୍ଷଣମାନ ଏଥିରେ ପ୍ରକଟିତ ନୁହେଁ । ଅତୀତ ଓ ବର୍ତ୍ତମାନ ମଧ୍ୟସ୍ଥିତ ଏକ ଗିରିସଙ୍କଟ ପାଖରେ ପହଞ୍ଚି ପ୍ରାଚୀନକୁ ଛାଡ଼ି ଛାଡ଼ି ଏହା ଛାଡ଼ି ପାରୁନାହିଁ; ତେଣୁ ନବୀନକୁ ପୂର୍ଣ୍ଣରୂପେ ଗ୍ରହଣ କରିବାକୁ ଅସମର୍ଥ । ନବୀନକୁ ସ୍ୱୀକାର କଲେହେଁ ପ୍ରଚୀନକୁ ଅସ୍ୱୀକାର କରିବା ଶକ୍ତି ତା’ର ନାହିଁ । ପାଦେ ଆଗକୁ ଯାଇ ପାଦେ ପଛକୁ ହଟି ଆସିଲାବେଳେ ଏହା ଗତିଶୀଳ ବୋଲି ଦେଖାଯାଏ ସିନା; କିନ୍ତୁ ଅସଲ ଯେଉଁଠାରେ ଥିଲା ସେଇଠି । ସଂଶୟବାଦର ଗ୍ରାସରେ ଏହାର ଗତି ଶିଥିଳ ହୋଇପଡ଼ିଛି ଏବଂ ଲକ୍ଷ୍ୟ ସୁଦୂର ପରାହତ । ଗୃହଶୂନ୍ୟ ଆଶ୍ରୟପ୍ରାର୍ଥୀ ଭଳି ଏହା ନିରୁଦ୍ଦେଶ୍ୟ, ନିରକ୍ତ ଓ ନିସ୍ତେଜ-

 

ମାତ୍ର ସଂଶୟରୁ ହିଁ ସତ୍ୟର ସନ୍ଧାନ ମିଳିଥାଏ; ପୁଣି ଶକ୍ତି ଓ ଦୃଢ଼ତା ଜନ୍ମିଥାଏ । ସୁତରାଂ ଏହି ଗଳ୍ପଟିର ମେରୁଦଣ୍ଡ ଉପରେ ଆଧୁନିକ ଭାରତର ବାସ୍ତବ ଜୀବନାଦର୍ଶ ଯେତିକି ପ୍ରତିଫଳିତ, ତାହାର ଉଜ୍ଜ୍ୱଳ ଭବିଷ୍ୟତର ଆଶା ମଧ୍ୟ ସେତିକି ସୂଚିତ ହୋଇଛି ।

 

ପ୍ରଗତିଶୀଳ ସାହିତ୍ୟ ବୋଇଲେ ଯେ ମାର୍କସବାଦୀ ସାହିତ୍ୟକୁ ହିଁ ବୁଝାଇଥାଏ, ଏରୂପ ଭୁଲଧାରଣ କେହି କେହି ପୋଷଣ କରିଥିବାର ଜଣାପଡ଼େ । ମାର୍କସ୍‌ବାଦ ପ୍ରଚଳନର ବହୁ ପୂର୍ବରୁ ଏପରିକି ସାରଳାଯୁଗରୁ ମଧ୍ୟ ଆମ ସାହିତ୍ୟରେ ଯେ ପ୍ରଗତିର ଲକ୍ଷଣମାନ ଲକ୍ଷିତ ହୁଏ, ତାହା କିଏ ଅସ୍ୱୀକାର କରିବ ? କିଏ ଅସ୍ୱୀକାର କରିବ ଯେ, ଓଡ଼ିଆରେ ମହାଭାରତ ଲେଖିବାକୁ ଯାଇ ଉତ୍କଳର ବ୍ୟାସ ଏକ ସୁବିରାଟ ଜାତୀୟ ବନ୍ଦନା ଗାଇଛନ୍ତି ? ଜାତୀୟ ଜାଗରଣ ଓ ଉଦ୍‌ବୋଧନ ଲାଗି ଯେ ସାହିତ୍ୟ ଚିରକାଳ ପାଇଁ ଉତ୍‌ସୃଷ୍ଟ, ସେ ଆଦର୍ଶ ଆମର ଏହି ଆଦିକବିଙ୍କଠାରେ ହିଁ ପ୍ରତିଫଳିତ ହୋଇନାହିଁ କି ?

 

ପ୍ରାଚୀନ ପ୍ରଗତି

 

ଲଙ୍କାର ରାମାୟଣ ସ୍ଥାନରେ ଯେଉଁ କବିଙ୍କ ଆଶ୍ଚର୍ଯ୍ୟ ପ୍ରତିଭା ‘ବିଲଙ୍କା ରାମାୟଣ’ ସୃଷ୍ଟିର ପରିକଳ୍ପନା କରିପାରିଥିଲା, ଦଶମୁଣ୍ଡ ରାବଣ ସ୍ଥାନରେ ସହସ୍ର ଶିର ରାବଣ ପୁଣି ମହାବୀର ହନୁମାନ ସହିତ ନାଭିଦୈତ୍ୟ ଭଳି ଏକ ଆଲୌକିକ ଜୀବ ସୃଷ୍ଟି କରିଥିଲା, ସମାଜରେ ପୁରୁଷ ସଙ୍ଗେ ନାରୀର ବୀରତ୍ୱ ଓ ମହତ୍ତ୍ୱ ପ୍ରତିପନ୍ନ ଲାଗି ତାହାକୁ ରାମ ଓ ସୀତାଙ୍କ ମଧ୍ୟରେ ଶକ୍ତି ପରୀକ୍ଷାର ଗୋଟିଏ ସୁଚତୁର ଅବତାରଣା ବୋଲାଯିବ ନାହିଁ କି ?

 

ଲଙ୍କା ଜୟ କରି ଅଯୋଧ୍ୟାରେ ରାଜ୍ୟାଭିଷେକ ପରେ ଶ୍ରୀରାମଚନ୍ଦ୍ର ସାଧାରଣଙ୍କ ସମକ୍ଷରେ ନିଜ ବନବାସ ଦୁଃଖ ଓ ରାବଣବଧର କଷ୍ଟମାନ ବର୍ଣ୍ଣନା କଲାବେଳେ ସୀତା ପ୍ରତିବାଦ ପରୀକ୍ଷିତ ହେଲା ବିଲଙ୍କା ରାଜ୍ୟର ରାଜ ସହସ୍ରଶିରା ରାବଣର ବଧରେ । ତତ୍ପରେ ରାମଙ୍କୁ ତାହା ସହିତ ଯୁଦ୍ଧ କରିବାକୁ ଆସିଥିବା ଦେଖି ସହସ୍ରଶିରା ତାଳିମାରି ହସ୍ତରେ ଉଡ଼ାଇଦେବା ଫଳରେ ରାମଚନ୍ଦ୍ର ବହୁ ଯୋଜନ ଦୂରରେ ଉଡ଼ି ପଡ଼ିବା ଏବଂ ସେଠାରେ ତପସ୍ୟା କରି ପୁଣି ଯୁଦ୍ଧ ପାଇଁ ପ୍ରସ୍ତୁତ ହେବା, ହନୁମାନଙ୍କୁ ନାଭିଦୈତ୍ୟ ଉଦରସ୍ଥ କରି ପରେ ବମନ କରିବା, ଶେଷରେ ସମସ୍ତେ ବ୍ୟର୍ଥ ହୋଇ ସୀତାଙ୍କୁ ଯୁଦ୍ଧସ୍ଥଳକୁ ଆଣିବାଦ୍ୱାରା ସହସ୍ର ଶିରାର ନିଧନ ଘଟିବା ବର୍ଣ୍ଣନା ମଧ୍ୟରେ ପାଞ୍ଚଶତ ବର୍ଷ ପୂର୍ବେ ମଧ୍ୟ ଏହି ଓଡ଼ିଆ କବି ସମାଜରେ ନାରୀର ସ୍ଥାନକୁ ନିର୍ଦ୍ଦେଶ କରିଯାଇଛନ୍ତି । ସେଥିସଙ୍ଗେ ଜାତୀୟ ଅଭ୍ୟୁତ୍‌ଥାନ ଦୃଷ୍ଟିରୁ ସାହିତ୍ୟର ଯଥାର୍ଥ ପରମ୍ପରା ସେ ସୃଷ୍ଟି କରିଛନ୍ତି ।

 

କୌଳିକ ସାହିତ୍ୟ

 

ସେହି ପରମ୍ପରା ସାରଳାଦାସଙ୍କ ପରବର୍ତ୍ତୀ ସାହିତ୍ୟରେ କେତେଦୂର ସୁରକ୍ଷିତ ବା କ୍ଷୁଣ୍ଣ ହୋଇଛି, ତାହା ଅଧି ଗବେଷଣାର ବିଷୟ ହେବା ଉଚିତ । ନୀଳାମ୍ୱର ଦାସଙ୍କ ‘ପୁରୁଷୋତ୍ତମ ଦେଉଳତୋଳା’ରେ ଶବରମାନଙ୍କ ଆଦିଦେବତାରୂପେ ଓଡ଼ିଆ ସଂସ୍କୃତିର ଶ୍ରେଷ୍ଠ ଅନୁଷ୍ଠାନ ଜଗନ୍ନାଥଙ୍କର ବର୍ଣ୍ଣନା, ବଳରାମ ଦାସଙ୍କ ‘ଲକ୍ଷ୍ମୀପୁରାଣ’ରେ ଚଣ୍ଡାଳ ଗୃହରେ ଲକ୍ଷ୍ମୀଙ୍କର ଯାତାୟତ ଲାଗି ପୁରୀ ମନ୍ଦିରରୁ ନିବାସନ ଏବଂ ତାହା ଫଳରେ ଜଗନ୍ନାଥ ବଳଭଦ୍ରଙ୍କର ବହୁ ଦୁର୍ଯ୍ୟୋଗ ଓ ଲକ୍ଷ୍ମୀଙ୍କ ନିକଟରେ କ୍ଷମାଭିକ୍ଷା କରି ଆଚାଣ୍ଡାଳ ସକଳ ଜାତିଙ୍କ ଲାଗି ମନ୍ଦିରଦ୍ୱାରା ଉନ୍ମୁକ୍ତ କରିବା ଘଟଣା ପ୍ରଗତିଶୀଳ ସାହିତ୍ୟର ପରିପୋଷକ ବ୍ୟତୀତ ଆଉ କିଛି ନୁହେଁ । ସେହିପରି ରାମାୟଣ, ମହାଭାରତ ଓ ‘ଦାଢ଼୍ୟତାଭକ୍ତି’ ଆଦି ବହୁ ପୁରାଣ ଆଖ୍ୟାୟିକାରେ ପ୍ରଗତିଶୀଳ ଭାବଧାରା ଉପରେହିଁ ଉତ୍କୃଷ୍ଟ ପ୍ରାଚୀନ ସାହିତ୍ୟ ଗଠିତ ହୋଇଛି ।

 

ଆଧୁନିକ ଯୁଗରେ ଫକୀରମୋହନଙ୍କଠାରୁ ଆରମ୍ଭ କରି ପ୍ରଗତିର ଧାରା ସମ୍ୱନ୍ଧରେ ଯେଉଁସବୁ ସୂଚନା ମିଳେ, ତାହା କଦାପି ମାର୍କସବାଦଦ୍ୱାରା ପ୍ରଭାବିତ ନୁହେଁ; ବରଂ ପ୍ରାଚୀନ ଯୁଗୀୟ ସାହିତ୍ୟରେ ପ୍ରଗତିଶୀଳ ଭାବଧାରା ମାର୍କସବାଦକୁ ପ୍ରଭାବିତ କରିଛି କହିଲେ ଅଧିକ ଯୁକ୍ତିଯୁକ୍ତ ହେବ ।

 

ପୃଥିବୀର ବିଭିନ୍ନ ସାହିତ୍ୟ–ଦର୍ଶନ–ଇତିହାସ–ବିଜ୍ଞାନର ସୁଗଭୀର ବ୍ୟାଖ୍ୟା ଓ ଗବେଷଣା କରି କାର୍ଲମାର୍କସ୍‌ ଯେଉଁ ସିଦ୍ଧାନ୍ତରେ ଉପନୀତ ହୋଇଥିଲେ, ଶ୍ରେଷ୍ଠ ସାହିତ୍ୟର ପାରମ୍ପରିକ କୌଳିକ ଧର୍ମ ଏବଂ ସେ ଧର୍ମରୁ ଚ୍ୟୁତ ହେଲେ ସାହିତ୍ୟର ଲକ୍ଷ୍ୟ ସାଧିତ ହୋଇପାରେ ନାହିଁ–ଏ କଥା କାର୍ଲମାର୍କସ୍‌ଙ୍କର ବହୁ ପୂର୍ବରୁ ପ୍ରତିପାଦିତ ହୋଇସାରିଛି ।

 

ପାଶ୍ଚାତ୍ୟ ପ୍ରଗତିର ନିର୍ମାତା

 

ସେକ୍‌ସପିଅର, ଗ୍ୟେଟେ ପ୍ରମୁଖ ପ୍ରାଚୀନ ଓ ମଧ୍ୟଯୁଗର ପାଶ୍ଚାତ୍ୟ କବି, ବେଟୋଫେନ୍ ଆଦି ସଙ୍ଗୀତଜ୍ଞ ତଥା ଲିଓନାଡ଼ୋ ଡା: ଭିନ୍‌ଚି ପ୍ରମୁଖ ଶିଳ୍ପୀ–କବି–ଶାସକ ଆଜି ସେହି କାରଣରୁ ପ୍ରଗତିଶୀଳରୂପେ ଖ୍ୟାତି । ସମାଜର କଲ୍ୟାଣ ଲାଗି ଯେଉଁ ସାହିତ୍ୟ ବା ଯେଉଁ କଳା ଯେକୌଣସି ଯୁଗରେ ବିଶିଷ୍ଟ ଦାନ କରିଯାଇଛି, ତାହା ପ୍ରଗତିଶୀଳ ନହୋଇ ଅନ୍ୟଥା ହୋଇନପାରେ । ଚଳିତ ମାସ ୧୪ ତାରିଖରେ (ଫେବୃଆରି ୧୯୫୪) ରେଭେନ୍‌ସା କଲେଜର ଅଧ୍ୟାପକଙ୍କ କର୍ତ୍ତୃକ ଓଡ଼ିଆରେ ଅନୁଦିତ ଓ ଛାତ୍ରମାନଙ୍କଦ୍ୱାରା ଅଭିନୀତ ଜର୍ମାନୀର ପ୍ରସିଦ୍ଧ ନାଟ୍ୟକାର ଜି. ହାଉପ୍‌ଟମ୍ୟାନଙ୍କର ‘ବୁଣାଳି’ ନାଟକରେ ତନ୍ତୁବାୟ–ଜୀବନର ଯେଉଁ ସକଳ ସମସ୍ୟା ଓ ସଂଘର୍ଷ ଚିତ୍ରିତ ହୋଇଛି, ତାହାକୁ ପ୍ରଗତିଶୀଳ ନ କହି ଆଉ କ’ଣ କୁହାଯାଇପାରେ ? ଅଷ୍ଟାଦଶ–ଶତାବ୍ଦୀର ହେଲେ ମଧ୍ୟ ରୁଷୀୟ କବି ପୁଷ୍କିନ୍ ଆଜି ଶ୍ରେଷ୍ଠ ପ୍ରଗତିଶୀଳ ଲେଖକରୂପେ ଆଦୃତ । ପୋଲାଣ୍ଡର ମହାକବି ଲୁଡ଼ଉଇକ୍‌ କୋଣ୍ଡ୍ରାଟୋଇଜ୍‌ ଊନବିଶଂ ଶତାବ୍ଦୀର ମଧ୍ୟଭାଗରେ କବିତା କେବଳ ଅଳ୍ପ କେତେକ ସୌଭାଗ୍ୟବନ୍ତ ଲୋକଙ୍କର ବିଳାସ ସାମଗ୍ରୀ ହେବା ବିରୁଦ୍ଧରେ ପ୍ରତିବାଦ ଉଠାଇ ଲେଖିଥିଲେ, ‘Tis not I who sings’ ଅର୍ଥାତ୍‌ ତାଙ୍କ କବିତାର ନିର୍ମାତା ଯେ କବି ନିଜେ ନୁହନ୍ତି–ତାହା ସମାଜ ଓ ଜନତାର ସଙ୍ଗୀତ–କବି କଣ୍ଠରେ କେବଳ ଯନ୍ତ୍ରଭଳି ତାହା ନିନାଦିତ ହୁଏ ଏବଂ ଜନତାର ସ୍ୱରହିଁ ତାଙ୍କ ହୃଦୟରେ ପ୍ରତିଧ୍ୱନିତ ହୋଇ ବାଜିଉଠେ–ଏଇ କଥାଟିକୁ ସେ ସ୍ପଷ୍ଟତର କରିଛନ୍ତି ଉକ୍ତ କବିତାର ନିମ୍ନୋଦ୍ଧୃତ ପଂକ୍ତିଚୟରେ ।

 

‘‘Not mine the song !

The people sing !

Theirs is the voice

in me doth ring.

To them I am

forever bound,

My heart doth sing,

But theirs the sound.’’

 

ପ୍ରତ୍ୟେକ ଶ୍ରେଷ୍ଠ କବିତା ଓ ପ୍ରଗତିଶୀଳ ସାହିତ୍ୟର ମର୍ମବାଣୀ ଏହାହିଁ । ଯେତେ ଆତ୍ମକୈନ୍ଦ୍ରିକ ହେଲେହେଁ ପ୍ରତି ପ୍ରଗତିଶୀଳ କବି–ଆତ୍ମାର ପରମାତ୍ମା ସହିତ ଏହାହିଁ ଚରମ ଯୋଗ ବା ମିଳନ–ଏହାହିଁ ‘ଜୀବ ପରମ’ ଦୁହିଙ୍କର ବିଚାର’ ।

 

ଉଦ୍ଧୃତାଂଶ ଇଂରାଜୀ କବିତାଟିର ଭାଷା ଏତେ ସହଜ ସରଳ ପୁଣି ସ୍ୱାଭାବିକ ଯେ, ଓଡ଼ିଆ ଭାଷାରେ ତାହାର ଅନୁବାଦ ସେତିକି କଠିଣ ଓ କଷ୍ଟକର ହୋଇପଡ଼େ । ତଥାପି ନିମ୍ନୋକ୍ତ ଉଦ୍ୟମ କରାଯାଇପାରେ–

 

‘‘ଏ ତ ନୁହେଁ ମୋର ସଙ୍ଗୀତ !

ତାହା ଯେ ଜନତା ଗାଏ !

ତାଙ୍କରି ସ୍ୱର ଅବିକଳ

ମୋ ଭିତରେ ବାଜିଯାଏ !

ଚିର ବନ୍ଦୀ ମୁଁ ତାଙ୍କରି

ଅଶବଦ ଘରୁ ମୋର

ଅନ୍ତର ମମ ଗାଇଉଠେ–

ବାଜେ ତାଙ୍କରି ସ୍ୱର ।’’

Image

 

ବୈପ୍ଳବିକ ବିକାଶ

 

ନବଯୁଗରେ ଭାରତୀୟ ସାହିତ୍ୟର ପୁରୋଧା ରବୀନ୍ଦ୍ର ନାଥ, ଇକ୍‌ବଲ୍‌ କିମ୍ୱା ପ୍ରେମଚାନ୍ଦ୍‌ଙ୍କ ରଚନାବଳୀରେ ପ୍ରଗତିଶୀଳତା ଅବା ପ୍ରଗତିର ପରିପନ୍ଥୀ ଯେଉଁ ସକଳ ଲକ୍ଷଣ ପ୍ରକଟିତ, ସେଗୁଡ଼ିକର ସମ୍ୟକ ବିଶ୍ଳେଷଣ ଓ ଆଲୋଚନା ବିଭିନ୍ନ ଭାଷାରେ ହେଉଥିବାର ଦେଖାଯାଏ । ସେଥିସଙ୍ଗେ ଗୋଟିଏ କଥା ସ୍ମରଣ ରଖିବାକୁ ହେବ ଯେ, କେବଳ ଗଳ୍ପ, କବିତା, ନାଟକ ବା ଉପାନ୍ୟାସ–ସମନ୍ୱିତ ଶିଳ୍ପ–କଳା ଓ ଉଦ୍ଭାବନମୂଳକ ସୃଷ୍ଟି ମଧ୍ୟରେ ସାହିତ୍ୟର ଦିଗ୍‌ବଳୟ ଆବଦ୍ଧ ନୁହେଁ ଏବଂ ପ୍ରଗତିଶୀଳ ସାହିତ୍ୟ ବୋଇଲେ କେବଳ ଏହି କେତେଗୋଟି ବିଭାଗକୁ ବୁଝାଏ ନାହିଁ ।

 

ବିଭିନ୍ନ ବିଭାଗ

 

ସାହିତ୍ୟର ବିଶାଳ କ୍ଷେତ୍ର ମଧ୍ୟରେ ବିଷୟ–ଦୃଷ୍ଟିରୁ ନାନା ବିଭାଗ କରାଯାଇଥାଏ । ଧର୍ମ, ଦର୍ଶନ, ବିଜ୍ଞାନ, ଇତିହାସ, ରାଜନୀତି, ଅର୍ଥନୀତି, ଜୀବନୀ, ଆତ୍ମଚରିତ, ଭ୍ରମରବୃତ୍ତାନ୍ତ, ଅନୁବାଦ କିମ୍ୱା ପ୍ରବନ୍ଧ ଓ ସମାଲୋଚନା ଆଦି ବିଭିନ୍ନ ଶ୍ରେଣୀବିଭାଗଦ୍ୱାରା ଓଡ଼ିଆ ସାହିତ୍ୟକୁ ବିଭକ୍ତ କଲେ ପ୍ରତି ବିଭାଗ ଯେ, ଦିନକୁଦିନ ପୁଷ୍ଟ ହୋଇଉଠୁଛି, ଏହା ଲକ୍ଷ୍ୟ କରିବା କଷ୍ଟକର ନୁହେଁ । ଭାରତର ଅନ୍ୟାନ୍ୟ ଆଞ୍ଚଳିକ ସାହିତ୍ୟ ତୁଳନାରେ ଏହି ବିଭାଗଗୁଡ଼ିକର ପୁଷ୍ଟି ସାଧନ ଆମ ସାହିତ୍ୟରେ ଅଳ୍ପ ହୋଇପାରେ; ମାତ୍ର ସମ୍ପୂର୍ଣ୍ଣ ଅବହେଳିତ ବୋଲି କୁହାଯାଇପାରିବ ନାହିଁ । ପୁଣି ପ୍ରତ୍ୟେକ ବିଭାଗ ଯେ, ସ୍ୱତନ୍ତ୍ର ଭାବରେ ଆଲୋଚିତ ହେବାର କେତେକ ଯୋଗ୍ୟତା ଲାଭ କରିଛି ପୁଣି ସେଥିଲାଗି ଆଲୋଚନାର ପରିସର ମଧ୍ୟ କ୍ରମଶଃ ବିସ୍ତୃତତର ହେବା ଯେ ସ୍ୱାଭାବିକ, ଏ କଥାରେ କ୍ୱଚିତ୍ ମତଦ୍ୱୈଧ ଘଟିବାର ଆଶଙ୍କା ଅଛି ।

 

ମୂଲ୍ୟ ନିର୍ଦ୍ଧାରଣ

 

ବିଭିନ୍ନ ବିଭାଗର ଅନ୍ତର୍ଭୁକ୍ତ ଅସଂଖ୍ୟ ବିଷୟବସ୍ତୁ ମଧ୍ୟରେ କାହାର ଚିତ୍ରଣ ପ୍ରଗତିଶୀଳ ଅବା କିଏ ପ୍ରଗତି ବିରୋଧୀ; ଓଡ଼ିଆ ସାହିତ୍ୟର ଚିହ୍ନରା ଗ୍ରାହକମାନେ ସେ ବିଷୟରେ ଅବଶ୍ୟ ଅଳ୍ପ ବହୁତ ଅବହିତ ଥିବେ । ପ୍ରାଚ୍ୟ କିମ୍ୱା ପାଶ୍ଚାତ୍ୟର ଆଧୁନିକ ସାହିତ୍ୟ ସେ ସକଳ ସମାଜର ଚିତ୍ର, ଆଶା–ଆକାଙ୍‌କ୍ଷା, ମିଳନ–ବିଚ୍ଛେଦ, ପ୍ରେମ–ଘୃଣ୍ୟ ଓ ସାଫଲ୍ୟ–ବ୍ୟର୍ଥତା ଯେଉଁ ପରିମାଣରେ ଫୁଟାଇ ପାରିଛି ଏବଂ ତହିଁରୁ ତଦ୍ଦେଶୀୟ ଜୀବନ ସମ୍ୱନ୍ଧରେ ଯେଉଁ ପରିଚୟ ମିଳେ, ସେଥି ସଙ୍ଗେ ଆମ୍ଭମାନଙ୍କର ଓଡ଼ିଆ ସାହିତ୍ୟ ଉତ୍କଳୀୟ କିମ୍ୱା ଭାରତୀୟ ସମାଜକୁ ଚିତ୍ରଣ କରିବାରେ କେତେଦୂର କୃତକାର୍ଯ୍ୟ ହୋଇପାରିଛି, ତାହା ଅବଶ୍ୟ ବିଚାର୍ଯ୍ୟ । ପୁଣି ସାହିତ୍ୟରେ ରୁଚିବିଚାର, ତାହାର ମୂଲ୍ୟନିର୍ଦ୍ଧାରଣ ତଥା ସାହିତ୍ୟ ସମ୍ୱନ୍ଧୀୟ ଆଇନକାନୁନଗୁଡ଼ିକର ସ୍ଥିରୀକରଣ ଲାଗି ପ୍ରତି ବିଭାଗର ତନ୍ନ ତନ୍ନ ବିଶ୍ଳେଷଣ ଆବଶ୍ୟକ ।

 

ଧର୍ମ ଓ ବିଜ୍ଞାନ

 

ସବୁଠାରୁ ପ୍ରାଚୀନ ବସ୍ତୁ ଧର୍ମ ସମ୍ୱନ୍ଧରେ ସୁଦ୍ଧା ଯେଉଁ ସକଳ ରଚନା ଆଜି ଦୃଷ୍ଟିଗୋଚର ହୋଇଥାଏ, ତାହାର ପ୍ରଭାବ, ପ୍ରତିପତ୍ତି ଓ ଆଧୁନିକ ରୂପ ତଥା ଉପାଦେୟତା ବିଚାର କରି ସାହିତ୍ୟର ଦିଗ ନିର୍ଣ୍ଣୟ କରିବାକୁ ହେବ । ପ୍ରଗତିଶୀଳ ଚିନ୍ତାଧାରା ଉପରେ ଜଡ଼ଦର୍ଶନ କିଭଳି ଶ୍ରେଷ୍ଠ ସ୍ଥାନ ଅଧିକାର କରିଛି ପୁଣି ଭାରତୀୟ ଦର୍ଶନ ସହିତ ତାହାର ମେଳ କିମ୍ୱା ଅମେଳ କେଉଁଠି, କେଉଁଠାରେ ତାହା ରକ୍ଷଣଶୀଳ ବା ପ୍ରଗତିଶୀଳ, ସେଗୁଡ଼ିକୁ ପୁଙ୍ଖାନୁପୁଙ୍ଖ ବିଚାର–ବିଶ୍ଳେଷଣ କରି ଦେଖିବାକୁ ହେବ ।

 

ସ୍ୱାଧୀନ ଭାରତକୁ ଧର୍ମନିରପେକ୍ଷ ରାଷ୍ଟ୍ର ରୂପେ ଅଭିହିତ କରିବାର ମୌଳିକ ତାତ୍ପର୍ଯ୍ୟ କ’ଣ, ମଠ–ଦେବୋତ୍ତରାଦିର ସଂସ୍କାର କେଉଁ ଦିଗରେ ଗତି କରୁଛି, ଧର୍ମ ପ୍ରତି ସାଧାରଣର ଆସ୍ଥା ବା ଅନାସ୍ଥା ଭାବ କେତେ ଦୂର ବଢ଼ିଚାଲିଛି, ସେହି ବିଷୟକ ରଚନ ଓ ଚିନ୍ତାଧାରାର ଆମୂଳଚୂଳ ପରୀକ୍ଷା କରିବାର ସମୟ ମଧ୍ୟ ଆଜି ଆସିଛ । କାରଣ ଯେତେ ପ୍ରାଚୀନ ଓ କ୍ଷୟିଷ୍ଣୁ ହେଲେ ହେଁ ଏବଂ ତାହାର ତ୍ରିୟାଚାର ଆଦି ଯେତେ ଅସ୍ୱୀକୃତ ବା ସ୍ଖଳିତ ହୋଇ ପଡ଼ୁଥିଲେହେଁ ଧର୍ମ ବା ନୈତିକତା ପ୍ରତି ମନୁଷ୍ୟର ସଂସ୍କାରଗତ ଆକର୍ଷଣ ଆଜି ମଧ୍ୟ ସମ୍ପୂର୍ଣ୍ଣରୂପେ ବିଲୁପ୍ତ ହୋଇନାହିଁ ।

 

ବିଜ୍ଞାନର ବିରାଟ ଆକ୍ରମଣ ଫଳରେ ଆଧ୍ୟାତ୍ମିକତାର ପ୍ରଭାବ ବହୁ ପରିମାଣରେ ଅବଶ୍ୟ ହ୍ରାସ ହୋଇପଡ଼ିଛି । ତଥାପି ତୁଳସୀ ରାମାୟଣୀ, କିମ୍ୱା ରାମକୃଷ୍ଣ ପରମହଂସଙ୍କ ସାହିତ୍ୟର ଆଲୋଚନା ଆଧୁନିକ ସମାଜରେ ନିତାନ୍ତ ହେୟ ନୁହେଁ ।

 

ରକ୍ଷଣଶୀଳତା ଓ ପ୍ରଗତିଶୀଳତା

 

ଐତିହାସିକ ଓ ରାଜନୈତିକ ସାହିତ୍ୟର ଅଭାବ ମଧ୍ୟ ଓଡ଼ିଆରେ ନାହିଁ । ଗାନ୍ଧି–ସାହିତ୍ୟର ଆଲୋଚନା ଆଜି ବହୁଳ ପରିମାଣରେ ଦେଖଯାଏ । ପୁଣି ବିଜ୍ଞାନ ବିଷୟକ କେତେ ଖଣ୍ଡି ପୁସ୍ତକ ମଧ୍ୟ ପ୍ରକାଶିତ ହୋଇଛି । ଆନ୍ତର୍ଜାତିକ ତଥା ଭାରତୀୟ ବିଭିନ୍ନ ସାହିତ୍ୟରୁ କେତେକ ଉପାଦେୟ ଗ୍ରନ୍ଥର ଅନୁବାଦ ସଙ୍ଗେ ଭ୍ରମଣବୃତ୍ତାନ୍ତ, ଜୀବନୀ କିମ୍ୱା ପ୍ରବନ୍ଧ ଓ ସମାଲୋଚନା–ସାହିତ୍ୟରେ ମଧ୍ୟ ଆମ୍ଭେମାନେ ଖୁବ୍‌ ପଶ୍ଚାତ୍‌ପଦ ନୋହୁଁ ।

 

ସେଥିମଧ୍ୟରେ କି ପରିମାଣରେ ରକ୍ଷଣଶୀଳ ବା ପ୍ରଗତିଶୀଳ ଭାବଧାରା ନିହିତ ଅଛି, ତାହା ଅନୁସନ୍ଧେୟ । ଅବଶ୍ୟ ରକ୍ଷଣଶୀଳତା ବା ପ୍ରଗତିଶୀଳତା ଭିତରେ ଦୋଷାଦୋଷ ଯେତେ ଅଛି, ସେଗୁଡ଼ିକର ବିଚାର ଓ ପରୀକ୍ଷା କରି କିଏ ପରିତ୍ୟାଜ୍ୟ ବା କିଏ ଗ୍ରହଣୀୟ, କିଏ ହିତ ବା ଅହିତ, ସେ ସମ୍ପର୍କରେ ବହୁ ମତଭେଦ ଅଛି । ସାହିତ୍ୟ ହିଁ ସେ ସକଳର ନିୟାମକ ହେବା ଉଚିତ । ସାହିତ୍ୟର ବିଭିନ୍ନ ବିଭାଗମାନ ଯେତେ ବେଶି ସୁପୁଷ୍ଟ ହେବ ଏବଂ ରଚନାର ସ୍ତର ଯେତିକି ଉନ୍ନତ ହେବ, ସେହି ଅନୁପାତରେ ମତାମତର ମୂଲ୍ୟ ବୃଦ୍ଧି ଘଟିବ ବୋଲି ଆଶା ହୁଏ ।

 

ସମାଜକୁ ରକ୍ଷଣଶୀଳ ବା ସ୍ଥିତିଶୀଳ କରି ରଖିବା ଦିଗରେ ଯେଉଁ ସାହିତ୍ୟ ସହାୟକ ହୁଏ, ସାଧାରଣତଃ ତାହାକୁ ରକ୍ଷଣଶୀଳ ସାହିତ୍ୟ ବୋଲାଯାଇଥାଏ । ରକ୍ଷଣଶୀଳତା ସଙ୍ଗେ ସମାଜର ସ୍ୱାଭାବିକ ବିକାଶ ଜଡ଼ିତ ହୋଇ ରହେ । ଅନ୍ୟ ପକ୍ଷରେ ପ୍ରଗତି ସହିତ ବିପ୍ଳବବାଦର ସେଇଭଳି ସମ୍ପର୍କ ପ୍ରତିଷ୍ଠିତ । ବିକାଶ କିମ୍ୱା ବିପ୍ଳବ ହେଲା, ପ୍ରକୃତିକ ଋତୁପର୍ଯ୍ୟାୟ ଓ ପ୍ରାତ୍ୟହିକ ଦିବାନିଶି ପ୍ରଦୋଷଉଷାର ନିୟମବଦ୍ଧ ପରିବର୍ତ୍ତନ ମଧ୍ୟରେ ଝଡ଼ତୋଫାନ ବା ଭୂମିକମ୍ପ ଭଳି ଏକ ସାମାଜିକ ଆଲୋଡ଼ନ ମାତ୍ର–ପ୍ରାଚୀନଯୁଗରୁ ପ୍ରଚଳିତ କ୍ଷୁଦ୍ର କ୍ଷୁଦ୍ର ସାମାଜିକ ବିଦ୍ରୋହର ଏକ ଐତିହାସିକ ସମଷ୍ଟିଗତ ପରିଣତି ।

 

ବିକାଶ ଓ ବିପ୍ଳବ

 

ଅତୀତରେ ଧର୍ମ ଆନ୍ଦୋଳନ ଭଳି ତାହା ସ୍ଥାନରେ ରାଜନୀତି ବା ଅର୍ଥନୀତିର ପ୍ରଭାବ ଆଜି ଅଧିକ ଅନୁଭୂତ ହୁଏ । ସେଇଭଳି ଅତୀତରେ ଶ୍ରୀମଦ୍‌ଭଗବତ୍‌ଗୀତା ବର୍ଣ୍ଣିତ ‘ଧର୍ମକ୍ଷେତ୍ର’ ରୂପେ ପରିଗଣିତ ଯୁଦ୍ଧକ୍ଷେତ୍ରର ଆଧୁନିକ ରୂପ ବିଦ୍ରୋହ କିମ୍ୱା ବିପ୍ଳବ ନାମରେ ଅଭିହିତ ହୋଇଛି-। ବ୍ୟକ୍ତିଗତ, ପାରିବାରିକ ବା ସାମାଜିକ ଜୀବନରେ ମନୁଷ୍ୟ ଯାହାକୁ ଅନ୍ୟାୟ ଅନଧିକାର ବୋଲି ଜ୍ଞାନ କରେ, ତାହା ବିରୁଦ୍ଧରେ ସେ ବିଦ୍ରୋହ କରିଉଠେ । ଶରବିଦ୍ଧ ତ୍ରୌଞ୍ଚ ମିଥୁନକୁ ଦେଖି, ସେଇ ବିଦ୍ରୋହ ଆଦିକବିଙ୍କ କଣ୍ଠରେ ପ୍ରଥମ ଛନ୍ଦୋଦେଗ ଜନ୍ମାଇଥିବାର ଆଖ୍ୟାୟିକା ଆମ୍ଭମାନଙ୍କ ନିକଟରେ ସୁପରିଚିତ । ପୁଣି ବିଶ୍ୱପ୍ରକୃତିର ଅଦ୍ଭୁତ ବୈଚିତ୍ର୍ୟ କବିଚିତକୁ ଆଘାତ ଓ ଉତ୍ପାଡ଼ନ କରି ଯୁଗେ ଯୁଗେ ନବ ନବ ଛନ୍ଦ ଓ ରସ ସୃଷ୍ଟି କରିଥାଏ ।

 

ବ୍ୟକ୍ତିଗତ ଜୀବନରେ ଦୈନନ୍ଦିନ ଘଟୁଥିବା ବିପ୍ଳବ ବା ଦ୍ୱନ୍ଦ୍ୱ ସହିତ, ପରସ୍ପର ବିରୋଧୀ ଯେଉଁ ସକଳ ଚିନ୍ତାର ସଂଘର୍ଷ ଦେଖାଦିଏ, ତାହାକୁ ହିଁ ସମଷ୍ଟି ଚିନ୍ତା ଓ ଅନୁଭୂତିର ପ୍ରକାଶ ବୋଲିବାକୁ ହେବ । ପୁଣି ଏହି ଦ୍ୱନ୍ଦ୍ୱ ବା ସଂଘର୍ଷ ଫଳରେ ଜୀବନର ବିକାଶ ସାଧିତ ହେଉଥିବାରୁ ତାହାକୁ ମାନବିକ ପରିଣତିର ଅପରିହାର୍ଯ୍ୟ ଅଙ୍ଗ କୁହାଯାଏ । ଶୀତ, ବସନ୍ତ ଓ ପ୍ରଦୋଷ ଉଷା ପରି ବିପ୍ଳବ କିମ୍ୱା ବିକାଶ ଗୋଟିଏ ନିରବଚ୍ଛିନ୍ନ ସୂତ୍ରରେ ଗ୍ରଥିତ । ରକ୍ଷଣ କିମ୍ୱା ପ୍ରଗତିଶୀଳତାକୁ ସେହି କାରଣରୁ ପରସ୍ପରଠାରୁ ସମ୍ପୂର୍ଣ୍ଣରୂପେ ବିଚ୍ଛିନ୍ନ କରିହେବ ନାହିଁ ।

 

ସାଲିସ୍ ସହଯୋଗ

 

ଉଗ୍ର ପ୍ରଗତିପନ୍ଥୀମାନେ ଅବଶ୍ୟ ପ୍ରାଚୀନ ପରମ୍ପରା ଓ ରକ୍ଷଣଶୀଳତାକୁ ସମୂଳ ଅସ୍ୱୀକାର କରିବାକୁ ଲୋଡ଼ନ୍ତି । ଜନ୍ମ ପରେ ବିଭିନ୍ନ ଅବସ୍ଥାପ୍ରାପ୍ତ ହୋଇ ଶେଷରେ ମୃତ୍ୟୁମୁଖରେ ପଡ଼ିବା କିମ୍ୱା ଅବସ୍ଥାନ୍ତର ପ୍ରାପ୍ତ ହେବା ଯେପରି ସମସ୍ତ ଜୀବ ସୃଷ୍ଟି ଓ ଉଦ୍ଭିଦ ସୃଷ୍ଟିର ନିୟମ, ପ୍ରାଚୀନ ପରେ ନବୀନ ବା ସ୍ଥିତି ପରେ ପ୍ରଗତି କିମ୍ୱା ପ୍ରଳୟର ଆବିର୍ଭାବ ସେହିପରି ନିୟମର ବଶୀଭୂତ ବୋଲି ସେମାନଙ୍କର ବିଶ୍ୱାସ । ମୃତ୍ୟୁ ପରେ ପୁନର୍ଜନ୍ମ ଘଟିପାରେ, କିନ୍ତୁ ମୃତ୍ୟୁ ମୁଖକୁ ଫେରିଯିବା ଜୀବନର କଦାପି ଧର୍ମ ନୁହେଁ । ଆଲୋକ ଓ ଅନ୍ଧକାର ମଧ୍ୟରେ ଯେଉଁ ପ୍ରତ୍ୟେକ୍ଷ ପ୍ରଭେଦ ବିଦ୍ୟମାନ, ପ୍ରାଚୀନ ଓ ଆଧୁନିକ କେବଳ ସେହି ନିୟମର ଅନୁବର୍ତ୍ତୀ । ଆଲୋକ ଓ ଅନ୍ଧକାର ଭଳି ସେ ଦୁହିଙ୍କ ମଧ୍ୟରେ ସାଲିସ କିମ୍ୱା ସହଯୋଗର ସ୍ଥାନ ନାହିଁ ବୋଲି ବୈପ୍ଳବିକ ଚିନ୍ତାଧାରା ଦାବି କରେ ।

 

ଅନ୍ୟପକ୍ଷରେ ରକ୍ଷଣଶୀଳତାର ଯୁକ୍ତି ହେଉଛି, ଯେତେ ବିକାଶ ବିପ୍ଳବ ବା ପ୍ରଗତିପନ୍ଥୀ ହେଲେ ମଧ୍ୟ ବିନା ସାଲିସରେ ବ୍ୟକ୍ତି ବା ସମାଜ ତିଷ୍ଠି ରହିବା ଅସମ୍ଭବ–କେବଳ ଦିବସ, କେବଳ ଆଲୋକ ବା କେବଳ ବସନ୍ତକୁ ଘେନି ବିଶ୍ୱପ୍ରକୃତି ଯେପରି ତିଷ୍ଠି ରହିନପାରେ । ପ୍ରାଚୀନ–ନବୀନର ସକଳ ଦ୍ୱନ୍ଦ୍ୱବିରୋଧିତା ମଧ୍ୟରେ ସାଲିସ–ସହଯୋଗର ପଦେ ପଦେ ଆବଶ୍ୟକତା ରହିଛି । ବିନା ସାଲିସରେ ଦୁନିଆରେ ଚଳିବାକୁ ହେଲେ ମନୁଷ୍ୟକୁ ହୁଏତ ସନ୍ନ୍ୟାସ କିମ୍ୱା ଆତ୍ମହତ୍ୟା କରିବା ଛଡ଼ା ଅନ୍ୟ ଉପାୟ ମିଳିବନାହିଁ ।

 

ପ୍ରଗତିର ଗତି

 

ପ୍ରଗତିଶୀଳତା ହିଁ ସାହିତ୍ୟର ଧର୍ମ ହେବାରୁ ପ୍ରକୃତ ପ୍ରଗତି ଓ ପଶ୍ଚାଦ୍‌ ଗତିର ସୂକ୍ଷ୍ମ ପ୍ରଭେଦ ବୁଝାଇଦେବାକୁ ତାହା ସମର୍ଥ; କାରଣ ଅନେକ କ୍ଷେତ୍ରରେ ପ୍ରଗତିର କଦର୍ଥ କରାଯାଇ ତାହାକୁ ପଶ୍ଚାଦ୍‍ଦିଗର ପ୍ରଗତିରେ ପରିଣତ କରାହୁଏ । ପୁଣି ପ୍ରଗତିର ଦ୍ୱାହି ଦେଇ ଯେଉଁ ପରିମାଣ କରୁଚି, କୁଭାଷା ଓ ଲଘୁପ୍ରୟୋଗ ସାହିତ୍ୟରେ ସ୍ଥାନ ପାଏ । ତାହାକୁ ପଶ୍ଚାଦ୍‌ଗତି ନ କହି ବରଂ ଦୁର୍ଗତି କହିବାର ଯଥେଷ୍ଟ କାରଣ ଅଛି । ତାହାଦ୍ୱାରା ସାହିତ୍ୟର ଗୁରୁତ୍ୱ ଓ ମହତ୍ୱ ନଷ୍ଟ ହୋଇ ସମାଜକୁ ହୀନ ଓ କଦର୍ଯ୍ୟ ପ୍ରତିପନ୍ନ କରାଏ ମାତ୍ର ।

 

ଦୁଃଖର କଥା, ଓଡ଼ିଆ ସାହିତ୍ୟରେ ଏହି ଶ୍ରେଣୀୟ ପ୍ରଗତିର ମାତ୍ରା ବୋଧହୁଏ ସର୍ବାଧିକ । ଲେଖି ନ ଜାଣି ଲେଖକ ବୋଲାଇବା, ପୁଣି ଭାଷା ନ ଶିଖି ସାହିତ୍ୟିକ ବୋଲାଇବା ଯେପରି କି ଆଜିକାଲି ପ୍ରଗତିଶୀଳତାର ଲକ୍ଷଣ ହୋଇପଡ଼ିଚି । ପୂର୍ବେ ତ ହେଲେ ଅକବିମାନେ ପଦଯୋଡ଼ି ପଦ୍ୟ ଲେଖୁଥିଲେ; ଏବେ କିନ୍ତୁ ପଦ ନ ଯୋଡ଼ି ଗଦ୍ୟ କବିତାର ଯେଉଁ ପ୍ରଗତି ଦେଖାଦେଇଛି, ତାହା ଫଳରେ କବି ହେବାର ସୁଯୋଗ ଅନ୍ତତଃ ପ୍ରତି ଶିକ୍ଷିତ ବ୍ୟକ୍ତିଙ୍କୁ ଜୁଟିଲା ପରି ମନେହୁଏ ।

 

ଅନ୍ତିମ ଆଶା

 

ଅଧିକାଂଶ କ୍ଷୁଦ୍ର ଗଳ୍ପ ବା କବିତାରେ ନଶ୍ଚେଷ୍ଟ, ନିର୍ବାର୍ଯ୍ୟ ଓ ରୁଗ୍‌ଣ ମନର ଯେଉଁ ପରିଚୟ ମିଳିଥାଏ, ତାହା ସମାଜିକ ଜୀବନକୁ କିଭଳି ନୀଚ, କୁତ୍ସିତ ଓ କଦର୍ଯ୍ୟ କରି ପକାଉଛି ଏବଂ ପ୍ରଗତି ବଦଳରେ ଜାତୀୟ ଅଧୋଗତିର ସହାୟକ ହେଉଛି, ଟିକିଏ ଧ୍ୟାନ ଦେଲେ ସହଜରେ ବୁଝିହୁଏ । ଅଧିକାଂଶ ଉପନ୍ୟାସ କେବଳ ପୃଷ୍ଠାଗଣତିର ସାମଗ୍ରୀ ହୋଇପଡ଼ିଛି । ହୁଏତ ତହିଁରେ ଭାଷା ଅଛି ଅନେକ, କିନ୍ତୁ ବିଷୟ ନାହିଁ କି ଚିନ୍ତା ନାହିଁ । ପୁଣି ଭାଷା ଉପାଦାନ କିମ୍ୱା ଚିନ୍ତା ନ ଥାଇ ଯେତେ ସଂଖ୍ୟକ ଉପନ୍ୟାସ ପ୍ରକାଶିତ ହେଉଛି, ତାହା ଦେଖିଲେ ଆଶ୍ଚର୍ଯ୍ୟ ଲାଗେ । ଆବର୍ଜନାର ସ୍ତୁପ ବଢ଼ି ଚାଲିବାକୁ ଉତ୍ସାହ ମଧ୍ୟ ମିଳୁଛି ପ୍ରାୟ ସବୁ ଦିଗରୁ ।

 

ପ୍ରତ୍ୟକ୍ଷରେ ହେଉ ବା ଅତର୍କିତ ଭାବରେ ହେଉ, ବିଚାର କରି ହେଉ ବା ନିର୍ବିଚାରରେ ହେଉ, ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଏଇ କଳାବଜାର କାରବାରର ସମର୍ଥନ କେତେ କାଳ ଧରି ଚାଲୁ ରହିବ, କେତେ କାଳ ଧରି ଏ ଜାତି ଦୁର୍ବଳରୁ ଦୁର୍ବଳତର ହୋଇପଡ଼ୁଥିବ, ତାହା ଗଣନା କରିବା ସହଜ ନୁହେଁ । ତଥାପି ଏଇ ଘୋର ଦୁର୍ଦ୍ଦିନରେ ମଧ୍ୟେ ମଧ୍ୟେ କିଛି ସତ୍‌ଚିନ୍ତା ଓ ସଦୁଦ୍ୟମର ସୂଚନା ଦେଖିଲେ ମନରେ ଆଶାର ସଞ୍ଚାର ହୁଏ । ଯେତେ ସାମାନ୍ୟ ହେଲେହେଁ ତାହାରି ଜୋରରେ ହିଁ ଓଡ଼ିଆ ସାହିତ୍ୟ ଆଜି ବଞ୍ଚି ରହିଛି ।

Image

 

ଗଣ ଉଦ୍‌ବୋଧନ

 

ଆଧୁନିକ ଜୀବନ କିମ୍ୱା ଆଧୁନିକ ସମାଜ ବୋଇଲେ ଏକ ମୁଷ୍ଟିମେୟ ନଗଣ୍ୟ ସମଷ୍ଟିକୁ ବୁଝାଉଥିବାରୁ ଆଧୁନିକ ସାହିତ୍ୟର ପରିସର ମଧ୍ୟ ସେଇଭଳି ସଂକୀର୍ଣ୍ଣ ହୋଇପଡ଼ିଛି କହିଲେ ଏକାବେଳକେ ଠିକ୍ ହେବନାହିଁ । କାରଣ ଆଧୁନିକ ଦୃଷ୍ଟି କୋଣରୁ ସମଗ୍ର ସମାଜକୁ ପର୍ଯ୍ୟବେକ୍ଷଣ ଓ ଚିତ୍ରଣ କରିବାର ଶକ୍ତି ଲେଖକମାନେ ହରାଇନାହାନ୍ତି । କେବଳ ଏକ ତୁମୂଳ ସାମାଜିକ ପରିବର୍ତ୍ତନ ଓ ଅସ୍ଥିରତା ମଧ୍ୟରେ ଦୋଳାୟିତ ହୋଇ ଜୀବନାଦର୍ଶର କୌଣସି ସ୍ଥିର ସିଦ୍ଧାନ୍ତରେ ଉପନୀତ ହେବା ସମ୍ଭବପର ନହେବାରୁ ସାହିତ୍ୟ କ୍ଷେତ୍ରରେ ଶିଥିଳତା ବା ପଙ୍ଗୁତା ଅନୁଭୂତ ହୋଇଥାଏ ।

 

ଜନତାର ରୂପ

 

ସମଗ୍ର ସମାଜ ବୋଇଲେ ଯେଉଁ ଜନତା ଚକ୍ଷୁ ସମକ୍ଷରେ ପଡ଼େ, ତାହାର ଶିକ୍ଷା, ଦୀକ୍ଷା, ଧର୍ମ, କର୍ମ ଓ ମନସ୍ତତ୍ତ୍ୱ ସମ୍ୱନ୍ଧରେ ବିଭିନ୍ନ ଦେଶର ସାହିତ୍ୟରେ ବିସ୍ତାର ଆଲୋଚନା ହୋଇଛି । ମୁହୁର୍ମୁହୁଃ ସେହି ଜନତାର ବିଶ୍ୱାସ ଓ ଚିନ୍ତା ପରିବର୍ତ୍ତିତ ହୁଏ, ତାହାର ରୁଚି ଓ ମତାମତ ସଦା ଅନିଶ୍ଚିତ । ପରସ୍ପରର ସ୍ୱାର୍ଥ କିମ୍ୱା ସାଧାରଣ ସ୍ୱାର୍ଥପ୍ରତି ଉଦାର ମନୋଭାବ ପୋଷଣ କରିବାର ଶିକ୍ଷା ସେମାନଙ୍କ ମଧ୍ୟରେ ଅତ୍ୟଳ୍ପ ମାତ୍ର । ସେହି କାରଣରୁ ସାହିତ୍ୟର କଥାବସ୍ତୁ ହେବାଲାଗି ସେମାନଙ୍କ ମଧ୍ୟରେ ଅସଂଖ୍ୟ ଉପାଦାନ ନିହିତ ଅଛି । ଜୀବ–ସମୁଦ୍ରରେ ଭାସମାନ ପ୍ରତି ମାନବ–ବୁଦବୁଦର ଜନ୍ମ ମରଣ ଓ ଜୀବନର ଯେଉଁ ଅଦ୍ଭୁତ ଇତିହାସ କେତେ ବିଚିତ୍ର ଭାଗ୍ୟ ଗଠନ କରେ, ସେ ସକଳ ରହସ୍ୟ ଉଦ୍‍ଘାଟିତ ହୋଇଥାଏ ସାହିତ୍ୟ ଜରିଆରେ । ସାହିତ୍ୟହି ଅଖଣ୍ଡିତ ବିଶ୍ୱ–ରହସ୍ୟର ଶ୍ରେଷ୍ଠ ପରିଚୟକ, ପୁଣି ମନସ୍ତାତ୍ତ୍ୱିକ ଅପେକ୍ଷା ମାନବ ଚରିତ୍ରର ଶ୍ରେଷ୍ଠତର ଗବେଶକ; ଦଶକାଳପାତ୍ରର ପ୍ରଧାନ ବିଚାରକ ଏବଂ ସକଳ ବସ୍ତୁର ମୂଲ୍ୟ–ନିର୍ଦ୍ଧାରକ ।

 

ସାହିତ୍ୟର ମାନଦଣ୍ଡରେ ଜନତାର ରୂପ କେତେବେଳେ କୁତ୍ସିତ ବିକଳ ଓ ବୀଭତ୍ସ ହୋଇପଡ଼ିଛି, ଆଉ କେବେ ମହତ୍‌ ଉଦାର ସୁନ୍ଦର ଓ ଶୁଭଗ ହୋଇ ଦେଖାଦେଇଛି । ତାହାର ଜାଗରଣ କେବେ ରକ୍ତ–ତୋଫାନ ତୋଳି ଧରଣୀକୁ ରୁଧିକପ୍ଳାବିତ କରେ, ପୁଣି ଅବା ବସନ୍ତର ମନ୍ଦ ହିଳ୍ଲୋଳରେ ଧନଧାନ୍ୟ ପୁଷ୍ପଭରା କରି ଗଢ଼େ; କେବେ ତାହା ମୁକ୍ତିର ନିଶାଣଧାରୀ, ଆଉ କେବେ ଦାସତ୍ୱର ଶ୍ରେଷ୍ଠ ପ୍ରହରୀ । କୁମ୍ଭମେଳାର ଯାତ୍ରୀଭଳି ଅଜ୍ଞାନ ଓ ଅନ୍ଧହୋଇ ନିଜକୁ ତାହା ଦଳନ କରେ ଅଦୃଶ୍ୟ ମୁକ୍ତିର ଆଶାୟୀ ହୋଇ, ଆଉ କେବେ ସୁଦୃଶ୍ୟ କୀର୍ତ୍ତି ରଖିଯାଏ କୋଣାର୍କ ତାଜମହଲରେ ଅଥବା ନବ ନବ ନଗର ପଥ ଓ ଯନ୍ତ୍ରଶିଳ୍ପର ନିର୍ମାଣରେ ।

 

ନିର୍ମାଣ ଓ ଧ୍ୱଂସ

 

ଅହରହ ଜନତାର ଏହି ନିର୍ମାଣ ଓ ଧ୍ୱଂସକ୍ରିୟା ପ୍ରତିବିମ୍ୱିତ ହୁଏ ସାହିତ୍ୟରେ । ସାହିତ୍ୟର ବହୁଧା ଗୁଣରାଶି ମଧ୍ୟରେ କେବେ ତାହ ବିଶ୍ୱବୈଚିତ୍ର୍ୟରେ ବିମୁଗ୍‌ଧ, ବିସ୍ମିତ, ନିଷ୍କ୍ରିୟ, ନିଶ୍ଚେଷ୍ଟ ଓ ନିରପେକ୍ଷ ଦ୍ରଷ୍ଟା ମାତ୍ର । ‘ଅହନ୍ୟହନି ଭୂତାନି ମଚ୍ଛନ୍ତି ଯମ ମନ୍ଦିରଂ’ ଦେଖି ସେ ଆଶ୍ଚର୍ଯ୍ୟ ହୁଏ, ଆଉ କେବେ ଧର୍ମାଧର୍ମର ବିଚାରକରୂପେ ‘ଯୁଦ୍ଧାୟ କୃତନିଶ୍ଚୟଃ’ ବୋଲି ଶୁଣାଇଦିଏ ପରମ ଉତ୍ତେଜକ ବାଣୀ । ନିଷ୍କ୍ରିୟ କ୍ଳୀବ ଜଡ଼ସମାଜକୁ କ୍ରିୟାଶୀଳ ବଳିଷ୍ଠ ଜୀବନ୍ତ ହେବାପାଇଁ ବଢ଼ାଇଦିଏ ଅବିଚନିତ ସର୍ଶନ । ସଂଶୟ, ଦୁର୍ବଳତା ଓ ଅଜ୍ଞତାର ଅଶେଷ ଧ୍ୱଂସମୁଖରୁ ସମାଜକୁ ଉଦ୍ଧାରକରି ସୃଷ୍ଟିର ବିଜୟ ଘୋଷଣା ତାହାର ଧର୍ମ ।

 

ଯୁଗେ ଯୁଗେ ନୂତନ ନେତୃତ୍ୱ ସୃଷ୍ଟି କରି ସତ୍‌, ନ୍ୟାୟ ଓ କଲ୍ୟାଣ ପଥର ପ୍ରଦର୍ଶକ ସେ ହୋଇପାରିଛି । କର୍ମୀ, କୃଷକ, ଶିଳ୍ପୀ, ଶ୍ରମିକ ଏବଂ ସୈନିକମାନଙ୍କୁ ଉଦ୍‌ବୋଧନ ଦେବାହିଁ ସାହିତ୍ୟର ମହାନ୍‌ କର୍ତ୍ତବ୍ୟ ହୋଇଆସିଛି । ଆଜି ମଧ୍ୟ ସେହି ପ୍ରାଚୀନ ଆଦର୍ଶ ନୂତନ ସମାଜ ଗଠନରେ ସହାୟକ ହେବାର ଦେଖାଯାଏ । ଆଜି ମଧ୍ୟ ନୂତନ ଚୀନ ଓ ରୁଷର ଆଧୁନିକ ସାହିତ୍ୟର ସେହି ଶ୍ରେଷ୍ଠ ପ୍ରାଚୀନରୁହିଁ କେବଳ ନବୀନ ବେଶରେ ପ୍ରକଟିତ ।

 

କର୍ମ, କୃଷକ, ସୈନିକ

 

ସାହିତ୍ୟ ଯେଉଁ ସମାଜକୁ ସେବା କରେ, ତାହାର ମୂଳପିଣ୍ଡ ଗଠିତ ହୁଏ କର୍ମୀ, ଶ୍ରମିକ, କୃଷକ ଓ ସୈନିକମାନଙ୍କଦ୍ୱାରା । ସେଇମାନଙ୍କଠାରୁ ହିଁ ସାହିତ୍ୟର ପ୍ରଧାନ ଆଦର୍ଶ ଓ ଆରାଧ୍ୟ । ସେଥିଲାଗି କବି ଏବଂ ଶିଳ୍ପୀମାନେ ତାଙ୍କ ସହିତ ପରିଚିତ ବା ମିଳିତ ହେବା ଆବଶ୍ୟକ । ତାଙ୍କର ବିପୁଳ ଶ୍ରମ ଓ ଘର୍ମର ମୂଲ୍ୟ ବା ମର୍ଯ୍ୟାଦା ହୃଦୟଙ୍ଗମ କରିବା ଉଚିତ ।

 

ଯେଉଁଠାରେ କାଠୁରିଆ କାଠ ହାଣେ, ମୂଲିଆ ପଥ ନିର୍ମାଣ କରେ; ନିଦାଘ ବର୍ଷାକୁ ଭୂଷଣ କରି, ସୈନିକ ଯେଉଁଠି ଦେଶରକ୍ଷା ଲାଗି ଜୀବନ ମୂର୍ଚ୍ଛି ଦିଏ; କୃଷକ ଯେଉଁଠି ଖାଦ୍ୟ ଉତ୍ପନ୍ନ କରେ ବା କାରଖାନାର ଶ୍ରମିକ ଉତ୍ତପ୍ତ ଲୌହ ପାର୍ଶ୍ୱରେ ନିଜ ଶରୀରକୁ ଦଗ୍‌ଧ କରେ; କବି କିମ୍ୱା ଶିଳ୍ପୀ ମଧ୍ୟ ଆପଣାକୁ ସେହି ଶ୍ରେଣୀୟ କର୍ମୀ ବୋଲି ବିଚାରିବା ଲୋଡ଼ା ଏବଂ ସେହିମାନଙ୍କ ପାଖକୁ ଓହ୍ଲାଇ ଆସି ତାଙ୍କ ସହିତ ଯୁକ୍ତ ନ ହେଲେ କବିର କବିତା ବା ଶିଳ୍ପୀର ଶିଳ୍ପ ଜନସାଧାରଣର ସମ୍ପତ୍ତି ହୋଇପାରେ ନାହିଁ । ସେଥିଲାଗି ବିଭିନ୍ନ ଦେଶର କବି ଓ ଶିଳ୍ପୀମାନେ ଯୁଦ୍ଧକ୍ଷେତ୍ରରେ, କୃଷିକ୍ଷେତ୍ରରେ ବା କାରଖାନାରେ ସାଧାରଣ କର୍ମୀ ସୈନିକ ସହିତ ସହଯୋଗ କରିବାର ଦେଖାଯାଏ । ସେହିମାନଙ୍କ ସମସ୍ୟା ଓ ଅଭାବ ପାଇଁ ଲଢ଼ି ନାନା ବିପଦ ବରଣ କରିବାର ଉଦାହରଣ କବି ଜୀବନରେ ଅଭାବ ନାହିଁ ।

 

କିମ୍ଭୂତ ଜୀବନ

 

ସେକ୍‌ସପିଅର ବା କାଳିଦାସଙ୍କ ପୂର୍ବରୁ କିମ୍ବା ପରେ କ୍ଷୁଦ୍ର ବୃହତ୍‌, ବିଖ୍ୟାତ ଅଖ୍ୟାତ ଯେତେ କବିଙ୍କର ଆବିର୍ଭାବ ହୋଇଛି, ସେମାନଙ୍କର ଜୀବନୀ ଆଲୋଚନା କଲେ ତାହା ବାସ୍ତବିକ କିମ୍ଭୂତକିମାକାର ବୋଧହୁଏ । ତାହା ଯେତିକି ଦୁଃଖ ବିପଦପୂର୍ଣ୍ଣ, ସେତିକି ଅସାଧାରଣ ମଧ୍ୟ । ରାଷ୍ଟ୍ର କିମ୍ବା ସମାଜ ସହିତ ତାହାର ଯୋଗ ଯେତିକି ପ୍ରଗାଢ଼ ଓ ପ୍ରବଳ, ବିୟୋଗର ମାତ୍ରା ମଧ୍ୟ ତହିଁରୁ ଊଣା ନୁହେଁ । ସମାଜକୁ ଦୃଢ଼ ବା ଶକ୍ତିଶାଳୀ କରିବା ତାହାର ଏକମାତ୍ର ବ୍ରତ ହେଲେହେଁ ନିଜପାଇଁ ସେଠାରେ ତାହାକୁ ସ୍ଥାନ ମିଳେ ନାହିଁ । କାରଣ ବହୁ କ୍ଷେତ୍ରରେ ସେ ନିଜେ ବୋଧହୁଏ ନିଜର ବିରୋଧୀ ହୋଇପଡ଼େ । ମନଗଢ଼ା ନୀତି ତାହା ପକ୍ଷରେ ଅନୀତି ବୋଲି ବିବେଚିତ ହୁଏ ଓ ନାନା ସ୍ଥଳରେ ଆଇନକୁ ବେଆଇନ ବିଚାରି ସେ ତାହାର ବଶବର୍ତ୍ତୀ ହୋଇପାରେ ନାହିଁ । ନିଜ ମଧ୍ୟରେ ପରସ୍ପର ବିରୋଧୀ ଭାବଧାରାର ଯେଉଁ ସଂଘର୍ଷ ସେ ଅନୁଭବ କରେ, ତାହାହିଁ ସାହିତ୍ୟ ସୃଷ୍ଟିର ଅନୁକୂଳ ହୋଇଥାଏ । ପ୍ରାଚୀନ ନବୀନ ବା ବିଗତ ଆଗତର ଦ୍ୱନ୍ଦ୍ୱ ମଧ୍ୟରେ ହିଁ ପ୍ରତି କବି ବା ଶିଳ୍ପୀର ଜୀବନ ଗଠିତ । ବ୍ୟକ୍ତିଗତ ଅନ୍ତର୍ନିହିତ ଦ୍ୱନ୍ଦ୍ୱଗୁଡ଼ିକୁ ସାମାଜିକ ଜୀବନରେ ଲକ୍ଷ୍ୟ କରି ସେ ଯେଉଁ ଆତ୍ମସମାଲୋଚନାରେ ପ୍ରବୃତ୍ତ ହୁଏ, ତାହାହିଁ ସାହିତ୍ୟ ରୂପରେ କବି ଜୀବନର ବହିଃ ପ୍ରକାଶ ଭାବରେ ଗୃହୀତ ହୋଇଥାଏ ।

Image

 

ହିତ ସହିତ

 

ଆଜି ଆମେ ପ୍ରଗତିଶୀଳ ଶବ୍ଦଟିକୁ ଯେତେ ବେଶି ଉଚ୍ଚାରଣ କଲେ ମଧ୍ୟ ପୁଣି ବିଭିନ୍ନ ଉନ୍ନତ ଦେଶର ସାହିତ୍ୟରେ ସେହି ସମାଜର ପ୍ରତିବିମ୍ବ ଦେଖି ଏବଂ ସେଥିରୁ ହିଁ ପ୍ରଗତିଶୀଳତାର ରୂପ ଗୁଣ ବୁଝିପାରି ନିଜ ଦେଶରେ ସେଇଭଳି ସମାଜ ଓ ସେଇଭଳି ସାହିତ୍ୟର ସ୍ୱପ୍ନ ଦେଖିଲେ ମଧ୍ୟ ଅନେକ ସମୟରେ ତାହା କେବଳ ଆତ୍ମପ୍ରବଞ୍ଚନା ଓ ଅବାସ୍ତବ କଳ୍ପନା ପରି ପ୍ରତୀୟମାନ ହୋଇଥାଏ । କେବଳ ଏକ ସ୍ୱପ୍ନ ଓ ‘ମନବୋଧ ଚଉତିଶା’ ଛଡ଼ା ତାହାର ପ୍ରକୃତ ରୂପରେଖ ନିଜ ଦେଶରେ ନାହିଁ ।

 

ହିତ ସହିତ ସାହିତ୍ୟ

 

ସମାଜର ହିତ ସହିତ ଗତି କରିବା ସାହିତ୍ୟର ଧର୍ମ ହୋଇଥିବାରୁ ଅହିତକୁ ପ୍ରତିରୋଧ କରିବା ମଧ୍ୟ ସେହିପରି ତା’ର ଧର୍ମ । ସମୂହ କଲ୍ୟାଣ ଲାଗି ‘ଲୋକାଃ ସମସ୍ତାଃ ସୁଖିନୋ ଭବନ୍ତୁ’ ଏବଂ ‘ସର୍ବମଙ୍ଗଳ ମାଙ୍ଗଲ୍ୟଂ’ ଭଳି ମାଙ୍ଗଳିକ ବୋଲିବା ସଙ୍ଗେ ସଙ୍ଗେ ‘ଦୈବଂ ନିହତ୍ୟ କୁରୁ ପୌରୁଷମତ୍ମଶକ୍ତ୍ୟା’ ବାଣୀଦ୍ୱାରା ଅମଙ୍ଗଳ ଅନ୍ଧବିଶ୍ୱାସ ଓ ଅନ୍ୟାୟର ପ୍ରତିବାଦ କରିବାକୁ କୌଣସି ଯୁଗରେ ସାହିତ୍ୟ ପଶ୍ଚାତ୍‌ପଦ ହୋଇନାହିଁ; ପ୍ରାଚୀନ ବୈଦିକ ମନ୍ତ୍ରରେ ସୁଦ୍ଧା ଏହି ପ୍ରତିବାଦ ଘୋଷିତ ହୋଇଛି ।

 

‘‘ଓଁ ଆରିଖ କିକିରା କୃଣୁ

ପଣୀନାଂ ହୃଦୟା କବେ

ଅଥେମସ୍ମଭ୍ୟଂ ରନ୍ଧୟ ।’’

 

(ଋଗ୍‌ବେଦ ସଂ ୬ଷ୍ଠ ମଣ୍ଡଳ, ୫ମ ଅନୁବାଦ, ୫୩ ସୃକ୍ତ)

 

‘ହେ କବି ! ଯେଉଁମାନେ ଅନ୍ୟାୟୀ, ଅତ୍ୟାଚାରୀ, ପରଧନଲୋଭୀ, ତସ୍କର ସେମାନଙ୍କ ହୃଦୟକୁ ବିଦୀର୍ଣ୍ଣ କରି ଶିଥିଳ ଓ ସହାନୁଭୂତିଶୀଳ କର ଏବଂ ଆମ୍ଭମାନଙ୍କ କଲ୍ୟାଣ ଲାଗି ତାଙ୍କୁ ଆମର ବଶୀଭୂତ କର ।’

 

ଯେଉଁ ସ୍ୱାର୍ଥାନ୍ୱେଷୀମାନେ ସମୂହ କଲ୍ୟାଣକୁ ସ୍ୱୀକାର କରନ୍ତି ନାହିଁ, ସେହିମାନଙ୍କର ବିଚାର ଓ ଦଣ୍ଡବିଧାନ ଲାଗି ସାହିତ୍ୟର ଜନ୍ମ । ତେଣୁ ତାହା କେବଳ ଜଗତର ମଙ୍ଗଳ କାମନା କରି କେବଳ ନିଜ ଇନ୍ଦ୍ରିୟଭୋଗ୍ୟ ରୂପର ସଗନ୍ଧ ସ୍ୱାଦ ବା ସ୍ପର୍ଶରେ ବିମୋହିତ ହୋଇ ନୀରବ ରହିନପାରେ । ରୂପର ସଗନ୍ଧ ସ୍ୱାଦ ବା ସ୍ପର୍ଶ ଯେ ସକଳ ବିଶ୍ୱର ଅଯାଚିତ ଉପଭୋଗ୍ୟ ସମ୍ପତ୍ତି, ଏହି ସାଧାରଣ ସତ୍ୟଟି ସାହିତ୍ୟ କ୍ଷେତ୍ରରେ ସର୍ବତ୍ର ଗୃହୀତ ହୋଇଛି ।

 

ଯେଉଁଠାରେ ତାହା କେବଳ ସମୂହ ହିତର ପକ୍ଷ ନେଇ ନୀରବ ରହେ, ମାତ୍ର ଅହିତର ବିପକ୍ଷରେ ବିରୁଦ୍ଧାଚରଣ କରିବାକୁ ଭୟ କରେ ଅଥବା ଅସମର୍ଥ ହୁଏ, ତହିଁରେ ଯେତେ ଉଦାର ସାଧ ଉଦ୍ଦେଶ୍ୟ କିମ୍ବା ଗଭୀର ଆଧ୍ୟାତ୍ମିକତା ନିହିତ ଥିଲେ ମଧ୍ୟ ସେଠାରେ ତାହାକୁ ପଳାୟନପନ୍ଥୀ ନାମରେ ଅଭିହିତ କରାଯାଏ । ଏଇଭଳି ‘ହଲିଲା ପାଣିରେ ଗୋଡ଼ ନଦେବା’ ସାହିତ୍ୟର ପରିମାଣ ଅପ୍ରଚୁର ନୁହେଁ, ଆମର ତଥାକଥିତ ଆଧୁନିକତା ଭିତରେ ।

 

ଅବଶ୍ୟ ‘ଯୋ ବୈ ଭୂମା’ କିମ୍ବା ସମୂହ ପକ୍ଷରେ ସୁଖ କ’ଣ, ଅହିତ କିଏ, ସେ ସମ୍ପର୍କରେ ବହୁ ମତଭେଦ, ବହୁ ଦଳାଦଳି ଓ ବହୁ ତର୍କ ବିବାଦ ବିଦ୍ୟମାନ । ସେସବୁର ମୀମାଂସା ପୁଣି କିଏ କରିବ, ତାହା ମଧ୍ୟ ବିଚାର୍ଯ୍ୟ । ଭିନ୍ନ ମୁନିଙ୍କର ଭିନ୍ନ ମତ ହୋଇଥିବାରୁ ସାହିତ୍ୟିକ, ଦାର୍ଶନିକ, ଭାବୁକ ଆଦି ବୁଦ୍ଧିଜୀବୀମାନଙ୍କର ପ୍ରତି କ୍ଷେତ୍ରରେ ମତାନୈକ୍ୟ ଘଟିବାର ସମ୍ଭାବନା ଯଥେଷ୍ଟ ଅଛି । ତେଣୁ ସମୂହର ହିତ ବା ଅହିତ କ’ଣ, ତାହା ସମୂହଦ୍ୱାରାହିଁ ସ୍ଥିରୀକୃତ ହେବା ବିଧେୟ ।

 

ସର୍ପିଳ ରାକ୍ଷସ

 

ସମୂହ କିମ୍ବା ଜନତା ବୋଇଲେ ଯାହାକୁ ବୁଝାଏ, ତାହାର ଅଜ୍ଞତା, ଅସ୍ଥିରତା, ଅଶିକ୍ଷା ଓ ବିଚାରହୀନତାର ପରିଚୟ ମଧ୍ୟ ଅନେକ ଅଛି । ସେକ୍‌ସପିଅରଙ୍କ ଭଳି ଶ୍ରେଷ୍ଠ ଭାବକୁ ଓ ମାନବଚରିତ୍ରର ବିଚକ୍ଷଣ ସନ୍ଧାନୀ ସାହିତ୍ୟିକ ସୁଦ୍ଧା ଜନତାକୁ ଏକ ବହୁମୁଖୀ ସର୍ପିଳ ରାକ୍ଷସରୂପେ (Hydra–headed demon) ବର୍ଣ୍ଣନା କରିଛନ୍ତି । ବୁଦ୍ଧିଜୀବୀମାନଙ୍କ ଦୃଷ୍ଟିରେ ଜନତା ଏକ ବୁଦ୍ଧିହୀନ ପଶୁଗୋଷ୍ଠୀ ରୂପେ ପୂର୍ବେ ପ୍ରତୀତ ହୋଇଛି । ତଥାପି ସେହିମାନଙ୍କର ଅନ୍ଧ ଓ ମୂର୍ଖ ବୁଝାମଣାକୁ ମଧ୍ୟ ବିଚାରବନ୍ତ ପ୍ରଜାରଞ୍ଜନ ରାମଚନ୍ଦ୍ର ନତମସ୍ତକରେ ମାନିନେଇ ସତୀ ସାଧ୍ୱୀ ସୀତାଙ୍କର ନିର୍ବାସନ ଦଣ୍ଡ ବିଧାନ କରିଥିଲେ ।

 

ଆଜି ସେହି ଜନତାର ଶକ୍ତିବଳରେ ପ୍ରତିଷ୍ଠିତ ଲୋକପ୍ରିୟ ସରକାରମାନେ ତାହାକୁ ସୁଶିକ୍ଷିତ, ସୁବିଜ୍ଞ, ସୁବିଚାରକ ଓ ସୁଖୀ କରିବାହିଁ ନିଜ ନିଜର ପ୍ରଧାନ କର୍ତ୍ତବ୍ୟ ବୋଲି ଧରିନେଇଛନ୍ତି । ଜନତାର ପ୍ରତିନିଧିମାନଙ୍କ ଉପରେ ରାଜ୍ୟର ଶାସନଭାର ବିନ୍ୟସ୍ତ ଏବଂ ସମାଜର ସକଳ ହିତ ଅହିତର ମୀମାଂସା ଲାଗି ସେହି ଜନତାହିଁ ଦାୟୀ । ତାହାରି ସେବାରେ ଆଜି ବୈଜ୍ଞାନିକଙ୍କର ଗବେଷଣା, ଲେଖକର ଲେଖନୀ ଓ ଶିଳ୍ପୀର ତୁଳୀ ନିୟୋଜିତ । ଦଶଶିର ବା ସହସ୍ରଶିର ରାବଣଠାରୁ ମଧ୍ୟ ଏହି ଲକ୍ଷ ଶିରବିଶିଷ୍ଟ ଜନତା–ରାକ୍ଷସର ପୃଥିବୀ ଉପରେ ଦୌରାତ୍ମ୍ୟ ଏତେ ବେଶି ଯେ ତାହାକୁ କରଗତ କରିବା ଦୂରେ ଥାଉ, ଇନ୍ଦ୍ର, ବରୁଣ, କୁବେର, ଅଗ୍ନି ସମେତ ମହାଶକ୍ତିମାନଙ୍କର ସୁଦ୍ଧା ତାହାର ଅନୁଗତ ନହୋଇ ଯେପରି ରକ୍ଷାନାହିଁ ।

 

ରକ୍ଷଣଶୀଳତାର ସ୍ୱରୂପ

 

ବିଜ୍ଞ ଲୋକେ ତାହାକୁ ସକଳ ପ୍ରଜ୍ଞାର ମୌଳିକ ଉତ୍ସ, କବି ତାହାକୁ ସବୁ କବିତାର ଭଣ୍ଡାର, ଶିଳ୍ପୀ ତାହାକୁ କଳାରାଜ୍ୟର ଶ୍ରେଷ୍ଠ ଉପାଦାନ, ବୈଜ୍ଞାନିକ ତାକୁ ବୁଦ୍ଧି ଓ କର୍ମର ସମଷ୍ଟି ପୁଣି ଦାର୍ଶନିକ ତାକୁ ଏକ ସର୍ବଗ୍ରାସୀ କରାଳ ଶକ୍ତିରୂପେ ବନ୍ଦନା କରିଛନ୍ତି । ସୂର୍ଯ୍ୟ–ଚନ୍ଦ୍ର–ଗ୍ରହ–ନକ୍ଷତ୍ରଭଳି ଏହି ଜନତା–ରାକ୍ଷସ ଯେତିକି ପ୍ରାଚୀନ ଓ ରକ୍ଷଣଶୀଳ, ସେତିକି ନବୀନ ଓ ଆଧୁନିକ, ଯେତିକି ସ୍ଥିତିଶୀଳ, ସେତିକି ଗତିଶୀଳ । ତାହା ଭିତରେ ଯେଉଁ ପରିମାଣ ଧ୍ୱଂସଶକ୍ତି, ସେହି ପରିମାଣ ସୃଜନୀ ଶକ୍ତି ମଧ୍ୟ ନିହିତ ଅଛି । ସେଥିଲାଗି ପୃଥିବୀପୃଷ୍ଠରେ ରକ୍ଷଣଶୀଳତା ଓ ପ୍ରଗତିଶୀଳତାର ମାତ୍ରା ନିରୂପଣ କରିବା ସହଜ କଥା ନୁହେଁ ।

 

ବ୍ୟକ୍ତିଗତ ଜୀବନରେ ମଧ୍ୟ ଆମେ କେତେ ଅଂଶରେ ରକ୍ଷଣଶୀଳ ବା ପ୍ରଗତିଶୀଳ, ତାହା ଆତ୍ମସମାଲୋଚନା ଓ ଆତ୍ମଗବେଷଣାର ବିଷୟ । ବ୍ୟକ୍ତିଗତ ଭୟ, ବିଶ୍ୱାସ, ଅଜ୍ଞତା, ଅବିଚାରହିଁ ସାମାଜିକ ଜୀବନରେ ପ୍ରତିଫଳିତ ହୋଇଥାଏ । ବୌଦ୍ଧ ଯୁଗରୁ ଅସ୍ପୃଶ୍ୟତା ଓ ଜାତିଭେଦ ପ୍ରଥା ଦୂରୀକରଣ ପାଇଁ ନାନା ଆନ୍ଦୋଳନ ଚଳି ଆସିଥିଲେ ହେଁ ଆଜି ସୁଦ୍ଧା ତାହା ବ୍ୟକ୍ତିଗତ ତଥା ସାମାଜିକ ଜୀବନ ଉପରେ ପଥରପରି ଲଦା ହୋଇଛି ।

 

ଆଜିସୁଦ୍ଧା ବୈବାହିକ ସମ୍ପର୍କ ଆଦି ବିଭିନ୍ନ ସାମାଜିକ ବିଧି ବ୍ୟବସ୍ଥା ମଧ୍ୟରେ ଉଗ୍ର ଜାତିଭେଦ ଲକ୍ଷିତ ହୁଏ । ଦେଢ଼ଶତ ବର୍ଷର ବୈଦେଶିକ ଶିକ୍ଷାପଦ୍ଧତି ପ୍ରଚଳିତ ହେବା ପରେ ସ୍ୱାଧୀନ ରାଜ୍ୟର ମୌଳିକ ଶିକ୍ଷାଯୋଜନା ପ୍ରଚଳନ କରାଯାଉଥିଲେହେଁ ଆଜିମଧ୍ୟ ଉତ୍କଳର ପୁରପଲ୍ଲୀରେ ଆଦିମ ଚାହାଳିର ‘ଓଡ଼ାଙ୍କ’, ‘ଫେଡ଼ାଙ୍କ’, ‘କୋଇଲି’, ‘ଗୋପୀଭାଷା’ର ଆବୃତ୍ତି ଲୁପ୍ତ ହୋଇନାହିଁ ।

Image

 

ଅଦ୍ୱୈତ ବିଚାର

 

ରକ୍ଷଣଶୀଳତା ଓ ପ୍ରତିକ୍ରିୟାଶୀଳତା ଭିତରେ ଯେପରି ପ୍ରଭେଦ ଅଛି, ସେହିପରି ଆଧୁନିକତା ଓ ପ୍ରଗତିଶୀଳତା ମଧ୍ୟରେ ଅନେକ ପ୍ରଭେଦ ଦେଖାଯାଏ । ଯାହା କିଛି ରକ୍ଷଣଶୀଳ, ସେ ସମସ୍ତ ପ୍ରତିକ୍ରିୟାଶୀଳ ନୁହେଁ । ଜୀବନର ସ୍ୱାଭାବିକ ଅଗ୍ରଗତିରେ ଯେଉଁ ସକଳ ଚିନ୍ତା ଓ କାର୍ଯ୍ୟ ବାଧା ଜନ୍ମାଏ, ଗ୍ରାସାଚ୍ଛାଦନ ଆଦି ମନୁଷ୍ୟର ଜନ୍ମଗତ ନ୍ୟାଯ୍ୟ ଅଧିକାରରୁ ତାହାକୁ ବଞ୍ଚିତ କରେ, ତାହାହିଁ ସାଧାରଣତଃ ପ୍ରତିକ୍ରିୟା ନାମରେ ବିଦିତ । ମାତ୍ର ରକ୍ଷଣଶୀଳତା ସବୁ କ୍ଷେତ୍ରରେ ସ୍ୱାଭାବିକ ଅଗ୍ରଗତିର ପ୍ରତିକୂଳ ଆଚରଣ କରେନାହିଁ । ବରଂ ଅନେକ ସ୍ଥଳରେ ତାହାକୁ ସାହାଯ୍ୟ କରେ ଓ ପ୍ରଗତିର ଅନୁକୂଳ ହୁଏ ।

 

ଜୀବନମୃତ୍ୟୁର ଦୃଷ୍ଟିଭଙ୍ଗୀ

 

‘‘ବାସାଂସି ଜୀର୍ଣ୍ଣି । ନି ଯଥା ବିହାୟ

ନବାନି ଗୃହ୍‌ଣାତି ନରୋଽପରାଣି ।’’

 

ଏହି ସବୁ ଉକ୍ତିରେ ଯେତିକି ରକ୍ଷଣଶୀଳତା, ସେତିକି ପ୍ରଗତିଶୀଳତାର ବୈଜ୍ଞାନିକ ତତ୍ତ୍ୱ ନିହିତ ଅଛି । ଧନୁଶରତ୍ୟାଗୀ ଅର୍ଜୁନଙ୍କର ପ୍ରତିକ୍ରିୟାଶୀଳ ମନୋଭାବ ଦୂର କରିବା ହିଁ ଏହି ବାଣୀର ତାତ୍ପର୍ଯ୍ୟ । ରକ୍ଷଣଶୀଳତା ମଧ୍ୟରେ ଯାହା ଜୀର୍ଣ୍ଣ ଓ ସଂସ୍କାରଶୂନ୍ୟ ହୋଇପଡ଼େ ଅନେକାଂଶରେ ତାହାହିଁ ପରିତ୍ୟାଜ୍ୟ ନ ହୋଇ ପ୍ରତିକ୍ରିୟା ରୂପ ପରିଗ୍ରହ କରେ । ଆଧୁନିକ ସାହିତ୍ୟରେ ମଧ୍ୟ ଏହି ପ୍ରତିକ୍ରିୟା ଓତପ୍ରୋତ ଭାବରେ ଜଡ଼ିତ ଥିବାରୁ ସେଠାରେ ବିଶ୍ୱର ସତ୍ୟସ୍ୱରୂପ ପ୍ରଦର୍ଶନ କରି ବୁଝାଇ ଦେବାକୁ ହୁଏ, ‘ହତ୍ୱା ବା ପ୍ରାପ୍‌ସ୍ୟସି ସ୍ୱର୍ଗଂ ଜିଲ୍‍ପା ବା ଭୋକ୍ଷସେ ମହୀମ୍‌’ ଜୀବନ ଓ ମରଣ ଉପରେ ଏହିପରି ସାମ୍ୟ ଓ ଉଦାର ଦୃଷ୍ଟିଭଙ୍ଗୀ ଘେନି ନିଜର ନିମ୍ନତମ ନ୍ୟାଯ୍ୟ ଅଧିକାର ପାଇଁ ଲଢ଼ିବାର ପ୍ରରୋଚନା ଯୁଗେ ଯୁଗେ ମାନବ ସଭ୍ୟତାର ପ୍ରଗତି ପଥରେ ସହାୟକ ହୋଇଛି ଏବଂ ଯୁଗେ ଯୁଗେ ସେହି ପ୍ରଗତିର ବିଜୟ ଘୋଷଣା କରିବା ସାହିତ୍ୟର ପରମ ଧର୍ମ ହୋଇଆସିଛି । ଯେଉଁ ରକ୍ଷଣଶୀଳତା ବା ଆଧୁନିକତା ଏ ଧର୍ମକୁ ଅସ୍ୱୀକାର କରେ, ତାହାର ବିରୋଧିତା ନ କଲେ ସାହିତ୍ୟର ସ୍ୱଧର୍ମ ପାଳନରେ ତ୍ରୁଟି ଘଟିଥାଏ ।

 

ଯାହା ପୁରୁଣା ହୋଇ ପ୍ରାକୃତିକ ନିୟମବଶରୁ ଛାଏଁ ଝଡ଼ିପଡ଼ୁଛି, ତାହା ଅଶୋଚ୍ୟ । ଜୀବନ ମୃତ୍ୟୁ ବା ନୂଆ ପୁରୁଣା ମଧ୍ୟରେ ବ୍ୟବଧାନ ମଧ୍ୟ କିଛି ନାହିଁ । ମରିଯିବା ପରେ ଜୀବ ଜୀଇଁଉଠୁଛି, ପୁଣି ଜନ୍ମ ସଙ୍ଗେ ସଙ୍ଗେ ତାହାର ମରିବା କିମ୍ବା ମରଣ ଆଡ଼କୁ ଗତି କରିବା ଆରମ୍ଭ ହୋଇଯାଉଛି । ଜୀବନ ଓ ମୃତ୍ୟୁ ଭିତରେ ଯେପରି, ସେହିପରି ସମାଜର ସକଳ ଶ୍ରେଣୀ, ସକଳ ସ୍ତର, ଜାତି କିମ୍ବା ଦେଶ ନିର୍ବିଶେଷରେ ଐକ୍ୟ ପ୍ରତିଷ୍ଠା କରିବା ହିଁ ସାହିତ୍ୟର ଉଦ୍ଦେଶ୍ୟ ଓ ପରିଣତି-

 

ଚିରନ୍ତନ ଛନ୍ଦ

 

ସକଳ ବିଭେଦ ଖଣ୍ଡତା ବା କ୍ଷୁଦ୍ରତା ମଧ୍ୟରେ ସାମ୍ୟ ପ୍ରତିଷ୍ଠା କରିବା ସାହିତ୍ୟର ଲକ୍ଷ୍ୟ ହେଲେହେଁ ପୁଣି ସମଷ୍ଟି ତାହାର ଉପାସ୍ୟ ହେବା ସଙ୍ଗେ ସଙ୍ଗେ ବ୍ୟଷ୍ଟିର ସ୍ୱାର୍ଥ ସମ୍ମାନ ଓ ସ୍ୱାତନ୍ତ୍ର୍ୟ ରଷାହିଁ ଚିରନ୍ତନ ଛନ୍ଦ ହୋଇଆସିଛି । କାରଣ ବ୍ୟଷ୍ଟି ବିନା ସମଷ୍ଟିର ଅସ୍ତିତ୍ୱ ନାହିଁ, ଭାରତୀୟ ସଂସ୍କୃତି ବୋଇଲେ ଆର୍ଯ୍ୟ, ଦ୍ରାବିଡ଼, ଉତ୍କଳୀୟ, ବଙ୍ଗୀୟ, ତେଲଙ୍ଗୀ, କର୍ଣ୍ଣାଟୀ, ଗୁର୍ଜର, ମହାରାଷ୍ଟ୍ର, ପଞ୍ଜାବୀ, ନେପାଳୀ, ବିହାରୀ, ଆସାମୀ ଆଦି ବିଭିନ୍ନ ସଂସ୍କୃତିର ସମ୍ମିଶ୍ରଣ ଓ ସମ୍ମେଳନକୁ ବୁଝାଇଥାଏ । ଆମ୍ଭମାନଙ୍କର ‘ଜଗନ୍ନାଥୀ’ ସଂସ୍କୃତି ଭଳି କାଶୀର ‘ବିଶ୍ୱନାଥୀ’ ସଂସ୍କୃତି ପୁଣି ଦାକ୍ଷିଣାତ୍ୟର ‘ରାମେଶ୍ୱରୀ’ ସଂସ୍କୃତି ମଧ୍ୟରେ ବହୁ ସାର୍ବଜନୀନ ଉଦାରତା ଓ ନାନା ଧର୍ମମତର ସମନ୍ୱୟ ଦେଖାଯାଏ ।

 

ସର୍ବତ୍ର ଆଚାଣ୍ଡାଳବ୍ରାହ୍ମଣ ମଧ୍ୟରେ ସାମ୍ୟ ନୀତିର ବିଜୟ ଘୋଷିତ ହୋଇଛି । ମାତ୍ର ବର୍ତ୍ତମାନ ଯୁଗର ‘ଅହିଂସ ରାଜତ୍ୱ’ ଭଳି ତାହା କେବଳ ସାହିତ୍ୟରେ କିମ୍ବା ମହାତ୍ମାମାନଙ୍କ ଜପତପରେ ପର୍ଯ୍ୟବସିତ ହୋଇଛି ସିନା ! ତାହା ବୋଲି ସତ୍ୟ ଅହିଂସା ବା ସାମ୍ୟ ନୀତି ପୃଥିବୀ ପୃଷ୍ଠରୁ ତାହାର ମହତ୍ତ୍ୱ ହରାଇନାହିଁ । ସମାଜରେ ବିଭେଦ, ଘୃଣା ଓ ଅହିଂସାର ବ୍ୟାପକତା ଯେତିକି ବଢ଼ିଛି, ସେ ସକଳର ଦୂରୀକରଣ ସଙ୍ଗେ ସଙ୍ଗେ ମିଳନର ଛନ୍ଦ ଘୋଷଣା କରିବା ସାହିତ୍ୟର ତେତିକି କର୍ତ୍ତବ୍ୟ ହୋଇପଡ଼ିଛି ।

 

ମିଳନର ଅଖଣ୍ଡତା

 

ମିଳନ କହିଲେ ଅତୀତ ସହିତ ବର୍ତ୍ତମାନର, ରକ୍ଷଣଶୀଳତା ସହିତ ପ୍ରଗତିଶୀଳତା, ଜାତି ସହିତ ଜାତିର ଓ ବ୍ୟକ୍ତି ସଙ୍ଗେ ବ୍ୟକ୍ତିର ମିଳନକୁ ବୁଝାଏ । ଅତୀତରେ ସେ ମିଳନ ପ୍ରତିଷ୍ଠିତ ହୋଇଥିଲା ଧର୍ମ ଓ ଆଧ୍ୟାତ୍ମିକତାର ଭିତ୍ତି ଉପରେ, ଆଜି ହୋଇଛି, ଅର୍ଥନୀତି ବିଜ୍ଞାନ ବା ବସ୍ତୁବାଦ ଉପରେ । ପ୍ରାଚୀନ ଭଲ କି ନବୀନ ଭଲ କିମ୍ବା ଦୁଇଟାଯାକର ଖେଚୁଡ଼ି ଭଲ, ତାହାର ବିଚାର ବିଶ୍ଳେଷଣ ଭାର ସାହିତ୍ୟ ଉପରେ ହିଁ ନ୍ୟସ୍ତ ଅଛି । ସେ କାହାକୁ କେବେ ଭଲ ବା ମଦ କହେ, କାହାକୁ ତଳେ ପକାଏ, କାହାକୁ ଟେକେ ଉପରକୁ । ମାତ୍ର ସବୁବେଳେ ବିଶ୍ୱର ଜୟଗାନ କରେ । ଯେତିକି ତାହାର ବୈଚିତ୍ର୍ୟ ଓ ରହସ୍ୟ ବୁଝିବାକୁ ଯାଏ, ସେତିକି ସେ ପରାଜିତ ଓ ପୁଲକିତ ହୋଇଉଠେ ।

 

କେତେବେଳେ ଜୀର୍ଣ୍ଣବାସ ଭଳି ପ୍ରାଚୀନକୁ ନିରୁଦ୍‌ବେଗ ଚିତ୍ତରେ ତ୍ୟାଗ କରିବାପାଇଁ କବିକଣ୍ଠରୁ ନବଯୁଗର ଆବାହନୀ ଘଣ୍ଟାଧ୍ୱନି ଉଠିଛି, ‘‘Ring out the old, ring in the new’’, ଆଉ କେବେ ପ୍ରାଚୀନ କୃଷ୍ଣକୁ ସେ ଦେବତା ଆକାରରେ ପୂଜା କରି ରକ୍ଷଣଶୀଳତାର ଉଦ୍‌ବୋଧନ ଦେଇଛି । ଦୁନିଆ ପୃଷ୍ଠରେ ପ୍ରାଚୀନ ଓ ନବୀନ, ରକ୍ଷଣଶୀଳତା, ପ୍ରଗତିଶୀଳତା ଦୁଇଟା ବସ୍ତୁର ଅବସ୍ଥିତିକୁ ଆଧୁନିକ ଯୁଗର ସାହିତ୍ୟ ସ୍ୱୀକାର କରୁଥିବାର ପ୍ରମାଣ ଭୂରି ଭୂରି ମିଳିଥାଏ । ତେଣୁ ପ୍ରାଚୀନ ଭଳି ଆଧୁନିକ ସାହିତ୍ୟକୁ ମଧ୍ୟ କୌଣସି ଏକ ନିର୍ଦ୍ଦିଷ୍ଟ ସଂଜ୍ଞା ଭିତରେ ଆବଦ୍ଧ କରି ରଖାଯାଇପାରେ ନାହିଁ । ଧର୍ମ କିମ୍ବା ରାଜନୀତିର ବିଭିନ୍ନ ମତବାଦ ପରସ୍ପର ବିରୋଧୀ ହେଲେ ମଧ୍ୟ ଯେଭଳି ପୃଥିବୀ ଉପରେ ଲଗାଲଗି ହୋଇ ରହିପାରିଛନ୍ତି, ସାହିତ୍ୟ ପକ୍ଷରେ ଏହି ନିୟମର ଅନ୍ୟଥା ହୁଏନାହିଁ ।

 

ପ୍ରାଚୀନ ବିଷୟବସ୍ତୁ

 

ହଜାର ହଜାର ଏପରି କି ଲକ୍ଷ ଲକ୍ଷ ବର୍ଷ ପୂର୍ବେ ମାନବ ସୃଷ୍ଟିର ଆଦିମ ଅବସ୍ଥାକୁ ସୁଦ୍ଧା ବିଷୟବସ୍ତୁରୂପେ ଗ୍ରହଣକରି ଆଧୁନିକ ଉପନ୍ୟାସ, କାବ୍ୟ, ନାଟକ ଲିଖିତ ହେଉଥିବାର ଦେଖାଯାଏ । କାରଣ ଉପସ୍ଥିତ ସମାଜରେ ଆଦିମ ଅବସ୍ଥାରେ ରହିଥିବା ମନୁଷ୍ୟ ଯଥେଷ୍ଟ ସଂଖ୍ୟାରେ ଅଛନ୍ତି ଏବଂ ଆଦିମକାଳର ଧର୍ମମତର ବିପୁଳ ପ୍ରଭାବ ପୃଥିବୀରୁ ବିଲୁପ୍ତ ହେବା ଦୂରେଥାଉ, କୋଟି କୋଟି ପ୍ରାଣକୁ ଆଜିସୁଦ୍ଧା ସ୍ପନ୍ଦିତ, ଆଲୋଡ଼ିତ କରୁଛି । ସାହିତ୍ୟ ଏହି ରୂପେ ସୀମାହୀନ ଅନାଦି କାଳ ମଧ୍ୟରେ ପରିବ୍ୟାପ୍ତ ହୋଇ ରହିଛି–ଜୀବନ ମୃତ୍ୟୁ ଓ ଆଲୋକ ଅନ୍ଧାରର ଅନନ୍ତ ପରିଧି ଭିତରେ । ତାହାକୁ କୌଣସି ନିର୍ଦ୍ଦିଷ୍ଟ ଯୁଗ ବା ମତବାଦ ଭିତରେ ସୀମିତ କରିବା ଅର୍ଥ ସାହିତ୍ୟର ଅଙ୍ଗହାନି ଘଟାଇବା ।

Image

 

ବୈଦେଶିକ

 

ଏହି ସ୍ତମ୍ଭରେ ଆଉରି ଥରେ କୁହାଯାଇଥିଲା ଯେ, ଆମେରିକାର ହାଓଆଡ଼ ଫାଷ୍ଟଙ୍କ ଭଳି ଶ୍ରେଷ୍ଠ ପ୍ରଗତିଶୀଳ ଲେଖକ ମଧ୍ୟ ପ୍ରାଚୀନ ରକ୍ଷଣଶୀଳ ସମାଜର ଚରିତ୍ର ଓ ବିଷୟବସ୍ତୁକୁ ଘେନି ଆଧୁନିକ ଶ୍ରେଷ୍ଠ ଉପନ୍ୟାସ ରଚନା କରିଛନ୍ତି ଏବଂ ରୁଷିଆର ପ୍ରସିଦ୍ଧ ଷ୍ଟାଲିନ୍‌ ଶାନ୍ତି ପୁରସ୍କାର ପାଇଛନ୍ତି ।

 

ଦୁଇ ହଜାର ବର୍ଷ ପୂର୍ବର ଅସଭ୍ୟ ପ୍ରାଚୀନ ଚରିତ୍ର ଓ ସାମାଜିକ ପରିସ୍ଥିତି ଉପରେ ସେମିତି ଉପନ୍ୟାସ ଲେଖି ୧୯୫୩ ଖ୍ରୀଷ୍ଟାବ୍ଦରେ ପୃଥିବୀର ସୁବିଦିତ ନୋବେଲ ପୁରସ୍କାର ହାସଲ କରିଛନ୍ତି ସୁଇଡେନର ଔପନ୍ୟାସିକ ପରଲାଜେର୍କଭିଷ୍ଟ ।

 

‘‘ବାରାବାସ୍‌’’

 

ସ୍ୱୀଡେନ୍‌ ଗ୍ରାମ୍ୟଜୀବନର ବିଚିତ୍ର ଚିତ୍ରଣରେ ସିଦ୍ଧହସ୍ତ ପରଲାଜେର୍କଭିଷ୍ଟଙ୍କ ‘‘ବାରାବାସ୍‌’’ ଆଧୁନିକ ବିଶ୍ୱ ସାହିତ୍ୟରେ ଏକ ଅନବଦ୍ୟ ସୃଷ୍ଟି । ପୁସ୍ତକଟି ନାତି ଦୀର୍ଘ, ୧୩୨ ପୃଷ୍ଠା ମାତ୍ର ।

 

ବିଷୟବସ୍ତୁର ବିଶେଷତ୍ୱ ହେଉଛି ଆଧୁନିକ ୟୁରୋପୀୟ ସଭ୍ୟତାର ମୂଳକଥା–ଲୌହଶଳାକାଦ୍ୱାରା ମାନବବନ୍ଧୁ ଯିଶୁଙ୍କୁ ଯେଉଁଦିନ ତ୍ରୁଶବିଦ୍ଧ କରି ଶାସକ ଓ ବିଚାରକ ହତ୍ୟାକଲେ, ବିଶ୍ୱ ଇତିହାସର ସେଇ ଶ୍ରେଷ୍ଠ ଦିନଟିର ଦୁର୍ଘଟଣା ଉପରେ ହିଁ କାହାଣୀର ଆରମ୍ଭ । ଏଇ ଦୁର୍ଘଟଣାର ଆଘାତ ପୃଥିବୀପୃଷ୍ଠରେ କେତେ ବଡ଼ ଧକ୍‌କା ମାରିଥିଲା, ପୁଣି ସେ ଧକ୍‌କା କିଭଳି ଅଜ୍ଞ ନିରକ୍ଷର ପଶୁତୁଲ୍ୟ ଆଜନ୍ମ କ୍ରୀତଦାସ ବନ୍ଦୀ ଜୀବନରେ ସୁଦ୍ଧା କମ୍ପନ ସୃଷ୍ଟି କରିପାରିଥିଲା, ଲକ୍ଷ ଲକ୍ଷ ଗ୍ରନ୍ଥଭୁକ୍ତ ସେହି ପ୍ରାଚୀନ ବିଷୟବସ୍ତୁର ଆଧୁନିକ ରୂପାୟନ ହିଁ କଥାଶିଳ୍ପୀଙ୍କର ମହତ୍ତ୍ୱ ।

 

ଯେଉଁ ତ୍ରୁଶଯିଶୁହତ୍ୟାର ଭାଗୀ ହେଲା, ସେହି ତ୍ରୁଶରୁ ହିଁ ଜନ୍ମଲାଭ କଲା ବାରାବାସ । ସେ ଜଣେ ସାଘାଂତିକ ଅପରାଧୀ । ଜନ୍ମ ପରଠାରୁ ମାତୃହୀନ । କଠିଣ–ପ୍ରାଣ ପିତା ନିକଟରେ ବଢ଼ିଛି । ନିଃସ୍ୱ ସାଂସାରିକ ଜୀବନ ତାହାକୁ ସମାଜ ପ୍ରତି, ମନୁଷ୍ୟ ପ୍ରତି ତୀବ୍ର ଘୃଣା, ଅବିଶ୍ୱାସ ଓ ବିପଦର ସାମଗ୍ରୀ କରି ଗଢ଼ିଛି ।

 

ସାଥୀ ବନ୍ଦୀ

 

ଯିଶୁଙ୍କ ସହିତ ଦାଗୀ ଆସାମୀ ବାରାବାସ୍‌ ମଧ୍ୟ ଏକତ୍ର ବନ୍ଦିଶାଳାରେ ରହିଥିଲା । ସେ କେବଳ ପୂର୍ବରୁ ଏତିକି ଶୁଣିଥିଲା ଯେ, ଦୁଇ ବନ୍ଦୀଙ୍କ ମଧ୍ୟରୁ ଜଣକୁ ମୁକ୍ତି ଦିଆଯିବ । ସାଥୀ ବନ୍ଦୀକୁ ଦେଖି ସେ ବିଚାରିଥିଲା, ଏଭଳି ଏକ ନିରୀହ ଲୋକଟିକୁ ବନ୍ଦିଶାଳାକୁ ଅଣାଗଲା କାହିଁକି ? ତେଣୁ, ସେଇ ନିରୀହ ଲୋକଟିକୁ ଯେ ନିଶ୍ଚୟ ମୁକ୍ତି ମିଳିବ ଏବଂ ବାରାବାସ ଯିବ ଫାଶୀଖୁଣ୍ଟକୁ, ଏ କଥାରେ ତାହାର ଦୃଢ଼ ବିଶ୍ୱାସ ଜନ୍ମି ଯାଇଥିଲା । ଘଟିଲା କିନ୍ତୁ ବିପରୀତ ।

 

ହେତୁ ହେବାଠାରୁ ତିରିଶ ବର୍ଷ ବୟସ ପର୍ଯ୍ୟନ୍ତ ଚୋରି ଡକାୟତି ଆଦି ଅପରାଧ କରିବା ଏବଂ ବାରମ୍ବାର ବନ୍ଦିଶାଳାରେ ଓ ଖଣି ଭିତରେ ପ୍ରହାର ଖାଇ ପଶୁଭଳି ଖଟିବା ବ୍ୟତୀତ ଜୀବନରେ ଆଉ କିଛି ଘଟଣା ଯେ ଜାଣେ ନାହିଁ; ଆଜି ଏହି ଅଦ୍‌ଭୁତ ଘଟଣାର ଅର୍ଥ ବୁଝିବାକୁ ସେଇ ବାରାବାସର ମସ୍ତିଷ୍କ ଅସମର୍ଥ ହେଲା ।

 

ନିରୀହ ସହବନ୍ଦୀଟିକୁ ଚାହିଁ ଦେଖିଲା, ତାହାର ମୁଣ୍ଡ ଚାରିପାଖେ ଏକ ଆଲୋକଚକ୍ରର ପ୍ରଭା ଯେପରି ବୁଲୁଛି । ପର କ୍ଷଣରେ ସେ ଜଣେ ସାଧାରଣ ମଣିଷ ଭଳି ଦିଶିଲା । ବନ୍ଦିଶାଳାରୁ ମୁକ୍ତିଲାଭ କରି ବାରାବାସର ନିର୍ବୋଧ ଦୃଷ୍ଟି ପଡ଼ିଲା, ଘାତଭୂମିର ଚତୁର୍ଦ୍ଦିଗରେ ବହୁ ଲୋକଙ୍କ ସମାଗମ ଉପରେ ।

 

ମୂଢ଼ ମନସ୍ତତ୍ତ୍ୱ

 

ଦୂରରେ ଜନତା ପଶ୍ଚାତରେ ରହି ବାରାବାସ୍‌ ନିରୀକ୍ଷଣ କଲା, ସେହି ନିରୀହ ବ୍ୟକ୍ତିଟି ତ୍ରୁଶ ନିକଟରେ ଦଣ୍ଡାୟମାନ । ତାହାର ସର୍ବାଙ୍ଗ ତ୍ରୁଶବିଦ୍ଧ ହେଲାବେଳେ ନିଷ୍ଠୁର ବାରାବାସ ସ୍ଥିର ହୋଇ ଚାହିଁ ରହିଥାଏ । କେବଳ ତା’ର ଏତିକି ମନେହେଉଥାଏ ଯେ, ଏହି ନିରୀହ ଲୋକଟି ଯେପରି ତାହାରି ପାଇଁ ଅବା ପ୍ରାଣଦାନ କଲା । କାରଣ ବାରାବାସର ତ ଫାଶୀ ହେବା ଏକ ନିଶ୍ଚିତ କଥା । ତାହା ବଦଳି ଏହି ଲୋକଟି ମଲା କାହିଁକି ?

 

ଉପନ୍ୟାସରେ ଏଇ ମାନସିକ ଦ୍ୱନ୍ଦ୍ୱର ଅବତାରଣା ଯେଉଁ ପରିବେଶ ମଧ୍ୟରେ କରାଯାଇଛି, ନାରକୀୟ ଅପରାଧୀ ଚରିତ୍ର ମଧ୍ୟରେ ଅପାର୍ଥିବ ଯିଶୁ–ଚରିତ୍ରର ପ୍ରତିବିମ୍ବ ଫୁଟାଇବାର ଚତୁର ଉଦ୍ୟମ ଶିଳ୍ପୀ ଯେପରି କରିପାରିଛନ୍ତି, ତାହା ତାଙ୍କ ଅସାଧାରଣ ଅନୁସନ୍ଧିତ୍ସାର ପରିଚୟ ଦିଏ ।

 

ବାରାବାସ୍‌ ଯେତେବେଳେ ଜାଣିଲା ଯେ, ଏହି ଲୋକଟିକୁ ଅନେକେ ଈଶ୍ୱରପୁତ୍ର ଅବତାର ବୋଲି ବିଶ୍ୱାସ କରନ୍ତି, ପୁଣି ସେ ଦଳିତ, ନିପୀଡ଼ିତ ମାନବ ସମାଜର ତ୍ରାଣକର୍ତ୍ତା ବୋଲି କହନ୍ତି, ସେ ସମସ୍ତ କେବଳ ଉପହାସ ଭଳି ତାହାକୁ ବୋଧହେଲା । ଯିଶୁଙ୍କ ବାଣୀ ତାହା ପକ୍ଷରେ ନିରର୍ଥକ ଘୃଣ୍ୟ ବସ୍ତୁ । ଯିଶୁଙ୍କ ଅନୁଗାମୀମାନଙ୍କୁ ସେ ଅତି ହୀନ ଦୃଷ୍ଟିରେ ଦେଖେ ।

 

ପରସ୍ପର ବିରୋଧୀ ଚିନ୍ତା

 

ତଥାପି ମରଣ–ଅବଧି ସେ ଏଇ ଘଟଣାକୁ ପାସୋରି ଦେଇପାରିଲାନାହିଁ । ମରଣ ପର୍ଯ୍ୟନ୍ତ କୃଶ–ଆରୋହୀ ଯିଶୁଙ୍କ ଚିତ୍ର ତାହାର ଚକ୍ଷୁ ସମକ୍ଷରେ ଭାସିଉଠିଲା । ସେହି ଯିଶୁ ଯେପରି ତାହାରି ପାଇଁ ତାହାରି ବଦଳରେ ହିଁ ଆପଣାକୁ ବଳି ଦେଇଛନ୍ତି !

 

ଯିଶୁଙ୍କର ଅନ୍ୟାନ୍ୟ ଅନୁଗାମୀମାନଙ୍କ ମଧ୍ୟରୁ ମତ୍ସ୍ୟଜୀବୀ ପିଟର ଏବଂ ମୃତମାନଙ୍କ ମଧ୍ୟରୁ ପୁଣି ଜୀବନ ଲାଭ କରି ଉଠିଥିବା ଲାଜାରସ୍‌ଙ୍କ ସଙ୍ଗେ ତାହାର ସାକ୍ଷାତ ଓ ଆଳାପ ହୁଏ । ମାତ୍ର ତାଙ୍କ କଥାରେ ବାରାବାସର ବିଶ୍ୱାସ ଜନ୍ମେ ନାହିଁ ।

 

ସେ ତାହାର ଡାକୁ ଦଳ ନିକଟକୁ ଫେରିଯାଏ, ପୁଣି ଏକ ତମ୍ବା ଖଣିରେ କ୍ରୀତଦାସରୂପେ କାର୍ଯ୍ୟ କରେ । ଶେଷରେ ବାର୍ଦ୍ଧକ୍ୟଗ୍ରସ୍ତ ହୋଇ ନିଜ ଅଜ୍ଞାତରେ ଯିଶୁଙ୍କ ପ୍ରତି ବାରାବାସର ଆକର୍ଷଣ ଅତି ଅଦ୍ଭୁତ ଭାବରେ ଘଟିଛି । ରୋମ୍‍ନଗରୀର ଅଗ୍ନ୍ୟୁତ୍ପାତ ଘଟଣାରେ ନିଜେ ଅଗ୍ନିସଂଯୋଗ କରି ଭ୍ରମବଶତଃ ଯିଶୁଙ୍କ ସମର୍ଥନ ଲାଗି ସେ ତାଙ୍କରି ଉପଦେଶର ବିରୁଦ୍ଧାଚରଣ କରିଛି ଏବଂ ତ୍ରୁଶବିଦ୍ଧ ହୋଇ ମୃତ୍ୟୁମୁଖରେ ପଡ଼ିଛି । ଅଥଚ ଶେଷ ପର୍ଯ୍ୟନ୍ତ ସେ ତାଙ୍କୁ ବୁଝିନାହିଁ କିମ୍ବା ଅସ୍ୱୀକାର କରିପାରିନାହିଁ ।

Image

 

ଆଲୋକ ଆନନ୍ଦ

 

ପତନୋନ୍ମୁଖ ରୋମୀୟ ସଭ୍ୟତା–ତାହାର ସ୍ପଷ୍ଟ ସୂଚନା ମିଳିଥିଲା ରୋମୀୟ ଶାସକମାନଙ୍କର ଆଳସ୍ୟ, ଅବିଚାର, ଅତ୍ୟାଚାରର ବହୁ ନିର୍ମମ ଅମାନୁଷିକ ଘଟଣାରୁ । ବିଶେଷଭାବରେ ନିଃସହାୟ ନିରୀହ ଅକ୍ଷମ ଓ ଅଶକ୍ତମାନଙ୍କ ଶ୍ରମ ଅନାହାର ଓ ଶାସ୍ତି ଉପରେହିଁ ରୋମୀୟ ଶାସକମାନଙ୍କର ବିଳାସ ବ୍ୟସନର ବିରାଟ ସୌଧ ନିର୍ମିତ ହେଲା । ବିପୁଳ ଐଶ୍ୱର୍ଯ୍ୟର ଆଲୋକ–ନୃତ୍ୟ, ସଙ୍ଗୀତ ଓ ସମୃଦ୍ଧି ସୌଧ ଭିତରେ ଖେଳିବୁଲିଲା, ପୁଣି ସୌଧ ନିମ୍ନରେ ଚିର ତମସାଚ୍ଛନ୍ନ ଯେଉଁ ପ୍ରକାଣ୍ଡ ଗହ୍ୱର ଖୋଦିତ ହେଲା, ତହିଁରେ ବାସ କଲେ ଶତ ଶତ କ୍ରୀତଦାସ ।

 

ଧର୍ମର ଗ୍ଳାନି

 

ଯେଉଁ କ୍ରୀତଦାସମାନଙ୍କର ଇଚ୍ଛା ଅନିଚ୍ଛା କିଛି ନାହିଁ; କ୍ଷୁଧା ତୃଷା ବୋଲି କୌଣସି ଅନୁଭୂତି ତାଙ୍କର ଥିବ ବୋଲି ସୌଧ ଭିତରେ ରହୁଥିବା ଲୋକଙ୍କର ଜ୍ଞାନର ବାହାରେ; ଯେଉଁମାନେ ପ୍ରକୃତ ଓ ମୂଳତଃ ସକଳ ସୁଖସ୍ୱାଚ୍ଛନ୍ଦ୍ୟ ବିଦ୍ୟାବିଜ୍ଞାନର ଓ ଆଳସ୍ୟ ବିଳାସର କାରଣ; ସେଇମାନଙ୍କ ପ୍ରତି ଅନ୍ୟାୟ ଅତ୍ୟାଚାର ଦୁଇହଜାର ବର୍ଷ ପୂର୍ବେ ମଧ୍ୟ ଧର୍ମର ଗ୍ଳାନି ବୋଲି ବୋଧହୁଏ ବୁଝାଉଥିଲା । କାରଣ ଏଇଭଳି ଧର୍ମର ଗ୍ଳାନି ଓ ମାନବାତ୍ମାର ଅବମାନନା ହିଁ ଇତିହାସ–ବିସ୍ମୃତ ରୋମ୍ ସାମ୍ରାଜ୍ୟର ପତନ ଘଟାଇଲା ବୋଲି କୁହାଯାଇପାରେ । ପୁଣି ସବୁ ସାମ୍ରାଜ୍ୟର ପତନ ଅଳ୍ପବହୁତ ଏହିଭଳି କାରଣରୁ ଘଟିଥାଏ ।

 

ସେତେବେଳେ ଜଣେ ଜଣେ ଯିଶୁ, ମହମ୍ମଦ, ବୁଦ୍ଧଙ୍କର ଅବତାର ହୁଏ ବୋଲି କଥିତ ଅଛି । ରୋମକ ସାମ୍ରାଜ୍ୟର ଯେଉଁ ସକଳ ଅତ୍ୟାଚାର ସମୟରେ ଯିଶୁଙ୍କର ଉଦ୍ଭବ ହେଲା, ଗ୍ରନ୍ଥକାର ଲାଜେର୍କଭିଷ୍ଟ ସେହି ପରିବେଶକୁ ଅତି ବାସ୍ତବ ଓ ଜୀବନ୍ତ ତୁଳୀରେ ରଞ୍ଜିତ କରିଛନ୍ତି ।

 

ଅନ୍ଧକାର-ଗହ୍ୱର

 

ରୋମର ଧନ–କୁବେରଙ୍କ ଖଣିର ଅନ୍ଧାର ଭିତରୁ ଆସି ବାରାବାସ ତାଙ୍କ ପ୍ରାସାଦ ତଳର ଘୋର ଅନ୍ଧାର ମଧ୍ୟରେ ସ୍ଥାନ ପାଇଲା । ପ୍ରହରୀମାନଙ୍କ ପ୍ରହାରର ଅସଂଖ୍ୟ ଦାଗ ବାରାବାସ ଅଙ୍ଗରେ ଅଙ୍କିତ । ଜନ୍ମାବଧି ନୀରବରେ ସେ ପୃଥିବୀର କେବଳ ପଦାଘାତ ପାଇଆସିଛି-। ମନୁଷ୍ୟଠାରୁ ପଶୁତୁଲ୍ୟ ବ୍ୟବହାର ପାଇବା ବ୍ୟତୀତ ତାହା ଭାଗ୍ୟରେ କେବେହେଲେ ଆଉ କିଛି ଅଧିକ ଘଟିନାହିଁ । ନିଜର ପିତାକୁ ମଧ୍ୟ ଅନ୍ୟ ଦୃଷ୍ଟିରେ ଦେଖିବା ସୁଯୋଗ ତାକୁ ମିଳିନାହିଁ-

 

ତାହାର ସହବନ୍ଦୀ ଯିଶୁଙ୍କୁ ତ୍ରୁଶବିଦ୍ଧ ଅବସ୍ଥାରେ ଦେଖିସାରି ସେ ଯେତେବେଳେ ନିଜ ଡକାୟତ ଦଳକୁ ଫେରିଯାଏ, ସେତେବେଳେ ବାରାବାସର ଭେଟ ହୁଏ, ତାହାର ସୁପରିଚିତା ପୁଣି ସେଇ ଜୀର୍ଣ୍ଣଓଷ୍ଠା ପୃଥକକାୟା ମଦ୍ୟପାୟିନୀ ସହିତ । ଉଭୟେ ମଦ୍ୟପାନ ଓ ହାସ୍ୟ କୌତୁକରେ ଉନ୍ନତ୍ତ ହୋଇ ସମସ୍ତ ରାତ୍ରି ପରସ୍ପରର ଅଙ୍ଗ ଉପଭୋଗ କରନ୍ତି । ବାରାବାସ୍‌ ଜୀବନରେ ଏହାହିଁ ସବୁଠାରୁ ବଡ଼ ପ୍ରାକୃତିକ ଘଟଣା ।

 

ତାହାପରେ ସେ ନିଜର ଚିର ସହଚର ଲୌହ ଶିକୁଳିକୁ ସଙ୍ଗୀ କରିଛି । ବନ୍ଦୀ ଅବସ୍ଥାରେ ତମ୍ବାଖଣିର ଗଭୀର ଗହ୍ୱର ମଧ୍ୟରେ ଆତ୍ମଗୋପନ କରିଛି । ଯେଉଁ ସହବନ୍ଦୀ ଯିଶୁଙ୍କୁ ସେ ତ୍ରୁଶଖୁଣ୍ଟରେ ଝୁଲାଇ ନିଜେ ମୁକ୍ତିଲାଭକରି ଫେରିଲା, ତାଙ୍କର କଥା ଡାକୁଦଳଙ୍କ ଭିତରେ ଏବଂ ଖଣି ଶ୍ରମିକଙ୍କ ମଧ୍ୟରେ ଆଲୋଚିତ ହେଉଥିବା ସେ ଶୁଣିଲା ।

 

ସନ୍ଦେହ ଓ ବିଶ୍ୱାସ

 

ବାରାବାସ ନିଜେ ଯାହା ଦେଖିଛି, ସେସବୁ ତାଙ୍କ ଆଗରେ କହିଲା । ତାହାର ସହବନ୍ଦୀ ତ୍ରୁଶ ଉପରକୁ ଗଲାବେଳେ ସେ ତାହାର ମୁଣ୍ଡ ଚାରିପାଖେ ଯେଉଁ ଆଲୋକଚକ୍ର ବୁଲୁଥିବାର ଏବଂ ପର କ୍ଷଣରେ ଉଭେଇ ଯିବାର ଦେଖିପାରିଥିଲା; ପୁଣି ସ୍ୱର୍ଗଦୂତମାନେ ଆକାଶରୁ ଆସି ଯିଶୁ ଶବକୁ କବର ଭିତରୁ କିପରି କାଢ଼ି ଘେନିଗଲେ, ଇତ୍ୟାଦି ଚାକ୍ଷୁଷ ଘଟଣା ସେ ଅଜ୍ଞ କେଉଟ, ବଢ଼େଇଙ୍କ ଆଗରେ ବର୍ଣ୍ଣନା କଲାବେଳେ ତାଙ୍କର ସନ୍ଦେହ ଜନ୍ମେ । ସେମାନେ ନାନା ପ୍ରଶ୍ନ ତାକୁ ପଚାରନ୍ତି ଏବଂ ତାହା କଥାର ସତ୍ୟତା ଉପରେ କେତେ ପ୍ରକାର ଯୁକ୍ତି କରନ୍ତି । କେତେଜଣ ଏକାବେଳେ ତାକୁ ହସରେ ଉଡ଼ାଇଦିଅନ୍ତି ।

 

ସେମାନଙ୍କର ଅବିଶ୍ୱାସ ଓ ସନ୍ଦେହ ଲାଗି ବାରାବାସ୍‌ କ୍ରୁଦ୍ଧ ହୁଏନାହିଁ । କାରଣ ସେ ନିଜେ ଯାହା ଦେଖିଛି, ତାହା କେତେ ସତ କେତେ ମିଛ, ନିଜେ ବିଚାରି ସ୍ଥିର କରିବାକୁ ମଧ୍ୟ ଅସମର୍ଥ; କିନ୍ତୁ ଅନ୍ୟମାନେ ସେଇକଥା ଆଲୋଚନା କଲାବେଳେ ବାରାବାସ୍‌ ନିଜେ ଅନୁଭବ କରିଥିବା ଘଟଣା ସବୁ ନିଶ୍ଚିନ୍ତ ମନରେ ପ୍ରକାଶ କରେ ।

 

ବାରାବାସର ବନ୍ଧୁ

 

ଦିନେ ତମ୍ବାଖଣି ଭିତରେ ସହକ୍‌ ନାମରେ ଆଉଜଣେ ବନ୍ଦୀ କ୍ରୀତଦାସ ସଙ୍ଗେ ଏଇସବୁ କଥାବାର୍ତ୍ତା ହେଉଥିଲାବେଳେ ସେ ଖଣି କର୍ମଚାରୀଙ୍କ ନଜରରେ ପଡ଼ିଲା । କାମ ମାରା କରି ଏଭଳି ବେଆଇନ ସଙ୍ଗଠନ ଲାଗି ସହକ୍‌ ସଙ୍ଗେ ବାରାବାସକୁ କଠୋର ଦଣ୍ଡ ପାଇବାକୁ ହେଲା । ନିରାହାର ଅବସ୍ଥାରେ ରହି ଚାବୁକ ପ୍ରହାରଦ୍ୱାରା ଦୁହିଙ୍କୁ ଅବିଶ୍ରାନ୍ତ ଖଣି କାମରେ ଲାଗିବାକୁ ହେଲା ।

 

ବାରାବାସ୍‌ ନିଜେ ଦେଖିଥିବା ଘଟଣାରେ ଅନୁପ୍ରାଣିତ ନହେଲେ ସୁଦ୍ଧା ତାହାରି କଥାରେ ଅନୁପ୍ରାଣିତ ହେଲା ସହକ୍‌ । ସେ ବାରାବାସ୍‌ର କୌଣସି ବିବରଣକୁ ସନ୍ଦେହ କରିପାରିଲା ନାହିଁ । ନିଜ ବେକରେ ଝୁଲୁଥିବା ବନ୍ଦୀର ନମ୍ବର ଚିହ୍ନ ପଛରେ ସେ ଏକ ତ୍ରୁଶଚିହ୍ନ ଧାରଣ କଲା । କର୍ମଚାରୀଙ୍କର ସବୁ ପ୍ରହାର ଅତ୍ୟାଚାର ଭିତରେ ସହକ୍‌ ସେହି ତ୍ରୁଶବିଦ୍ଧ ଯିଶୁଙ୍କ କଥା ଭାବି ସାନ୍ତ୍ୱନା ପାଏ । ମାତ୍ର ବାରାବାସ୍‌ ପକ୍ଷରେ ଆଉ କୌଣସି ସାନ୍ତ୍ୱନାର ଆବଶ୍ୟକତା ନାହିଁ । ନିଜେ ଦେଖିଥିବା ଘଟଣାର ବର୍ଣ୍ଣନା କରିବାହିଁ ତାହାର ଏକମାତ୍ର ସାନ୍ତ୍ୱନା । ବାରାବାସ୍‌ର ଚରିତ୍ର ଯେତିକି ବାସ୍ତବ, ସେତିକି ଅଦ୍ଭୁତ ହୋଇପଡ଼ିଚି ।

 

ବାରାବାସ୍‌ ଜୀବନର କଠୋର ବାସ୍ତବତା ସଙ୍ଗେ ତ୍ୟାଗପୂତ ଯିଶୁ ଆଦର୍ଶର ଯେଉଁ ଦ୍ୱନ୍ଦ୍ୱ ଉପସ୍ଥାପିତ ହୋଇଛି, ପୁଣି ନିଜର ଅଲକ୍ଷ୍ୟରେ ମଧ୍ୟ ସେହି ଆଦର୍ଶ ସଙ୍ଗେ ତାହାର ମିଳନ ଯେପରି ଘଟିଛି ସମ୍ପୂର୍ଣ୍ଣ ଏକ ଭ୍ରାନ୍ତଧାରଣାର ବଶବର୍ତ୍ତୀ ହୋଇ, ତାହା ଧର୍ମପ୍ରାଣ ଖ୍ରୀଷ୍ଟୀୟ ପାଠକ ଚିତ୍ତକୁ ଅଧିକ ନିବିଡ ଭାବରେ ସ୍ପର୍ଶ କରିବ । ଯିଶୁ ଆଦର୍ଶର ମହତ୍ତ୍ୱ ପ୍ରତିପାଦନ କରିବା ଲାଗି ଲେଖକଙ୍କର ଉଦ୍ୟମ ଅସାଧାରଣରୂପେ ସାର୍ଥକତା ଲାଭ କରିଛି ।

Image

 

ପ୍ରେମ ହିଁ ସତ୍ୟ

 

ବାସ୍ତବ ଯେ କଳ୍ପନାଠାରୁ ବେଶି ଅଦ୍ଭୁତ ଓ ବେଶି ବିଚିତ୍ର, ଏହା ବାରାବାସ୍‌ ଚରିତ୍ରର ବୈଶିଷ୍ଟ୍ୟ ବୋଲି ମନେହୁଏ । ସେ ଚରିତ୍ର ଏକ କଳ୍ପନାଶୂନ୍ୟ ନିର୍ମମ ବାସ୍ତବତାର ପ୍ରତୀକ ମାତ୍ର । ଅନ୍ଧକାର ଓ ମୃତ୍ୟୁ ବ୍ୟତୀତ ଆଉ କାହାରି ପ୍ରଭାବ ତଦୁପରି ପଡ଼ିନାହିଁ । ଅଥଚ ତାହାର କଥା ଅନ୍ୟ କ୍ରୀତଦାସ ସହକ୍‌ ଜୀବନରେ ତୁମୂଳ ବିବର୍ତ୍ତନ ଆଣିଛି । ସହକ୍‌ର କର୍ମରାଜ୍ୟରେ ରୋମ୍ ସାମ୍ରାଜ୍ୟ ଶାସନ ବିସ୍ତାର କରିଥିଲେ ହେଁ ଚିନ୍ତାରାଜ୍ୟରେ ରାଜତ୍ୱ କରିଛନ୍ତି, ଯିଶୁଖ୍ରୀଷ୍ଟ ।

 

ଖ୍ରୀଷ୍ଟାନ୍‌ଦଳନ

 

ଯିଶୁ ହତ୍ୟା ପରେ ତାଙ୍କରି ମତବାଦୀ ସମଗ୍ର ଖ୍ରୀଷ୍ଟୀୟ ସମାଜକୁ ଧ୍ୱଂସକରି ପୃଥିବୀରୁ ମୂଳପୋଛ କରିବାହିଁ ରୋମ୍‌ ସମ୍ରାଟ୍‌ଙ୍କର ପ୍ରଧାନ ନୀତି ହେଲା । କାରଣ ତାହା ନ ହେଲେ ସାମ୍ରାଜ୍ୟର ବିଲୋପ ଛଡ଼ା ଆଉ କିଛି ମଧ୍ୟବର୍ତ୍ତୀ ପନ୍ଥା ରହିଲା ନାହିଁ । ତେଣୁ ଖ୍ରୀଷ୍ଟ ମତବାଦକୁ ବେଆଇନ ଘୋଷଣା କରାଗଲା । ଖ୍ରୀଷ୍ଟାନମାନଙ୍କ ଏକତ୍ର ମିଳନ ବା ଉପାସନା ରାଜଦରବାରରେ ଦଣ୍ଡନୀୟ ହେଲା । ରୋମ୍‌ ନଗରୀର ବଧଭୂମିମାନ ତ୍ରୁଶବିଦ୍ଧ ଖ୍ରୀଷ୍ଟାନ୍‌ମାନଙ୍କ ସ୍ତୂପୀକୃତ ଅସ୍ଥିରେ ଭୀଷଣତର ଦିଶିଲା । ଖ୍ରୀଷ୍ଟାନ୍‌ଦଳନ ବ୍ୟତୀତ ଶାସନ କ୍ଷେତ୍ରରେ ଆଉ ଯେପରି କୌଣସି କର୍ମ ରହିଲା ନାହିଁ ।

 

ତମ୍ବାଖଣିର କେତେ କ୍ରୀତଦାସ ଖ୍ରୀଷ୍ଟଧର୍ମୀ ହୋଇଥିବା ଅପରାଧରେ ତ୍ରୁଶ ଉପରେ ଉଠିଲେ । ଆଉ ଯାହାଙ୍କୁ ସନ୍ଦେହ କରାଗଲା, ତାଙ୍କୁ ମଧ୍ୟ କଠିନ ଶାସ୍ତି ମିଳିଲା । ଯିଶୁଙ୍କ ନାମ ଘେନି କ୍ରୀତଦାସମାନେ ଦାସତ୍ୱରୁ ମୁକ୍ତି ପାଇବା ଆଶାକରି ଜୀବନରୁ ସୁଦ୍ଧା ମୁକ୍ତି ପାଇଲେ ।

 

ଖ୍ରୀଷ୍ଟାନ୍‌ ହୋଇଥିବା ସନ୍ଦେହରେ ସହକ୍‌ ଓ ବାରାବାସ୍‌ ଦୁହିଙ୍କୁ ତମ୍ବାଖଣିରୁ ଆଣି ଉଆସର ତଳ ଗହ୍ୱରରେ ବନ୍ଦୀକରି ରଖାଗଲା ଏବଂ ତାଙ୍କ ମେଣ୍ଟ ବିଷୟରେ ଦୁହିଙ୍କୁ ବହୁ ପରୀକ୍ଷାର ସମ୍ମୁଖୀନ ହେବାକୁ ପଡ଼ିଲା । ସହକ୍‌ର ନମ୍ବର ତଳୁ ତ୍ରୁଶଚିହ୍ନ ଆବିଷ୍କୃତ ହେଲା । ମାତ୍ର ବାରାବାସ୍‌ କେବଳ ସମ୍ବାଦ ଯୋଗାଇଥିବା ଅପରାଧରେ ଦଣ୍ଡିତ ହେଲା ।

 

ଗୋଟିଏ ସ୍ୱପ୍ନ

 

ଦିନେ ରାତିରେ ବାରବାସ୍‌ ଏକ ଅଦ୍ଭୁତ ସ୍ୱପ୍ନ ଦେଖିଲା । ତାହା ସହିତ ଏକା ଶିକୁଳିରେ ବନ୍ଧା ହୋଇଥିବା ଆଉ ଜଣେ କ୍ରୀତଦାସ ଅନ୍ଧକାର ମଧ୍ୟରେ ପ୍ରାର୍ଥନା କରୁଛି । ବାରବାସ୍‌ ପଚାରିଲା, ‘‘କାହିଁକି ତୁ ପ୍ରାର୍ଥନା କରୁଛୁ ? କି ଲାଭ ଅଛି ସେଥିରେ ?’’ ଏକ ପରିଚିତ କଣ୍ଠରୁ ସେ ଉତ୍ତର ଶୁଣିଲା, ‘‘ମୁଁ ଯେ ତୋହରି ପାଇଁ ପାର୍ଥନା କରୁଛି ।’’ ଉତ୍ତରଟି ବାରାବାସ୍‌ର ପ୍ରସ୍ତର ହୃଦୟକୁ ସୁଦ୍ଧା ଏତେଦୂର ପ୍ରବଳ ଭାବରେ ଆଘାତ କଲା ଯେ, ତାହା ମନରେ ଏକ ନୂତନ ଚିନ୍ତା ଓ ନବ ଉଦ୍ଦୀପନା ଜାଗ୍ରତ ହୋଇଉଠିଲା । ତାହାରି ପାଇଁ ସହବନ୍ଦୀଟି ପ୍ରାର୍ଥନା କରୁଛି ! କାହିଁକି ?

 

ନିଜର ଦୁଃଖ ଅଭାବ ବାରବାସ୍‌ ନିଜେ ବୁଝିବାକୁ ଅକ୍ଷମ । ତେଣୁ ତାହା ଲାଗି ଜଣେ ସହବନ୍ଦୀ ପ୍ରାର୍ଥନା କରିବାର କାରଣ କ’ଣ ? ସ୍ୱପ୍ନଭଙ୍ଗ ହେବାମାତ୍ରେ ସେ ଚାହିଁ ଦେଖିଲା ଯେ, କାହାରି ସଙ୍ଗେ ତ ଶିକୁଳିରେ ତାକୁ ବନ୍ଧା ଯାଇନାହିଁ । ସେ ସମ୍ପୂର୍ଣ୍ଣ ମୁକ୍ତ । ସମଗ୍ର ପୃଥିବୀରେ କାହାରି ସହିତ ସେ ଆବଦ୍ଧ ନୁହେଁ । ମନୁଷ୍ୟର ସୀମାବଦ୍ଧ ସଂକୀର୍ଣ୍ଣ ଜୀବନକାଳ ମଧ୍ୟରେ ବାରବାସ୍‌ ଦୀର୍ଘ ଅଭିଜ୍ଞତା ଅର୍ଜନ କରି ଆଜି ଶେଷ ପର୍ଯ୍ୟାୟରେ ଉପନୀତ । ତାହାର ସର୍ବାଙ୍ଗରେ ବାର୍ଦ୍ଧକ୍ୟ ଆସି ମୋହର ଲଗାଇଦେଇଛି । ହୁଏତ ଆଉ କେଉଁ ଅଜ୍ଞାତ ଅଶ୍ରୁତ ଖଣିଗହ୍ୱରରେ ପୁଣି ଏହିପରି ନିରବଚ୍ଛିନ୍ନ କଠିନ ଶ୍ରମ କରିବା ପାଇଁ ତାହା ଉପରେ ହୁକୁମ ଆସିବ ବୋଲି ତାକୁ ଚିହ୍ନଟ କରି ରଖାଗଲାଣି । ମାତ୍ର ବାରାବାସ୍‌ର ସେ ଦିଗକୁ ଯେମିତି ଭ୍ରୂକ୍ଷେପ ନାହିଁ ।

 

ପ୍ରାଣର ସ୍ପନ୍ଦନ

 

ସେ ଲୋଳିତ ଚର୍ମ, ପଳିତ ମୁଣ୍ଡ ହୋଇ ସ୍ଥବିର ହେଲେହେଁ ସ୍ଥିର ନୁହେଁ । ତାହାର ପ୍ରତି ଧମନୀରେ ମନୁଷ୍ୟର ରକ୍ତ ଅହରହ ପ୍ରଧାବିତ । ପ୍ରତି ମୁହୂର୍ତ୍ତରେ ଜୀବନ ସ୍ପନ୍ଦିତ ହୋଇଉଠୁଛି । ସୃଷ୍ଟିର ଅତୀତ ଓ କଳ୍ପନାର ଅତୀତ ଏହି ସୀମାସରହଦ ଶୂନ୍ୟ କାଳବକ୍ଷରେ ବାରାବାସ୍‌ର ନିପୀଡ଼ିତ, ଅତ୍ୟାଚାରିତ ଓ ଦୁର୍ବହ ଜୀବନ ଆଦୌ ବିଚାର୍ଯ୍ୟ ବା ଉଲ୍ଲେଖଯୋଗ୍ୟ ନ ହେଲେ ସୁଦ୍ଧା ସେ ଏକ ପଲକସ୍ଥାୟୀ ଚପଳାର ଚମକ ମାତ୍ର, ଯାହାର ବଜ୍ର ବର୍ଷଣହୀନ ନୀରବ ଦ୍ୟୁତି ଦିଗ୍‌ବଳୟ ଉପରେ ଟିକିଏ ରେଖାଚିହ୍ନ ଆଙ୍କି ନିଭିଯାଏ–ସେ ଚିହ୍ନର ପ୍ରକାଶ ଅଛି, କିନ୍ତୁ ପ୍ରଭାବ ନାହିଁ, ସ୍ଥିତି ଅଛି, ଅଥଚ ସ୍ଥାୟିତ୍ୱ ନାହିଁ ।

 

ଧରାପୃଷ୍ଠରେ ସେତିକି ପ୍ରକାଶ ଓ ସେଇଟିକ ସ୍ଥିତିର ଅଧିକାର ବାରାବାସ୍‌କୁ ମିଳିଛି । ତାହାରି ଜୋରରେ ସେ ବଳୀୟାନ । ଏହି ଗ୍ରହର ଦୁଇଶହ କୋଟି ନରନାରୀ ଯେଉଁ ଜୋର ଘେନି ବିଚରଣ କରନ୍ତି, କେବଳ ବିଚରଣ କରନ୍ତି ନାହିଁ–ଏହି ଗ୍ରହର ଆକାଶ ଊର୍ଦ୍ଧ୍ୱରେ ବିଜୟର ଧ୍ୱଜାଧରି ଅଭିଯାନ ଚଳାନ୍ତି, ଦୁଃଖ ବିରୁଦ୍ଧରେ, ଅଭାବ ବିରୁଦ୍ଧରେ, ଅନ୍ଧାର ବିରୁଦ୍ଧରେ, ଅଶିକ୍ଷା ବିରୁଦ୍ଧରେ, ରୋଗ ବିରୁଦ୍ଧରେ, ମୃତ୍ୟୁ ବିରୁଦ୍ଧରେ–ବାରାବାସ୍‌, ଏହିମାନଙ୍କ ମଧ୍ୟରୁ ଜଣେ ହେଲେହେଁ ସେ ଆପଣାକୁ ସମ୍ପୂର୍ଣ୍ଣ ଏକାକୀ ବୋଲି ଜ୍ଞାନ କରେ । ତଥାପି ତାହାର ବୀର୍ଯ୍ୟ ବିକ୍ରମ ଅପରିସୀମ । ସମଷ୍ଟିଠାରୁ ପୃଥକ୍‌ ହେଲେ ସୁଦ୍ଧା ଏହି ଅଣୁଟିର ଦାହିକା ଶକ୍ତି ସମଷ୍ଟିଠାରୁ ଊଣା ନୁହେଁ ।

 

ଜନ୍ମଜୟୀ

 

ସେ ଶକ୍ତି ବଳରେ ବାରାବାସ୍‌ ଜନ୍ମରୁହିଁ ବିଜୟୀ । ଚଷା ତାହାର ଲଙ୍ଗଳମୁନରେ ଯେଉଁ ବିଜୟ ଏଇ ମାଟି ଉପରେ ହାସଲ କରେ, ବଢ଼େଇ ହାସଲ କରେ ତାହାର ନିହାଣ ଧାରରେ, କମାର ତାହାର ହାତୁଡ଼ି ଜୋରରେ–ପ୍ରତି ଶ୍ରମିକ ହାସଲ କରେ ନିଜ ଝାଳ ଦେଇ, ରକ୍ତ ଢାଳି–ବାରାବାସ୍‌ ଏକାକୀ ଅସହାୟ ଉପେକ୍ଷିତ ଲାଞ୍ଛିତ ବଞ୍ଚିତ ହୋଇ ସୁଦ୍ଧା ଆଜି ସେହି ବିଜୟର ଅଧିକାରୀ । ନିବିଡ଼ ଅନ୍ଧକାର ଭିତରୁ ସେ ଆଲୋକର ସନ୍ଧାନ କରୁଛି । ଜନ୍ମାବଧି ଏହି ବିଜୟର ଅଭିଯାନ ତାକୁ ଜରାର ଦ୍ୱାରସ୍ଥ କଲାଣି । ସେ ଆଜି ଯଥାର୍ଥରେ ଜନ୍ମଜୟୀ ।

 

ବନ୍ଦୀ ଜୀବନର ସୁପରିଚିତ ଅଭ୍ୟସ୍ତ ଅନ୍ଧକାର ମଧ୍ୟରେ ବାରାବାସ୍‌ ହଠାତ୍‌ ଏକ ଆଲୋକରଶ୍ମି ଦେଖିପାରିଲା । କ୍ଷଣକ ପରେ ତାହା ପୁଣି କୁଆଡ଼େ ଉଭେଇଗଲା । ମୁଣ୍ଡରେ ହାତ ଘଷି ସେ ଚତୁର୍ଦ୍ଦିଗର ଅନ୍ଧାର ଭିତରେ ସେଇ ରଶ୍ମିକୁ ଖୋଜିଲା । ସେ କ’ଣ ଆଲୋକ ନୁହେଁ, କେବଳ ତାହାର କଳ୍ପନା ? ଅଥବା ସେଦିନର ସେଇ ନିରୀହ ଯିଶୁ ମସ୍ତକରେ ଆଲୋକଚକ୍ର ଦେଖିଥିବା ଭଳି ଏକ ମାୟା ମାତ୍ର !

 

ନା, ନା, ଏ ଗହ୍ୱର ମଧ୍ୟକୁ ଆଲୋକ ଆସିବ କେଉଁଠି ? ଏଠାରେ ଯେ, ଅନ୍ଧକାର ଛଡ଼ା ଆଉ କୌଣସି ବସ୍ତୁର ସ୍ଥାନ ନାହିଁ । ଚତୁର୍ଦ୍ଦିଗରେ କେବଳ ବରଫ–ଶୀତଳ–ଅଶେଷ ଅଭେଦ୍ୟ ଅନ୍ଧକାରଦ୍ୱାରା ଆବୃତ ହୋଇ ରହିଛି । ନିଜ ଦେହକୁ ସୁଦ୍ଧା ନିଜେ ଚିହ୍ନିବାର ଉପାୟ ନାହିଁ ତାହାର-

Image

 

ନବ ସଂକେତ

 

ଦିନେ ସନ୍ଧ୍ୟାରେ ବାରାବାସ୍‌ ଅନ୍ତରାଳରୁ ଶୁଣିପାରିଲା, ଆଉ ଦି ଜଣ କ୍ରୀତଦାସ ବନ୍ଦୀ ଏକାନ୍ତରେ ତୁନି ତୁନି କଅଣ କଥାବାର୍ତ୍ତା କରୁଛନ୍ତି । ଅନ୍ଧକାରରେ ସେମାନଙ୍କୁ ସେ ଚିହ୍ନିପାରିଲା ନାହିଁ । କିନ୍ତୁ ତାଙ୍କ କଣ୍ଠସ୍ୱରରୁ ଜାଣିଲା, ସେ ଦୁଇଜଣ ନୂଆ ହୋଇ ଗହ୍ୱର ଭିତରକୁ ଆସିଛନ୍ତି । ପରଦିନ ସନ୍ଧ୍ୟାରେ ଅନ୍ୟାନ୍ୟ ଭାଇମାନେ ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ ଏକତ୍ର ହୋଇ ସଭା କରିବେ ବୋଲି ତାଙ୍କ କଥାରୁ ସେ ବୁଝିଲା । କିନ୍ତୁ ଯେଉଁ ସ୍ଥାନରେ ସେମାନେ ଭେଟିବାକୁ ସ୍ଥିର କରିଛନ୍ତି, ତାହା ଯେ ଖ୍ରୀଷ୍ଟିଆନମାନଙ୍କୁ କବର ଦେବାର ଗୋଟିଏ ଗର୍ତ୍ତ ! ଖ୍ରୀଷ୍ଟଧର୍ମରେ ପ୍ରଥମେ ଦୀକ୍ଷିତ ହୋଇଥିବା ରୋମ୍‌ ଅଧିବାସୀଙ୍କୁ ହତ୍ୟା କରି ଏହିଠାରେ କବର ଦିଆଯାଏ ।

 

ମୁର୍ଦ୍ଦାର ଭୂମି

 

ଏହି ମୁର୍ଦ୍ଦାର ଭୂମି ଉପରେ ସେମାନେ ବସି ପରସ୍ପରକୁ ଭଲପାଇବେ ? ପରସ୍ପରକୁ ଭାଇ ବୋଲି ଡାକିବେ ? ଆଶ୍ଚର୍ଯ୍ୟ ! ବାରାବାସ୍‌ର ପ୍ରବଳ କୌତୂହଳ ଜନ୍ମିଲା । ପରଦିନ ସନ୍ଧ୍ୟାରେ ସେ ଲୁଚି ଲୁଚି ଗହ୍ୱରଭିତରୁ ବାହାରିଲା । କିନ୍ତୁ ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚି ଦେଖିଲା, ଜଣେହେଲେ କେହି ମନୁଷ୍ୟ ଏଠାରେ ତ ନାହିଁ । ବାରାବାସ୍‌ ବ୍ୟତୀତ ଆଉ କୌଣସି ଜୀବିତ ମନୁଷ୍ୟର ସନ୍ଧାନ ପାଇବା ଦୁଷ୍କର । କେବଳ ମୃତ ଏବଂ ନିହତ ବନ୍ଦୀମାନେ ଏ ମୃତ୍ତିକାକୁ ଶେଷଚୁମ୍ବନ ଦେଇଯାଇଛନ୍ତି ।

 

ମୁର୍ଦ୍ଦାର ! ଯେଉଁ ଦିଗକୁ ସେ ପାଦ ପକାଏ, ସେ ଦିଗରେ କେବଳ ମୁର୍ଦ୍ଦାର । ମୁର୍ଦ୍ଦାରର ରାଜ୍ୟ ! ବାରାବାସ୍‌ ଏହି ମୁର୍ଦ୍ଦାର ରାଜ୍ୟର ଅଧିବାସୀ ! ଏହି ସଂଖ୍ୟାତୀତ ମୁର୍ଦ୍ଦାରଙ୍କ ମଧ୍ୟରେ ସେ ବନ୍ଦୀ ହୋଇଛି । ଏଠାରୁ ଉଦ୍ଧାର ପାଇବାର ଉପାୟ ନାହିଁ ।

 

ଭୟରେ ତାହାର ନିଃଶ୍ୱାସ ରୁନ୍ଧ ହୋଇଗଲା । ହଠାତ୍‌ ସେ ପାଗଳ ପରି ଏଣେତେଣେ ପଳାଇବାକୁ ଲାଗିଲା । ଅନ୍ଧାର ଭିତରେ କେତେ ଅଜଣା ବାଟ ଅଜଣା ପାହାଚରେ ଝୁଣ୍ଟି ସେ କଚଡ଼ା ଖାଇଲା । ମାତ୍ର ଏହି ମୁର୍ଦ୍ଦାର ରାଜ୍ୟରୁ ମୁକ୍ତି ପାଇବାକୁ ସେ ଲୋଡ଼େ ! କେତେ କାନ୍ଥରେ ତାହାର ମୁଣ୍ଡ ପିଟି ହୋଇଗଲା । ଏଇସବୁ କାନ୍ଥରେ କେତେ ଜୀଅନ୍ତା ମଣିଷଙ୍କୁ କଣ୍ଟାପିଟି ମାରି ଦିଆଯାଇଛି । କାନ୍ଥଗୁଡ଼ାକ ଯେମିତି ମଣିଷ ଶବରେ ତିଆରି ହୋଇଛି ! ନିଜକୁ ମଧ୍ୟ ଗୋଟାଏ ମୁର୍ଦ୍ଦାର ବୋଲି ତାହାର ଭ୍ରମ ହେଲା ।

 

ଜୀବନ ଓ ଆଲୋକ

 

ଜୀବନ-ମୃତ୍ୟୁ ଓ ଆଲୋକ-ଅନ୍ଧାର ମଧ୍ୟରେ ବାରାବାସ୍‌ର ଯେଉଁ ଭ୍ରମ ଜାତ ହୋଇଛି, ସେଇ ଅବସ୍ଥାର ଅବତାରଣା ଲେଖକଙ୍କ ଶିଳ୍ପ ଚାତୁରିର ଅସାଧାରଣ ବୈଶିଷ୍ଟ୍ୟକୁ ସୂଚାଇଦିଏ । ନିଜ ମୃତ୍ୟୁ ବଦଳରେ ସହବନ୍ଦୀର ମୃତ୍ୟୁକୁ ଦେଖି ସେ ଜୀବନ–ମୃତ୍ୟୁର ନିକଟତମ ବ୍ୟବଧାନ ଅନୁଭବ କରିଛି । ସେହିଭଳି ଦୀର୍ଘକାଳ ଅନ୍ଧକାର ଗହ୍ୱରରେ ବାସକରି କୌଣସି ଛିଦ୍ର ମଧ୍ୟରୁ ଆଲୋକ ଦେଖିବାକୁ ପାଇଲେ, ଯିଶୁ ମସ୍ତକର ଆଲୋକଚକ୍ର ଦେଖିଥିବା ଘଟଣା ତାହାର ମନେପଡ଼ିଯାଏ । ପୁଣି ସେହିପରି ଭ୍ରମ ଜାତ ହୁଏ–ପ୍ରକୃତରେ ତାହା ଗୋଟାଏ ଆଲୋକ କି ନୁହେଁ-! ଜୀବନଠାରୁ ମୃତ୍ୟୁ ଅଥବା ଅନ୍ଧାରଠାରୁ ଆଲୋକର ପ୍ରଭେଦ କେଉଁଠି !

 

ଘୋର ଅନ୍ଧକାର ମଧ୍ୟରେ ମୁର୍ଦ୍ଦାର ରାଜ୍ୟରେ ବିଚରଣ କରୁଥିବା ବେଳେ ଦୂରରେ ସେ ଏକ ଆଲୋକରଶ୍ମି ଦେଖିପାରିଲା । ଅଳ୍ପ କ୍ଷଣ ପରେ ସେ ରଶ୍ମି ଉଭେଇଯାଇ ପୁଣି ଅନ୍ଧକାର ଘୋଟି ରହିଲା । ସେ ହୁଏତ ତାହାର ଆହୁରି ଏକ ଭ୍ରମ ହୋଇଥିବ, ଯିଶୁ ମସ୍ତକରେ ଆଲୋକଚକ୍ର ଦେଖିଥିବା ପରି । ଆଲୋକ କିମ୍ବା ଜୀବନ କେବଳ ଭ୍ରମ ଛଡ଼ା ଆଉ କିଛି ନୁହେଁ । କେବଳ ଅଭ୍ରାନ୍ତ ଓ ସ୍ଥାୟୀ ବସ୍ତୁ ହେଉଛି, ମୃତ୍ୟୁ ଏବଂ ଅନ୍ଧକାର !

 

ସ୍ନେହ ପ୍ରେମ ଭ୍ରାତୃଭାବ

 

ସେମାନେ କିନ୍ତୁ ମୃତ୍ୟୁକୁ ଭ୍ରୂକ୍ଷେପ ନ କରି ଏକତ୍ର ହେବାକୁ ମନ୍ତ୍ରଣା କରିଥିଲେ । ଏକତ୍ର ପ୍ରାର୍ଥନା କରିବାକୁ ଭାଇ ଭାଇ ରୂପେ ପରସ୍ପରକୁ ସ୍ନେହ ପ୍ରେମ କରିବାପାଇଁ, ମନୁଷ୍ୟ ଭିତରୁ ଓ ନିଜ ଭିତରୁ ହିଂସା, ଦ୍ୱେଷ, ଶତ୍ରୁତା ଦୂର କରିବା ସକାଶେ; ମାତ୍ର କାହାନ୍ତି ସେମାନେ ?

 

ରୋମ୍‌ ନଗରୀର ଗୋଟିଏ ଗଳିଭିତରେ ପଶି ବାରାବାସ୍‌ ଧୂଆଁରେ ରୁନ୍ଧ ହୋଇଗଲା । ଅଳ୍ପ ଦୂରରେ ଗୋଟାଏ ଘରୁ ଧୂଆଁ ବାହାରୁଥିବା ସେ ଦେଖିଲା । ଧୂଆଁ ଭିତରୁ ଅଗ୍ନିର ଲହ ଲହ ଜିହ୍ୱା ଦେଖିପାରି ସେହି ଦିଗକୁ ସେ ଧାବିତ ହେଲା । ତାହାର ଚତୁର୍ଦ୍ଦିଗରେ ‘ନିଆଁ’ ‘ନିଆଁ’ ଚିତ୍କାର କରି ଲୋକମାନେ ଦୌଡ଼ୁଥାନ୍ତି । ଚାହୁଁ ଚାହୁଁ ଗୋଟାକ ପରେ ଆଉ ଗୋଟାଏ ଘରେ ନିଆଁ ଜଳିଉଠିଲା । ଚାରିଆଡ଼ୁ ଲୋକେ ପାଟିକରି ଉଠିଲେ, ‘‘ଖ୍ରୀଷ୍ଟାନମାନଙ୍କ କାଣ୍ଡ ! ଖ୍ରୀଷ୍ଟାନମାନଙ୍କ କାଣ୍ଡ !’’

 

ପ୍ରାୟଶ୍ଚିତ୍ତ

 

କିଛି ସମୟ ସ୍ତମ୍ଭୀଭୂତ ହୋଇ ବାରାବାସ୍‌ ଟିକିଏ ଚିନ୍ତାକଲା । ପ୍ରଥମେ ସେମାନଙ୍କ କଥା ସେ ବୁଝିପାରିଲା ନାହିଁ । ଖ୍ରୀଷ୍ଟାନମାନେ ହିଁ, ନିଶ୍ଚୟ ! ଖ୍ରୀଷ୍ଟାନମାନେହିଁ ରୋମ ନଗରୀକୁ ପୋଡ଼ି ଦେଉଚନ୍ତି । ସେଇମାନେ ତ ସମଗ୍ର ପୃଥିବୀରେ ଆଜି ନିଆଁ ଜାଳିଛନ୍ତି ! ସେମାନେ ଆଜି ସନ୍ଧ୍ୟାରେ ଏକତ୍ର ନ ହେବାର କାରଣ ଏବେ ସେ ବୁଝିପାରିଲା ।

 

ଏହି ଅତ୍ୟାଚାରୀ ପାପଗ୍ରସ୍ତ ରୋମ୍ ନଗରକୁ ଧ୍ୱଂସ କରିବା ପାଇଁ, ଦୁର୍ନୀତିଗ୍ରସ୍ତ ପୃଥିବୀକୁ ଧ୍ୱଂସ କରି ମାନବ ସମାଜକୁ ଉଦ୍ଧାର କରିବାପାଇଁ ସେଇ ତ୍ରୁଶବିଦ୍ଧ ପୁରୁଷ ତ ପ୍ରତିଶ୍ରୁତି ଦେଇଯାଇଥିଲେ । ଏବେ ତା’ହେଲେ ସେହି ଶୁଭ ସମୟ ଆସିଛି । ସେ ଆଜି ପୃଥିବୀକୁ ପୁଣି ଫେରିଆସିଛନ୍ତି । ବାରାବାସ୍‌ କଦାପି ଏ ସୁଯୋଗ ଛାଡ଼ିବ ନାହିଁ । ନିଶ୍ଚୟ ଏଥର ତାଙ୍କୁ ସେ ସାହାଯ୍ୟ କରିବ । ନିଶ୍ଚୟ, ନିଶ୍ଚୟ । ସେଦିନ ଯାହାଙ୍କୁ ସେ ତ୍ରୂଶ ଉପରକୁ ପଠାଇ ଦେଇଥିଲା, ଆଜି ତାଙ୍କରି ପାଇଁ ତା’ର ପ୍ରାୟଶ୍ଚିତ୍ତ କରିବାର ସମୟ ଆସିଛି ।

 

ଖଣ୍ଡେଲେଖାଁ ଜଳନ୍ତା ନିଆଁଖୁଣ୍ଟା ଧରି ବାରାବାସ୍‌ ଗୋଟିକ ପରେ ଆଉ ଗୋଟିଏ ଘରେ ଲଗାଇଦେଲା । ତାହାର ବୃଦ୍ଧ ଅଙ୍ଗରେ ଶତଗୁଣ ଶକ୍ତି ସଞ୍ଚାରିତ ହେଲା । ଗୋଟିଏ ଘରୁ ଅନ୍ୟ ଘରକୁ ନିଆଁ ଡେଇଁ ଚାଲିଲା । ସମଗ୍ର ରୋମ୍ ନଗରୀ ଏକ ବିଶାଳ ଅଗ୍ନି ସମୁଦ୍ରରେ ପରିଣତ ହେଲା । ସମୁଦାୟ ପୃଥିବୀ ଜଳିଉଠିଲା ।

 

ବାରାବାସ୍‌ର ହୃଦୟ ଆନନ୍ଦରେ ନୃତ୍ୟ କରିଉଠିଲା । ଦେଖ, ଦେଖ, ତାଙ୍କରି ରାଜ୍ୟ ଏବେ ଦୁନିଆରେ ପ୍ରତିଷ୍ଠିତ ହୋଇଛି ! ତାଙ୍କରି ରାଜ୍ୟ ! ଆଲୋକ ଓ ଜୀବନର ରାଜ୍ୟ ! ସ୍ନେହ ଓ ଭ୍ରାତୃତ୍ୱର ରାଜ୍ୟ !

Image

 

Unknown

ମୁକ୍ତି ସଂଗୀତ

 

ଯେଉଁ ଆଲୋକ ଓ ଜୀବନର ରାଜ୍ୟ, ପ୍ରେମ ଓ ଭ୍ରାତୃତ୍ୱର ରାଜ୍ୟ ସୃଷ୍ଟି କରିବାଲାଗି ବାରାବାସ୍‌ ରୋମ୍‌ନଗରୀର ବହୁ ଗୃହକୁ ପୋଡ଼ିଦେଲା, ଫଳହେଲା ତାହାର ବିପରୀତ । ଖ୍ରୀଷ୍ଟାନ୍‌ମାନଙ୍କୁ ଗୃହଦାହ ଅପରାଧରେ ହତ୍ୟା କରିବାକୁ ରୋମ୍‌ର ଶାସକ ଏହି ଅସଦୁପାୟ ଭିଆଇଥିଲେ । ତାଙ୍କରି ଇଙ୍ଗିତରେ ସରକାରୀ କର୍ମଚାରୀମାନେ ଘରେ ଘରେ ନିଆଁ ଲଗାଇ ସବୁ ଦୋଷ ଖ୍ରୀଷ୍ଟାନ୍‌ମାନଙ୍କ ଉପରେ ଲଦିଦେବା ଚେଷ୍ଟାରେ ଥିଲେ । ନିଜ ନିର୍ବୁଦ୍ଧିତାରୁ ବାରାବାସ୍‌ ରାଜ କର୍ମଚାରୀମାନଙ୍କ ସେଇ ଅଭିସନ୍ଧିକୁ ସଫଳ କଲା । ଖ୍ରୀଷ୍ଟାନ୍‌ମାନଙ୍କ ମଙ୍ଗଳ କରିବାକୁ ଯାଇ ସେ ତାଙ୍କରି ବିରୁଦ୍ଧରେ ହିଁ ଗଲା ଆପଣାର ଅଜ୍ଞତା ଦୋଷରୁ ।

 

ଅଭିଯୁକ୍ତ

 

ନିଆଁହୁଳା ଧରି ଘରେ ଘରେ ଫିଙ୍ଗୁଥିବା ଅବସ୍ଥାରେ ପୋଲିସଙ୍କଦ୍ୱାରା ସେ ଧୃତ ହେଲା-। ଖ୍ରୀଷ୍ଟାନ୍‌ଗଣ ବାରାବାସ୍‌କୁ ତାଙ୍କ ଧର୍ମାବଲମ୍ବୀ ବୋଲି ସ୍ୱୀକାର ନ କରିବାରୁ କର୍ମଚାରୀମାନେ ତାହାର ପ୍ରମାଣ ମଧ୍ୟ ଦେଲେ । ବାରାବାସ୍‌ର ବେକରେ ଓହଳିଥିବା ବନ୍ଦୀ ନମ୍ବରର ପଛପଟେ ଯିଶୁଙ୍କ ନାମ ଅଙ୍କିତ ଥିବାର ଦେଖାଗଲା । ଏଇ ନାମକୁ ସେ ତମ୍ବାଖଣିରେ କାମ କରୁଥିବା କାଳରୁ ଘେନିଛି । ତାହାର ତ୍ରୁଶବିଦ୍ଧ ବନ୍ଧୁ ସହକ୍‌ ସଙ୍ଗରେ ସେ ନାମକୁ ବାରାବାସ୍‌ର ନମ୍ବରତଳେ ଜଣେ ଖ୍ରୀଷ୍ଟାନ ଆଙ୍କି ଦେଇଥିଲେ । ମାତ୍ର ରୋମର ସରକାରୀ ସୁପରଭାଇଜର ସେ ଖ୍ରୀଷ୍ଟାନ ନ ଥିବା ଜାଣିପାରି ଯିଶୁଙ୍କ ନାମ ଉପରେ ଗୋଟାଏ ଛକ କାଟି ଦେଇଥିଲେ । ତାହା ଫଳରେ ଖଣି ଭିତରେ କାମ କରୁଥିବାବେଳେ ବାରାବାସ୍‌ ଅନେକ ପ୍ରହାର, ଦଣ୍ଡ ଓ ଅନଶନ ଦୁଃଖରୁ ରକ୍ଷାପାଇଛି; କାରଣ ଖ୍ରୀଷ୍ଟାନ ବନ୍ଦୀଙ୍କ ପ୍ରତି ଯେଭଳି କଠୋର ଦଣ୍ଡର ବ୍ୟବସ୍ଥା ଥିଲା, ଅଣଖ୍ରୀଷ୍ଟାନଙ୍କ ପ୍ରତି ତାହା ଅନେକ ପରିମାଣରେ କୋହଳ ହୋଇପଡ଼ୁଥିଲା ।

 

ବର୍ତ୍ତମାନ ସେଇ ଚିହ୍ନ ତାକୁ ପୁଣି ଖ୍ରୀଷ୍ଟାନ ରୂପେ ପ୍ରମାଣ କରିବାକୁ ସହାୟକ ହେଲା । କେବଳ ସେତିକି ନୁହେଁ, ଖ୍ରୀଷ୍ଟାନମାନେ ଯେ ଷଡ଼ଯନ୍ତ୍ର କରି ଅଗ୍ନ୍ୟୁତ୍ପାତ ଭିଆଇଛନ୍ତି, ବାରାବାସ୍‌ହିଁ ତାହାର ଚାକ୍ଷୁଷ ପ୍ରମାଣରୂପେ ଅଭିଯୁକ୍ତ ହେଲା ।

 

ସ୍ୱୀକାରୋକ୍ତି

 

ଏହି ସୂତ୍ରରେ ରୋମ୍‍ରୁ ଖ୍ରୀଷ୍ଟାନ ନିପାତ କରିବା ଶାସକମାନଙ୍କର ଅଭିପ୍ରାୟ ଥିବାରୁ ବାରାବାସ୍‌ ସହିତ ଦଳ ଦଳ ହୋଇ ଖ୍ରୀଷ୍ଟାନ ବନ୍ଦୀ ହେଲେ । ସବୁରି ବିଚାର କରାଯାଇ ପ୍ରାଣଦଣ୍ଡ ଆଦେଶ ହେଲା । ବିଚାର ସମୟରେ ବାରାବାସ୍‌ କୌଣସି କଥା ଗୋପନ ରଖିଲା ନାହିଁ । କାହିଁକି ଓ କିପରି ଅବସ୍ଥାରେ ସେ ନିଆଁହୁଳା ଧରି ଘର ପୋଡ଼ିଥିଲା, ସବୁ କଥା ସ୍ପଷ୍ଟଭାବରେ ବିଚାରକଙ୍କ ସମ୍ମୁଖରେ ସ୍ୱୀକାର କଲା । ସେ ଯେ ରୋମର୍‌ ରାଜା ସିଜାରଙ୍କ ଅନୁଗତ ନୁହେଁ ଏବଂ ଯିଶୁଙ୍କର ଜଣେ ସେବକ, ତାହା ମଧ୍ୟ ପ୍ରକାଶ କଲା ।

 

ପଥରମୁଣ୍ଡିଆ କଟାଯାଇ ଯେଉଁ ଅନ୍ଧକାର ଗୃହରେ ବନ୍ଦିଶାଳା ପ୍ରସ୍ତୁତ ହୋଇଥାଏ, ତାହାରି ଭିତରେ ସଢ଼ା କୁଟାରେ ବସିଥାଏ ବାରାବାସ । ପାଖରେ ଘେରି ବସିଥାନ୍ତି ଅନେକ ଖ୍ରୀଷ୍ଟାନ ବନ୍ଦୀ; କିନ୍ତୁ ବାରାବାସକୁ ସେମାନେ ଚିହ୍ନନ୍ତି ନାହିଁ । ବିନା ଦୋଷରେ ସେମାନଙ୍କୁ ଏଇ ମୃତ୍ୟୁଦଣ୍ଡ ମିଳିଥିବାରୁ ସେମାନେ ପରସ୍ପର ମଧ୍ୟରେ ବିଚାର କରୁଥାନ୍ତି । ବନ୍ଦିଶାଳାର ଅଧ୍ୟକ୍ଷ ସେମାନଙ୍କୁ ଖାଦ୍ୟଦେବାକୁ ଆସି ବାରାବାସ୍‌ ବିଚାରାଳୟରେ ନିଜ ଦୋଷ କିପରି ସ୍ୱୀକାର କଲା ଏବଂ ସେଥିଲାଗି ସବୁ ଖ୍ରୀଷ୍ଟାନ ଗୃହଦାହ ଅପରାଧରେ ଦଣ୍ଡିତ ହୋଇଛନ୍ତି, ତାହା ସମସ୍ତଙ୍କୁ ଜଣାଇଲେ । ଅବାକ ହୋଇ ସମସ୍ତେ ବାରାବାସ୍‌ଆଡ଼କୁ ଚାହିଁଲେ । ପରେ ଅନେକ ପ୍ରଶ୍ନକଲେ ତାକୁ ।

 

ବିଚାରଭ୍ରମ

 

କାହିଁକି ସେ ଏପରି କାର୍ଯ୍ୟ କଲା ? ସେମାନଙ୍କର ପ୍ରଭୁ ମନୁଷ୍ୟର ଆତ୍ମାକୁ ସିନା ପ୍ରଜ୍ଜ୍ୱଳିତ କରିଯାଇଛନ୍ତି, ତାହାର ଗୃହ ଜାଳିଦେବାକୁ ତ କହିନାହାନ୍ତି । କେବେହେଲେ ତ ମନୁଷ୍ୟର ଅମଙ୍ଗଳ କରିବା ତାଙ୍କର ଉଦ୍ଦେଶ୍ୟ ନୁହେଁ !

 

ପ୍ରେମ ଓ ଆଲୋକର ପ୍ରତୀକ ସେହି ପ୍ରଭୁଙ୍କ ବିଷୟ ସେମାନେ କୁହାକୁହି ହେଲେ ଏବଂ ତାଙ୍କର ରାଜ୍ୟ ହିଁ ପ୍ରତିଷ୍ଠିତ ହେବ ବୋଲି ଆଶା ପ୍ରକାଶ କଲେ । ତାହା ପରେ ଯେପରି ଅଦ୍ଭୁତ ଓ ମଧୁର ଶବ୍ଦରେ ସେମାନେ ପ୍ରାର୍ଥନା ସଙ୍ଗୀତ ଗାଇଲେ, ବାରାବାସ୍‌ ଆଉ କେବେ ସେପରି ଶୁଣିନଥିଲା । ମୁଣ୍ଡ ନୁଆଁଇ ସେ ସବୁ ଗୀତ ଶୁଣୁଥାଏ ।

 

ବନ୍ଦୀମାନଙ୍କ ମଧ୍ୟରୁ ଜଣେ ବୃଦ୍ଧ ଏକାକୀ ଦୂରରେ ବସି ବାରାବାସ୍‌ ବିଷୟରେ ସବୁ କଥା ଶୁଣୁଥିଲେ । ସେ ଉଠିଆସି ତାହାର ନମ୍ବର ପଛରେ ଥିବା ଯିଶୁ ନାମକୁ ଓଲଟାଇ ପରୀକ୍ଷାକଲେ ଏବଂ ତାହାକୁ କେତେକ ପ୍ରଶ୍ନ ପଚାରିଲେ । ନମ୍ବର ପଛପଟେ ଯିଶୁ ନାମଟି ଯେ ଛୁରିରେ ଛକପଡ଼ି କଟାଯାଇଛି, ତେଣୁ ବାରାବାସ୍‌ ଖ୍ରୀଷ୍ଟାନ ନ ହୋଇ ମଧ୍ୟ ନିଜକୁ ସେହି ନାମରେ ପରିଚୟ ଦେଇଛି ଏବଂ ଫଳରେ ସବୁ ଖ୍ରୀଷ୍ଟାନ ଯେ ମୃତ୍ୟୁମୁଖରେ ପଡ଼ିବାକୁ ଯାଉଛନ୍ତି, ସେ କଥା ବୁଝିବାକୁ କାହାରି ବାକି ରହିଲା ନାହିଁ । ତଥାପି ବାରାବାସ୍‌କୁ ଦୋଷୀ ବିଚାରିବା ସେମାନଙ୍କର ଧର୍ମବିରୁଦ୍ଧ । ମନୁଷ୍ୟକୁ ବିଚାର ନ କରିବା ପାଇଁ ଯେ ତାଙ୍କର ପ୍ରଭୁ କହିଯାଇଛନ୍ତି ! ନିଜ ଶତ୍ରୁର ହିତ ପାଇଁ ସୁଦ୍ଧା ପ୍ରାର୍ଥନା କରିବା ବ୍ୟତୀତ ଖ୍ରୀଷ୍ଟାନ୍‌ର ତ ଅନ୍ୟ କର୍ତ୍ତବ୍ୟ ନାହିଁ ।

 

ମୁକ୍ତ ବାରାବାସ୍‌

 

ବାରାବାସ୍‌କୁ ନାନା ପ୍ରଶ୍ନ କରି ବୃଦ୍ଧ ବନ୍ଦୀ ତାହାର ନାମ ଜାଣିପାରିଲେ ଏବଂ ସେ ଯିଶୁଙ୍କ ବଦଳରେ ମୁକ୍ତ ହୋଇଥିବା କଥା ବୁଝିଲେ । ମୁକ୍ତ ବାରାବାସ୍‌ ପ୍ରଭୁଙ୍କ ସହିତ ଯେ ବନ୍ଦୀ ହୋଇଥିଲା ପୁଣି ଯାହାକୁ ମୁକ୍ତ କରି ଯିଶୁ ତ୍ରୁଶ କାଠରେ ନିଜର ପ୍ରାଣବଳି ଦେଇଥିଲେ ମୁକ୍ତ ବାରାବାସ୍‌ ! ମୁକ୍ତ ବାରାବାସ୍‌ ! ସବୁ ଖ୍ରୀଷ୍ଟାନ୍‌ବନ୍ଦୀଙ୍କ ମୁଖରୁ ଏହି କଥା ଶୁଣାଗଲା । ସବୁ ବନ୍ଦୀଙ୍କର ତାହା ପ୍ରତି ଶ୍ରଦ୍ଧା ଓ ସମ୍ଭ୍ରମ ଜାତ ହେଲା ।

 

ଯୋଡ଼ି ଯୋଡ଼ି ହୋଇ ଶିକୁଳିବଦ୍ଧ ବନ୍ଦୀମାନେ ମୃତ୍ୟୁଦଣ୍ଡ ଲାଗି ତ୍ରୁଶ ଉପରକୁ ଆନୀତ ହେଲେ । ଶେଷରେ ବାରାବାସ୍‌ ସଙ୍ଗେ ଆବଦ୍ଧ ହେବାକୁ କେହି ସଙ୍ଗୀ ଜୁଟିଲେ ନାହିଁ । ସେହି ଏକାକୀ ତ୍ରୁଶରେ ଉଠିଲା । ସେମାନଙ୍କର ସଂଖ୍ୟା ଏତେ ବେଶି ଥିଲା ଯେ, ସମସ୍ତଙ୍କୁ ବଧ କରିବାପାଇଁ ସକାଳୁ ଆରମ୍ଭ କରି ସନ୍ଧ୍ୟା ପର୍ଯ୍ୟନ୍ତ ହୋଇଗଲା ।

 

ଗୋଧୂଳି ଆସନ୍ନ ଦେଖି ଦର୍ଶକଗଣ କ୍ଳାନ୍ତ ହୋଇ ସ୍ୱଗୃହକୁ ବାହୁଡ଼ିଲେ । ସେତେବେଳକୁ ଆଉ ସମସ୍ତେ ମରିଯାଇଥାନ୍ତି, କେବଳ ବାରାବାସ୍‌ ଜୀବିତ ରହି ତ୍ରୁଶ ଖୁଣ୍ଟରେ ଝୁଲୁଥାଏ । ଅନ୍ୟ ବନ୍ଦୀମାନେ ମୃତ୍ୟୁ ପୂର୍ବରୁ ପରସ୍ପରକୁ ସାନ୍ତ୍ୱନା ଦେଇ କେତେ କଥା କହୁଥାନ୍ତି; କିନ୍ତୁ ବାରାବାସ୍‌ ପ୍ରତି କେହି ମୁହଁ ଫେରାଇ ଚାହିଁଲେ ନାହିଁ । ଶେଷରେ ନିଜର ମୃତ୍ୟୁ ନିକଟବର୍ତ୍ତୀ ଜାଣି ବାରାବାସ୍‌ ସେଇ ଅନ୍ଧକାରକୁ ଉଦ୍ଦେଶ୍ୟ କରି ଯେପରି କହିଉଠିଲା–

 

ମୁଁ ତୁମରିଠାରେ ହିଁ ଆତ୍ମନିବେଦନ କଲି ଏବଂ ତାହା ପରେ ସେ ନିଜର ମର ଦେହ ଛାଡ଼ିଲା । ଅତି ହୀନ, ହେୟ, ଘୃଣ୍ୟ, ଉପେକ୍ଷିତ ଚରିତ୍ର ଭିତରେ ସର୍ବୋତ୍ତମ ମହତ୍ୱର ସନ୍ଧାନହିଁ ଏଇ ଉପନ୍ୟାସର ମର୍ମବାଣୀ ।

Image

 

ରାଜତନ୍ତ୍ରର ବିଲୋପ

 

ବାରାବାସ୍‌ ଗଳ୍ପଟିକୁ କିଞ୍ଚିତ୍‌ ବିସ୍ତୃତ ଆକାରରେ ଏଠାରେ ଅବତାରଣା କରିବାର ଅବଶ୍ୟ ଏକାଧିକ ଉଦ୍ଦେଶ୍ୟ ଅଛି । ପ୍ରଥମ ଉଦ୍ଦେଶ୍ୟ ହେଉଛି, ପାଶ୍ଚାତ୍ୟ ସାହିତ୍ୟର ଏକ ଆଧୁନିକ ପ୍ରତିନିଧିମୂଳକ ଉପନ୍ୟାସର ପରିଚୟ ଦେବା, ଦ୍ୱିତୀୟରେ ଏହି ଉପନ୍ୟାସ ବର୍ଣ୍ଣିତ ବିଷୟବସ୍ତୁର ମୌଳିକ ତଥ୍ୟଗୁଡ଼ିକୁ ବିଶ୍ଳେଷଣ କରିବା, ତୃତୀୟରେ ଆଧୁନିକ ପାଶ୍ଚାତ୍ୟ ସାହିତ୍ୟ ସଙ୍ଗେ ଏହି ଗ୍ରନ୍ଥ ଜରିଆରେ ଭାରତୀୟ ସାହିତ୍ୟର ସମ୍ୟକ୍‌ ତୁଳନାମୂଳକ ବ୍ୟାଖ୍ୟା କରିବା ଏବଂ ଚତୁର୍ଥରେ ସମ୍ଭବପର ହେଲେ ଆମ ଓଡ଼ିଆ ଉପନ୍ୟାସର ଗତିବିଧି ଏହି ଦୃଷ୍ଟିରୁ ଟିକିଏ ଅନୁଧ୍ୟାନ କରିବା ।

 

ପକ୍ଷପାତିତା

 

ଏହି ଉପନ୍ୟାସଟି ପୃଥିବୀର ଶ୍ରେଷ୍ଠ ନୋବେଲ ପୁରସ୍କାର ପାଇଥିବା ଘଟଣାରୁ ମନେକରିବାକୁ ହେବ ନାହିଁ ଯେ, ଉକ୍ତ ପୁରସ୍କାର ଯାହାକୁ ନ ମିଳିଛି ତାହା ଶ୍ରେଷ୍ଠ ଗ୍ରନ୍ଥ ନୁହେଁ । କାରଣ ବିଶ୍ୱବିଖ୍ୟାତ କେତେକ ଉପନ୍ୟାସ ବହୁ ମତରେ ଶ୍ରେଷ୍ଠ ଆସନ ଲାଭ କରିଥିଲେ ହେଁ ନୋବେଲ ପୁରସ୍କାର କର୍ତ୍ତୃକ ସମ୍ମାନିତ ହୋଇପାରିନାହାନ୍ତି । ଉଦାହରଣ ସ୍ୱରୂପ ବିଶ୍ୱସାହିତ୍ୟର ଅମରକୀର୍ତ୍ତି ରୂପେ ପରିଗଣିତ କାଉଣ୍ଟ୍‌ଲିଓ ଟଲ୍‌ଷ୍ଟୟଙ୍କର ‘‘ଯୁଦ୍ଧ ଓ ଶାନ୍ତି’’ (War and Peace), ‘‘ଆନା କାରେନିନା’’ ଆଦି ଗ୍ରନ୍ଥ ତଥା ମାକ୍‌ସିମ୍‌ଗର୍କିଙ୍କର ‘‘ମା’’ (Mother) ଉପନ୍ୟାସ ନୋବେଲ ପୁରସ୍କାର ପାଇନାହିଁ । ତେଣୁ ଏଇ ପୁରସ୍କାର ମୂଳରେ କେତେକ ରାଜନୈତିକ ଅଭିସନ୍ଧି ଥିବାର ପୁଣି ଏହା ପୃଥିବୀର ସବୁ ଦେଶର ସାହିତ୍ୟ ପ୍ରତି ସମାନ ବିଚାର କରୁନଥିବାର ଅଭିଯୋଗ ହୋଇଥାଏ । ସେଇଭଳି ରୁଷିଆର ଷ୍ଟାଲିନ୍‌ ପୁରସ୍କାର କେତେକ ନିର୍ଦ୍ଦିଷ୍ଟ ରାଜନୈତିକ ମତବାଦଦ୍ୱାରା ଚାଳିତ । ପାଶ୍ଚାତ୍ୟ ସାହିତ୍ୟର ବିଶେଷତଃ ଏହି ଦୁଇଟି ପୁରସ୍କାରପ୍ରାପ୍ତ ସାହିତ୍ୟର ବିଚାର କଲାବେଳେ ବିଭିନ୍ନ ନୀତି ଓ ମତବାଦଗୁଡ଼ିକୁ ସ୍ମରଣ ରଖିବାକୁ ହେବ ।

 

ସ୍ମରଣ ରଖିବାକୁ ହେବ ଯେ, ସାହିତ୍ୟ ଓ କଳାରାଜ୍ୟରେ ମଧ୍ୟ ଅତ୍ୟୁଚ୍ଚ ସ୍ତରରେ ରାଜନୈତିକ ମତବାଦଗୁଡ଼ିକରେ ପ୍ରଭାବ କିପରି ପଡ଼ୁଛି ଏବଂ ସେ ପ୍ରଭାବରୁ ସମ୍ପୂର୍ଣ୍ଣରୂପେ ମୁକ୍ତ ହେବା ସାହିତ୍ୟ ବା କଳାସୃଷ୍ଟି ପକ୍ଷରେ ମଧ୍ୟ କିଭଳି ଦୁସ୍ତର । ଯଥାର୍ଥରେ ସ୍ୱାଧୀନ ଚିନ୍ତାର କଣ୍ଠରୁଦ୍ଧ କରି ତାହାକୁ ଉଦ୍‌ବନ୍ଧନରେ ହତ୍ୟା କରିବାର ଏତେ ବଡ଼ ତୁମୂଳ ପ୍ରୟାସ ବିଶ୍ୱଇତିହାସରେ ଆଉ ଏକ କଳଙ୍କ ହୋଇ ରହିଥିବ ।

 

ଅଭିବ୍ୟକ୍ତିର ଅନ୍ତରାୟ

 

ସ୍ୱାଧୀନ ଚିନ୍ତାର ପ୍ରକାଶ ପ୍ରତି ଏଇ ଅକ୍ଷମଣୀୟ ଅବମାନନାଜନିତ ପାପ ହିଁ ସମଗ୍ର ପୃଥିବୀକୁ ଗ୍ରାସ କରି ପକାଇଛି ପୁଣି ସେହି ଦୋଷରୁ ଆଜି ସେ ଏକ ବିରାଟ ଧ୍ୱଂସମୁଖରେ ଧାବମାନ । ମନୁଷ୍ୟକୁ ମନୁଷ୍ୟ ଚିରକାଳ ଭୀତକ୍ରସ୍ତ କରି ରଖିବାର ଅପଚେଷ୍ଟା ଶେଷରେ ସମସ୍ତ ସମାଜର ବିନାଶର ହେତୁ ହୋଇଛି । ଏହି ରୂପେ ଶିଳ୍ପୀ ସାହିତ୍ୟିକମାନଙ୍କ ସୃଷ୍ଟି ପଦେ ପଦେ ପ୍ରତିହତ ହୋଇ ଉତ୍କୃଷ୍ଟ ରଚନାର ସଂଖ୍ୟା କ୍ରମେ ବିରଳ ହୋଇପଡ଼ୁଛି । ସାହିତ୍ୟ–ସଂସ୍କୃତିର ବିସ୍ତୃତ କ୍ଷେତ୍ରକୁ ଦେଶ କାଳ ପାତ୍ର ଓ ଜାତିଧର୍ମ ମତବାଦ ନିର୍ବିଶେଷରେ ଉନ୍ମୁକ୍ତ ରଖା ନ ଯିବା ପର୍ଯ୍ୟନ୍ତ ତାହାର ସ୍ୱଚ୍ଛନ୍ଦ ସ୍ୱାଭାବିକ ବିକାଶ ହୋଇପାରିବ ନାହିଁ ।

 

ବର୍ଣ୍ଣିତ ଉପନ୍ୟାସଟିକୁ ପାଠ କଲାବେଳେ ଏ କଥା ବାରମ୍ବାର ମନେପଡ଼େ । ମନେହୁଏ ଲେଖକ ଅଧିକ ଉନ୍ମୃକ୍ତ ଓ ଅନୁକୂଳ ବାତାବରଣ ମଧ୍ୟରେ ଥିଲେ, ତାହାଙ୍କ ଶକ୍ତିଶାଳୀ ଲେଖନୀଠାରୁ ଯଥେଷ୍ଟ ବେଶି ଉପାଦେୟ ଚିନ୍ତା ଓ ବର୍ଣ୍ଣନା ମିଳିଥାନ୍ତା । ମଧ୍ୟେ ମଧ୍ୟେ ଏଇ କ୍ଷୁଦ୍ର ଉପନ୍ୟାସଟିରେ ପୁନରୁକ୍ତି ଦୋଷ ରହନ୍ତା ନାହିଁ ଏବଂ ଚରିତ୍ରଗୁଡ଼ିକ ବିଶେଷତଃ ପ୍ରଧାନ ଚରିତ୍ର ବାରାବାସ୍‌ ଅଧିକ ସ୍ପଷ୍ଟ ଓ ଉଜ୍ଜ୍ୱଳ ହୋଇଥାନ୍ତା; ବର୍ଣ୍ଣନା ମଧ୍ୟରେ ଆଉ ଟିକିଏ ବୈଚିତ୍ର୍ୟ ଓ ପ୍ରକାଶଭଙ୍ଗିର ବାହାଦୁରି ହୁଏତ ଫୁଟିଉଠନ୍ତା । ତଥାପି ଦୁଇହଜାର ବର୍ଷ ପୂର୍ବେ ଯିଶୁ ହତ୍ୟାର ଯେଉଁସବୁ କାରଣ ପୃଥିବୀପୃଷ୍ଠରେ ବିଦ୍ୟମାନ ଥିଲା, ଆଜି ମଧ୍ୟ ସେହିଭଳି କାରଣ ଅଛି କି ନାହିଁ ଏବଂ ଆଜି ମଧ୍ୟ ବାରାବାସ୍‌ଭଳି ନିର୍ବୋଧ ମନୁଷ୍ୟମାନେ, ବିଶ୍ୱାସ ଏବଂ ସନ୍ଦେହ ଦୋଳରେ ବୋଳାୟିତ ଦଳିତ ନିର୍ଯାତିତ ଅଶିକ୍ଷିତ ମନୁଷ୍ୟ ରାଜଶକ୍ତିଠାରୁ କିଭଳି ବ୍ୟବହାର ପାଇଥାନ୍ତି, କୋଟି କୋଟି ବାରାବାସଙ୍କ ସନ୍ଦେହ ଓ ଅଜ୍ଞତା ମୋଚନ ଲାଗି ଆଧୁନିକ ଶାସନତନ୍ତ୍ରରେ ଦୁଇହଜାର ବର୍ଷପୂର୍ବର ରୋମୀୟ ଶାସନତନ୍ତ୍ର ଅପେକ୍ଷା ଆଉ କ’ଣ ଶ୍ରେଷ୍ଠତର ବ୍ୟବସ୍ଥା କରାଯାଇଛି, କୋଟି କୋଟି ବାରାବାସ୍‌ଙ୍କ ଚରିତ୍ର ଓ ଅବସ୍ଥାର ଉନ୍ନତିକଳ୍ପେ ବନ୍ଦିଶାଳ ଓ ଫାଶୀକାଠ ବ୍ୟତୀତ ଆଉ କି କି ଉପାୟ ଆବିଷ୍କୃତ ହୋଇଛି, ସେ ଦିଗରେ ପାଠକର ଚିନ୍ତା ସ୍ୱତଃ ଧାବିତ ହୋଇଥାଏ ।

 

ପ୍ରତିଶୋଧ

 

ଯିଶୁହତ୍ୟାର ପ୍ରତିଶୋଧ ଭାବରେ ହେଉ, କିମ୍ବା ପୃଥିବୀରୁ ରାଜତନ୍ତ୍ର ଓ ସାମ୍ରାଜ୍ୟବାଦର ବିଲୋପ ସାଧନ ଉଦ୍ଦେଶ୍ୟରେ ହେଉ, ମହାକବି ସେକ୍‌ସପିୟର ରୋମ୍‌ର ଜୁଲିୟସ୍‌ ସିଜାରଙ୍କ ହତ୍ୟାବିଧାନ କରିଥିଲେହେଁ ପୁଣି ଏବେ ଗର୍କି, ମାର୍କସ କିମ୍ବା ଲେନିନ୍ ରୁଷିଆର ଜାରବଂଶର ମୂକୋତ୍ପାଟନ କରି ଗଣତନ୍ତ୍ର ବା ଜନତନ୍ତ୍ରର ପ୍ରତିଷ୍ଠା ଦିଗରେ ଆଗୁଆ ହୋଇପଡ଼ିଥିଲେହେଁ ବାରାବାସ୍‌ମାନଙ୍କ ସଦ୍‌ଗତିର ପନ୍ଥା କେଉଁଠି ସମ୍ଭବ ହୋଇପାରିଛି, ବାଧ୍ୟତାମୂଳକ ବେଠିରୁ ମନୁଷ୍ୟ କେଉଁଠି ମୁକ୍ତିଲାଭ କରିଛି, ତାହା ବିଚାର କରିବାର ନାନା ପ୍ରଶ୍ନଉଠେ । ଆହୁରି ମଧ୍ୟ ନଜରପଡ଼େ ଦୁଇ ସହସ୍ର ବର୍ଷାବଧି ୟୁରୋପୀୟ ସଭ୍ୟତା, ସଂସ୍କୃତି ଓ ଚିନ୍ତାଧାରାର କ୍ରମବିବର୍ତ୍ତନ ଅଥବା ବୈପ୍ଳବିକ ଇତିହାସ ଉପରେ ।

 

ୟୁରୋପୀୟ ସମାଜର ଯେଉଁ ପରିସ୍ଥିତି, ମଣିଷ ଉପରେ ମଣିଷର ଯେଉଁ ଉତ୍ପୀଡ଼ନ ଓ ଅବହେଳା ଯିଶୁଜନ୍ମ ଅବା ଯିଶୁହତ୍ୟାର କାରଣ ହୋଇଥିଲା, ଆଧୁନିକ ଯୁଗରେ କାର୍ଲମାର୍କସଙ୍କର ସେଇ ଇହୁଦୀ ଜାତି ଭିତରେ ଜନ୍ମ ଓ ମୃତ୍ୟୁ ଯୁଗୋପଯୋଗୀ ପରିବର୍ତ୍ତିତ କାରଣମାନଙ୍କରୁ ଘଟିଥିଲା କି ନାହିଁ, ତାହା ଆଲୋଚନା କରିବାର ତାଗିଦା ଆସେ । କାରଣ ପତିତ ଜନର ତ୍ରାଣକର୍ତ୍ତା ଯିଶୁ ଯେଉଁ ପ୍ରେମ ଓ ଭ୍ରାତୃତ୍ୱର ରାଜ୍ୟ ପ୍ରତିଷ୍ଠା ଲାଗି ପୃଥିବୀମୟ ବହ୍ନି ଜାଳିଦେଇଥିଲେ, ସେଇ ପ୍ରେମ ବା ଭ୍ରାତୃତ୍ୱକୁ ଆଧୁନିକ ଅର୍ଥନୀତି ଓ ବିଜ୍ଞାନର ଭିତ୍ତିକରି ଏକ ନୂତନ ଚିନ୍ତାର ବହ୍ନି ଜାଳିଦେବା ଲାଗି ମହାମନୀଷୀ ମାର୍କସ୍‌ ନିଜର ସୁଖସ୍ୱାଚ୍ଛନ୍ଦ୍ୟ ତ୍ୟାଗ କରି ଅବର୍ଣ୍ଣନୀୟ ଅଭାବ ଯନ୍ତ୍ରଣାରେ ଦେହ ତ୍ୟାଗ କରିଥିଲେ; ସେଥିଲାଗି କାର୍ଲମାର୍କସଙ୍କୁ ଯିଶୁଙ୍କର ରୂପାନ୍ତର ବୋଲି ତାଙ୍କରି ନୀତିବାଦୀମାନେ ଦାବି ନକଲେ ମଧ୍ୟ ସେହିଭଳି ଶ୍ରଦ୍ଧା ଓ ଭକ୍ତି ଦୃଷ୍ଟିରେ ଦେଖିଥାନ୍ତି । ଯିଶୁଙ୍କର କ୍ଷମା ଓ ଅହିଂସାର ଅସ୍ତ୍ର ପ୍ରାଚୀନ କିମ୍ବା ଶିଥିଳ ହୋଇପଡ଼ିବାରୁ ତାହା ବଦଳରେ ବାରାବାସ୍‌ମାନଙ୍କ ପରିତ୍ରାଣ ଲାଗି ମାର୍କସ୍‌ଙ୍କର ଆଧୁନିକ ବିଜ୍ଞାନ ସମ୍ମତ ପ୍ରତିଶୋଧ ଓ ହିଂସାର ଅସ୍ତ୍ର ଯେପରି ଅନ୍ୟ ଏକ ଉପାୟରୂପେ ପ୍ରୟୋଗ କରାଗଲା ଏବଂ ତାହାର ପରିଣାମରେ ପୃଥିବୀବ୍ୟାପୀ ଯେଉଁ ସମସ୍ତ ପ୍ରତିକ୍ରିୟା ଆଜି ଦେଖାଦେଇଛି, ତାହା ବିଜ୍ଞପାଠକମାନଙ୍କର ଅବିନ୍ଦିତ ନୁହେଁ । ‘ବାରାବାସ୍‌’ ଗ୍ରନ୍ଥଟିରେ କୌଣସି ତୁଳନାତ୍ମକ ସୂଚନା ନଥିଲେହେଁ ତାହା ଏଇ ପରିସ୍ଥିତି ଉପରେ ଅଧିକ ଆଲୋକପାତ କରିଥାଏ ।

 

ମିଳନର ସନ୍ଧାନ

 

ଦୁଇ ସହସ୍ର ବର୍ଷର ଯେଉଁ ଘଟଣା ସହିତ ପାଶ୍ଚାତ୍ୟ ସାହିତ୍ୟ ସଂସ୍କୃତିର ଧାରାବାହିକ ଇତିହାସ ଘନିଷ୍ଠଭାବରେ ଜଡ଼ିତ, ସମସାମୟିକ ପ୍ରାଚ୍ୟ ସାହିତ୍ୟ ଓ ସଂସ୍କୃତିର ଧାରା ତାହାଠାରୁ ବହୁପରିମାଣରେ ପୃଥକ୍‌, ଏପରିକି ସମ୍ପୂର୍ଣ୍ଣ ବିପରୀତ ପଥାବଲମ୍ବୀ ବୋଲି ଜଣାପଡ଼େ । ଦୟା, କ୍ଷମା ଓ ଅହିଂସାର ନିଶାଣଧାରୀ ଖ୍ରୀଷ୍ଟିୟାନମାନଙ୍କ ଉପରେ ରୋମ୍‍ର ସିଜାର ଯେତେବେଳେ ଭୀଷଣ ଅତ୍ୟାଚାର କରୁଥିଲେ, ସେତିକିବେଳେ ଭାରତର ଜଣେ ଆଦର୍ଶ ସମ୍ରାଟ କଳିଙ୍ଗ ସମରରେ ମର୍ମାହତ ହୋଇ ଯୁଦ୍ଧ ମାଧ୍ୟମରେ ପୃଥିବୀକୁ ଜୟ କରିବାର ପନ୍ଥା ଛାଡ଼ି ଧର୍ମ ଓ ଅହିଂସା ମାଧ୍ୟମରେ ମାନବାତ୍ମା ବିଜୟର ପରିକଳ୍ପନା କଲେ ।

 

ସାମାଜିକ ଅସାମଞ୍ଜସ୍ୟ

 

ପ୍ରାଚ୍ୟପାଶ୍ଚାତ୍ୟର ସାମାଜିକ ମନସ୍ତତ୍ତ୍ୱ ବିଶ୍ଳେଷଣ କଲେ, ତାହା ମଧ୍ୟରେ କେତେକ ସାମାଜିକ ଶ୍ରେଣୀ ସମସ୍ୟାର, ଶ୍ରମିକ ଦାସତ୍ୱ ଆଦି ନିମ୍ନ ସ୍ତରରେ ଥିବା ମାନବଗୋଷ୍ଠୀର ଉତ୍ପୀଡ଼ନର ଯେଭଳି ସମାନ ଉଦାହରଣ ମିଳିଥାଏ, ସେହିଭଳି ଉଭୟର ସାଧାରଣ ମନୋଭାବ ମଧ୍ୟରେ ଅତି ଅଦ୍ଭୁତ ଅସାମଞ୍ଜସ୍ୟ ମଧ୍ୟ ପରିଲକ୍ଷିତ ହୁଏ । ନୋବେଲ ପୁରସ୍କାରପ୍ରାପ୍ତ ଶ୍ରେଷ୍ଠ ଇଂରେଜ କବି ରଡ଼ିୟାଡ଼ କିପ୍‌ଲିଙ୍ଗ୍‌ଙ୍କ ମତରେ ଭୌଗୋଳିକ ପରିସ୍ଥିତି ଓ ଜଳବାୟୁଗତ ଅପରିହାର୍ଯ୍ୟ କାରଣରୁ ପ୍ରାଚ୍ୟପାଶ୍ଚାତ୍ୟର ପ୍ରକୃତି ସମ୍ପୂର୍ଣ୍ଣ ପୃଥକ୍‌ । ପାଶ୍ଚାତ୍ୟର ଆହାର ପରିଚ୍ଛେଦ ଯେତେ ଅଧିକ ଆବଶ୍ୟକ, ପ୍ରାଚ୍ୟର ତାହା ନୁହେଁ । ଶୀତପ୍ରଧାନ ଦେଶରେ ଯେତେ ବେଶି ପୋଷାକ ଓ ଯେତେ ବେଶି ଗରମ ଖାଦ୍ୟ ଲୋଡ଼ାହୁଏ, ଗ୍ରୀଷ୍ମପ୍ରଧାନ ଦେଶରେ ଠିକ୍‌ ତାହାର ଓଲଟା । ତେଣୁ ପ୍ରାଚ୍ୟ ପାଶ୍ଚାତ୍ୟର ମିଳନ ଅସମ୍ଭବ ବୋଲି କିପ୍‌ଲିଙ୍ଗ୍‌ଙ୍କ ମତ । ଜଣକର ବେଶି ବେଶି ଆହରଣ କରିବା ଏବଂ ଅନ୍ୟ ଜଣକର ବେଶି ବେଶି ତ୍ୟାଗ କରିବା ଜଳବାୟୁବଶତଃ ଏକ ପ୍ରକାର ପ୍ରକୃତିଗତ ହୋଇପଡ଼ିଚି । ଉତ୍ତାପର ମାତ୍ରା ଅଧିକ ହେବାରୁ ଆମ୍ଭେମାନେ ଦେହରୁ ବସ୍ତ୍ର କାଢ଼ି ଫିଙ୍ଗି ଦେବାରେ ଏବଂ ଆହାର ବଦଳରେ କେବଳ ଶୀତଳ ଜଳପାନ କରିବାରେହିଁ ଆରାମ ପାଇଥାଉଁ; କିନ୍ତୁ ଶୀତପ୍ରଧାନ ଦେଶରେ ତାହା ସମ୍ଭବ ନୁହେଁ ।

 

ଶୀତଳ ଜଳ ପାନ କରିବାରେ ପରିତୃପ୍ତି କିମ୍ବା ପରିଚ୍ଛଦ ଫିଙ୍ଗି ଅର୍ଦ୍ଧ ଉଲଗ୍ନ ରହିବାର ଆରାମ ସେ ଦେଶ ଅଭିଜ୍ଞତାର ବାହାରେ । ଏହି କାରଣରୁ ସେ ଦେଶ ସାହିତ୍ୟରେ (warm ଅଥବା) ଉଷ୍ମ, ଗରମ ବା ତାପ ଶବ୍ଦଟା ଯେପରି ଆଗ୍ରହ, ଅକପଟତା, ପ୍ରୀତି କିମ୍ବା ମମତା ଅର୍ଥରେ ପ୍ରୟୋଗ କରାଯାଏ, ଆମ ସାହିତ୍ୟରେ ସେପରି କଲେ ହାସ୍ୟାସ୍ପଦ ହେବାକୁ ପଡ଼େ । ପ୍ରାଚ୍ୟ ସାହିତ୍ୟରେ ସେରୂପ ପ୍ରୟୋଗ ଅବିକଳ ବିପରୀତାର୍ଥବୋଧକ ହୁଏ ।

 

ପ୍ରାଚ୍ୟ ପାଶ୍ଚାତ୍ୟର ପ୍ରୟୋଗ

 

ଆକ୍ଷରିକ ଅନୁବାଦ କରି ଆମେ warm hearted କିମ୍ବା warm congratulation ଆଦି ପ୍ରୟୋଗଗୁଡ଼ିକୁ ‘ଉତ୍ତପ୍ତ ହୃଦୟ’ ବା ‘ଉଷ୍ମ ଅଭିବାଦନ’ ରୂପେ ବ୍ୟବହାର କରୁଁ, ତା’ହେଲେ ଏ ଦେଶ ସାହିତ୍ୟରେ ଯେଉଁସବୁ ବିଭ୍ରାଟ ଉପୁଜିବ, ତାହାର ବର୍ଣ୍ଣନା ଅନାବଶ୍ୟକ । ‘ଉଷ୍ମ’ କିମ୍ବା ‘ଉତ୍ତପ୍ତ’ ଶବ୍ଦର ପ୍ରୟୋଗଦ୍ୱାରା ପ୍ରାଚ୍ୟ ଅଥବା ପାଶ୍ଚାତ୍ୟର ଭାବ ପ୍ରକାଶ କରିବାରେ ଯେମିତି ଘୋର ତାରତମ୍ୟ ଦେଖାଯାଇଥାଏ, ସେମିତି ପାଶ୍ଚାତ୍ୟର ବୈଜ୍ଞାନିକ ଚିନ୍ତାଧାରାରୁ ଉଦୃତ ସାହିତ୍ୟ, ସଂସ୍କୃତି ତଥା ସମାଜ ସଭ୍ୟତାର ବେଖାପ ଘଟିବା ଲାଗି ଏକ ବିରାଟ ବ୍ୟବଧାନ ବିଦ୍ୟମାନ–ଯେଉଁ ବ୍ୟବଧାନ ଭୋଗ ଓ ତ୍ୟାଗ ମଧ୍ୟରେ ଅନୁସୃତ ।

 

ବିଜ୍ଞାନ ଶବ୍ଦଟି ମଧ୍ୟ ପାଶ୍ଚାତ୍ୟ ସାହିତ୍ୟରେ ଯାହା ବୁଝାଏ, ପ୍ରାଚ୍ୟ ସାହିତ୍ୟରେ ତାହା ନୁହେଁ । ଭୂତତ୍ତ୍ୱ, ପ୍ରାଣୀତତ୍ତ୍ୱ, ଦେହତତ୍ତ୍ୱ, ପଦାର୍ଥତତ୍ତ୍ୱ, ମନସ୍ତତ୍ତ୍ୱ, ସମାଜତତ୍ତ୍ୱ, ଅର୍ଥନୀତି, ରାଜନୀତି, ଜ୍ୟୋତିର୍ବିଦ୍ୟା ଆଦି ବିଭିନ୍ନ ବୈଷୟିକ ଜ୍ଞାନକୁ ପାଶ୍ଚାତ୍ୟ ପଣ୍ଡିତଗଣ ସାଧାରଣତଃ ବିଜ୍ଞାନ ଆଖ୍ୟା ଦେଇଥାନ୍ତି ଏବଂ ସେହି ଅର୍ଥରେ ହିଁ ଉକ୍ତ ସାହିତ୍ୟରେ ସେ ଶବ୍ଦଟି ବ୍ୟବହୃତ ହୋଇଥାଏ ।

 

ଅତିଶୟ ଆଧ୍ୟାତ୍ମିକ

 

ଅନେକ ସମୟରେ ଆମେ ଯାହା ଦେଖୁଁ ତାହା ଠିକ୍‌ ଦେଖାହୁଏ ନାହିଁ, ଯାହାକିଛି ଆମକୁ ଶୁଣିବାକୁ ସୁଖଲାଗେ ଜିଭକୁ ସୁସ୍ୱାଦୁ ବୋଧହୁଏ ପରିମାଣରେ ହୁଏତ ତାହା ସ୍ୱାସ୍ଥ୍ୟକର ନୁହେଁ । ତା’ଭିତରେ ବହୁତ ଭେଜାଲ୍‌ ରହିଯାଏ । ବୈଷୟିକ ବିଜ୍ଞାନ ତାହାର ସତ୍ୟାସତ୍ୟ ବା ଉପକାର ଅପକାର ବୁଝାଇ ଦେବାକୁ ଉଦ୍ୟମ କରେ । ଆମ ସୁଖ, ସ୍ୱାସ୍ଥ୍ୟ ଓ ସ୍ୱାଚ୍ଛନ୍ଦ୍ୟ ବଢ଼ାଇବା ପାଇଁ ନାନା ଅଦ୍ଭୁତ ଉପାୟ ମଧ୍ୟ ଏହା ଆବିଷ୍କାର କରିଥାଏ । ମାତ୍ର ସୁଖଟା ସବୁବେଳେ ଆନନ୍ଦ ଦିଏ ନାହିଁ, ସ୍ୱାସ୍ଥ୍ୟ କେବଳ ସତ୍‌ଚିନ୍ତା ବା ସତ୍‌କାର୍ଯ୍ୟର ସହାୟକ ନୁହେଁ କିମ୍ବା ସ୍ୱାଚ୍ଛନ୍ଦ୍ୟ କହିଲେ ହିଁ ଶାନ୍ତିକୁ ବୁଝାଏ ନାହିଁ ।

 

ଦୟା ଓ କ୍ଷମାର ଅବତାର ଯିଶୁଙ୍କ ଆବିର୍ଭାବର ବହୁ ପୂର୍ବରୁ ଭାରତୀୟ ଋଷି ମନୁଷ୍ୟର ସୁଖ ଶାନ୍ତି ଆବିଷ୍କାର କରିବା ଲାଗି ଆହୁରି ଅନେକ ଦୂର ଯେ ଅଗ୍ରସର ହୋଇଥିଲେ, ସେ କଥାକୁ ଉଡ଼ାଇ ଦେବାର ଅଧିକାର ପୃଥିବୀରେ କାହାରି ନାହିଁ । ତାହା ଫଳରେ ଏ ଦେଶର ନିରକ୍ଷର କୃଷକ ମୂଲିଆ ପର୍ଯ୍ୟନ୍ତ କବି ଦାର୍ଶନିକ ହୋଇପଡ଼ିଛନ୍ତି । କେତେ ‘ଭୀମ ଭୋଇ’ ‘ବାଲିଗାଁ ଦାସ’ଙ୍କ ପ୍ରେରଣା ଲାଭ କରି ଏ ସମାୟର ଶିକ୍ଷା ଯୁଗ ଯୁଗ ଧରି ଗଠିତ ହୋଇଆସିଛି । ମାତ୍ର ଏହି ଆଧ୍ୟାତ୍ମିକ ଦୃଷ୍ଟିଭଙ୍ଗୀର ପରିମାଣ ଆମ ସମାଜକୁ ବଡ଼ ଅବାଞ୍ଛିତ ପରିସ୍ଥିତିକୁ ଟାଣିଆଣିଛି । ଶେଷରେ କେବଳ ଜଗତକୁ ମିଥ୍ୟା ମାୟାମୟ ବୋଲି ବିଚାରିବାକୁ ଆମେ ଶିଖିଛୁଁ । ଆମର ଅଧିକାଂଶ କାବ୍ୟ ପୁରାଣ ଭଜନ ଜଣାଣ ଚଉତିଶା ଏହି ଭାବକୁ ଅବଲମ୍ବନ କରି ରଚିତ ହୋଇଛି-। ଏହାକୁ ଅବଶ୍ୟ ଆଧୁନିକ ବିଚାରରୁ ଆଧ୍ୟାତ୍ମିକତାର ଚରମ ଅଧୋଗତି ବୋଲିବାକୁ ହେବ-

 

ଗଣତାନ୍ତ୍ରିକ ଉଦାରତା

 

ଅତୀନ୍ଦ୍ରିୟ ରାଜ୍ୟର ବୈଚିତ୍ର୍ୟ ମଧ୍ୟରେ ବିଚରଣ କରିବାକୁ ଯାଇ ଆମେ ବୈଷୟିକ ବୈଚିତ୍ର୍ୟ ପ୍ରତି ଅବହେଳା ଦେଖାଇଛୁ । ସାଂସାରିକ ସୁଖସ୍ୱାଚ୍ଛନ୍ଦ୍ୟ ଆମ ଆଖିରେ ଅତି ତୁଚ୍ଛ ଓ ନଗଣ୍ୟ ହୋଇପଡ଼ିଛି । ଅତି ଅକ୍ଷମଣୀୟ ଶତ୍ରୁକୁ ସୁଦ୍ଧା ହତ୍ୟା କରିବାପାଇଁ ଆମ ଆଗରେ ଗୀତାର ଆଧ୍ୟାତ୍ମିକ ଅବତାରଣା କରିବାକୁ ହୋଇଛି; ତେଣୁ ଯିଶୁଙ୍କ ଭଳି ମାନବବନ୍ଧ ମହାପୁରୁଷଙ୍କର ହତ୍ୟାବିଧାନ ଆମ ସାହିତ୍ୟ ସଂସ୍କୃତିରେ ଏକ କଳ୍ପନାତୀତ ଘଟଣା ।

 

ଭାରତୀୟ ସଭ୍ୟତାର ସୁଦୀର୍ଘ ଇତିହାସରେ ଏରୂପ ଘଟଣା ବାସ୍ତବିକ ବିରଳ–କି ବୈଦିକ, କି ପୌରାଣିକ ଅଥବା ଐତିହାସିକ ଯୁଗରେ । ଏପରିକି ମହାବୀର ଜୈନ ଓ ବୁଦ୍ଧଙ୍କ ଭଳି ମହାପୁରୁଷମାନେ ନିରାଟ ନାସ୍ତିକବାଦର ପ୍ରଚାର କରି ସୁଦ୍ଧା ଏ ଦେଶରେ ରାଷ୍ଟ୍ର କିମ୍ବା ସମାଜ କର୍ତ୍ତୃକ ହତ୍ୟାର ସମ୍ମୁଖୀନ ହୋଇନାହାନ୍ତି; ବରଂ ନିଗଡ଼ ନୈଷ୍ଠିକ ପୌତ୍ତଳିକତା ମଧ୍ୟରେ ହିଁ ନିଜର ବିରାଟ ସଂପ୍ରଦାୟମାନ ଗଢ଼ି ସ୍ୱତନ୍ତ୍ର କଳା, ସାହିତ୍ୟ ଜରିଆରେ ସେମାନେ ନିର୍ବିଘ୍ନରେ ସ୍ୱୀୟ ମତ ପ୍ରତିଷ୍ଠା କରିଯାଇଛନ୍ତି ଏବଂ ଆଦର ସମ୍ମାନ ଲାଭ କରିଛନ୍ତି ।

 

ଏ ସକଳ ଉଦାହରଣରୁ ଜଣାଯାଏ, ଉଦାର ଗଣତାନ୍ତ୍ରିକ ଶିକ୍ଷା ଓ ମନୋବୃତ୍ତି ହେଉଛି ଭାରତର ମଜ୍ଜାଗତ ସଂସ୍କୃତି । ଅଥଚ ଖାଲି ଯିଶୁଖ୍ରୀଷ୍ଟ ନୁହନ୍ତି, ଆର୍କିମିଡ଼ିସ୍‌ଙ୍କଠାରୁ ଆରମ୍ଭ କରି ଖ୍ରୀଷ୍ଟପୂର୍ବ ଯୁଗରୁ ମଧ୍ୟ ସକ୍ରେଟିସ୍‌ ପ୍ରମୁଖ ବହୁ ଶ୍ରେଷ୍ଠ ଦାର୍ଶନିକ ଓ ବୈଜ୍ଞାନିକ ସେମାନଙ୍କର ନୂତନ ଚିନ୍ତା ଓ ଉଦ୍ଭାବନ ଲାଗି ନିହତ ହୋଇଛନ୍ତି । ଆଧୁନିକ ଯୁଗର କେବଳ ଗାନ୍ଧିହତ୍ୟା ଘଟଣାଟି ପ୍ରାଚ୍ୟ ଇତିହାସରେ ଯେତିକି ଅଦ୍ଭୁତପୂର୍ବ ଓ ଅଭାରତୀୟ, ସେତିକି ପାଶ୍ଚାତ୍ୟ ସଂସ୍କୃତିର ବିଷମୟ ପ୍ରଭାବର ହେତୁ ତାହା ମୂଳରେ ଅଛି ବୋଲି ବୁଝିବାକୁ ହେବ ।

Image

 

ଅଖଣ୍ଡ ସାମାଜିକତା

 

ଇତିହାସରୁ ଜଣାଯାଏ, ଶ୍ରୀମଦ୍‌ ଶଙ୍କରାଚାର୍ଯ୍ୟଙ୍କ ଅକାଟ୍ୟ ଯୁକ୍ତିବଳରେ ବହୁ ସହସ୍ର ବୌଦ୍ଧ ଭିକ୍ଷୁ ପରାଜିତ ହୋଇ ସ୍ୱେଚ୍ଛାରେ ଆତ୍ମହତ୍ୟା କରିଥିଲେ ସିନା, ପୌତ୍ତଳିକ ହିନ୍ଦୁ ସମାଜ କେବେହେଲେ ତାଙ୍କର ହତ୍ୟାବିଧାନ କରିନାହିଁ । ଆହୁରି ବେଶି ଆଶ୍ଚର୍ଯ୍ୟର କଥା ଏହି ଯେ, ବେଦବିରୋଧୀ ତଥା ବର୍ଣ୍ଣାଶ୍ରମବିରୋଧୀ ପଶୁଘାତ ଅଶ୍ୱମେଧ ଯଜ୍ଞାଦିକୁ ଅହରହ ନିନ୍ଦା କରିଥିବା ନିରୀଶ୍ୱର ବୁଦ୍ଧଙ୍କୁ ମଧ୍ୟ ଏ ସମାଜ ଭଗବାନଙ୍କର ଅନ୍ୟତମ ଅବତାରରୂପେ ପୂଜା କରିଆସିଛି । ପରସ୍ପର ବିରୋଧୀ ଭାବଧାରାକୁ ଏତେଦୂର ଶ୍ରଦ୍ଧା ସମ୍ମାନ ଅର୍ପଣ କରିବାର ଉଦାର ଗଣତାନ୍ତ୍ରିକ ଉଦାହରଣ ପାଶ୍ଚାତ୍ୟ ଇତିହାସରେ କେଉଁଠି ଅଛି, ହତ୍ୟାବିଭୀଷିକାକୁ ଦୂର କରିବାଲାଗି ଆଉ କେଉଁ ସମାଜରେ ଏଭଳି ତୁମୂଳ ପ୍ରୟାସ, ଧୈର୍ଯ୍ୟ, ଶକ୍ତି ଓ ବଳିଷ୍ଠ ସାହସର ପରିଚୟ ମିଳିଛି, ତାହା ଆମ୍ଭମାନଙ୍କୁ ଜଣାନାହିଁ ।

 

ଅତୁଳନୀୟ ଆଦର୍ଶ

 

ପରମ ହିଂସାବାଦୀ ନିଷ୍ଠୁର ଅବିଚାରୀ ଶତ୍ରୁକୁ ମଧ୍ୟ ହତ୍ୟା କରିବାକୁ ଯିବାପୂର୍ବରୁ ଯେଉଁ ଦେଶର ବୀର ଅନ୍ତର ତରଳିଯାଏ, ପୁଣି ସ୍ୱହସ୍ତସ୍ଫଳିତ ଧନୁଶରକୁ ଉତ୍ତୋଳନ କରିବାଲାଗି ତାହାଙ୍କ ସମକ୍ଷରେ ଶ୍ରେଷ୍ଠ ସାହିତ୍ୟ ଓ ଶ୍ରେଷ୍ଠ ଦର୍ଶନର ବ୍ୟାଖ୍ୟାନ ଆବଶ୍ୟକ ହୁଏ, ସେ ଦେଶକୁ ଆଜି ଆଉ କାହାରିଠାରୁ ଗଣତାନ୍ତ୍ରିକ ମନୋବୃତ୍ତି ଶିଖିବାକୁ ହେବନାହିଁ । କାରଣ ତାହା ହଜାର ହଜାର ବର୍ଷ ଆଗରୁ ସେହି ଅତୁଳନୀୟ ଆଦର୍ଶ ପୃଥିବୀକୁ ଶିଖାଇ ଆସିଛି । ଅଥଚ ସେ ଶିକ୍ଷାକୁ ଗ୍ରହଣ କରିବାରେ ଅସମର୍ଥ ହୋଇ ପୃଥିବୀ ଯିଶୁହତ୍ୟା ଆଦି ବହୁ କଳଙ୍କରେ କଳଙ୍କିତ; ପୁଣି ସେହି କଳଙ୍କ ଆଜି ପାଶ୍ଚାତ୍ୟରୁ ଆସି ଭାରତରେ ଗାନ୍ଧି–ହତ୍ୟାର କାରଣ ହେଉଛି ବୋଲି ମନେହୁଏ । ଯେପରି ଅବା ଗାନ୍ଧିଙ୍କର ଖ୍ରୀଷ୍ଟୀୟ ଧର୍ମଯାଜକ ସ୍ତାବକମାନେ ତାଙ୍କୁ ଯିଶୁ ଅବତାର ଆଖ୍ୟାରେ ଭୂଷିତ କରୁଥିବା ପରିମାଣରେ ଭାରତୀୟ ସଂସ୍କୃତିର ଇତିହାସରେ ଏଇ ବିଜାତୀୟ କଳଙ୍କ ଲେପିତ ହେଲା; ଯାହା ବୌଦ୍ଧଯୁଗରେ ସୁଦ୍ଧା ଘଟିନଥିଲା ।

 

ଭାରତୀୟ ଐତିହ୍ୟ ଓ ସଂସ୍କୃତିର ପରିପନ୍ଥୀ ଏହି ଚରମ ଦୁର୍ଘଟଣା ଲାଗି ପାଶ୍ଚାତ୍ୟର ବୈଜ୍ଞାନିକ ମନୋବୃତ୍ତିକୁ ଦାୟୀ କରିବା ସଙ୍ଗେ ସଙ୍ଗେ ନାନା ପ୍ରଶ୍ନର ଉଦ୍ରେକ ହୋଇଥାଏ ।

 

ବୈଜ୍ଞାନିକ ମନୋବୃତ୍ତି

 

ଗୋଟିଏ ମିଥ୍ୟା ନିଜକୁ ପ୍ରତିଷ୍ଠା କରିବାପାଇଁ ଯେପରି ଶହ ଶହ ମିଥ୍ୟାଜାଲ ସୃଷ୍ଟି କରେ, ଗୋଟିଏ ହତ୍ୟାର ଫଳସ୍ୱରୂପ ଯେମିତି ଆଉ କେତୋଟି ହତ୍ୟା ଜଡ଼ିତ ହୁଏ, ଆଘାତ ବଦଳରେ ପ୍ରତିଘାତ ମିଳିବା ଯେଉଁ ନିୟମର ଅନ୍ତର୍ଭୁକ୍ତ–ଆର୍କିମିଡ଼ିସ୍‌, ସକ୍ରେଟିସ୍‌ ବା ଯିଶୁଖ୍ରୀଷ୍ଟ ଯେଉଁ ନୂତନ ତଥ୍ୟମାନ ଆବିଷ୍କାର କରିଥିବା ଅପରାଧରେ ପ୍ରାଣଦଣ୍ଡରେ ଦଣ୍ଡିତ ହେଲେ କିମ୍ବା ଗାଲିଲିଓ ଦୂରବୀକ୍ଷଣ ଯନ୍ତ୍ର ଉଦ୍ଭାବନ କରି ପୁଣି ପୃଥିବୀ ସୂର୍ଯ୍ୟ ଚାରିପଟେ ଘୂରୁଥିବାର ଅଧାର୍ମିକ କଥା ପ୍ରଚାର କରିଥିବାହେତୁ ବନ୍ଦୀ ହେଲେ, ସେଇ ନିୟମ ଓ କାରଣମାନଙ୍କୁ ଘେନି ପାଶ୍ଚାତ୍ୟ ଜଗତର ଦର୍ଶନ, ସାହିତ୍ୟ, ଚିନ୍ତାଧାରା ଓ ସଂସ୍କୃତିସଭ୍ୟତା ଗଠିତ ହେବା ହିଁ ସ୍ୱାଭାବିକ । ସେହି ନିୟମ ଓ ଦର୍ଶନ ପାଶ୍ଚାତ୍ୟ ଚିନ୍ତାଧାରାକୁ ଏକ ବୈଜ୍ଞାନିକ ଭିତ୍ତି ଉପରେ ପ୍ରତିଷ୍ଠିତ କଲା; ତହିଁର କ୍ରମବିବର୍ତ୍ତନ ଘଟିଲା ଫରାସୀ–ବିପ୍ଳବ ଆକାରରେ । ଫରାସୀ–ବିପ୍ଳବର ସ୍ରଷ୍ଟା ଜିଆଁ ଜାକେସ୍‌ରୋଷୋଙ୍କ ନବପ୍ରଚାରିତ ରାଷ୍ଟ୍ରନୀତି ଉପରେ ଆମେରିକା ଗଣତନ୍ତ୍ରର ନୂତନ ଶାସନଖସଡ଼ା ପ୍ରସ୍ତୁତ କରାଗଲା । ପୁଣି ସେହି ନୀତିକୁ ଅଧିକ ମାର୍ଜିତ, ଉଗ୍ର ଓ ବୈପବ୍ଲିକ ରୂପ ପ୍ରଦାନ କଲେ କାର୍ଲମାର୍କସ ଏବଂ ଲେନିନ୍‌, ଯାହା ଆଜି ବୈଜ୍ଞାନିକ ସାମ୍ୟବାଦ ନାମରେ ରୁଷ୍‌ଦେଶୀୟ ଶାସନପଦ୍ଧତିର ମୂଳଧାରରୂପେ ବିଦିତ । ତେଣୁ ଉଭୟ ଆମେରିକା ଏବଂ ରୁଷ୍‌ର ଶାସନ ପ୍ରଣାଳୀକୁ ଗୋଟିଏ ଦର୍ଶନ ଏବଂ ପରମ୍ପରାକ୍ରମେ ବୈଜ୍ଞାନିକ ଚିନ୍ତାଧାରା ପ୍ରସ୍ତୁତ ଯମଜ ଭ୍ରାତା କହିଲେ ନିତାନ୍ତ ଦୋଷାବହ ହେବନାହିଁ; ଉଭୟ ମଧ୍ୟରେ ବିରୋଧିତା ମଧ୍ୟ ଏହି କାରଣରୁ ତୀବ୍ରତର ହୋଇପଡ଼ିଥିବାର ମନେହୁଏ ।

 

କାର୍ଯ୍ୟ-କାରଣ

 

ରୋଷୋଙ୍କର ପରବର୍ତ୍ତୀ କାର୍ଲମାର୍କସ୍‌ ସମାଜବିଜ୍ଞାନର ଅଧିକ ପର୍ଯ୍ୟାଲୋଚନା, ପରୀକ୍ଷା ଓ ପର୍ଯ୍ୟବେକ୍ଷଣ କରିଥିବାରୁ ଏବଂ ତାଙ୍କ ପରେ ଆଉ କେହି ବଡ଼ ବୈଜ୍ଞାନିକ ରାଜନୀତି, ସମାଜନୀତି ବା ଅର୍ଥନୀତିର ନବତର ତଥ୍ୟ ଆବିଷ୍କାର କରିନଥିବାରୁ ମାର୍କସ୍‌ବାଦକୁ ହିଁ ସର୍ବାଧିକ ବିଜ୍ଞାନସମ୍ମତ ବୋଲି ଦାବି କରାଯାଇଥାଏ । ତେଣୁ ମାର୍କସୀୟ ଦର୍ଶନର ପ୍ରଭାବ ଆଜି ପୃଥିବୀବ୍ୟାପୀ ଅନୁଭୂତି ।

 

ଜଡ଼ବିଜ୍ଞାନର ବିଶେଷତ୍ୱ ହେଲା, ତାହାର କାର୍ଯ୍ୟକାରଣ ସୁସ୍ପଷ୍ଟ । କି କି ଉପାଦାନର ସମ୍ମିଶ୍ରଣରେ ଉଦ୍‌ଜାନ କିମ୍ବା ଆଣବିକ ବିଷ୍ପୋରଣ ସଂଘଟିତ ହୁଏ, ବାଷ୍ପୀୟ ଯାନ ଚାଳିତ ହୁଏ, ବେତାର ବା ବିଦ୍ୟୁତ୍‌ ଶକ୍ତିର ଉତ୍ପାଦନ ହୁଏ, କେଉଁ କାରଣରୁ କି କି ରୋଗର ଉତ୍ପତ୍ତି କିମ୍ବା ତାହାର ଉପଶମ ଲାଗି କିଭଳି ରାସାୟନିକ ପ୍ରୟୋଗ ଆବଶ୍ୟକ, ଅଧିକ ଆହାର–ପରିଚ୍ଛଦ କିମ୍ବା ଅଧିକ ସୁଖ–ସ୍ୱାଚ୍ଛନ୍ଦ୍ୟ ମନୁଷ୍ୟକୁ ଦେବାଲାଗି କି ଉପାୟ ଆବିଷ୍କାର କରିବାକୁ ହେବ, ସେ ଦିଗରେ ବିଜ୍ଞାନର ଦାନ ନିଶ୍ଚୟ ଅସାମାନ୍ୟ । ମାତ୍ର ସୁଖ–ସ୍ୱାଚ୍ଛନ୍ଦ୍ୟ ବା ଆହାର–ପରିଚ୍ଛଦକୁ ଛାଡ଼ି ମନୁଷ୍ୟର ଯେ ଆହୁରି କିଛି ଲୋଡ଼ା ଅଛି, ସେ ଯେ କେବଳ ଚିରକାଳ ଆହାର–ନିଦ୍ରା–ଭୟ–ମୈଥୁନର ଦାସ ହୋଇ ରହିନପାରେ, ସେତିକିରେ ଯେ ଜୀବନର ଅଗ୍ରଗତିରେ ପୂର୍ଣ୍ଣଚ୍ଛେଦ ପଡ଼େନାହିଁ, ସେ ଯେ କେବଳ ଦେହମାତ୍ର–ଅବଶିଷ୍ଟ ଯନ୍ତ୍ରବିଶେଷ ନୁହେଁ, ବସ୍ତୁତାନ୍ତ୍ରିକ ବିଜ୍ଞାନ ପକ୍ଷରେ ଇନ୍ଦ୍ରିୟଭୁକ୍ତ ବା ଇନ୍ଦ୍ରିୟାତୀତ, ସେଭଳି କୌଣସି ଅନୁଭୂତିକୁ ସ୍ୱୀକାର କରିବା ଅସମ୍ଭବ ।

 

ପ୍ରାଚ୍ୟ ପାଶ୍ଚାତ୍ୟର ମିଳନ

 

ଏହି ବିଚାରରୁ ଭାରତୀୟ ଦର୍ଶନ ପାଶ୍ଚାତ୍ୟ ବିଜ୍ଞାନର ସୀମାକୁ ଅତିକ୍ରମ କରି ବହୁ ଦୂର ଅଗ୍ରସର ହୋଇଯାଇଛି ଏବଂ ଜୀବନ–ସିଦ୍ଧାନ୍ତର ଶେଷ କଥାଟି କହିଦେଇ ସାରିଛି । କିନ୍ତୁ ପାଶ୍ଚାତ୍ୟ ଭଳି ବୈଷୟିକ ବିଜ୍ଞାନର ସକଳ ସ୍ତରକୁ ଆଲୋଡ଼ନ ଆବିଷ୍କାର କରିବାର ସାଧନା ତାହା ପକ୍ଷରେ ସମ୍ଭବପର ହୋଇପାରିନାହିଁ । ସେଥିଲାଗି ପ୍ରାଚ୍ୟର ଆଧ୍ୟାତ୍ମିକ ସାଧନା ସଙ୍ଗେ ପାଶ୍ଚାତ୍ୟ ବୈଜ୍ଞାନିକ ଚିନ୍ତାଧାରାର ମିଳନ ସମଗ୍ର ମାନବ ସମାଜର କଲ୍ୟାଣ ପକ୍ଷରେ ବାଞ୍ଛନୀୟ । ଏହି ମିଳନର ସ୍ଥଳ କେଉଁ ସୂତ୍ରରେ ବା କେଉଁ ବିନ୍ଦୁରେ ନିହିତ ଅଛି, ତାହାରି ଆବିଷ୍କରଣ ହିଁ ସବୁରି କାମ୍ୟ ଓ ସାଧନା ହେବା ଉଚିତ । କିପ୍‌ଲିଂଙ୍କ ମତାନୁଯାୟୀ ସେ ମିଳନ ଅସମ୍ଭବ ହେଲେ, ଜୀବନଧାରଣ ଦୁର୍ବହ ହୋଇପଡ଼ିବ ।

 

ଅବଶ୍ୟ ସେଭଳି ମିଳନର ଅର୍ଥ ନୁହେଁ ଯେ, ପ୍ରାଚ୍ୟ–ପାଶ୍ଚାତ୍ୟର ସାଂସ୍କୃତିକ ବୈଶିଷ୍ଟ୍ୟ ଉଭୟେ ବିସ୍ମୃତି ହୋଇପଡ଼ିବେ କିମ୍ବା ପୂର୍ଣ୍ଣରୂପେ ହରାଇ ବସିବେ । ଅଥବା ପ୍ରାଚ୍ୟ ସାହିତ୍ୟରେ ଅଧିକ ହତ୍ୟା ବିଭୀଷିକାର ଚିତ୍ର ଫୁଟାଇ ବେଶି ସଂଖ୍ୟକ ହ୍ୟାମ୍‌ଲେଟ୍‌, ଓଥେଲୋ ବାବ୍ରୁଟ୍‌ସ୍‌ ଚରିତ୍ର ସୃଷ୍ଟି କରି ପାଶ୍ଚାତ୍ୟ ସାହିତ୍ୟରେ ଅଧିକ ସଂଖ୍ୟକ ବୁଦ୍ଧ, ଅଶୋକ ବା ରାମଚରିତ୍ରରେ ମହତ୍ତ୍ୱ ଦେଖାଇପାରିଲେ ଏହି ମିଳନ ସହଜ ହୋଇପଡ଼ିବ । ମାତ୍ର ସେଭଳି ମିଳନ ସପକ୍ଷରେ ଯେଉଁ ଆଶା ଓ ବିଶ୍ୱାସ ଉପୁଜିଛି, ତାହାର କାରଣ–ଗୋଟିଏ କଥା ଉପରେ ସମଗ୍ର ପୃଥିବୀ ଆଜି ଏକମତ-। ସେ କଥାଟି ହେଉଛି,–ଅସ୍ତ୍ର ଓ ହତ୍ୟା ବିରୁଦ୍ଧରେ ବର୍ଦ୍ଧିଷ୍ଣୁ ଅନ୍ଧବିଶ୍ୱାସ ଏବଂ ଶାନ୍ତ ଓ ମିଳନ ସପକ୍ଷରେ ବହୁ ମତରେ ପ୍ରକାଶ ।

Image

 

ସୌନ୍ଦର୍ଯ୍ୟରେ ସାମଞ୍ଜସ୍ୟ

 

ପ୍ରତି ମନୁଷ୍ୟ ମଧ୍ୟରେ ନିଃଶ୍ୱାସ ଓ ପ୍ରଶ୍ୱାସ ଭଳି ବୈଜ୍ଞାନିକ ତଥା ଆଧ୍ୟାତ୍ମିକ ଚିନ୍ତାଧାରା ଯେ ଅହରହ ପ୍ରବାହିତ, ପ୍ରତି ମନୁଷ୍ୟର ଦେହ ଓ ମନ–ଜଡ଼ ଓ ଆଦର୍ଶ ଯେ ପରସ୍ପର ଉପରେ ସଦା ନିର୍ଭରଶୀଳ, ଗୋଟିକୁ ଛାଡ଼ି ଅନ୍ୟଟିର ସ୍ୱତନ୍ତ୍ର ସ୍ଥିତି ଯେ ଅସମ୍ଭବ, ଉଭୟର ମିଳନ ବ୍ୟତୀତ ବିଶ୍ୱକ୍ରିୟା ଯେପରି ଚଳତ୍‌ ଶକ୍ତିହୀନ ହୋଇପଡ଼େ–ପ୍ରାଚ୍ୟ ପାଶ୍ଚାତ୍ୟର ସାଂସ୍କୃତିକ ମିଳନ ସେଇଭଳି ଆବଶ୍ୟକ ଓ ଅବଶ୍ୟମ୍ଭାବୀ । ମେଷପାଳକ ଯିଶୁ ଏବଂ ରାଜତନ୍ତ୍ର ବୁଦ୍ଧଙ୍କ ମଧ୍ୟରେ ଜନ୍ମଗତ ଓ କର୍ମଗତ ଯେତେ ପ୍ରଭେଦ ଥିଲେହେଁ, ପୁଣି ସ୍ଥାନ, ଜଳବାୟୁ କିମ୍ବା ସାମାଜିକ ପରିସ୍ଥିତି–ଭେଦରେ ଉଭୟ ମଧ୍ୟରେ ଯେତେ ନୀତିଗତ ପାର୍ଥକ୍ୟ ରହିଥିଲେ ମଧ୍ୟ ପରସ୍ପରକୁ ମାନବିକତାର ଐକ୍ୟରୁ ବିଚ୍ଛିନ୍ନ କରିହେବ ନାହିଁ ।

 

ମିଳନାନ୍ତକ ଓ ବିୟୋଗାନ୍ତକ

 

ଜୀବନ-ରଙ୍ଗମଞ୍ଚରେ ମିଳନାନ୍ତକ କିମ୍ବା ବିୟୋଗାନ୍ତକ ଯେଉଁ ସବୁ ନାଟକର ଅଭିନୟ ସେକ୍‌ସପିୟରଙ୍କ ଲେଖନୀରେ ଅମରତ୍ୱ ଲାଭ କରିଛି, ସେହିପରି କାଳିଦାସଙ୍କ ଚରିତ୍ର ସୃଷ୍ଟିରେ ମିଳନ–ବିଚ୍ଛେଦର ଦ୍ୱନ୍ଦ୍ୱ ପ୍ରକଟିତ । ମାତ୍ର ଯିଶୁଙ୍କର ହତ୍ୟାବିଧାନ କରିଥିବା ଯେଉଁ ସମାଜରେ ହାମଲେଟ୍‌, ମ୍ୟାକବେଥ୍‌ବା ଅଥେଲୋ ଆଦି କଠୋର ବାସ୍ତବ ଚରିତ୍ରମାନ ସ୍ୱାଭାବିକ ସୃଷ୍ଟିରୂପେ ଗୃହୀତ, ବୁଦ୍ଧଙ୍କୁ ଅବତାର ଭାବରେ ସ୍ୱୀକାର କରିଥିବା ସମାଜରେ ତାହା ସମ୍ଭବପର ହୋଇନପାରେ । ସେଥିଲାଗି କାଳିଦାସ, ଭବଭୂତି ପ୍ରମୁଖ ଭାରତୀୟ କବିମାନଙ୍କ ଲେଖନୀରେ ବିୟୋଗାନ୍ତକ ଚିତ୍ର ବା ଚରିତ୍ର ସୃଷ୍ଟିର ଚରମ ପରିଣତ ବିରହ କିମ୍ବା ବିଚ୍ଛେଦର ଗଭୀରତମ ଅନୁଭୂତି ପର୍ଯ୍ୟନ୍ତ ଅଗ୍ରସର ହୋଇଛି ସିନା; କିନ୍ତୁ ହତ୍ୟାବିଭୀଷିକା ପରିସମାପ୍ତ ନୁହେଁ ।

 

ଅବଶ୍ୟ ସେକ୍‌ସପିୟର୍‌ଙ୍କ ନିର୍ଜନ ନିର୍ବାସିତା ସୁନ୍ଦରୀ ମିରାଣ୍ଡା ସହିତ କାଳିଦାସଙ୍କ ତପୋବନଲାଳିତା ରୂପସୀ ଶକୁନ୍ତଳାର ଅନେକ ସାମଞ୍ଜସ୍ୟ ମିଳିଥାଏ । ତଥାପି ମିରାଣ୍ଡା ଚରିତ୍ରରେ ଜୀବନ–ଯୌବନର ଯେଉଁ ଉଦ୍‌ବେଳ ଚାଞ୍ଚଲ୍ୟ ଲୀଳାୟିତ, ତପସ୍ୟାସୌମ୍ୟା ଶକୁନ୍ତଳାଙ୍କଠାରେ ତାହା ଶାନ୍ତ ସଂଯତ ଗୁଣ ଗ୍ରହଣ କରିଛି । କଣ୍ୱଆଶ୍ରମରେ ପ୍ରଥମେ ରାଜା ଦୁଷ୍ମନ୍ତଙ୍କର ଦର୍ଶନ ପାଇ ତାଙ୍କ ଦେହରେ ଯେଉଁ ସ୍ପନ୍ଦନ ଅନୁଭୂତି ହୋଇଛି, ଆଉ ଥରେ ପ୍ରିୟତମ ପ୍ରଣୟୀକୁ ଦେଖିବାର ସ୍ୱାଭାବିକ ଆଗ୍ରହରେ କୁରୁବୁକ କଣ୍ଟା ପଣତରେ ଲାଗିବା ଛଳନା କରି ପଶ୍ଚାତ୍‌କୁ ସଲ୍ଲଜ ଦୃଷ୍ଟିପାତଦ୍ୱାରା ଏବଂ ସଖୀମାନଙ୍କ ସମୟୋଚିତ ପରିହାସର ସୂଚନାଦ୍ୱାରା ଶକୁନ୍ତଳାଙ୍କ ଅନୁପମ ରୂପମାଧୁରୀ ଯେପରି ଫୁଟିଉଠିଚି, ପୁଣି ଦୁଷ୍ମନ୍ତଙ୍କ ପ୍ରତ୍ୟାଖ୍ୟାନଜନିତ ବିରହବିଧୁରା ସେହି ରମଣୀର ସୌନ୍ଦର୍ଯ୍ୟ ହିଁ ତ୍ୟାଗ ଓ ତପସ୍ୟାବଳରେ ଯେପରି ମହନୀୟ ଓ ବନ୍ଦନୀୟ ହୋଇସାରିଛି, ମିରାଣ୍ଡା ଚରିତ୍ରରେ ସେ ସୌନ୍ଦର୍ଯ୍ୟ ଅନ୍ୟ ରୂପରେ ବିକଶିତ ।

 

‘‘ମନୁଷ୍ୟ କି ସୁନ୍ଦର !’’

 

ଜନ୍ମାବିଧି ବୃଦ୍ଧ ପିତାଙ୍କ ବ୍ୟତୀତ ଅପର ମନୁଷ୍ୟ ଦେଖିନଥିବା ଏହି ସୁକୁମାରୀ ସରଳା ବାଳିକା ଅଙ୍ଗରେ ଯୌବନର ପ୍ରଥମ ସ୍ଫୁରଣ ହୋଇଛି ଜଣେ ଅପରିଚିତ ସୁପୁରୁଷକୁ ଅସହାୟ ଅବସ୍ଥାରେ ଦେଖିବାକୁ ପାଇ ଏବଂ ମିରାଣ୍ଡାର ସମଗ୍ର ଦେହମନର ଅସମ୍ଭବ ଅପରୂପ ସୌନ୍ଦର୍ଯ୍ୟ ପ୍ରକାଶିତ ହୋଇପଡ଼ିଛି ଗୋଟିଏ ପଦ କଥାରେ–“How beautiful is man !” “ମନୁଷ୍ୟ କି ସୁନ୍ଦର !” ଏଇ ସହଜ କଥାଟି ଭିତରେ ଲୋକଚରିତ୍ରର ଯାଦୁକର ସେକ୍‌ସପିୟର୍‌ଙ୍କ ବିଶ୍ୱଦର୍ଶନ ଠୁଳ ହୋଇଛି ବୋଲି ତାଙ୍କ ସମାଲୋଚକମାନେ କହିଥାନ୍ତି । କାରଣ ‘ଟେମ୍ପେଷ୍ଟ’ (ତୋଫାନ) ତାଙ୍କ ପରିପକ୍ୱ ଅବସ୍ଥାର ଶେଷ ରଚନା ଏବଂ ଏଥିରେ ହିଁ ସେ ଯାଦୁକର ପ୍ରସ୍‌ପେରୋରୂପରେ ଯାଦୁକାଠି ଧରି ସ୍ୱୀୟ କଳ୍ପନାର କ୍ରୀଡ଼ନକ ଏରିୟଲ ସାହାଯ୍ୟରେ କେତେବେଳେ ସମୁଦ୍ର ମଧ୍ୟରେ ତୋଫାନ ସୃଷ୍ଟି କରିଛନ୍ତି; ଆଉ କେତେବେଳେ ସେ ତୋଫାନକୁ କରାୟତ୍ତ କରି ବସନ୍ତର ହିଲ୍ଲୋଳ ବୁହାଇଛନ୍ତି ।

 

ସେକ୍‌ସପିଅର୍‌ ଜଗତରେ ଲୋଭ, କ୍ରୋଧ, କାମ, ମୋହ, ହତ୍ୟା ବିତ୍‌ପାତ୍‌, ମିଳନ ବିଚ୍ଛେଦ, ପ୍ରେମ ଓ ପ୍ରତାରଣାର ଯେତେ ଅଦ୍ଭୂତ ରୂପ ବର୍ଣ୍ଣିତ ହୋଇଛି, ସେଥିମଧ୍ୟରୁ ସେଇ ଜଗତର ସ୍ରଷ୍ଟାଙ୍କୁ ଖୋଜି ପାଇବା ଦୁଷ୍କର । କେଉଁ କେଉଁ ବିଚିତ୍ର ସୃଷ୍ଟି ମଧ୍ୟରେ ସ୍ରଷ୍ଟା ସ୍ୱୟଂ ଆତ୍ମପ୍ରକାଶ କରିଛନ୍ତି ଅଥବା ଲୁକ୍‌କାୟିତ ରହିଛନ୍ତି, ତାହା ବୁଝିବାଲାଗି ଯୁଗ–ଯୁଗବ୍ୟାପି ସମାଲୋଚକମାନଙ୍କ ସାଧନା ପଣ୍ଡ ହୋଇଛି । ଶେଷରେ ପ୍ରସ୍‌ପେରୋ ହିଁ କବିଙ୍କ ସକଳ ସୃଷ୍ଟିର ଉପସଂହାର ବୋଲି ଅନେକେ ଏକମତ । ଏଥିରେ ହିଁ ମିରାଣ୍ଡାମୁଖରେ ମାନବଚରିତ୍ର ଉପରେ କବି ଶେଷ କଥାଟି ବଖାଣିଦେଇ ଏବଂ ସ୍ୱୀୟ ଯାଦୁ–ଯଷ୍ଟିକୁ ସାଗର ଗର୍ଭରେ ନିକ୍ଷେପ କରି ବିଦାୟ ଘେନିଛନ୍ତି । କାଳିଦାସ ମଧ୍ୟ ସେଇ କଥାଟିକୁ ପରୋକ୍ଷରେ କହିଯାଇଛନ୍ତି ଶକୁନ୍ତଳାଙ୍କ ତ୍ୟାଗ–ପୁତ ତପସ୍ୟାର ମାଧ୍ୟମରେ ।

 

ଅଦ୍ଭୁତ ସାମଞ୍ଜସ୍ୟ

 

ମହାଭାରତରେ କୌଣସି ଚରିତ୍ର ସହିତ ହୋମର୍‌ଙ୍କ ଇଲିୟଡ଼୍‌ ବର୍ଣ୍ଣିତ କେତେ ଚରିତ୍ରର ଯେପରି ଅନେକ ସାମଞ୍ଜସ୍ୟ ଦେଖାଯାଏ, ସେକ୍‌ସିପିୟର୍‌ ସାହିତ୍ୟରେ ମଧ୍ୟ ସେହିରୂପ ବହୁ ଅଦ୍ଭୁତ ସାଦୃଶ୍ୟ ନିହିତ ଅଛି । ପାଞ୍ଚଶତ ବର୍ଷ ପୂର୍ବ ସେକ୍‌ସିପିୟର୍‌ ମହାଭାରତ କିମ୍ବା ଗୀତାଧ୍ୟୟନ କରିଥିଲେ କି ନାହିଁ କେଜାଣି; କିନ୍ତୁ ମହାଭାରତ ବା ଗୀତୋକ୍ତ କେତେକ ମର୍ମବାଣୀ ଏବଂ ଚାରିତ୍ରିକ ଦ୍ୱନ୍ଦ୍ୱ ତାଙ୍କ ସାହିତ୍ୟରେ ପ୍ରତିନିଧିତ୍ୱ ହେଲାପରି ଜଣାପଡ଼େ । ବିଶେଷତଃ ତାଙ୍କର ସୁବିଖ୍ୟାତ ଚରିତ୍ର ହ୍ୟାମ୍‌ଲେଟ୍‌ଙ୍କର ନିଜ ପିତୃବ୍ୟହତ୍ୟାଲାଗି ଏବଂ ଜନନୀ ଉପରେ ଅବିଶ୍ୱାସଜନିତ ଯେଉଁ ମାନସିକ ଦ୍ୱନ୍ଦ୍ୱ ଜାତ ହୋଇଛି, ଭାରତ–ଯୁଦ୍ଧରେ ଅବତୀର୍ଣ୍ଣ ଶରତ୍ୟାଗୀ ଅର୍ଜୁନ ମଧ୍ୟ ‘‘To be or not to be’’; ଜୀବନ ଏବଂ ମରଣ–ହତ୍ୟା ଏବଂ ଆତ୍ମତ୍ୟାଗ–ଏ ଦୁଇଟି ମଧ୍ୟରୁ କିଏ ଠିକ୍‌, କିଏ ଭୁଲ୍, କେଉଁଟି ତ୍ୟାଜ୍ୟ, କେଉଁଟି ଗ୍ରହଣୀୟ, ତାହା ସ୍ଥିର କରିନପାରି ହାମ୍‌ଲେଟ୍‌ଙ୍କ ଭଳି ସନ୍ଦେହ–ଦୋଳାରେ ଦୋଳାୟିତ ଓ ଅବସାଦଗ୍ରସ୍ତ । ଶେଷରେ ଉଭୟେ ହିଁ ହତ୍ୟାକୁ ସିଦ୍ଧାନ୍ତ କରିଛନ୍ତି–ହାମ୍‌ଲେଟ୍‌ ମୋହାଚ୍ଛାନ୍ନ ଅବସ୍ଥାରେ ଏବଂ ଅର୍ଜୁନ ମୋହମୁକ୍ତ ହୋଇ ନିଜର କର୍ତ୍ତବ୍ୟଜ୍ଞାନରେ ।

 

ମୋହମୁକ୍ତି

 

ମୋହମୁକ୍ତି ହୋଇ କେବଳ କର୍ତ୍ତବ୍ୟଜ୍ଞାନରେ ହତ୍ୟାବିଧାନର ନିଦର୍ଶନ ମିଳେ ‘ଜୁଲିୟସ୍‌ସିଜାର୍‌’ ନାଟକରୁ; ଯେଉଁଠି ବ୍ରୁଟସ୍‌ କହିଛନ୍ତି–ଆମେ ସିଜାର୍‌ଙ୍କ ରକ୍ତ ଲୋଡ଼ୁନାହୁଁ, ଲୋଡ଼ୁଁ କେବଳ ସିଜାର୍‌ତ୍ୱର ହତ୍ୟା, ଐକାନ୍ତିକ ସ୍ୱେଚ୍ଛାଚାରର ବିଲୋପ । କିନ୍ତୁ ଯେଉଁ ଭାବରେ ଯେ କେହି ହତ୍ୟା କରନ୍ତୁ ପଛେ ପରିମାଣରେ ସେ ନିଜେ ମଧ୍ୟ ନିହତ ହୋଇଛନ୍ତି–ଏହା ପ୍ରାୟ ସେକ୍‌ସିପିୟର୍‌ ଚରିତ୍ର ସୃଷ୍ଟିର ଏବଂ ବିୟୋଗାନ୍ତକ ନାଟକର ସାଧାରଣ ଲକ୍ଷଣ । ଯିଶୁହତ୍ୟା ସହିତ ସେହି ରୂପେ ପରବର୍ତ୍ତୀ ୟୁରୋପୀୟ ସାହିତ୍ୟରେ ବହୁ ହତ୍ୟାର ବିବରଣ ନାନା ଅବସ୍ଥାଭେଦରେ କିମ୍ବା ବିଚାର ଭେଦରେ ବିଭିନ୍ନ ରୂପ ଧାରଣ କଲେ ମଧ୍ୟ ଏକସୂତ୍ରରେ ତାହା ଗ୍ରଥିତ । ଭାରତୀୟ ସାହିତ୍ୟର ଶାନ୍ତ ସମାହିତ ପ୍ରଭାବ ମୂଳରେ ସେହିପରି ସୁଦୀର୍ଘ ଉଦାର ଅହିଂସ ଇତିହାସର ଧାରା ପାଶ୍ଚାତ୍ୟ ଧାରଣାର ସହଜଗମ୍ୟ ନ ହେଲେହେଁ ସ୍ୱୀୟ ସ୍ୱାତନ୍ତ୍ର୍ୟ ସହିତ ବିଶ୍ୱର ମିଳନ ମାଧୁରିମାରେ ତାହା ମହିମାମୟ ହୋଇଉଠିଛି ।

Image

 

ନେହେରୁଙ୍କ ସାହିତ୍ୟ-ତତ୍ତ୍ୱ

 

ଆର୍କିମିଡ଼ସ୍‌, ସକ୍ରେଟିସ୍‌ କିମ୍ବା ଯିଶୁଖ୍ରୀଷ୍ଟଙ୍କ ଭଳି ପାଶ୍ଚାତ୍ୟ ଜଗତରେ ଏକାଧିକ ବୈଜ୍ଞାନିକ, ଦାର୍ଶନିକ ଓ ମହାପୁରୁଷ ସ୍ୱୀୟ ମତ ଓ ସତ୍ୟପ୍ରତିଷ୍ଠା ପାଇଁ ପ୍ରାଣବଳି ଦେଇଥିବାର କେତେ ଉଦାହରଣ ମିଳେ । ପ୍ରାଚ୍ୟ–ଇତିହାସରେ ତାହା ଦୁର୍ଲଭ ହେବାଯୋଗୁଁ ମାର୍ଟର (Martyr) ଶବ୍ଦର ଯଥାର୍ଥ ପ୍ରତିଶବ୍ଦ ଆମ୍ଭମାନଙ୍କ ପ୍ରାଚୀନ ସାହିତ୍ୟରେ ମିଳେନାହିଁ । ‘ଶହୀଦ’ ଶବ୍ଦଟି ଏକ ସମ୍ପୂର୍ଣ୍ଣ ଆଧୁନିକ ଆମଦାନି । ଏହା ଭିତରେ ଭାରତୀୟ ଆତ୍ମାର ଅଭାବ ଦେଖାଯାଏ । ‘କଳାବଜାର’, ‘ପ୍ରିୟାପ୍ରୀତି–ତୋଷଣ’, ‘ବେକାର’, ‘ଧର୍ମଘଟ’ ବା ‘ହରତାଳ’ ଆଦି ଆହୁରି ଅନେକ ଶବ୍ଦଭଳି ‘ସହିଦ’ ଶବ୍ଦଟାର ଆତ୍ମା ବିଦେଶରେ; ଦେହଟା ମାତ୍ର ଭାରତକୁ ରପ୍ତାନି ହୋଇଆସିଛି । ଓଡ଼ିଆ କିମ୍ବା ଅନ୍ୟାନ୍ୟ ଆଞ୍ଚଳିକ ସାହିତ୍ୟକୁ ମଧ୍ୟ ଆଧୁନିକତା ବଜାୟ ରଖିବାପାଇଁ ସେସବୁ ଶବ୍ଦକୁ ନିର୍ବିଚାରରେ ଗଳାଧଃକରଣ କରିବାକୁ ହୋଇଥାଏ ।

 

ଆଞ୍ଚଳିକ ସାହିତ୍ୟ

 

ସଂସ୍କୃତକୁ ଛାଡ଼ି ଭାରତୀୟ ସାହିତ୍ୟ ବୋଲି ଆଜି ଅବଶ୍ୟ କୌଣସି ଏକ ନିର୍ଦ୍ଦିଷ୍ଟ ସାହିତ୍ୟର ଚିହ୍ନବର୍ଣ୍ଣ ନାହିଁ । ସର୍ବାଧିକ ଲୋକଙ୍କର କଥିତ ଭାଷାରୂପେ ହିନ୍ଦୀର ରୂପରେଖ ସମ୍ପୂର୍ଣ୍ଣ ସ୍ଥିରୀକୃତ ହେବା ପ୍ରୟୋଜନ । ତାହା ନହେବା ପର୍ଯ୍ୟନ୍ତ ପାଶ୍ଚାତ୍ୟ ସାହିତ୍ୟ ସଙ୍ଗେ ଭାରତୀୟ ସାହିତ୍ୟର ତୁଳନା କଲାବେଳେ ମନେରଖିବାର କଥା ଏହି ଯେ, ପ୍ରାଚୀନ ସଂସ୍କୃତ ହିଁ ଯଥାର୍ଥରେ ଭାରତୀୟ ସାହିତ୍ୟ ନାମର ଉପଯୁକ୍ତ । ପରବର୍ତ୍ତୀ ଆଞ୍ଚଳିକ କଥିତ ଭାଷା ବା ସାହିତ୍ୟର ସମୁନ୍ନତି ୟୁରୋପର ବିଭିନ୍ନ ସାହିତ୍ୟ ସଙ୍ଗ; ତୁଳିତ ହେବାର ସାମର୍ଥ୍ୟ ହାସଲ କରିପାରି ନାହିଁ କହିଲେ ଚଳେ-। ରବୀନ୍ଦ୍ରନାଥ, ଇକ୍‌ବଲ ଓ ପ୍ରେମଚାନ୍ଦ୍‌ ପ୍ରମୁଖ ମୁଷ୍ଟିମେୟ କବି, ଔପନ୍ୟାସିକ ଏ ଯୁଗରେ ବଙ୍ଗ, ଉର୍ଦ୍ଦୁ ବା ହିନ୍ଦୀ ଭଳି କେତେଗୋଟି ଆଞ୍ଚଳିକ ସାହିତ୍ୟର ମୁଖ ଉଜ୍ଜ୍ୱଳ କରିଥିଲେ ମଧ୍ୟ ପୁଣି ଆସାମୀ, ମୈଥିଳୀ, ପଞ୍ଜାବୀ, ଓଡ଼ିଆ, ନେପାଳୀ, ଗୁଜରାଟୀ, ମହାରାଷ୍ଟ୍ରୀ, କର୍ଣ୍ଣାଟୀ, ତାମିଲ, ତେଲୁଗୁ, ମାଲାୟାଲମ ଆଦି ଅନ୍ୟାନ୍ୟ ଭାଷାରେ ଆଧୁନିକ ଲେଖକମାନଙ୍କ ସାଧନା ଉଲ୍ଲେଖଯୋଗ୍ୟ ହେଲେହେଁ ଏହି ସକଳ ସାହିତ୍ୟରେ ଅନାବାଦୀ ଆକର୍ଷିତ କ୍ଷେତ୍ରର ସୀମା ଅତି ବିସ୍ତୃତ ।

 

ଭାରତୀୟ ସାହିତ୍ୟ

 

ଆଞ୍ଚଳିକ ସାହିତ୍ୟମାନଙ୍କର ସମଷ୍ଟି ହିଁ ଆଜି ଭାରତୀୟ ସାହିତ୍ୟରୂପେ ପରିଚିତ । ସେଥିମଧ୍ୟରୁ କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ଭାଷା ବା ସାହିତ୍ୟକୁ ଉକ୍ତ ଆଖ୍ୟାରେ ଅଭିହିତ କରାଯାଇନପାରେ । ବହୁ ମତରେ ହିନ୍ଦୀ ମହାଭାରତୀୟ ଭାଷାରୂପେ ଗୃହୀତ ହେଲେହେଁ ତାହାର ପ୍ରକୃତ ସ୍ୱରୂପ ଓ ସାହିତ୍ୟ ବିକଶିତ ହୋଇନାହିଁ । ଅଞ୍ଚଳ କିମ୍ବା ରାଜ୍ୟ ଭେଦରେ କାହାର ରୂପ ବିଭିନ୍ନ ଆକାର ଧାରଣ କରିଛି; ପୁଣି ଉକ୍ତ ସାହିତ୍ୟର ଏକାଧିକ ପ୍ରଧାନ ଲେଖକ ଉର୍ଦ୍ଦୁରେ ମଧ୍ୟ ରଚନା କରିଥାନ୍ତି । ଏହିସବୁ କାରଣରୁ କାହାରି ମତରେ ସଂସ୍କୃତ ହିଁ ଯଥାର୍ଥରେ ଭାରତୀୟ ସାହିତ୍ୟରୂପେ ପରିଗଣିତ ହେବା ଉଚିତ । ମାତ୍ର ବହୁ ଶତାବ୍ଦୀ ହେଲା ଭାରତର ବିଭିନ୍ନ ଆଞ୍ଚଳିକ ଭାଷାମାନ ସଂସ୍କୃତ, ପାଲି ବା ମାଗଧୀରୁ ଉଦ୍‌ଭୂତ ହୋଇ ସ୍ୱତନ୍ତ୍ର ରୂପ ପରିଗ୍ରହ କରିସାରିଛି ।

 

ବିଭିନ୍ନ ଯୁଗରେ ନାନା ଭାଷାଭାଷୀ ଶାସକଗୋଷ୍ଠୀର ପ୍ରେରଣାରେ ସଂସ୍କୃତଦ୍ୱାରା ସୁଗଠିତ ଓ ପ୍ରତିଷ୍ଠିତ ଆଞ୍ଚଳିକ ସାହିତ୍ୟମାନଙ୍କ ଉପରେ ଫରାସୀ ବା ଇଂରାଜୀ ସାହିତ୍ୟର ପ୍ରଭାବ ପଡ଼ିଛି । ବିଶେଷତଃ ଆଧୁନିକ ସାହିତ୍ୟ ବୋଇଲେ ଇଂରାଜୀ କିମ୍ବା ତାହାରି ମାଧ୍ୟମରେ ଆନ୍ତର୍ଜାତିକ ସାହିତ୍ୟମାନଙ୍କର ପ୍ରଭାବକୁ ବୁଝାଇଥାଏ । ତଥା ସଂସ୍କୃତ ହିଁ ପ୍ରାଚୀନ ସାହିତ୍ୟର ମୂଳପିଣ୍ଡ ।

 

ସୁନିୟନ୍ତ୍ରିତ ଇଂରାଜୀ ଶିକ୍ଷାର ପ୍ରଣାଳୀ ମାଧ୍ୟମରେ ଭାରତ ସମକ୍ଷରେ ବିଶ୍ୱସାହିତ୍ୟର ଦ୍ୱାରୋଦ୍‌ଘାଟିତ ହେବା ସମୟରୁ ଆଞ୍ଚଳିକ ସାହିତ୍ୟମାନ ଯେପରି ନବ ନବ ପୁଷ୍ପପଲ୍ଲବରେ ପଲ୍ଲବିତ ହୋଇଉଠିଲେ, କବିତା, ନାଟକ, ଉପନ୍ୟାସ, ପ୍ରବନ୍ଧରେ ଯେପରି ନବ ନବ ଛନ୍ଦ ଓ ଶୈଳୀ ଦେଖାଦେଲା, ଏଥିପୂର୍ବେ ସେପରି କେବେ ଘଟିନଥିଲା । ନବଯୁଗର ଆବାହନରେ ସକଳ ଆଞ୍ଚଳିକ ସାହିତ୍ୟ ସଚେତନ ହୋଇଉଠିଲା । ଅଭିନବ ଦେଶପ୍ରାଣତା ଓ ଜାତୀୟତାର ଉଦ୍‌ବୋଧନରେ ସକଳ ସାହିତ୍ୟରହିଁ ପୁନ୍‌ରୁତ୍‌ଥାନ ଘଟେ; ପୁଣି କଳ୍ପନାବିଳାସ ଦେଶ ବା ଜାତି ମଧ୍ୟରେ ଆବଦ୍ଧ ନ ରହି କିମ୍ବା ମାନବସମାଜର ସୀମା ସରହଦକୁ ଅସ୍ୱୀକାର କରି ବିଶ୍ୱବ୍ୟାପୀ ହେବାପାଇଁ ପକ୍ଷ ବିସ୍ତାର କରେ ।

 

ଶ୍ରୀ ନେହେରୁ ଓ ଭାରତୀୟ ସାହିତ୍ୟ

 

ଦେବଭାଷାରୁ ନିଷ୍ପନ୍ନ ହୋଇ ଯେତେଗୋଟି ଲିଖିତ ବା କଥିତ ଭାଷା ଭାରତର ବିଭିନ୍ନ ଅଞ୍ଚଳରେ ପ୍ରଚଳିତ ଅଛି ଏବଂ ତହିଁ ମଧ୍ୟରେ କେତେକ ପ୍ରଧାନ ପୁଣି କେତେକ ଅପ୍ରଧାନ ଭାଷା ବା ସାହିତ୍ୟ ଅଛି, ସେସବୁର ପରସ୍ପର ଘନିଷ୍ଠତର ସହଯୋଗ ଏବଂ ଆଦାନପ୍ରଦାନ ଲାଗି ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ଗତ ୧୬।୪।୧୯୫୪ ତାରିଖରେ ଚିଦାମ୍ବରମ୍‌ଠାରେ ଆନ୍ନମାଳୟ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଅନୁଷ୍ଠିତ ଆନ୍ତର୍ଜାତିକ ପି. ଇ. ଏନ୍‌. ନିଖିଳ ଭାରତ ଲେଖକ ସମ୍ମିଳନୀର ଉଦ୍‌ଘାଟିତ ଉତ୍ସବରେ ସେ ଏଥିପ୍ରତି ଦୃଷ୍ଟି ଆକର୍ଷଣ କରିଛନ୍ତି । ତାଙ୍କର ଭାଷଣ ଭାରତୀୟ ସାହିତ୍ୟର ଆକାର–ପ୍ରକାର ସମ୍ପର୍କରେ ଏକ ପୂର୍ଣ୍ଣାଙ୍ଗ ଭାଷ୍ୟ ନହେଲେ ମଧ୍ୟ ସୁଚିନ୍ତିତ ଓ ସହୃଦୟତାପୂର୍ଣ୍ଣ ।

 

ଭାଷାଗତ ଐକ୍ୟ

 

ଆଧୁନିକ ଭାରତୀୟ ସାହିତ୍ୟର ଗତି ନିର୍ଦ୍ଦେଶ କରି ସେ କହିଛନ୍ତି, “Our languages should also have contact with the languages of the world. But essentially these great languages of India should be closer to each other.” (ଆମ୍ଭମାନଙ୍କ ଭାଷାଗୁଡ଼ିକର ସମ୍ପର୍କ ବିଶ୍ୱସାହିତ୍ୟ ସଙ୍ଗେ ପ୍ରତିଷ୍ଠିତ ହେବା ଆବଶ୍ୟକ; କିନ୍ତୁ ମୂଳତଃ ଭାରତର ଶ୍ରେଷ୍ଠ ସାହିତ୍ୟମାନଙ୍କର ପରସ୍ପର ନିକଟତର ସମ୍ପର୍କ ରହିବା ଉଚିତ) ସେ ସମ୍ପର୍କ କି ଉପାୟରେ ରଖାଯାଇପାରେ ଏବଂ ପରସ୍ପର ସାହିତ୍ୟ ବିଷୟରେ କେଉଁ ସାଧାରଣ ସୂତ୍ର ସାହାଯ୍ୟରେ ପରିଚୟ ଲାଭ କରାଯାଇପାରେ, ତାହାର ସମ୍ୟକ୍‌ ଆଲୋଚନା କରି ସେ କହିଛନ୍ତି ଯେ, ଏହିଭାବରେ ହିଁ ଆମ୍ଭେମାନେ ପ୍ରକୃତ ଭାରତୀୟ ସାହିତ୍ୟର ସଙ୍ଗଠନ ଓ ସମୁନ୍ନତି କରିପାରିବା ) “I do think that the problem before us is to develop in India what may be called Indian literature in the various languages.” (ମୋର ମନେହୁଏ ଆମ ଆଗରେ ପ୍ରଧାନ ସମସ୍ୟା ହେଉଛି, ଭାରତରେ ବିଭିନ୍ନ ଭାଷାଗୁଡ଼ିକର ଅନ୍ତର୍ଗତ ଯେଉଁ ସାହିତ୍ୟକୁ ଭାରତୀୟ ଆଖ୍ୟା ଦିଆଯାଇପାରେ, ତାହାରି ଉନ୍ନତିବିଧାନ କରିବା) ।

 

ହିନ୍ଦୀ, ଉର୍ଦ୍ଦୁ, ସଂସ୍କୃତ କିମ୍ବା ଇଂରାଜୀ ପ୍ରମୁଖ ଯେଉଁ ଭାଷାମାନଙ୍କ ମାଧ୍ୟମରେ ବିଭିନ୍ନ ଆଞ୍ଚଳିକ ସାହିତ୍ୟର ସହଯୋଗ ବା ପରସ୍ପର ପରିଚୟ ସମ୍ଭବପର ହେଉପଛେ ଭାରତୀୟ ସାହିତ୍ୟର ସମୃଦ୍ଧି ଲାଗି କୌଣସି ଏକ ସାଧାରଣ କ୍ଷେତ୍ର ପ୍ରସ୍ତୁତ କରିବାପାଇଁ ପଣ୍ଡିତ ନେହେରୁ ଆଗ୍ରହୀ ଥିବାର ଜଣାପଡ଼େ : ‘‘I think we should try to develop certain common approaches like common knowledge of each other’s literature and something which may be termed Indian literature.’’

 

ଭାଷା ଏକ ଜୀବନ୍ତ ବସ୍ତୁ

 

ସେଥିସଙ୍ଗେ ପ୍ରତ୍ୟେକ ଆଞ୍ଚଳିକ ସାହିତ୍ୟର କି ରୂପେ ସର୍ବାଙ୍ଗୀନ ଅଭ୍ୟୁଦୟ ସାଧିତ ହେବାଦ୍ୱାରା ସମୁଦାୟ ଭାରତୀୟ ସାହିତ୍ୟ ବୃଦ୍ଧିଲାଭ କରିବ, ତାହାର ସୂଚନା ଦେଇ ସେ କହିଛନ୍ତି ଯେ ଭାଷା ଏକ ଜୀବନ୍ତ ବସ୍ତୁ । ତେଣୁ ସକଳ ଭାଷାକୁ ପରିବର୍ଦ୍ଧମାନ, ସ୍ପନ୍ଦନପୂର୍ଣ୍ଣ ଓ ପ୍ରାଣବନ୍ତ କରି ଗଢ଼ିବାପାଇଁ ଯେତେଦୂର ଅନୁକୂଳ ବାତାବରଣ ସୃଷ୍ଟି କରାଯାଇପାରେ, ତାହା କରିବା ଆମ୍ଭମାନଙ୍କର ବିଧେୟ । ‘‘Language is essentially a living thing. So we have to treat these languages to rise as vital, throbbing, living and growing things, which means preparing and giving an opportunity and environment for the writer, poet and novelist to function.’’ ଯେଉଁ ପରିସ୍ଥିତିରେ ବିଭିନ୍ନ ଆଞ୍ଚଳିକ ଭାଷାର ଲେଖକ, କବି ବା ଔପନ୍ୟାସିକ ସ୍ୱଚ୍ଛନ୍ଦରେ ସ୍ୱୀୟ କଳାସାଧନାରେ ବ୍ରତୀ ହୋଇପାରିବେ, ସେହିଭଳି ସୁଯୋଗ ସେମାନଙ୍କୁ ଦେବା ବାଞ୍ଛନୀୟ ବୋଲି ପ୍ରଧାନମନ୍ତ୍ରୀ ସ୍ପଷ୍ଟ ଭାବରେ ବ୍ୟକ୍ତ କରିଛନ୍ତି ।

 

ସ୍ପନ୍ଦନ ଓ ପ୍ରେରଣା

 

ଲେଖକ ସେସବୁ ସୁଯୋଗ ଲାଭ କରି ଯେପରି ପ୍ରାଣବନ୍ତ ଓ ସ୍ପନ୍ଦନପୂର୍ଣ୍ଣ ରଚନା ସୃଷ୍ଟି କରିପାରିବ, ଉତ୍କୃଷ୍ଟ କବିତା କିମ୍ବା ଚିନ୍ତାର ଉତ୍ପାଦନ ଲାଗି କ୍ଷମ ହେବ–କେବଳ ବହୁସଂଖ୍ୟକ ଗ୍ରନ୍ଥ ଲେଖି କାର୍ଯ୍ୟ ସମାପ୍ତି କରିବ ନାହିଁ–ସେ ସମ୍ବନ୍ଧରେ ମଧ୍ୟ ତାହାଙ୍କ ସୁଗଭୀର ଅନୁଭୂତିର ପରିଚୟ ମିଳେ । ଦେଶ ସମକ୍ଷରେ ଜୀବନଧାରଣ ପାଇଁ ଖାଦ୍ୟବସ୍ତ୍ର ଭଳି ବହୁ ଉତ୍କଟ ସମସ୍ୟା ଉପସ୍ଥିତ ଥିବାବେଳେ; ବହୁ ନିର୍ମାଣ ସଂଗଠନ ଓ ସଂସ୍କାର ଜରିଆରେ ଦେଶକୁ ସମୃଦ୍ଧ କରିବା ଜରୁରୀ ଆବଶ୍ୟକ ହେଉଥିବାବେଳେ; ପୁଣି ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଶିଳ୍ପର ଉନ୍ନତିଦ୍ୱାରା ଜାତୀୟ ଅଭ୍ୟୁତ୍‌ଥାନ ଏକାନ୍ତ କାମ୍ୟ ବୋଲି ବିବେଚିତ ହେଉଥିବାବେଳେ ମନେରଖିବାକୁ ହେବ ଯେ, ସକଳ କର୍ମରେ ପ୍ରେରଣା ଓ ସ୍ପନ୍ଦନ ଯୋଗାଇଥାଏ ସାହିତ୍ୟ । ଯେଉଁ ରଚନାରେ ପ୍ରେରଣା ଓ ସ୍ପନ୍ଦନ ନାହିଁ, ତାହା ଯେତେ ମୂଲ୍ୟବାନ କିମ୍ବା ମହାନ୍‌ଗ୍ରନ୍ଥ ହେଲେ ମଧ୍ୟ ପ୍ରକୃତ ସାହିତ୍ୟ–ପଦବାଚ୍ୟ ନୁହେଁ । ଏହି ପ୍ରେରଣା ଓ ସ୍ପନ୍ଦନା ବିନା କୌଣସି ଶ୍ରେଷ୍ଠ ପ୍ରତିଭା ବିକଶିତ ହୋଇନପାରେ ।

 

କବି, ଔପନ୍ୟାସିକ କିମ୍ବା ନାଟ୍ୟକାରଙ୍କ ପାଇଁ ଏହିରୂପ ବେଷ୍ଟନୀ ପ୍ରସ୍ତୁତ କରିବାକୁ ହେବ, ଯାହା ଭିତରେ ରହି ତାଙ୍କ ପ୍ରାଣର ସ୍ପନ୍ଦନ ଓ ପ୍ରେରଣା (spirit and emotion) ଅପ୍ରତିହିତ ଭାବରେ ପ୍ରକାଶ ପାଇବ, ତାଙ୍କ ଅନ୍ତର୍ନିହିତ ପ୍ରତିଭା ସମ୍ପୂର୍ଣ୍ଣ ବିକଶିତ ହୋଇପାରିବ । ପଣ୍ଡିତ ନେହେରୁ ଏଇ କଥା ଉପରେ ଯେତେ ଜୋର ଦେଇ କହିଛନ୍ତି, ତାହା ସ୍ୱାଧୀନ ଭାରତର ପ୍ରଧାନମନ୍ତ୍ରୀଙ୍କ ପକ୍ଷରେ ହିଁ ଯୋଗ୍ୟତମ ଉକ୍ତି ।

 

ସରକାରଙ୍କ ଦାୟିତ୍ୱ

 

ଲେଖକମାନଙ୍କ ସ୍ୱଚ୍ଛନ୍ଦ ପ୍ରତିଭା ବିକାଶ ଲାଗି ଅନୁକୂଳ ବାତାବରଣ ସୃଷ୍ଟି କରିବା ଯେ, ସରକାରୀ ସଂଗଠନର ଅନ୍ତର୍ଭୁକ୍ତ କାର୍ଯ୍ୟ, ତାହା ଆମ ପ୍ରଧାନମନ୍ତ୍ରୀ ମୁକ୍ତକଣ୍ଠରେ ସ୍ୱୀକାର କରିଛନ୍ତି :

 

“A Government organization can provide a favourable environment. The problem of any Government in the ultimate analysis is to provide opportunities for every person in the country to develop as far as he has the capacity to develop.”

 

କେବଳ ସାହିତ୍ୟକ୍ଷେତ୍ରରେ କାହିଁକି; ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଶିଳ୍ପ ଆଦି ସକଳ କ୍ଷେତ୍ରରେ ରାଷ୍ଟ୍ରର ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କର ଶକ୍ତି ସାମର୍ଥ୍ୟ ଅନୁଯାୟୀ ସ୍ୱ ସ୍ୱ ଅନ୍ତର୍ନିହିତ ଗୁଣର ପୂର୍ଣ୍ଣ ବିକାଶ ସାଧନ ଲାଗି ସକଳ ସୁଯୋଗ ଯୋଗାଇଦେବା ହିଁ ଯେକୌଣସି ସରକାରଙ୍କର ଆଜି ପ୍ରଧାନ ସମସ୍ୟା । ଯେଉଁଠାରେ ସେସବୁ ସୁଯୋଗ ମିଳେ ନାହିଁ, ସେଠାରେ ଯେ ରାଷ୍ଟ୍ର, ସମାଜ କିମ୍ବା ସରକାର ଦୁର୍ବଳ ତଥା ଅବନତ ହୋଇ ରହେ, ପ୍ରଧାନମନ୍ତ୍ରୀଙ୍କ ଉକ୍ତିରୁ ତାହା ସ୍ପଷ୍ଟ ପ୍ରତିପନ୍ନ ହୁଏ ।

 

ଭାରତର ବିପୁଳ ବିଭବ

 

ପରବର୍ତ୍ତୀ ଉକ୍ତିରେ ସେ ଏଇ କଥାକୁ ସ୍ପଷ୍ଟତର କରିଦେଇଛନ୍ତି । ସମସ୍ତ ସୁଯୋଗ ଦେବାଫଳରେ ଯେ, ଭାରତର ବିଭିନ୍ନ କ୍ଷେତ୍ରରେ ଶ୍ରେଷ୍ଠ ଲେଖକ, କୃଷକ, ଶିଳ୍ପୀ, ବୈଜ୍ଞାନିକ ଆଦି ଦେଖାଦେବେ; ଏଥିରେ ତାଙ୍କର ସନ୍ଦେହ ନାହିଁ :

 

“I have a little doubt that, if we give the opportunities for growth to a large number of people than has been possible in the past and if we top the enormous resources of India by giving such opportunities, we shall succeed in finding many great men, if it is in the field of literature engineering or in any other field of service that the country might demand.”

 

ସାହିତ୍ୟ ଇଞ୍ଜିନିୟରିଂ କିମ୍ବା ଯେକୌଣସି ସେବାକ୍ଷେତ୍ରରେ ଦେଶ ଯେପରି ଆଜି ଶ୍ରେଷ୍ଠ ନେତୃତ୍ୱ ପାଇବାପାଇଁ ଦାବି କରେ, ଅତୀତରେ ସମ୍ଭବପର ହୋଇନଥିବା ଅଧିକସଂଖ୍ୟକ ଲୋକଙ୍କୁ ଆମେ ଯଦି ସେସବୁ ସୁଯୋଗ ଦେଉଁ ଏବଂ ତଦ୍ଦ୍ୱାରା ଭାରତର ବିପୁଳ ବିଭବକୁ ଉଦ୍‌ଘାଟନ କରୁ, ତେବେ ମୋର ଟିକିଏ ହେଲେ ସନ୍ଦେହ ନାହିଁ ଯେ, ଆମେ ସେଭଳି ଶ୍ରେଷ୍ଠ ପୁରୁଷ ପାଇବାରେ କୃତକାର୍ଯ୍ୟ ହେବା ।’’

 

ଅନୁକୂଳ ବାତାବରଣ

 

ସାହିତ୍ୟିକ ପ୍ରତିଭାର ଉନ୍ମେଷ ଲାଗି ଅନୁକୂଳ ବାତାବରଣ ବା ବେଷ୍ଟନୀ ପ୍ରସ୍ତୁତ କଲେ ରାଷ୍ଟ୍ର ବା ସମାଜ ପକ୍ଷରେ କେତେଦୂର କଲ୍ୟାଣକର ହେବ, ପ୍ରଧାନମନ୍ତ୍ରୀ ତାହା ଅତି ବାସ୍ତବ ଦୃଷ୍ଟିକୋଣରୁ ବିଚାର କରି କହିଛନ୍ତି ଯେ, ସାହିତ୍ୟର ପ୍ରଭାବ ଅନେକ ସ୍ଥଳରେ ପରୋକ୍ଷ ହୋଇଥିବା ହେତୁ ଯେକେହି ସଂସ୍କାରକଙ୍କର ପ୍ରତ୍ୟକ୍ଷ ପ୍ରଭାବ ଅପେକ୍ଷା ତାହା ଅଧିକ ଶକ୍ତିଶାଳୀ :

 

“I want to stress the importance of developing this environment which produces good literature; because, I think, that is a powerful and sometimes direct and more often an indirect influence on the nation and a powerful one which endures.”

 

ଜାତି ଉପରେ ସତ୍‌ସାହିତ୍ୟର ପ୍ରଭାବ ଯେପରି ଶକ୍ତିଶାଳୀ ଓ ସ୍ଥାୟୀ, ପ୍ରତ୍ୟେକ ସାହିତ୍ୟିକ ଲେଖନୀ ଧାରଣ ଓ ଚାଳନ କଲାବେଳେ ସେହି ଗୁରୁଦାୟିତ୍ୱ ଉପଲବ୍‌ଧି କରିବା ଉଚିତ ଏବଂ ସେଥିଲାଗି ଲେଖକ ସକାଶେ ଅନୁକୂଳ ବେଷ୍ଟନୀ ଓ ବାତାବରଣ ସୃଷ୍ଟି ହେବା ଆବଶ୍ୟକ ।

Image

 

ଦୃଷ୍ଟିଭଙ୍ଗୀରେ ଐକ୍ୟ

 

କିଭଳି ବେଷ୍ଟନୀ ଓ ଅନୁକୂଳ ବାତାବରଣ ସୃଷ୍ଟି କଲେ ଶ୍ରେଷ୍ଠ ପ୍ରତିଭାର ବିକାଶ ସମ୍ଭବପର ହେବ, ତାହା କେଉଁ ଆର୍ଥିକ ସ୍ୱାଚ୍ଛନ୍ଦ୍ୟ କିମ୍ବା ନୈତିକ ଓ ବିକାଶ ସମ୍ଭବପର ହେବ, ତାହା କେଉଁ ଆର୍ଥିକ ସ୍ୱାଚ୍ଛନ୍ଦ୍ୟ କିମ୍ବା ନୈତିକ ଓ ସାମାଜିକ ସ୍ୱତନ୍ତ୍ର୍ୟ ଉପରେ ନିର୍ଭର କରେ ଅଥବା କିରୂପ ଶାନ୍ତିପୂର୍ଣ୍ଣ ନିଶ୍ଚିନ୍ତ ବାୟୁମଣ୍ଡଳ ଲୋଡ଼େ–ଯାହା ଭିତରେ ଉତ୍କୃଷ୍ଟ ଭାବୁକ ବା ଉତ୍ତମ କବିତା ସୃଷ୍ଟି ହୋଇପାରେ–ସେ ସମ୍ପର୍କରେ ମଧ୍ୟ କେତେକ ଚିନ୍ତାପୂର୍ଣ୍ଣ ସୂଚନା ପ୍ରଧାନମନ୍ତ୍ରୀଙ୍କ ଭାଷଣରୁ ମିଳିଥାଏ । ଭାରତୀୟ ଲେଖକ ପକ୍ଷରେ ସେ ସମସ୍ତ ନୂତନ ନହେଲେ ମଧ୍ୟ ମୂଲ୍ୟବାନ୍‌ ଓ ପ୍ରଣିଧାନଯୋଗ୍ୟ । କାରଣ ନିଜ ସମସ୍ୟା ସମ୍ବନ୍ଧରେ ସେ ସମଧିକ ସଚେତନ ହେବା ସ୍ୱାଭାବିକ । ଲେଖକମାନଙ୍କୁ ତାଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟରେ ଉଦ୍‌ବୁଦ୍ଧ ତଥା ଅନୁପ୍ରାଣିତ କରି ସେମାନଙ୍କ ସମସ୍ୟାଗୁଡ଼ିକର ସମାଧାନ ଲାଗି ଭାରତ ସରକାରଙ୍କ ନବଗଠିତ ‘ସାହିତ୍ୟ ଏକାଡେମୀ’ ଓ ଆନ୍ତର୍ଜାତିକ ପି. ଇ. ଏନ୍‌. ଅନୁଷ୍ଠାନ ଅବହିତ ହେବେ ବୋଲି ଶ୍ରୀ ନେହେରୁ ଆଶାପ୍ରକାଶ କରିଛନ୍ତି-

 

ଆର୍ଥିକ ସମସ୍ୟା

 

ଦେଶର ଡାକ୍ତର, ଓକିଲ, କିରାଣି, ଶିକ୍ଷକ ଆଦି ବୁଦ୍ଧିଜୀବୀ ତଥା ଖାଦ୍ୟବସ୍ତ୍ରର ଲକ୍ଷ ଲକ୍ଷ ଉତ୍ପାଦନକାରୀ ଶ୍ରମିକ କୃଷକ ପରି ଶିଳ୍ପୀ ବା ଲେଖକର ମଧ୍ୟ ପ୍ରଧାନ ଓ ଜରୁର ସମସ୍ୟା ଯେ, ଆର୍ଥିକ–ଏହା କେହି ଅବଜ୍ଞା କରିପାରିବେ ନାହିଁ । ମାତ୍ର ଏହି ଆର୍ଥିକ ସମସ୍ୟା ଯେତେଦୂର ଜଟିଳ, ତାହାର ଆଶୁ ସମାଧାନ ଯେକୌଣସି ଗଣତନ୍ତ୍ର ସରକାର ପକ୍ଷରେ ଅର୍ଥାତ୍‌ ଲୋକମତକୁ ଅପେକ୍ଷା ରଖି ତଦୁପରି ତିଷ୍ଠି ରହିଥିବା ଅନୁଷ୍ଠାନ କର୍ତ୍ତୃକ ସହଜସାଧ୍ୟ ନୁହେଁ । ସେଥିଲାଗି ହୁଏତ କିଛି ଜବରଦସ୍ତି ବାଧ୍ୟତାମୂଳକ ପନ୍ଥା ଆବଶ୍ୟକ; ତାହା କିନ୍ତୁ ଯଥାର୍ଥ ଗଣତନ୍ତ୍ର ନୀତିର ବିରୋଧୀ ।

 

ଉଦାହରଣ ସ୍ୱରୂପ, ଲେଖକ ବା ଶିଳ୍ପୀର ଆର୍ଥିକ ପରିସ୍ଥିତି ନିର୍ଭର କରେ ପାଠକ, ପ୍ରକାଶକ ଓ ସମ୍ପାଦକମାନଙ୍କ ଉପରେ । କାରଣ କୌଣସି ସରକାରୀ ଅନୁଷ୍ଠାନ ସବୁ ଲେଖକଙ୍କୁ ପାରିତୋଷିକ ଦେଇ ଚିରକାଳ ପ୍ରତିପୋଷଣ କରିବା କେବେହେଲେ ସମ୍ଭବପର ନୁହେଁ; ମାତ୍ର ପାଠକ ପ୍ରସ୍ତୁତ କରିବା ଲାଗି ଶିକ୍ଷା ଓ ସାକ୍ଷରତା ପ୍ରସାର ପ୍ରୟୋଜନ । ପୁଣି ଶିକ୍ଷିତ ବା ସାକ୍ଷର ଲୋକେ ପୁସ୍ତକ ଓ ପତ୍ରିକା କ୍ରୟ କରିବାକୁ କିପରି ଆଗ୍ରହୀ ହେବେ, ସେଥିଲାଗି ତାଙ୍କ ହାତରେ ଯେମିତି ସମ୍ବଳ ରହିବା ଲୋଡ଼ା; ସେମିତି ଲେଖକ, ପ୍ରକାଶକ ଓ ସମ୍ପାଦକମାନେ ସାଧାରଣ ଉପଯୋଗୀ ରଚନା ବାଢ଼ିବା ଆବଶ୍ୟକ । ତାହାହେଲେ ପାଠକ, ଗ୍ରାହକ ବା କ୍ରେତାର ଅଭାବ ହେବନାହିଁ ବୋଲି ମନେହୁଏ । ତେଣୁ ଲେଖକର ଆର୍ଥିକ ସମସ୍ୟାର ସମାଧାନ ବହୁ ପରିମାଣରେ ନିଜ ହସ୍ତରେ ହିଁ ନ୍ୟସ୍ତ ଅଛି । ତାହାର ରଚନାବଳୀ ଯେତିକି ହୃଦୟଗ୍ରାହୀ ଓ ଲୋକପ୍ରିୟ ହୋଇପାରିବ, ସେତିକି ସେ ପାଠକ ବା କ୍ରେତା ପସ୍ତୁତ କରିବ । ସେଥିଲାଗି ସରକାରୀ ଉଦ୍ୟମ କିମ୍ବା ଅନୁଷ୍ଠାନର ଆବଶ୍ୟକତା ହୁଏତ ପଡ଼ିବ ନାହିଁ ।

 

ଲୋକପ୍ରିୟତା

 

ସୁଦୂର ଅତୀତରୁ ଆଜି ପର୍ଯ୍ୟନ୍ତ ଆମ୍ଭମାନଙ୍କର ଯେଉଁ ସାହିତ୍ୟ ଜୀବିତ ରହିଛି, ତାହାର ଅବଲମ୍ବନ ପ୍ରତି ଦୃଷ୍ଟିଦେଲେ ଏଇ କଥା ସ୍ପଷ୍ଟ ବୁଝାଯାଏ । ବିଭିନ୍ନ ଧର୍ମସମ୍ପ୍ରଦାୟ ଜରିଆରେ ହିଁ ଆମ ପଞ୍ଚସଖାଙ୍କ ସାହିତ୍ୟ ପଠିତ ବା ଆଲୋଚିତ ହୋଇଥାଏ । ପୁଣି ଗ୍ରାମେ ଗ୍ରାମେ ଘରେ ଘରେ ଠାକୁର–ଗୃହ ବା ଭାଗବତଘର ନିର୍ମିତ ହେବାକୁ କୌଣସି ରାଜକୀୟ କିମ୍ବା ରାଷ୍ଟ୍ରୀୟ ଉଦ୍ୟମ ହୋଇଥିବାର ଜଣାଯାଏ ନାହିଁ । ସାହିତ୍ୟର ଲୋକପ୍ରିୟତା ହିଁ ଏହି ସକଳ ଅନୁଷ୍ଠାନ ଗଢ଼ିବାରେ ସହାୟକ ହୋଇଥିଲା । ପାଲା, ଦାସକାଠିଆ, ଗୋଟିପୁଅ, ରାମଲୀଳା ଆଦି ଅନୁଷ୍ଠାନର ଉଦ୍ଭବ ସେହି କାରଣରୁ ଘଟିଛି ।

 

ଭାରତର ଅନ୍ୟାନ୍ୟ ଅଞ୍ଚଳରେ ଚୈତନ୍ୟ, ତୁଳସୀ ଦାସ, ରାମାନୁଜ, କବୀର, ତୁକାରାମ ପ୍ରମୁଖ କବି ଭକ୍ତମାନଙ୍କ ରଚନାର ପ୍ରେରଣା ହିଁ ଲକ୍ଷ ଲକ୍ଷ ପାଠକ ଓ ଅନୁଗାମୀ ସୃଷ୍ଟି କରିଛି । ବେଦ, ଉପନିଷଦ୍‌ ଓ ରାମାୟଣ ମହାଭାରତ ଯୁଗରୁ ଭାରତୀୟ ସମାଜ, ସଂସ୍କୃତି ଓ ସଭ୍ୟତା ଉପରେ ସାହିତ୍ୟର ଯେଉଁ ବିରାଟ ପ୍ରଭାବ ଲକ୍ଷ୍ୟ କରାଯାଏ, ତାହା ଆମ୍ଭମାନଙ୍କୁ ଆଜି ଉତ୍ତରାଧିକାର ସୂତ୍ରରେ ମିଳିଛି ।

 

ଭାରତୀୟ ଉତ୍ତରାଧିକାର

 

ସେହି ଉତ୍ତରାଧିକାରୀ ହୃଦୟଙ୍ଗମ କରି ସାହିତ୍ୟ ଜରିଆରେ ଆମ ପୂର୍ବପୁରୁଷମାନଙ୍କ ପରି ଆମକୁ ମଧ୍ୟ ପୁଣ୍ୟଭୂମି ଭାରତର ସେବା କରିବାକୁ ହେବ । ପ୍ରଧାନମନ୍ତ୍ରୀଙ୍କ ନେହେରୁ ଏ କଥାଟିକୁ ଲେଖକ ସମ୍ମିଳନୀରେ ସ୍ମରଣ କରାଇ ଦେଇଛନ୍ତି । ଯେଉଁ ବିରାଟ ଭାରତୀୟ ସାହିତ୍ୟ–ସଂସ୍କୃତିର ଜନ୍ମ ହୋଇଛି, ସେହି ମୂଳ ସଂସ୍କୃତିକୁ ପାସୋରି ପକାଇଲେ ଆମେ ଯେ ପ୍ରକୃତ ଉତ୍ତରାଧିକାରର ଅଯୋଗ୍ୟ ହୋଇପଡ଼ିବା, ତଦୁପରି ସେ ଦୃଢ଼ ମତ କରିଛନ୍ତି :

 

‘‘We have to do all this in a spirit of service to this land of ours, because if we do not, we do not profit by this tremendous inheritance of ours.”

 

ଆମ ଭିତରୁ ପ୍ରତ୍ୟେକ ବ୍ୟକ୍ତି ହିଁ ସମଗ୍ର ଭାରତର ଉତ୍ତରାଧିକାରୀ । କେବଳ ଆଧୁନିକ ଭାରତର ନୁହେଁ, ସହସ୍ର ସହସ୍ର ବର୍ଷାବଧି ପ୍ରାଚୀନ ଭାରତର ମଧ୍ୟ । ଆମେ ଯଦି ମାନସିକ କ୍ଷୁଦ୍ରତା ଘେନି ଗୋଟିଏ ସଂକୀର୍ଣ୍ଣ କୋଣରେ ଅଥବା କେବଳ ସ୍ୱୀୟ ଭାଷାଭାଷୀ ଅଞ୍ଚଳରେ ଆବଦ୍ଧ ରହି ପଡ଼ୋଶୀ ଭାଷା–ସାହିତ୍ୟ ପ୍ରତି ଅସହିଷ୍ଣୁତା ପ୍ରଦର୍ଶନ କରୁ, ତାହାହେଲେ କେବଳ ଭାରତ ପ୍ରତି ଅନ୍ୟାୟ କରିବୁ ନାହିଁ, ନିଜ ଉତ୍ତରାଧିକାର ପ୍ରତି ମଧ୍ୟ ।

 

“No doubt we are inheritors not only of what India has done in the last five or ten thousand years, but in a sense, of what the whole has done, because everybody in the world inherits all that has gone before.”

 

ଅର୍ଥାତ୍‌ ଆମେ କେବଳ ଗତ ପାଞ୍ଚ ବା ଦଶହଜାର ବର୍ଷ ଭିତରେ ଭାରତ ଯାହା କିଛି କରିପାରିଛି ତାହାର ଉଆରସ ନୋହୁଁ; କିନ୍ତୁ କହିବାକୁ ଗଲେ ସମଗ୍ର ପୃଥିବୀ ଯାହା କିଛି କରିଛି, ତାହାର ମଧ୍ୟ ଉଆରସ । କାରଣ ଅତୀତର ସକଳ ସମ୍ପଦ ଉପରେ ପୃଥିବୀସ୍ଥ ପ୍ରତ୍ୟେକ ବ୍ୟକ୍ତିର ଉତ୍ତରାଧିକାର ନିହିତ ଅଛି । ଲେଖକମାନେ ଏହି କଥା ସ୍ମରଣ ରଖିଲେ, ପ୍ରକୃତ ଭାରତୀୟ ସାହିତ୍ୟ ସୃଷ୍ଟି କରିପାରିବେ ।

 

ସାହିତ୍ୟିକ ଦୃଷ୍ଟିଭଙ୍ଗୀ

(୨୬ । ୬ । ୧୯୫୪)

 

“Writers and others who think of this wide canvas of India and the whole of India while they may give expression in the particular languages which they write in and the particular from of writing, nevertheless always keep a full picture of India in view.” ଅର୍ଥାତ୍‌, ଯେଉଁ ଲେଖକ ନିଜ ଲିଖିତ ଭାଷାରେ ଏବଂ ସ୍ୱତନ୍ତ୍ର ଲିଖନ ଭଙ୍ଗିରେ ରଚନା କଲେହେଁ ଭାରତର ଏଇ ସାମୂହିକ ବିଶାଳ ପଟ୍ଟଭୂମି କଥା ଚିନ୍ତା କରି ଲେଖନ୍ତି, ସେମାନଙ୍କ ସମକ୍ଷରେ ଭାରତର ସମ୍ପୂର୍ଣ୍ଣ ପ୍ରତିଚ୍ଛବିଟି ହିଁ ବିରାଜମାନ ଥାଏ ।

 

ଏ କଥାର ମର୍ମ ହେଉଛି, ଭାରତୀୟ ଦୃଷ୍ଟିଭଙ୍ଗୀ ଓ ଭାରତୀୟ ସ୍ୱାର୍ଥ ଭିତରେ ସମଗ୍ର ପୃଥିବୀର ମାନବସଭ୍ୟତା ପ୍ରତି ଯେପରି ଦୃଷ୍ଟି ରଖିବାକୁ ହେବ, ସେହିପରି ସ୍ୱ ସ୍ୱ ଆଞ୍ଚଳିକ ଭାଷା–ସାହିତ୍ୟର ଉନ୍ନତିକଳ୍ପେ ସ୍ୱୀୟ ଐତିହ୍ୟ ଏବଂ ପରମ୍ପରାକୁ ଅନୁସରଣ କରିବାକୁ ପଡ଼ିବ । ସଂସ୍କୃତି ସାହିତ୍ୟରୁ ହିଁ ଭାରତର ଆଞ୍ଚଳିକ ସାହିତ୍ୟମାନଙ୍କରେ ଯେଉଁ ପ୍ରାଣପ୍ରବାହ ଗତି କରିଆସିଛି, ତହିଁରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହେବା ସମ୍ଭବପର ନୁହେଁ । ତାହାରି ଉପରେ ହିଁ ଅନ୍ୟାନ୍ୟ ସାହିତ୍ୟ ଭଳି ଓଡ଼ିଆ ସାହିତ୍ୟର ପରମ୍ପରା ଗଠିତ । ତଦୁପରି ଏ ରାଜ୍ୟର ଶିଳ୍ପ–ସ୍ଥାପତ୍ୟ ଏବଂ ଜଗନ୍ନାଥଧର୍ମର ସ୍ୱାତନ୍ତ୍ର୍ୟ ଭିତରେ ଓଡ଼ିଆ ସାହିତ୍ୟର ସ୍ୱରୂପ ଫୁଟିଉଠିଛି । ସେ ସଂସ୍କୃତି ଓ ଦର୍ଶନର ବିଶାଳତା ଯେପରି ବିଶ୍ୱବ୍ୟାପୀ ମୈତ୍ରୀର ସୂଚନା ଦେଇଥାଏ, ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ ବୁଝିବା ଉତ୍କଳୀୟ ଲେଖକ ପକ୍ଷରେ କଷ୍ଟକର ହେବନାହିଁ । ମାତ୍ର ଆମ୍ଭେମାନେ ଜାତୀୟ ଐତିହ୍ୟ ଓ ପରମ୍ପରାର ମର୍ଯ୍ୟାଦା ରକ୍ଷା କରିବାକୁ ଆଜି କେତେ ଦୂର ସମର୍ଥ ହୋଇପାରିଛୁ ଏବଂ ଆଧୁନିକ ଜୀବନ ସହିତ ତାହାକୁ ଖାପଖୁଆଇ କେତେଦୂର ଅଗ୍ରସର କରିପାରିଛୁ, ତାହା ଓଡ଼ିଆ ଲେଖକମାନଙ୍କ ଚିନ୍ତାର ବିଷୟ ହେବା ଉଚିତ ।

 

ଆହୁରି ମଧ୍ୟ ସମଗ୍ର ଭାରତକୁ ନିଜର ଆଦର୍ଶରୂପେ ଗ୍ରହଣ କରି ଓଡ଼ିଆ ସାହିତ୍ୟ ଭିତରେ ମହାଭାରତୀୟ ଭାବଧାରା ଫୁଟାଇବାର କେତେଦୂର ଯତ୍ନ ବା ଉଦ୍ୟମ କରାଯାଇଛି, ତାହା ବିଚାର କରିବାର ସମୟ ଆଜି ଆସିଛି ।

 

୩ । ୭ । ୧୯୫୪

 

ପ୍ରଧାନମନ୍ତ୍ରୀ ଶ୍ରୀ ନେହେରୁ ଲେଖକମାନଙ୍କ ସମକ୍ଷରେ ସାହିତ୍ୟର ସମ୍ପୂର୍ଣ୍ଣ ମାନଚିତ୍ରଟିକୁ ଧରିବାକୁଯାଇ ତାହା ଭିତରେ ମାନବିକତା ପୁଣି ଜାତୀୟତାର ଯେଉଁ ମହା ଉଦ୍‌ବୋଧନ ଦେଇଛନ୍ତି, ସେଥିସଙ୍ଗେ ଆଧୁନିକ ସାହିତ୍ୟର ଗତିବିଧି ଓ ଲକ୍ଷ୍ୟ ବିଚାର କରିବାକୁ ମଧ୍ୟ ବିସ୍ମୃତି ହୋଇନାହାନ୍ତି । ଆଧୁନିକ ଜୀବନ ଯେପରି ଚଞ୍ଚଳ, ଅସ୍ଥିର ଓ ଅହରହ ପରିବର୍ତ୍ତନଶୀଳ, ଏହି ଅବସ୍ଥା ସାହିତ୍ୟ ପକ୍ଷରେ ତଥା ନିର୍ମଳ ନିର୍ବିଘ୍ନ ଓ ଶାନ୍ତ ସମାହିତ ଚିନ୍ତା ପକ୍ଷରେ ଯେ ଅନୁକୂଳ ନୁହେଁ, ସେ ଅନୁଭୂତି ମଧ୍ୟ ସ୍ୱାଭାବିକ, ସୁସ୍ପଷ୍ଟ ଓ ନିର୍ଭୀକ ଭାଷାରେ ସେ ସୂଚାଇ ଦେଇଛନ୍ତି ।

 

ସାମ୍ବାଦିକ ଭାଷାର ପ୍ରଭାବ

 

ଘଟଣାରାଶିର ଘାତ-ପ୍ରତିଘାତ ଭିତରେ ଲେଖକମାନଙ୍କର ଅଧିକାଂଶ ରଚନା ହିଁ ବର୍ତ୍ତମାନ ଦ୍ରୁତ ହୋଇପଡ଼ୁଥିବାରୁ ତାହା ଯେ, ସମ୍ବାଦପତ୍ରଭଳି ଭାଷା ଗ୍ରହଣ କରିବାକୁ ବାଧ୍ୟ ହେଉଛି ଏବଂ ଦୈନନ୍ଦିନ ଘଟଣାର ବର୍ଣ୍ଣନାରେ ବ୍ୟାପୃତ ରହି ସାହିତ୍ୟିକ ଭାଷା ଓ ଭାବର ମହତ୍ତ୍ୱ ହରାଉଛି; ଶ୍ରୀ ନେହେରୁ ଏ ପରିସ୍ଥିତିକୁ ଗଭୀରଭାବରେ ଅନୁଭବ କରୁଥିବାର ମଧ୍ୟ ଜଣାପଡ଼େ । *

 

*ବର୍ତ୍ତମାନ ସାହିତ-ଆଲୋଚନା ମଧ୍ୟ ଏକ ସମ୍ୱାଦପତ୍ରରେ ଧାରାବାହିକ ପ୍ରକାଶିତ ହୋଇଥିବା ସ୍ମରଣୀୟ ।

 

“Much of the writing today in any part of the world is directed to rapid writing. It may be the effect of journalism and the rapid development of things everyday and of having to comment on them, which often affects the language and the language becomes journalese.”

 

କେବଳ ଭାରତୀୟ ସାହିତ୍ୟ ସମ୍ବନ୍ଧରେ ସେ ଏହି ମତ ପୋଷଣ କରନ୍ତି ନାହିଁ । ସମଗ୍ର ପୃଥିବୀର ଯେକୌଣସି ସାହିତ୍ୟରେହିଁ ଦ୍ରୁତ ରଚନାର ରୀତି ପହଞ୍ଚିଯାଇଛି ପୁଣି ଦୈନନ୍ଦିନ ଘଟଣା ଉପରେ ମତବ୍ୟକ୍ତ କରିବାକୁ ଯାଇ ସାହିତ୍ୟର ଭାଷା ପ୍ରାୟ ସମ୍ବାଦପତ୍ରର ଭାଷା ସଙ୍ଗେ ସମାନ ହୋଇପଡ଼ିଛି । ଏହି କାରଣରୁ ଭାଷା ହାଲୁକା ଓ ଅଗଭୀର ହୋଇ ଆଧୁନିକ ସାହିତ୍ୟର ଯେପରି ମାନହୀନ ଘଟାଇଛି, ତାହା ଶ୍ରୀ ନେହେରୁ ଅଙ୍ଗେ ନିଭାଇଲା କଥାଭଳି ବାଢ଼ିଛନ୍ତି । କାରଣ ସେ ସ୍ୱୟଂ ପୃଥିବୀର ଜଣେ ସୁପ୍ରତିଷ୍ଠିତ ଲେଖକ ଓ ସୁବିଖ୍ୟାତ ଭାବୁକ । ସ୍ୱୀୟ ଲେଖକ–ଜୀବନର ଅଭିଜ୍ଞତା ସମ୍ବନ୍ଧରେ ମଧ୍ୟ ସେ ଦୁଇ ଚାରି ପଦ ଚମତ୍କାର କଥା କହିଛନ୍ତି ।

 

ଲେଖକ ନେହେରୁ

 

ଆକସ୍ମାତ୍ ସେ ଜଣେ ଲେଖକ ହୋଇଥିବା କଥା ସ୍ୱୀକାର କରିଛନ୍ତି । ଅର୍ଥାତ୍‌ ନାନା କର୍ମର ଭିଡ଼ ଭିତରେ ସେ ଯେଉଁ ସମୟରେ ଲେଖନୀ ଧରିବାକୁ ଫୁରୁସତ୍‌ ପାଇଛନ୍ତି, ତାହା ତାଙ୍କୁ କର୍ମକ୍ଷେତ୍ରରେ ଗଭୀର ଅନ୍ତର୍ଦୃଷ୍ଟି ପ୍ରଦାନ କରିଛି ।

 

“I have been a writer rather incidentally and accidentally. I do not know if I shall have occasion to write much in future but whether what I wrote is of value or not, I have no doubt that the writing of it was of tremendous value to me in the activities that I have had to undertake in subsequent years.”

 

ଭବିଷ୍ୟତ ଜୀବନର ସେ ଆଉ ଯଥେଷ୍ଟ ଲେଖିପାରିବାକୁ ସମର୍ଥ ହେବେ କି ନାହିଁ, ସେ କଥା ଅବଶ୍ୟ ତାଙ୍କୁ ଜଣାନାହିଁ । କିନ୍ତୁ ଯେତିକି ସେ ଲେଖିଛନ୍ତି, ତାହାର କିଛି ମୂଲ୍ୟ ଥାଉ ବା ନଥାଉ, ତାଙ୍କ ପକ୍ଷରେ ସେସବୁର ମୂଲ୍ୟ ଯେ ଅତ୍ୟଧିକ ପୁଣି ତାଙ୍କ କର୍ମମୟ ଜୀବନରେ ସୁବିପୁଳ ପ୍ରେରଣା ଯୋଗାଇ ପରବର୍ତ୍ତୀ ଜୀବନକୁ ଯେ, ନିୟନ୍ତ୍ରଣ କରିଛି, ସେ ସମ୍ବନ୍ଧରେ ତାଙ୍କର ସନ୍ଦେହ ନାହିଁ । ଲେଖକର ଜୀବନ କିଭଳି ପରିସ୍ଥିତି, ଉପାଦାନ ଓ ମାନସିକ ଅବସ୍ଥା ଘେନି ଗଠିତ, ତାହାର ସୂଚନା ଦେଇ ମଧ୍ୟ ସେ କହିଛନ୍ତି :

 

“You know writing is a culmination of various processes, mental etc. It gave me greater insight than the number of books that might have been read.”

 

ବହୁ ଗ୍ରନ୍ଥପାଠଦ୍ୱାରା ଯେଉଁ ଜ୍ଞାନ ଅର୍ଜନ କରାଯାଏ, ତଦପେକ୍ଷା ସେ ଲେଖକ ହେବା ଫଳରେ ଅଧିକ ଅନ୍ତର୍ଦୃଷ୍ଟି ଲାଭ କରିଥିଲେ ବୋଲି ସ୍ୱୀକାର କରିଛନ୍ତି ।

 

ଲେଖକ ଓ ଉଦ୍‌ଯାନ ବୋମା

 

ଲେଖକ ଲାଗି ଏହି ସକଳ ସୁଯୋଗ ଥିଲେହେଁ ତାହାର ଭାଷା ସାମ୍ବାଦିକର ଭାଷାଭଳି ଲଘୁ ହୋଇପଡ଼ୁଥିବାରୁ ସାମ୍ବାଦିକତାକୁ ଦୋଷ ଦିଆଯାଇନପାରେ । କାରଣ ଘଟଣାରାଶିର ଉପର୍ଯ୍ୟୁପରି ଆଲୋଡ଼ନଦ୍ୱାରା ପୃଥିବୀବ୍ୟାପୀ ମାନବସମାଜ ଯେଉଁ ପ୍ରକାର ଅତିବାହିତ କରିବାକୁ ଯାଉଛି, ସେ ଅବସ୍ଥାରେ ମନୁଷ୍ୟକୁ ଏକ ଆଶୁ ସିଦ୍ଧାନ୍ତରେ ପହଞ୍ଚିବା ଜରୁର ହୋଇପଡ଼ିଛି ଆଉ ବି ସେଥିପାଇଁ ଚିନ୍ତା କରିବାକୁ କ୍ୱଚିତ୍‌ କାହାକୁ ସମୟ ମିଳେ ।

 

ଏହି ରୂପ ପରିଣତ ଲାଗି ଉପସ୍ଥିତ ଶିଳ୍ପ ସଭ୍ୟତାକୁ ସେ ଦାୟୀ କରିଛନ୍ତି । ଭାରତରେ ଶିଳ୍ପ ପ୍ରସାରର ପ୍ରୟୋଜନୀୟତା ସେ ଅନୁଭବ କରୁଥିଲେ ସୁଦ୍ଧା ଶିଳ୍ପ ସଭ୍ୟତାର ପରିମାଣ ଯେ, ଉଦ୍‌ଯାନ ବୋମା, ଏହି ତାଙ୍କର ବିଶ୍ୱାସ । ଏହିଠାରେହିଁ ଲେଖକର ଆବଶ୍ୟକତା ସେ ଦର୍ଶାଇଛନ୍ତି :

 

“It does appear to me that the culmination of industrial civilization is the Hydrogen Bomb. We live in a world where more and more these things are thought of in terms of pure force and evidence and not of argument, reason or logic.”

 

X X X

 

ପୃଥିବୀର ଉପସ୍ଥିତ ସମସ୍ୟାମାନଙ୍କର ସମାଧାନ ଯେ ଯୁକ୍ତି, ନ୍ୟାୟ କିମ୍ବା ବିବେକ ବଳରେ ନ ହୋଇ କେବଳ ହିଂସା ଓ ଜବରଦସ୍ତିଦ୍ୱାରା ସମ୍ଭବପର ବୋଲି ଧାରଣା ଜନ୍ମିଛି ଏବଂ ତହିଁରୁ ନାନା ସଂଘର୍ଷ ଉପୁଜୁଛି, ସେଇ କଥା ଉତ୍‌ଥାପନ କରି ସେ କହିଛନ୍ତି, ଅତୀତରେ ଯେ ହିଂସା ଓ ଜବରଦସ୍ତି ବଳରେ କିଛି ନ ହୋଇଛି, ଏହା କହିବା ତାଙ୍କ ପକ୍ଷରେ କଷ୍ଟକର । ତଥାପି ହିଂସା ଓ ଜବରଦସ୍ତି କେବଳ ଆପଣାଛାଏଁ ବେଶି କିଛି ହାସଲ କରିଛି ବୋଲି ତାଙ୍କର ବିଶ୍ୱାସ ନାହିଁ :

 

“I am quite certain in my mind, however, that force and violence by themselves, do not achieve much. Other factors come in, The human factor comes in and that is where the poet and the writer come in, writing presumably in a quite arena and not engaged in conflicts with anybody, writing objectively and calmly and making other people think calmly of what he is writing.’’

 

କୌଣସି ସଂଘର୍ଷ ମଧ୍ୟରେ ଲିପ୍ତ ନରହି ଲେଖକ ଶାନ୍ତପୂର୍ଣ୍ଣ ବାୟୁମଣ୍ଡଳରେ ଯାହା ରଚନା କରନ୍ତି, ତାହା ପାଠକକୁ ମଧ୍ୟ ସେହିଭଳି ଶାନ୍ତିପୂର୍ଣ୍ଣ ଅବସ୍ଥାରେ ଚିନ୍ତା କରିବାକୁ ଖୋରାକ ଯୋଗାଇଥାଏ । ପ୍ରକୃତ ଅହିଂସା ଓ ମାନବିକତାଦ୍ୱାରା ପୃଥିବୀରେ ଯାହା କିଛି ସମ୍ଭବ ହୋଇପାରେ, ସେ ଭାବର ସ୍ରଷ୍ଟା କେବଳ ଲେଖକ ।

 

ଶିଳ୍ପ–ସଭ୍ୟତାର ପରିଣତିରୂପେ ମାନବସମାଜରେ ଯେଉଁ ସବୁ ସଂଘର୍ଷ ଓ ଚିନ୍ତାଶୂନ୍ୟତା ଏବେ ଦେଖାଦେଇଛି, ସେଗୁଡ଼ିକର ଦୂରୀକରଣ ବା ସମାଧାନର ଉପାୟ, ଲେଖକମାନଙ୍କ ହସ୍ତରେ ହିଁ ନ୍ୟସ୍ତ ଥିବାର ଶ୍ରୀ ନେହେରୁ ବିଶ୍ୱାସ କରନ୍ତି । ଉପସ୍ଥିତ ଆନ୍ତର୍ଜାତିକ କ୍ଷେତ୍ରରେ ନିର୍ଦ୍ଦିଷ୍ଟ ମତବାଦ ବା ମତାନ୍ଧତା ଦୋଷରୁ କେହି ଯଦି ଉକ୍ତ ମତର ସମର୍ଥନ କରେନାହିଁ, ତେବେ ସେ ନିର୍ବୋଧ ଓ ମୂର୍ଖ ବୋଲି ଭର୍ତ୍ସିତ ହୋଇଥାଏ; ପୁଣି କେବଳ ଜବରଦସ୍ତି କରି ଓ ହିଂସାବଳରେ ଯେ ପୃଥିବୀର ସମସ୍ୟାମାନଙ୍କର ସମାଧାନ ହୋଇପାରେ, ଏହାରି ଉପରେ ଆଜି ମାନବସମାଜର ଧାରଣା କ୍ରମେ ଦୃଢ଼ତର ହୋଇଉଠୁଛି । ସେଥିଲାଗି ଆଣବିକ ବା ଉଦ୍‌ଯାନ ବୋମା ହିଁ ସମାଧାନର ପ୍ରକୃଷ୍ଟ ପନ୍ଥା ବୋଲି ଅନେକ ବିଚାରିଥାନ୍ତି ।

 

 

କାତରେ କବିତା କୁତଃ ?

(୧୦ । ୭ । ୧୯୫୪)

 

ଜଗତ୍‌ବ୍ୟାପୀ ଏଇ ଦୃଢ଼ ଧାରଣାକୁ ଲେଖକମାନେ ଯେ ସ୍ଥିର ଚିନ୍ତା ଓ ଯୁକ୍ତି ବଳରେ ତଥା ପ୍ରାଚୀନ ଓ ଆଧୁନିକ ଜୀବନର ଗତିବିଧି ଲକ୍ଷ୍ୟ କରି ବଦଳାଇ ଦେଇପାରନ୍ତି ତଥା ବିଶ୍ୱଶାନ୍ତି ପ୍ରତିଷ୍ଠାରୂପ ବିରାଟ କର୍ମରେ ସାମାନ୍ୟ ସାମାନ୍ୟ ଗୁଣ୍ଡୁଚିମୂଷା ଭଳି ହେଲେ ମଧ୍ୟ କିଞ୍ଚିତ୍‌ ସାହାଯ୍ୟ କରିପାରନ୍ତି, ପ୍ରଧାନମନ୍ତ୍ରୀ ନେହେରୁଙ୍କ ବକ୍ତବ୍ୟରୁ ଏଇ ସୁମହତ ପ୍ରେରଣା ମିଳିଥାଏ । ଭାରତର ପ୍ରଧାନମନ୍ତ୍ରୀ ମଧ୍ୟ ଜାଗତିକ ନିୟମର ବଶବର୍ତ୍ତୀ ଥିବାରୁ ସର୍ବଦା ସବୁ କ୍ଷେତ୍ରରେ ତ୍ରୁଟିଶୂନ୍ୟ, ଅଭ୍ରାନ୍ତ କିମ୍ବା ଅସମାଲୋଚିତ ହେବେ ବୋଲି କେହି କେବେଦ୍ୱାରା କରିନପାରେ । ମାତ୍ର ଲେଖକମାନଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ବନ୍ଧରେ ସେ ଯେଉଁ ସମୟୋପଯୋଗୀ ମତ ବ୍ୟକ୍ତ କରିଛନ୍ତି, ତହିଁରେ ପୃଥିବୀର ଅଧିକାଂଶ ଶ୍ରେଷ୍ଠ ଚିନ୍ତାଶୀଳ ବ୍ୟକ୍ତିଙ୍କର ଦ୍ୱିଧାମତ ନାହିଁ ବୋଲି ବୋଧ ହୋଇଥାଏ ।

 

କେହି ଲେଖକ ହୁଏତ ଶ୍ରୀ ନେହେରୁଙ୍କ ଉପରୋକ୍ତ ଅଭିବ୍ୟକ୍ତିର ଢଙ୍ଗ, ଧାରା ଓ ଉପାଦାନ ସମ୍ବନ୍ଧରେ ଏକମତ ନହେବାଲାଗି ଯୁକ୍ତି ବାଢ଼ିପାରନ୍ତି; ତଥାପି ତାଙ୍କର ଆନ୍ତରିକତା, ସାଧୁତା ଓ ଗଭୀର ଚିନ୍ତାର ଅକପଟ ପ୍ରକାଶ ସମ୍ବନ୍ଧରେ ପ୍ରଶ୍ନ କଲେ ଧୃଷ୍ଟତା ଛଡ଼ା ଆଉ କିଛି ହେବନାହିଁ । ମୂଳରୁ ହିଁ ସେ ସାହିତ୍ୟର ଉପଯୋଗିତା ଓ ଆବଶ୍ୟକତାର ଉତ୍‌ଥାପନ କରି କହିଛନ୍ତି-:

 

“It is no good you and I talking about high literature to a starving person. We have to feed him before we talk to him of religion or morality. The best morality is to feed him. A poor nation like ours has to think in these terms first.”–ଅର୍ଥାତ୍‌ ଜଣେ କ୍ଷୁଧିତ ବ୍ୟକ୍ତି ଆଗରେ ଉଚ୍ଚ ସାହିତ୍ୟ କହିବା ଯେ, ବିଡ଼ମ୍ବନା ଏବଂ ତାକୁ ପ୍ରଥମେ ଆହାର ଦେଇ ପରେ ତାହା ଆଗରେ ଯେ, ଧର୍ମ ଓ ନୀତି ବୟାନ କରିବାକୁ ହେବ, ପୁଣି ସେପରି ସ୍ଥଳେ ସର୍ବପ୍ରଧାନ ନୀତି ଯେ ତାହାକୁ ଆହାର ଦେବା, ଏ କଥା ପହିଲେ ଆମ ଭଳି ଗୋଟିଏ ଗରିବ ଜାତିର ଭାବିବା ଉଚିତ ।’’ ଏହି କାରଣରୁ କବିଗୁରୁ କାଳିଦାସ ପରା କହିଥିଲେ, ଅନ୍ନଚିନ୍ତା ଚମତ୍କାର କାତରେ କବିତା କୁତଃ ?

 

ଲେଖକର ଉପାୟ

 

ଲେଖକ ସମକ୍ଷରେ ଦେଶ ଓ ଜାତିର ଏଇ ଚିରନ୍ତନ ସମସ୍ୟା ଉପସ୍ଥାପନଦ୍ୱାରା କାହାରି ମନେ ହୋଇପାରେ, ପଣ୍ଡିତଙ୍କ ଆଗରେ ଏକ ବ୍ୟାଘ୍ର ଆଣି ହାବୁଡ଼େଇ ଦେଲାଭଳି । ଏ ଦେଶର ଯେଉଁ ବହୁସଂଖ୍ୟକ ଲେଖକ, ଅଧିକାଂଶ ସମୟ କଲମଚାଷ କରି ମଧ୍ୟ ଦି’ବେଳା ପେଟପୂରା ଆହାର ନ ପାଇବା ଯାହାଙ୍କର ଚିରକାଳ ପ୍ରାପ୍ୟ ଓ ଚିରକାଳ ଅଭ୍ୟାସ, ସେମାନେ ଦେଶର ଏଇ ଦାରିଦ୍ର୍ୟରୂପୀ ବ୍ୟାଘ୍ର ଆଗରେ କିଂକର୍ତ୍ତବ୍ୟ ସ୍ଥିର କରିବେ ? ତାଙ୍କ ଭିତରୁ କେହି କେହି ଏ ବ୍ୟାଘ୍ରକୁ ‘ବିଶେଷରୂପେ ଆଘ୍ରାଣ କରିବା’ ଜନ୍ତୁବିଶେଷ ବୋଲି ବିଚାରିବା ବିଚିତ୍ର ନୁହେଁ । କାରଣ ଲେଖକ ହାତରେ ବନ୍ଧୁକ ନ ଥାଇ କଲମ ଥାଏ । ମାତ୍ର ଏଇ କଲମର ଶକ୍ତି ଚିନ୍ତା କଲେ ବିସ୍ମୟ ଲାଗେ; ପୁଣି ସୈନିକ ପୋଷାକ ବିବର୍ଜିତ ଏଇ ଅର୍ଦ୍ଧାହାରୀ ଲେଖକଗୋଷ୍ଠୀ ଜଗତରେ ଯେଉଁ ତୁମୂଳ କାଣ୍ଡ ଭିଆଇପାରୁଛି, ତାହା ଯେକୌଣସି ‘ବ୍ୟାଘ୍ର’ ଅପେକ୍ଷା ଅଳ୍ପ ଭୀତିପ୍ରଦ ଓ ଅଳ୍ପ ମାରାତ୍ମକ ନୁହେଁ ତ !

 

ଯଥାର୍ଥରେ ଉଦ୍‌ଯାନ ବୋମାକୁ ଆୟତ୍ତ ଓ ଜବତ କରିବାର ଶକ୍ତି ଯଦି କେଉଁ ଜଗତରେ ମିଳେ, ତାହା ହେଉଛି ଲେଖନୀର ଜଗତ । ‘ଦାରିଦ୍ର୍ୟ’ ବ୍ୟାଘ୍ରକୁ ଦୂର କରି ଦେଶମାତୃକାକୁ ଫୁଲଫଳରେ ହସାଇବାର, କୋକିଳର ଶୁଷ୍କ କଣ୍ଠରେ ଅଧିକ ଉତ୍ତେଜନା ଆଣିଦେବାର ସାମର୍ଥ୍ୟ ଯଦି କାହାରିଥାଏ, ତାହା ଅଛି କଲମର–ଲଙ୍ଗଳର ନୁହେଁ । ଲଙ୍ଗଳ ଅବଶ୍ୟ ମାଟି ତାଡ଼ିପାରେ, ଆୟତ୍ତ କରିପାରେ ଏଇ ଦୁର୍ଦ୍ଦମନୀୟ ମାଟିକୁ; ମାତ୍ର ଏଇ ଜଡ଼ ମାଟିକୁ ଜୀବନ୍ତ କରିପାରେ ଛନ୍ଦ ଓ ଉତ୍ସାହ ଦେଇପାରେ ସାହିତ୍ୟ–ଏଇ ପୀଡ଼ିତ ଅବହେଳିତ ଅର୍ଦ୍ଧାହାରୀ ଲେଖକର ଲେଖନୀ । ସମଗ୍ର ଭାରତରେ ସେମାନଙ୍କ ସଂଖ୍ୟା ଓ ଶକ୍ତି ସାମାନ୍ୟ ନୁହେଁ ।

 

ପଞ୍ଚବାର୍ଷିକ ଯୋଜନାରେ ଲେଖକ

 

ଭାରତର ଦାରିଦ୍ର୍ୟ ଦୂର କରିବା ଦିଗରେ ଲେଖକମାନଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ବନ୍ଧରେ ପଞ୍ଚବାର୍ଷିକ ଯୋଜନାରେ କିଛି ଉଲ୍ଲେଖ ନଥିଲେ ମଧ୍ୟ ପି. ଇ. ଏନ୍‌. ଭଳି ଲେଖକ ଅନୁଷ୍ଠାନ ଏହି ସମସ୍ୟା ଉପରେ ଯଥାଯଥ ରୂପେ ଚିନ୍ତା କରିବା ଉଚିତ ବୋଲି ଶ୍ରୀ ନେହେରୁ ବିଚାରିଛନ୍ତି : ‘‘The fact remains that even though the Five Year Plan need not have mentioned in it is essentially important that an organization like the P. E. N. should think of it. It is its function.’’

 

ନୂତନ ଭାରତ ନିର୍ମାଣରେ ଯେଉଁ ସକଳ ବିସ୍ତୃତ ଆୟୋଜନ ଚାଲିଛି, ଦେଶବ୍ୟାପୀ ସେ ସକଳ ସଙ୍ଗଠନରେ ପ୍ରତି ଭାରତୀୟର ହକ୍‌ଅଂଶୀଦାର ଭାବରେ ଉଚିତ ଭାଗନେବାର ଅଛି । ଏହି ସଙ୍ଗଠନର ବହୁମୁଖୀ ଆୟୋଜନ ଓ ଉଦ୍ୟମ ମଧ୍ୟରେ ପଞ୍ଚବାର୍ଷିକ ଯେଜନା ଗୋଟିଏ ପ୍ରଧାନ ଦିଗ-। ଉକ୍ତ ଯୋଜନା ଉପରେ ଯେତେସଂଖ୍ୟକ ଆଲୋଚନା ହୋଇଥାଏ, ତାହା କୌଣସିଠାରେ ସାହିତ୍ୟିକ ଦୃଷ୍ଟିକୋଣରୁ ଆଲୋଚିତ ହେବାର ଦୃଷ୍ଟାନ୍ତ ତାଙ୍କର ସ୍ମରଣ ନାହିଁ : ‘‘Speaking from memory, I do not remember that the Five Year Plan is discussed as literature anywhere.’’ ତାହାବୋଲି ଯେ, ଯୋଜନାର ନିର୍ମାତାମାନେ ଏ ଦିଗପ୍ରତି ଅବହେଳା ପ୍ରଦର୍ଶନ କରିଛନ୍ତି, ଏରୂପ ଅର୍ଥ କରିବା ଠିକ୍‌ ନୁହେଁ-। ପଞ୍ଚବାର୍ଷିକ ଯୋଜନାଭଳି ଏକ ବିଶେଷ ଜାତୀୟ ସଂସ୍ଥାକୁ କାର୍ଯ୍ୟରେ ପରିଣତ କରିବାକୁ ଲେଖକବୃନ୍ଦ ଉତ୍ସାହ ଉତ୍ତେଜନା ଯୋଗାଇବେ ବୋଲି ଶ୍ରୀ ନେହେରୁ ଆଶାପୋଷଣ କରିଛନ୍ତ-: ‘‘The Five Year Plan might have little significance if they missed the spirit behind these things and it was for the writer and the poet and the artist essentially to provide that spirit.’’

 

ଟିକିଏ ଚିନ୍ତା କଲେ ଜଣାପଡ଼େ, ଶ୍ରୀ ନେହେରୁଙ୍କର ଏଇ ଉକ୍ତି ଆଧୁନିକ ଚିନ୍ତାଶୀଳ ରାଷ୍ଟ୍ରନାୟକମାନଙ୍କର ସାହିତ୍ୟ ବିଷୟକ ଉକ୍ତି ସହିତ ବହୁ ପରିମାଣରେ ମିଳିଯାଏ ।

Image

 

ରାଜନୀତି ଓ ସାହିତ୍ୟ

(୧୭ । ୭ । ୧୯୫୪)

 

ନବଭାରତର ବହୁମୁଖୀ ବିରାଟ ନିର୍ମାଣଧାରା ଓ ପଞ୍ଚବାର୍ଷିକ ଯୋଜନାର ଅନ୍ତର୍ଭୁକ୍ତ ପରିକଳ୍ପନାର ମାନ ସାହିତ୍ୟରେ ସ୍ଥାନ ପାଇବ କି ନାହିଁ, ସେ ସମ୍ପର୍କରେ ଅବଶ୍ୟ କୌଣସି ପ୍ରଶ୍ନ ଉଠାଇବା ସମୀଚୀନ ନୁହେଁ । କାରଣ ପୃଥିବୀର ସକଳ ପ୍ରଗତିଶୀଳ ରାଷ୍ଟ୍ରରେ ଏହି ରୂପ ଯୋଜନା ସଂସ୍କାର କିମ୍ୱା ନିର୍ମାଣ ସହିତ ସାହିତ୍ୟର ଘନିଷ୍ଠ ସମ୍ପର୍କ ବିଦ୍ୟମାନ । ସେ ସକଳର ଅସଂଖ୍ୟା ତ୍ରୁଟି ଓ ବିଫଳତା ସତ୍ତ୍ୱେ ମାନବ ସମାଜର ବିଜୟ ଅଭିଯାନର ଅଭିନବ ମୂର୍ଚ୍ଛନା ବିଭିନ୍ନ ସାହିତ୍ୟରେ ଧ୍ୱନିତ ହୋଇଉଠିଛି । ପୃଥିବୀ ସାହିତ୍ୟର ଗତିବିଧିକୁ ଲକ୍ଷ୍ୟ କରି ଆଧୁନିକ ଭାରତୀୟ ସାହିତ୍ୟ ଗଠିତ ହେବା ବାଞ୍ଛନୀୟ । ପ୍ରଧାନମନ୍ତ୍ରୀଙ୍କ ଭାଷଣରୁ ଏହି ସୂଚାନା ହିଁ ସ୍ପଷ୍ଟ ହୋଇଥାଏ ।

 

ଜାତିଗଠନର କୌଶଳ

 

କିଭଳି ଆକାର ପ୍ରକାର ଘେନି ନବଜୀବନର ପ୍ରବାହ ସାହିତ୍ୟରେ ପ୍ରତିଫଳିତ ହେବ, କି କି ବିଷୟବସ୍ତୁକୁ କେଉଁ କୌଶଳରେ ଉପସ୍ଥାପନ କରିବାକୁ ହେବ–ଯହିଁରେ ପାଠକ କେବଳ ମୁଗ୍‌ଧ ବିହ୍ୱଳ ହେବେନାହିଁ । ଅଥଚ ଶିକ୍ଷିତ, ମାର୍ଜିତ ଓ କର୍ମଠ ହେବାକୁ ଉତ୍ସାହ ପାଇବେ–ଯେଉଁ ସାହିତ୍ୟ ପ୍ରଚାର–ମୁଖ୍ୟ ହେବନାହିଁ, ଯାହାର ପ୍ରେରଣା ପରୋକ୍ଷ ହେଲେହେଁ ପ୍ରତ୍ୟକ୍ଷ ପ୍ରଚାର ବା ପରାମର୍ଶଠାରୁ ଅଧିକ ଶକ୍ତିଶାଳୀ, ସେହିଭଳି କବିତା ନାଟକ ଗଳ୍ପ ଉପନ୍ୟାସର ଆବଶ୍ୟକତା ଆଜି ଅଧିକ ଅନୁଭୂତ ହୋଇଥାଏ । ସେଥିଲାଗି ଲେଖକ ସକାଶେ ଏକ ସମ୍ପୂର୍ଣ୍ଣ ସ୍ୱାଧୀନ ଓ ଅନୁକୂଳ ବାତାବରଣ ସୃଷ୍ଟି କରିବାକୁ ହେବ । ଏପରିକି ଜାତିଗଠନମୂଳକ ଯୋଜନାଗୁଡ଼ିକର କାର୍ଯ୍ୟକାରିତାରେ ଯେଉଁସବୁ ଅପୂରଣୀୟ ଓ ଅକ୍ଷମଣୀୟ ତ୍ରୁଟି ପରିଲକ୍ଷିତ ହୁଏ, ତାହାର ଯଥାଯଥ ଚିତ୍ରଣ ସଙ୍ଗେ ସଙ୍ଗେ ନେତା ଓ କର୍ମୀମାନଙ୍କର ସ୍ଖଳନ ଓ ଅବହେଳା ଉପରେ ନିର୍ଭୀକ ନିଷ୍ଠୁର ଆକ୍ରମଣ କରିବାର ଅଧିକାର ମଧ୍ୟ ଲେଖକର ସ୍ୱାଧୀନ ବାର୍ତ୍ତା–ବରଣର ଅନ୍ତର୍ଭୁକ୍ତ ହେବା ଉଚିତ । କୌଣସି ନିର୍ଦ୍ଦିଷ୍ଟ ଦଳଗତ ରାଜନୈତିକ ଫର୍ଦ୍ଦ । ଉହାଡ଼ରେ ତାହାର ଲେଖନୀ ସଙ୍କୁଚିତ ସନ୍ତ୍ରସ୍ତ ହୋଇ ରହିଲେ ରଚନାର ପରିସର କ୍ଷୁଣ୍ଣ ହେବ ମାତ୍ର ।

 

ଭ୍ରୂକ୍ଷେପହୀନ ଜୀବନ

 

ଲେଖକ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିବ କିଏ ? ସେଥିଲାଗି କ’ଣ ତାହାକୁ ରାଷ୍ଟ୍ରୀୟ ବା ସାମାଜିକ ସଂସ୍ଥା ପ୍ରତି ଅପେକ୍ଷା ରଖିବାକୁ ହେବ ? ଚିରକାଳ ଯେଉଁ ଲେଖକ ସମାଜ ପାଇଁ ତଥା ରାଷ୍ଟ୍ର ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିଆସିଛି ଏବଂ ସେହି ଉଦ୍ଦେଶ୍ୟରେ ଅକଥନୀୟ ଦୁଃଖ ଲାଞ୍ଛନା ଓ ଅପମାନ ବରଣ କରିଛି, ସେ ନିଜେ ହିଁ ନିଜର ବାତାବରଣ ସୃଷ୍ଟି କରିବାକୁ ଯୋଗ୍ୟ ଏବଂ ଅନ୍ୟମାନେ ଅଯୋଗ୍ୟ ବୋଲି ବୁଝିବାକୁ ହେବ । ପାଟପୋକ ନିଜର ଏକ ବାତାବରଣ ସୃଷ୍ଟି କରି ସେ ଖୋଷା ଭିତରେ ଯେମିତି ଆତ୍ମହତ୍ୟା କରେ, ଲେଖକକୁ ମଧ୍ୟ ସମଦଶାପନ୍ନ ହେବାକୁ ପଡ଼ିଥାଏ ଏବଂ ତାହା ଫଳରେ ଅନ୍ୟମାନେ ପଟ୍ଟବସ୍ତ୍ର ପରିଧାନ କରନ୍ତି ।

 

ସେତେବେଳେ ସେ କେଉଁ ‘ପାତ୍ର ପୁଅ ପାଡ଼ୁଛି ପାଟରେ’ ବୋଲି ବ୍ୟଙ୍ଗ କରି, କେଉଁ ଶାସକ ‘ମଙ୍ଗରାଜଙ୍କୁ ଗେନ୍ଧା ଶୁଘାଂଇ’ ନିଜେ ‘ଅନ୍ଧଦେଶକୁ ଦର୍ପଣ ବିକି’ ବାହାରେ । ନିଜ ପାଇଁ ଏହି ରୂପ ସ୍ୱାଧୀନ ବାତାବରଣ ସୃଷ୍ଟି କରି ଭ୍ରୂକ୍ଷେପହୀନ ଜୀବନଯାପନ କରିବାର ଉଦାହରଣ ଆଧୁନିକ ସାହିତ୍ୟିକମାନଙ୍କ ମଧ୍ୟରେ ସୁଦ୍ଧା ବିରଳ ନୁହେଁ ।

 

ରାଜନୈତିକ କାନ୍ଦଣା

 

ଅଳ୍ପକାଳ ହେଲା ପରଲୋକଗତ ସୁବିଖ୍ୟାତ ଇଂରେଜ କବି ହିଲେୟାର୍‌ ବେଲକ (Hilaire Belloc) ସାଡ଼ମ୍ୱର ରାଜନୈତିକ ନେତୃତ୍ୱ ପ୍ରତି ଯେପରି କଟାକ୍ଷପାତ କରିଛନ୍ତି, ସେଥିରୁ ଜଣାପଡ଼େ, କିପରି ଶୋଚୀୟ ବ୍ୟର୍ଥତା ମଧ୍ୟରେ ସୁଦ୍ଧା ରାଜନୈତିକ ଦେଖାଣିଆ ରୀତିର ଦରବାର ଆୟୋଜନ କରାଯାଇଥାଏ । ଏହିରୂପେ ଜଣେ ଅବାଞ୍ଛିତ ଘୃଣିତ ନେକାଙ୍କର ଶବ–ସମାରୋହ ଦର୍ଶନ କରି କବି ଲେଖିଛନ୍ତି :

 

‘‘Here richly, with ridiculous display,

The politician’s corpse was laid away.

While all of his acquaintance sneered and slanged.

L wept: for l had longed to see him hanged ’’

 

ଅର୍ଥାତ୍‌ ଏହି ପଥରେ ମହାସମାରୋହ ସହିତ ହାସ୍ୟକର ଶୋଭାଯାତ୍ରା ମଧ୍ୟରେ ରାଜନୈତିକ ନେତାଙ୍କର ଶବ ନିଆଗଲା । ତାହା ଦେଖି ତାଙ୍କ ପରିଚିତ ଲୋକେ ଅବଜ୍ଞାଭରେ ନାନା ଅପଭାଷା ଉଚ୍ଚାରଣ କଲେ । ମୁଁ କିନ୍ତୁ କାନ୍ଦିଥିଲି, କାରଣ ମୁଁ ଲୋଡ଼ୁଥିଲି ତାଙ୍କୁ ଫାଶୀରେ ଝୁଲୁଥିବା ଦେଖିବାପାଇଁ ।

 

ଭାଗବତ–ପଣ୍ଡିତଙ୍କ ସ୍ୱଳ୍ପ ଶ୍ମଶ୍ରୁକୁ ଚାହିଁ ଶ୍ରୋତାମାନଙ୍କ ଭିତରୁ ଗୋଟିଏ ଗରିବ ବୁଢ଼ୀ ନିଜର ପ୍ରିୟ ମୃତ ଛେଳିଟିର ଦାଢ଼ିକୁ ସ୍ମରଣ କରି କାନ୍ଦିବା ଫଳରେ ସେ ଜଣେ ପରମ ଭାଗବତ ଭକ୍ତ ବୋଲି ପଣ୍ଡିତଙ୍କ ମନରେ ଯେପରି ଭ୍ରମ ଧାରଣା ଉପୁଜିଥିଲା, ଇଂରେଜ–କବିଙ୍କର କାନ୍ଦଣା ଦେଖି ରାଜନୈତିକ ନେତାଙ୍କର ସେ ଜଣେ ଭକ୍ତ ବୋଲି କାହା କାହା ମନରେ ସେହିପରି ଭ୍ରମ ଜାତ ହୋଇଥିବା ବିଚିତ୍ର ନୁହେଁ । କିନ୍ତୁ କବି ତାଙ୍କ କାନ୍ଦଣାର ପ୍ରକୃତ ମର୍ମ ଅତି ବିଚକ୍ଷଣ ବ୍ୟଙ୍ଗ ସାହାଯ୍ୟରେ ବୁଝାଇ ଦେଇଛନ୍ତି ।

 

ଭଙ୍ଗି-ସ୍ୱାତନ୍ତ୍ର୍ୟ

 

‘କେଶବ କୋଇଲି’ ବା ‘ଜେମାଦେଈ କାନ୍ଦ’ଠାରୁ ଆରମ୍ଭ କରି ଆଧୁନିକ ପ୍ରେମ–ବିଚ୍ଛେଦ ପର୍ଯ୍ୟନ୍ତ ସଂଖ୍ୟାତୀତ କ୍ରନ୍ଦନର ଯେତେ ଉଦାହରଣ ମିଳେ, ସେଥିରେ କବିମାନଙ୍କୁ ‘କାନ୍ଦୁରା’ ଆଖ୍ୟା ଦେଲେ ମଧ୍ୟ ଦୋଷାବହ ହେବନାହିଁ: ଅଥଚ ଉଦ୍ଧୃତ ଇଂରାଜୀ କବିତାଭଳି ଏକ କାରଣରୁ ମଧ୍ୟ ସେମାନେ ଯେ କାନ୍ଦିପାରନ୍ତି, ସେଥିରୁ ତାଙ୍କ କାନ୍ଦଣାର ବିଶ୍ଳେଷଣ କରିବା ଯଥାର୍ଥରେ ଦୁରୂହ ହୋଇପଡ଼େ । ଏହି ହେତୁରୁ ବୋଧହୁଏ ଅନେକ ସମୟରେ ଶାସକ ଓ ରାଜନୀତିଜ୍ଞମାନଙ୍କ ପକ୍ଷରେ କବି–ଶିଳ୍ପିଗଣ ଦୁର୍ଜ୍ଞେୟ ଓ ଅବୋଧ୍ୟ ହୋଇଥାନ୍ତି । କେହି କେହି ତୁଚ୍ଛା ପାଗଳ ବୋଲି ମଧ୍ୟ ଉପେକ୍ଷିତ ହୁଅନ୍ତି । ପୁଣି ପ୍ରତ୍ୟେକ କବି କିମ୍ୱା ଶିଳ୍ପୀ ସ୍ୱଭାବତଃ ଏତେଦୂର ସ୍ୱୈରତାନ୍ତ୍ରିକ ଯେ କଳାକ୍ଷେତ୍ରରେ ଜଣେ ଅପର ସହିତ ଏକମତ ହେବା କିମ୍ୱା ଅନ୍ୟର ରଚନାରୀତିକୁ ସ୍ୱୀକାର କରିବା କ୍ୱଚିତ୍‌ ଦେଖାଯାଏ ।

 

ବିଶେଷତଃ ଜୀବିତ କବି, ଶିଳ୍ପୀମାନଙ୍କ ମଧ୍ୟରେ ଏରୂପ ଉଦାହାରଣ ବିରଳ । ଜଣକର ଲିଖନ, ଅଙ୍କନ ବା ଗାୟନ ରୀତି ଅନ୍ୟ ଅପେକ୍ଷା ପୃଥକ୍‌ କାରଣ ଏହାହିଁ ସୃଷ୍ଟିର ଚିରାଚରିତ ନିୟମ-। ସେ ନିୟମ ଏଡ଼େ ଅଭୂତ ଓ ଏଡ଼େ ବିଚିତ୍ର ଯେ, ଆଦିକାଳରୁ ଆଜିପର୍ଯ୍ୟନ୍ତ କୌଣସି ପୁରୁଷ ବା କୌଣସି ନାରୀର ମୁଖ ସଙ୍ଗେ ଆଉ ଜଣକର ଚେହେରାର ମେଳ କେଉଁଠି ହେଲେ ନାହିଁ-। ଥିଲେ, ତାହାକୁ ଦୃଷ୍ଟି ଓ ବିଚର ଭ୍ରମ କହିବାର କାରଣ ଅଛି ଅନେକ । ଏପରିକି ଯମଜ ସନ୍ତାନଙ୍କ ମଧ୍ୟରେ ସୁଦ୍ଧା କିଛି ହେଲେ ପାର୍ଥକ୍ୟ ଦେଖାଯାଏ । ଏହି ବିସ୍ମୟକର ସୃଷ୍ଟି ନିୟମର ନକଲ ନବିଶ ହେଉଛନ୍ତି କବି ଏବଂ ଶିଳ୍ପୀବୃନ୍ଦ । ପ୍ରତି କବିର ସ୍ୱତନ୍ତ୍ର ବ୍ୟକ୍ତିତ୍ୱ ଓ ବୈଶିଷ୍ଟ୍ୟ ତାଙ୍କ ରଚନାରେ ପ୍ରତିବିମ୍ୱ ତ ହୁଏ-। ତେଣୁ ସେମାନଙ୍କୁ ଗୋଟିଏ ନିର୍ଦ୍ଦିଷ୍ଟ ଚିନ୍ତାଧାରା ବା ଯୋଜନା ମାର୍ଗରେ ଶୃଙ୍ଖଳିତ କରିଦେବା ସହଜ ବ୍ୟାପାର ନୁହେଁ ।

 

ଇଂରେଜ କବି ବେଳକ୍‌ ଯେପରି କାନ୍ଦିଛନ୍ତି, ସେହିପରି ସେ କେତେବେଳେ କି କାରଣରୁ କାନ୍ଦେ, ହସେ, ଭଲପାଏ କିମ୍ୱା ଘୃଣା କରେ, ତାହା ଜାଣିବା ଦୁଷ୍କର । ତେଣୁ କବି, ଚିତ୍ରକର ବା ଗାୟକମାନଙ୍କୁ ବରାଦ କରି ସାହିତ୍ୟ ଲେଖାଇବା, ଚିତ୍ର ଅଙ୍କାଇବା ଅଥବା ଗୀତ ବୋଲାଇବାର ଫଳ ପ୍ରାୟ ପ୍ରଶଂସନୀୟ ହୋଇପାରେ ନାହିଁ । ବିକ୍ରମାଦିତ୍ୟ–କାଳିଦାସ ଓ ଆକବର–ତାନ୍‌ସେନ୍‌ଙ୍କ ଉପାଖ୍ୟାନରେ ଏଭଳି ଉଦାହରଣ ଅନେକ ଅଛି ।

 

ପ୍ରଧାନମନ୍ତ୍ରୀ ଶ୍ରୀ ନେହେରୁ କବି–ଶିଳ୍ପୀମାନଙ୍କର ସ୍ୱଭାବସିଦ୍ଧ ଭଙ୍ଗି ବିଷୟରେ ଅବିଦିତ ନୁହନ୍ତି । ତେଣୁ ସେମାନଙ୍କ ସମକ୍ଷରେ ସେ କେତେକ ସାମାନ୍ୟ ସୂଚନା ଦେଇ ଆଧୁନିକ ଜୀବନ ଓ ସାହିତ୍ୟ ଉପରେ ସମୟୋପଯୋଗ ଆଲୋକପାତ କରିଛନ୍ତି ଏବଂ ନିଜର ଅନୁଭୂତି ଲେଖକ ଗୋଷ୍ଠୀର ବିଚାରକୁ ଛାଡ଼ି ଦେଇଛନ୍ତି ।

 

ସାହିତ୍ୟର ବିରୋଧିତା

 

ରାଜନୀତି ସଙ୍ଗେ ସାହିତ୍ୟର ସମ୍ପର୍କ ବା ବିଚ୍ୟୁତି, ବୈରତା ବା ବନ୍ଧୁତା ଓ ସଂଘର୍ଷ ବା ମିଳନର ପୁଙ୍ଖାନୁପୁଙ୍ଖ ଆଲୋଚନା ଅତୀତ ତଥା ବର୍ତ୍ତମାନ ଦୃଷ୍ଟିକୋଣରୁ କରିବାକୁ ଗଲେ, କେଉଁ ଦିଗଟି ଅଧିକ ବା ବେଶି ଓଜନ ଏବଂ ଅଳ୍ପ ଅବା ଉଶ୍ୱାସିଆ, ତାହାର ହିସାବ ରଖିବା କାଠିକର ପାଠ । କେଉଁଠି ରାଜା ଶାସକଙ୍କୁ ନରରୂପୀ ‘ମହତି ଦେବତା’ ବୋଲି ଜୟଗାନରେ ସାହିତ୍ୟ ଉଦ୍‌ବେଳ ହୋଇଉଠିଛି, ଆଉ କେଉଁଠି ତାଙ୍କୁ ତୁଚ୍ଛରୁ ତୁଚ୍ଛତର ପ୍ରତିପନ୍ନ କରି ଛାଡ଼ିଛି । ସବୁବେଳେ କିନ୍ତୁ ସବୁରି ଊର୍ଦ୍ଧ୍ୱରେ ଟେକିଧରିଛି ମାନବିକତାର ନିଶାଣ–ହୃଦୟ ଏବଂ ମସ୍ତିଷ୍କର ବିସ୍ତୃତି ଓ ଗଭୀରତା–ପ୍ରଶସ୍ତି ଓ ପ୍ରଶାନ୍ତ ଭାବ । ମାନବ–କଲ୍ୟାଣ ହାସଲ ପାଇଁ ସାହିତ୍ୟ ଭଳି ଏତେ ବଡ଼ ମାରଣାସ୍ତ୍ର ଆଉ କେବେ ଆବିଷ୍କୃତ ହୋଇନାହିଁ କିମ୍ୱା ହେବନାହିଁ ବୋଲି ମନେ ହୋଇଥାଏ ।

 

ଯେଉଁଠାରେ ରାଜନୀତି ମାନବ କଲ୍ୟାଣ–କର୍ମରୁ ବିଚ୍ୟୁତ ହୋଇ ତାହାର ଧ୍ୱଂସସାଧନରେ ବ୍ରତୀ ହୁଏ, ଶାସକ କିମ୍ୱା ପାଳକ ଯେଉଁଠି ଭକ୍ଷକର ରୂପ ଧାରଣ କରେ, ଅଥବା ସତ୍ୟକୁ ଛାଡ଼ି ଅସତ୍ୟର ଆଶ୍ରୟ ନିଏ, ସେହିଠାରେ ହିଁ ସାହିତ୍ୟ ସଙ୍ଗେ ତାହାର ବିରୋଧିତା ଜାତ ହୁଏ; ସେହିଠାରେ ହିଁ କୌଶଳୀ କବି କାଳିଦାସ କ୍ଷମତାଧିଷ୍ଠିତ ଶାସକଶ୍ରେଣୀର ସ୍ୱାଭାବିକ ଅଭ୍ୟାସଗତ ରାଜନୈତିକ ମିଥ୍ୟାବାଦ ଓ ବିସ୍ମୃତିକୁ ଆକ୍ରମଣ କରି ଆଶ୍ରମବାସୀ ଦରିଦ୍ର ଶାର୍ଙ୍ଗରବ ମୁଖରେ ତିକ୍ତ ଭର୍ତ୍ସନା ଶୁଣାନ୍ତି–

 

‘‘ଆଜନ୍ମନଃ ଶାଠ୍ୟଶିକ୍ଷିତୋ ଯଃ

ତସ୍ୟାପ୍ରମାଣଂ ବଚନଂ ଜନସ୍ୟ,

ପରାତି ସନ୍ଧାନମଧୀୟତେ ଯୈଃ

ବିଦ୍ୟେତି ତେ ସନ୍ତୁ କୀଳାପ୍ତବାଚଃ ।’’

 

‘‘ଯେଉଁ ଶକୁନ୍ତଳା ଜନ୍ମାବଧି କେବେହେଲେ ଜୀବନରେ ଶଠତା କାହାକୁ କହନ୍ତି ଜାଣିନାହିଁ କି ଶିଖିନାହିଁ, ତାହାରି କଥା ହେଲା ଆକ୍ରମଣ ଏବଂ ବିଶ୍ୱାସର ଅଯୋଗ୍ୟ; ଅଥଚ ଯେଉଁମାନେ (ରାଜା ଦୁଷ୍ୟନ୍ତ) ପରକୁ କିପରି ପ୍ରତାରଣା କରାଯିବ, ଏହି କୌଶଳକୁ ନୀତିବିଦ୍ୟା ବୋଲି ଶିକ୍ଷା କରନ୍ତି, ସେହିମାନେ ହୁଅନ୍ତି ସତ୍ୟବାଦୀ !’’

 

ସେହିଠାରେ ହିଁ ସେକ୍‌ସପିୟର୍‌ ଜୁଲିଅସ୍‌ସିଜର୍‌ ପ୍ରମୁଖ ଅତ୍ୟାଚାରୀ ଶାସକମାନଙ୍କର ହତ୍ୟାଉପରେ ଶ୍ରେଷ୍ଠ ନାଟକ ରଚନା କରନ୍ତି ଏବଂ ରୋମ୍ୟା ରୋଲାଁଙ୍କ ଭଳି ଆଧୁନିକ ଯୁଗର ମନୀଷୀ ଲେଖକଗଣ ଯୁଦ୍ଧ ବିରୁଦ୍ଧରେ ସ୍ୱର ଉଠାଇବା ଦୋଷରୁ ନିର୍ବାସନ ଦଣ୍ଡରେ ଦଣ୍ଡିତ । ଆହୁରି କେତେ ଦେଶର କେତେ ସାହିତ୍ୟିକ ଶାସକଗୋଷ୍ଠୀର ଦୁର୍ବୋଧ ମତାମତ ପୋଷଣ କରି ରାଜଦ୍ରୋହ ଅପରାଧରେ ଲାଞ୍ଛିତ ହୁଅନ୍ତି । ତାହା ଉଲ୍ଲେଖ କରିବାକୁ ସ୍ଥାନ ନାହିଁ । ଯେଉଁ ଆଧୁନିକ ଗଣତନ୍ତ୍ର ଶାସନ ନୀତିରେ ଜନକଲ୍ୟାଣହିଁ ମୁଖ୍ୟ ଉଦ୍ଦେଶ୍ୟ, ସାଧାରଣ ମତ ଉପରେ ଯେଉଁ ରାଷ୍ଟ୍ର ଗଠିତ ଓ ପ୍ରତିଷ୍ଠିତ, ସେଠାରେ ସୁଦ୍ଧା ସାହିତ୍ୟ ସଙ୍ଗେ ରାଜନୀତିର ବିରୋଧିତା ଏହିପରି କାରଣରୁ ସଂଘଟିତ ହୋଇଥାଏ ।

 

ଜନକଲ୍ୟାଣ ରାଷ୍ଟ୍ର

 

ତେଣୁ ତଥାକଥିତ ଆଧୁନିକ ସାଧାରଣତନ୍ତ୍ର ରାଷ୍ଟ୍ର ପ୍ରତି ମଧ୍ୟ ସାହିତ୍ୟର କଟାକ୍ଷ ଅନୁଭୂତି ହୁଏ, ଯେତେବେଳେ ସେଥିରେ ସୁଦ୍ଧା ମନୁଷ୍ୟର ଦୁଃଖ–ଦାରିଦ୍ର୍ୟ ନିବାରିତ ହେବାର ବାସ୍ତବ ଲକ୍ଷଣମାନ ମିଳେନାହିଁ । ସୁବିଖ୍ୟାତ ଫରାସୀ ବିପ୍ଳବ ପରେ ଫ୍ରାନ୍‌ସ ଦେଶରେ ଏକଛତ୍ରଶାସନ ବିଲୁପ୍ତ ହୋଇ ଯେତେବେଳେ ସର୍ବପ୍ରଥମ ସାଧାରଣତନ୍ତ୍ର ଶାସନ ପ୍ରତିଷ୍ଠିତ ହେଲା, ସେହି ଘଟଣା ଉପରେ ଇଂରେଜ କବି ହିଲେୟାର୍‌ବେଲକ୍‌ସେ ଦୋର ସୈନ୍ୟମାନଙ୍କ ଦୁରବସ୍ଥା ବର୍ଣ୍ଣନାକୁ ଯାଇ କଥୋପକଥନ ଛଳରେ ପ୍ରକାଶ କରିଛନ୍ତି ଯେ, ସାଧାରଣ ସୈନ୍ୟମାନଙ୍କ ଅବସ୍ଥା ଯେଉଁ ସାଧାରଣତନ୍ତ୍ରରେ ଉନ୍ନତ ନୁହେଁ, ତାହା ଯେତେ ଆଧୁନିକ ଓ ନୂତନ ହେଲେହେଁ ଅର୍ଥହୀନ ।

 

ଦୁଇଜଣ ସୈନ୍ୟଙ୍କ ମଧ୍ୟରେ ଏହି କଥୋପକଥନର ଅବତାରଣା ହୋଇଛି । ଜଣେ ଅନ୍ୟକୁ ପ୍ରବୋଧ ଦେବାକୁ ଉଦ୍ୟମ କରୁଛି ଯେ, ସେମାନେ ନିଜେ ଯେତେ ଅଭାବ–କଷ୍ଟରେ ପଡ଼ିଲେ ମଧ୍ୟ ଦେଶରେ ସାଧାରଣତନ୍ତ୍ରର ପ୍ରତିଷ୍ଠା–ଦ୍ୱାରା ମଙ୍ଗଳ ହୋଇଛି । ମାତ୍ର ସାଧାରଣତନ୍ତ୍ର ବୋଇଲେ କ’ଣ ବୁଝାଏ ପଚରାଯିବାକୁ ଏହା କେବଳ କାନକୁ ଭାରି ଭଲ ଶୁଣାଯାଉଥିବାର ଉତ୍ତର ମିଳିଛି; ଅର୍ଥାତ୍‌ ଏହା ଭିତରେ ଅସଲ ମସଲା ବୋଲି କିଛି ନାହିଁ–ଖାଲି ଗୋଟିଏ ନୂଆ ନାମ ଏବଂ ଶୁଣିବାକୁ ତାହା ସ୍ୱାଦ୍ୟ ଓ ଉତ୍ତମ ।

 

ବିପ୍ଳବ, ବିଜୟ ଓ ସାଧାରଣତନ୍ତ୍ରର ବ୍ୟାଖ୍ୟା ଅତି ସଂକ୍ଷେପରେ କରାଯାଇଛି–

 

‘‘What is that ?

 

‘‘It has been a great victory….and there is a Republic’’

 

‘‘What is a Republic ?

 

‘‘I don’t know. But it sounds bloody good.’’

 

ଯେଉଁ ସୈନିକ ବିପ୍ଳବ କରି ସାଧାରଣତନ୍ତ୍ର ଶାସନର ପ୍ରତିଷ୍ଠା କରେ ଏବଂ ନିଜେ ଦୀନବେଶରେ ଜୀବନଯାପନ କରେ, ସେ ଯେ ତାହାର କୌଣସି ମର୍ମ ବୁଝେନାହିଁ, ସେହି ଅବସ୍ଥା ପ୍ରତି ହିଁ କବି ଦୃଷ୍ଟି ଆକୃଷ୍ଟ ହୋଇଛି । ଏହି ରୂପ ଦୃଷ୍ଟିଭଙ୍ଗୀ ମଧ୍ୟରେ କବିଙ୍କର ପରାଜିତ ମନୋଭାବ ପ୍ରତୀତ ହେଉଥିଲେହେଁ, ନିର୍ମମ ବାସ୍ତବତାକୁ ସେ ଅସ୍ୱୀକାର କରିପାରିନାହାନ୍ତି । ସେଥିଲାଗି ରାଜନୈତିକ ନେତାଙ୍କର ଶବସମାରୋହରେ ସୁଦ୍ଧା ତାଙ୍କର ବ୍ୟଙ୍ଗୋକ୍ତି ପ୍ରକାଶପାଏ ।

 

ସାହିତ୍ୟିକ ସହଯୋଗ

 

ଭାରତୀୟ ସାହିତ୍ୟକୁ ଗଠନ କରିବାର ଦାୟିତ୍ୱ ଯେଉଁମାନେ ଗ୍ରହଣ କରିଛନ୍ତି, ସେମାନଙ୍କୁ ଅବଶ୍ୟ ଦେଶର ଜନସାଧାରଣଙ୍କ ବାସ୍ତବ ଅବସ୍ଥା ପ୍ରତି ସମ୍ପୂର୍ଣ୍ଣ ଅନ୍ଧ ହୋଇ କେବଳ ଆଦର୍ଶବାଦ ପ୍ରଚାର କରିବାପାଇଁ କେହି ହେଲେ ପରାମର୍ଶ ଦେବେନାହିଁ । ପ୍ରଧାନମନ୍ତ୍ରୀ ନେହେରୁ ମଧ୍ୟ ସେଭଳି ପରାମର୍ଶ ଦେଇନାହାନ୍ତି । କିନ୍ତୁ ଯୁଗ–ଯୁଗବ୍ୟାପୀ ଦୁଃଖ–ଦାରିଦ୍ର୍ୟକୁ ଦୂର କରିବାଲାଗି ରାଷ୍ଟ୍ର ଯେଉଁଠାରେ ଉଦ୍ୟମଶୀଳ, ସାହିତ୍ୟ ସେଠାରେ ପୂର୍ଣ୍ଣ ସହଯୋଗ ନକଲେ ତାହାର ସାଧନରେ ବ୍ୟାଘାତ ଘଟିବ ସିନା, ଆଉ କିଛି ହେଲେ ଲାଭ ହେବ କି ?

 

ସାହିତ୍ୟିକ ସହଯୋଗ ବୋଇଲେ ରାଷ୍ଟକର୍ତ୍ତୃକ ଯେତେ ଯୋଜନା ଗୃହୀତ ହେଉଛି, ସେ ସମସ୍ତର ସ୍ତୁତିଗାନକୁ ହିଁ ବୁଝାଏ ନାହିଁ । ସେଗଡ଼ିକର ତ୍ରୁଟିଯୋଗୁ ବ୍ୟଙ୍ଗ, ବିଦ୍ରୂପ ଓ ସମାଲୋଚନା ଜରିଆରେ ମଧ୍ୟ ଉତ୍କୃଷ୍ଟ ସହଯୋଗ କରାଯାଇପାରେ । କବି ବେଲକ୍‌ ସେହିରୂପ ସହଯୋଗର ସୂଚନା ଦେଇଛନ୍ତି । ପୁଣି ମହାଭାରତୀୟ ଭାବଧାରାକୁ ଦୃଷ୍ଟି ସମକ୍ଷରେ ରଖି ଆଞ୍ଚଳିକ ସମସ୍ୟା ପ୍ରତି ନୀରବ ରହିଲେ ସାହିତ୍ୟ ଧର୍ମହାନି ଘଟିବା ଅବଶ୍ୟମ୍ଭାବୀ ।

 

ଅନ୍ୟ ଆଞ୍ଚଳିକ ସାହିତ୍ୟ ଭଳି ଓଡ଼ିଆ ସାହିତ୍ୟ ଉନ୍ନତ ହେବା ବାଞ୍ଛନୀୟ ବୋଲି ବିଚାରିଲାବେଳେ ସର୍ବାଦୌ ଦୃଷ୍ଟିପଥାରୁଢ଼ ହୁଏ ଓଡ଼ିଶାର ଧନଦାରିଦ୍ର୍ୟ, ମନଦାରିଦ୍ର୍ୟ, କ୍ଷୁଦ୍ରତା ଓ ସକଳ କ୍ଷେତ୍ରରେ ଅସାମର୍ଥ୍ୟ । ସେହି କାରଣରୁ ଏ ରାଜ୍ୟର ଶାସନକ୍ଷେତ୍ରରେ ସୁଦ୍ଧା ଓଡ଼ିଆମାନେ ଅପାରଗ ହୋଇପଡ଼ିଛନ୍ତି ଏବଂ ଓଡ଼ିଆ ଭାଷା ଓ ସାହିତ୍ୟ ସହିତ ପରିଚିତ ନଥିବା ବ୍ୟକ୍ତିବିଶେଷଙ୍କ ସାହାର୍ଯ୍ୟରେ ହିଁ ପ୍ରଧାନତଃ ନିର୍ମାଣ ଯୋଜନା ଓ ରାଜ୍ୟଶାସନ କର୍ମ ଚଳୁଛି । ଏହି ରୂପ ପରିସ୍ଥିତି ରାଷ୍ଟ୍ର ସହିତ ସାହିତ୍ୟର ସହଯୋଗ ସ୍ଥାପନରେ ଏକ ପ୍ରଧାନ ଅନ୍ତରାୟ ବୋଲିବାକୁ ହେବ । ଓଡ଼ିଆମାନେ ନିଜ ରାଜ୍ୟର ଶାସନକ୍ଷେତ୍ରରେ ବା ନିର୍ମାଣ କ୍ଷେତ୍ରରେ ଉଚ୍ଚସ୍ଥାନ ଅଧିକାର କରିବାକୁ ଅଯୋଗ୍ୟ ହୋଇପଡ଼ିଥିବାରୁ ଓଡ଼ିଆଭାଷାନଭିଜ୍ଞ ଉଚ୍ଚପଦସ୍ଥ କର୍ମଚାରୀଗଣ ସେମାନଙ୍କୁ ହୀନଦୃଷ୍ଟିରେ ଦେଖିବା ମଧ୍ୟ ସ୍ୱାଭାବିକ । ଏଭଳି ପରିସ୍ଥିତିକୁ ସଙ୍ଗେ ସଙ୍ଗେ ସୁଧାରିଦେବା ଭାରତର ପ୍ରଧାନମନ୍ତ୍ରୀଙ୍କ ପକ୍ଷରେ ମଧ୍ୟ ସାଧ୍ୟାତୀତ ।

 

ନିଜ ବାସଭୂମିରେ ପରବାସୀ ହେବାର ଦୁର୍ଭାଗ୍ୟ ଓଡ଼ିଆଜାତି ସଙ୍ଗେ ତାହାର ସାହିତ୍ୟକୁ ମଧ୍ୟ ଭୋଗିବାକୁ ପଡ଼ୁଛି । ଏହିରୂପ ଉପେକ୍ଷିତ ଅବସ୍ଥାରେ ରହି ନିର୍ମାଣ ଯୋଜନାଗୁଡ଼ିକ ଆଶାନୁରୂପ ସ୍ପଦନ ସୃଷ୍ଟି କରିପାରୁନାହିଁ; ଗ୍ରାମ–ଗହଳର ‘‘ଲୋକେ ଯେ–ତିମିରେ ସେ–ତିମିରେ’’ ପଡ଼ିରହିଛନ୍ତି । ଏଥିରୁ ମନେହୁଏ, ଭାରତର ଅନ୍ୟାନ୍ୟ ଆଞ୍ଚଳିକ ସାହିତ୍ୟ ତୁଳନାରେ ଓଡ଼ିଆ ସାହିତ୍ୟର ଉନ୍ନତିଲାଗି ଆହୁରି ଯଥେଷ୍ଟ ତ୍ୟାଗ, ସାଧନା ଓ ନିଷ୍ଠା ଆବଶ୍ୟକ । ରାଷ୍ଟ୍ରୀୟ ଯୋଜନା ସହିତ ସହଯୋଗ କରିବାକୁ ହେଲେ ତାହା ଆହୁରି ଅଧିକ ଯୋଗ୍ୟ ଓ ଶକ୍ତିମନ୍ତ ହେବା ଲୋଡ଼ା ।

Image

 

ସାହିତ୍ୟ-ସମସ୍ୟା

 

ରାଷ୍ଟ୍ର କିମ୍ୱା ସମାଜ ସଙ୍ଗେ ସାହିତ୍ୟର ସମ୍ପର୍କ ବର୍ତ୍ତମାନ ବିଚାର କରିବାକୁ–ଗଲେ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼େ ସେଥିଲାଗି ସର୍ବପ୍ରଥମେ ରାଷ୍ଟ୍ର ବା ସମାଜ ସହିତ ଲେଖକର ସ୍ଥାନ ନିରୂପଣ କରିବା ଲୋଡ଼ା । ସ୍ୱାଧୀନତା ପରେ ଲେଖକର ସ୍ଥାନ ଦେଶରେ କି ପରିମାଣରେ ସ୍ଥିରୀକୃତ ହୋଇଛି, ତାହାର ଭବିଷ୍ୟତ କ’ଣ, ଦେଶ ବା ଜାତିକୁ ଆପଣାର ବୋଲି ବିଚାରିବା ଭାବ ଏବେ ବଢ଼ିଛି କି କମିଛି–ବଢ଼ିଥିଲେ ତାହାର କି କି ସଙ୍କେତ ମିଳୁଛି ବା ମିଳୁନାହିଁ; ପୁଣି ଊଣା ପଡ଼ିଥିଲେ ତାହାର କାରଣ ବା ପ୍ରତିକାର କେଉଁଠି, ଖୋଜିବାକୁ ହେବ ଇତ୍ୟାଦି ବିଷୟରେ ଆଲୋଚନା ଆବଶ୍ୟକ ହୋଇଥାଏ । କାରଣ ଭାରତୀୟ ଲେଖକର ସାମାଜିକ ସ୍ଥିତି ଓ ପଦମର୍ଯ୍ୟାଦା ସମ୍ୱନ୍ଧରେ ସେ ସନ୍ଦିହାନ ରହିଥିବା ପର୍ଯ୍ୟନ୍ତ ଉଚ୍ଚାଙ୍ଗ ଜାତୀୟ ସାହିତ୍ୟର ସୃଷ୍ଟି ବିଡ଼ମ୍ୱନା ମାତ୍ର ।

 

ଲେଖକର ପଦମର୍ଯ୍ୟାଦା

 

ମଧ୍ୟଯୁଗୀୟ ରାଜତନ୍ତ୍ର ଶାସନରେ ଶିଳ୍ପ କିମ୍ୱା ଲେଖକକୁ ଯେଉଁ ଉତ୍ସାହ, ସମ୍ମାନ, ଆଦର ବା ପଦମର୍ଯ୍ୟାଦା ମିଳୁଥିଲା, ଆଧୁନିକ ଗଣତନ୍ତ୍ର ଶାସନରେ ତାହା ଯେ ତିରୋହିତ ହୋଇଛି, ଏ କଥା ଉପରେ ଦ୍ୱିଧା ମତ ରହିନପାରେ କାରଣ ତାହା ଜୀବିତ ସ୍ମୃତିର ଘଟଣା । ସ୍ୱାଧୀନ ଭାରତରେ ସେ ଘଟଣା ଅତି ପ୍ରାଚୀନ ହୋଇନାହିଁ; କିନ୍ତୁ ଫ୍ରାନ୍‌ସ ଦେଶରେ ତାହା ଅତି ପ୍ରାଚୀନ ହୋଇଥିଲେ ମଧ୍ୟ ଆଧୁନିକ ଇଂରେଜ କବିଙ୍କ ଭାଷାରେ ନବାଗତ ସାଧାରଣତନ୍ତ୍ର କଥାଟା କେବଳ ଏକ ସୁଶ୍ରାବ୍ୟ ଶବ୍ଦ ‘‘It sounds bloody good’’) ରୂପେ ପ୍ରକାଶ ପାଇଛି । ତେଣୁ ଶାସନତାନ୍ତ୍ରିକ ବା ରାଷ୍ଟ୍ରୀୟ ପରିବର୍ତ୍ତନଦ୍ୱାରା ଲେଖକ ଚିତ୍ତରେ ସମାନ୍ତରାଳ ପରିବର୍ତ୍ତନ ଆସିବାପାଇଁ ଯଥେଷ୍ଟ ସମୟ ଆବଶ୍ୟକ ହୁଏ । ହୃଦୟକୁ ସ୍ପନ୍ଦିତ, ପରିବର୍ତ୍ତନ ଆସିବାପାଇଁ ଯଥେଷ୍ଟ ସମୟ ଆବଶ୍ୟକ ହୁଏ । ହୃଦୟକୁ ସ୍ପନ୍ଦିତ, ଆଲୋଡ଼ିତ କଲାଭଳି ସେ ପରିବର୍ତ୍ତନର କୌଣସି ଆଭ୍ୟନ୍ତରୀଣ ପ୍ରଭାବ ନ ପଡ଼ିବା ପର୍ଯ୍ୟନ୍ତ ତାହା କେବଳ ବାହ୍ୟକ ହୋଇ ରହିଥାଏ । କେବଳ ମୁଖରୋଚକ ହେଲେହେଁ ସ୍ୱାସ୍ଥୋନ୍ନତି ନ କଲାଯାଏ ତାହାର ପ୍ରକୃତ ଫଳାଫଳ ଅନୁଭୂତ ହୁଏନାହିଁ ।

 

ତେଣୁ ରାଷ୍ଟ୍ରୀୟ ଜନହିତକର ଯୋଜନାଗୁଡ଼ିକ ପ୍ରତି ଲେଖକମାନଙ୍କୁ ଆକର୍ଷଣ କଲାଭଳି ରାଷ୍ଟ୍ରୀୟ ଉଦ୍ୟମ ହେବା ଚାହିଁ । ଅନାଦର, ଅବହେଳା ମଧ୍ୟରେ ହିଁ ଲେଖକର ଅବସାଦ ଜାତ ହୋଇଥାଏ । ଏହି ଅବସାଦ ଦୂର କରିବା ସକାଶେ ଭାରତ ସରକାର ଏବେ ଏକ ‘ସାହିତ୍ୟ ଏକାଡେମୀ’ ଗଠନ କରିଛନ୍ତି । ସାହିତ୍ୟିକମାନଙ୍କୁ ଉପଯୁକ୍ତ ଉତ୍ସାହ ଦେଇ ଉକ୍ତ ଅନୁଷ୍ଠାନ ଆଦର୍ଶରୂପେ ପରିଗଣିତ ହେବ ବୋଲି ଆଶା କରାଯାଇପାରେ । ଶ୍ରୀଯୁକ୍ତ ନେହେରୁ ମଧ୍ୟ ଏଥିପ୍ରତି କିଞ୍ଚିତ୍‌ ଧ୍ୟାନ ଦେଇଥିବାର ଜଣାପଡ଼େ । ତେଣୁ ଭାରତୀୟ ଲେଖକ ପକ୍ଷରେ ସମ୍ପୂର୍ଣ୍ଣ ହତୋତ୍ସାହ ହେବାର କାରଣ କ୍ରମେ ସ୍ୱଳ୍ପ ହୋଇଆସୁଛି ।

 

ଶାସନତନ୍ତ୍ର ଓ ଲେଖକ

 

ଆଉ ଗୋଟିଏ କଥା ମନେରଖିବାକୁ ହେବ ଯେ–ଲେଖକ ଯଦି ନିଜକୁ ସମ୍ପୂର୍ଣ୍ଣ ନିରପେକ୍ଷ, ସମ୍ପୂର୍ଣ୍ଣ ମୁକ୍ତ ଓ ସ୍ୱାଧୀନ ରଖିବାକୁ ଲୋଡ଼େ, ତେବେ ତାହାକୁ କେତେଗୁଡ଼ିଏ ଅବଶ୍ୟମ୍ଭାବୀ ଅସୁବିଧା ବରଣ କରିବାକୁ ଗଲେ ସେ ପଥ ଯେ ସହଜ ନୁହେଁ, ଦୁର୍ଗମ–ଦୁଃଖ ବିପଦରେ ପରିପୂର୍ଣ୍ଣ–ବାରମ୍ୱାର ତାହାକୁ ଏ କଥା ସ୍ମରଣ କରିବାକୁ ହେବ । ପୁଣି ସଂଖ୍ୟାତୀତ ଶତାବ୍ଦୀବ୍ୟାପୀ ରାଜତନ୍ତ୍ର ଶାସନର କଳୁଷରାଶି ଯୁଗେ–ଯୁଗେ ମାର୍ଜିତ, ସଂଶୋଧିତ ଓ କ୍ଷାଳିତ ହୋଇ ଲେଖକ ପାଇଁ ଯେଉଁ ଅନୁକୂଳ ବାତାବରଣ ସୃଷ୍ଟି କରିଥିଲା ଏବଂ ଶେଷରେ ଅଚଳ ଅବସ୍ଥାକୁ ଆସି ମଧ୍ୟ ଯେଉଁ ପାରମ୍ପରିକ କୌଳିନ୍ୟ ପ୍ରଦର୍ଶନ କରିଥିଲା; ଅଧୁନା ପ୍ରବର୍ତ୍ତିତ ଶିଶୁ ଗଣତନ୍ତ୍ର ରାଷ୍ଟ୍ର ପକ୍ଷରେ ସେହି ପରମ୍ପରାର ଯୋଗ୍ୟ ହେବାଲାଗି ଆହୁରି ସମୟ ହୁଏତ ବାକି ଅଛି; କିନ୍ତୁ ଗଣତନ୍ତ୍ରର ଜନନୀ ବ୍ରିଟେନରେ ସୁଦ୍ଧା ଅତି ଉନ୍ନତ ଇଂରାଜୀ ସାହିତ୍ୟ କ୍ଷେତ୍ରରେ ଲେଖକର ସ୍ଥାନ ଖୁବ୍‌ ଆନନ୍ଦଦାୟକ ବୋଲି ମନେହୁଏ ନାହିଁ ।

 

ଇଂରାଜୀ ସାହିତ୍ୟରେ ଲେଖକ

 

ସାଧାରଣତନ୍ତ୍ର ଓ ଆଧୁନିକ ରାଜନୈତିକ ନେତାମାନଙ୍କ ପ୍ରତି ଇଂରେଜ କବି ବେଲକ୍‌ବ୍ୟଙ୍ଗ ସାହାର୍ଯ୍ୟରେ ଯେଉଁଭଳି ଦୃଷ୍ଟିଭଙ୍ଗୀ ପ୍ରକାଶ କରିଛନ୍ତି, ଅନ୍ୟାନ୍ୟ ଏକାଧିକ ଇଂରେଜ କବିଙ୍କ ଦୃଷ୍ଟିଭଙ୍ଗୀ ତହିଁରୁ ବେଶୀ ଫରକ ନୁହେଁ ବୋଲି ମନେହୁଏ । ଆଧୁନିକ ଇଂରାଜୀର ଶ୍ରେଷ୍ଠ ଜୀବିତ ନାଟ୍ୟକାର ଓ ସାହିତ୍ୟିକ ଏବଂ ସେ ଦେଶରେ ବେତାର ଅନୁଷ୍ଠାନର (ବି. ବି. ସି) ପ୍ରସିଦ୍ଧ ଶିଳ୍ପୀ ଶ୍ରୀ ଜେ.ବି. ପ୍ରିଷ୍ଟ୍‌ଲ (J.B.Priestley) ଲଣ୍ଡନ ମାଗାଜିନ୍‌ରେ ‘ଲେଖକର ଭବିଷ୍ୟତ’ ଶିରୋନାମାରେ ଏକ ଚିନ୍ତାପୂର୍ଣ୍ଣ ପ୍ରବନ୍ଧ ଲେଖିଛନ୍ତି ।

 

ଉକ୍ତ ପ୍ରବନ୍ଧର ଆଲୋଚନା ଦେଖାଯାଏ, ସୁବିଖ୍ୟାତ ‘ଟାଇମସ୍‌’ ପତ୍ରିକାର ସ୍ୱତନ୍ତ୍ର ସାପ୍ତାହିକ କ୍ରୋଡ଼ପତ୍ରର (Times Literary Supplement) ବିଗତ ଜାନୁଆରୀ ୨୫ ତାରିଖ ୧୯୫୪ ସଂଖ୍ୟାର ସମ୍ପାଦକୀୟରେ । ଶ୍ରୀ ପ୍ରିଷ୍ଟ୍‌ଲି ଲେଖକ–ଜୀବନର ଯେଉଁସବୁ ସମସ୍ୟା ଉତ୍‌ଥାପନ କରିଛନ୍ତି, ତାହା ବିଶେଷତଃ ଅଳ୍ପବୟସ୍କ ଲେଖକମାନଙ୍କ ଚିତ୍ତକୁ ଅଧିକ ସନ୍ଦିଗ୍‌ଧ, ବିବ୍ରତ ଓ ଆଲୋଡ଼ିତ କରେ ବୋଲି ‘ଟାଇମ୍‌ସ’ ସମ୍ପାଦକ ଏକମତ ହୋଇଛନ୍ତି । ଶ୍ରୀ ପ୍ରିଷ୍ଟଲିଙ୍କ ପ୍ରବନ୍ଧରୁ ଜଣାଯାଏ, ଇଂରାଜୀ ଲେଖକର ସ୍ଥାନ–ମର୍ଯ୍ୟାଦା ସମାଜରେ ପୂର୍ବ ଅପେକ୍ଷା ହ୍ରାସ ହୋଇପଡ଼ିଛି: ‘‘The status of the author is not What it was. Society, as people say, takes a dimmer view of him then it used to do.’’ ଅର୍ଥାତ୍‌ ‘‘ଅତୀତରେ ଲେଖକର ଯେଉଁ ପଦମର୍ଯ୍ୟଦା ଥିଲା, ଆଜି ତାହା ନାହିଁ । ପୂର୍ବେ ସମାଜ ତାହାକୁ ଯେଉଁ ଦୃଷ୍ଟିରେ ଦେଖିଆସିଥିଲା, ଆଜି ସେ ଦୃଷ୍ଟି ଅସ୍ପଷ୍ଟ ବା ଅନୁଜ୍ଜ୍ୱଳ ହୋଇପଡ଼ିଛି ।’’ ଉଦାହରଣ ସ୍ୱରୂପ, ସେ ଦର୍ଶାଇଛନ୍ତି ଯେ ପ୍ରଧାନମନ୍ତ୍ରୀ ଗ୍ଳାଡ଼୍‌ଷ୍ଟୋନ୍‌ଙ୍କ ସଙ୍ଗେ ଇଂରେଜ କବି ଟେନିସନ୍‌ଙ୍କୁ ଲୋକେ ଯେଭଳି ସମାନ ସମ୍ଭ୍ରମ ଦୃଷ୍ଟିରେ ଦେଖୁଥିଲେ, ଆଜି ପ୍ରଧାନମନ୍ତ୍ରୀ ଚର୍ଚ୍ଚିଲଙ୍କ ସଙ୍ଗେ କବି.ଟି.ଏସ.ଇଲିୟଟ୍‌ଙ୍କୁ ଜନସାଧାରଣ ସେହିପରି ସମାନ ସମ୍ଭ୍ରମ ଦିଅନ୍ତି ନାହିଁ । ସାହିତ୍ୟକ୍ଷେତ୍ରରେ ପ୍ରସିଦ୍ଧ ହେବା ଅର୍ଥ ଏକଦା ଯେପରି ଜାତୀୟ ପ୍ରସିଦ୍ଧିକୁ ବୁଝାଉଥିଲା, ଏଣିକି ଆଉ ସେପରି ବୁଝାଏ ନାହିଁ ।

 

ଏହି ପରିସ୍ଥିତିର ବିଭିନ୍ନ ଦିଗ ଆଲୋଚନା କରି ଶ୍ରୀ ପ୍ରିଷ୍ଟଲ ଯେଉଁସବୁ ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି, ତାହା ଭାରତୀୟ ଲେଖକର ମଧ୍ୟ ଅନୁଧ୍ୟେୟ ।

Image

 

ନବୀନକୁ ପରାମର୍ଶ

 

ଅତୀତରେ ଲେଖକର ଯେଉଁ ପ୍ରତିଷ୍ଠା ଥିଲା, ବର୍ତ୍ତମାନ ତାହା ଊଣା ହୋଇପଡ଼ିଥିବାର ଅନ୍ୟ ପ୍ରମାଣ ଦେଖାଇ ଶ୍ରୀ ପ୍ରିଷ୍ଟ୍‌ଲି କହିଛନ୍ତି ଯେ ଆଜି ଯଦି କେହି ନବୀନ ଔପନ୍ୟାସିକ ସ୍ୱନାମଧନ୍ୟ ଇଂରେଜ ଔପନ୍ୟାସିକ ଡିକେନ୍‌ସଙ୍କ ପ୍ରତିଭା ଘେନି ଜନ୍ମଗ୍ରହଣ କରନ୍ତି ଏବଂ ଡିକେନ୍‌ସଙ୍କ ଭଳି ସାମାଜିକ ରୁଚିର ସର୍ବବୃହତ୍‌ ପରସର ସଙ୍ଗେ ଯୋଗାଯୋଗ ରଖିବାକୁ ସମର୍ଥ ହୁଅନ୍ତି, ତଥାପି ତାଙ୍କୁ ସେହି ସଂଖ୍ୟକ ଶ୍ରୋତା ବା ପାଠକ ମିଳିବେ ନାହିଁ । ତାହାର କାରଣ, ବର୍ତ୍ତମାନ ନୂତନ ଯାନ୍ତ୍ରିକ ଉପାୟ ଉଦ୍ଭାବିତ ହୋଇଛି, ଯାହା ଡିକେନ୍‌ସଙ୍କ ସମୟରେ ନ ଥିଲା ।

 

ସାହିତ୍ୟର ଯାନ୍ତ୍ରିକବାହନ

 

ନବୀନ ଲେଖକକୁ ଟେଲିଭିଜନ, ଚଳଚ୍ଚିତ୍ର, ବେତାର ଅନୁଷ୍ଠାନ ସହିତ ଆଜି ପ୍ରତିଯୋଗିତା କରି ନିଜ ରଚିତ ଗ୍ରନ୍ଥର ପାଠକଗୋଷ୍ଠୀ ପସ୍ତୁତ କରିବାକୁ ହୁଏ ବୋଲି ଶ୍ରୀ ପ୍ରିଷ୍ଟ୍‌ଲି ଦର୍ଶାଇଛନ୍ତି । ସେ ଅବଶ୍ୟ ସ୍ୱୀକାର କରିଛନ୍ତି ଯେ, ଏହି ସକଳ ନବାବିସ୍କୃତ ଯାନ୍ତ୍ରିକ ମାଧ୍ୟମରେ ଲେଖକ ଲାଗି ନୂତନ କ୍ଷେତ୍ର ଉଦ୍‌ଘାଟିତ ହୋଇଛି । କିନ୍ତୁ ଚଳଚ୍ଚିତ୍ରପାଇଁ ଯେଉଁ ଲେଖକ କଥୋପକଥନ ଓ ଦୃଶ୍ୟବର୍ଣ୍ଣନା ଆଦି ଲେଖନ୍ତି, ତାହାଙ୍କ ସ୍ଥାନ ଜଣେ ମଧ୍ୟମଶ୍ରେଣୀୟ ଯନ୍ତ୍ରବିଶାରଦଙ୍କଠାରୁ ଉଚ୍ଚତର ହୋଇପାରେ ନାହିଁ । ପୁଣି ଟେଲିଭିଜନ୍‌ ପାଇଁ ଅଭିନୟର ରଚନା ଫଳରେ ଲେଖକମାନେ ଯେପରି ପୁରସ୍କୃତ ହେଉଛନ୍ତି, ତାହାର ପରିମାଣ ଅତି ସାମାନ୍ୟ; ଅର୍ଥାତ୍‌ ଟେଲିଭିଜନ୍‌ ଗୃହେ ଗୃହେ ପ୍ରଚଳିତ ହୋଇ ଚଳିଚ୍ଚିତ୍ର ଭଳି ନୃତ୍ୟାଗୀତ ଅଭିନୟ ପରିବେଷଣ କରିବାକୁ ଆହୁରି କାଳବିଳମ୍ୱ ଅଛି । ତଥାପି ସେଠାରେ ଲେଖକର ସ୍ଥାନ ଯେ, ଜଣେ ଯନ୍ତ୍ରଚାଳକ ଅପେକ୍ଷା ମହତ୍ତର ନୁହେଁ, ସେହି କଥା ଶ୍ରୀ ପ୍ରିଷ୍ଟ୍‌ଲି ଚେତାଇ ଦେଇଛନ୍ତି ।

 

ପ୍ରକାଶକମାନେ ସୁଦ୍ଧା ପୂର୍ବପରି ଶ୍ରେଷ୍ଠ ସାହିତ୍ୟର ଆଦର କରୁନାହାନ୍ତି ବୋଲି ତାଙ୍କର ମତ । ନବୀନ ଲେଖକମାନଙ୍କୁ ଉତ୍ସାହ ଦେବା ଦୂରେଥାଉ, ପ୍ରତିଷ୍ଠିତ ସାହିତ୍ୟିକମାନଙ୍କ ପାଣ୍ଡୁଲିପି ପ୍ରତି ମଧ୍ୟ ସେମାନେ ବିଶେଷ ଆଗ୍ରହୀ ନୁହନ୍ତି । ଯେ କେହି ଅନାମଧେୟ ଲେଖକର ରଚନା ଅଧିକ କାଟ୍‌ତି ହେଲେ ପ୍ରକାଶକ ପକ୍ଷରେ ତାହାହିଁ ସବୁଠାରୁ ମୂଲ୍ୟବାନ । ସବୁଠାରୁ ବେଶି ବିକ୍ରି ହେଉଥିବା ଗ୍ରନ୍ଥଗୁଡ଼ିକୁ ପରୀକ୍ଷା କଲେ ଏହି କଥା ବୁଝାଯାଏ । ଏହି ତାଲିକାର ଅନ୍ତର୍ଭୁକ୍ତ ଅଧିକାଂଶ ପୁସ୍ତକ ଉପନ୍ୟାସ ନୁହେଁ । ମାତ୍ର ନୂତନ ଆବିଷ୍କାର, ଦୁର୍ଘଟଣା ଓ ଦୁଃସାହସର ଅବିକଳ ବିବରଣ ପ୍ରକାଶ କରି ଅନେକାଂଶରେ ତାହା ସମ୍ୱାଦପତ୍ର ଭଳି କେବଳ କୌତୂହଳ ନିବୃତ୍ତି କରେ ଏବଂ ତାହାର ଲେଖକ ଛଦ୍ମ ନାକରେ ଆତ୍ମଗୋପାନ କରିଥାନ୍ତି ଅଥବା ଆଦୌ ଜଣାଶୁଣା ନୁହନ୍ତି ।

 

ନୈରାଶ୍ୟଜନକ ପରିସ୍ଥିତି

 

ଆଧୁନିକ ଇଂରାଜୀ ସାହିତ୍ୟର ଏହି ରୂପ ଅଧୋଗତି ଓ ନୈରାଶ୍ୟର ଚିତ୍ର ଅଙ୍କନ କରି ଶ୍ରୀ ପ୍ରିଷ୍ଟାଲି ନବୀନ ଲେଖକମାନଙ୍କୁ ପରାମର୍ଶ ଦେଇଛନ୍ତି ଯେ, ସେମାନେ ଶାନ୍ତିରେ ଜୀବନଯାପନ କଲାଭଳି ସାହିତ୍ୟ ସଙ୍ଗେ କୌଣସି ସମ୍ପର୍କ ନଥିବା ଗୋଟିଏ ଲେଖା ଅର୍ଥକାରୀ କର୍ମ ଆଦରି ରହନ୍ତୁ ଏବଂ ସାହିତ୍ୟ ଓ ଶିଳ୍ପ ପ୍ରତି ସରକାରୀ ପୃଷ୍ଠପୋଷକତାର ମୂଲ୍ୟ ଉପରେ ନିର୍ଭର କରନ୍ତୁ ନାହିଁ । ଅବଶ୍ୟ ତାଙ୍କ ପରାମର୍ଶକୁ ନବୀନ ଲେଖକଗଣ ଗ୍ରହଣ କରିବେ ବୋଲି ସେ ଭରସା ରଖିନାହାନ୍ତି: ‘‘Any author of any size, originality and merit, will soon begin to challenge the accepted values of his society. Who will encourage and reward him for doing this ? Parliament, the City Council, Ministries, Committees composed of safe men ? It is unlikely, Big business advertiser, Commercial theatre managers, a press that must flatter its readers ? No for long.’’

 

ଅର୍ଥାତ୍‌ ‘‘କ୍ଷୁଦ୍ର ବୃହତ୍‌ ଯେ କେହି ମୌଳିକ ଓ ପ୍ରତିଭାବାନ୍‌ ଲେଖକର ସାଧାରଣ ସ୍ୱଭାବ ହେଉଛି, ସେ ସମାଜର ସ୍ଥିରୀକୃତ ନୀତି–ନିୟମ ବିରୁଦ୍ଧରେ ପ୍ରଶ୍ନ ଉଠାଇଥାଏ । ଏହି କାର୍ଯ୍ୟ କରିବାଲାଗି କିଏ ବା ତାହାକୁ ଉତ୍ସାହ କିମ୍ୱା ପୁରସ୍କାର ଦେବ ? ପାର୍ଲିଆମେଣ୍ଟ, ମୁନିସିପାଲିଟି, ମନ୍ତ୍ରିମଣ୍ଡଳ ଅଥବା ବେସରକାରୀ କମିଟି ସବୁ ? ଏହା ତ ସମ୍ଭବପର ବୋଧହୁଏ ନାହିଁ । ବଡ଼ ବଡ଼ ବ୍ୟବସାୟୀଙ୍କର ବିଜ୍ଞାପନଦାତାମାନେ, ବ୍ୟବସାୟୀ ରଙ୍ଗମଞ୍ଚ ପରିଚାଳକମାନେ ଅଥବା ନିଜ ପାଠକଗୋଷ୍ଠୀକୁ ତୋୟାଜ କରୁଥିବା କୌଣସି ପତ୍ରପତ୍ରିକା ? ତାହା ମଧ୍ୟ ବେଶି କାଳପାଇଁ ନୁହେଁ ।’’

 

ଏଇଭଳି ଉତ୍ସାହଶୂନ୍ୟ ପରିସ୍ଥିତି ମଧ୍ୟରେ ପଡ଼ି ମଧ୍ୟ ନିରୂପାୟ ଲେଖକ ପକ୍ଷରେ ଲେଖନୀ ତ୍ୟାଗ କରିବା ଅସମ୍ଭବ ହେଉଥିବାରୁ ସେ ‘କିଛି ସୃଷ୍ଟି କରୁ ଅଥବା ଧ୍ୱଂସ ହେଉ’ (Must create or perish) ଭାବନା ଘେନି ଗତିକରେ ମାତ୍ର । ସୁପ୍ରତିଷ୍ଠିତ ସାହିତ୍ୟିକ ଶ୍ରୀ ପ୍ରିଷ୍ଟଲିଙ୍କ ମତାମତ ଗୁଡ଼ିକରେ ଯେଉଁ ସତ୍ୟ ନିହିତ ଅଛି, ‘ଟାଇମ୍‌ସ’ ପତ୍ରିକା ସାହିତ୍ୟ-ବିଭାଗର ବିଜ୍ଞ ସମ୍ପାଦକ ମୋଟାମୋଟି ସେସବୁର ସମର୍ଥନ କରୁଥିଲେହେଁ ଆଧୁନିକ ସାହିତ୍ୟର ଉଜ୍ଜ୍ୱଳତର ଦିଗପ୍ରତି ଦୃଷ୍ଟି ଆକର୍ଷଣ କରିଛନ୍ତି ।

 

ଉଜ୍ଜ୍ୱଳତର ଦିଗ

 

ଜନସାଧାରଣଙ୍କ ସହିତ ଯୋଗସ୍ଥାପନ କରିବାର ମାଧ୍ୟମ (Mass media) ରୂପେ ଚଳଚ୍ଚିତ୍ର, ବେତାର କିମ୍ୱା ଟେଲିଭିଜନ୍‌ ଯେ ଲେଖକ ସକାଶେ ବିସ୍ତୁତତର କ୍ଷେତ୍ର ପ୍ରସ୍ତୁତ କରିଛି ଏବଂ ରେଡ଼ିଓରେ ପ୍ରଚାରିତ ଅତି ଉତ୍କୃଷ୍ଟ ସାହିତ୍ୟର ସୃଷ୍ଟି ମଧ୍ୟ ସମ୍ଭବପର ହୋଇପାରିଛି, ତାହାର ଉଦାହରଣ ଦେଇ ସମ୍ପାଦକ ସୂଚାଇଛନ୍ତି ଯେ, ଚଳିଚ୍ଚିତ୍ର ଏବଂ ଟେଲିଭିଜନ ଜରିଆରେ ମଧ୍ୟ ଉଚ୍ଚ ସାହିତ୍ୟ ସୃଷ୍ଟିର ସମ୍ଭାବନା ଅଳ୍ପ ନୁହେଁ । ଏହିରୂପ ବୈଜ୍ଞାନିକ ମାଧ୍ୟମଗୁଡ଼ିକର ଯନ୍ତ୍ରଚାଳକ ଅପେକ୍ଷା ଲେଖକର ସ୍ଥାନ ସବୁବେଳେ ଉଚ୍ଚତର ହେବାର ଆଶା କରିବା ବିଡ଼ମ୍ୱନା । ଲେଖକ ପକ୍ଷରେ ମଧ୍ୟ ଏହିସବୁ ନୂତନ ମାଧ୍ୟମ ସାହିତ୍ୟରେ ରଚନା ପରିବେଷଣର ଅଭିଜ୍ଞତା ଶିକ୍ଷା କରିବା ଉଚିତ । ନବାବିଷ୍କୃତ ଯାନ୍ତ୍ରିକ ମାଧ୍ୟମଗୁଡ଼ିକ ସଙ୍ଗେ ପୂର୍ଣ୍ଣ ସହଯୋଗ କରିବାର ଆଗ୍ରତ ଲେଖକ ଭିତରେ ଜାଗ୍ରତ ନ ହେଲେ ସେ ପଛକୁ ପଡ଼ିଯିବ ସିନା ! ଆଜି କୌଣସି ବକ୍ତା ମାଇକ୍‌ ଆଗରେ ଭାଷଣ ଦେବାକୁ ଅନିଚ୍ଛା ପ୍ରକାଶ କରିବାର ଅର୍ଥ ଯାହା, ଏହି ସକଳ ମାଧ୍ୟମରୁ ଲେଖକ ନିଜକୁ ଦୂରରେ ରଖିବାର ଅର୍ଥ ତାହାହିଁ । ବରଂ ସେସବୁ ମାଧ୍ୟମର ଯନ୍ତ୍ରଚାଳକମାନଙ୍କ ସହିତ ଲେଖକ ସହଯୋଗ ସ୍ଥାପନ କରି ତାହାର କଳା-କୌଶଳ ଆୟତ୍ତ କରିବା ନିଜ ପକ୍ଷରେ ତଥା ସମାଜ ପକ୍ଷରେ ଶ୍ରେୟସ୍କର ବୋଲି ସମ୍ପାଦକ ମତ ପ୍ରକାଶ କରିଛନ୍ତି ।

 

ପତ୍ରପତ୍ରିକାରେ ଯେଉଁସବୁ ଉପନ୍ୟାସ ପ୍ରକାଶିତ ହୁଏ, ସମ୍ୱାଦମୂଳକ ହେଲେହେଁ; ସେଥିମଧ୍ୟରୁ ଏକାଧିକ ରଚନା ଉଚ୍ଚାଙ୍ଗ ସାହିତ୍ୟ ବୋଲି ସମ୍ପାଦକଙ୍କର ମତ । ପୁଣି ସମାଜର ଚିରାଚରିତ ନୀତି-ନିୟମ ବିରୁଦ୍ଧରେ ପ୍ରତି ଲେଖକ ଯେ ପ୍ରଶ୍ନ କରିବା ସ୍ୱାଭାବିକ, ଏହା ସେ ସ୍ୱୀକାର କରନ୍ତି ନାହିଁ । ଏହି ରୁଗ୍‌ଣ ଦୁର୍ବଳ ଯୁଗରେ ସମାଜ ଯେତେବେଳେ ତାହାର ନୀତି-ନିୟମ ଓ ମୂଲ୍ୟ ବିଷୟରେ ସନ୍ଦିହାନ, ସେତେବେଳେ ତାହାର ପାରମ୍ପରିକ ମର୍ଯ୍ୟାଦା ଉପରେ ପ୍ରତିଷ୍ଠିତ ସେହି ନୀତିନିୟମମାନଙ୍କର ନୂତନ ଯୁଗୋପଯୋଗୀ ସଂଜ୍ଞା ସ୍ଥିର କରିଦେବା ଲେଖକର ପ୍ରଧାନ କର୍ତ୍ତବ୍ୟ ହେବା ଉଚିତ ନୁହେଁ କି ? ‘ଟାଇମସ୍‌’ ପତ୍ରିକାର ସମ୍ପାଦକ ଏହି ଦିଗଉପରେ ସବୁଠାରୁ ବେଶି ଗୁରୁତ୍ୱାରୋପ କରିଛନ୍ତି ।

Image

 

ସ୍ୱାତନ୍ତ୍ର୍ୟ ସଙ୍ଗେ ମୌଳିକତା

 

ଲେଖକର ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପର୍କରେ ଲଣ୍ଡନ ‘ଟାଇମସ୍‌’ ପତ୍ରିକାର ସମୟୋପଯୋଗୀ ଇଙ୍ଗିତ ସଙ୍ଗେ ଭାରତୀୟ ଲେଖକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁଙ୍କର ମନ୍ତବ୍ୟ ତୁଳନା କରାଯାଇପାରେ । ପ୍ରଚଳିତ ସାମାଜିକ ସଂସ୍ଥା ଓ ପଦ୍ଧତିଗୁଡ଼ିକ ଉପରେ ଲେଖକ କେବଳ ଆକ୍ରମଣ ନକରି ସମାଜର ନୂତନ ମୂଲ୍ୟ ଓ ସଂଜ୍ଞା ସ୍ଥିରୀକରଣ ଲାଗି ସମାଜକୁ ସାହାଯ୍ୟ କରିବା ଉଚିତ, ସେ ସମ୍ୱନ୍ଧରେ ଉଭୟ ମତର ସାମଞ୍ଜସ୍ୟ ଦେଖାଯାଏ । ଏହି କାର୍ଯ୍ୟରେ ଲେଖକ ଏବଂ ସରକାର ମଧ୍ୟରେ ଦୃଢ଼ ସହଯୋଗ ପ୍ରତିଷ୍ଠିତ ହେବା ବାଞ୍ଛନୀୟ; ଉଭୟ ହିଁ ଏ କଥାରେ ସମ୍ପୂର୍ଣ୍ଣ ଏକମତ ।

 

ସରକାରୀ ଉଦ୍ୟମ

 

ସରକାର ଏବଂ ଲେଖକ ମଧ୍ୟରେ ସହଯୋଗ ପ୍ରତିଷ୍ଠା ଲାଗି ଏବେ ଭାରତରେ ଯେପରି ‘ସାହିତ୍ୟ ଏକାଡେମୀ’ ଗଠନ କରାଯାଇଛି, ଇଂଲଣ୍ଡରେ ସେହିପରି କେତେକ ବର୍ଷ ପୂର୍ବରୁ ସରକାରୀ ଉଦ୍ୟମ ହୋଇଥିବାର ସୂଚନା ମିଳେ । ଆମେରିକାରେ ମଧ୍ୟ ଆହୁରି ଅନେକ ଆଗରୁ ଶିକ୍ଷାବିଭାଗ ଜରିଆରେ ଲେଖକମାନଙ୍କ ସହିତ ଘନିଷ୍ଠତର ଯୋଗ ସ୍ଥାପନ କରାଯାଇଛି ଏବଂ ଶିକ୍ଷାକ୍ଷେତ୍ର ଓ ସାହିତ୍ୟକ୍ଷେତ୍ର ମଧ୍ୟରେ ବ୍ୟବଧାନ ବହୁ ପରିମାଣରେ ଦୂର ହୋଇପାରିଛି ।

 

ଇଂଲଣ୍ଡରେ ଏହିରୂପ ସରକାର–ପ୍ରବର୍ତ୍ତିତ କମିଟି (Arts Council Committee) ବା ଅନୁଷ୍ଠାନମାନଙ୍କଠାରୁ ଲେଖକ ନ୍ୟାୟ ବିଚାର ଲାଭ କରି ପୁରସ୍କୃତ ହେବା ସମ୍ୱନ୍ଧରେ ଶ୍ରୀ ପ୍ରିଷ୍ଟ୍‌ଲି ଯେଉଁ ସନ୍ଦେହ ଓ ଆକ୍ଷେପ ପ୍ରକାଶ କରିଛନ୍ତି, ତାହା ଅମୂଳକ ବୋଲି ‘ଟାଇମ୍‌ସ’ ପତ୍ରିକା କେତେକ ଯୁକ୍ତିପୂର୍ଣ୍ଣ ପ୍ରମାଣ ବାଢ଼ି କହିଛନ୍ତି ଯେ, ବର୍ତ୍ତମାନ ପରିସ୍ଥିତିରେ କୌଣସି କୃତୀ ସାହିତ୍ୟିକ ପ୍ରଚଳିତ ସାମାଜିକ ସଂସ୍ଥାର କେବଳ ସମାଲୋଚନା କରିବା ସମୀଚୀନ ବୋଧହୁଏ ନାହିଁ: ‘‘In a sick age, in a society indeed desperately uncertain about What its accepted values are, is it not perhaps rather the duty of the writer to help society to define its values, to reassert traditional decencies ?’’

 

ଅର୍ଥାତ୍‌ ‘‘ଏଇ ଦୁର୍ବଳ ପୀଡ଼ିତ ଯୁଗରେ ସମାଜ ଯେତେବେଳେ ଯଥାର୍ଥରେ ସ୍ୱୀୟ ପ୍ରଚଳିତ ପ୍ରାଚୀନ ପଦ୍ଧତିଗୁଡ଼ିକର ମୂଲ୍ୟ ନିର୍ଦ୍ଧାରଣ ସମ୍ୱନ୍ଧରେ ଏକ ନୈରାଶ୍ୟମୟ ଅନିଶ୍ଚୟତା ମଧ୍ୟରେ ପଡ଼ିଛି, ସେତେବେଳେ ବରଂ ସମାଜକୁ ତାହାର ମୂଲ୍ୟ ନିର୍ଦ୍ଧାରଣ କୌଳିକ ମର୍ଯ୍ୟାଦାଗୁଡ଼ିକ ପୁନଃପ୍ରତିଷ୍ଠା ଦିଗରେ ସାହାଯ୍ୟ କରିବାହିଁ ଲେଖକର କର୍ତ୍ତବ୍ୟ ବୋଲି ବୋଧହୁଏ ନାହିଁ କି ?’’

 

ଅଭାବ, ଅଭିଯୋଗ, ଅଭିଜ୍ଞତା

 

‘ଟାଇମ୍‌ସ’ ପତ୍ରିକାର ମତାମତ ସଙ୍ଗେ ଶ୍ରୀ ପ୍ରିଷ୍ଟଲିଙ୍କ ମତାମତକୁ ଓଜନ କଲେ ମଧ୍ୟ ଦୁଇଟିଯାକର ଗୁରୁତ୍ୱ ଉପଲବ୍‌ଧ ହୋଇଥାଏ । ‘ଟାଇମସ୍‌’ ପତ୍ରିକାର ସମ୍ପାଦକ ଲେଖକଠାରୁ ଯାହା ଆଶା କରନ୍ତି ଅଥବା ତାହାର କର୍ତ୍ତବ୍ୟ ବୋଲି ଯାହା ବିଚାରନ୍ତି, ଶ୍ରୀ ପ୍ରିଷ୍ଟଲି ଯେ ତାହା ବିଚାରୁନଥିବେ, ଏ କଥା କୁହାଯାଇନପାରେ । ମାତ୍ର ସ୍ୱୟଂ ଲେଖନୀକୁ ଜୀବନ ଓ ଜୀବିକାର ଏକମାତ୍ର ପ୍ରଧାନ ସମ୍ୱଳ–ରୂପେ ଗ୍ରହଣ କରିଥିବା ଶ୍ରୀ ପ୍ରିଷ୍ଟଲି ଲେଖକର ଅଭାବ, ଅଭିଯୋଗ ଓ ଅଭିଜ୍ଞତା ସହିତ ଯେତେ ବେଶି ପରିଚିତ, ସେହି ଦୃଷ୍ଟିରୁ ତାଙ୍କୁ ମତାମତର ସ୍ୱତନ୍ତ୍ର ମୂଲ୍ୟ ଅବଶ୍ୟ ଅଛି ।

 

ତାହାଙ୍କ ଯୁକ୍ତିର ଅସଲ ଭିତ୍ତି ହେଉଛି, ଆଧୁନିକ ସମାଜରେ ଲେଖକର ସ୍ଥାନ ଅତ୍ୟନ୍ତ ଅନିଶ୍ଚିତ, ଅବମାନିକ ଓ ଅବହେଳିତ । ପୁଣି ସେଇ ସ୍ଥାନକୁ ନିର୍ଦ୍ଦିଷ୍ଟ କରିବାପାଇଁ ଯେଉଁ ପରିମାଣରେ ସରକାରୀ ଉଦ୍ୟମ ହେଉଛି, ତାହା ଏତେ ଅକିଞ୍ଚିତ୍‌ କର ଏବଂ ସାହିତ୍ୟର ବାହନ କିମ୍ୱା ଉପାଦାନଗୁଡ଼ିକ ଏପରି ଦ୍ରୁତ ପରିବର୍ତ୍ତନଶୀଳ ଯେ ଉତ୍କୃଷ୍ଟ ଶ୍ରେଣୀର ସାହିତ୍ୟ ସୃଷ୍ଟି ଲାଗି ତହିଁରୁ ଅତ୍ୟଳ୍ପ ଉତ୍ସାହ ମିଳିଥାଏ । ଏହିରୂପ ଅବସ୍ଥାରେ ରହି ଲେଖକ ଯେ, ସମାଜର ପୁନର୍ଗଠନ କ୍ରିୟାରେ ଆଶାନୁରୂପ ସାହାର୍ଯ୍ୟ କରିପାରିବ, ସେ ସମ୍ପର୍କରେ ଶ୍ରୀ ପ୍ରିଷ୍ଟଲି ସନ୍ଦିହାନ ହୋଇପଡ଼ିଛନ୍ତି-। ଅହରହ ପରିବର୍ତ୍ତିତ ପରିସ୍ଥିତିରେ ପଡ଼ିଥିବା ସମାଜ ପାଇଁ ନୂତନ ସଂଜ୍ଞା ନିରୂପଣ କରିବାକୁ ହେଲେ ଲେଖକ ପକ୍ଷରେ ଯେଉଁ ଅବସର ଓ ଚିନ୍ତାର ପ୍ରୟୋଜନ, ତାହା ଯେ ଆଜି ଦୁଷ୍ପ୍ରାପ୍ୟ ଶ୍ରୀ ପ୍ରିଷ୍ଟଲିଙ୍କର ଏଇ ଅଭିଯୋଗର ଜବାବ ତାଙ୍କରିଠାରୁ ହିଁ ମିଳିବ ବୋଲି ‘ଟାଇମସ୍‌’ ପତ୍ରିକା ସୂଚାଇଦେଇ ଲେଖକକୁ ଏକ ନାଚାର ଅବସ୍ଥାରେ ପକାଇଛନ୍ତି ମାତ୍ର ।

 

ସାହିତ୍ୟ ଓ ରାଜନୀତି

 

ଇଂରାଜୀ ସାହିତ୍ୟ ଭଳି ଭାରତୀୟ ସାହିତ୍ୟରେ ଲେଖକର ଜୀବନଧାରଣ ସମସ୍ୟା ବୋଧହୁଏ ଖୁବ୍‌ ବେଶି ଉତ୍କଟ ନୁହେଁ । କାରଣ ସାହିତ୍ୟକୁ ଏକମାତ୍ର ସମ୍ୱଳରୂପେ ଗ୍ରହଣ କରିଥିବା ଲେଖକମାନଙ୍କ ସଂଖ୍ୟା ଏଠାରେ ଅତି କମ୍‌ । ତଥାପି ଏତଦ୍ଦେଶୀୟ ସାହିତ୍ୟର ଭବିଷ୍ୟତ ଉନ୍ନତି ଚିନ୍ତା କଲାବେଳେ ଏ ସମସ୍ତ ଦିଗ ବିଚାର କରିବା ବାଞ୍ଛନୀୟ । ଆଉ ଗୋଟିଏ କଥା, ଏହି ବିଚାରରୁ ସୁସ୍ପଷ୍ଟ ହୋଇପଡ଼େ ଯେ– ରାଷ୍ଟ୍ର, ସମାଜ କିମ୍ୱା ରଜନୀତିରୁ ସାହିତ୍ୟକୁ ବିଚ୍ଛିନ୍ନ କରିବା ଅର୍ଥ ଦେହରୁ ପ୍ରାଣକୁ ଅଲଗା କଲାଭଳି ହୋଇଥାଏ । ରାଷ୍ଟ୍ର, ସମାଜ କିମ୍ୱା ରାଜନୀତି ସମ୍ମତ ନ ହୋଇ କୌଣସି ସାହିତ୍ୟ କେବେହେଲେ ତିଷ୍ଠିନାହିଁ କିମ୍ୱା ତିଷ୍ଠିପାରିବ ନାହିଁ ।

 

ସମାଜ ବା ରାଜନୀତି ସହିତ ସମାନ୍ତରାଳଭାବରେ ହିଁ ସାହିତ୍ୟର ଗତି । ତେଣୁ ସାମାଜିକ ଅଥବା ରାଜନୈତିକ ସମସ୍ୟାଗୁଡ଼ିକ ସଙ୍ଗେ ଅନ୍ୟମାନଙ୍କ ଭଳି ଲେଖକର ସମସ୍ୟା ମଧ୍ୟ ଜଡ଼ିତ । ତାହାର ସମାଧାନ କେବଳ ଲେଖକ ହାତରେ ନାହିଁ । ପୁଣି ରାଜନୀତିର ରୂପ ଆଜି ଦେଶଭେଦରେ ବିଭିନ୍ନ ଆକାର ଧାରଣ କରିଛି । ଇଂଲଣ୍ଡର ରାଜନୀତି ତାହାର ପଡ଼ୋଶୀ ଦେଶ ଫ୍ରାନ୍‌ସଠାରୁ ମଧ୍ୟ କେତେ ଅଂଶରେ ପୃଥକ୍‌ । ସେହିପରି ଆମେରିକାର ରାଜନୀତି ରୁଷ କିମ୍ୱା ଚୀନରେ ଖୋଜିଲେ ମିଳେନାହିଁ । ପୁଣି ଭାରତୀୟ ସମାଜ କିମ୍ୱା ରାଜନୀତି ଆଉ ସମସ୍ତଙ୍କଠାରୁ ସ୍ୱତନ୍ତ୍ର ।

 

ସାହିତ୍ୟିକ ସ୍ୱାତନ୍ତ୍ର୍ୟ

 

ଭାରତୀୟ ସାହିତ୍ୟରେ ଏହି ସ୍ୱାତନ୍ତ୍ର୍ୟ ନଫୁଟିଲେ ତାହାର ମୌଳିକତା ରକ୍ଷା ହେବନାହିଁ-। ଆଞ୍ଚଳିକ ସାହିତ୍ୟରୂପେ ଓଡ଼ିଶା ସାହିତ୍ୟ ମଧ୍ୟରେ ଉତ୍କଳୀୟ ସାମାଜିକ ଚିନ୍ତା ଓ ଚିତ୍ରର ସ୍ୱାତନ୍ତ୍ର୍ୟ ପରିସ୍ଫୁଟ ହେବା ମଧ୍ୟ ଏହି କାରଣରୁ ଆବଶ୍ୟକ । ଆମ୍ଭମାନଙ୍କର ଆଧୁନିକ ଓଡ଼ିଆ ସାହିତ୍ୟରେ ଯେଉଁ ସକଳ ଚିନ୍ତା ଓ ଚିତ୍ରଣ ଦେଖାଯାଏ, ତହିଁରେ ଆମର ଜାତୀୟ ପାରମ୍ପରିକ ସ୍ୱାତନ୍ତ୍ର୍ୟ କେତେଦୂର ସୁରକ୍ଷିତ ହୋଇଛି ? ଯେତେ ଯେତେ ନୂଆ ପତ୍ରପତ୍ରିକା ଓ ଗ୍ରନ୍ଥ ଆକାରରେ ଓଡ଼ିଆ ସାହିତ୍ୟର ପ୍ରକାଶ ଆଜି ସମ୍ଭବପର ହେଉଛି, ସେସବୁ ଭିତରେ ଏହି ସ୍ୱାତନ୍ତ୍ର୍ୟର ସନ୍ଧାନ କରିବାକୁ ହେବ; ପୁଣି ତାହାର ସମୃଦ୍ଧି ଓ ସୁରକ୍ଷା ଲାଗି ଯେତେପ୍ରକାର ଉପାୟ ଅଛି, ସେଥିମଧ୍ୟରୁ ଗୋଟିକୁ ସୁଦ୍ଧା ବାଦ୍‌ଦେଲେ ଚଳିବ ନାହିଁ । ସେଥି ସଙ୍ଗେ ଯେଉଁ ସ୍ତୂପୀକୃତ ଅବାଞ୍ଛିତ ସାହିତ୍ୟ ସମାଜର ଘୃଣ୍ୟ କଳଙ୍କରୂପେ ଦିନକୁ ଦିନ ବୃଦ୍ଧି ପାଉଛି ଏବଂ ପ୍ରେମ ନାମରେ ନଗ୍ନ ଯୌନଚର୍ଚ୍ଚା ଓ ଭକ୍ତି ନାମରେ ଭଣ୍ଡତାର ପ୍ରଶ୍ରୟ ଦେଉଛି, ସେଗୁଡ଼ିକର ବର୍ଜନ ଲାଗି ସମସ୍ତ ପ୍ରକାର ଉପାୟ ଅବଲମ୍ବନ କରିବାକୁ ହେବ ।

Image

 

ସମାଜ, ରାଷ୍ଟ୍ର ଓ ଲେଖକ

 

ସମାଜରେ ଲେଖକର ସ୍ଥାନ କେଉଁଠି ଏବଂ ଆଧୁନିକ ସାହିତ୍ୟରେ ଉପଜୀବ୍ୟ ବିଷୟ କ’ଣ ଓ କ’ଣ ହେବା ଉଚିତ ଇତ୍ୟାଦି କଥା ଆଲୋଚନା କଲାବେଳେ ପୁଣି ସମାଜ ଓ ରାଷ୍ଟ୍ର ସଙ୍ଗେ ସାହିତ୍ୟର ସମ୍ପର୍କ ଭାବିଲାବେଳେ ଉନ୍ନତ ତ ଭାରିତୀୟ ସାହିତ୍ୟର ସମସ୍ୟାମାନ ପ୍ରାୟ ସମାନ ପ୍ରକାର ମନେହୋଇଥାଏ । ସମାଜ କିମ୍ବା ରାଷ୍ଟ୍ର ବିରୁଦ୍ଧରେ ଆଧୁନିକ ଇଂରାଜୀ ଲେଖକର ଯେଉଁ ଅଭିଯୋଗ, ଭାରତୀୟ ଲେଖକର ମଧ୍ୟ ଅଳ୍ପ ବହୁତ ସେହି ସବୁ ଅଭିଯୋଗ ଅଛି ।

 

ଆନୁଷ୍ଠାନିକ ସାର୍ଥକତା

 

ସର୍ବଦୌ ସମାଜରେ ଲେଖକର ସ୍ଥାନ ନିର୍ଣ୍ଣୟ ଓ ତିଷ୍ଠିରହିବାର ଉପାୟ ବିଚାର ନ କରି ‘ଟାଇମସ୍‌’ ପତ୍ରିକାର ସମ୍ପାଦକ ଉପସ୍ଥିତ ପରିବର୍ତ୍ତିତ ପରିସ୍ଥିତିରେ ସମାଜର ନୂତନ ମୂଲ୍ୟ ଓ ନୂତନ ସଂଜ୍ଞା ନିର୍ଦ୍ଧାରଣ କରିବାର ଦାୟିତ୍ୱ ଲେଖକ ଉପରେ ପକାଇଦେବା ଅର୍ଥ ଯାହ, ବୁଡ଼ିମଲା ଲୋକ ମୁହଁରୁ ଘରକରଣା ଚର୍ଚ୍ଚା । ଶୁଣିବାକୁ ଆଶା କରିବା ପ୍ରାୟ ତାହାହିଁ ବୋଲି ମନେହୋଇଥାଏ । ପୁଣି ବୁଡ଼ିମରୁଥିବା ଲେଖକ ତଥା ସାହିତ୍ୟକୁ ଉଦ୍ଧାର କରିବାଲାଗି ଏକ ଅନୁକୂଳ ବାତାବରଣ ସୃଷ୍ଟି କରିବା ରାଷ୍ଟର କର୍ତ୍ତବ୍ୟ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନେହେରୁ ଯାହା ସୂଚାଇଛନ୍ତି, ସେଭଳି ବାତାବରଣର ଆକାର–ପ୍ରକାର କ’ଣ ହେବା ଉଚିତ ? ତାହା କେବଳ ସାହିତ୍ୟ ଏକାଡେମୀ ପରି ଅନୁଷ୍ଠାନମାନ ସୃଷ୍ଟି କଲେ ସମ୍ଭବପର ହେବ କିମ୍ୱା ସେଥିସଙ୍ଗେ ଅନ୍ୟାନ୍ୟ ଉତ୍ସାହଜନକ ଉପାୟ ଅନୁସରଣ କରିବାକୁ ପଡ଼ିବ ? ପୁଣି ସେସବୁ ଉପାୟ କ’ଣ, ବା କିଏ ତାହାର ଯୋଜନା ପ୍ରସ୍ତୁତ କରିବେ ?

 

ସାହିତ୍ୟ ଏକାଡେମୀର ଉଦ୍ଦେଶ୍ୟ, ଲକ୍ଷ୍ୟ କିମ୍ୱା ପରିସର ଅବଶ୍ୟ ଯେତେଦୂର ବିସ୍ତୃତ, କାଳକ୍ରମେ ଉକ୍ତ ଅନୁଷ୍ଠାନ ଯଥେଷ୍ଟ ଶକ୍ତିଶାଳୀ ହେବାର ସମ୍ଭାବନା ପ୍ରଚୁର ଅଛି । ମାତ୍ର କୌଣସି ଅନୁଷ୍ଠାନ ତ ବ୍ୟକ୍ତିକୁ ଛାଡ଼ି ତିଷ୍ଠି ନାହିଁ ! ସାମାଜିକ ଚେତନା ସଙ୍ଗେ ବ୍ୟକ୍ତିତ୍ୱର ବିଶିଷ୍ଟତା ବୃଦ୍ଧି ଲାଭ କଲେ ଅନୁଷ୍ଠାନଗୁଡ଼ିକ ପ୍ରାଣବନ୍ତ, ସଚଳ ଓ ଶକ୍ତିଶାଳୀ ହୋଇଥାଏ । ସାହିତ୍ୟ ଏକାଡେମୀର ସାର୍ଥକତା ଏହାର ଉପରେ ହିଁ ନିର୍ଭର କରୁଅଛି ।

 

ବ୍ୟକ୍ତିତ୍ୱର ବିକାଶ

 

ବ୍ୟକ୍ତିତ୍ୱର ବିକାଶ ବା ବ୍ୟକ୍ତି–ସ୍ୱାତନ୍ତ୍ର୍ୟ ହିଁ ସାହିତ୍ୟ–ଶିଳ୍ପକଳାର ସର୍ବବ୍ୟାପୀ ପ୍ରଶସ୍ତି ଓ ଉନ୍ନତି ଲାଗି ଯେ ଏକାନ୍ତ ପ୍ରୟୋଜନ; ପୁଣି ସମାଜ ବା ରାଷ୍ଟ୍ରସୀମା ମଧ୍ୟରେ ଗଠିତ ଓ ବର୍ଦ୍ଧିତ ହେଲେହେଁ ତାକୁ ଉତ୍ତୀର୍ଣ୍ଣ ହେବାର ସାମର୍ଥ୍ୟ ଲାଭ କରି ସେହି ବ୍ୟକ୍ତିତ୍ୱର ପ୍ରତିଷ୍ଠା ଯେ ବଢ଼ିଥାଏ, ଏହା ଏକ ସାଧାରଣ ଧାରଣା । ବ୍ୟକ୍ତିତ୍ୱ ଯେଉଁଠି କ୍ଷୁଣ୍ଣ ହୋଇପଡ଼େ, କଳା–ସାହିତ୍ୟର ସ୍ୱାତନ୍ତ୍ର୍ୟ ସେଠାରେ ଫୁଟିପାରେ ନାହିଁ । କାରଣ ଶିଳ୍ପୀ, କବି କିମ୍ୱା ସାହିତ୍ୟିକର ସ୍ୱତନ୍ତ୍ର୍ୟ ପ୍ରତିବିମ୍ୱ ତାହାର ସୃଷ୍ଟି ମଧ୍ୟରେ ବିକଶିତ ହେବା ସ୍ୱାଭାବିକ । ଏହାକୁ କୌଣସି ସାମାଜିକ କିମ୍ବା ରାଷ୍ଟ୍ରୀୟ ଆଇନକାନୁନ ବଳରେ ନିୟନ୍ତ୍ରିତ କରିବାର ଉଦ୍ୟମ ହେଲେ ଅବା ଏକ ରାଜନୈତିକ ଅସ୍ତ୍ରରୂପେ ସାହିତ୍ୟକୁ ବ୍ୟବହାର କରିବା ଅଭିପ୍ରାୟ ଥିଲେ, ତାହାର ଫଳ ହୁଏତ ପ୍ରଚାରମୂଳକ ନିର୍ଜୀବ ରସଶୂନ୍ୟ ତଥାକଥିତ ବାସ୍ତବ ସାହିତ୍ୟ ସୃଷ୍ଟିରେ ପର୍ଯ୍ୟବସିତ ହୁଏ ଅଥବା ବ୍ୟକ୍ତିତ୍ୱର ବିକାଶ ବଦଳରେ କଳା–ସାହିତ୍ୟ ଏତେଦୂର ଅଧୋଗାମୀ ହୋଇପଡ଼େ ଯେ, ଶେଷରେ କୁତ୍ସା କିମ୍ୱା ଅଶ୍ଳୀଳତା ଭିତରେ ବୁଡ଼ିମରିବା ବ୍ୟତୀତ ତାହାର ଅନ୍ୟ ପନ୍ଥା ରହେନାହିଁ । ଆମ ଓଡ଼ିଆ ସାହିତ୍ୟରେ ଏହିଭଳି ଅଶୋଭନୀୟ ଓ ଶୋଚନୀୟ ଦୃଷ୍ଟାନ୍ତ ଦୈନନ୍ଦିନ ଆଖିଆଗରେ ନାଚୁଛି । ସେସବୁ ଦୃଷ୍ଟାନ୍ତର ସଂଖ୍ୟା ଯେପରି ଦ୍ରୁତଗତିରେ ବଢ଼ିଚାଲିଛି, ବିଶେଷତଃ କେହି କେହି ସୁପରିଚିତ କବି ଏବଂ ଔପନ୍ୟାସିକ ମଧ୍ୟ ନିଜ ରଚନାକୁ ଅଶ୍ଳୀଳ କରିବା ସକାଶେ ଯେପରି ଉତ୍ସାହିତ, ପୁଣି ପ୍ରାଚୀନ କବିମାନଙ୍କ କାବ୍ୟରସ ଆଲୋଚନା ଛଳରେ ଯୁବକ ଛାତ୍ରର ଚିତ୍ତକୁ ସହଜରେ ଯେପରି ଏଥିପ୍ରତି ଆକର୍ଷଣ କରାଯାଉଛି ଏବଂ ନାରୀପୁରୁଷଙ୍କ ସାଧାରଣ ସଭାରେ ଶୃଙ୍ଗାର ରସ ଉପଭୋଗ କରିବାର ଉଦ୍ୟମ ହେଉଛି, ତାହାକୁ ବିଶ୍ଳେଷଣ କରି ଦେଖାଇବା ଯେକୌଣସି ସ୍ଥଳିତ ବ୍ୟଭିଚାରୀ ପାଠକ ପକ୍ଷରେ ସୁଦ୍ଧା ଲଜ୍ଜାକର ।

 

ଅଧଃପତନ

 

ସାମାଜିକ ରୁଚିର ଏହି ରୂପ ଅଧଃପତନ ଫଳରେ ଆଧୁନିକ ଓଡ଼ିଆ ରଚନାମାନଙ୍କ ମଧ୍ୟରୁ ସୁପାଠ୍ୟ ସତ୍‌ସାହିତ୍ୟ ନିରୂପଣ କରିବା ଏକପ୍ରକାର ଅସମ୍ଭବ ହୋଇଉଠିଲାଣି କହିଲେ ଏକଦେଶଦର୍ଶିତା ହେବନାହିଁ । ଅତି ବିକାସ କିମ୍ବା ଅତି ଦାରିଦ୍ର୍ୟ ହିଁ ଏହି ଅସ୍ୱାଭାବିକ ପରିସ୍ଥିତିର ହେତୁ ହୋଇପାରେ । ଓଡ଼ିଶାରେ ଅବଶ୍ୟ ଶେଷୋକ୍ତ କାରଣଟି ବେଶି ଖଟିବ ବୋଲି ଅନେକେ ଏକମତ ହେବେ । ଦାରିଦ୍ର୍ୟ ଦୂର କରିବାକୁ ଯଦି ସାହିତ୍ୟ ରଚିତ ହୁଏ, ତେବେ ତାହା ପ୍ରଚାର–ମୂଳକ କିମ୍ୱା ଉଦ୍ଦେଶ୍ୟମୂଳକ ହେବାକୁ ବାଧ୍ୟ । ଆଉ ଯଦି ଦାରିଦ୍ର୍ୟକୁ ପାସୋରିଦେବାଦ୍ୱାରା ତହିଁରୁ ନିଷ୍କୃତି ମିଳେ, ତେବେ ଯୌନ-ସ୍ୱପ୍ନ ବା ଅଶ୍ଳୀଳ ସାହିତ୍ୟ ସୃଷ୍ଟିରେ ତାହାର ପରିଣତି ଘଟେ । ଜାତିର ଦୁଃଖଦୈନ୍ୟ ଘୁଞ୍ଚାଇବାକୁ ହେଲେ ଉନ୍ନତିକର ଯୋଜନାଗୁଡ଼ିକୁ ସଫଳ କରିବା ଉଦ୍ଦେଶ୍ୟରେ ବାସ୍ତବ ସାହିତ୍ୟ ଗଢ଼ିବାକୁ ହେବ; ନଚେତ୍‌ ଶୃଙ୍ଗାର କିମ୍ୱା ଆଧ୍ୟାତ୍ମିକ ରସରେ ନିମଜ୍ଜିତ ହୋଇ ଉପସ୍ଥିତ ଦୁଃଖ–ଅଭାବଗୁଡ଼ିକୁ ଭୁଲିଯିବାକୁ ହେବ; ଆଧୁନିକ ଓଡ଼ିଆ ସାହିତ୍ୟ ଏହି ଦୁଇଟି ପନ୍ଥାରୁ ଶେଷୋକ୍ତ ପନ୍ଥାକୁ ହିଁ ସହଜ ଓ ସୁଖକର ବୋଲି ଗ୍ରହଣ କରିନେଇଛି ପରା !

 

କେବଳ ଓଡ଼ିଆ ସାହିତ୍ୟ ନୁହେଁ, ପୃଥିବୀ ସାହିତ୍ୟରେ ମଧ୍ୟ ଅଳ୍ପ ବେଶି ଏହି ଅବସ୍ଥା ଉପୁଜିଛି । ବିଳାସପ୍ରିୟ ଆମେରିକାର ସାହିତ୍ୟ ସଙ୍ଗେ ନୂତନ ରାଷ୍ଟ୍ରଗଠନରେ ବ୍ୟାପୃତ ରୁଷୀୟ କିମ୍ୱା ଚୀନ ସାହିତ୍ୟର ତୁଳନା କଲେ କଥାଟି ସ୍ପଷ୍ଟତର ହୋଇଉଠେ । ଓଡ଼ିଶା ପକ୍ଷରେ ଅତି ଦାରିଦ୍ର୍ୟ ଭଳି ଆମେରିକାର ଅତି ବିଳାସ ମଧ୍ୟ ଆଜି ସେ ଦେଶ ସାହିତ୍ୟକୁ ଅଶ୍ଳୀଳତା ଦୋଷରେ କଳୁଷିତ କରେ । ଅନ୍ୟ ପକ୍ଷରେ ରୁଷୀୟ ବା ଚୀନ ସାହିତ୍ୟରେ ପ୍ରଚାରମୂଳକ ଉଦ୍ୟମ ହିଁ ଅଧିକ ପରିସ୍ଫୁଟ ।

 

ଉନ୍ନତ ଓ ବିଶାଳ ଆମେରିକା ସାହିତ୍ୟର ଆଧୁନିକ ଗତିଧାରା ଉପରେ ହଠାତ୍‌ ଅଶ୍ଳୀଳ ବୋଲି ମତବ୍ୟକ୍ତ କରିଦେବା କିମ୍ୱା ରୁଷ ଓ ଚୀନ ସାହିତ୍ୟକୁ ନିପଟ ପ୍ରଚାରମୂଳକ କହିଦେବା ଅବଶ୍ୟ ଖୁବ୍‌ ଦୁଃସାହସିକ କର୍ମ; ଏପରିକି ଆଧୁନିକ ଓଡ଼ିଆ ସାହିତ୍ୟକୁ ମଧ୍ୟ ପୂରାପୂରି ଅଶ୍ଳୀଳ ବୋଲାଯାଇ ନପାରେ । କେବଳ କେଉଁ ସାହିତ୍ୟରେ କିଭଳି ଲକ୍ଷଣମାନ ଅଧିକ ପରିସ୍ଫୁଟ, ତାହାର ମୋଟାମୋଟି ଅନୁମାନ କଲେ ଏଇ କଥା ପ୍ରତୀତ ହୋଇଥାଏ । ନଚେତ୍‌ ପ୍ରାଚୀନ–କାଳରୁ ଆଜିପର୍ଯ୍ୟନ୍ତ ଇଂଲଣ୍ଡ, ଆମେରିକା, ରୁଷ୍‌, ଫ୍ରାନ୍‌ସ, ଜର୍ମାନୀ, ଇଟାଲି, ସ୍ପେନ୍‌, ସୁଇଡ଼େନ୍‌ ଆଦି ଦେଶ ସମୂହର ବିଶ୍ୱସାହିତ୍ୟକୁ ଅମୂଲ୍ୟ ଦାନ ଅନସ୍ୱୀକାର୍ଯ୍ୟ ।

 

ଆମେରିକାର ସାହିତ୍ୟ

 

ଆମେରିକାର ଆଧୁନିକ ଯାନ୍ତ୍ରିକ ସଭ୍ୟତା ଯେପରି ବିଜ୍ଞାନସିଦ୍ଧ ଓ ବିଳାସପ୍ରିୟ ହୋଇଛି, ତଦନୁରୂପ ତାହାର ସାହିତ୍ୟ ମଧ୍ୟ ବ୍ୟବସାୟାତ୍ମିକ ହୋଇପଡ଼ିଥିଲେହେଁ ଏବଂ ଅନାବଶ୍ୟକ ଆବର୍ଜନାର ସ୍ତୂପ ବୃଦ୍ଧି ଲାଭ କରୁଥିଲେହେଁ ଯେଉଁ ସାହିତ୍ୟକୁ ଇମର୍ସନ୍‌ଙ୍କ ଭଳି ଶ୍ରେଷ୍ଠ ଭାବୁକ, ଲଂ ଫେଲୋ ଏବଂ ଓୟାଲଟ୍‌ ହୁଇଟ୍‌ମ୍ୟାନଙ୍କ ଭଳି ଶ୍ରେଷ୍ଠ କବି, ବିଚର୍‌ଷ୍ଟୋ, ମାର୍କଟ୍ୱେନ୍‌ଓ ହେନ୍‌ରି, ଥିଓଡର୍‌ହେ ସାର, ସିନେକ୍ଳୟାର, ଲଇସ୍‌, ଅପ୍‌ଟନ ସିନ୍‌କ୍ଳେୟାର, ପର୍ଲ ବକ୍‌, ହେମିଙ୍ଗ୍‌ଓୟେ ଏବଂ ଫକନାରଙ୍କ ସଦୃଶ ଶ୍ରେଷ୍ଠ ଔପନ୍ୟାସିକ ଓ ଗଳ୍ପ ଲେଖକଗଣ ଗଠନ କରିଛନ୍ତି ଯେଉଁ ସାହିତ୍ୟରେ ଇଉଜିନ୍‌ଓ–ନେଲ୍‌ଙ୍କ ଭଳି ମନସ୍ତାତ୍ତ୍ୱିକ ନାଟ୍ୟକାର ଜନ୍ମିଛନ୍ତି, ବିଶ୍ୱର ବାଣୀମନ୍ଦିରରେ ସେ ସାହିତ୍ୟର ସ୍ଥାନ ପ୍ରଥମ ଶ୍ରେଣୀରେ ହିଁ ନିର୍ଦ୍ଦିଷ୍ଟ ହୋଇସାରିଛି ।

 

ବିଚର୍‌ଷ୍ଟୋଙ୍କର ‘ଟମକକାଙ୍କ କୁଟୀର’, ପାର୍ଲ ବକ୍‌ଙ୍କ ‘ଗୁଡ୍‌ଆର୍ଥ ଏବଂ ଓ’ ହେନ୍‌ରିଙ୍କର କ୍ଷୁଦ୍ରଗଳ୍ପ ଆଦି ଆମେରିକାର କେତେକ ପ୍ରସିଦ୍ଧ ରଚନା ଓଡ଼ିଆରେ ଅନୂଦିତ ହୋଇଛି ଏବଂ ଓଡ଼ିଆ ପାଠକମାନଙ୍କର ଆମେରିକା ସାହିତ୍ୟର ବିଶିଷ୍ଟତା ଓ ଚିନ୍ତାଧାରା ସହିତ ଅଳ୍ପ ବେଶି ପରିଚୟ ଘଟିଛି । ସବୁ ସାହିତ୍ୟରେ ଆବିଳତା ଯେପରି ଦୃଷ୍ଟ ହୁଏ, ଆମେରିକାର ନିକୃଷ୍ଟ ଶ୍ରେଣୀୟ ସାହିତ୍ୟସଂଖ୍ୟା ତଦ୍‌ପେକ୍ଷା ଅଧିକ ହେଲେହେଁ କଳଙ୍କର ପ୍ରାଚୁର୍ଯ୍ୟ ହେତୁରୁ ସେ ସାହିତ୍ୟର ଔଜ୍ଜ୍ୱଲ୍ୟ ହ୍ରାସ ପାଇନାହିଁ । ଆଜି ମଧ୍ୟ ସକଳ ପ୍ରକାର ଉଚ୍ଚ ଚିନ୍ତାର ସୃଷ୍ଟି ଲାଗି ଆମେରିକା ସାହିତ୍ୟର କ୍ଷେତ୍ର ପ୍ରଶସ୍ତତର ଏବଂ ଉଦାରତର ହୋଇ ରହିଛି ।

 

ନିଗ୍ରୋ ଏବଂ ଚୀନ

 

ଊନବିଂଶ ଶତାବ୍ଦୀ ବିଚାର୍‌ଷ୍ଟୋ ଆମେରିକାରେ କଳା–ଗୋରା ଭେଦ ଏବଂ ନିଗ୍ରୋ ଦାସମାନଙ୍କ ପ୍ରତି ସେ ଦେଶର ଗୋରା ମାଲିକମାନଙ୍କ ମର୍ମନ୍ତୁଦ ଅତ୍ୟାଚାର କାହାଣୀ ‘ଟମ କକାଙ୍କ କୁଟୀର’ରେ ପରିବେଷଣ କରି ଯେଉଁ ଗଭୀର ସହାନୁଭୂତିର ପରିଚୟ ଦେଇଛନ୍ତି, ତାହା ସେ ଜାତିର ସାହିତ୍ୟକୁ ଚିରକାଳ ଜୀବନ୍ତ କରି ରଖିବ । ଆଜି ମଧ୍ୟ ଆମେରିକାରେ ଗୋରା–କଳା କିମ୍ବା ହଜୁର ମଜୁର ଭେଦଭାବ ଯେତେ ତୀବ୍ର ଓ ଯେତେ ଉଗ୍ର ହୋଇପଡ଼ିଛି, ଅଥବା ନୂତନ ରାଜନୈତିକ ସଂଜ୍ଞା ଘେନି ଯେତେ ଶ୍ରେଣୀସଂଘର୍ଷ ଦେଖାଦେଇଛି, ଆମେରିକାର ଶ୍ରେଷ୍ଠ ସାହିତ୍ୟ ସବୁରି ଊର୍ଦ୍ଧ୍ୱରେ ନିଜ ସ୍ଥାନକୁ ବାଛିନେଇ ଜାତୀୟ ସମସ୍ୟାଗୁଡ଼ିକର ସମାଧାନ ଖୋଜିବାକୁ ପଛେଇ ନାହିଁ । ଊନବିଂଶ ଶତାବ୍ଦୀରେ ଶ୍ରୀମତି ବିଚର୍‌ଷ୍ଟୋ ଯେପରି କଦାକାର ଆଦିମ ନିଗ୍ରୋଜୀବନର ମହତ୍ତ୍ୱ ଆବିଷ୍କାର କରିଛନ୍ତି, ସେହିପରି ବଂଶ ଶତାବ୍ଦିରେ ଶ୍ରୀମତି ପାର୍ଲ ବକ୍‌ ମଧ୍ୟ ଆମେରିକାର ବର୍ତ୍ତମାନ ଅନ୍ୟତମ ପ୍ରଧାନ ଶତ୍ରୁ ଚୀନ ଦେଶର କୃଷକ ଜୀବନରେ ଦେବତାର ସନ୍ଧାନ ପାଇଛନ୍ତି । * ଅଥଚ ସାମାଜିକ କ୍ଷେତ୍ରରେ ଦେଶ ଭିତରର ନିଗ୍ରୋମାନଙ୍କଠାରୁ ଏବଂ ରାଜନୀତି କ୍ଷେତ୍ରରେ ଦେଶ ବାହାରର ଚୀନ–ଜାତିଠାରୁ ଆମେରିକା ଆଜି ନିଜକୁ ଦୂରରେ ରଖିବାକୁ ଲୋଡ଼େ । ସାହିତ୍ୟରେ ଏହି ଦୂରତାକୁ ଘୁଞ୍ଚାଇ ଦେବାର ଉଦ୍ୟମ ହୋଇଛି ।

 

*ଅବଶ୍ୟ ଏଇ ଲେଖା ‘‘ସମାଜ’’ ପତ୍ରିକା ୪।୯।୧୯୫୪ ସାପ୍ତାହିକ ସଂଖ୍ୟାରେ ପ୍ରକାଶିତ ହେବା ପରେ ଏବେ ୧୯୬୨ରେ ପୁସ୍ତକ ଆକାର ଘେନିଲା–ବେଳକୁ ଆମେରିକା (‘Politics makes strangers bedfelows’) ନୀତିରେ ଚୀନର ପରମ ବନ୍ଧୁ ଆଜି ହୋଇପଡ଼ିଲାଣି ତ !

 

ସାହିତ୍ୟରେ ସମାଧାନ

 

ଦୂରକୁ ନିକଟ ଏବଂ ପରକୁ ବନ୍ଧୁ କରିବାଲାଗି ଆମେରିକା–ସାହିତ୍ୟରେ ଏଇ ଦୁଇଜଣ ବିଶ୍ୱବିଖ୍ୟାତ ନାରୀ ଲେଖିକା ଯେଉଁ ସଫଳ ଉଦ୍ୟମ କରିଛନ୍ତି, ସେଥିଯୋଗୁଁ ସେ ଦୁହେଁ ନମସ୍ୟା । ଉଭୟ ଲେଖିକା ଅବଶ୍ୟ ଧର୍ମଯାଜକ ପରିବାରରେ ଜନ୍ମି ସେହି ବେଷ୍ଟନୀରେ ହିଁ ବିବାହ ଏବଂ ସଂସାର କରିଛନ୍ତି । ତେଣୁ ଉଭୟଙ୍କ ରଚନା ଧର୍ମଭାବ–ପ୍ରସୂତ । ପୁଣି ବିଚର୍‌ଷ୍ଟୋ ନିଗ୍ରୋଜୀବନର ଚାକ୍ଷୁଷ ସମ୍ପର୍କରେ ଯେପରି ଆସିଥିଲେ, ତାହାର ଦୁଃଖ, ଦୈନ୍ୟ ଅଭାବ ସହିତ ଯେପରି ଘନିଷ୍ଠ ଭାବରେ ପରିଚିତ ହୋଇଥିଲେ; ସେହି ରୂପେ ଶ୍ରୀମତି ପାର୍ଲ ବକ୍‌ନିଜ ଜୀବନର ଅଧିକାଂଶ ସମୟ ଚୀନ ଦେଶରେ ହିଁ ଅତିବାହିତ କରି ତାହାର କୃଷକ ବା ସମ୍ଭ୍ରାନ୍ତ ଧନିକସମାଜ ସଙ୍ଗେ ନିବିଡ଼ ସଂସ୍ପର୍ଶରେ ଆସିଛନ୍ତି ।

 

ଏହି କାରଣରୁ ଉଭୟ ଲେଖିକାଙ୍କର ରଚନା ଯେପରି ମାର୍ଜିତ ଓ ସୁରୁଚିପୂର୍ଣ୍ଣ, ସେତିକି ବାସ୍ତବ ଓ ପ୍ରାଣବନ୍ତ ହୋଇପାରିଛି । କୃଷ୍ଣବର୍ଣ୍ଣ ନିଗ୍ରୋ ଓ ହରିତ୍‌ବର୍ଣ୍ଣ ଚୀନବାସୀ ଯେ ମନୁଷ୍ୟ ଏବଂ ମନୁଷ୍ୟର ସ୍ନେହ, ପ୍ରେମ, ଦୟା, କ୍ଷମା, ଦୁଃଖ, ସୁଖର ଅନୁଭୂତି ଘେନି ଜୀବିତ; ପୁଣି ଶ୍ୱେତଜାତିଠାରୁ ସେମାନେ ଯେକୌଣସି ଗୁଣରେ ହୀନ ନୁହନ୍ତି, ସେହି ସତ୍ୟ ଫୁଟିଉଠିଛି ଶ୍ୱେତଜାତୀୟା ଲେଖିକା ଦୁହିଁଙ୍କ ଅନବଦ୍ୟ ଲେଖନୀରେ । ସାହିତ୍ୟର ଉଦାରତାକୁ ଆମେରିକାର ଶ୍ରେଷ୍ଠ ଲେଖକ–ଲେଖିକାମାନେ କଦାପି କ୍ଷୁଣ୍ଣ କରିନାହାନ୍ତି; ବରଂ ତାହାର ମର୍ଯ୍ୟାଦା ରକ୍ଷାଲାଗି ସେମାନେ ପ୍ରାଣପଣେ ଲଢ଼ି ବହୁ ଦୁଃଖକଷ୍ଟ ବରଣ କରିଛନ୍ତି ।

 

ଅବିଭାଜ୍ୟ ସମାଜ

 

ସାମାଜିକ କିମ୍ବା ରାଜନୈତିକ ଦ୍ୱନ୍ଦ୍ୱ ଓ ସଂଘର୍ଷରାଶି ଉପରେ ସାହିତ୍ୟ କିପରି ପରୋକ୍ଷଭାବରେ ସମାଧାନର ବଳିଷ୍ଠ ଉଦ୍ୟମ କରିପାରେ, ଆମେରିକାର ଏହି ପ୍ରସିଦ୍ଧ ନାରୀଲେଖିକା ଦୁହେଁ ତାହାର ଏକ ପ୍ରକୃଷ୍ଟ ପ୍ରମାଣ । ଶ୍ରେଣୀହୀନ, ବର୍ଣ୍ଣହୀନ କିମ୍ବା ଶୋଷଣହୀନ ସମାଜ ଗଠନଲାଗି ଏବଂ ପୃଥବୀମୟ ମାନବସମାଜକୁ ଏକ ଅଚ୍ଛେଦ୍ୟ ଅବିଭାଜ୍ୟ ଗୋଷ୍ଠୀରୂପେ ପ୍ରତିପନ୍ନ କରିବାକୁ ଆମେରିକାର ଏହି ଦୁଇ ବିଦୁଷୀ ନାରୀ ଯେଉଁ ସାହିତ୍ୟ ସୃଷ୍ଟି କରିଛନ୍ତି, ତାହା କେବଳ ସେହି ଦେଶର ଗର୍ବ ହୋଇ ରହିନାହିଁ । ଜଗତର କଲ୍ୟାଣସାଧନ ଯେ ସାହିତ୍ୟର ଅସଲ ମର୍ମ ଓ ଯଥାର୍ଥ ସ୍ୱଧର୍ମ, ସେହି ମହତ୍‌ ଆଦର୍ଶକୁ ହିଁ ତାହା ସର୍ବଥା ସମର୍ଥନ ଜଣାଇଛି ।

Image

 

Unknown

ସ୍ଥାୟିତ୍ୱ ବିଚାର

 

ମଣିଷ ମଣିଷ ଭିତରେ ଶ୍ରେଣୀଭେଦକୁ ଅଧିକ ବଢ଼ାଇଦେଇ ଶୋଷଣନୀତିକୁ ଟାଣୁଆ କରିବାକୁ ଯାଉଥିବାରୁ ସ୍ୱାର୍ଥସର୍ବସ୍ୱ, ଉତ୍କଟ ହଂସାବାଦୀ ଓ ଯୁଦ୍ଧଖୋର ବୋଲି ଆମେରିକା ଆଜି ବହୁମତରେ ନିନ୍ଦନୀୟ ହେଲେହେଁ ଯେଉଁ ଦେଶ ବିଚର୍‌ଷ୍ଟୋ ଓ ପର୍ଲ ବକ୍‌ଙ୍କୁ ଜନ୍ମଦେଇଛି, ଯାହାର ବିରାଟ ସଙ୍ଗୀତ ମୁଖରିତ ହୋଇଛି ଏକାଧିକ ଶ୍ରେଷ୍ଠ କବିଙ୍କ ରଚନାରେ ଯାହାର ଚରିତ୍ରଚିତ୍ରଣର ବୈଶିଷ୍ଟ୍ୟ ଫୁଟିଉଠିଛି ଦ୍ରୁତ ବର୍ଦ୍ଧିଷ୍ଣୁ ଉପନ୍ୟାସ, ନାଟକ, ଭ୍ରମଣବୃତ୍ତାନ୍ତ ଓ ଚିନ୍ତାଶୀଳ ରଚନାମାନଙ୍କରେ, ସେ ଦେଶର ସାହିତ୍ୟସାଧନାକୁ ଆହୁରି ଟିକିଏ ନିରେଖି ଦେଖିବା ଆବଶ୍ୟକ; ଆଉ ଟିକିଏ ଶ୍ରଦ୍ଧା, ସମ୍ମାନ ଓ ଉଦାରତା ସହିତ ସେ ସମାଜକୁ ବିଚାର କରିବାପାଇଁ ତାହାର ସାହିତ୍ୟ ହିଁ ବତାଇଦିଏ ନାହିଁ କି ?

 

ନୂଆ ଜଗତ

 

ପ୍ରାୟ ତିନିଶହ ବର୍ଷ ହେଲା ଇଂରେଜମାନେ ଆମେରିକାରେ ଉପନିବେଶ ସ୍ଥାପନ କରିଥିଲେହେଁ ସେ ଦେଶର ଇଂରାଜୀ ସାହିତ୍ୟର ସମୁନ୍ନତି ମାତ୍ର ଶହେବର୍ଷ ମଧ୍ୟରେ ଘଟିଛି; କାରଣ ଏହି ନୂଆ ଜଗତର ଆବିଷ୍କାର ପରେ ସେଠାରେ ସ୍ଥାୟୀ ଭାବରେ ଉପନିବେଶ ସ୍ଥାପନ ସକାଶେ ଇଂରେଜ ଜାତିକୁ ଯେଉଁ ସକଳ ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡ଼ିଥିଲା, ସେସବୁର ଦୂରୀକରଣ ଲାଗି ଦୁଇଶତ ବର୍ଷ ଅତିବାହିତ ହୋଇଯାଇଥିଲା । ଏହି ଦୁଇଶତ ବର୍ଷ ଆମେରିକା ସାହିତ୍ୟରେ ବିସ୍ତୀର୍ଣ୍ଣ ମରୁଭୂମି ବ୍ୟତୀତ ଆଉ କିଛି ଦେଖାଯାଏ ନାହିଁ; ଅଥଚ ଗତ ଶହେବର୍ଷ ଭିତରେ ଆମେରିକା ସାହିତ୍ୟର ଯେଉଁ ଅକଳ୍ପିତ କ୍ଷିପ୍ରଗତି ଘଟିଛି, ତାହା ଫଳରେ ସେ ନିଜର ସ୍ୱାତନ୍ତ୍ର୍ୟ ପ୍ରତିଷ୍ଠା କରି ପୈତୃକ ଇଂରାଜୀ ସାହିତ୍ୟ ସଙ୍ଗେ ମଧ୍ୟ ଟକ୍‌କର ଦେବାକୁ ଆଜି ଯୋଗ୍ୟ ହୋଇପାରିଛି ।

 

ବିଶ୍ୱସାହିତ୍ୟର ଇତିହାସରେ ଏହା ସାମାନ୍ୟ ଘଟଣା ନୁହେଁ । ଏହି ଘଟଣାରୁ ସ୍ୱଦେଶ ବାହାରେ ମଧ୍ୟ ଉପନିବେଶମାନଙ୍କରେ ଇଂରାଜୀ ଭାଷା ଓ ସାହିତ୍ୟର ପ୍ରଭାବ–ପ୍ରତିପତ୍ତି ଅନୁଭୂତ ହୋଇଥାଏ । ଆହୁରି ମଧ୍ୟ ଅନୁଭୂତ ହୋଇଥାଏ ଗୋଟିଏ ଭାଷା ଓ ଗୋଟିଏ ସାହିତ୍ୟର ସ୍ଥାନ କିମ୍ବା ଦେଶଭେଦର କିପରି ଅଳ୍ପକାଳ ମଧ୍ୟରେ ପୃଥକ ସ୍ୱତନ୍ତ୍ର ପ୍ରତିଷ୍ଠା କରିପାରିଛି, ଏକ ନୂଆ ଜଗତର ଅଧିବାସୀରୂପେ କିପରି ସେମାନଙ୍କର ପୃଥକ ଦୃଷ୍ଟିଭଙ୍ଗୀ ଓ ପୃଥକ୍‌ ଜୀବନଯାପନ ପ୍ରଣାଳୀ ସାହିତ୍ୟ–ମୁକୁରରେ ପ୍ରତିବିମ୍ବିତ ହୋଇଛି । ଏକ ଅପରିଚିତ ନୂଆ ପୃଥିବୀକୁ ଶକ୍ତି, ସାହସ, କୌଶଳ ଓ ବିଚକ୍ଷଣତା ବଳରେ ସେମାନେ ଯେପରି କରଗତ କରିଛନ୍ତି, ସାହିତ୍ୟ ମଧ୍ୟ ସେହିପରି ନବାଗତ ସମାଜ ଓ ଜୀବନର ବିଜୟ ଘୋଷଣା କରିଛି ।

 

ସ୍ଥାୟୀ ସାହିତ୍ୟ

 

ସପ୍ତଦଶ ଶତାବ୍ଦୀର ପ୍ରାରମ୍ଭ ଭାଗରେ ଇଂରେଜ ଶାସନପଦ୍ଧତି ଅନୁସାରେ ଆମେରିକାର ରାଜ୍ୟ ସକଳ ଶାସିତ ହୋଇଥିଲା; କିନ୍ତୁ ଊନବିଂଶ ଶତାବ୍ଦୀର ପ୍ରଥମ ଭାଗରେ ଅର୍ଥାତ୍‌ ଦୁଇଶହ ବର୍ଷ ପରେ ତାହାର ପ୍ରଥମ ଉଲ୍ଲେଖଯୋଗ୍ୟ ସ୍ଥାୟୀ ସାହିତ୍ୟ–ସୃଷ୍ଟିର ଆରମ୍ଭ । ୧୮୧୭ ଖ୍ରୀଷ୍ଟାବ୍ଦରେ ହିଁ ଆମେରିକା ଆଦିକବି ଉଇଲିୟମ କୁଲେନ, ବ୍ରିୟାନ୍ତଙ୍କର ପ୍ରତିଷ୍ଠିତ କବିତା ଏବଂ ବେଞ୍ଜାମିନ ଫ୍ରାଙ୍କଲିନ୍‌ଙ୍କର ପ୍ରଥମ ଗଦ୍ୟାକାରରେ ଆତ୍ମଚରିତ ପ୍ରକାଶିତ ହୁଏ । ସେତେବେଳେ ଓଡ଼ିଆ ସାହିତ୍ୟରେ ଅବଶ୍ୟ ପ୍ରାଚୀନ ଯୁଗର ଅବସାନ ଘଟିନାହିଁ । କବି ଯଦୁମଣି ଏବଂ କବିସୂର୍ଯ୍ୟଙ୍କ ପ୍ରତିଭା ବିକଶିତ ହେବାକୁ ଆହୁରି ହୁଏତ କେତେକ ବର୍ଷ ବିଳମ୍ବ ଅଛି; କାରଣ ପ୍ରାୟ ଏହି ସମୟରେ କିମ୍ବା ଏହାର ଅଳ୍ପ କେତେକ ବର୍ଷ ପୂର୍ବରୁ କବି ଯଦୁମଣି ଜନ୍ମଗ୍ରହଣ କରି ୧୮୬୫ ଖ୍ରୀଷ୍ଟାବ୍ଦରେ ପରଲୋକ ହୋଇଥିଲେ ଏବଂ ୧୮୬୮ ଖ୍ରୀଷ୍ଟାବ୍ଦରେ କବିସୂର୍ଯ୍ୟଙ୍କର ମୃତ୍ୟୁ ଘଟିଥିଲା ।

 

ସେତେବେଳେ ଇମର୍‌ସନ୍‌ଙ୍କ (୧୮୦୩–୧୮୮୨) ଚିନ୍ତାଶାଳୀ ପ୍ରବନ୍ଧାବଳୀ ବିଚର୍‌ଷ୍ଟୋଙ୍କ ‘ଟମକକାଙ୍କ କୁଟୀର’ (Uncle Tom’s Cabin–୧୮୫୨) ଆମେରିକା ସାହିତ୍ୟରେ ନବଚେତନା ଆଣିଥାଏ ଏବଂ ଲାଇଫ୍‌ଫେଲୋ (୧୮୦୭–୮୨) ଓ ବ୍ରିୟାନ୍ତଙ୍କ (୧୭୯୪–୧୮୭୮) ଧର୍ମ ବିଷୟକ କବିତା ମୁଖରିତ ହୋଇଉଠିଥାଏ । ଊନବିଂଶ ଶତାବ୍ଦୀରେ ଇଂଲଣ୍ଡର ଋଦ୍ଧିମନ୍ତ ସାହିତ୍ୟ ତଥା ଜର୍ମାନ, ଫ୍ରାନ୍‌ସ ଓ ରୁଷ ସାହିତ୍ୟର ବିପୁଳ ଅଭ୍ୟୁଦୟ ତୁଳନାରେ ଇଂରାଜୀ ସାହିତ୍ୟର ଏକ ‘ଶାଖା–ସମିତି’ ରୂପେ ମଧ୍ୟ ଆମେରିକା ସାହିତ୍ୟର ପ୍ରଶଂସନୀୟ ସମୃଦ୍ଧି ଘଟିଥିଲେହେଁ ଅଷ୍ଟ୍ରେଲିଆ କିମ୍ବା କାନାଡା ଆଦି ଉପନିବେଶମାନଙ୍କରେ ଇଂରାଜୀ ସାହିତ୍ୟ ସେତେଦୂର ସ୍ୱାତନ୍ତ୍ର୍ୟ ବା ସ୍ଥାୟୀ ପ୍ରତିଷ୍ଠା ଲାଭ କରିପାରିନାହିଁ ।

 

ଆଞ୍ଚଳିକ ଅଭ୍ୟୁତ୍‌ଥାନ୍‌

 

ସମସାମୟିକ ଭାରତୀୟ ସାହିତ୍ୟ ଉପରେ ଦୃଷ୍ଟିପାତ କଲେ ପୂର୍ବାଞ୍ଚଳରେ ବଙ୍ଗ ସାହିତ୍ୟର ସମ୍ୟକ୍‌ ଉନ୍ନତି ଘଟିଥିବାର ଜଣାଯାଏ । ଊନବିଂଶ ଶତାବ୍ଦୀର ମଧ୍ୟଭାଗରେ ମାଇକେଲ ମଧୁସୂଦନ ଦତ୍ତ (୧୮୨୪–୧୮୭୩) ଏବଂ ତାହାଙ୍କ ପରବର୍ତ୍ତୀ ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟ (୧୮୩୮–୧୮୯୩) ଯଥାକ୍ରମେ କବିତା ଓ ଉପନ୍ୟାସ କ୍ଷେତ୍ରରେ ଆଧୁନିକ ବଙ୍ଗ ସାହିତ୍ୟରେ ମୂଳପତ୍ତନ କରିଥିଲେ । ନାଟକ, ପ୍ରବନ୍ଧ, ଜୀବନୀ ଆଦି ବିଭିନ୍ନ ବିଭାଗରେ ବଙ୍ଗ ସାହିତ୍ୟ ନବଭାରତର ଆଲୋକସ୍ତମ୍ଭ ହୋଇଉଠିଲା । ସମାଜସଂସ୍କାର, ରାଜନୀତି ଓ ଧର୍ମସଂସ୍କାର ଆଦି କ୍ଷେତ୍ରରେ ମଧ୍ୟ ଏହାକୁ ବଙ୍ଗର ସ୍ୱର୍ଣ୍ଣଯୁଗ ବୋଲିଯାଇଥାଏ । ଇଂରେଜମାନଙ୍କର ଭାରତ–ଶାସନଗାଦି ଆରୋହଣ କରିବାର ପ୍ରାରମ୍ଭରେ ପାଶ୍ଚାତ୍ୟ ଶିକ୍ଷା–ସଭ୍ୟତା ସଙ୍ଗେ ଭାରତୀୟ ସଂସ୍କୃତି ଓ ସାହିତ୍ୟର ମିଳନ ତଥା ସ୍ୱାତନ୍ତ୍ର୍ୟ ପ୍ରତିଷ୍ଠା ଦିଗରେ ବଙ୍ଗ ହିଁ ହୋଇପଡ଼ିଥିଲା ଅଗ୍ରଣୀ ।

 

ଆମ୍ଭମାନଙ୍କର ଓଡ଼ିଆ ସାହିତ୍ୟ ଯଦୁମଣି ଏବଂ କବିସୂର୍ଯ୍ୟଙ୍କ ସ୍ୱରଲହରୀରେ ରସାପ୍ଳୁତ ହେଉଥିବା ବେଳେ ମାଇକେଲ ଓ ବଙ୍କିମ ପାଶ୍ଚାତ୍ୟ ରୀତିରେ କାବ୍ୟ ଉପନ୍ୟାସ ଲେଖିଲେଣି । ବଙ୍ଗଭାଷାର ପ୍ରଭାବ ମଧ୍ୟ ପଡ଼ୋଶୀ ରାଜ୍ୟମାନଙ୍କରେ ବ୍ୟାପିବାକୁ ଆରମ୍ଭ କଲାଣି । ଏହି ପ୍ରଭାବବଳରେ ୧୮୩୬ ଖ୍ରୀଷ୍ଟାବ୍ଦରେ ଆସାମ ରାଜ୍ୟରୁ ଅସମୀୟା ଭାଷାକୁ ସ୍କୁଲ–କଚେରିମାନଙ୍କରୁ ଉଠାଇଦେଇ ବଙ୍ଗ ଭାଷାର ପ୍ରଚଳନ କରାଯାଇଥିଲା । ତୁମୂଳ ଆନ୍ଦୋଳନ ଓ ଉଦ୍ୟମ ଫଳରେ ୧୮୮୨ ଖ୍ରୀଷ୍ଟାବ୍ଦରେ ଆସାମର ଶିକ୍ଷା ଓ ସରକାରୀ ଅନୁଷ୍ଠାନମାନଙ୍କରେ ଅସମୀୟାର ପୁନଃ ପ୍ରତିଷ୍ଠା ହୋଇଥିଲା ।

 

ଓଡ଼ିଶାର ସ୍କୁଲ–କଚେରିରୁ ମଧ୍ୟ ଓଡ଼ିଆଭାଷାକୁ ଉଠାଇଦେଇ ବଙ୍ଗଭାଷାର ପ୍ରଚଳନ ଲାଗି ଯେଉଁ ଉଦ୍ୟମ କରାଯାଇଥିଲା ଏବଂ ଉତ୍କଳର ବ୍ୟାସକବି ଫକୀରମୋହନ ପ୍ରମୁଖ ସାହିତ୍ୟରଥୀ ଓ ନେତୃସ୍ଥାନୀୟ ବ୍ୟକ୍ତିମାନଙ୍କ ପ୍ରବଳ ପ୍ରତିରୋଧ ସମକ୍ଷରେ ସେ ଉଦ୍ୟମ ସଫଳ ହୋଇପାରିଲା ନାହିଁ–ତାହାର ବିବରଣୀ ପାଠକ–ସାଧାରଣଙ୍କର ଅବିଦିତ ନୁହେଁ । ଗୁଜରାଟୀ, ମହାରାଷ୍ଟ୍ରୀ, ତେଲୁଗୁ, ତାମିଲ, କର୍ଣ୍ଣାଟୀ, ଓଡ଼ିଆ, ଅସମୀୟା ଓ ହିନ୍ଦୀ ପ୍ରଭୃତି ଆଞ୍ଚଳିକ ଭାଷା ବା ସାହିତ୍ୟମାନ ବଙ୍ଗସାହିତ୍ୟ ଅନୁରୂପ ପାଶ୍ଚାତ୍ୟ ରୀତିର ପ୍ରଭାବରେ ଆଧୁନିକ ବେଶ ଗ୍ରହଣ କରିଥିଲେ ଊନବିଂଶ ଶତାବ୍ଦୀର ମଧ୍ୟଭାଗ ଅଥବା ସିପାହୀ–ବିଦ୍ରୋହର (୧୮୫୭) ପରବର୍ତ୍ତୀ ସମୟରେ; ମାତ୍ର ସେମାନଙ୍କ ମଧ୍ୟରେ ବଙ୍ଗସାହିତ୍ୟର ଉଲ୍ଲେଖନୀୟ ଅଗ୍ରଗତିକୁ ସର୍ବାଦୌ ସ୍ୱୀକାର କରିବାକୁ ହେବ ।

 

ପ୍ରତ୍ୟେକ ଆଞ୍ଚଳିକ ସାହିତ୍ୟର ନବ ଉନ୍ମେଷ ମଧ୍ୟରେ ପାଶ୍ଚାତ୍ୟ ରୀତିର ଯେଉଁ ଧାରା ପ୍ରବାହିତ ହୋଇଆସିଛି–ଉପନ୍ୟାସ, ନାଟକ ଓ କବିତା ଆଦି ଯେଉଁ ଛାଞ୍ଚରେ ଢଳାଯାଇଛି, ବର୍ତ୍ତମାନ ଭାରତର ନୂତନ ପରିସ୍ଥିତିରେ ତାହାର ରୂପରେଖ କିମ୍ବା ଆଧେୟ, ଆଧାର ଓ ଆଙ୍ଗିକ କ’ଣ ଓ କିପରି ହେବ, ତାହାହିଁ ଆଜି ପ୍ରଧାନ ବିଚାର୍ଯ୍ୟ ବିଷୟ ।

Image

 

ସାହିତ୍ୟ ଓ ବିପ୍ଳବ

 

ବୈଦେଶିକ ପରାଧୀନତା ଜାତିପ୍ରାଣରେ ଯେଉଁ ପ୍ରତିକ୍ରିୟା ଆଣିଥାଏ, ଭାରତର ସିପାହୀ–ବିଦ୍ରୋହ ତାହାରି ଏକ ଆଗ୍ନେୟ ଉଦ୍‌ଗାର । ସେଥିଲାଗି ୧୮୫୭ ମସିହାକୁ ଭାରତୀୟ ସ୍ୱାଧୀନତାର ପ୍ରଥମ ସ୍ଫୁରଣ ବୋଲି ଆଜି ଜାତୀୟ ଇତିହାସ ବା ସ୍ୱାଧୀନତା ଆନ୍ଦୋଳନର ଇତିହାସରେ ଚିହ୍ନିତ କରାଯାଉଛି । ଇଂରେଜମାନେ ଏ ଦେଶରେ ଆସ୍ଥାନ ଜମାଇବାକୁ ଗଲାବେଳେ ତାହାର ଜ୍ୱଳନ୍ତ ପ୍ରତିରୋଧରୂପେ ଏଇ ବିଦ୍ରୋହର ସ୍ଫୋଟନ ଚତୁର୍ଦ୍ଦିଗରେ ବ୍ୟାପିଯାଇଥିଲା । ଏହାରି ଫଳ ହେଲା, ଜାତୀୟ କଂଗ୍ରେସ ଅନୁଷ୍ଠାନର ପ୍ରତିଷ୍ଠା; ଅର୍ଥାତ୍‌ ବିଦ୍ରୋହ ନକରି ବୈଧାନିକ (Constitutional) ବା ଆଇନସଙ୍ଗତ ଉପାୟରେ ଭାରତବାସୀ ନିଜର ଦାବି ଉପସ୍ଥାପନ କରିବାର ବ୍ୟବସ୍ଥା ଆଉ ଗୋଟିଏ ସିପାହୀ–ବିଦ୍ରୋହକୁ ଭବିଷ୍ୟତରେ ଏଡ଼ିଦେଇ ସ୍ୱଚ୍ଛନ୍ଦରେ ସୁଶାସନ କରିବା ଅଭିପ୍ରାୟରେ ଜଣେ ବିଚକ୍ଷଣ ଇଂରେଜଙ୍କ ଉଦ୍ୟମରେ ଏବଂ କତିପୟ ଶ୍ରେଷ୍ଠ ଭାରତବାସୀଙ୍କ ସାହଚର୍ଯ୍ୟ ଲାଭ କରି ଯେ ଜାତୀୟ କଂଗ୍ରେସ ଗଠିତ ହୋଇଥିଲା ଏବଂ ଭାରତବାସୀଙ୍କ ଧର୍ମ ଓ ସାମାଜିକ ପରମ୍ପରାକୁ ସମ୍ମାନ ଦେଖାଇ ଶାସନ କାର୍ଯ୍ୟ ପରିଚାଳିତ ହେବ ବୋଲି ମହାରାଣୀ ଭିକ୍‌ଟୋରିଆଙ୍କ ଘୋଷଣାରେ କୁହାଯାଇଥିଲା–ଏହିସବୁ ଘଟଣାରୁ ୧୮୫୭ ଖ୍ରୀଷ୍ଟାବ୍ଦର ସିପାହୀ–ବିଦ୍ରୋହର ଗୁରୁତ୍ୱ ବେଶ୍ ବୁଝାଯାଏ ।

 

ଅଭୂତପୂର୍ବ ଜାଗରଣ

 

ଭାରତର ଉଗ୍ର ଜାତୀୟତାବୋଧ ଜନ୍ମାଇ ଯେଉଁ ବୈପ୍ଳବିକ ଚିନ୍ତାଧାରା ଦେଶବ୍ୟାପୀ ଖେଳିଯାଇଥିଲା, ପ୍ରତ୍ୟେକ ପ୍ରାନ୍ତୀୟ ସାହିତ୍ୟରେ ମଧ୍ୟ ତାହା ଫୁଟିଉଠିଥିଲା ଏକ ଅଭୂତପୂର୍ବ ନବଜାଗରଣ ଆକାରରେ । ପ୍ରତି ଆଞ୍ଚଳିକ ସାହିତ୍ୟ ତାହାର ଉପମା–ଅଳଙ୍କାର ବହୁଳ ପ୍ରାଚୀନ ବେଶ ପରିତ୍ୟାଗ କରି ଜାତୀୟତା ଜାଗରଣର ସରଳ ସୈନିକ ବେଶ ପରିଗ୍ରହ କଲା । ଆକୁମାରୀ ହିମାଳୟ ପ୍ରତି ରାଜ୍ୟର ବାଣୀମନ୍ଦିର ଝଙ୍କୃତ ହୋଇଉଠିଲା, ନୂତନ ଜାତୀୟତା ଉଦ୍‌ବୋଧନର ସଙ୍ଗୀତରେ । ପୌରାଣିକ, ଐତିହାସିକ କିମ୍ବା ସାମାଜିକ ଆଦି ବିଭିନ୍ନ ବସ୍ତୁ ଉପରେ ଯେତେ କାବ୍ୟକବିତା ରଚିତ ହେଲା, ତାହା ମଧ୍ୟରେ ମୂଳ ଓ ମୁଖ୍ୟ ବସ୍ତୁ ହୋଇପଡ଼ିଲା, ନିରାଭରଣ ଜାତୀୟ ଆତ୍ମାର ସ୍ପନ୍ଦନ । ୧୮୫୭ର ସିପାହୀ ବିଦ୍ରୋହ ପରେ ହିଁ ବଙ୍ଗର ମାଇକେଲ ମଧୁସୂଦନ ‘ମେଘନାଦ ବଧ’ କାବ୍ୟ ରଚନା କରି ପୌରାଣିକ କଥା ମଧ୍ୟରୁ ଜାତୀୟ ଉଦ୍‌ବୋଧନର ସୂତ୍ରପାତ କଲେ ।

 

ତାହାପରେ ବଙ୍କିମଚନ୍ଦ୍ରଙ୍କ ‘ଆନନ୍ଦ ମଠ’ ଓ ‘ବନ୍ଦେ ମାତରମ୍‌’; ଓଡ଼ିଶାରେ ଫକୀରମୋହନ, ରାଧାନାଥ ଓ ମଧୁସୂଦନଙ୍କ ରଚନାବଳୀ; ଆସରାମରେ ଲକ୍ଷ୍ମୀନାଥ ବେଜବରୁଆ, ଚନ୍ଦ୍ର କୁମାର ଅଗ୍ରୱାଲା ଏବଂ ହେମଚନ୍ଦ୍ର ଗୋସ୍ୱାମୀଙ୍କ କବିତା ଓ ଉପନ୍ୟାସ; ଗୁଜରାଟୀରେ ସେହିପରି ନର୍ମଦାଶଙ୍କର ଓ ଦଳପତ୍‌ରାମ; ମରାଠୀରେ ଅଯୋଧ୍ୟା ସିଂହ ଉପାଧ୍ୟାୟ ଓ ତେଲୁଗୁରେ କଣ୍ଡୁକୁରି ଏବଂ କନ୍ନଡ଼ରେ କାରିବାସବ ଶାସ୍ତ୍ରୀ ପ୍ରଭୃତିଙ୍କ ରଚନା ସେହିସବୁ ସାହିତ୍ୟରେ ନବଚେତନା ଆଣିଦେଲା । ପ୍ରତି ଭାରତୀୟ ସାହିତ୍ୟ ନୂତନ ରୂପରେ ସଜ୍ଜିତ ହେଲା, ସିପାହୀ–ବିଦ୍ରୋହର ତୁମୂଳ ଆଘାତ ପରଠାରୁ ।

 

ଯଥାର୍ଥରେ ବିଚାର କଲେ, ଭାରତର ସବୁ ଆଞ୍ଚଳିକ ସାହିତ୍ୟ ଉପରେ ୧୮୫୭ ମସିହାଠାରୁ ଗୋଟିଏ ସଳଖ ଗାର ଟାଣିଦେଲେ ତାହାର ପୂର୍ବବର୍ତ୍ତୀ ସାହିତ୍ୟକୁ ପ୍ରାଚୀନ ଏବଂ ପରବର୍ତ୍ତୀ ସାହିତ୍ୟକୁ ନିର୍ଦ୍ୱନ୍ଦ୍ୱରେ ଆଧୁନିକ ଆଖ୍ୟା ଦିଆଯାଇପାରେ । ତେଣୁ ଆଧୁନିକ ଭାରତୀୟ ସାହିତ୍ୟକୁ ବିଚାର କରିବାକୁ ହେଲେ ପ୍ରତି ଆଞ୍ଚଳିକ ସାହିତ୍ୟର ଅଭ୍ୟୁଦୟକୁ ଏହି ସମୟରୁ ହିଁ ସ୍ୱତନ୍ତ୍ରଭାବରେ ବିଚାର କରିବା ବଞ୍ଛନୀୟ ।

 

ପରିଣତି

 

ଏ କଥା ଅବଶ୍ୟ ସ୍ୱୀକାର୍ଯ୍ୟ ଯେ, ସ୍ୱଧୀନତା ଆନ୍ଦୋଳନର ଇତିହାସ କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ସମୟରୁ ଅଥବା ସାମାନ୍ୟ କିଛି କାରଣରୁ ହିଁ ଆରମ୍ଭ ହୋଇନଥାଏ । ଏହା ମୂଳରେ ସୁଦୀର୍ଘ ଇତିହାସର ଅସଂଖ୍ୟ ଉପାଦାନ ନିହିତ । ସିପାହୀ–ବିଦ୍ରୋହକୁ ସେହି ଦୃଷ୍ଟିରୁ ହିଁ ବିଚାର କରିବାକୁ ପଡ଼ିବ । ଯୁଗ–ଯୁଗ ବ୍ୟାପୀ ବହୁ ବିଦ୍ରୋହାଗ୍ନୀର ବୀଜ ଏହାରି ଭିତରେ ଲୁକ୍‌କାୟିତ ଥିଲା; ଶେଷରେ ତାହା ‘ଝିମିଟି ଖେଳରୁ ମହାଭାରତ’ ପରି ଶିଖା ବିସ୍ତାର କରି ଜଳିଉଠିଥିଲା । ପୁଣି ଭବିଷ୍ୟତରେ ସିପାହୀ–ବିଦ୍ରୋହକୁ ଏଡ଼ିବାପାଇଁ ଯେଉଁ ଜାତୀୟ କଂଗ୍ରେସର ଉତ୍ପତ୍ତି ହୋଇଥିଲା, ତାହା ମଧ୍ୟ ବୈଧାନିକ ଉପାୟରେ ଦାବି ପୂରଣର ଉଦ୍ଦେଶ୍ୟ ଘେନି ଶେଷରେ ବିଦେଶୀ ଶାସନକୁ ସୁଦ୍ଧା ଦେଶରୁ ବହିଷ୍କାର କରିବାକୁ ସମର୍ଥ ହୋଇଥିଲା ସ୍ୱାଧୀନତା ଆନ୍ଦୋଳନର ଇତିହାସରେ ସିପାହୀ–ବିଦ୍ରୋହକୁ ପ୍ରଥମ ଅଧ୍ୟାୟରୂପେ ଗ୍ରହଣ କଲେ କଂଗ୍ରେସ ଅନୁଷ୍ଠାନକୁ ପରବର୍ତ୍ତୀ ଅଧ୍ୟାୟ ଓ ବିଦେଶୀ ବହିଷ୍କାର ଶେଷ ଅଧ୍ୟାୟରୂପେ ବିଚାର କରିବାକୁ ହେବ । ଆହୁରି ମଧ୍ୟ ଦେଖିବାକୁ ହେବ, ଏହି କାଳ ମଧ୍ୟରେ ରବୀନ୍ଦ୍ର ନାଥ, ଇକ୍‌ବଲ୍‌ ଓ ପ୍ରେମଚାନ୍ଦ ପ୍ରମୁଖ କବି ଓ ଔପନ୍ୟାସିକମାନଙ୍କ ଲେଖନୀରେ ଅଥବା ତାହାଙ୍କ ପରର୍ବତ୍ତୀ ବିଭିନ୍ନ ପ୍ରାନ୍ତର ଲେଖକଙ୍କ ରଚନାରେ ଜାତୀୟ ଉଦ୍‌ବୋଧନ ଓ ସଙ୍ଗଠନ ଲାଗି କି ପରିମାଣରେ ଖୋରାକ ମିଳେ ।

 

ସାହିତ୍ୟ ଖାମଖେଆଲୀ ନୁହେଁ

 

କହିବା ବାହୁଲ୍ୟ, ସାହିତ୍ୟ କେବଳ ଗୋଟାଏ ଖମଖେଆଲୀ ବସ୍ତୁ ନୁହେଁ । ଯେଉଁ ବସ୍ତୁ ମାନବସଭ୍ୟତାର ହୃତ୍‌ପିଣ୍ଡକୁ ନିର୍ମାଣ କରେ, ତାହାକୁ ଏକ କ୍ଷଣିକ ଉତ୍ତେଜନା, ଉନ୍ମାଦନା କିମ୍ବା ନାରୀପୁରୁଷର ରୂପ ଓ ବିରୂପ ବର୍ଣ୍ଣନାରେ ଆବଦ୍ଧ କରିବାର ଘୋର ଅପରାଧ ପ୍ରତ୍ୟେକ ଆଧୁନିକ ବିଚାରବନ୍ତ ସାହିତ୍ୟିକ ସ୍ୱୀକାର କରିବେ ।

 

ସିପାହୀ–ବିଦ୍ରୋହର ନବଚେତନାରୁ ହିଁ ଆଧୁନିକ ଭାରତୀୟ ସାହିତ୍ୟର ଉଦ୍ଭବ । ତାହା ପରେ ଅବଶ୍ୟ ଇଂରାଜୀ ଓ ଅନ୍ତର୍ଜାତୀୟ ସାହିତ୍ୟଦ୍ୱାରା ନାନାଭାବରେ ଏହା ପ୍ରଭାବିତ ହୋଇଛି । କ୍ଷୁଦ୍ର କବିତା, କ୍ଷୁଦ୍ର ଗଳ୍ପ, ଉପନ୍ୟାସ ଓ ନାଟକ, ଜୀବନୀ କିମ୍ବା ସମାଲୋଚନା ଆଦି କ୍ଷେତ୍ରରେ ଆଞ୍ଚଳିକ ସାହିତ୍ୟମାନଙ୍କରେ ଯେଉଁ ବିପୁଳ ଉନ୍ନତି ସମ୍ଭବପର ହୋଇଛି, ସେହି ବୈଦେଶିକ ପ୍ରଭାବ ହିଁ ତାହାର ଅବଶ୍ୟ ହେତୁ । ପୁଣି ମୁଦ୍ରାଯନ୍ତ୍ରର ପ୍ରବର୍ତ୍ତନ ସଙ୍ଗେ ସାମୟିକ ସାହିତ୍ୟ ପତ୍ରିକାର ପ୍ରଚଳନଦ୍ୱାରା ମଧ୍ୟ ବୈଦେଶିକ ରୀତିର ଅନୁସରଣ କରାଯାଇଛି । ଜାତୀୟ କଂଗ୍ରେସ ଅନୁଷ୍ଠାନର ଗଠନମୂଳରେ ଇଂରେଜଙ୍କ ଉଦ୍ୟମ ଯେପରି ଥିଲା, ସେହିପରି ପ୍ରାନ୍ତୀୟ ସାହିତ୍ୟମାନଙ୍କ ମୁଦ୍ରଣ ଓ ସାହିତ୍ୟ ପତ୍ରିକା ପ୍ରକାଶ ମୂଳରେ ମଧ୍ୟ ଖ୍ରୀଷ୍ଟିୟାନ ଧର୍ମଯାଜକମାନଙ୍କ ଉଦ୍ୟମ ସର୍ବତ୍ର ଲକ୍ଷିତ ହୁଏ ।

 

ପାଦ୍ରୀମାନେ କେବଳ ଓଡ଼ିଆରେ ‘‘ଜ୍ଞାନରୁଣ’’ ପତ୍ରିକା ପ୍ରକାଶ କରିନଥିଲେ, ଅସମୀୟା ଭାଷାରେ ‘‘ଅରୁଣୋଦୟ’’ ମଧ୍ୟ ସେହିମାନଙ୍କଦ୍ୱାରା ପ୍ରକାଶିତ ହୁଏ । ବଙ୍ଗଳା, ଗୁଜରାଟୀ, ତାମିଲ, କନ୍ନଡ଼, ମରାଠୀ, ହିନ୍ଦୀ ପ୍ରଭୃତି ଭାଷାର ମୁଦ୍ରଣରେ ସେହିମାନେ ହିଁ ଅଗ୍ରଣୀ ହୋଇଛନ୍ତି । ସେଥିଲାଗି ତାଙ୍କର ଯାହା କିଛି ସ୍ୱାର୍ଥ ଥାଉ କିମ୍ବା ଏହିପରି ନାନା କାରଣରୁ ଏବଂ ଇଂରାଜୀଭାଷାର ପ୍ରସାର ଯୋଗୁଁ ଆଧୁନିକ ଭାରତୀୟ ସାହିତ୍ୟ ଉପରେ ବୈଦେଶିକ ଛାପ ଯେତେ ବେଶି ପଡ଼ୁ ପଛେ ସ୍ୱଦେଶ ଓ ସ୍ୱଜାତିର ଉଦ୍‌ବୋଧନ ଦେବା ଦିଗରେ ଏହା କେବେହେଲେ ପଛେଇନାହିଁ ।

 

ସିପାହୀ–ବିଦ୍ରୋହର ପରବର୍ତ୍ତୀ ସାହିତ୍ୟ ଭଳି ସ୍ୱାଧୀନତାର ପରବର୍ତ୍ତୀ ସାହିତ୍ୟ ସ୍ୱତନ୍ତ୍ରଭାବରେ ବିଚାର୍ଯ୍ୟ । ଉପସ୍ଥିତ ସାହିତ୍ୟରୁ ଜାତୀୟ ଆନ୍ଦୋଳନ ଲାଗି ପ୍ରେରଣା ଲୋଡ଼ା ନୁହେଁ; ଲୋଡ଼ା ଜାତିର ଗଠନ ପାଇଁ ନୂତନ ଯୋଜନା ଓ ନୂତନ ଉପାଦାନ–ତାହାକୁ ପୃଥିବୀରେ ସୁସ୍ଥ, କର୍ମଠ, ଶକ୍ତିମନ୍ତ ଓ ସାହସୀ କରିବାଲାଗି ଆଉ ଏକ ନୂତନ ମନ୍ତ୍ରରେ ଦୀକ୍ଷାଦାନ ।

 

ସିପାହୀ–ବିଦ୍ରୋହ ପରଠାରୁ ଆରମ୍ଭ କରି ଏପର୍ଯ୍ୟନ୍ତ ଆମ ଓଡ଼ିଆ ସାହିତ୍ୟରେ ଅଥବା ଭାରତର ଅନ୍ୟାନ୍ୟ ପ୍ରାନ୍ତୀୟ ସାହିତ୍ୟରେ ଆଧୁନିକତାର ଯେଉଁ ବୀଜ ଅଙ୍କୁରିତ, ପଲ୍ଲବିତ ବା ପୁଷ୍ପିତ ହୋଇଉଠିଛି ଏବଂ ଭାରତୀୟ ସାହିତ୍ୟ ଉପରେ ଯେଉଁସବୁ ବୈଦେଶିକ ଛାଞ୍ଚ ଓ ଛାୟା ଖେଳିଯାଇଛି, ସେଗୁଡ଼ିକୁ ଆଜି ବାଛି ନିକାଶ କରିବା ଦୁଷ୍କର । ପଦ୍ୟରେ ଯେଭଳି ଅମିତ୍ରାକ୍ଷର, ଚତୁର୍ଦ୍ଦିଗପଦୀ ଏବଂ ନବ ନବ ବୈଦେଶିକ ଛନ୍ଦ ଅନୁକରଣରେ ଲିରିକ୍‌ବା ଗୀତ–କବିତାବଳୀର ପ୍ରଚୁର ରଚନାଦ୍ୱାରା ଆଧୁନିକ ସାହିତ୍ୟ ରସପୂର ହୋଇଉଠିଛି, ସେହିପରି ଗଦ୍ୟରେ ମଧ୍ୟ ଉପନ୍ୟାସ, କ୍ଷୁଦ୍ରଗଳ୍ପ, ନାଟକ, ଜୀବନୀ, ଭ୍ରମଣ–ବୃତ୍ତାନ୍ତ ପ୍ରଭୃତି ନାନା ବିଭାଗର ସୃଷ୍ଟି ଉକ୍ତ ବୈଦେଶିକ ରୀତିର ଅନୁସରଣରେ ହିଁ ନବ ନବ ରୂପରେ ଆତ୍ମପ୍ରକାଶ କରିଛି । ସାହିତ୍ୟର ଏହି ସକଳ ନୂତନ ଆଙ୍ଗିକକୁ ବିଦେଶ–ଆମଦାନି କହି ପରିତ୍ୟାଗ କରିବା ଆଜି ସ୍ୱାଧୀନତା ଲାଭ ପରେ ମଧ୍ୟ ଅସମ୍ଭବ । କାରଣ ତାହା କରିବାକୁ ଗଲେ ସ୍ୱାଧୀନତାର ଅର୍ଥ ସୁଦ୍ଧା କିଛି ହୁଏନାହିଁ ।

 

ବିଜାତୀୟ ପ୍ରମାଦ

 

ସିପାହୀ–ବିଦ୍ରୋହ ଯେଉଁ ତୁମୂଳ ଜାତୀୟ ପ୍ରେରଣା ସାହିତ୍ୟକୁ ଯୋଗାଇଥିଲା, ତାହାର ସ୍ଫୁରଣ ଯେ, କିଭଳି ଅଦ୍ଭୁତ ରୀତିରେ ବୈଦେଶିକ ସାହିତ୍ୟରେ ଆଙ୍ଗିକକୁ ଅବଲମ୍ବନ କରି ସମ୍ଭବପର ହେଲା, କି କାରଣରୁ ଏଇ ଐତିହାସିକ ଜାତୀୟ ଜାଗରଣ ବିଜାତୀୟ ଅଙ୍ଗ, ଭଙ୍ଗୀ, ଆଶ୍ରୟ ଓ ଚିନ୍ତାଧାରାକୁ ଅନୁସରଣ କରି ପ୍ରକାଶ ପାଇଲା, ବିଜ୍ଞ ପାଠକପକ୍ଷରେ ତାହା ଅନୁମାନ କରିବା କଠିନ ନୁହେଁ । ରାଷ୍ଟ୍ର, ସମାଜ, ଆଇନ, ପଦ୍ଧତି ଆଦି ସକଳ ବ୍ୟାପାରରେ ପୁଣି ଆହାର ବ୍ୟବହାର, ପୋଷାକ–ପରିଚ୍ଛଦ ଆଦି ସାଧାରଣ କ୍ଷେତ୍ରରେ ସୁଦ୍ଧା ପାଶ୍ଚାତ୍ୟ ଶିକ୍ଷା ସଂସ୍କୃତିର ବିଜୟ ଚିହ୍ନ ଫୁଟିଦିଶିଲା । ସାହିତ୍ୟ ଏଇ ସାମାଜିକ ବିବର୍ତ୍ତନର ପ୍ରତିବିମ୍ବ ନ ହୋଇ ଅନ୍ୟଥା ହେଲେ ସାହିତ୍ୟ ପଦବାଚ୍ୟ ହୁଅନ୍ତା ନାହିଁ ।

 

ସାହିତ୍ୟ ମଧ୍ୟ ସେହି ବୈଦେଶିକ ପୋଷାକ ଓ ଦ୍ରୁତ ଚଳଚ୍ଚିତ୍ରକୁ ଗ୍ରହଣ ନକରି ରହିନପାରେ । ଫଳତଃ ତାହାହିଁ ହୋଇଛି ଆଜି । ଶେଷରେ ଏହି ଅନୁକରଣପ୍ରିୟତା ଏତେ ବେଶି ଆମକୁ ଗ୍ରାସ କରିପକାଇଛି କିମ୍ବା ଏତେ ବେଶି ଆମର ସାଂସ୍କୃତିକ ପରାଜୟ ଘଟିଛି ଯେ, ଆମେ ‘ଉଷା’, ‘ଚନ୍ଦ୍ରଭାଗା’, ‘କେଦାରଗୌରୀ’ ଆଦି ବିଚିତ୍ର କାବ୍ୟ ସୃଷ୍ଟି କରିଛୁଁ; ନିର୍ବିକାର–ଚିତ୍ତରେ ଗ୍ରୀସୀୟ ପୁରାଣର ଉପଜୀବ୍ୟ ଗଳ୍ପାଦି ଗ୍ରହଣ କରି ନିର୍ମଳ ସତ୍ୟ ପ୍ରକାଶ କରିଛୁଁ ସ୍ୱଦେଶୀ ଚରିତ୍ରମାନଙ୍କ ମୁଖରେ ଖାଣ୍ଟି ବିଦେଶୀ ଇଂରାଜୀଭାଷାର ଉଚ୍ଚାରଣ କରି ବିଲାତୀ ଆଦବକାଇଦାରେ ସେମାନଙ୍କୁ ସଜାଇ ଆଜି ମଧ୍ୟ ଏଇ ଅବସ୍ଥାରୁ ଆମ ସମାଜ ଓ ସାହିତ୍ୟ କେତେଦୂର ମୁକ୍ତ ହୋଇଛି ଅଥବା ମୁକ୍ତ ହେବାକୁ ଯାଉଛି, ତାହା ଅବଶ୍ୟ ବିଚାର୍ଯ୍ୟ ।

 

ସାହିତ୍ୟର ଚେତାବନୀ

 

ବିପରୀତ ଦିଗପ୍ରତି ଦୃଷ୍ଟିଦେଲେ ଯେଉଁ ଚିତ୍ରଟି ଆଖିରେ ଭାସିଉଠେ, ତହିଁରୁ ସାହିତ୍ୟ ତାହାର କର୍ତ୍ତବ୍ୟରେ ସଂପୂର୍ଣ୍ଣ ଅବହେଳା କରିଛି ବୋଲି ମନେହୁଏ ନାହିଁ । ସମାଜ ବୈଦେଶିକ ରୀତିର ଅନ୍ଧ ଅନୁସରଣ କଲାବେଳେ ତାହାକୁ ଚେତାଇଦେବା ସକାଶେ ସାହିତ୍ୟ ତାହାର ଚିରାଚରିତ ଚାବୁକ ବ୍ୟବହାର କରିଛି । ଅମିତ୍ରାକ୍ଷରେ ‘ମହାଯାତ୍ରା’ରେ କିମ୍ବା ମିତ୍ରାକ୍ଷର ‘ଦରବାର’ରେ ଉପନ୍ୟାସ, ଗଳ୍ପ, କବିତା ଓ ବିଭିନ୍ନ ନାଟକରେ ଚେତାବନୀ ଶୁଣାଇବାକୁ ତାହା କେବେହେଲେ ଛାଡ଼ିନାହିଁ ।

 

ସିପାହୀ–ବିଦ୍ରୋହ ଏବଂ ତତ୍‌ପରବର୍ତ୍ତୀ ବଙ୍ଗ–ବ୍ୟବଚ୍ଛେଦ ଆନ୍ଦୋଳନର ପ୍ରଭାବରେ ମଧ୍ୟ ଜାତୀୟ ଲକ୍ଷ୍ୟ ଓ ଆଦର୍ଶର ବିଜାତୀୟ ଦୃଷ୍ଟିଭଙ୍ଗୀ ଯେ ବଦଳି ନଥିଲା, ପୁଣି ଆଜି ମଧ୍ୟ ବଦଳିବାକୁ ଯେ ଅନେକ ଦିଗରେ ବାକି ଅଛି–ବହୁତ ଆଗରୁ ଏସବୁ ଅସାବଧାନତା ଓ ଅଧୋଗତି ପାଇଁ ସାହିତ୍ୟ ବରାବର ସାବଧାନ କରିଆସିଛି । ଆଜି ମଧ୍ୟ ଯେ କରୁନାହିଁ, ତାହା ନୁହେଁ ।

 

ସାଧାରଣତଃ ଯେପରି ହୋଇଥାଏ–ଅଧିକାଂଶ ସ୍ଥଳରେ ଅବଶ୍ୟ ତାହା ଆତ୍ମବିସୃତ ହୋଇ ସମାଜକୁ ଉପଯୁକ୍ତ ନେତୃତ୍ୱ ଦେବାରେ ଅକ୍ଷମତା ପ୍ରଦର୍ଶନ କରିଛି । ହୀନ ଚରିତ୍ର ଓ ହୀନ ଆଦର୍ଶ ଅବଲମ୍ବନ କରି ଏବଂ ପାଶ୍ଚାତ୍ୟର ନିକୃଷ୍ଟ ଦୁର୍ଗୁଣକୁ ଗ୍ରହଣ କରି ଏ ଦେଶର ସାହିତ୍ୟ ନରକଦର୍ଶନରେ ନିମଜ୍ଜିତ ହୋଇଛି; ତଥାପି ତାହାର ଆତ୍ମମର୍ଯାଦା ଜ୍ଞାନ କ୍ଷୁଣ୍ଣ ହୋଇନାହିଁ ।

 

ଜାତୀୟ–ବିଜାତୀୟ–ଅନ୍ତର୍ଜାତୀୟ

 

ବିଜାତୀୟ ଅଙ୍ଗଭଙ୍ଗୀ ମଧ୍ୟରେ ଜାତୀୟ ଆତ୍ମାର ବିକାଶସାଧନ ଯେପରି ଆଧୁନିକ ସାହିତ୍ୟର ଏକ ପ୍ରତ୍ୟକ୍ଷ ଲକ୍ଷଣ ହୋଇପଡ଼ିଛି । ତାହା ଫଳରେ ଆମ୍ଭମାନଙ୍କ ପ୍ରାଚୀନ ତଥା ପ୍ରକୃତ ଜାତୀୟ ସାହିତ୍ୟର ରୀତି ଓ ଅଙ୍ଗଭରଣ ବହୁ ପରିମାଣରେ ଉପେକ୍ଷିତ ହୋଇଛି । ଅବଶ୍ୟ ପ୍ରାଚୀନ ଛାନ୍ଦ ଓ ବର୍ଣ୍ଣନାଯୁକ୍ତ କାବ୍ୟ–କବିତା ଏବେ ମଧ୍ୟ ରଚିତ ହୋଇଥିବାର ଦେଖାଯାଏ । ମାତ୍ର ତାହା ସଂଖ୍ୟାନୁପାତରେ ସ୍ୱଳ୍ପ ଓ ଗୁଣାନୁପାତରେ ନଗଣ୍ୟ । ଆମ୍ଭମାନଙ୍କ ଜାତୀୟ ସାହିତ୍ୟ ଯେଉଁଠାରେ ବିଜାତୀୟ ଦୋଷରେ ଅଭିଯୁକ୍ତ, ବିଦେଶୀ ଛାଞ୍ଚରେ ଢଳା ବୋଲି ଯେଉଁଠି ତାହା ବିରୁଦ୍ଧରେ ଆପତ୍ତି ଉଠେ, ଯଥାର୍ଥରେ ସେଠାରେ ଅନ୍ତର୍ଜାତୀୟ ଭାବଧାରାର ପ୍ରସାର ହୋଇଛି ।

 

ଆଧୁନିକ ପାଶ୍ଚାତ୍ୟ କବି–ସାହିତ୍ୟିକ ବୃନ୍ଦ ଭାରତୀୟ ବେଦ, ଉପନିଷଦ୍‌ କିମ୍ବା ବୁଦ୍ଧ ଚରିତ୍ରଦ୍ୱାରା ଯଦି ଅନୁପ୍ରାଣିତ ହୁଅନ୍ତି, ଭାରତୀୟ ସାହିତ୍ୟରେ ଯିଶୁ–ଚରିତ୍ର ବା ପାଶ୍ଚାତ୍ୟ ଦର୍ଶନର ମହତ୍ତ୍ୱ ଫୁଟିବା ସେହି କାରଣରୁ ବିଚିତ୍ର ନୁହେଁ । ସାହିତ୍ୟ ସଂସ୍କୃତିର ଚିରକାଳ ପରସ୍ପର ଆଦାନପ୍ରଦାନ ନୀତିକୁ କେହି କେବେ ବାଧା ଦେଇପାରିନାହିଁ । ଇଂରାଜୀ ସାହିତ୍ୟର ବର୍ତ୍ତମାନ ଶ୍ରେଷ୍ଠ କବି ଟି. ଏସ୍‌ଇଲିୟଟ କିମ୍ବା ଶ୍ରେଷ୍ଠ ଗଦ୍ୟ–ଲେଖକ ସୋମର୍‌ସେଟ୍‌ମୋମ୍‌ ସେମାନଙ୍କ କବିତା ତଥା ଉପନ୍ୟାସରେ ଉପନିଷଦ୍‌ ବା ଭାରତୀୟ ଦର୍ଶନ ବ୍ୟାଖ୍ୟା କରିଛନ୍ତି । ଆଧୁନିକ ଭାରତୀୟ ସାହିତ୍ୟର ଶ୍ରେଷ୍ଠ କବି ରବୀନ୍ଦ୍ରନାଥ ବା ଇକ୍‌ବଲ୍‌ଙ୍କ ଲେଖନୀରେ ସେହିପରି ପ୍ରାଚ୍ୟ–ପାଶ୍ଚାତ୍ୟର ସାଂସ୍କୃତିକ ମିଳନର ସ୍ୱର ଶୁଣାଯାଏ ।

 

ନୂତନ ଆଭିମୁଖ୍ୟ

 

ଆମ୍ଭମାନଙ୍କ ସାମାଜିକ ଓ ରାଷ୍ଟ୍ରୀୟ ସଂଗଠନ ମଧ୍ୟ ଠିକ୍‌ ସେହିପରି ଆନ୍ତର୍ଜାତିକ ରାଷ୍ଟ୍ର ସଂଗଠନଗୁଡ଼ିକୁ ଲକ୍ଷ୍ୟ କରି ଏବଂ ସେଥିମଧ୍ୟରୁ ଆବଶ୍ୟକୀୟ ଉପାଦାନ ଗ୍ରହଣ କରି ଶକ୍ତିଶାଳୀ ହୋଇଉଠୁଛି । ସେଥି ସଙ୍ଗେ ସଙ୍ଗେ ପ୍ରାଚୀନ ସାମାଜିକ ସଂସ୍ଥା ଖସିପଡ଼ୁଛି ଅଥବା ଆଧୁନିକ ବେଶରେ ପୁନର୍ଜନ୍ମ ଲାଭ କରୁଚି । ତେଣୁ ଅନ୍ତର୍ଜାତୀୟ ଭାବଧାରା ଜାତୀୟତାର ପରିପୂରକ ମାତ୍ର; ତାହାର ଅନ୍ତରାୟ ନୁହେଁ । ସେହି ଦୃଷ୍ଟିରୁ ବିଚାର କଲେ ଆଧୁନିକ ଓଡ଼ିଆ ସାହିତ୍ୟ ଯଦି ଭଞ୍ଜସାହିତ୍ୟର ଛାନ୍ଦ ଓ ଉପମା–ଅଳଙ୍କାର ରୀତିକୁ ଅନୁସରଣ ନକରି ଅନ୍ତର୍ଜାତୀୟ ସାହିତ୍ୟଦ୍ୱାରା ପ୍ରଭାବିତ ହୁଏ, ତେବେ ତାହାକୁ ଜାତିଚ୍ୟୁତ କହିବା ଏକାବେଳେ ଭ୍ରମାତ୍ମକ ହେବ । ଯେଉଁଠାରେ ତାହା ଅନ୍ତର୍ଜାତୀୟ ଭାବଧାରାକୁ ଆତ୍ମସ୍ଥ କରିପାରି ନାହିଁ–ଅନ୍ୟ କଥାରେ ତାହାକୁ ଭାରତୀୟ ଭାବଧାରାରେ ପରିଣତ କରିବାକୁ ଅସମର୍ଥ ହୋଇଛି–ସେଠାରେ ତାହାର ବାଛ–ବିଚାର କରିବା ନିଶ୍ଚୟ ପ୍ରୟୋଜନ । କିନ୍ତୁ–

 

‘‘ଦଦାତି ପ୍ରତିଗୃହ୍‌ଣାତି

ଗୁହ୍ୟମାଖ୍ୟାତି ପୃଚ୍ଛତି ।

ଭୂଙ୍‍କ୍ତେ ଭୋଜୟତେ ଚୈବ

ଷଡ଼୍‌ଗୁଣଂ ପ୍ରୀତି ଲକ୍ଷଣମ୍‌ ।’’

 

(ଦେବ, ନେବ, ଗୁପ୍ତକଥା କହିବ, ପଚାରିବ, ଖାଇବ, ଓ ଖୁଆଇବ–ଏଇ ଛଅଟି ପ୍ରୀତିର ଲକ୍ଷଣ ।)

 

ଏହି ଛଅଟି ଗୁଣ କେବଳ ପ୍ରୀତିର ଲକ୍ଷଣ ନୁହେଁ, ସାହିତ୍ୟର ମଧ୍ୟ ଲକ୍ଷଣ । ଏହି ଗୁଣମାନ ସିପାହୀ–ବିଦ୍ରୋହ ପରେ ଭାରତୀୟ ସାହିତ୍ୟର ଜାତୀୟ ଉପନୟନ କରିସାରି ଅନ୍ତର୍ଜାତୀୟ ଆଭିମୁଖ୍ୟ ଆଣିଅଛି ।

 

ଅନ୍ତର୍ଜାତୀୟ ପଟ୍ଟଭୂମି

 

ସୁଦୀର୍ଘ ଏବଂ ସୁବିରାଟ ଜାତୀୟ ପରମ୍ପରାର ସମ୍ମାନ ବଜାୟ ରଖି ଅନ୍ତର୍ଜାତୀୟ ପଟ୍ଟଭୂମି ଉପରେ ଆଧୁନିକ ଭାରତୀୟ ସାହିତ୍ୟକୁ ପ୍ରତିଷ୍ଠିତ କରିବାକୁ ହେଲେ ଆମ୍ଭମାନଙ୍କ ପ୍ରାଚୀନ ସାହିତ୍ୟର ଅନୁଶୀଳନ ସଙ୍ଗେ ସଙ୍ଗେ ବିଭିନ୍ନ ଦେଶୀୟ ସାହିତ୍ୟ କିମ୍ବା ମୂଲ୍ୟ ନିରୂପଣ କରିବାକୁ ହେବ । ‘ଭାରତୀୟ ସାହିତ୍ୟ’ ବୋଇଲେ ଏହା ସୁସ୍ପଷ୍ଟ ହୋଇସାରିଛି ଯେ ଓଡ଼ିଆ, ବଙ୍ଗଳା, ତେଲୁଗୁ, ହିନ୍ଦୀ ଆଦି ଏକାଧିକ ପ୍ରାନ୍ତୀୟ ଭାଷାଭିତରେ ଯେଉଁ ସାହିତ୍ୟ ସୃଷ୍ଟି ହୁଏ, ପୃଥକ୍‌ ଲିପି ଓ ଭାଷାରେ ଯାହାର ନାନା ରୂପାନ୍ତର ଘଟି‌ଥିଲେହେଁ ମୌଳିକ ବିଷୟବସ୍ତୁ ଏକ ଓ ଅଖଣ୍ଡ । ଭାଷାର ପାର୍ଥକ୍ୟ ଥିଲେହେଁ ଧର୍ମକର୍ମ, କ୍ରିୟାକାଣ୍ଡ, ଆଚାର–ବ୍ୟବହାର, ଚେହେରା–ଚରିତ୍ର ପ୍ରଭୃତିର ବହୁ ସାମଞ୍ଜସ୍ୟ ସବୁ ଅଞ୍ଚଳରେ ଲକ୍ଷିତ ହୁଏ । ତେଣୁ ଜଣେ ହିନ୍ଦୁସ୍ଥାନ ମୁଖରେ ଓଡ଼ିଆଭାଷା କିମ୍ବା ଜଣେ ଓଡ଼ିଆ ମୁଖରେ ହିନ୍ଦୀଭାଷା କୁହାଇଦେଲେ ସେ ଦୁହିଁଙ୍କ ମଧ୍ୟରୁ କିଏ ଓଡ଼ିଆ ବା କିଏ ହିନ୍ଦୁସ୍ଥାନୀ ଚିହ୍ନିବାର ଉପାୟ ରହେନାହିଁ ।

 

ସାହିତ୍ୟର ‘ମଡେଲ’

 

ସବୁ ଆଞ୍ଚଳିକ ସାହିତ୍ୟ ଯେ ରାମାୟଣ, ମହାଭାରତ ଆଦି ପୁରାଣମାନଙ୍କ ଅନୁବାଦରୁ ଆରମ୍ଭ ହୋଇଛି, ଅଥବା ସେହି ପ୍ରାଚୀନ ସଂସ୍କୃତ ସାହିତ୍ୟ ଅବଲମ୍ବନରେ ଲେଖାଯାଇଛି, ସବୁ ଆଞ୍ଚଳିକ ସାହିତ୍ୟର ‘ମଡେଲ’, ଛାଞ୍ଚ ବା ଆଦର୍ଶ ଯେ ଗୋଟାଏ ଛଡ଼ା ଯୋଡ଼ାଏ ନୁହେଁ, ଏକଥା ଅତି ସହଜରେ ବୁଝାଯାଏ । ତେବେ ଏହି ମଡ଼େଲ ବା ଛାଞ୍ଚର ପ୍ରକୃତ ସ୍ୱରୂପ କ’ଣ ତାହା ଭଲରୂପେ ବୁଝିବା ଲୋଡ଼ା ।

 

ଆମ୍ଭେମାନେ ଜାଣୁ, ଶିଳ୍ପୀ ମୂର୍ତ୍ତି ଗଢ଼ିଲାବେଳେ ଅଥବା ଚିତ୍ରକର ଛବି ଆଙ୍କିଲାବେଳେ ତାହା ଆଗରେ ଗୋଟାଏ ମଡ଼େଲ, ଛାଞ୍ଚ ବା ପ୍ରତିରୂପ ରଖି ସେ ଗଢ଼େ କିମ୍ବା ଆଙ୍କେ । ଏହି ମଡ଼େଲ ଅବଶ୍ୟ ସତ୍ୟ କିମ୍ବା କାଳ୍ପନିକ ହୋଇଥାଏ; ମାତ୍ର କାଳ୍ପନିକ ବୋଲି ଯାହାକୁ ବୋଲାଯାଏ, ତାହା ବିଶ୍ୱବ୍ରହ୍ମାଣ୍ଡରୁ ବହିର୍ଭୁତ ଏକାବେଳେ କିଛି ଅଲୌକିକ ବସ୍ତୁ ହୋଇନପାରେ ।

 

ବାସ୍ତବିକ କଳ୍ପନା

 

ସିଂହକଟି, ମୟୁରକଣ୍ଠ, ଶୁକଥଣ୍ଟ ବିଶିଷ୍ଟ ଅଦ୍ଭୁତ ନବଗୁଞ୍ଜର ରୂପ ଅଥବା ହନୁମାନ ନିଜର ପ୍ରତି ଲୋମରେ ଗୋଟିଏ ଗୋଟିଏ ପର୍ବତ ବାନ୍ଧିଆଣି ସମୁଦ୍ର ମଧ୍ୟରେ ସେତୁବନ୍ଧ ନିର୍ମାଣ କରିଥିବା ସୁଦ୍ଧା କଳ୍ପନା ପରି ଦୃଶ୍ୟମାନ ବାସ୍ତବ ଜଗତରୁ ଗୃହୀତ । କାରଣ ଏହିରୂପ ଅସମ୍ଭବ କଳ୍ପନାର ସ୍ରଷ୍ଟା ମନୁଷ୍ୟ କିମ୍ବା ତାହାର ‘ମସ୍ତିଷ୍କ’ ମଧ୍ୟ ଏକ ବାସ୍ତବ ସୃଷ୍ଟି । ତାହାର ସମସ୍ତ ସୁଖଦୁଃଖର ଅନୁଭୂତି ଏଇ ବାସ୍ତବ ବିଶ୍ୱରୁ ହିଁ ଜାତ ହୋଇଥାଏ ବହୁ ଭାବ କିମ୍ବା ଅଭାବ ମଧ୍ୟରେ ଗତିକରି ।

 

ଶିଳ୍ପୀ, ଚିତ୍ରକର ନିଜ ସମକ୍ଷରେ ମଡେଲ ରଖି ମନୁଷ୍ୟ, ଜୀବଜନ୍ତୁ କିମ୍ବା ପ୍ରାକୃତିକ ଦୃଶ୍ୟର ଯେପରି ନକଲ କରେ ଏବଂ ସେଥିରେ ନିଜର କଳ୍ପନା ଅନୁଭୂତି ରେଖାପାତ ବା ନବ ନବ ରଙ୍ଗବିନ୍ୟାସଦ୍ୱାରା ଯେପରି ବିଶ୍ୱର ରହସ୍ୟ ଉଦ୍‌ଘାଟନ କରେ, କବି ସାହିତ୍ୟିକ ଠିକ୍‌ ସେଇପରି ଚରିତ୍ର ସୃଷ୍ଟି ଲାଗି ଅଥବା ପ୍ରାକୃତିକ ଦୃଶ୍ୟର ବର୍ଣ୍ଣନା ପାଇଁ ମଡେଲର ଆବଶ୍ୟକ କରେ । ଚିଲିକାକୁ ନଦେଖି ଚିଲିକା ବିଷୟରେ କାବ୍ୟ ରଚନା କରିବା ଯେପରି ଅସମ୍ଭବ, ସେହିରୂପେ କୌଣସି ମନୁଷ୍ୟକୁ ନିଜ ଆଗରେ ନଥୋଇ ଚରିତ୍ର ସୃଷ୍ଟି କରିବାକୁ ଯିବା ଅବାସ୍ତବ ହୋଇପଡ଼େ ।

 

ଆଜିର ମନୁଷ୍ୟ କେତେ ବେଶଭୂଷାରେ ନୂଆ: ସମାଜ ଗଠନଲାଗି କେତେ ଚିନ୍ତାର ଘାତପ୍ରତିଘାତ ଭିତରେ କେତେ ବିଭିନ୍ନ ରାଜନୈତିକ ମତବାଦ ଘେନି ବା ଅର୍ଥନୈତିକ ଯୋଜନା ପ୍ରସ୍ତୁତ କରି ଗତି କରୁଛି । ତାହାର ବିଶ୍ୱାସ, ସନ୍ଦେହ, ତ୍ରୁଟି, ସ୍ଖଳନ ଓ ଅଭିଯୋଗ କିପରି ବଢ଼ିଚାଲିଛି, କେତେ ଭଙ୍ଗାଗଢ଼ା ମଧ୍ୟରେ ସେ ଅଗ୍ରସର ହେଉଛି, ଗ୍ରନ୍ଥ ଅଧ୍ୟୟନ ଅପେକ୍ଷା ଏଇସବୁ ପରିବର୍ତ୍ତନ ଓ ଆଧୁନିକ ମନୁଷ୍ୟ ଉପରେ ତାହାର ପ୍ରଭାବକୁ ଅଧିକ ମନୋନିବେଶ ସହ ଅନୁଶୀଳନ କରିବା ଲେଖକ ପକ୍ଷରେ ଆବଶ୍ୟକ । ଏହାରି ଭିତରୁ ହିଁ ନିଜ ମଡେଲ ସକାଶେ ତାହାକୁ ଉପାଦାନ ବାଛିନେବାକୁ ହେବ ।

 

ସାହିତ୍ୟର ଯୋଜନା

 

ବର୍ଷ ପରେ ବର୍ଷ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଯେଉଁ ଶସ୍ୟ ଉତ୍ପାଦିତ ହେଉଛି, ତାହା ମଧ୍ୟରେ ଏରୂପ ଉପାଦାନର ପରିମାଣ କେତେ, ଓଡ଼ିଆ ଜୀବନର ସାମାଜିକ, ପ୍ରାକୃତିକ ଅଥବା କୃତ୍ରିମ ଛବି ସେଥିରେ କିଭଳି ପ୍ରତିଫଳିତ, ତାହାର ଯଥାଯଥ ବିଚାର କିମ୍ବା ସାମୂହିକ ଭାବରେ ମୂଲ୍ୟ ନିର୍ଦ୍ଧାରଣ କରି ଜାଣିବାର ଉପାୟ ଆଜି ନାହିଁ । ସେଥିଲାଗି କେବଳ କଳ୍ପନା ବା ଅନୁମାନକୁ ହିଁ ଆଶ୍ରୟ କରିବାକୁ ହୋଇଥାଏ । ଅଥଚ ପ୍ରତି ବର୍ଷ କେତେ ସଂଖ୍ୟକ ପ୍ରାଚୀନ କିମ୍ବା ଆଧୁନିକ ଓଡ଼ିଆ ଉପନ୍ୟାସ, ନାଟକ, କବିତା, ଗଳ୍ପ, ପ୍ରବନ୍ଧ, ସମାଲୋଚନା ଆଦି ପ୍ରକାଶିତ ହେଉଛି ଏବଂ ସେଗୁଡ଼ିକର ବିଷୟବସ୍ତୁର ବିଭାଗୀକରଣ ତଥା ଶ୍ରେଣୀ–ବିଭାଗ କରିବା ଆଦୌ କଷ୍ଟକର ବ୍ୟାପାର ବୋଲି ମନେହୁଏ ନାହିଁ । ଏଇଭଳି ସଂଖ୍ୟା ସଂଗ୍ରହ ଲାଗି ଦେଶରେ ଏକାଧିକ ସାହିତ୍ୟ ଓ ଅନ୍ୟାନ୍ୟ ଅନୁଷ୍ଠାନମାନ ଅଛି ।

 

ରାଜ୍ୟ ସରକାର, ବିଶ୍ୱବିଦ୍ୟାଳୟ କିମ୍ବା ଉତ୍କଳ–ସାହିତ୍ୟସମାଜ ପରି ଅନୁଷ୍ଠାନ ଉଦ୍ୟମ କଲେ ଏହି କାର୍ଯ୍ୟ ଅକ୍ଳେଶରେ ସମ୍ଭବପର ହୋଇପାରନ୍ତା ।

 

ଓଡ଼ିଶାର ପ୍ରକାଶକ ସଂଘ ମଧ୍ୟ ଏ ଦିଗରେ ଅଗ୍ରଣୀ ହୋଇ ନେତୃତ୍ୱ ଦେଇପାରନ୍ତି । ଇଂଲଣ୍ଡ, ଆମେରିକା, ଫ୍ରାନ୍‌ସ୍‌, ଜର୍ମାନ ପ୍ରଭୃତି ଉନ୍ନତ ପାଶ୍ଚାତ୍ୟ ଦେଶମାନଙ୍କରେ ଯେପରି ଗ୍ରନ୍ଥ–ଇତିବୃତ୍ତ ସବୁ (Bibliography) ପ୍ରକାଣ୍ଡ ପୁସ୍ତକ ଆକାରରେ ପ୍ରକାଶିତ ହୁଏ, ପୁଣି ବୈଜ୍ଞାନିକ ପ୍ରଣାଳୀରେ ସେସବୁର ସଜ୍ଜା ଓ ଶ୍ରେଣୀବିଭାଗ କରାଯାଇ ପାଠକ ଅଥବା ଲେଖକ ପକ୍ଷରେ ଉପଯୋଗୀ ହୁଏ–ଆମ ଦେଶର ପ୍ରକାଶକ ବା ସମ୍ପାଦକମାନେ ମଧ୍ୟ ଗ୍ରନ୍ଥ ଇତିବୃତ୍ତ ପ୍ରକାଶଦ୍ୱାରା ସାହିତ୍ୟର ତଥା ଦେଶର ସେହିପରି କଲ୍ୟାଣସାଧନ କରିପାରନ୍ତି ।

 

ଗୋଟିଏ ଗୋଟିଏ ଗ୍ରନ୍ଥ–ଇତିବୃତ୍ତରୁ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସାହିତ୍ୟର ଗତି କି ରୂପ ଗ୍ରହଣ କରିଛି ଏବଂ ତହିଁରେ କିଭଳି ସାମାଜିକ ଚିତ୍ର ପ୍ରତିବିମ୍ବିତ, ବେସରକାରୀ ଯେକୌଣସି ଅନୁଷ୍ଠାନ ପକ୍ଷରୁ ଓଡ଼ିଆ ଗ୍ରନ୍ଥ–ପରିଚୟ ପ୍ରକାଶିତ ହେବା ସର୍ବାଦୌ ପ୍ରୟୋଜନ ।

 

ଇଂଲଣ୍ଡ, ଆମେରିକା ଆଦି ସମୁନ୍ନତ ଦେଶସମୂହରେ ଗ୍ରନ୍ଥ–ପରିଚୟର ତାଲିକା ଯେପରି ‘ବାର୍ଷିକ ପଞ୍ଜିକା’ (Year Book) ଭଳି ନିୟମିତ ପ୍ରକାଶିତ ହୁଏ, ପୁଣି ସେଥିଲାଗି ପ୍ରକାଶକ, ସମ୍ପାଦକ, ବିଶ୍ୱବିଦ୍ୟାଳୟ ପ୍ରମୁଖ ଶିକ୍ଷା ବା ସାହିତ୍ୟ ଅନୁଷ୍ଠାନମାନଙ୍କ ପ୍ରଶଂସନୀୟ ଉଦ୍ୟମ ପ୍ରଧାନତଃ ଦାୟୀ ବୋଲି ଜଣାଯାଏ; ସେହିପରି ରୁଷ କିମ୍ବା ଭାରତର ପ୍ରାଚୀନ ପଡ଼ୋଶୀ ରାଜ୍ୟ ଚୀନ୍‌ର ମଧ୍ୟ ଖୋଦ ରାଷ୍ଟ୍ର ସରକାରମାନେ ଏଥିପ୍ରତି ପ୍ରଗାଢ଼ ଯତ୍ନ ଦେଖାଇଥାନ୍ତି । କାରଣ ସାହିତ୍ୟ ବିଷୟକ ଯୋଜନା ଓ ବିଚାର ଲାଗି ଏହା ସର୍ବାଦୌ ଆବଶ୍ୟକ ।

 

ଭାରତର ବିଭିନ୍ନ ଆଞ୍ଚଳିକ ଭାଷା–ସାହିତ୍ୟ ପକ୍ଷରେ ଇଂଲଣ୍ଡ, ଆମେରିକା ପ୍ରଭୃତି ଦେଶର ସାହିତ୍ୟ ସଙ୍ଗଠନରୁ ଶିକ୍ଷା କରିବାପାଇଁ ଯେପରି ଯଥେଷ୍ଟ ଉପାଦାନ ଅଛି, ରୁଷ୍‌ କିମ୍ବା ଚୀନ୍‌ ସାହିତ୍ୟର ଆଧୁନିକ ପନ୍ଥା ଓ ଯୋଜନାଗୁଡ଼ିକ ପ୍ରତି ମଧ୍ୟ ସେହିରୂପ ଧ୍ୟାନଦେଲେ ଅନେକ ଉପକାର ମିଳିବ ।

 

ନୂତନ ଚୀନ ସାହିତ୍ୟ

 

ଚୀନରେ ନୂତନ ରାଷ୍ଟ୍ର ପ୍ରତିଷ୍ଠିତ ହେବା ପରଠାରୁ ଗତ ପାଞ୍ଚବର୍ଷ ମଧ୍ୟରେ ସାହିତ୍ୟର ଧାରା କିଭଳି ଆଭିମୁଖ୍ୟ ଗ୍ରହଣ କରିଛି, ତାହା ଅଧିକ ଅନୁଧ୍ୟାନର ବିଷୟ । ଭାରତର ସ୍ୱାଧୀନତା ଅବଶ୍ୟ ନୂତନ ଚୀନରେ ସ୍ୱାତନ୍ତ୍ର୍ୟ ଲାଭର ଦୁଇବର୍ଷ ପୂର୍ବରୁ ହାସଲ ହୋଇଛି । ମାତ୍ର ଚୀନରେ ନବରାଷ୍ଟ୍ର ଗଠିତ ହେବା ସଙ୍ଗେ ସଙ୍ଗେ ସାହିତ୍ୟର ନୂତନ ସଙ୍ଗଠନ ପ୍ରତି ସେ ଦେଶର ରାଷ୍ଟ୍ର ତଥା ସମାଜର ଗଭୀର ଦୃଷ୍ଟି ଆକୃଷ୍ଟ ହୋଇଥିବା ଜଣାଯାଏ ।

 

ନବୀନ ଚୀନର ବିଜୟ ପୂର୍ବରୁ ମଧ୍ୟ ସାହିତ୍ୟକୁ ଯୁଦ୍ଧ କିମ୍ବା ବିପ୍ଳବର ଏକ ପ୍ରଧାନ ସାମୁଖ୍ୟ (Literary Front) ରୂପେ ସେ ଦେଶର ରାଷ୍ଟ୍ରନାୟକ ତଥା ସାହିତ୍ୟିକମାନେ ଗ୍ରହଣ କରିଥିଲେ ଏବଂ ଲେଖକ କିମ୍ବା ଶିଳ୍ପୀ ଓ କଳାବିତ୍‌ଗଣ ଜାତୀୟ ସଂଗ୍ରାମର କର୍ମୀ ବା ସୈନିକରୂପେ ବ୍ୟବହୃତ ହୋଇଥିଲେ । ଚୀନରେ ନୂତନ ରାଷ୍ଟ୍ର ପ୍ରତିଷ୍ଠାର ସାତବର୍ଷ ପୂର୍ବରୁ ୧୯୪୨ ଖ୍ରୀଷ୍ଟାବ୍ଦ ମଇ ମାସ ୪ ତାରିଖରେ ୟେନାମ୍‌ଠାରେ ଯେଉଁ ବିରାଟ ଲେଖକ ଓ ଶିଳ୍ପୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା, ତହିଁରେ ସଭାପତି ମାଓ–ସେ–ତୁଙ୍ଗ ଚୀନ ବିପ୍ଳବରେ ଲେଖକର ସ୍ଥାନ, ଦୃଷ୍ଟିଭଙ୍ଗୀ ଓ ଚୀନ ଜନସାଧାରଣର ସେବା ଉଦ୍ଦେଶ୍ୟରେ ଉତ୍ସୃଷ୍ଟ ତାହାର ରଚନାବଳୀ କିଭଳି ରୂପରେଖ ନେବା ଆବଶ୍ୟକ, ତାହା ଅତି ସ୍ପଷ୍ଟ ଭାଷାରେ ବ୍ୟକ୍ତ କରିଥିଲେ ।

 

ମାଓ–ସେ–ତୁଙ୍ଗଙ୍କ ନିର୍ଦ୍ଦେଶ

 

ଜନସାଧାରଣଙ୍କ ସହିତ ଲେଖକ ଗୋଷ୍ଠୀର ସମ୍ପର୍କ କିରୂପ ହେବା ଉଚିତ ପୁଣି ଚୀନ ସଂସ୍କୃତି–ପରମ୍ପରା ସଙ୍ଗେ ଯୋଗ ସ୍ଥାପନ କରି ଜୀବନକୁ ନୂତନ ଦୃଷ୍ଟିକୋଣରୁ ଦେଖିବାକୁ ଏବଂ ବାସ୍ତବ ଚରିତ୍ରଗୁଡିକୁ ସାଧାରଣ ନାରୀପୁରୁଷ ମଧ୍ୟରୁ ବାଛିନେଇ ନିର୍ଭୀକଭାବରେ ଅଙ୍କନ କରିବାକୁ ମାଓ–ସେ–ତୁଙ୍ଗ ଉକ୍ତ ସ୍ମରଣୀୟ ସଭାରେ ସୂଚାଇଥିଲେ । ଅପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ରନେତା ମାଓ ସେ ତୁଙ୍ଗଙ୍କର ଉକ୍ତ ଭାଷଣହିଁ ଆଜି ସେ ଦେଶୀୟ ଶିଳ୍ପୀ–ସାହିତ୍ୟିକମାନଙ୍କରେ ପଥପ୍ରଦର୍ଶକ ହୋଇଛି । ନିଖିଳ ଚୀନ ଲେଖକ ପରିଷଦ (All china Association of Literary workers) ନାମରେ ଏକ ଅନୁଷ୍ଠାନ ନୂତନ ଚୀନର ବିଜୟ ସଙ୍ଗେ ସଙ୍ଗେ ଚାରିବର୍ଷ ପୂର୍ବେ ଗଠିତ ହୋଇଛି; ତାହା ଆଜି ମାଓଙ୍କର ସେହି ଭାଷଣର ନିର୍ଦ୍ଦେଶ ଓ ଇଙ୍ଗିତକୁ ଗ୍ରହଣକରି ଆଧୁନିକ ଗଳ୍ପ, ଉପନ୍ୟାସ, କବିତା, ନାଟକ ପ୍ରଭୃତିର ସମାଲୋଚନା କରିଥାଏ । ତଦନୁଯାୟୀ ଯେଉଁ ସକଳ ଗ୍ରନ୍ଥ ବା ଚିତ୍ର ରଚିତ ଓ ଅଙ୍କିତ, ସେଗୁଡ଼ିକୁ ଯଥୋଚିତ ଭାବରେ ପୁରସ୍କୃତ ବା ଉତ୍ସାହିତ ମଧ୍ୟ କରାଯାଏ-

 

ଚୀନ ସାହିତ୍ୟର ସମାଲୋଚନା

 

ଆଉ ଯେଉଁଥିରେ ଜାତୀୟ ଆଦର୍ଶ ବା ଜାତୀୟ ଚରିତ୍ର କ୍ଷୁଣ୍ଣ ଓ ତ୍ରୁଟିଯୁକ୍ତ ବୋଲି ଜଣାପଡ଼େ, ସେସବୁର ତୀବ୍ର ସମାଲୋଚନା ମଧ୍ୟ ହେଉଛି । ଚୀନ ଲେଖକମାନଙ୍କ ଦ୍ୱିତୀୟ ସମ୍ମିଳନୀରେ ଭାଷଣ ଦେଇ ବହୁଭାଷାରେ ପ୍ରକାଶିତ ‘‘ଚୀନ ସାହିତ୍ୟ’’ (Chinese Literature) ନାମକ ପତ୍ରିକାର ସମ୍ପଦାକ ମାଓ–ତୁନ୍‌ ବି ଗତ ଚାରିବର୍ଷ ମଧ୍ୟରେ ଚୀନ ସାହିତ୍ୟର ପରିସ୍ଥିତି ଓ ପ୍ରଗତି ବିଷୟରେ ଆଲୋଚନା କରି କହଛନ୍ତି ଯେ, ବର୍ଣ୍ଣିତ କାଳରେ ପୁସ୍ତକ ଆକାରରେ ପ୍ରାୟ ୨୫୨ଟି ଉପନ୍ୟାସ, ୧୫୯ କବିତା ପୁସ୍ତକ, ୨୬୫ ଖଣ୍ଡି ନାଟକ ଏବଂ ୮୯୬ ଖଣ୍ଡି ପ୍ରବନ୍ଧ ଓ ଅନ୍ୟାନ୍ୟ ଗ୍ରନ୍ଥ ଚୀନଭାଷାରେ ପ୍ରକାଶିତ ହୋଇଛି ।

 

ଏହା ବ୍ୟତୀତ ସେ ଦେଶର ପତ୍ରପତ୍ରିକାମାନଙ୍କରେ ଯେତେସଂଖ୍ୟକ ଲେଖା ପ୍ରକାଶିତ ହୋଇଛି, ସେସବୁର ହିସାବ ନେଲେ ଉଲ୍ଲିଖିତ ପୁସ୍ତକ ସଂଖ୍ୟା ନିଶ୍ଚୟ ଅଧିକ ହେବ । ପୁଣି ଏହି ସକଳ ରଚନାର ଅଧିକାଂଶ ଲେଖକ ନବୀନ ଏବଂ ତାଙ୍କ ମଧ୍ୟରୁ ସେମାନଙ୍କ ଲେଖାର ଆଦର ଓ ପ୍ରଭାବ ଅଧିକ । କାରଣ ଶେଷୋକ୍ତ ଲେଖକଗଣ ସେ ଦେଶର ମୌଳିକ ପ୍ରାଣସ୍ପନ୍ଦନର ପ୍ରତୀକ ଏବଂ ସେମାନଙ୍କ ସରଳ ରଚନାବଳୀରେ ଜାତୀୟ ସଂଗ୍ରାମ ଓ ଜାତୀୟ ଆତ୍ମାର ବିକାଶ ଜୀବନ୍ତ ହୋଇ ଫୁଟିଉଠିଛି ।

 

ତ୍ରୁଟିର ମାତ୍ରା

 

ତଥାପି ରାଜନୈତିକ ଓ ଅର୍ଥନୈତିକ ଦ୍ରୁତ ଅଗ୍ରଗତି ତୁଳନାରେ ଏବଂ ସାହିତ୍ୟ ଉପରେ ଜନତାର ଦାବି ତୁଳନାରେ ଆଧୁନିକ ଚୀନ ସାହିତ୍ୟ ଅନେକ ପଛରେ ପଡ଼ିଛି ବୋଲି ନିଖିଳ ଚୀନ ସାହିତ୍ୟ ସମ୍ମିଳନୀରେ ମାଓ–ସେ–ତୁଙ୍ଗ ଦର୍ଶାଇଛନ୍ତି–

 

‘‘Compared to the speed of our political and economic construction, compared to the daily new and better life of the people., compared to the demands the masses are making on literature and art, our literary work has fallen far, far behind reality. The most we can say is that we have built the first part of a foundation for better fulfilling our new task.’’

 

ବର୍ତ୍ତମାନ ଚୀନ ସାହିତ୍ୟ ତାହାର କଳାନୈପୁଣ୍ୟ ଓ ଆଦର୍ଶବାଦ ଦୃଷ୍ଟିରୁ ଖୁବ୍‌ ଉଚ୍ଚାଙ୍ଗ ହୋଇପାରିନାହିଁ । (‘‘The artistic and ideological level of our works generally are not high enough’’) କହି ଏହା କେବଳ ମୂଳଦୁଆର ପ୍ରଥମ ସ୍ତର ବୋଲି ସେ ମତ ଦେଇଛନ୍ତି ।

Image

 

ଅହିଂସା ବିପ୍ଳବ

 

ନୂତନ ଚୀନର ସାହିତ୍ୟଧାରା ବିଚାର କରିବାକୁ ଗଲେ ଅନ୍ୟାନ୍ୟ ଦେଶରେ ସାହିତ୍ୟଭଳି ତାହାର ସୁପ୍ରାଚୀନ ପରମ୍ପରା ସିନୋଲାଓ ଯିବା କନଫ୍ୟୁସିୟସ୍‌ଙ୍କ ଦର୍ଶନକୁ ବାଦ୍‌ ଦେଇହେବ ନାହିଁ । ମନୁଷ୍ୟକୁ ସ୍ୱାଭାବିକ, ପ୍ରାକୃତିକ, କର୍ମଠ ଓ ସାମାଜିକ କଲ୍ୟାଣ ଲାଗି ସ୍ୱାର୍ଥତ୍ୟାଗୀ କରି ଗଢ଼ିବା ପାଇଁ ପୃଥିବୀର ଏଇ ବୃହତ୍ତମ ଓ ପ୍ରାଚୀନତମ ଜାତିର ସାହିତ୍ୟ ଅତୀତରେ ଏତେ ବିଶାଳ ଓ ଅଚଳ ହୋଇଉଠିଥିଲା–ପୁଣି ସଂଖ୍ୟାତୀତ କବି ସାହିତ୍ୟିକଙ୍କର ସମଗ୍ର ରଚନା ପ୍ରକାଶ କରିବା ପ୍ରତି କବିଙ୍କ ବଂଶଧରମାନଙ୍କ ଅବଶ୍ୟ କର୍ତ୍ତବ୍ୟ ବିଚାରରୁ ଫଳରେ ପ୍ରାଚୀନ ଭାବ ବା ଭାଷା ପ୍ରତି ଅତିଶକ୍ତି ଅଦୁରକ୍ତି ଓ ଆସକ୍ତ ଫଳରେ ସାହିତ୍ୟରେ ଏତେ ବେଶି ପୁନରୁକ୍ତି କିମ୍ବା ପୁନରାବୃତ୍ତି ଦେଖାଦେଲା ଯେ, ଖ୍ରୀଷ୍ଟପୂର୍ବ ୨୧୨ ଶତାବ୍ଦୀରେ ଚୀନ୍‌ ସମ୍ରାଟ ସମସ୍ତ ପ୍ରାଚୀନ ସାହିତ୍ୟକୁ ନଷ୍ଟ କରି ନୂତନ ସାହିତ୍ୟ ରଚନା କରିବାକୁ ଆଦେଶ ଦେଇଥିଲେ ରାଜାଜ୍ଞା ପାଳିତ ହେଲେ ମଧ୍ୟ ଚୀନବାସୀର ଅତୀତ ଭକ୍ତି ଊଣା ନ ପଡ଼ି ବୃଦ୍ଧିଲାଭ କରିଥିଲା ଏବଂ ସ୍ତୂପୀକୃତ ଗ୍ରନ୍ଥରାଶୀ ଧ୍ୱଂସପ୍ରାପ୍ତ ହେଲେ ମଧ୍ୟ ସଙ୍ଗେ ସଙ୍ଗେ ଅଧିକ ଗ୍ରନ୍ଥ ରଚିତ ହୋଇ ପୁର୍ବାପେକ୍ଷା ସେସବୁର ସଂଖ୍ୟା ବରଂ ବଢ଼ି ଯାଇଥିଲା ।

 

ପ୍ରାଚୀନତମ ସଭ୍ୟତା

 

ପୃଥିବୀର ପ୍ରାଚୀନତମ ସଭ୍ୟତାର ବହୁ ସ୍ମରଣୀୟ ଚିହ୍ନ ବହନ କରି ଚୀନର ଆଧୁନିକ ରାଷ୍ଟ୍ରପକ୍ଷରୁ ପୁଣି ଥରେ ନୂତନ ସାହିତ୍ୟ ସୃଷ୍ଟି ଲାଗି ଆହ୍ୱାନ ଆସିଲା ନବୀନ ନେତା ମାଓ–ସେ–ତୁଙ୍ଗଙ୍କ ଜରିଆରେ । ଚୀନ ବିପ୍ଳବର ନବ ନିର୍ମାତା ସାହିତ୍ୟକୁ ଜାତୀୟ ସଂଗୟାମର ଏକ ଅପରିହାର୍ଯ୍ୟ ଅଙ୍ଗରୂପେ ଗ୍ରହଣ କରିଥିଲେ ।

 

ସାହିତ୍ୟିକ ଚିନ୍ତାଧାରାକୁ ସମ୍ପୂର୍ଣ୍ଣରୂପେ ଜନତାର ହୃଦୟସ୍ପର୍ଶୀ କରିବାକୁ ହେଲେ ଏବଂ ସମାଜପ୍ରାଣରେ ସାହିତ୍ୟ-ସୃଷ୍ଟିର ସ୍ଥାୟୀ ଆସନ ପାତିବାକୁ ହେଲେ ସାହିତ୍ୟିକର ଯେଉଁ କଠୋର ସାଧନା ଓ ଶିକ୍ଷାପ୍ରଣାଳୀ ମଧ୍ୟରେ ଗତି କରି ପରିବର୍ତ୍ତିତ ନୂତନ ଚିନ୍ତାଧାରାକୁ ଆତ୍ମସାତ୍‌ କରିବା ଆବଶ୍ୟକ, ମାଓ–ସେ–ତୁଙ୍ଗ ତାହା ଦର୍ଶାଇ ଶିଳ୍ପୀ ଲେଖକମାନଙ୍କକୁ କହିଛନ୍ତି–

 

‘‘If you want the masses to understand you and want to become one of them, you must be determined to undergo a long and even painful process of training… If our writers and artists from the intelligential wish their works to be welcomed by the masses, they must transform and remould their thoughts and feeling without such a transformation and such a remoulding they can do nothing well and will be ill adapted to any kind of work.’’ ଅର୍ଥାତ–‘‘ଜନତା ଆପଣଙ୍କୁ ବୁଝିବା ପାଇଁ ଜନତା ଭିତରେ ଜଣେ ହେବାପାଇଁ ଯଦି ଆପଣ ଇଚ୍ଛା କରନ୍ତି, ତାହାହେଲେ ଏକ ଦୀର୍ଘ ଅଥଚ କ୍ଳେଶକର ଶିକ୍ଷାପ୍ରଣାଳୀ ମଧ୍ୟରେ ଗତି କରିବାକୁ ଦୃଢ଼ପ୍ରତିଜ୍ଞ ହେବା ଉଚିତ । ଯଦି ଆମ୍ଭମାନଙ୍କ ବୁଦ୍ଧିଜୀବୀ ଶ୍ରେଣୀରୁ ଆସିଥିବା ଲେଖକ ଓ ଶିଳ୍ପୀମାନେ ତାଙ୍କ ରଚନାଗୁଡ଼ିକ ଜନତାକର୍ତ୍ତୃକ ଆଦୃତ ହେବା ଲାଗି ଆଶା କରନ୍ତି, ତେବେ ସେମାନେ ସ୍ୱୀୟ ଚିନ୍ତା ଓ ଅନୁଭୂତିର ପୁନର୍ନିର୍ମାଣ ଓ ରୂପାନ୍ତର କରିବା ଆବଶ୍ୟକ ଏହିରୂପ ପୁନର୍ନିର୍ମାଣ ଓ ରୂପାନ୍ତର ବ୍ୟତୀତ ସେମାନଙ୍କ ସକାଶେ କିଛି ଭଲ ପନ୍ଥା ନାହିଁ ଏବଂ ଯେକୌଣସି ପ୍ରକାର କାର୍ଯ୍ୟ ପାଇଁ ସେମାନେ ଅନୁପଯୁକ୍ତ ହୋଇପଡ଼ିବେ ମାତ୍ର ।’’

 

ବିପ୍ଳବୀର ଉକ୍ତି

 

ବିପ୍ଳବୀ ନେତା ମାଓ–ସେ–ତୁଙ୍ଗଙ୍କର ଏଇ ଉକ୍ତି ମଧ୍ୟବିତ୍ତ ବୁଦ୍ଧିଜୀବୀ ଶ୍ରେଣୀରୁ ଗୃହୀତ ପ୍ରାଚୀନ–ଭକ୍ତ ଆରାମୀ ଅଏସୀ କବି ଓ ଲେଖକମାନଙ୍କ ପ୍ରତି ଏକ ତୀବ୍ର ଧମକଭଳି ଶୁଣାଯାଏ । ସେମାନେ ଯଦି ନିଜ ନିଜର ପୁରୁଣାକାଳିଆ ମଜଲିସ୍‌ ସାହିତ୍ୟର ମଧ୍ୟଯୁଗୀୟ ଭାବଧାରାକୁ ତ୍ୟାଗ କରି ସ୍ୱୀୟ ଚିନ୍ତା ଓ ଅନୁଭୂତିର ପୁନର୍ନିର୍ମାଣ ଓ ରୂପାନ୍ତର ଘଟାଇବାରେ ଅସମର୍ଥ ହୁଅନ୍ତି, ତାହାହେଲେ ନୂତନ ଚୀନର ସାହିତ୍ୟ–ରାଜ୍ୟର ତାଙ୍କ ପାଇଁ ସ୍ଥାନ ନାହିଁ ବୋଲି ସେ ଗ୍ରାଫ୍‌ସାଫ୍‌ ଜଣାଇ ଦେଇଛନ୍ତି । ପୁଣି କି ଉପାୟରେ ଏବଂ କିଭଳି ଶିକ୍ଷାପ୍ରଣାଳୀରେ ପ୍ରବେଶ କରି ଲେଖକ କିମ୍ୱା ଶିଳ୍ପୀମାନେ ନିଜ ଚିନ୍ତା ଓ ଅନୁଭୂତିକୁ ବୈପ୍ଳବ ରାଷ୍ଟ୍ରନୀତିର ଅନୁରୂପ ପୁନର୍ନିର୍ମାଣ ଓ ରୂପାନ୍ତର ଘଟାଇପାରନ୍ତି, ତାହାର ବାଟ ମଧ୍ୟ ସେ ପରିଷ୍କାର ବତାଇ ଦେଇଛନ୍ତି । ତାଙ୍କ ମାନବସମାଜର ସେବା କରିବା ହିଁ ଶିଳ୍ପ–ସାହିତ୍ୟର ଧର୍ମ । ସେଥିରେ; ତ୍ରୁଟି ଘଟିଲେ ଶିଳ୍ପ–ସାହିତ୍ୟର ସ୍ଥାନଚ୍ୟୁତି ଘଟେ ।

 

ଆଧ୍ୟାତ୍ମିକ ଅଥବା ପ୍ରଣୟମୂଳକ ଆଳସ୍ୟବିଳାସ ସୃଷ୍ଟି କରି ଆମୋଦ ବିଞ୍ଚିଦେବା ଶିଳ୍ପ ସାହିତ୍ୟର ନିକୃଷ୍ଟତର ପରିଚୟ ବୋଳି ତାଙ୍କର ଧାରଣା । ଜନତାକୁ ନୂତନ ଜୀବନ ଦାନ କରି ନବ ନବ ଚରିତ୍ର ସୃଷ୍ଟିଫଳରେ ସାମାଜିକ ହିସାଧନ ଲାଗି ଶିଳ୍ପ ସାହିତ୍ୟ ଉତ୍ସୃଷ୍ଟ । ତେଣୁ ଶିଳ୍ପୀ ଏବଂ ସାହିତ୍ୟିକମାନେ କୃଷକ ଶ୍ରମିକମାନଙ୍କ ସହିତ ମିଳିମିଶି ତାଙ୍କ ସମସ୍ୟାଗୁଡ଼ିକ ସଙ୍ଗେ ଘନିଷ୍ଠଭାବରେ ପରିଚୟ ଲାଭ କରିବା ବାଞ୍ଛନୀୟ । ବାରମ୍ୱାର ସେମାନଙ୍କ ସଂସ୍ପର୍ଶରେ ନ ଆସିଲେ ଶିଳ୍ପୀ–ସାହିତ୍ୟଗଣ ସ୍ୱୀୟ ଚିନ୍ତା ଓ ଅନୁଭୂତିର ପୁନର୍ଗଠନ ବା ରୂପାନ୍ତର ଭିଆଇବାରେ ସମର୍ଥ ହୋଇପାରିବେ ନାହିଁ ।

 

ବିପ୍ଳବ ଭିତରେ ଝାସ

 

କବି–ଶିଳ୍ପୀମାନଙ୍କୁ ଜାତୀୟ ସଂଗ୍ରାମରେ ସୈନିକରୂପେ ତାଲିମ ଦେବାକୁ ମାଓ ସେ ତୁଙ୍ଗ ସେତେବେଳେ ଆହୁରି ମଧ୍ୟ କହିଥିଲେ ଯେ, କେବଳ ଶ୍ରମିକ କୃଷକମାନଙ୍କ ସଙ୍ଗେ ମିଳାମିଶା କଲେ କବିଶିଳ୍ପୀଙ୍କର ପ୍ରାଚୀନ ଚିନ୍ତାଧାରା ଓ ରଚନା ରୀତିକୁ ବଦଳାଇବାର ଶିକ୍ଷା ସମ୍ପୂର୍ଣ୍ଣ ହେବନାହିଁ । ସେମାନଙ୍କୁ ପୂରାପୂରି ଶ୍ରମିକ କୃଷକ ବିପ୍ଳବ କିମ୍ୱା ଆନ୍ଦୋଳନ ଭିତରକୁ ଡେଇଁପଡ଼ିବାକୁ ହେବ । ତେବେ ଯାଇ ପ୍ରକୃତ ଆଧୁନିକ ଜୀବନ ଓ ସାହିତ୍ୟର ଅସଲ ମର୍ମ କ’ଣ, ତାହା ସେମାନେ ହୃଦୟଙ୍ଗମ କରିପାରିବେ, ଠିକ୍ ଯେପରି ବୈଷ୍ଣବଧର୍ମରେ ଦୀକ୍ଷିତ କବି ବୈଷ୍ଣବ କବିତା ରଚନା କରିଥାନ୍ତି ।

 

ସେତିକିବେଳେ ତାଙ୍କ ଚିନ୍ତା ଓ ଅନୁଭୂତିର ସ୍ୱାଭାବିକ ରୂପାନ୍ତର ସମ୍ଭବ ହୁଏ–

 

“To be truly able to serve the workers, peasants and soldiers, literary and art workers should first of all throw themselves into the actual revolutionary struggle, so that their thoughts and feelings may be remoulded.”

 

ଲେଖକ ଶିଳ୍ପିଗଣ ବୁଦ୍ଧିଜୀବୀ ହେଲେହେଁ ସେମାନଙ୍କୁ ଶ୍ରମିକ ଶ୍ରେଣୀର ଅନ୍ତର୍ଭୁକ୍ତ କରି (art and literary workers) ମାଓ–ସେ–ତୁଙ୍ଗ ବିଚାର କରିଛନ୍ତି ।

 

ବିଜୟହାସଲ କରିବାର ସାତବର୍ଷ ଆଗରୁ ଚୀନ–ବିପ୍ଳବର ପ୍ରଧାନ ପରିଚାଳକ ଲେଖକ–ଶିଳ୍ପୀମାନଙ୍କୁ ଯେଉଁ ଆହ୍ୱାନ ମାଓ ଦେଇଥିଲେ, ସେ ଦେଶରେ ଏବେ ନୂତନ ରାଷ୍ଟ୍ର ଗଠିତ ହେବାପରେ ଉକ୍ତ ଆହ୍ୱାନର ଉପଯୋଗିତା ଅବଶ୍ୟ ହ୍ରାସ ପାଇଛି । କିନ୍ତୁ ବର୍ତ୍ତମାନ ନୂତନ ଚୀନର ନିର୍ମାଣ କର୍ମରେ ଶିଳ୍ପୀ–ଲେଖକଗଣ ଯେଭଳି ସ୍ପନ୍ଦନ ଓ ଉତ୍ସାହ ସୃଷ୍ଟି କରିପାରନ୍ତି ନିଜ ନିଜର ବିଭିନ୍ନ ରଚନା ସାହାଯ୍ୟରେ, ତାହାର ସୂଚନା ମଧ୍ୟ ମାଓ–ସେ–ତୁଙ୍ଗ ସେଇ ସମୟରୁ ଦେଇଥିଲେ ।

 

ଅହିଂସ ସମର

 

୧୯୪୨ ଖ୍ରୀଷ୍ଟାବ୍ଦ ମଇ ମାସ ୪ ତାରିଖରେ ୟେନାନ୍‌ ସହରରେ ଅନୁଷ୍ଠିତ ଲେଖକ ଶିଳ୍ପୀ ସମ୍ମିଳନୀରେ ଚୀନ–ବିପ୍ଳବର ସାରଥି ମାଓ–ସେ–ତୁଙ୍ଗ ବିପ୍ଳବକୁ ଅଧିକ ଶକ୍ତିଶାଳୀ କରିବା ଉଦ୍ଦେଶ୍ୟରେ ଲେଖକ–ଶିଳ୍ପୀମାନଙ୍କୁ ସୈନିକରୂପେ ଯୋଗଦେବାକୁ ଡାକିଥିଲେ । ଏଇ ଘଟଣାର ଠିକ୍‌ ତିନିମାସ ପରେ ସେହି ବର୍ଷ ଅଗଷ୍ଟ ୮ ତାରିଖରେ ଭାରତରେ ଅହିଂସ ସମରର ପୁରୋଧା ‘‘ଭାରତ ଛାଡ଼’’ ପ୍ରସ୍ତାବଦ୍ୱାରା ଶେଷ ଆକ୍ରମଣ ଚଳାଇଲେ । ଭାରତ ଓ ଚୀନର ଜାତୀୟ ସଂଗ୍ରାମର ଆକାରପ୍ରକାର, ପଦ୍ଧତି ଓ ଗୁଣ ମଧ୍ୟରେ ଅନେକ ଫରକ ଥିଲେ ମଧ୍ୟ ଏବଂ ଅହିଂସା–ବିଜ୍ଞାନ (?)ର ସ୍ୱତନ୍ତ୍ର ରୂପରେଖକୁ ଆଦିମ (primitive) ଆଖ୍ୟା ଦିଆଗଲେ ମଧ୍ୟ ଏହିରୂପ ଏକ ସଂଗ୍ରାମ ଯେ ଏବେ ଭାରତଭୂମିରୁ ଉଦ୍ଭବ ହୋଇଛି, ସେଥି ସହିତ ଚୀନ ଭଳି ଶିଳ୍ପ–ସାହିତ୍ୟର ସହଯୋଗ କିମ୍ୱା ସହଯୋଗର ପନ୍ଥାରେ ଏଗୁଡ଼ିକୁ ବିଚାର କରିବା ବିଧେୟ ନୁହେଁ କି ?

 

ଚୀନ–ବିପ୍ଳବର ଉଗ୍ରତା ତଥା ବିସ୍ତୃତ ଓ ଗଭୀରତା ନିଶ୍ଚୟ ଅନସ୍ୱୀ କାର୍ଯ୍ୟ । ଚୀନ ଭଳି ଭାରତୀୟ ଶିଳ୍ପୀ ଲେଖକମାନଙ୍କୁ ଅବଶ୍ୟ ସଙ୍ଗଠିତ ଭାବରେ ସ୍ୱାଧୀନତା ସଂଗ୍ରାମରେ ଝାସଦେବାଲଶଗି ଆହ୍ୱାନ କରାଯାଇନାହିଁ । କିନ୍ତୁ କବି ରବୀନ୍ଦ୍ରନାଥଙ୍କ ଶାନ୍ତିନିକେତନରେ ମହାତ୍ମା ଗାନ୍ଧିଙ୍କର ଅବସ୍ଥାନ ଏବଂ ସେଠାରେ ଛାତ୍ରଛାତ୍ରୀମାନଙ୍କୁ ଆତ୍ମନିର୍ଭରଶୀଳତା ଶିକ୍ଷା ଦେବାପାଇଁ ଓ ନିଜ ନିଜର ସକଳ କାର୍ଯ୍ୟ ନିଜ ହସ୍ତରେ ତୁଲାଇବା ପାଇଁ ସ୍ୱୟଂ ଆଦର୍ଶ ଦେଖାଇ ଗାନ୍ଧି ଯେଉଁ ନବଚେତନା ସୃଷ୍ଟି କଲେ, ତାହା ଶାନ୍ତିନିକେତନର ଚେହେରାକୁ ଅନେକ ପରିମାଣରେ ବଦଳାଇ ଦେଇନଥିଲା କି ?

 

ଗାନ୍ଧି ଏବଂ କବି ରବୀନ୍ଦ୍ରନାଥଙ୍କ ସମ୍ପର୍କ ସ୍ମରଣ କଲେ ଆମ ଦେଶର ଜାତୀୟ ସଂଗ୍ରାମରେ ଶିଳ୍ପସାହିତ୍ୟର ସ୍ଥାନ ସମ୍ୱନ୍ଧରେ କେତେକ ଧାରଣା ଜନ୍ମିପାରେ । ବିଶେଷତଃ ବିଦେଶୀ ବର୍ଜନ ଓ ବିଦେଶୀ ଲୁଗା ଜାଳିଦେବା ବ୍ୟାପାରରେ ଭାରତର ଶ୍ରେଷ୍ଠ କବି ଏବଂ ଶ୍ରେଷ୍ଠ ଜନନାୟକଙ୍କ ମଧ୍ୟରେ ଯେଉଁ ମତାନୈକ୍ୟ ଘଟିଥିଲା ଓ ପରସ୍ପର ପତ୍ରବିନିମୟଦ୍ୱାରା କବିଶିଳ୍ପୀମାନଙ୍କୁ ଗାନ୍ଧି ତୁଳୀ ଓ ଲେଖନୀ ଛାନି ଜାତୀୟ ସଂଗ୍ରାମରେ ଝାସଦେବାକୁ ଆହ୍ୱାନ କରିଥିଲେ, ତାହାର ତୀବ୍ରତା ଓ ଉଷ୍ମତା ମାଓ–ସେ–ତୁଙ୍ଗଙ୍କ ଆହ୍ୱାନଠାରୁ ଅଳ୍ପ ନୁହେଁ । ନୀତିଗତ ନାନା ପାର୍ଥକ୍ୟ ସତ୍ତ୍ୱେ କବିଶିଳ୍ପୀମାନଙ୍କ ପ୍ରତି ଗାନ୍ଧି ଏବଂ ମାଓଙ୍କ ଆହ୍ୱାନ ମଧ୍ୟରେ ଆଶ୍ଚର୍ଯ୍ୟ ସାମଞ୍ଜସ୍ୟ ଲକ୍ଷିତ ହୋଇଥାଏ ।

 

କବି ରବୀନ୍ଦ୍ରନାଥ ‘ମଡ଼ର୍ଣ୍ଣ ରିଭ୍ୟୁ’ ଇଂରାଜୀ ମାସିକ ପତ୍ରରେ ଅସହଯୋଗ ଆନ୍ଦୋଳନ ବିରୁଦ୍ଧରେ ଏକ ଚିନ୍ତାପୂର୍ଣ୍ଣ ପ୍ରବନ୍ଧ ପ୍ରକାଶ କରିଥାନ୍ତି । ଆନ୍ଦୋଳନକୁ ସଫଳ କରିବା ସକାଶେ ଜବରଦସ୍ତ ନିଜ ମତକୁ ଅନ୍ୟମାନଙ୍କ ଉପରେ ଚାପିବା, ଦାସ–ମନୋବୃତ୍ତି ଓ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହେବା ବିରୁଦ୍ଧରେ ସେ ଏକ ତୀବ୍ର ପ୍ରତିବାଦ–ସ୍ୱର ଉଠାଇଥାନ୍ତି । ଅସହଯୋଗର ଯେଉଁ କେତେକ କର୍ମପନ୍ଥା ମନୁଷ୍ୟର ହୃଦୟକୁ ଓ ମସ୍ତିଷ୍କକୁ ସ୍ପର୍ଶ କରେ ନାହିଁ, ତାହା ଯେ ସର୍ବଥା ବର୍ଜନୀୟ, କବି ସେ କଥାର ଏକ ବଳିଷ୍ଠ ଓ ସୁଦୃଢ଼ ଯୁକ୍ତି ତାଙ୍କ ପ୍ରବନ୍ଧରେ ଦର୍ଶାଇଥାନ୍ତି । ସେଥିରୁ ଚରଖା, କଦଡ଼ ଓ ବିଦେଶୀ ବସ୍ତ୍ର ଜାଳିଦେବା କାର୍ଯ୍ୟ ଉପରେ ତାଙ୍କର ଅବିଶ୍ୱାସ ଓ ଉତ୍କଟ ଆକ୍ରମଣ ସୂଚିତ ହେଉଥାଏ ।

 

ଗାନ୍ଧିଙ୍କ ଉତ୍ତର

 

କବିଙ୍କ ଯୁକ୍ତି ଓ ଆକ୍ରମଣକୁ ଗାନ୍ଧି ଯେପରି ଉଦାରତା ସହିତ ଗ୍ରହଣ କରିଛନ୍ତି, ସେଥିରୁ ତାହାଙ୍କ ଧର୍ଯ୍ୟ, ବିନୟ ଓ ଅସାମାନ୍ୟ ନେତୃତ୍ୱଶକ୍ତିର ପରିଚୟ ମିଳେ । ସମ୍ପୂର୍ଣ୍ଣ ଶାନ୍ତ ଏବଂ ଅବିଚଳିତ ଭାବରେ ରବୀନ୍ଦ୍ରନାଥଙ୍କ ଯୁକ୍ତିଗୁଡ଼ିକୁ ବିଚାର କରିସାରି ସେ ମାନିନେଇଛନ୍ତି ଯେ, ସତ୍ୟ ଏବଂ ବିବେକକୁ କାହାରି ମାର୍ଫତ ଛାଡ଼ିଦେବା ମାନସିକ ଅଧୋଗତିର ଦୁର୍ଲକ୍ଷଣ ଛଡ଼ା ଆଉ କିଛି ନୁହେଁ । ‘‘ମୁଁ ଯାହା କିଛି କରିଛି କିମ୍ୱା କହିଛି, ଦେଶ ଯଦି ସେସବୁକୁ ବିଚାର ଶୂନ୍ୟ ହୋଇ ଅନ୍ଧଭାବରେ ଅନୁସରଣ କରିଥାଏ ବୋଲି ଜାଣିବି, ତେବେ ମୋର ଚରମ ଦୁଃଖ ଜାତ ହେବ । ଜଣେ ସ୍ୱେଚ୍ଛାଚାରୀର ଚାବୁକ ପାଖରେ ବାଧ୍ୟହୋଇ ଆତ୍ମସମର୍ପଣ କରିବା ଅପେକ୍ଷା ଶ୍ରଦ୍ଧାଭକ୍ତି ଆଗରେ ଆତ୍ମସମର୍ପଣ ଯେ ବେଶି କ୍ଷତିକାରକ, ସେ ସମ୍ୱନ୍ଧରେ ମୁଁ ଯଥେଷ୍ଟ ଅବହିତ ଅଛି ।’’

 

ଦାସ ମନୋବୃତ୍ତି

 

ଗୋଟାଏ ପଶୁ ପାଖରେ ଯେ ଗୋଲାମୀ କରେ, ତାହାର ପରିତ୍ରାଣ ଲାଗି କିଛି ହେଲେ ଭରସା ଅଛି; ମାତ୍ର ଶ୍ରଦ୍ଧା–ପ୍ରେମର ଗୋଲାମ ସକାଶେ କିଛି ନାହିଁ । ଦୁର୍ବଳକୁ ସବଳ କରିବା ପାଇଁ ପ୍ରେମ ଲୋଡ଼ାହୁଏ; ଅବିଶ୍ୱାସୀକୁ ଜୋର କରି ବଶତା ସ୍ୱୀକାର କରାଇବା ପାଇଁ ନୁହେଁ । ତେଣୁ ଯେଉଁମାନେ ନବୁଝି ଚରଖାକୁ ଗ୍ରହଣ କରୁଛନ୍ତି, ସେମାନେ ସାହସର ସହିତ ନିଜ ପ୍ରତିବାଦ ଘୋଷଣା କରିବା ଉଚିତ ।

 

‘‘I regard the poet as a sentinel warning us against the approach of enemies called Biogotry, Lethargy Intolerance, Ignorance, Inertia and other members of that brood.”

 

‘‘ଧର୍ମାନ୍ଧତା, ଜଡ଼ତା, ନିଶ୍ଚେଷ୍ଟତା, ଅସହିଷ୍ଣୁତା, ଅଜ୍ଞାତ ଏବଂ ସେହି ଜାତୀୟ ଅନ୍ୟାନ୍ୟ ଶତ୍ରୁମାନଙ୍କ ଆକ୍ରମଣ ବିରୁଦ୍ଧରେ ଆମକୁ ସାବଧାନ କରିଦେଉଥିବା କବିଙ୍କୁ ମୁଁ ଏକ ସତର୍କ ପ୍ରହରୀରୂପେ ଜ୍ଞାନ କରେ ।’’

 

ସେଥି ସଙ୍ଗେ ସଙ୍ଗେ ଚରଖା କେବଳ ଅନ୍ଧବିଶ୍ୱାସରୁ ଲୋକେ ଗ୍ରହଣ କରିଛନ୍ତି କି ତାହା ମୂଳରେ ବିବେକଯୁକ୍ତ ଆବଶ୍ୟକତା ରହିଛି, ସେ କଥାକୁ ନିଜେ ଗଭୀରତରରୂପେ ବୁଝିବା ପାଇଁ କବିଙ୍କୁ ଆହ୍ୱାନ କରାଯାଇଛି ।

 

ଚରଖାର ବିପ୍ଳବ

 

ଗାନ୍ଧୀ ଚରଖାକୁ ଏକ ବୈପ୍ଳବିକ କର୍ମପନ୍ଥାରୂପେ ଗ୍ରହଣ କରିଥିଲେ । ପୁଣି ସେଇ ବିପ୍ଳବରେ ଦେଶମୟ ଯେପରି ଆଲୋଡ଼ନର ସୃଷ୍ଟି ହୋଇଥିଲା, ତାହା କାହାରିକି ଅବିଦିତ ନୁହେଁ । ଚୀନ–ବିପ୍ଳବରେ ଝାସ ଦେବାଲାଗି ମାଓ–ସେ–ତୁଙ୍ଗ ଯେପରି ସେ ଦେଶର କବି ଶିଳ୍ପୀମାନଙ୍କୁ ଡାକିଥିଲେ, ଗାନ୍ଧିଜୀ ମଧ୍ୟ ସେମିତି ଡାକିଛନ୍ତି–

 

‘‘I do indeed ask the poet and the sage to spin the wheel as a sacrament. when there is war, the poet lays down the lyre, lawyer his law reports, the school boy his books. The poet will sing the true note after the war is over.”

 

‘‘ଏକ ପବିତ୍ର ଧର୍ମଜ୍ଞାନରେ ଚରଖାକୁ ବୁଲାଇବା ପାଇଁ ମୁଁ ଅବଶ୍ୟ କବି ଓ ଋଷିଙ୍କୁ ଆହ୍ୱାନ କରୁଛି । ଯୁଦ୍ଧ ସମୟରେ କବି ତାଙ୍କର ବୀଣା ରଖିଦିଅନ୍ତି, ଓକିଲ ତାଙ୍କର ଅର୍ଜି ଓ ସ୍କୁଲଛାତ୍ର ତାଙ୍କ ବହି ବନ୍ଦ କରିଦିଅନ୍ତି । ଯୁଦ୍ଧ ପରେ ହିଁ କବିଙ୍କର ପ୍ରକୃତ କବିତାର ସ୍ଫୁରଣ ହେବ ।’’

 

ଭାରତର ନିଆଁ

 

ଘରେ ନିଆଁ ଲାଗିଲେ ସମସ୍ତେ ଯେପରି ଗୋଟିଏ ବାଲ୍‌ଟି ଧରି ନିଭାଇବା ପାଇଁ ବାହାରିପଡ଼ନ୍ତି, କବି–ସାହିତ୍ୟିକମାନଙ୍କୁ ମଧ୍ୟ ସେମିତି ବାହାରିବାକୁ ହେବ–

 

‘‘When a house is on fire all the inmates go out and each one takes up a bucket to quench the fire–It is my conviction that India is a house on fire, because its manhood is being daily scorched; It is dying of hunger, because it has no work to buy food with.”

 

‘‘ଭାରତର ଘରେ ଘରେ ନିଆଁ ଲାଗିଛି । କାରଣ ଏହାର ମନୁଷ୍ୟତା ଦିନକୁ ଦିନ ଶୁଖିଯାଉଛି ଓ ଅନାହାରରେ ମନୁଷ୍ୟ ପ୍ରାଣ ହରାଉଛି । ତାହାର ଅର୍ଥ, ଏ ଦେଶଲୋକେ ଯେ କାମ କରିପାରନ୍ତିନି ତାହା ନୁହେଁ, ସେମାନଙ୍କୁ କାମ ମିଳୁନାହିଁ । ଚରଖା ହିଁ ଏହି କାମ ଯୋଗାଇବ । ଚରଖାକୁ ବଞ୍ଚାଇବାକୁ ହେଲେ, ଦେଶରୁ ଏହି କ୍ଷୁଧାର ନିଆଁ ନିଭାଇବାକୁ ହେଲେ ବିଦେଶୀ ଲୁଗାସବୁ ଜାଳିବାକୁ ପଡ଼ିବ । ସେ ଲୁଗା ଅବଶ୍ୟ ତାଙ୍କ ନିଜର ହେବା ଉଚିତ, ଆଉ କାହାରି ନୁହେଁ-।’’

 

‘‘I venture to suggest to the poet that the clothes I ask him to burn must be and are his.”

 

ଗାନ୍ଧିଙ୍କ କବିତା

 

ବୁଭୁକ୍ଷୁକୁ ଅନ୍ନ ଯୋଗାଇବା ହିଁ ଗାନ୍ଧିଜୀଙ୍କର ଏକମାତ୍ର କବିତା ହୋଇଛି । ଯନ୍ତ୍ରଣାରେ ଯେଉଁ ରୋଗୀ ଛଟପଟ ହେଉଛି, ତାହାକୁ କବିଙ୍କର କବିତା ସାନ୍ତ୍ୱନା ଦେବ ବୋଲି ତାଙ୍କର ବିଶ୍ୱାସ ନାହିଁ ।

 

‘‘I found it impossible to soothe suffering patients with a song from kabir.The hungry million ask for one poem: invigorating food.”

 

ଚିଦାମ୍ୱରମ୍‌ଠାରେ ଅନୁଷ୍ଠିତ ଗତ ପି.ଇ.ଏନ. ଲେଖକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନେହେରୁ ମଧ୍ୟ ଏହି କଥାକୁ ହିଁ ଅନ୍ୟଭାଷାରେ ପ୍ରକାଶ କରିଛନ୍ତି ।

Image

 

ଜାତୀୟ ଓ ଅନ୍ତର୍ଜାତୀୟ

 

କବି କିମ୍ୱା ଶିଳ୍ପୀମାନଙ୍କ ଦୃଷ୍ଟିଭଙ୍ଗୀ ସହିତ ରାଜନୈତିକ ଦୃଷ୍ଟିଭଙ୍ଗୀର ପାର୍ଥକ୍ୟ ରବୀନ୍ଦ୍ରନାଥ ଓ ଗାନ୍ଧିଙ୍କ ପତ୍ରବିନିମୟରୁ ବହୁ ପରିମାଣରେ ବୁଝାଯାଏ । ରାଜନୈତିକ ଆନ୍ଦୋଳନ ଅଥବା ବିପ୍ଳବର ସାମୟିକ ଉତ୍ତେଜନାରେ ଏବଂ ସାମାଜିକ ତୁରନ୍ତ ସମସ୍ୟାଗୁଡ଼ିକ ସମାଧାନ ଲାଗି ଅନ୍ୟ ସମସ୍ତଙ୍କ ପରି କବି ଓ ଶିଳ୍ପୀମାନଙ୍କ ମଧ୍ୟ ଝାସଦେବା ଯେ ବିଧେୟ; ଏ ସମ୍ପର୍କରେ ଗାନ୍ଧି ଏବଂ ମାଓ–ସେ–ତୁଙ୍ଗ ପ୍ରମୁଖ ବିପ୍ଳବୀ ନେତାମାନେ ପ୍ରାୟ ଏକମତ । ତଥାପି ରବୀନ୍ଦ୍ରନାଥଙ୍କ ଭଳି ଶ୍ରେଷ୍ଠ କବି ମଧ୍ୟ ଅନେକ ସମୟରେ ତାଙ୍କ ସହିତ ଏକମତ ହୋଇପାରନ୍ତି ନାହିଁ ।

 

ରବୀନ୍ଦ୍ରଙ୍କ ଜାତୀୟ ପ୍ରେରଣା

 

ଗାନ୍ଧି ଏବଂ ରବୀନ୍ଦ୍ରନାଥଙ୍କ ମଧ୍ୟରେ ଅବଶ୍ୟ ବ୍ୟକ୍ତିଗତ ଭାବରେ ଅଭେଦ ପ୍ରୀତି ଥିଲା ଏବଂ ଅସହଯୋଗ ଆନ୍ଦୋଳନର କେତେକ ଯୋଜନା ରବୀନ୍ଦ୍ରନାଥ ସ୍ୱୀୟ ଶାନ୍ତିନିକେତନର ପରୀକ୍ଷା କରିଥିଲେ । ମାତ୍ର ଜାତୀୟ ଆନ୍ଦୋଳନର ପ୍ରାୟ ସମାପ୍ତି ପର୍ଯ୍ୟନ୍ତ ଜୀବିତ ଥିଲେ ମଧ୍ୟ ମହାକବିଙ୍କ ଲେଖନୀରୁ ଉକ୍ତ ଆନ୍ଦୋଳନର ଜୀବନ୍ତ ଚିତ୍ର ଖୁବ୍ କମ୍‌ ସଂଖ୍ୟକ ରଚନାରେ ପ୍ରତିଫଳିତ ହୋଇଛି । ତାହାକୁ ଏକ ପ୍ରକାର ନଗଣ୍ୟ ବୋଲାଯାଇପାରେ । ଉତ୍କୃଷ୍ଟ ସାହିତ୍ୟ ସୃଷ୍ଟି ଲାଗି କବି ଯେ ଜାତୀୟ ସଂଗ୍ରାମରୁ ଯଥେଷ୍ଟ ପ୍ରେରଣା ପାଇପାରିନାହାନ୍ତି ଅଥବା ସେ ରୂପ ପ୍ରେରଣା ଆସିବାଲାଗି ଯେ, ଅଧିକ ସମୟସାପେକ୍ଷ ଓ ବିଚାରସାପେକ୍ଷ, ରବୀନ୍ଦ୍ର ରଚନାର ନିଶ୍ଚେଷ୍ଟତାରୁ ହିଁ ଏହା ସୂଚିତ ହୁଏ । ଅବଶ୍ୟ ଜାତୀୟ ଆନ୍ଦୋଳନକୁ ଉଦ୍‌ବୋଧନ ଓ ପ୍ରେରଣା ଦେଲାଭଳି ରଚନା ଅନେକ ଆଗରୁ ସେ ଲେଖିଥିଲେ । ଏହି ପରିସ୍ଥିତି ଲାଗି ଅର୍ଥାତ୍‌ ଜାତୀୟ ଆନ୍ଦୋଳନର ସମସାମୟିକ ରଚନାରେ ତାହାର ପ୍ରତିବିମ୍ୱ ନ ଦେଖି କବିଙ୍କୁ ଦୋଷିବାକୁ ପଡ଼ିବ କିମ୍ୱା ରାଜନୀତିଜ୍ଞ ଓ ତାଙ୍କ ଆନ୍ଦୋଳନକୁ ଦାୟୀ କରିବାକୁ ହେବ, ତାହାର ବିଚାର ପାଇଁ ଏକାଧିକ କାର୍ଯ୍ୟକାରଣ ବିଦ୍ୟମାନ । ବର୍ତ୍ତମାନର କବି ଓ ରାଷ୍ଟ୍ରନେତାମାନଙ୍କ ଉପରେ ସେ ବିଚାରର ଭାର ପଡ଼ିଛି । କାରଣ ନୂତନ ରାଷ୍ଟ୍ର ସଙ୍ଗଠନରେ ସାହିତ୍ୟର ଦାନକୁ ଅସ୍ୱୀକାର କରିହେବ ନାହିଁ ।

 

ନୂତନ ସାହିତ୍ୟ

 

ଭାରତୀୟ ସାହିତ୍ୟ ନିର୍ମାଣ ଲାଗି ପ୍ରଧାନମନ୍ତ୍ରୀ ଚିଦାମ୍ୱରମ୍‌ଠାରେ ଗତ ନିଖିଳ ଭାରତୀୟ ପି.ଇ.ଏନ ସମ୍ମିଳନୀରେ ଯେଉଁସବୁ ମତାମତ ପ୍ରକାଶ କରିଛନ୍ତି ଏବଂ ତାହା ପରେ ଆଉ କେତେକ ସାହିତ୍ୟିକ ଅନୁଷ୍ଠାନରେ ମଧ୍ୟ ଯାହା କହିଛନ୍ତି, ସେଥି ସହିତ ଭାରତୀୟ ତଥା ବିଭିନ୍ନ ଦେଶର ନେତୃବର୍ଗଙ୍କ ମତାମତଗୁଡ଼ିକୁ ତୁଳନା ଓ ପରୀକ୍ଷା କରିବା ଆବଶ୍ୟକ ।

 

ଚିଦାମ୍ୱରମ୍‌ଠାରେ ଶ୍ରୀ ନେହେରୁ ଆଞ୍ଚଳିକ ସାହିତ୍ୟମାନଙ୍କ ସମଷ୍ଟିକୁ ହିଁ ଭାରତୀୟ ସାହିତ୍ୟ ଆଖ୍ୟା ଦେଇଛନ୍ତି । ଆଧୁନିକ ସାହିତ୍ୟକୁ ପ୍ରାଚୀନ ଭିତ୍ତି ଉପରେ ପ୍ରତିଷ୍ଠା କରି ବିଶ୍ୱସାହିତ୍ୟର ସହଯୋଗଦ୍ୱାରା କିଭଳି ପୁଷ୍ଟ ଓ ବଳିଷ୍ଠ ଆକାର ବା ପ୍ରକାରରେ ଗଢ଼ିବାକୁ ହେବ ଏବଂ ଲେଖକ ସକାଶେ ଅନୁକୂଳ ବାୟୁମଣ୍ଡଳ ଯୋଗାଇବାକୁ ହେବ, ତାହାର ଏକ ସୁଚିନ୍ତିତ ବ୍ୟାଖ୍ୟା ସେ କରିଛନ୍ତି । ସେଥି ସଙ୍ଗେ ସଙ୍ଗେ ପ୍ରାଚୀନ କିମ୍ୱା ବିଶ୍ୱସାହିତ୍ୟର ଅନ୍ତର୍ଭୁକ୍ତ ହେଲେହେଁ ଯେଉଁ ସାହିତ୍ୟରେ ମାନବାତ୍ମାର ସ୍ଫୁରଣ ଘଟେ ନାହିଁ, ଯାହା ନିର୍ଜୀବ, ନପୁଂସକ, ହେୟ ଓ ପରିତ୍ୟାଜ୍ୟ, ତାହାଠାରୁ ଦୂରରେ ରହିବାପାଇଁ ଇଙ୍ଗିତ ମଧ୍ୟ ସେ ଦେଇଛନ୍ତି । ଦେଶବ୍ୟାପୀ ପୁନର୍ଗଠନ ଓ ପଞ୍ଚବାର୍ଷିକ ଯୋଜନାର କାର୍ଯ୍ୟକାରିତାର ଚିତ୍ର ସାହିତ୍ୟିକମାନଙ୍କ ଲେଖନୀରେ ଫୁଟିଉଠିବା ଯେତିକି ପ୍ରୟୋଜନ, ଅହିଂସା ଏବଂ ଶାନ୍ତିର ବାର୍ତ୍ତା ପ୍ରଚାରିତ ହେବାର ଆବଶ୍ୟକତା ତହିଁରୁ ଯେ ଊଣା ନୁହେଁ, ଏହାର ଆଭାସ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଉକ୍ତ ଭାଷଣରୁ ମିଳେ ।

 

ସାହିତ୍ୟର ଅବହେଳା

 

ଗତ ଅକ୍‌ଟୋବର ୧୯୫୪ ପହିଲା ତାରିଖରେ ପ୍ରଧାନମନ୍ତ୍ରୀ ନେହେରୁ ମରାଠୀ ସାହିତ୍ୟ ସମ୍ମିଳନୀର ୩୭ଶ ଅଧିବେଶନ ଉଦ୍‌ଘାଟନ କରି ଯେଉଁ ମନ୍ତବ୍ୟ ଦେଇଛନ୍ତି, ତାହା ମଧ୍ୟ ବିଶେଷଭାବରେ ଅନୁଧେୟ । ଏହି ସମ୍ମିଳନୀ ଦିଲ୍ଲୀଠାରେ ଛଅଦିନ ପର୍ଯ୍ୟନ୍ତ ବସିଥିଲା ଏବଂ ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରୁ ପ୍ରାୟ ଏକ ହଜାର ଜଣ ପ୍ରତିନିଧି ଏଥିରେ ଯୋଗଦେଇଥିଲେ । ଉଦ୍‌ଘାଟନ ଭାଷଣରେ ଶ୍ରୀ ନେହେରୁ ଯାହା କହିଥିଲେ, ତାହା ‘ଗାନ୍ଧିଙ୍କ କବିତା’ ଠାରୁ କିମ୍ୱା ଚିଦାମ୍ୱରମ୍‌ଠାରେ ଦେଇଥିବା ସ୍ୱୀୟ ମନ୍ତବ୍ୟଠାରୁ କେତେକ ପରିମାଣରେ ପୃଥକ୍‌ ଏବଂ ଅନେକ ପରିମାଣରେ ବିପରୀତ ବୋଲି ମଧ୍ୟ ଅନୁମତି ହୁଏ । ମାତ୍ର ଯଥାର୍ଥରେ ତାହା ନୁହେଁ ।

 

ରବୀନ୍ଦ୍ରନାଥଙ୍କୂ ଉତ୍ତର ଦେଇ ଗାନ୍ଧି ଯେପରି କହିଥିଲେ–କବୀରଙ୍କ କବିତା ରୋଗ ଓ କ୍ଷୁଧା ଯନ୍ତ୍ରଣାକୁ ଉପଶ୍ରମ କରିବାକୁ ସମର୍ଥ ହୋଇପାରିବ ନାହିଁ । ପି.ଇ.ଏନ ସମ୍ମିଳନୀରେ ମଧ୍ୟ ଭାରତର ପ୍ରଧାନମନ୍ତ୍ରୀ କ୍ଷୁଧିତ ଜନତାର ସମସ୍ୟାଗୁଡ଼ିକ ସାହିତ୍ୟ ଅପେକ୍ଷା ଅଧିକ ଜରୁରି ବା ତୁରନ୍ତ ବୋଲି ବ୍ୟକ୍ତି କରିଥିଲେ । ମାତ୍ର ମହାରାଷ୍ଟ୍ରୀୟ ସାହିତ୍ୟ ସମ୍ମିଳନୀରେ ସେ ସାହିତ୍ୟକୁ ପ୍ରଥମ ସ୍ଥାନ ଦେଇ ସ୍ପଷ୍ଟରୂପେ କହିଛନ୍ତି– ଯେତ; ଧନଶାଳୀ ହେଲେ ମଧ୍ୟ ସାହିତ୍ୟ ପ୍ରତି ଅବହେଳା ପ୍ରଦର୍ଶନ କରୁଥିବା ଦେଶର ଜାତୀୟ ଅଭ୍ୟୁତ୍‌ଥାନ ସମ୍ଭବପର ହୋଇନପାରେ (no amount of wealth could be conducive to the advancement of a Nation if it neglected the development of literature.)

 

ଚିନ୍ତାନାୟକ

 

ପ୍ରକୃତରେ ଭାରତର ୧୪ଟି ପ୍ରଧାନ ଭାଷା ହିଁ ଜାତୀୟ ଭାଷା । କେବଳ ହିନ୍ଦୀ ନୁହେଁ ବୋଲି ମତଦେଇ ଶ୍ରୀ ନେହେରୁ ଲେଖକମାନଙ୍କୁ ସ୍ମରଣ କରାଇ ଦେଇଛନ୍ତି ଯେ, ସମାଜପ୍ରତି ସେମାନଙ୍କ ଉପରେ ଏକ ଗୁରୁଦାୟିତ୍ୱ ନିହିତ ଅଛି । ‘‘It is you who give a direction to the thoughts of men and if they get a wrong direction, it will be a misfortune’’ ଅର୍ଥାତ୍‌ ‘‘ଆପଣମାନେ (ଲେଖକ) ହିଁ ମାନବସମାଜର ଚିନ୍ତାକୁ ନେତୃତ୍ୱ ଦେଇଥାନ୍ତି ଏବଂ ଲୋକେ ଯଦି ଏକ ଭୁଲ୍ ନେତୃତ୍ୱ ପାଆନ୍ତି, ତାହାହେଲେ ଦୁର୍ଭାଗ୍ୟର କଥା ହେବ ।’’

 

ଚିନ୍ତାର ନେତୃତ୍ୱ ଯେ କର୍ମର ନେତୃତ୍ୱଠାରେ କୌଣସି ଗୁଣରେ ସାମାନ୍ୟ ନୁହେଁ ବରଂ ବହୁ ଗୁଣରେ ଅଧିକ ବିପଜ୍ଜନକ ବା କ୍ଷତିକାରକ, ଏ କଥାଟି କୌଣସି ଚିନ୍ତାଶୀଳ ସାହିତ୍ୟିକଙ୍କୁ ବୁଝାଇବାକୁ ହେବ ନାହିଁ । ତେଣୁ ଚିନ୍ତାନାୟକଗଣ ଅଧିକ ସର୍ତକ, ବିଚାରବନ୍ତ ଓ ଧୈର୍ଯ୍ୟଶୀଳ ହେବାପାଇଁ ଶ୍ରୀ ନେହେରୁ ଚେତାଇ ଦେଇଛନ୍ତି । ତାହାର କାରଣ ଉପସ୍ଥିତ ସାହିତ୍ୟରେ ଅବିଚାର, ଅସାବଧାନତା ଓ ଅସହିଷ୍ଣୁ ଭାବ ପରିସ୍ଫୁଟ ହେବା ସାହିତ୍ୟିକ ନେତୃତ୍ୱର ଯେ ପ୍ରକୃଷ୍ଟ ପରିଚୟ ନୁହେଁ, ଏଥିରେ ସନ୍ଦେହ ନାହିଁ ।

 

ଶିଳ୍ପୀ କିମ୍ୱା ସାହିତ୍ୟିକର ଅସଲ କାମ ହେଲା, ସମାଜକୁ ପଥପ୍ରଦର୍ଶନ କରିବା–କିଏ ଭୁଲ୍ କିଏ ଠିକ୍‌, କିଏ ସତ୍‌ ବା କିଏ ଅସତ୍‌, କେଉଁ ପଥ ଅନୁସରଣୀୟ ଓ କିଏ ପରିତ୍ୟାଜ୍ୟ, ତାହାର ଇଙ୍ଗିତ ଦେବା । ପୁଣି ସେ ଇଙ୍ଗିତ ଯଦି ପ୍ରତ୍ୟକ୍ଷ ହୋଇଥାଏ, ଅର୍ଥାତ୍‌ କେବଳ କେତେକ ସିଧାସଳଖ ଉପଦେଶ ବା ପରାମର୍ଶରେ ପର୍ଯ୍ୟବେସିତ ହୁଏ, ସେଠାରେ କାଳର ଆଦର୍ଶ ଯେମିତି କ୍ଷୁଣ୍ଣ ହୁଏ, ତାହାର ଉଦ୍ଦେଶ୍ୟରେ ମଧ୍ୟ ସେମିତି ହାନି ଘଟେ । ଯଥାର୍ଥ ଶିଳ୍ପ କିମ୍ୱା ସାହିତ୍ୟ ଯେଉଁ ଉଦାହରଣମାନ ଦେଖାଏ, ଯେଉଁ ଚରିତ୍ର ସୃଷ୍ଟି କରେ, ତାହା ଇଙ୍ଗିତ ଦେଇଥାଏ ମାତ୍ର । ଉପଦେଶ, ପରାମର୍ଶ ଅଥବା ଜବରଦସ୍ତି କରି ସମାଜକୁ ଗଢ଼ିବା କିମ୍ୱା ସମାଜର ମେଧାଶକ୍ତିକୁ ବେଠି ଖଟାଇ ଦାସ–ମନୋଭାବ ସଞ୍ଚାର କରାଇବା ସାହିତ୍ୟର କେବେହେଲେ ଲକ୍ଷ୍ୟ ହୋଇନପାରେ ।

 

ସାହିତ୍ୟ ଲାଠି ନୁହେଁ

 

ମହାରାଷ୍ଟ୍ର ସାହିତ୍ୟ ସମ୍ମିଳନୀରେ ସେହି କଥା ସ୍ମରଣ କରାଇଦେଇ ଶ୍ରୀ ନେହେରୁ କହିଛନ୍ତି, ‘‘While aware of their responsibilities, Writers must refrain from ordering people about. Literature was not a lathi where with to force people to think in a particular way. It only gave the country a direction of thought. It was in this sense that writers could help lay the foundation of a strong and prosperous India’’.

 

ଅର୍ଥାତ୍‌ ‘‘ଲେଖକମାନେ ସ୍ୱୀୟ ଦାୟିତ୍ୱ ପ୍ରତି ଅବିହିତ ହେବା ସଙ୍ଗେ ସଙ୍ଗେ ଲୋକମାନଙ୍କୁ ଆଦେଶ ଦେବାରୁ ବିରତ ହେବା ଆବଶ୍ୟକ । କାରଣ ସାହିତ୍ୟ ଗୋଟାଏ ଲାଠି ନୁହେଁ ଯେ, ତାହାରି ଜୋରରେ ଲୋକମାନଙ୍କୁ ଗୋଟାଏ ନିର୍ଦ୍ଦିଷ୍ଟ ଭାବଧାରା ଘେନି ଚିନ୍ତା କରିବା ଲାଗି ଜବରଦସ୍ତି କରାଯିବ । ଏହା କେବଳ ଦେଶର ଚିନ୍ତାଧାରାକୁ ଏକ ପଥ ଦେଖାଇଥାଏ । ଏହି ଅର୍ଥରେ ହିଁ ଲେଖକଗଣ ଏକ ଶକ୍ତିଶାଳୀ ଓ ସମୁନ୍ନତ ଭାରତର ଭିତ୍ତିସ୍ଥାପନ କାର୍ଯ୍ୟରେ ସାହାଯ୍ୟ କରିପାରନ୍ତି ।’’

 

ଦାସମନୋବୃତ୍ତିରୁ ମୁକ୍ତି

 

ଯେତେପ୍ରକାର ଜାତି, ଧର୍ମ, ସାମ୍ପ୍ରଦାୟିକ ଓ ରାଜନୈତିକ ଚିନ୍ତାଧାରାର ଦାସତ୍ୱରେ ମାନବ ମନ ଭାରାକ୍ରାନ୍ତ ହୋଇପଡ଼େ, ପ୍ରାଚୀନତା ଓ ଆଧୁନିକତାର ଆବରଣତଳେ ଯେତେ ଆବିଳତା ପ୍ରବେଶ କରେ, ତହିଁରୁ ମନୁଷ୍ୟଚିତ୍ତକୁ ମୁକ୍ତ କରିବାର ସୁମହତ୍ କର୍ମ ସାହିତ୍ୟ ଉପରେ ହିଁ ନିହିତ । ସେ ଉନ୍ମୁକ୍ତ ପ୍ରଶାନ୍ତ ଭୂମିର ଆସ୍ୱାଦନ ଲାଭ କରିବାକୁ ଯାଇ ମଧ୍ୟ କ୍ଷୁଦ୍ରତମ ଓ ସୂକ୍ଷ୍ମତମ ଅଣୁ–ପରମାଣୁକୁ ସୁଦ୍ଧା ପାସୋରି ପକାଇପାରେ ନାହିଁ ।

 

କୋଣାର୍କର ବିରାଟ ଶିଳ୍ପ ପରିକଳ୍ପନା ମଧ୍ୟରେ ପ୍ରକାଣ୍ଡ ଶିଳାଖଣ୍ଡ ଉପରେ ଯେପରି ସୂକ୍ଷ୍ମତମ ଚାରୁକଳା ପ୍ରଦର୍ଶିତ ହୋଇଛି, ସାହିତ୍ୟ ସେହିରୂପେ ବିଶ୍ୱପ୍ରକୃତିର ଅତି କ୍ଷୁଦ୍ର ଜଡ଼ ଓ ପ୍ରାଣୀର କ୍ରିୟା ମଧ୍ୟରେ, ତଥା ଅବହେଳିତ ଲାଞ୍ଛିତ ମାନବ–ଚରିତ୍ର ମଧ୍ୟରେ ବିଶ୍ୱରୂପ ସନ୍ଦର୍ଶନ କରେ । ଆଦର୍ଶ ତାହାର ସାର୍ବଭୌମ ହେଲେ ମଧ୍ୟ ଅବାସ୍ତବ କିମ୍ୱା ଅପାର୍ଥିବ ନୁହେଁ । ଆନ୍ତର୍ଜାତିକ ଭାବଧାରାରେ ତାହା ଅନୁପ୍ରାଣିତ ହେଲେହେଁ ଜାତୀୟ କିମ୍ୱା ସ୍ଥାନୀୟ ବିଷୟବସ୍ତୁ ବା ଚରିତ୍ର ହିଁ ତାହାର ଅବଶ୍ୟ ଅବଲମ୍ୱନ ।

 

ସବୁଠାରୁ ବେଶି ଆଶା ଓ ଆନନ୍ଦର କଥା ଏହି ଯେ, ଭାରତର ଆଧୁନିକ ରାଷ୍ଟ୍ରଗଠନରେ କଳା–ସାହିତ୍ୟର ଅବିଚ୍ଛେଦ୍ୟ ପ୍ରୟୋଜନୀୟତା ଅନୁଭୂତ ହୋଇଛି । କଳା–ସାହିତ୍ୟକୁ ଅବହେଳା କରି ରାଷ୍ଟ୍ର କିମ୍ବା ସମାଜର ସୁସ୍ଥ, ସବଳ ଓ ସ୍ୱାଭାବିକ ଅଭିବୃଦ୍ଧି ଯେ ଅସମ୍ଭବ, ତାହା ବୁଝିବାକୁ ଆଉ ବାକି ନାହିଁ ।

 

ଲେଖକ ଓ ଇଞ୍ଜିନିୟର

 

ରାଷ୍ଟ୍ରଗଠନ କ୍ଷେତ୍ରରେ ବା ଦେଶର ନିର୍ମାଣ ଯୋଜନାରେ ଇଞ୍ଜିନିୟର ଭଳି ଲେଖକ ମଧ୍ୟ ଅନିବାର୍ଯ୍ୟ । ଶ୍ରୀ ନେହେରୁ ଏହି ତୁଳନା କରିଛନ୍ତି– “Engineers and writers are most essential. Without them the country will not blossom physically and intellectually. Perhaps one could do without mere office goers. The country could still advance. But it will not go ahead without Engineers and Litterateurs–’’ ଅର୍ଥାତ୍ ‘‘ଇଞ୍ଜିନିୟର ଏବଂ ଲେଖକମାନଙ୍କ ପ୍ରୟୋଜନୀୟତା ସର୍ବାଗ୍ରେ । ସେମାନଙ୍କ ବ୍ୟତିରେକ ଦେଶର ବୈଷୟିକ ଓ ବୌଦ୍ଧିକ ବିକାଶ ଘଟିବ ନାହିଁ । କେବଳ ଅଫିସ୍–ଯାତ୍ରୀ ବା ସିରସ୍ତା ରକ୍ଷକମାନଙ୍କ ବିହୁନେ ବୋଧହୁଏ ସବୁ କାମ ଚଳିଯାଇପାରେ ଏବଂ ତଥାପି ଦେଶ ଅଗ୍ରଗତି କରିପାରେ । ମାତ୍ର ଇଞ୍ଜିନିୟର ଓ ସାହିତ୍ୟିକମାନଙ୍କୁ ବାଦ୍‌ଦେଲେ ଏହା ଆଗକୁ ପାଦ ପକାଇପାରିବ ନାହିଁ ।’’ ପ୍ରଧାନମନ୍ତ୍ରୀଙ୍କର ଏହି ଉକ୍ତିରୁ ସାହିତ୍ୟର ଗୁରୁତ୍ୱ କେତେଦୂର, ତାହାର ସୁସ୍ପଷ୍ଟ ସୂଚନା ମିଳେ । ସେଥି ସଙ୍ଗେ ରୁଷର ପରଲୋକଗତ ଶ୍ରେଷ୍ଠ ଜନନାୟକ ଷ୍ଟାଲିନ୍‌ଙ୍କର ଗୋଟିଏ ଉକ୍ତି ମଧ୍ୟ ମନେପଡ଼ିଯାଏ ।

 

ଆତ୍ମାର କାରିଗର

 

ଷ୍ଟାଲିନ୍ କହିଥିଲେ, ‘‘Writers are engineers of the soul–’’ ଅର୍ଥାତ୍ ଲେଖକମାନେ ହିଁ ଆତ୍ମାର ଇଞ୍ଜିନିୟର ଅଥବା ଯନ୍ତ୍ରୀ । ଆଧୁନିକ ଜଗତର ଜଣେ ଚରମ ବାସ୍ତବବାଦୀଙ୍କ ମୁଖରୁ ଯେଉଁ କଥା ପୂର୍ବେ ଉଚ୍ଚାରିତ ହୋଇଥିଲା, ତାହାହିଁ ଆଜି ପ୍ରକାରାନ୍ତରେ ଶାନ୍ତିର ବାର୍ତ୍ତାବହ ନେହେରୁଙ୍କ ମୁଖରେ ପ୍ରତିଧ୍ୱନିତ ହୋଇଛି ବୋଲିବାକୁ ହେବ । ଶ୍ରେଷ୍ଠ ଭାବୁକମାନଙ୍କ ମଧ୍ୟରେ ଏହିରୂପ ଚିନ୍ତାର ସାମଞ୍ଜସ୍ୟ ଦେଖାଯିବା ବିଚିତ୍ର ନୁହେଁ ।

 

ଅବଶ୍ୟ କଳାସାହିତ୍ୟ ସମ୍ୱନ୍ଧରେ ଏହି ଉଭୟ ମନୀଷୀ ଓ ରାଜନୀତିଜ୍ଞଙ୍କର ମନ୍ତବ୍ୟର ଦୃଷ୍ଟିଭଙ୍ଗୀ ଓ ପ୍ରକାଶଭଙ୍ଗି ମଧ୍ୟରେ କିଛି ପାର୍ଥକ୍ୟ ଲକ୍ଷିତ ହୋଇପାରେ । ଷ୍ଟାଲିନ୍‌ଙ୍କ ସଂକ୍ଷିପ୍ତ ବାଣୀର ବ୍ୟାଖ୍ୟା କରିବାକୁ ଗଲେ ତାହା ମୂଳରେ ହୁଏତ ଜଡ଼ କିମ୍ୱା ବାସ୍ତବ ଦର୍ଶନର ସନ୍ଧାନ ମିଳିଥାଏ । ଆତ୍ମା ନାମକ ବସ୍ତୁ ବା ଅନୁଭୂତିର ସ୍ରଷ୍ଟା ଯେ କେବଳ ଲେଖକକୁଳ, ପୁଣି ସେହି ଆତ୍ମାକୁ ଉନ୍ନତ ଏବଂ ମହତ୍ ଭାବରେ ପୁନର୍ଗଠନ କରିବାର ଭାର ଯେ ତାଙ୍କର ଉପରେ ହିଁ ବିନ୍ୟସ୍ତ, ଷ୍ଟାଲିନ୍‌ଙ୍କ ଇଙ୍ଗିତରେ ଯେପରି ଏହି ଉଦ୍‌ବୋଧନ ନିହିତ ଅଛି, ଆତ୍ମାର କଥା ଉତ୍‌ଥାପନ କରିନଥିଲେହେଁ ଇଞ୍ଜିନିୟର ଓ ଲେଖକମାନଙ୍କ ସମ୍ୱନ୍ଧରେ ଶ୍ରୀ ନେହେରୁ ସେହିପରି ଉଦ୍‌ବୋଧନ ଦେଇଛନ୍ତି । ଉଭୟକୁ ହିଁ ଦେଶୋନ୍ନତିର ମୌଳିକ କାରଣରୂପେ ସେ ଦର୍ଶାଇଛନ୍ତି ।

 

ନିର୍ବୀର୍ଯ୍ୟ ଓ ନପୁଂସକ

 

ସାହିତ୍ୟକୁ ଉପସ୍ଥିତ ଅଧୋଗତିରୁ ଉଦ୍ଧାର କରିବା ଲାଗି ସନ୍ଥ ବିନୋବା ମଧ୍ୟ କେତେକ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି– ‘‘ସାହିତ୍ୟକୁ ସୁଧାରିବାକୁ ହେବ । ଆଜିକାଲି ଯାହାସବୁ ପଢ଼ାଯାଉଛି, ତାକୁ ବଦଳାଇବାକୁ ପଡ଼ିବ । ସିନେମା ଓ ସେଭଳି ସାହିତ୍ୟରୁ ଆମକୁ ମୁକ୍ତି ହେବାକୁ ପଡ଼ିବ । ସାମାଜିକ ଜୀବନକୁ ସୁସ୍ଥ, ସବଳ ଓ ଧର୍ମନିଷ୍ଠ କରି ଗଢ଼ିବାକୁ ହେବ । ଦୈନନ୍ଦିନ ଜୀବନକୁ ନିୟମିତ, ସଂଯମୀ ଓ ନିର୍ମଳ କରିବାକୁ ହେବ । X X X X ନିର୍ବୀର୍ଯ୍ୟ ଓ ନପୁଂସକ କରି ଗଢ଼ୁଥିବା ପୁସ୍ତକଗୁଡ଼ିକ ଗ୍ରନ୍ଥାଗାରରୁ ଛଟେଇ କରିଦେବାକୁ ହେବ । ଏସବୁ ଯେବେ ହେବ, ତେବେ ଆମ ରାଷ୍ଟ୍ର ପ୍ରାଣବାନ୍‌ଓ ତେଜସ୍ୱୀ ହେବ ।’’

 

ବିଦେଶୀବର୍ଜନ କିମ୍ୱା ବିଦେଶୀ ବସ୍ତ୍ର ପ୍ରଜ୍ଜ୍ୱଳନ ଆଦି ଜାତୀୟ ଆନ୍ଦୋଳନର କର୍ମସୂଚୀ ଭଳି ସାହିତ୍ୟ କ୍ଷେତ୍ରରୁ ଅସତ୍‌ ରଚନାଗୁଡ଼ିକର ଦୂରୀକରଣ ବା ନିରାକରଣ ଅବଶ୍ୟ ସହଜ ବ୍ୟାପାର ନୁହେଁ, ସେଥିଲାଗି ଲେଖକମାନଙ୍କ ସମେତ ରାଷ୍ଟ୍ର ତଥା ସମାଜର ଏକ ତୁମୂଳ ଉଦ୍ୟମ ଲୋଡ଼ା । ତେବେ ସିନା କଳା–ସାହିତ୍ୟର ଆମୂଳଚୂଳ ବିବର୍ତ୍ତନ ଓ ପରିବର୍ତ୍ତନ ସମ୍ଭବପର ହୋଇପାରେ !

Image

 

ଆତ୍ମିକ ଅନୁଧ୍ୟାନ

 

ଅନାବଶ୍ୟକ ରୁଗ୍‌ଣ ଅଂଶଗୁଡ଼ିକୁ ସାହିତ୍ୟର ଅବୟବରୁ ବାରିଦେବା ପାଇଁ ଯେଉ୍ୟଁ ଅସ୍ତ୍ରୋପଚାର ଆବଶ୍ୟକ, ତାହାର ଅପର ନାମ ସମାଲୋଚନା । ଅସ୍ତ୍ରୋପଚାର ଲାଗି ଚିକିତ୍ସକଙ୍କର ଯେପରି ଯୋଗ୍ୟତା ଓ ଅଭିଜ୍ଞତା ଲୋଡ଼ା, ସମାଲୋଚକର ଯୋଗ୍ୟତା ଓ ପାଣ୍ଡିତ୍ୟ ସେହିପରି । ଦେହ ସହିତ ରୋଗ ଓ ଚିକିତ୍ସକଙ୍କର ଯେମିତି ସମ୍ପର୍କ ଅଛି, କଳା–ସାହିତ୍ୟର ନବ ନବ ସୃଷ୍ଟି ସଙ୍ଗେ ସମାଲୋଚନାର ସମ୍ୱନ୍ଧ ମଧ୍ୟ ତହିଁରୁ କମ୍‌ତି ନୁହେଁ । ମାତ୍ର ଅନଭିଜ୍ଞ ଅନଭ୍ୟସ୍ତ ଅସ୍ତ୍ରୋପଚାରକ ଭଳି ସମାଲୋଚନା ମଧ୍ୟ ବହୁ ସ୍ଥଳରେ ହାନିକର ହୋଇପଡ଼େ । ପୁଣି ବରାଦ କରି ଦେଶଗଠନମୂଳକ ନାନା ଯୋଜନାକୁ କାର୍ଯ୍ୟରେ ପରିଣତ କରାଗଲେହେଁ, ବନ୍ଧ, ନାଳ, ସହର, ପଲ୍ଲୀ ଆଦିନୂତନ ନିର୍ମିତ ହେଲେହେଁ, ବରାଦ କରି, କଳା–ସାହିତ୍ୟର ସୃଷ୍ଟି କରିବା ଯେ ବିଡ଼ମ୍ୱନା, ତାହା ସ୍ମରଣ ରଖିବାକୁ ହେବ ।

 

ବରାଦୀ ସାହିତ୍ୟ

 

ବରାଦ ଅନୁସାରେ ପଞ୍ଚବାର୍ଷିକ ଯୋଜନାର ବିରାଟ ନିର୍ମାଣ କର୍ମ ଯେପରି ସମ୍ପାଦିତ ହୁଏ, ନୃତ୍ୟ ସଙ୍ଗୀତ ନାଟକ ଉପନ୍ୟାସ ବା ଚିତ୍ରସ୍ଥାପତ୍ୟକୁ ସେହିପରି ଏକ ନକ୍‌ସା ତିଆରି କରି ନିର୍ଦ୍ଦିଷ୍ଟ ପନ୍ଥାକୁ ଆଣିବା ଅର୍ଥାତ୍‌ ବରାଦ ଦେଇ ସାହିତ୍ୟ ଲେଖାଇବା କିମ୍ୱା ଗୀତ ବୋଲାଇବା ସାର୍ଥକ ହୁଏନାହିଁ । ଆକବର ବାଦଶାହ ଥରେ ତାନ୍‌ସେନ୍‌ଙ୍କୁ ଏକ ନିର୍ଦ୍ଦିଷ୍ଟ ରାଗରେ ଆଳାପ କରିବାକୁ ବରାଦଦେଇ ଏଇଭଳି ପରିସ୍ଥିତିରେ ସମ୍ମୁଖୀନ ହୋଇଥିଲେ । ସମ୍ରାଟ୍‌ଙ୍କଠାରୁ ଆଦେଶ ଶୁଣି ଗୀତ–ଶିଳ୍ପୀ ନିଜର ତାନପୁରାଟି ଅଲଗା କରି ରଖିଦେଇଥିଲେ ଏବଂ କହିଥିଲେ ଯେ, ସମ୍ରାଟ୍‌ଙ୍କ ଆଦେଶ ଅନୁଯାୟୀ ତାନପୁରା ଯଦି ଆପେ ବାଜିଉଠେ, ତେବେ ସେ ଅବଶ୍ୟ ଗାଇବେ-

 

ସେହି କାରଣରୁ ସ୍ୱୟଂ ଲେଖକ ପ୍ରଧାନମନ୍ତ୍ରୀ ନେହେରୁ ସାହିତ୍ୟିକମାନେ କ’ଣ ଲେଖିବେ ଓ କ’ଣ ଲେଖିବେ ନାହିଁ, ତାହାଉପରେ ଜୋରଦେଇ ବେଶି କିଛି କହିନାହାନ୍ତି । କେବଳ ସେମାନଙ୍କ ସକାଶେ ଏକ ଅନୁକୂଳ ବାତାବରଣ ସୃଷ୍ଟି କରିବା ତାଙ୍କର ଅଭିମତ । ଏହି ଅନୁକୂଳ ବାତାବରଣ ହିଁ କବିଙ୍କୁ ପ୍ରେରଣା ଦେବ, ଚିତ୍ରକରଙ୍କୁ ବିଷୟବସ୍ତୁ ଯୋଗାଇବ ଓ ସଙ୍ଗୀତଶିଳ୍ପୀଙ୍କ କଣ୍ଠକୁ ମୁଖର କରି ତୋଳିବ ।

 

କବି କିମ୍ୱା କଳାକାରମାନଙ୍କ ସ୍ୱଚ୍ଛନ୍ଦ ଲାଳନପାଳନ ଓ ସ୍ୱାଭାବିକ ଅଭିବୃଦ୍ଧି ଲାଗି ଯେଉଁ ବାତାବରଣ ଆବଶ୍ୟକ, ତାହାହିଁ ରାଷ୍ଟ୍ର ଓ ସମାଜ ପକ୍ଷରେ ଅନୁକୂଳ । ଅର୍ଥାତ୍‌ ରାଷ୍ଟ୍ର ବା ସମାଜର ସହଜ ସ୍ୱଚ୍ଛନ୍ଦ ପରିସ୍ଥିତିକୁ ହିଁ ଏହିରୂପ ବାତାବରଣ ଆଖ୍ୟା ଦିଆଯାଏ । ବ୍ୟକ୍ତିଗତ ତଥା ସାମାଜିକ ଜୀବନର ଉନ୍ମୁକ୍ତ ଉନ୍ମେଷ ହିଁ ଶ୍ରେଷ୍ଠ କଳା ବା ସାହିତ୍ୟର ଯେ ସୃଷ୍ଟି କରେ, ଏ କଥାରେ ଆଜି ଦ୍ୱିଧା ମତ ନାହିଁ ।

 

ମୁକ୍ତି-ସଂଗ୍ରାମ

 

ଚିନ୍ତା ଯେଉଁଠାରେ ଅଯଥା ଅବରୁଦ୍ଧ ହୋଇ ପୀଡ଼ା ପାଏ, ସେଠାରେ ଭାଷାର ସ୍ୱାଚ୍ଛନ୍ଦ୍ୟ କିମ୍ୱା ଛନ୍ଦର ସହଜ ପ୍ରକାଶ ଘଟେନାହିଁ । ପୁଣି ଇତିହାସର ଜନ୍ମଠାରୁ ଆଜିପର୍ଯ୍ୟନ୍ତ ପୃଥିବୀପୃଷ୍ଠରେ ଏପରି ଏକ ବାତାବରଣ କେବେହେଲେ ସୃଷ୍ଟି ହୋଇନାହିଁ, ଯହିଁରେ ମନୁଷ୍ୟର ଆଶାନୁରୂପ ସର୍ବାଙ୍ଗୀନ ମୁକ୍ତି ମିଳିପାରିଛି । ଜାଗତିକ ତଥା ସାମାଜିକ ଗଠନ ପ୍ରକ୍ରିୟା ଏପରି ଯେ, କେବଳ ମୃତ୍ୟୁ ବ୍ୟତୀତ ସମ୍ପୂର୍ଣ୍ଣରୂପେ ବନ୍ଧନଶୂନ୍ୟ ହେବା କଳ୍ପନାତୀତ । ତେଣୁ ଅସଂଖ୍ୟ ବନ୍ଧନ ମଧ୍ୟରେ ମୁକ୍ତିର ସ୍ୱାଦ ଲାଭ କରିବା ହିଁ କବିର ସାଧନା ।

 

ଏକ ଦୁର୍ଭେଦ୍ୟ ସୀମିତ ପରିସ୍ଥିତି ମଧ୍ୟରେ ରହି ମନୁଷ୍ୟ ନାନାଭାବରେ ମୁକ୍ତିର ଯୋଜନା କରୁଛି ମାତ୍ର । ରାଜନୀତି ଏବଂ ଅର୍ଥନୀତିର ବହୁ ଅସମର୍ଥିତ ନିୟମ ଓ ସଂଜ୍ଞା ପ୍ରଣୟନ କରିବାକୁ ଯାଇ ଶେଷରେ ସେ ଅରାଜକତା ଓ ଅନର୍ଥରାଶିକୁ ଡାକିଆଣୁଛି । କିନ୍ତୁ ସେହି ଅରାଜକତା ଓ ଅନର୍ଥରୁ ହିଁ ମନୁଷ୍ୟକୁ ମିଳେ ମୁକ୍ତିର ସ୍ୱାଦ । ସଂଘର୍ଷ ଓ ହାର–ଜିତ୍‌ ମଧ୍ୟରେ ହିଁ ଅହରହ ଜୀବନର କ୍ରୀଡ଼ା । ଯେକୌଣସି ମୁକ୍ତି କିମ୍ୱା ସ୍ୱାଧୀନତାର ଅର୍ଥ ଜୀବନ ସଂଗ୍ରାମର ଶେଷ ପର୍ଯ୍ୟାୟ ହୋଇନପାରେ ।

 

ପୃଥିବୀକୁ ଆସି ମନୁଷ୍ୟ ଯେତେ ବେଶି ଆୟତ୍ତ କରିପାରିଛି, ତାହାଠାରୁ ଯେ ଅନାୟତ୍ତର ମାତ୍ରା ଅନେକ ବେଶି, ଯେତେ ଆବିଷ୍କାର କରିଛି, ତହିଁରୁ ଯେ ଅନାବିଷ୍କୃତ ଓ ଅସମ୍ଭବର ସୀମା ଅତି ବିସ୍ତୃତ, ତାହାରି ଉପଲବ୍‌ଧିରେ ପ୍ରକୃତ ମୁକ୍ତି ବା ସ୍ୱାଧୀନତାର ପଥ ନିହିତ ଅଛି । ଯେଉଁ ବାତାବରଣ ଏହିରୂପ ଉପଲବ୍‌ଧି ଲାଗି ଅନୁକୂଳ, ତାହାହିଁ ସର୍ବଥା କାମ୍ୟ । ତାହାରି ଲାଗି ଯୁଗେ ଯୁଗେ ସଂଗ୍ରାମର ଅବସାନ ନାହିଁ ।

 

ଷ୍ଟିଫେନ୍‌ ସ୍ପେଣ୍ଡର୍‌

 

ବିଭିନ୍ନ ରାଜନୈତିକ ମତବାଦଦ୍ୱାରା ପରିଚାଳିତ ହେଲେ କଳାସାହିତ୍ୟର ବାତାବରଣ ଉନ୍ମୃକ୍ତ ନ ହୋଇ ସଂକୀର୍ଣ୍ଣ ଓ ସୀମାବଦ୍ଧ ହୋଇପଡ଼ୁଥିବାରୁ ଆକବର–ତାନ୍‌ସେନ୍‌ଙ୍କ ଉପାଖ୍ୟାନ ଭଳି ଆଜି ରାଜନୈତିକ ନେତାମାନଙ୍କ ବରାଦ ଅନୁଯାୟୀ କଳା ସାହିତ୍ୟର ସୃଷ୍ଟି ହେବା ସପକ୍ଷରେ ଓ ବିପକ୍ଷରେ ନାନା ମତ ଦେଖାଯାଏ । ଆଧୁନିକ ଶ୍ରେଷ୍ଠ ଇଂରେଜ କବି ଷ୍ଟିଫେନ୍‌ ସ୍ପେଣ୍ଡର୍‌ ଗତ ୧୫।୧୧।୧୯୫୪ ତାରିଖରେ କଲିକତାରେ ଅବତରଣ କରି ପରଦିନ ପି.ଇ.ଏନ. ଆନୁକୂଲ୍ୟରେ ଅନୁଷ୍ଠିତ ଏକ ସାହିତ୍ୟ ସମ୍ମିଳନୀରେ ରାଜନୈତିକ ଚିନ୍ତାଧାରା ଓ ନିର୍ଦ୍ଦେଶ ପ୍ରତି ଭାରତୀୟ ତଥା ଏସିଆର କବିମାନଙ୍କୁ ସାବଧାନ କରିଦେଇଛନ୍ତି । ଏହା ଅବଶ୍ୟ ଜଣେ ପାଶ୍ଚାତ୍ୟ କବିଙ୍କର ଅଭିମତ ଭାରତୀୟ ଲେଖକଗୋଷ୍ଠୀ ସମକ୍ଷରେ ।

 

ଟି.ଏସ୍‌.ଇଲିୟଟ୍‌ଙ୍କ ପରେ ଇଂରାଜୀ କାବ୍ୟଜଗତରେ ଯେଉଁ ସକଳ ରାଜନୈତିକ ଚିନ୍ତାଧାରାର ପ୍ରଭାବ ଅନୁଭୂତି ହୋଇଥିଲା ଏବଂ ତାହା ଫଳରେ ୧୯୩୦ ଖ୍ରୀଷ୍ଟାବ୍ଦରୁ ଯେଉଁ ନୂତନ କବିତାର ଆନ୍ଦୋଳନ ଦେଖାଦେଇଥିଲା, ଭାରତ ତଥା ଏସିଆର କବିତା–ରାଜ୍ୟରେ ସେଇଭଳି ଏକ ନୂଆ ପରିସ୍ଥିତି ଉପୁଜିଥିବାର ସେ ଦର୍ଶାଇଥିଲେ । ସେତେବେଳେ ଇଂରାଜୀ କବିତା ଆନ୍ଦୋଳନର କର୍ଣ୍ଣଧାର ଥିଲେ ଷ୍ଟିଫଷନ୍‌ ସ୍ପେଣ୍ଡର, ଅଡ଼େନ୍‌ ଏବଂ ଲ୍ୟୁଇସ୍‌ ପ୍ରମୁଖ କବିବୃନ୍ଦ-। ଇଂଲଣ୍ଡର ରାଜନୈତିକ ଜେତନା ଏକ ନୂତନ ରୂପ ଗ୍ରହଣ କରିଥାଏ । କାରଣ ଇଂଲଣ୍ଡର ରାଜନୈତିକ ଚେତନା ଏକ ନୂତନ ରୂପ ଗ୍ରହଣ କରିଥାଏ । କାରଣ ଇଂଲଣ୍ଡର ବେକାର ସମସ୍ୟା ଅତି ଉତ୍କଟ ଓ ବିରାଟ ଆକାରରେ ଦେଖାଦେଇଥାଏ ବୋଲି ସେ ସୂଚାଇ ଅଛନ୍ତି ।

 

ବେକାର ସମସ୍ୟା

 

ଇଂଲଣ୍ଡରେ ୩୦ ଲକ୍ଷ ଲୋକ ବେକାର ହୋଇପଡ଼ିଥାନ୍ତି । ଏହି ଘଟଣା ମଧ୍ୟବିତ୍ତ ଶ୍ରେଣୀର ଲୋକମାନଙ୍କ ମନରେ ଏକ ନୂତନ ଚେତନା ଓ ଆଲୋଡ଼ନ ଜନ୍ମାଇଥାଏ ଯେ ସେମାନେ; ଯେଉଁ ସମାଜିକ ସଂସ୍ଥାର ଅନ୍ତର୍ଭୁକ୍ତ, ତାହାର ପରିଣାମ ହେତୁ ଏହି ବେକାର ସମସ୍ୟା । ସେତିକିବେଳେ କବି ଅଡ଼େନ ଜର୍ମାନୀ ଆଶ୍ରୟପାର୍ଥୀଙ୍କ ସମ୍ବନ୍ଧରେ ଏକ ବିଖ୍ୟାତ କବିତା ରଚନା କରି ମାନବ ସଭ୍ୟତାର ପୂର୍ଣ୍ଣ ସମାପ୍ତି ଘଟିଥିବାର ଖେଦୋକ୍ତ ପ୍ରକାଶ କରିଥିଲେ । ଇଂରାଜୀ କବିତା ମଧ୍ୟରେ ଏହିରୂପେ ରାଜନୈତିକ ଚିନ୍ତାଧାରା ପ୍ରବେଶ କଲା ବୋଲି ସ୍ପେଣ୍ଡର କହିଛନ୍ତି । ତାହା ପରେ ୧୯୩୮ରେ ସ୍ପେନ୍‌ର ଗୃହଯୁଦ୍ଧ ଏବଂ ଫାସିଷ୍ଟବାଦ ବା ଏକଚ୍ଛତ୍ର ଶାସନ ବିରୁଦ୍ଧରେ ବିଭିନ୍ନ ଦେଶର ସମ୍ମିଳିତ ଉଦ୍ୟମ ଯେପରି ଗତ ମହାଯୁଦ୍ଧରେ ଆତ୍ମପ୍ରକାଶ କରି ଜୟୀ ହେଲା, ତାହା ବର୍ଣ୍ଣନା କରି ୧୯୩୦–୪୦ ଦଶନ୍ଧିର ତାହାହିଁ ଇଂରାଜୀ କବିତାର ସଂକ୍ଷିପ୍ତ ଇତିହାସ ବୋଲି ସେ ଦର୍ଶାଇଥିଲେ ।

 

କବି ସ୍ପେଣ୍ଡରଙ୍କ ମତରେ ଏହି ରୂପ ସାମାଜିକ ବା ରାଷ୍ଟ୍ରୀୟ ସଂଘର୍ଷମାନଙ୍କରୁ ଉପୁଜୁଥିବା ରାଜନୈତିକ ମତବାଦଗୁଡ଼ିକର ବିଶ୍ଳେଷଣ କରିବାକୁ ଯାଇ ଶେଷରେ କବିତା ରାଜନୀତି ସହିତ ଜଡ଼ିତ ହୋଇପଡ଼ିଛି । ବହିର୍ଜଗତର ରାଜନୈତିକ ମତବାଦଦ୍ୱାରା ତାହା ପରିଚାଳିତ ହୋଇ ଅନ୍ତର୍ଜଗତର ସୂକ୍ଷ୍ମ ଅନୁଭୂତିକୁ ହରାଇବସିଛି ।

 

ମୌଳିକ ମୂଲ୍ୟ

 

ବ୍ୟକ୍ତି, ମନୁଷ୍ୟ, ଧର୍ଷିତ ଓ ନିପୀଡ଼ିତ ନାରୀପୁରୁଷ ତଥା ସାମାଜିକ ନ୍ୟାୟାନ୍ୟାୟର ବିଚାର ଯେ, କବିତାର ଚିରସ୍ଥାୟୀ ଉପାଦାନ ଓ ସର୍ବଶ୍ରେଷ୍ଠ ଧର୍ମ ତାହାକୁ ପାସୋରିଦେଇ ‘ନିର୍ବୋଧ ରାଜନୀତିଜ୍ଞ’ (Stupid politicians) ମାନଙ୍କଦ୍ୱାରା ବ୍ୟବହୃତ ନ ହେବାପାଇଁ ଇଂରେଜ କବି ସ୍ପେଣ୍ଡର୍‌ ଭାରତୀୟ କବିମାନଙ୍କୁ ଚେତାଇ ଦେଇଛନ୍ତି । ଯେକୌଣସି ଆଦର୍ଶବାଦ ଅପେକ୍ଷା ବାସ୍ତବ ମନୁଷ୍ୟ ଯେ ଅଧିକ ବିଚିତ୍ର, ଅଧିକ ସୁନ୍ଦର ଓ ଶକ୍ତିଶାଳୀ ଏଥିପ୍ରତି କବିମାନଙ୍କ ଦୃଷ୍ଟି ଆକର୍ଷଣ କରିବା ହିଁ ତାଙ୍କର ଉଦ୍ଦେଶ୍ୟ ବୋଲି ବୁଝାଯାଏ । ମାତ୍ର ତାହା କୌଣସି ନିର୍ଦ୍ଦିଷ୍ଟ ରାଜନୈତିକ ଆଦର୍ଶବାଦକୁ ଅନୁସରଣ କରିବା ଅବିଧେୟ ।

 

ଇଂରାଜୀ କବିତା ରାଜ୍ୟରେ ଯେଉଁ ପ୍ରଗତିଶୀଳ ଭାବଧାରା ପ୍ରକଟିତ ହୋଇଥିଲା, ତାହାର ଅଗ୍ରଣୀ ଥିଲେ କବି ସ୍ପେଣ୍ଡର୍‌ । କିନ୍ତୁ ବାମପନ୍ଥୀ କବିରୂପେ ଖ୍ୟାତି ଲାଭ କରିଥିଲେହେଁ ସେ ସର୍ବଦା ପ୍ରଚାରମୂଳକ ରାଜନୈତିକ ବରାଦୀ ରଚନାର ବିରୋଧୀ । ସ୍ପେଣ୍ଡରଙ୍କ ‘ସ୍ଥିର କେନ୍ଦ୍ର’ (Still Centre) ନାମକ କବିତାଗୁଚ୍ଛ ତାହାର ପ୍ରମାଣ । ମୁହୁର୍ମୁହୁଃ ପରିବର୍ତ୍ତିତ ଭାବଧାରା ଓ ବିଭିନ୍ନ ଆଦର୍ଶବାଦ ସଙ୍ଗେ କଳା ଏବଂ କବିତାର ସମ୍ପର୍କ ଯେତେ ଘନିଷ୍ଠ ହେଲେହେଁ ତାହାର ସ୍ଥାନ ନିର୍ମୁକ୍ତ ଓ ନିଃସଙ୍ଗ–ଅଚଳୋଽୟଂ ସନାତନ । କବିତାର ମୌଳିକ ମୂଲ୍ୟ କଦାପି ବିଚଳିତ ହୋଇନପାରେ-। ଏହାହିଁ ସ୍ପେଣ୍ଡରଙ୍କର ପ୍ରତିପାଦ୍ୟ ବିଷୟ ।

 

କେବଳ ଅଡ଼େନଙ୍କୁ (W. H. Auden) ବାଦ୍‌ ଦେଲେ ଷ୍ଟିଫେନ୍‌ ସ୍ପେଣ୍ଡର ଏ ଯୁଗର ଇଂରେଜ କବିମାନଙ୍କ ମଧ୍ୟରେ ଅପ୍ରତିଦ୍ୱନ୍ଦ୍ୱୀରୂପେ ପରିଚିତ । ରାଜନୈତିଜ୍ଞମାନଙ୍କର କଳାସାହିତ୍ୟ ଉପରେ ମତାମତ ପ୍ରକାଶ କରିବାର ଯେଉଁ ଅଧିକାର ଅଛି, କବି ସାହିତ୍ୟିକଗଣ ରାଜନୀତି ସମ୍ପର୍କରେ ମଧ୍ୟ ସେହିଭଳି ସ୍ୱାଧୀନ ମତ ପୋଷଣ କରିପାରନ୍ତି ବୋଲି ବୋଧହୁଏ ସେମାନଙ୍କର ଧାରଣା । ତେଣୁ ରାଜନୀତିର ଗତିବିଧି ଲକ୍ଷ୍ୟ କରିବା ହିଁ ସ୍ପେଣ୍ଡର୍‌ଙ୍କର ଏକମାତ୍ର କାମ୍ୟ ନୁହେଁ, ସେଥିସଙ୍ଗେ ଘନିଷ୍ଠ ଭାବରେ ସେ ସଂଶ୍ଳିଷ୍ଟ ହେବାପାଇଁ ମଧ୍ୟ ଲୋଡ଼ନ୍ତି । ରାଜନୀତିର ଲକ୍ଷ୍ୟ ଯେ କେବଳ ରାଜନୀତି–ଚର୍ଚ୍ଚାରେ ପର୍ଯ୍ୟବସିତ ନୁହେଁ, ରାଷ୍ଟ୍ରର ରାଜନୈତିକ ଯୋଜନାଗୁଡ଼ିକୁ କାର୍ଯ୍ୟରେ ପରିଣତ କରିବାପାଇଁ ତାହା ଉଦ୍ଦିଷ୍ଟ–ଏ କଥା ସେ ହୃଦୟଙ୍ଗମ କରନ୍ତି ଅତି ଗଭୀର ଭାବରେ ।

 

ରାଜନୀତିର ଚରମ ଲକ୍ଷ୍ୟ

 

‘ଜୀବନ ଏବଂ କବି’ ସମ୍ୱନ୍ଧରେ ଏକ ସୁଚିନ୍ତିତ ବ୍ୟାଖ୍ୟା କରି ସ୍ପେଣ୍ଡର କହିଛନ୍ତି–

 

“The ultimate aim of politics is not politics but the activities which can be practiced within the political framework of the State. Therefore an effective statement of these activities–such as science, art, religion is in itself a declaration of ultimate aims around which the political means will cry halt…A society with no values outside politics is a machine carrying its human cargo with no purpose in its institutions reflecting their cares, eternal aspirations, loneliness, need for love….”

 

ଯେଉଁ ସକଳ କର୍ମର ସମଷ୍ଟି ରାଷ୍ଟ୍ରୀୟ ଯୋଜନାର ଅନୁକୂଳ ହୁଏ, ତାହାକୁ ହିଁ କବି ସ୍ପେଣ୍ଡର ରାଜନୀତି ଆଖ୍ୟା ଦେଇଛନ୍ତି । ଏହି କର୍ମ ସମଷ୍ଟି ଆତ୍ମପ୍ରକାଶ କରେ ବିଜ୍ଞାନ ସାହିତ୍ୟ କଳା କିମ୍ୱା ଧର୍ମର ମାଧ୍ୟମରେ । ସେହିଗୁଡ଼ିକ ହିଁ ରାଜନୀତିର ଅସଲ ବିବୃତି ବା ଚରମ ଲକ୍ଷ୍ୟର ଘୋଷଣା । ତାହାରି ଚତୁଃପାର୍ଶ୍ୱରେ ହିଁ ରାଜନୈତିକ ଉଦ୍ଦେଶ୍ୟରାଜି ଉଜ୍ଜ୍ୱଳ ହୋଇଉଠେ ।

 

ରାଜନୀତିର ବାହାରେ

 

ସମାଜର ମୂଲ୍ୟ ଅବଶ୍ୟ କେବଳ ରାଜନୀତିଦ୍ୱାରା ମପାଯାଇପାରେ ନାହିଁ କିମ୍ୱା ଏକ ରାଜନୈତିକ ବାତାବରଣ ମଧ୍ୟରେ ତାହା ପୂର୍ଣ୍ଣରୂପେ ଆବଦ୍ଧ ନୁହେଁ । ତାହାହେଲେ ସମାଜ ଗୋଟାଏ ଯନ୍ତ୍ରବିଶେଷ ହୋଇପଡ଼େ ଏବଂ ତହିଁରେ ମନୁଷ୍ୟ ମଲବୋଝେଇ ହେଲାପରି ନିରୁଦ୍ଦେଶ୍ୟ ଭାବରେ ଗତିକରେ । ପୁଣି ଯେଉଁ ଅନୁଷ୍ଠାନଗୁଡ଼ିକରେ ମନୁଷ୍ୟର ସ୍ନେହ, ଦୟା, କ୍ଷମା, ଚିରନ୍ତନ ଆକାଂକ୍ଷା, ଆନନ୍ଦ, ଆତ୍ମନିଷ୍ଠା ଓ ପ୍ରେମର ଆବଶ୍ୟକତା ପ୍ରତିଫଳିତ, ସେ ସମସ୍ତ ହୁଏ ମୂଲ୍ୟହୀନ ।

 

କବି ସ୍ପେଣ୍ଡର୍‌ଙ୍କ ଉକ୍ତିରୁ ରାଜନୈତିକ ସ୍ୱଧୀନତା ଓ କଳାସାହିତ୍ୟର ସ୍ୱାତନ୍ତ୍ର୍ୟ ମଧ୍ୟରେ ଏକ ବିଶାଳ ବ୍ୟବଧାନ ଥିଲାପରି ଜଣାଯାଏ । ପୁଣି ସାହିତ୍ୟର ସ୍ୱାତନ୍ତ୍ର୍ୟ ଯେ, ରାଜନୈତିକ ସ୍ୱାତନ୍ତ୍ର୍ୟକୁ ଅତିକ୍ରମ କରି ଦିଗନ୍ତପ୍ରସାରୀ ଓ ସାର୍ବଜନୀନ, କଳା ବିଜ୍ଞାନ ଧର୍ମ ଯେ ରାଜନୀତିର ପ୍ରଶସ୍ତତର ରୂପାନ୍ତର ଓ ପରିଣତି, ଇଂରେଜ କବି ତାହା ଅତି ନିପଟ ଓ ନିର୍ମମ ଭାବରେ ଅନୁଭବ କରିଛନ୍ତି ।

 

ସକଳ ପ୍ରକାର ତତ୍ତ୍ୱ ଭଳି ସ୍ପେଣ୍ଡର୍‌ଙ୍କ ତତ୍ତ୍ୱ ଯେ ଆଦୌ ନୂଆ ନୁହେଁ, ବରଂ ଆଦିମକାଳର ପୁରୁଣା ତତ୍ତ୍ୱ–ଯାହା କଳାବିଜ୍ଞାନକୁ ରାଜନୀତିର ଯେତିକି ନିକଟତର କରିଛି, ସେଥିରୁ କମ୍‌ ଦୂରତର କରିନାହିଁ; ରାଜା କିମ୍ୱା କବିଙ୍କ ସମ୍ପର୍କକୁ ଯେତିକି ଘନିଷ୍ଠତା ସୂତ୍ରରେ ବାନ୍ଧିପାରିଛି, ସେତିକି ମଧ୍ୟ ସେ ବନ୍ଧନକୁ ଫିଟାଇଦେଇ ଫରକ ଆଣିଛି–ଏ କଥାକୁ ବାରମ୍ୱାର ମନେପକାଇବାକୁ ହେବ ।

 

ପତିତା ନଗରୀ

 

ସେହି ତତ୍ତ୍ୱକୁ ବ୍ୟାଖ୍ୟା କରିବାକୁ ଯାଇ ଭାବୁକ ସ୍ପେଣ୍ଡର୍‌ ଯେଉଁ ଭାଷା ଓ ପ୍ରକାଶଭଙ୍ଗୀର ଆଶ୍ରୟ ନେଇଛନ୍ତି, ତାହାହିଁ ତାଙ୍କର ବିଶେଷତ୍ୱ; ସାନ, ବଡ଼ ସବୁ କବି ଓ ଶିଳ୍ପୀଙ୍କଠାରେ ସେ ବିଶେଷତ୍ୱ ବା ବ୍ୟକ୍ତିସ୍ୱାତନ୍ତ୍ର୍ୟ ଲକ୍ଷ୍ୟ କରାଯାଇଥାଏ । ସ୍ପେଣ୍ଡର୍‌ଙ୍କ ଭଳି ବିଶିଷ୍ଟ କବିଙ୍କଠାରେ ତ ଅଧିକ ପରିମାଣରେ ତାହା ଆଶା କରାଯାଇପାରେ । ତାଙ୍କ କବିତାରେ ଏଇ ବିଶେଷତ୍ୱ ଓ ପ୍ରକାଶ ଠାଣିର ନୂତନତା ଉପଭୋଗର ସାମଗ୍ରୀ ।

 

‘ଏକ ନଗରୀର ପତନ’ (Fall a City) ନାମକ କବିତାଟି ତାହାଙ୍କ ‘ସ୍ଥିରକେନ୍ଦ୍ର’ କବିତାଗୁଚ୍ଛର ୩ୟ ଭାଗରେ ସ୍ଥାନପାଇଛି । ଏହି ନଗରୀର ଜୀବନ୍ତ ଧ୍ୱଂସକୁ ବର୍ଣ୍ଣନା କରି କବିଙ୍କ ନିଶ୍ୱାସ ଧ୍ୱନତ ଓ ଛନ୍ଦାୟିତ ହୋଇଛି । ତାହାର କାନ୍ଥମାନଙ୍କରେ ଲାଗିଥିବା ପୋଷ୍ଟର ଓ ରାସ୍ତାମାନଙ୍କରେ ପଡ଼ିଥିବା ପ୍ରଚାରପତ୍ର ସବୁ ଛିନ୍ନଭିନ୍ନ ଓ ବିନଷ୍ଟ । ବର୍ଷା ବତାସର ଲୋତକରେ ଅକ୍ଷରଗୁଡ଼ିକ ପୋଛି ହୋଇଯାଇଛି ।

 

ଧ୍ୱଂସ ମଧ୍ୟରେ ଜୀବନ

 

ସାହସ ଓ ବୀରତ୍ୱ ବିଜୟର ସଙ୍କେତ ଘେନି କେତେ ପଦକ ଛିନ୍ନ ପୋଷାକରେ ଲାଗି ସ୍ମିତ ହାସ୍ୟ ଇତସ୍ତତଃ ବିକ୍ଷିପ୍ତ, କେତେ ପ୍ରକାଣ୍ଡ ଦରବାର ଗୃହରେ ବଜ୍ର–ପଦକ୍ଷେପ ଓ ତାମ୍ର–ଗଳାର ଗର୍ଜନ ମିଳାଇଯାଇଛି ।

 

“But somewhere

Some word presses

On the high door

Of a skull,

And in some corner

Of an irrefragable eye

Some old man’s memory

Jumps to a child

Spark from the days

Of energy

And the child holds it

Like a bitter toy.”

 

କିନ୍ତୁ କେଉଁଠାରେ କିଛି ଶବ୍ଦର ପୀଡ଼ନ ହେଉଛି ମଲା ମୁଣ୍ଡ ଖପୁରିର ଊର୍ଦ୍ଧ୍ୱ ଦ୍ୱାରଦେଶରୁ କିମ୍ୱା ଏକ ନିର୍ନମେଷ ଚକ୍ଷୁକୋଣରୁ, କେହି ସ୍ଥାବର ଜନର ସ୍ମୃତି ଜଣେ ଶିଶୁ ଭିତରେ ଲମ୍ଫପ୍ରଦାନ କରୁଛି–ଦିବସର ଶକ୍ତିପୁଞ୍ଜ ମଧ୍ୟରୁ ତାହା ଗୋଟିଏ ମାତ୍ର ରଶ୍ମିକଣା ! କିନ୍ତୁ ସେହି ରଶ୍ମିକୁ ଶିଶୁ ଏକ ନିଷ୍ଠୁର କ୍ରୀଡ଼ନକ ଭଳି ସାଇତି ରଖେ । ଏହାହିଁ ହେଲା ଉଦ୍ଧୃତ ପଦ୍ୟଟିର ମୋଟାମୋଟି ଗଦ୍ୟମୟ ଭାବାନୁବାଦ; ଧ୍ୱଂସ ମଧ୍ୟରେ ପ୍ରାଣସ୍ଫୁରଣର ଏକ ସଂକ୍ଷିପ୍ତ ଆଲେଖ୍ୟ । ଶୋଚନୀୟ ପତନ ଭିତରୁ ପୁନରୁତ୍‌ଥାନର ଯେଉଁ ଛନ୍ଦ ଲୁକ୍‌କାୟିତ, ତାହାର ଆବିଷ୍କାର ଏହି ପଂକ୍ତିଚୟରୁ କରିପାରିଲେ ସ୍ପେଣ୍ଡରଙ୍କୁ ଉପଭୋଗ କରିହୁଏ ।

Image

 

ଜାତୀୟ ପ୍ରେରଣା

 

ମଶାଣି ଉପରେ ପଡ଼ିଥିବା ମଲାମୁଣ୍ଡର ଖପୁରି ଭିତରେ ପବନ ପଶି ଯେଉଁ ଶବ୍ଦର ନିର୍ଗମନ ଓ ଡୋଳାଶୂନ୍ୟ ନିର୍ନିମେଷ ଆଖିରୁ ଯେଉଁ କବିତାର ସ୍ଫୁରଣ ସମ୍ଭବପର ହୁଏ, ତାହାକୁ ଦୁନିଆର ଯେକୌଣସି ରାଜନୀତି, ଅର୍ଥନୀତି କିମ୍ୱା ସମରନୀତି ବାନ୍ଧିରଖି ଗୋଟାଏ ବାଟକୁ ଆଣିପାରିବ ନାହିଁ; ଯେହେତୁ ଅବାଟରେ ଚାଲିବା ହିଁ ତାହାର ଅନେକ ସମୟରେ ଅଭ୍ୟାସ ଓ ଧର୍ମ ବୋଲି ମନେହୋଇଥାଏ । ବାଟ ଅବାଟ, ଭଲ ମନ୍ଦ, ସୁଖ ଦୁଃଖକୁ ସେ ଜୀବନର ଗୋଟାଏ ଲଟେରି ଖେଳ ଭଳି ବିଚାର କରେ ।

 

ଜୀବନର ଲଟେରି ଖେଳ

 

ଷ୍ଟିଫେନ୍‌ ସ୍ପେଣ୍ଡର୍‌ଙ୍କ ପରବର୍ତ୍ତୀ ଇଂରେଜ କବି (ଜନ୍ମ ୧୯୨୨) ଚାର୍ଲ ମ୍ୟାଜ୍‌ ଏଇଭାବରେ ଜୀବନର ବୈଚିତ୍ର୍ୟ ଫୁଟାଇଛନ୍ତି–

 

“Badly housed badly fed

And abominably misled

In the lottery of life

Can lose a job or choose a wife.”

 

ଅସ୍ୱାସ୍ଥ୍ୟକର ଗୃହରେ ରହି ଏବଂ କୁଖାଦ୍ୟ ଖାଇ ପୁଣି ଅତି ନୀଚ ସ୍ତରକୁ ପଥଭ୍ରଷ୍ଟ ହୋଇ ବେକାର କିମ୍ବା ଏକ ପତ୍ନୀ ନିର୍ବାଚନ କରିବା ଜୀବନର ଲଟେରି ଖେଳ ପରି । ମାତ୍ର ଏଇ ଲଟେରି ଖେଳର ଜଗତକୁ ଯେ ଆାମେ ଗଢ଼ି–ଥାଇଁ !–ସେ ଜଗତରେ ଯେତେ ଧନ ପୁଣି ଯେତେ ଅଭାବ ଥିଲେ ମଧ୍ୟ ଶାନ୍ତି ନାହିଁ କି ସ୍ୱାସ୍ଥ୍ୟ ନାହିଁ । ତଥାପି ଆମକୁ ଯେ ଯାହାର ଅଭିନୟ କରିବାକୁ ହିଁ ପଡ଼ିବ ।

 

‘‘Whether in want,

Whether in wealth

There is no peace,

There is no health,

To enact the plot

We are fated,

In the world that

We’ve created.’’

 

ନିଜ ଗଢ଼ା ଦୁନିଆରେ ନିଜ କର୍ମ ଆାମେ ଭୋଗକରୁ । ପଛପଟେ ବିସ୍ତୀର୍ଣ୍ଣ ଅତୀତ ପଡ଼ିଥିଲେହେଁ ସେତିକିରେ ଆମ ଶିକ୍ଷାର ସମାପ୍ତି ହୁଏନାହିଁ । ଅସଂଖ୍ୟ ପ୍ରେମକଳହର କାହାଣୀରେ ଆମ ଇତିହାସ ରଞ୍ଜିତ ହେଲେହେଁ ଆମର ପ୍ରେମ, ଘୃଣା, କଳହ, ସାଲିସର ବିରାମ ନାହିଁ । ଆଜି ମଧ୍ୟ ଅସଂଖ୍ୟ ଜୀବନ–ଦୀପ ଜଳିଉଠୁଛି । ସ୍ୱତଃସ୍ଫୁର୍ତ୍ତ ହେଉଛି ନବ ନବ ସ୍ପନ୍ଦନ ଓ ପ୍ରେରଣା ।

 

ଅସଂଶୋଧ୍ୟ ଓ ଅଚିନ୍ତନୀୟ

 

ଗୋପନ ଓ ପ୍ରକାଶ ମଧ୍ୟରେ, ବିଭେଦ ସଂଘର୍ଷ ମଧ୍ୟରେ ହିଁ ଜୀବନ । ସେ ଜୀବନ ସଂଶୋଧନର ବାହାରେ । ତାକୁ ସଜାଡ଼ିବା ସାଧ୍ୟ କାହାର ? ତାହାରି ଆମୂଳଚୂଳ ବ୍ୟାଖ୍ୟା ହିଁ କବିତା । ସେ କବିତା ଧରାବନ୍ଧା କୌଣସି ବାଟକୁ ଆଣି ଚଳିବା ଏକ ଅସାଧ୍ୟ ପ୍ରୟାସ ମାତ୍ର । କାରଣ–

 

‘‘Still the million fires burn,

Still the million souls can learn,

Ever loving and reviving,

Hating and then reconciling,

 

Ever finding and concealing

The diversity of feeling

Life is irretrievable

But death is inconceivable.’’

 

–ଜୀବନ ସିନା ଅସଂଶୋଧ୍ୟ; କିନ୍ତୁ ମୃତ୍ୟୁ ? ମୃତ୍ୟୁ ଯେ ଅଚିନ୍ତନୀୟ । ଜୀବନ ପାଖରେ ସ୍ଥାନ ତାହାର କାହିଁ ? ତାହା ଜୀବନର ନାମାନ୍ତର ମାତ୍ର । ସେଠାରେ କ’ଣ ଜୀବନ କେବେହେଲେ ଅଟକିଯାଏ–ସମାପ୍ତ ହୁଏ ତାହାର ଗତିପଥ ? ଏ ପ୍ରଶ୍ନର ଅନେକ ଜବାବ ଅଛି । ତହିଁରୁ କେତେକ ଏଥିପୂର୍ବରୁ ଦିଆଯାଇଛି । ଆହୁରି କେତେ ହୁଏତ ଦେବାକୁ ପଡ଼ିବ । ତେବେ କେଉଁଠାରେ ଏହି କୋଟି କୋଟି ଆଲୋକ ପ୍ରଜ୍ଜ୍ୱଳିତ ହୁଏ; କେଉଁଠାରେ ତେବେ କୋଟି କୋଟି ମାନବାତ୍ମା ପ୍ରେମ ଓ କଳହରୁ, ଘୃଣା ଓ ସାଲିସ୍‌ରୁ ଶିକ୍ଷାଲାଭ କରେ ? ସେଇ ସ୍ଥାନର ସନ୍ଧାନ କରେ କବିତା ।

 

ଅଣଓଡ଼ିଆ

 

ତ୍ରୁଟିପୂର୍ଣ୍ଣ ଜୀବନକୁ ସଂଶୋଧନ କରିବା ଏବଂ ମରଣକୁ ସମ୍ମୁଖରେ ରଖି ବିଚାର କରିବା ଯାହାର ସ୍ୱଭାବ, ତାହାକୁ କୌଣସି ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଛାଞ୍ଚରେ ଢାଳି ଏବଂ ଯୋଜନା ବାଢ଼ି ତାଲିମ କରିବାକୁ ଯିବା ଅପଚେଷ୍ଟା ମାତ୍ର । କାରଣ ପୃଥିବୀରେ ଏପର୍ଯ୍ୟନ୍ତ କୌଣସି ରାଜନୈତିକ ସଂସ୍କାର ଉଦ୍ଭବ ହୋଇ–ନାହିଁ, ଯାହା ସମ୍ପୂର୍ଣ୍ଣରୂପେ ତ୍ରୁଟିଶୂନ୍ୟ–ଯହିଁରେ ସକଳ ଦୁଃଖର ସମାଧାନ ନିହିତ ଅଛି । ସେଥିଲାଗି ସାହିତ୍ୟକୁ କୌଣସି ଏକ ରାଜନୈତିକ ପର୍ଯ୍ୟାୟଭୁକ୍ତ କରି ତାହାଠାରୁ ସମର୍ଥନ ଲୋଡ଼ିବାକୁ ଗଲେ ସାହିତ୍ୟ ତଥା ରାଜନୀତିର ଉଦ୍ଦେଶ୍ୟ ଓ ଆଦର୍ଶବାଦ କ୍ଷୁଣ୍ଣ ହୋଇପଡ଼େ । ଦୁଃଖର କଥା, ଆମ ଓଡ଼ିଆ ସାହିତ୍ୟ ଆଜିପର୍ଯ୍ୟନ୍ତ ଭଞ୍ଜୀୟ ଯୁଗରୁ ଉତ୍ତୀର୍ଣ୍ଣ ହୋଇପାରିନାହିଁ । ଆଜି ମଧ୍ୟ ଆମ୍ଭମାନଙ୍କୁ ମଧ୍ୟଯୁଗୀୟ ମୀମାଂସାରେ ଅଟକି ଯିବାକୁ ହୋଇଛି । ବାସ୍ତବ ରାଜନୀତି ସହିତ ଏହାର ସମ୍ୱନ୍ଧ ବିଚାର କରିବାକୁ କିମ୍ୱା ଉନ୍ନତ ଆନ୍ତର୍ଜାତିକ ସାହିତ୍ୟମାନଙ୍କ ସଙ୍ଗେ ତୁଳନା କରିବାକୁ ଉପାଦାନର ମାତ୍ରା ଯଥେଷ୍ଟ ନୁହେଁ । ତେଣୁ ଆଧୁନିକ ଇଂରାଜୀ ସାହିତ୍ୟର ଆଭିମୁଖ୍ୟ ସହିତ ପରିଚିତ ହେବାକୁ ଗଲେ କେବଳ ଅଣଓଡ଼ିଆଙ୍କ (?)ଦ୍ୱାରା ଶାସିତ ଓ ନିୟନ୍ତ୍ରିତ ଓଡ଼ିଶା ରାଜ୍ୟ ଭଳି ତାହା ଅସାମୟିକ ଓ ଅବାନ୍ତର ଣୁଣାଯାଏ । କେବଳ ଆମର ଅସାମର୍ଥ୍ୟ ଓ ଅପାରତାର ଚିତ୍ର ସ୍ପଷ୍ଟତର ହୋଇଉଠେ ।

 

ଆତ୍ମଭର୍ତ୍ସନା

 

ଏ ରାଜ୍ୟର ଅଧିବାସୀ ଆମେ ସମସ୍ତେ ଯେ, ଅଣଓଡ଼ିଆ ବ୍ୟତୀତ ଆଉ କିଛି ନୋହୁଁ; ଓଡ଼ିଆ ଭାଷା, ସାହିତ୍ୟ, ଚିତ୍ର ସଙ୍ଗୀତ, ନୃତ୍ୟ ନାଟକର ପ୍ରକୃତ ଦାୟାଦ ଓ ନିୟାମକ ହେବାପାଇଁ ଯେ ଆମକୁ ଆହୁରି ବେଶୀ ଓଡ଼ିଆ ହେବାକୁ ପଡ଼ିବ । ନିଜ ଐତିହ୍ୟକୁ ପାସୋରି ପକାଇ ନୁହେଁ, ଅଧିକରୁ ଅଧିକ ସ୍ମରଣ କରି, ଏହିପରି ଏକ ପ୍ରାଥମିକ ଅବସ୍ଥାରେ ରହିଥିବା ପର୍ଯ୍ୟନ୍ତ ଅଗ୍ରଗାମୀ ଉନ୍ନତ ସାହିତ୍ୟମାନଙ୍କର ଉଦାହରଣରୁ ଆମକୁ ଯେତିକି ଆତ୍ମଭର୍ତ୍ସନା ଓ ଆତ୍ମଲାଞ୍ଛନା ମିଳିଥାଏ, ସେତିକି ସାଧନା ଓ ପ୍ରେରଣା ମିଳିବା ବାଞ୍ଛନୀୟ । ଆମ୍ଭମାନଙ୍କର ଉପସ୍ଥିତ କ୍ଷୁଦ୍ରତା ଏକ ବୃହତ୍ତର ପରିଣତିର ପଥପ୍ରଦର୍ଶକ ନ ହେଲେ ଅଧୋ–ଗତିର ସୀମା ରହିବ ନାହିଁ । ପୁଣି ଆମେ ନିଜ ଇଜ୍ଜତ୍‌କୁ ନିଜେ ପଦାରେ ବାଢ଼ି ପରସ୍ପରକୁ କ୍ଷୁଦ୍ର ପ୍ରିତିପନ୍ନ କରୁଥିବା ପର୍ଯ୍ୟନ୍ତ ଆମ ସାହିତ୍ୟ ସଂସ୍କୃତିର ନିସ୍ତାର ନାହିଁ ତାହା ଫଳରେ ସାହିତ୍ୟ ‘ଓଡ଼ିଆ–ରାଜନୀତି’ ଭଳି ପଦେ ପଦେ ଦୁର୍ବଳ, ଅସହାୟ ଓ ଅକ୍ଷମ ହୋଇପଡ଼ୁଥିବ । ତେଣୁ ଆଜି ରାଜନୀତିକୁ ସମର୍ଥନ ଓ ସବଳ କରିବା ପ୍ରଶ୍ନ ଓଡ଼ିଆା ସାହିତ୍ୟ ପକ୍ଷରେ ଯେତେ ଜରୁରି, ତାହାଠାରୁ ବେଶି ଜରୁରି ହୋଇପଡ଼ିଛି ନିଜକୁ ପ୍ରଥମେ ସବଳ ଓ ଶକ୍ତିଶାଳୀ କରି ସାହିତ୍ୟର ଏକ ସ୍ୱାଭାବିକ ଗତିନିର୍ଣ୍ଣୟ କରିବା । ସେତିକ ହୋଇପାରିଲେ ଯାବତୀୟ ଆବର୍ଜନା ଛାଏଁ ଦୂର ହୋଇଯିବ ।

 

ଓଡ଼ିଶାର ଶିକ୍ଷା, ସାହିତ୍ୟ, ଶାସନ, ସଂସ୍କୃତି ଆଦି କ୍ଷେତ୍ରରେ ଅଣଓଡ଼ିଆ ପ୍ରତିପତ୍ତି ଯେତେ ବେଶୀ ବଢ଼ିଚାଲେ ଏବଂ ଆମ୍ଭମାନଙ୍କର ସଂକୀର୍ଣ୍ଣ ଓଡ଼ିଆତ୍ୱ ଯେତେ ବେଶୀ ଧିକ୍‌କୃତ ଓ ଲାଞ୍ଛିତ ହୁଏ, ତାହାର ପରିଣାମ ଅବଶ୍ୟ ଶୁଭ ବ୍ୟତୀତ ଆଉ କିଛି ହୋଇନପାରେ । ଓଡ଼ିଆ କବିତା, ଉପନ୍ୟାସ, ଗଳ୍ପ କିମ୍ୱା ନାଟକ ଉପରେ ଯଦି ବିଦେଶୀ ସାହିତ୍ୟର ପ୍ରଭାବ ପଡ଼େ, ବିଦେଶୀ ଛାଞ୍ଚ, ପୋଷାକ, ନକଲ ଓ ଅନୁକରଣକୁ ତାହା ଆଖିବୁଜି ଗଳାଧଃକରଣ କରେ ଏବଂ ଓଡ଼ିଆ ନୃତ୍ୟସଙ୍ଗୀତ–ଶିଳ୍ପକ୍ଷେତ୍ରରେ ଯଦି ବିଦେଶୀମାନେ ହିଁ ଆମର ଗୁରୁ ହୁଅନ୍ତି; ତେବେ କେବଳ ରାଜନୀତି ଅଥବା ଶାସନକ୍ଷେତ୍ରରେ ଆମେ ଅଣଓଡ଼ିଆ ହୋଇପଡ଼ିଲୁ ବୋଲି ସହଜଲଭ୍ୟ ରାଜନୀତିଜ୍ଞ ବା ଶାସନଗୋଷ୍ଠୀକୁ ଦୃଷ୍ଟ କରିହେବ ନାହିଁ ।

 

ବିଦେଶୀ ଛାଞ୍ଚ

 

ଭାରତର ଶିକ୍ଷାପ୍ରଣାଳୀ ଓ ଶାସନପ୍ରଣାଳୀ ଆଦି ବିଦେଶୀ ପରିତ୍ୟକ୍ତ ଛାଞ୍ଚ ଭିତରେ ଆବଦ୍ଧ ଥାଇ ତହିଁରୁ ସମ୍ପୂର୍ଣ୍ଣ ମୁକ୍ତ ନହେବା ପର୍ଯ୍ୟନ୍ତ ଭାରତୀୟ ସାହିତ୍ୟ ଓ ସଂସ୍କୃତିର ମଧ୍ୟ ନିସ୍ତାର ନାହିଁ । ସମଗ୍ର ଭାରତବର୍ଷ ଆଜି ପ୍ରାୟ ଅଭାରତୀୟ ପରିସ୍ଥିତିରେ ହିଁ ଗତି କରୁଥିବାର ଅନେକ ପ୍ରତୀକ୍ଷ ପ୍ରମାଣ ମିଳୁଥିବା ସ୍ଥଳେ ଅନୁନ୍ନତ ଓଡ଼ିଶା କେବଳ ଅଣଓଡ଼ିଆ ବୋଲି ଚିତ୍କାର କିମ୍ୱା କ୍ଷୋଭ କରିବାର କାରଣମାନ ବହୁ ପରିମାଣରେ ଦୁର୍ବଳ ହୋଇପଡ଼େ ।

 

କୋଣାର୍କର ବିଶ୍ୱବିଖ୍ୟାତ ଶିଳ୍ପ ଓଡ଼ିଆ କାରିଗରମାନଙ୍କର କୀର୍ତ୍ତି ନ ହୋଇ ବଙ୍ଗାଳୀ କାରିଗରମାନଙ୍କର ବୋଲି ଏକଦା କୌଣସି ବଙ୍ଗୀୟ ଲେଖକ ପ୍ରତିପାଦନ କରିଥିବାର ଶୁଣାଯାଏ-। କିଛିଦିନ ପୂର୍ବେ ଜଣେ ପ୍ରସିଦ୍ଧ ବଙ୍ଗୀୟ ସାହିତ୍ୟିକ ଓଡ଼ିଆ ସାହିତ୍ୟର ପରିଚୟ ଦେବାକୁଯାଇ ଏହି ରୂପ ଏକ ସିଦ୍ଧାନ୍ତରେ ମଧ୍ୟ ଉପନୀତ ହୋଇଛନ୍ତି । ଲେଖକ ମହାଶୟ ପ୍ରମାଣ କରି ଦେଖାଇଛନ୍ତି ଯେ, ଓଡ଼ିଆ ସାହିତ୍ୟର ପ୍ରାରମ୍ଭରୁ ଆଜି ପର୍ଯ୍ୟନ୍ତ କେବଳ ବଙ୍ଗ–ସାହିତ୍ୟ ପ୍ରଭାବରେ ଜନ୍ମ, ଲାଳନପାଳନ ଓ ଅଭିବୃଦ୍ଧି ସମ୍ଭବପର ହୋଇପାରିଛି ।

 

ପଞ୍ଚସଖା-ଯୁଗରୁ

 

ତାଙ୍କ ପୂର୍ବରୁ ଆଉ କେହି କେହି ବଙ୍ଗୀୟ ଲେଖକ ପଡ଼ୋଶୀ ଓଡ଼ିଆ–ଭାଷାକୁ ଖୁବ୍‌ ନିକଟରୁ ନିରୀକ୍ଷଣ କଲାପରି କହିଛନ୍ତି ଯେ, ତାହା ବଙ୍ଗଭାଷାରୁ ଉଦ୍ଭୂତ ଏକ ନୀଚ ଅପଭାଷା କିମ୍ୱା ଅପଭ୍ରଂଶ ମାତ୍ର । ବର୍ତ୍ତମାନ ଆଲୋଚିତ ବଙ୍ଗ ସାହିତ୍ୟିକ ସେହି ସୂତ୍ରକୁ ଅବଲମ୍ୱନ କରି ପ୍ରମାଣ ବାଢ଼ିଛନ୍ତି ଯେ, ସର୍ବପ୍ରଥମେ ଶ୍ରୀଚୈତନ୍ୟ ଓ ଗୌଡୀୟ ବୈଷ୍ଣବମାନଙ୍କ ପ୍ରଭାବରେ ଓଡ଼ିଆ ସାହିତ୍ୟର ଅଭ୍ୟୁତ୍‌ଥାନ ଘଟିଥିଲା । ସେତେବେଳେ ଅତିବଡ଼ି ଜଗନ୍ନାଥ ଦାସ ପ୍ରମୁଖ ପଞ୍ଚସଖାମାନେ ବୈଷ୍ଣବ–ସାହିତ୍ୟର ପ୍ରଭାବରେ ପ୍ରଭାବାନ୍ୱିତ ହୋଇଥିଲେ । ସେମାନଙ୍କ ପରବର୍ତ୍ତୀ ଓଡ଼ିଆ କବିବୃନ୍ଦ ପୂର୍ଣ୍ଣରୂପେ ଚୈତନ୍ୟଙ୍କ ଶ୍ରଦ୍ଧାଭକ୍ତିରସକୁ ଗ୍ରହଣ କଲେ । ଦୀନକୃଷ୍ଣ, ଭକ୍ତଚରଣ, କବିସୂର୍ଯ୍ୟ ବ୍ରହ୍ମା, ଅଭିମନ୍ୟୁ, ବଳଦେବ, ଗୋପାଳକୃଷ୍ଣ ପ୍ରଭୃତି ଏହାର ଜ୍ୱଳନ୍ତ ସମର୍ଥନ-

 

ପ୍ରାଚୀନ ଯୁଗ ପରେ ଓଡ଼ିଆ ସାହିତ୍ୟରେ ଯେଉଁ ଆଧୁନିକ ଯୁଗର ଆବାହନ କରାହେଲା, ତାହାର ପ୍ରଧାନ ପୁରୋଧା ଥିଲେ କବିବର ରାଧାନାଥ ରାୟ । ସେ ମହାଶୟ ଉତ୍କଳବାସୀ ବଙ୍ଗାଳୀ । ଆଧୁନିକ ଓଡ଼ିଆ ସାହିତ୍ୟର ପ୍ରଥମ ଔପନ୍ୟାସିକ ମଧ୍ୟ ସେହିରୂପ ବଙ୍ଗାଳୀ ବୋଲି ଦାବି କରାଯାଇପାରେ ।

 

ପ୍ରଥମ ଉପନ୍ୟାସ ଓ ନାଟକ

 

‘ପଦ୍ମମାଳୀ’ ଉପନ୍ୟାସର ଲେଖକ ଉମେଶ ଚନ୍ଦ୍ର ସରକାର ଏବଂ ‘ବିବାସିନୀ’ ଉପନ୍ୟାସର ଲେଖକ ରାମଶଙ୍କର ରାୟ ଏହି ସମ୍ମାନର ଅଧିକାରୀ । ତାଙ୍କ ପରେ ଫକୀରମୋହନ ସାର୍ଥକ ଔପନ୍ୟାସିକରୂପେ ପ୍ରତିଷ୍ଠା ଲାଭ କରିଥିଲେହେଁ ବଙ୍ଗର ବଙ୍କିମ ଚନ୍ଦ୍ରଙ୍କ ଭାଷାର ପ୍ରଭାବ ତାଙ୍କ ରଚନାରେ ବହୁ ପରିମାଣରେ ଲକ୍ଷିତ ହୁଏ । ସେଭଳି ଉଦାହରଣ ଦେବାକୁ ମଧ୍ୟ ଲେଖକ ଭୁଲିନାହାନ୍ତି ।

 

ପ୍ରଥମ ଓଡ଼ିଆ ନାଟକର ନାଟ୍ୟକର ‘କାଞ୍ଚିକାବେରୀ’ ରଚୟିତା ରାମଶଙ୍କର ରାୟ ଉତ୍କଳବାସୀ ବଙ୍ଗାଳୀ । ବର୍ତ୍ତମାନ ଯୁଗରେ ସୁଦ୍ଧା ‘ସବୁଜ ସାହିତ୍ୟ ସମିତି’ର ମସ୍ତିଷ୍କ ଓ ମଧ୍ୟମଣି ଥିଲେ ଅନ୍ନଦାଶଙ୍କର ରାୟ । ସେ ବର୍ତ୍ତମାନ ଓଡ଼ିଆକୁ ଛାଡ଼ି ସ୍ୱୀୟ ମାତୃଭାଷା ବଙ୍ଗ–ସାହିତ୍ୟରେ ସ୍ଥାୟୀ ପ୍ରତିଷ୍ଠା ଅର୍ଜନ କରିଛନ୍ତି । ଏହି ଆଲୋଚନାରୁ କେତେକ ସତ୍ୟ ଓ ଅର୍ଦ୍ଧ–ସତ୍ୟ ଯେପରି ପ୍ରକାଶ ପାଏ, ସେଥି ସଙ୍ଗେ ଅତି ସଂକୀର୍ଣ୍ଣ ଦୃଷ୍ଟିଭଙ୍ଗୀର ପରିଚୟ ମଧ୍ୟ ମିଳିଥାଏ । ପୁଣି ଯେଉଁମାନେ କିଛି ସମୟ ପାଇଁ କିମ୍ୱା ସବୁ ସମୟ ପାଇଁ ଓଡ଼ିଶା ଏବଂ ଓଡ଼ିଆ ଭାଷାକୁ ଆପଣାର କରିନେଇଛନ୍ତି, ସେମାନଙ୍କୁ ବଙ୍ଗୀୟ କହିବା ତାତ୍ପର୍ଯ୍ୟ ବୁଝାଯାଏ ନାହିଁ । ତାହା ଫଳରେ ବଙ୍ଗାଳୀ–ଅବଙ୍ଗାଳୀ, ଓଡ଼ିଆ–ଅଣଓଡ଼ିଆ କିମ୍ୱା ମୁସଲମାନ–କାଫେର୍‌ଭେଦ ତିକ୍ତତର ହୋଇଉଠେ ମାତ୍ର ।

 

ଅତିଶୟୋକ୍ତି

 

ଏହିପରି ଯୁକ୍ତିବଳରେ ଓଡ଼ିଆ ଲେଖକ ମଧ୍ୟ ବଙ୍ଗ–ସାହିତ୍ୟର ପ୍ରତିଷ୍ଠାତା ଈଶ୍ୱରଚନ୍ଦ୍ର ବିଦ୍ୟାସାଗର ଏବଂ ବଙ୍ଗଳା ଗଦ୍ୟର ଶ୍ରେଷ୍ଠ ଲେଖକ ହରପ୍ରସାଦ ଶାସ୍ତ୍ରୀଙ୍କୁ ଓଡ଼ିଆ ବୋଲି ଦାବି କରିବା ଅସମୀଚୀନ ନୁହେଁ । ଏହି ଶ୍ରେଣୀୟ ଅବାନ୍ତର ଯୁକ୍ତି କୌଣସି ଦିଗରେ ଫଳପ୍ରସୁ ହୋଇପାରେନାହିଁ ଏବଂ ଅନେକ ସମୟରେ ତାହା ସ୍ୱୀୟ କ୍ଷୁଦ୍ରତା–ଜ୍ଞାନକୁ ଅଧିକ ପ୍ରତିପନ୍ନ କରେ ମାତ୍ର । ହଜାର ହଜାର ମାଇଲ ଦୂରରେ ଅବସ୍ଥିତ ଇଂଲଣ୍ଡ ଏବଂ ଅନ୍ୟାନ୍ୟ ପାଶ୍ଚାତ୍ୟ ଦେଶର ସାହିତ୍ୟଦ୍ୱାରା ଭାରତୀୟ ତଥା ଓଡ଼ିଆ ସାହିତ୍ୟ ବହୁଗୁଣରେ ପ୍ରଭାବିତ ହେଉଥିବା ବେଳେ ପରସ୍ପର ପଡ଼ୋଶୀ ସାହିତ୍ୟମାନଙ୍କ ମଧ୍ୟରେ ଆଦାନପ୍ରଦାନ ଯେ ଅଧିକ ସ୍ୱାଭାବିକ ଓ ସମ୍ଭବପର ଏବଂ ଓଡ଼ିଆ, ବଙ୍ଗଳା, ହିନ୍ଦୀ, ତେଲୁଗୁ ଆଦି ସାହିତ୍ୟ ଯେ ଏହି ନିୟମରୁ ବହିର୍ଭୂତ ନୁହେଁ, ତଦୁପରି ଯୁକ୍ତି ପ୍ରମାଣ ଦେଖାଇବା ଅତିଶୟୋକ୍ତି ବୋଲି ମନେହୋଇଥାଏ ମାତ୍ର । ପ୍ରାଚୀନ ଓଡ଼ିଆ ଛାନ୍ଦ ସଙ୍ଗୀତ ତେଲୁଗୁ କିମ୍ୱା କନ୍ନଡ଼ ସାହିତ୍ୟର ଅନୁକୃତି ଏବଂ ତାହାର ଭାବଧାରା ବଙ୍ଗୀୟ ବୈଷ୍ଣବ ସାହିତ୍ୟର ଶୁଦ୍ଧାଭକ୍ତିଦ୍ୱାରା ପ୍ରଣୋଦିତ ବୋଲି ଯଦି ଧରାଯାଏ, ତାହାହେଲେ ଆଧୁନିକ ଓଡ଼ିଆ କବିତାର ଛନ୍ଦ ଓ ଭାବକୁ ପୁଣି ଉପନ୍ୟାସ, ନାଟକ ଓ କ୍ଷୁଦ୍ର ଗଳ୍ପର ଗଠନଶୈଳୀକୁ ସମ୍ପୂର୍ଣ୍ଣ ବୈଦେଶିକ କିମ୍ୱା ଅଣଓଡ଼ିଆ କହିବାର ସୁସ୍ପଷ୍ଟ କାରଣ ବିଦ୍ୟମାନ । ଯଥାର୍ଥରେ ଆମକୁ ଆହୁରି ଓଡ଼ିଆ ହେବାପାଇଁ ଆହୁରି ବେଶୀ ବିଦେଶୀ ବିତାଡ଼ନ କିମ୍ୱା ବିଦେଶୀ ସହଯୋଗ ଲୋଡ଼ା, ତାହା ବୁଝିବା ପାଇଁ ଏକ କଠିଣ ପରିସ୍ଥିତି ଉପୁଜିଥାଏ ।

Image

 

ବିଚାର ବିଭ୍ରାଟ

 

ଶ୍ରୀଚୈତନ୍ୟଙ୍କ ପିତୃପୁରୁଷମାନେ ଓଡ଼ିଶାରୁ ବଙ୍ଗଦେଶକୁ ଯାଇଥିବାରୁ ଏବଂ ଶେଷରେ ସେ ଓଡ଼ିଶାକୁ ଫେରିଆସି ଏହିଠାରେ ଦେହତ୍ୟାଗ କରିଥିବାରୁ, ପୁଣି କବି ଜୟଦେବଙ୍କ ବିବାହ ଓ ଗୀତଗୋବିନ୍ଦ ରଚନା ସହିତ ଜଗନ୍ନାଥତୀର୍ଥର ନିବିଡ଼ ସମ୍ପର୍କ ସ୍ଥାପିତ ହୋଇଥିବାରୁ ସେମାନଙ୍କୁ ଓଡ଼ିଆ ତଥା ବଙ୍ଗାଳୀମାନେ ଯେପରି ନିଜର ବୋଲି ଦାବି କରିଥାନ୍ତି, ସେହିପରି କବୀରଙ୍କୁ ମଧ୍ୟ ହିନ୍ଦୁ–ମୁସଲମାନ ଉଭୟ ସମ୍ପ୍ରଦାୟ ନିଜର ବୋଲି ଜ୍ଞାନ କରିବା ବିଚିତ୍ର ନୁହେଁ । ଏହିରୂପ ବିଚାର ଅବଶ୍ୟ ଏକ ସଂକୀର୍ଣ୍ଣ ଚିତ୍ତର ପରିଚୟ ମାତ୍ର । ନିଜକୁ କିମ୍ୱା ନିଜ ଜାତି ଓ ନିଜ ସାହିତ୍ୟକୁ ଆଉ ସମସ୍ତଙ୍କଠାରୁ ବଡ଼ କରି ଦେଖାଇବାର ମନୋବୃତ୍ତି ହିଁ ଏହିରୂପ ନାନା ଭ୍ରାନ୍ତିର ଉତ୍ପାଦକ ହୋଇଥାଏ ।

 

ଭାଷା-ସଂଘର୍ଷ

 

ନିଜକୁ ବଡ଼ ବିଚାରିବା ଅବଶ୍ୟ ଦୋଷାବହ ନୁହେଁ; କିନ୍ତୁ ସେଥିଲାଗି ଅପରକୁ ସାନ କରିବାର ଉଦ୍ୟମ ହେଲେ ସବୁ ଉଦ୍ଦେଶ୍ୟ ପଣ୍ଡ ହୋଇପଡ଼େ । ଭାରତର ଏଭଳି ଯୁକ୍ତିହୀନ ପ୍ରାଦେଶିକତା ଓ ସାମ୍ପ୍ରଦାୟିକତାର କୁଫଳ ସ୍ୱାଧୀନତା ପୂର୍ବରୁ ଯେ ପରିମାଣରେ ଦେଖାଦେଇଥିଲା, ଆଜି ସ୍ୱାଧୀନତାପ୍ରାପ୍ତି ପରେ ମଧ୍ୟ ତାହା ଊଣା ପଡ଼ିଚି ବୋଲି ମନେହୁଏ ନାହିଁ । ବରଂ ସ୍ୱାଧୀନତାର ସୁଯୋଗରେ ଅନେକ ସ୍ଥଳରେ ଆଜି ତାହା ଉତ୍କଟତର ହୋଇଉଠିଥିବାର ଦୈନନ୍ଦିନ ସମ୍ୱାଦରୁ ଜଣାଯାଏ । ଭାଷାସୂତ୍ରରୁ ପ୍ରଦେଶ ଗଠନ ଦାବିଠାରୁ ଆରମ୍ଭ କରି ପ୍ରତ୍ୟେକ ଭାରତୀୟ ଭାଷାଭାଷୀ ସ୍ୱୀୟ ଆଞ୍ଚଳିକ ଭାଷାର ପ୍ରାଧାନ୍ୟ ପ୍ରତିଷ୍ଠାଲାଗି ଆଜି ଏତେ ବେଶି ବ୍ୟାକୁଳ ଯେ, ଅନ୍ୟ ଭାଷାଭାଷୀମାନଙ୍କର ବିତଡ଼ନକୁ ହିଁ ଶ୍ରେୟସ୍କର ମଣୁଛନ୍ତି । ଏହାର ଉଦାହରଣ କେବଳ ପାରଳାଖେମୁଣ୍ଡିର ଆନ୍ଧ୍ର–ଓଡ଼ିଆ ସଂଘର୍ଷ କିମ୍ୱା ସିଂହଭୂମିର ବିହାରୀ–ଓଡ଼ିଆ–ସଂଘର୍ଷରୁ ମିଳୁନାହିଁ; ଭାରତର ସବୁ ଅଞ୍ଚଳରେ ପ୍ରାୟ ଏହିପରି ଭାଷାଗତ ସ୍ୱାର୍ଥର ଦ୍ୱନ୍ଦ୍ୱ ଦେଖାଦେଇଛି ।

 

ପଡ଼ୋଶୀ କଳହ

 

ଆଦିମ କାଳର ଏହି ପଡ଼ୋଶୀ କଳହକୁ ସାହିତ୍ୟ ଯଦି ଉତ୍ତେଜନା ଦିଏ, ତେବେ ତାହାଠାରୁ ଅଧିକ ଦୁର୍ଭାଗ୍ୟର ବିଷୟ ଆଉ କିଛି ହୋଇପାରେନାହିଁ । ତାହା ଫଳରେ ଭାରତର ସାମୂହିକ ଜାତୀୟ ସ୍ୱାର୍ଥ ପଦେ ପଦେ ଦୁର୍ବଳ ଓ ଅବନତ ହେଉଥିବାରୁ ସ୍ପଷ୍ଟ ବୁଝାଯାଏ । ବଙ୍ଗାଳୀ, ଓଡ଼ିଆ, ଆନ୍ଧ୍ର, ବିହାରୀ ଆଦି କିଏ ଅପର କେଉଁ ସାହିତ୍ୟକୁ କ’ଣ ଦାନକଲେ, ତାହା ପ୍ରତିପାଦନ କରିବାକୁ ଯିବା ଯେ ଆଜି ଏକାବେଳକେ ମୂଲ୍ୟହୀନ ହୋଇପଡ଼ିଛି, ପୁଣି ଏଇସବୁ ସାହିତ୍ୟ ମଧ୍ୟରେ ଭାଷା, ଶବ୍ଦ ଓ ଭାବର ଆଦାନ–ପ୍ରଦାନ ଯେ ସ୍ୱାଭାବିକ ଏବଂ ବାଞ୍ଛନୀୟ; ଏ କଥାର ବାରମ୍ୱାର ପୁନରାବୃତ୍ତି କଲେ କ୍ଷତି ନାହିଁ । ପ୍ରାଚୀନ ଓଡ଼ିଆ କବିତା କିମ୍ୱା ଛାନ୍ଦଗୁଡ଼ିକରେ ଦାକ୍ଷିଣାତ୍ୟର ତେଲୁଗୁ, ତାମିଲ, କନ୍ନଡ ବା ମାଲାୟାଲମ୍‌ ଭାଷାର ଗଠନପ୍ରଣାଳୀ ଓ ଛନ୍ଦ ଯତିପାତ ଆଦିର ପ୍ରଭାବ ପଡ଼ିବା ଯେପରି ଦୋଷାବହ ନୁହେଁ, ସେହିପରି ଆଧୁନିକ ଓଡ଼ିଆ ଗଳ୍ପ ବା ଉପନ୍ୟାସମାନଙ୍କରେ ପାଶ୍ଚାତ୍ୟ ସାହିତ୍ୟର ରୀତି କିମ୍ୱା ଭାଷା ଓ ଶବ୍ଦ ଆମଦାନି ମଧ୍ୟରେ ବଙ୍ଗଳା ବା ହିନ୍ଦୀର ପ୍ରବେଶ କଦାପି ପରିତ୍ୟାଜ୍ୟ ହେବନାହିଁ । ଭାରତରେ ଯେଉଁସବୁ ଆଞ୍ଚଳିକ ଭାଷା ଓ ସାହିତ୍ୟ ଶହ ଶହ ବର୍ଷ ଧରି ନିଜ ଗୁଣରେ ସ୍ୱୀୟ ସ୍ୱତନ୍ତ୍ର ପ୍ରତିଷ୍ଠା କରି ଆସିଛନ୍ତି, ସେଗୁଡ଼ିକ ପରସ୍ପରକୁ କ୍ଷୁଣ୍ଣ କରିବା ଅଥବା ଅସ୍ୱୀକାର କରିବାକୁ ଯିବା କେବଳ ଅପଚେଷ୍ଟା ହେବ ସିନା !

 

ପାଶ୍ଚାତ୍ୟ ନମୁନା

 

ଯୁରୋପୀୟ ସାହିତ୍ୟଗୁଡ଼ିକ ପ୍ରତି ଦୃଷ୍ଟିପାତ କଲେ ସେଥିମଧ୍ୟରୁ କେଉଁ ସାହିତ୍ୟ ଆଜି ଅନ୍ୟମାନଙ୍କ ଅପେକ୍ଷା ଅଧିକ ଉନ୍ନତ, ତାହା ବିଚାର କରିବାର ଅବକାଶ ନାହିଁ । ପ୍ରାଚୀନ ଗ୍ରୀକ୍‌ ଓ ଲାଟିନ୍‌କୁ ଛାଡ଼ିଦେଲେ ପ୍ରଥମେ ଇଂରାଜି ସାହିତ୍ୟ ଅତି ଉଚ୍ଚସ୍ତରକୁ ଉଠିଥିଲେହେଁ ତାହା ପରେ ଫରାସୀ ସାହିତ୍ୟର ଅଭ୍ୟୁଦୟ ଉଲ୍ଲେଖଯୋଗ୍ୟ । ତାହାଫଳରେ ୟୁରୋପର ସବୁ ଦେଶରେ ଫରାସୀ ଭାଷା ହିଁ ସମ୍ଭ୍ରମର ଚିହ୍ନରୂପେ ଏକଦା ଗୃହୀତ ହୋଇଥିଲା । ଶିକ୍ଷିତ ଓ ସମ୍ଭ୍ରାନ୍ତ ସମାଜରେ ଏହି ଭାଷାର ବ୍ୟବହାର ସାଧାରଣ କଥୋପକଥନରେ ମଧ୍ୟ ବ୍ୟବହୃତ ହେଲା । ମାତ୍ର ତାହା ବେଶିକାଳ ସ୍ଥାୟୀ ହୋଇପାରିଲା ନାହିଁ । ୟୁରୋପର କ୍ଷୁଦ୍ର ବୃହତ୍‌ ସକଳ ଦେଶର ସାହିତ୍ୟରେ ଅନନୁଭୂତ ଜାଗରଣ ଦେଖାଦେଲା । ଜର୍ମାନୀ, ଇଟାଲୀ, ରୁଷ୍‌, ଆମେରିକା ପ୍ରଭୃତି ଦେଶରେ ସାହିତ୍ୟର ବିପୁଳ ବିକାଶ ସଙ୍ଗେ ସଙ୍ଗେ ନର୍‌ଓ୍ୱେ, ସୁଇଡେନ୍‌, ପୋଲାଣ୍ଡ, ଫିନ୍‌ଲାଣ୍ଡ୍‌ ଆଦି କ୍ଷୁଦ୍ର କ୍ଷୁଦ୍ର ଦେଶର ସାହିତ୍ୟ ମଧ୍ୟ ସ୍ୱୀୟ ସ୍ୱାତନ୍ତ୍ର୍ୟ ପ୍ରତିଷ୍ଠାରେ ବ୍ରତୀ ହେଲା ।

 

ସୁପ୍ରାଚୀନ ଭାରତର ବିଭିନ୍ନ ଆଞ୍ଚଳିକ ସାହିତ୍ୟ ତଥା ଚୀନ, ଜାପାନ, ପାରସ୍ୟ ଆଦି ସମଗ୍ର ଏସିଆ ମହାଦେଶର ସାହିତ୍ୟରେ ବିଗତ ଶତାବ୍ଦୀର ୟୁରୋପ ଭଳି ଯେଉଁ ନବ ପ୍ରଭାତର ଆବାହନ ଆସିଛି, ପ୍ରତ୍ୟେକ ଭାରତୀୟ ସାହିତ୍ୟ ତବ୍ଦ୍ୱାରା ଉଦ୍‌ବୁଦ୍ଧ ହେବା ଉଚିତ । ନିଜ ଭାଷା ବା ସାହିତ୍ୟକୁ ଶ୍ରେଷ୍ଠ ପ୍ରତିପନ୍ନ କରିବା କାହାରି ପକ୍ଷରେ ଯେ କଲ୍ୟାଣକର ନୁହେଁ, ଏ କଥା ସାହିତ୍ୟିକମାନଙ୍କୁ ହିଁ ସର୍ବାଦୌ ବୁଝିବାକୁ ହେବ ଓ ଅନ୍ୟ ସମସ୍ତଙ୍କୁ ବୁଝାଇବାକୁ ହେବ ।

 

ଏସିଆଖଣ୍ଡର ସୁବିସ୍ତୃତ, ସୁଗଭୀର ଓ ସୁଦୃଢ଼ ପ୍ରାଚୀନ ସାହିତ୍ୟ ଉପରେ ତାହାର ଆଧୁନିକ ସାହିତ୍ୟ ପ୍ରତିଷ୍ଠା ଅର୍ଜନ କରିବ । ସେଥି ସଙ୍ଗେ ବିଶ୍ୱସାହିତ୍ୟରୁ ତାହାକୁ ପ୍ରେରଣା ଲାଭ କରିବାକୁ ହେବ । ପରସ୍ପରର ଦ୍ୱନ୍ଦ୍ୱ ଓ ସାନ–ବଡ଼ ବିଚାରକୁ ପାସୋରି ଦେଇ ପ୍ରାଚ୍ୟର ପ୍ରାଚୀନ ସାହିତ୍ୟ ଭଳି ଆଧୁନିକ ସାହିତ୍ୟର ବିଶ୍ୱ ଦରବାରରେ ପ୍ରକୃତ ସ୍ଥାନ କେଉଁଠି ଅଛି, ତାହା ନିରୂପଣ କରିବାକୁ ହେବ । ପ୍ରାଚ୍ୟ-ଜଗତରେ ବର୍ତ୍ତମାନ ସେହି ସମୟ ଉପଗତ । ଆରବ୍ୟ ଉପନ୍ୟାସ, ଓମାରଖୈୟାମ, ପଞ୍ଚତନ୍ତ୍ର, ମହାଭାରତ କିମ୍ୱା ଚୀନ ଓ ଜାପାନର ଅତୀତ ସାହିତ୍ୟ ବିଶ୍ୱସାହିତ୍ୟକୁ ଯେଉଁ ପ୍ରଚୁର ଦାନ କରୁଅଛି, ଆଧୁନିକ ପ୍ରାଚ୍ୟସୃଷ୍ଟିରେ ତାହାର ଅନୁପାତ ଖୋଜିବାକୁ ହେବ ।

Image

 

ନାଟ୍ୟ-ସାହିତ୍ୟ

 

ପାଶ୍ଚାତ୍ୟ ସମାଲୋଚନାମାନଙ୍କ ମତରେ ନାଟ୍ୟଜଗତରେ ଅପ୍ରତିଦ୍ୱନ୍ଦ୍ୱୀ ସେକ୍‌ସପିୟରଙ୍କ ଯୁଗ ପରେ ଯେଉଁ ନବ ଯୁଗର ଆବିର୍ଭାବ ହେଲା ଏବଂ ରଙ୍ଗମଞ୍ଚର ଆଧୁନିକ ଜୀବନର ବାସ୍ତବ ପ୍ରତିଫଳନ ସରଳତମ ଭାଷାରେ ସମ୍ଭବପର ହେଲା, ତାହାର ପୁରୋଭାଗରେ ଥିଲେ କ୍ଷୁଦ୍ର ନରଓ୍ୱେ ରାଜ୍ୟର କବି ନାଟ୍ୟକର ହେନ୍‌ରିକ୍‌ ଇବ୍‌ ସେନ୍‌ । ସେକ୍‌ସପିୟରଙ୍କ ଭାଷା ଥିଲା ଇଂରାଜୀ ଏବଂ ତାହାଙ୍କ ପଡ଼ୋଶୀ ଇବ୍‌ସେନ୍‌ନର୍‍ଓୟେଜ୍‌ ଭାଷାରେ ରଚନା କରିଥିଲେ । ମାତ୍ର ୟୁରୋପୀୟ ସମାଲୋଚକ ପାଶ୍ଚାତ୍ୟ ସାହିତ୍ୟର ପ୍ରଗତିଧାରା ପ୍ରଦର୍ଶନ କରି ତାହାକୁ ବିଭିନ୍ନ ଭାଷାରେ ଲିଖିତ ଏକ ବିରାଟ ସାହିତ୍ୟରୂପେ ଯେଭଳି ବିଚାର କରିଥାନ୍ତି, ସେହି ଭାବରେ ହିଁ ପ୍ରାଚ୍ୟ ସାହିତ୍ୟର ଗତିନିର୍ଦ୍ଦେଶ ହେବା ଆବଶ୍ୟକ । କାରଣ ନାନା ଭାଷାରେ ଲିଖିତ ହେଲେହେଁ ଏହାର ଅନ୍ତର୍ନିହିତ ଭାବଧାରାରେ ଅଧିକ ସାମଞ୍ଜସ୍ୟ ଅଛି ।

 

ୟୁରୋପୀୟ ଓ ଏସୀୟ ସାହିତ୍ୟ

 

ଆଧୁନିକ ସାହିତ୍ୟ–ସୃଷ୍ଟିରେ ପାଶ୍ଚାତ୍ୟ ସହିତ ପ୍ରାଚୀର ତୁଳନା କରିବା ଅବଶ୍ୟ ଏକ ଦୁଃସାଧ୍ୟ କର୍ମ । ଐତିହାସିକ କିମ୍ୱା ରାଜନୈତିକ କାରଣମାନଙ୍କରୁ ପ୍ରାଚ୍ୟର ନବଜାଗରଣ ବହୁ ବିଳମ୍ୱରେ ଘଟିଛି । ତେଣୁ ତାହାର ଆଧୁନିକ ରଚନା ପ୍ରାଚ୍ୟ ତୁଳନାରେ ଅଗ୍ରସର ହୋଇପାରିନାହିଁ-। ବର୍ତ୍ତମାନ ଯୁଗରେ ନରଓ୍ୱେ, ସୁଇଡେନ୍‌, ସ୍ପେନ୍‌, ପର୍ତ୍ତୁଗାଲ, ଡେନ୍‌ମାର୍କ, ହଲାଣ୍ଡ, ଇଟାଲୀ, ପୋଲାଣ୍ଡ ଆଦି କ୍ଷୁଦ୍ର ଦେଶମାନଙ୍କରେ ସାହିତ୍ୟର ଯେଉଁ ଅଭ୍ୟୁଦୟ ସମ୍ଭବ ହୋଇପାରିଛି, ଏସିଆର ବିଶାଳ ଭୂଖଣ୍ଡମାନଙ୍କରେ ସୁଦ୍ଧା ତାହାର ତୁଳନା ଦୁର୍ଲଭ । ଏହାର କାରଣ ଖୋଜି ପାଇବା ଅବଶ୍ୟ କଷ୍ଟକର ନୁହେଁ ।

 

ସଂସ୍କୃତ, ଲାଟିନ୍‌ ଓ ଗ୍ରୀକ୍‌

 

ଏସିଆର ସଭ୍ୟତା ଓ ସାହିତ୍ୟ ବହୁ ପ୍ରାଚୀନ । ୟୁରୋପର ଲୋକେ ନିତାନ୍ତ ବନ୍ୟ ଅବସ୍ଥାରେ ଥିବାବେଳେ ଭାରତରେ ବେଦ, ପୁରାଣ ରଚିତ ହୋଇସାରିଥିଲା । ଏହିରୂପେ ପ୍ରାଚୀନ ପ୍ରାଚ୍ୟର ଶିକ୍ଷା, ସାହିତ୍ୟ ଓ ସଭ୍ୟତା ଶୀର୍ଷତମ ସ୍ଥାନକୁ ଉଠିବା ପରେ ପାଶ୍ଚାତ୍ୟ ସାହିତ୍ୟ ଜନ୍ମଲାଭ କଲା ବୋଲି କହିଲେ ପକ୍ଷପାତିତା ହେବନାହିଁ । କିନ୍ତୁ ଅତୀତରେ ପ୍ରାଚ୍ୟ ଯେଉଁ ସ୍ଥାନ ଅଧିକାର କରିଥିଲା, ସେହି ସ୍ଥାନରେ ଆଜି ଅଧିକାରୀ ହୋଇପାରିଛି ପାଶ୍ଚାତ୍ୟ, ତାହାର ଶିକ୍ଷା, ସଭ୍ୟତା ଓ ସାହିତ୍ୟ କ୍ଷେତ୍ରରେ । ସୁଦୂର ଅତୀତରେ ପ୍ରାଚ୍ୟଭଳି ବର୍ତ୍ତମାନ ପାଶ୍ଚାତ୍ୟ ହିଁ ସଭ୍ୟତାର ସକଳ ବିଭାଗରେ ଆଧୁନିକ ଜଗତରେ ଅନୁକରଣୀୟ ଆଦର୍ଶ ସ୍ଥାପନ କରିଛି ।

 

ଭାରତର ପ୍ରାଚୀନ ସାହିତ୍ୟ ଯେପରି ସଂସ୍କୃତ ଓ ପାଳିଭାଷାକୁ ଅବଲମ୍ୱନ କରିଥିଲା, ସେହିପରି ୟୁରୋପର ବିଭିନ୍ନ ସାହିତ୍ୟର ପ୍ରାରମ୍ଭ ଯୁଗରେ ଲାଟିନ୍‌ ଓ ଗ୍ରୀକ୍‌ ଭାଷାରେ ତାହା ଲିଖିତ ହୋଇଥିଲା । ପରେ କ୍ଷୁଦ୍ର ରାଜ୍ୟମାନଙ୍କ କଥିତ ଭାଷାରେ ୟୁରୋପୀୟ ସାହିତ୍ୟର ଯେପରି ଚରମ ଅଭ୍ୟୁତଥାନ୍‌ ଘଟିଲା, ଭାରତୀୟ ବିଭିନ୍ନ ଭାଷାରେ ଲିଖିତ ସାହିତ୍ୟ ସେହି ପରିମାଣରେ ଅଗ୍ରସର ହୋଇପାରିନାହିଁ । ଅଥଚ କଥିତ ଭାଷାରେ ପାଶ୍ଚାତ୍ୟ ସାହିତ୍ୟ ଭଳି ଭାରତୀୟ ସାହିତ୍ୟମାନଙ୍କର ଜନ୍ମକାଳ ପ୍ରାୟ ଚାରି ପାଞ୍ଚ ଶହ ବର୍ଷ ପୂର୍ବରୁ ଅଧିକ ନୁହେଁ । ସମାନବୟସ ହେଲେହେଁ ପ୍ରାଚ୍ୟ ସାହିତ୍ୟ ଯେ, ପାଶ୍ଚାତ୍ୟ ଅନୁରୂପ ଗୁଣ ହାସଲ କରିପାରିନାହିଁ, ତାହା ଅବଶ୍ୟ ସ୍ୱୀକାର୍ଯ୍ୟ ।

 

ସ୍କାଣ୍ଡି ନେଭିଆର ସାହିତ୍ୟ

 

କ୍ଷୁଦ୍ର ସ୍କାଣ୍ଡି ନେଭିଆ ରାଜ୍ୟର ସାହିତ୍ୟକୁ ଏହି ଦୃଷ୍ଟିରୁ ତୁଳନା କରାଯାଇପାରେ । ୟୁରୋପର ଉତ୍ତର ସୀମାରେ ଅବସ୍ଥିତ ସ୍କାଣ୍ଡି ନେଭିଆ ବର୍ତ୍ତମାନ ତିନିଗୋଟି ପ୍ରଧାନ ରାଜ୍ୟରେ ବିଭିକ୍ତ ହୋଇପଡ଼ିଛି; ଯଥା:–ନରଓ୍ୱେ, ସୁଇଡେନ୍‌, ଡେନ୍‌ମାର୍କ । ଏହା ବ୍ୟତୀତ ଆଇସ୍‌ଲ୍ୟାଣ୍ଡ ମଧ୍ୟ ଏହି ରାଜ୍ୟଗୋଷ୍ଠୀର ଅନ୍ତର୍ଭୁକ୍ତ । ପ୍ରଥମେ ଏହି ରାଜ୍ୟମାନଙ୍କର ଭାଷା ଓ ସାହିତ୍ୟରେ ଖୁବ୍‌ ବେଶି ପ୍ରଭେଦ ଲିଖିତ ହେଉନଥିଲେହେଁ ବର୍ତ୍ତମାନ ପ୍ରତ୍ୟେକଟି ପରସ୍ପରଠାରୁ ସ୍ୱୀୟ ସ୍ୱାତନ୍ତ୍ର୍ୟ ଅର୍ଜନ କରିପାରିଛି । ମାତ୍ର ସେମାନଙ୍କ ମଧ୍ୟରେ ଏବେ ସୁଦ୍ଧା ନିବିଡ଼ ସାମଞ୍ଜସ୍ୟ ଦେଖାଯାଏ ।

 

ପ୍ରାରମ୍ଭ କାଳ

 

ସ୍କାଣ୍ଡି ନେଭିଆର ପ୍ରାଚୀନ ସାହିତ୍ୟ ଦ୍ୱାଦଶ ଶତାବ୍ଦୀରେ ହିଁ ଆରମ୍ଭ ହୋଇଥିଲା । ସେତେବେଳେ ଅନ୍ୟାନ୍ୟ ସାହିତ୍ୟ ଭଳି ଧର୍ମ ହିଁ ଥିଲା ପ୍ରଧାନ ବିଷୟବସ୍ତୁ । କିମ୍ୱଦନ୍ତୀ ଓ ଇତିହାସକୁ ଘେନି ମହାକାବ୍ୟ ଲେଖାଯାଇଥିଲା । ଗଦ୍ୟରେ ମଧ୍ୟ ସମସମାୟିକ ସାହିତ୍ୟ ରଚିତ ହୋଇ ସ୍କାଣ୍ଡି ନେଭିଆର ପ୍ରାଣପ୍ରତିଷ୍ଠା କରିଥିଲା ଏବଂ ତାହାର ପ୍ରଧାନ ଲେଖକ ଥିଲେ ସ୍ନୋରି ଷ୍ଟୁର୍ଲୁସନ୍‌ (Snori Sturluson–1179–1241.) । ଆଇସ୍‌ଲାଣ୍ଡର ଅଧିବାସୀମାନେ ସ୍କାଣ୍ଡି ନେଭିଆରୁ ଯାଇ ସେଠାରେ ବସତି କରିଥିଲେ । ସେହି କାଳରୁ ହିଁ ଆଇସ୍‌ଲାଣ୍ଡରେ ସ୍ୱତନ୍ତ୍ର ସାହିତ୍ୟର ସୃଷ୍ଟି । ପ୍ରଥମେ ସ୍କାଣ୍ଡି ନେଭିଆର ଗଦ୍ୟ ଅନୁକରଣ କରି ଆଇସ୍‌ଲ୍ୟାଣ୍ଡର ସାହିତ୍ୟ ଗଠିତ ହେଲା । କିନ୍ତୁ ବର୍ତ୍ତମାନ ଆଇସ୍‌ଲ୍ୟାଣ୍ଡର ଶ୍ରେଷ୍ଠ କବି ଏବଂ ଔପନ୍ୟାସିକ ଗୁନାର୍‌ସନ୍‌ (Gnnar Gunnarson–ଜନ୍ମ ୧୮୮୯ ଖ୍ରୀଷ୍ଟାବ୍ଦ) ଉଭୟ ଡେନ୍‌ମାର୍କ ଓ ଆଇସ୍‌ଲ୍ୟାଣ୍ଡର ଭାଷାରେ ଉତ୍କୃଷ୍ଟ ଗ୍ରନ୍ଥମାନ ଲେଖି ବିଖ୍ୟାତ ହୋଇଛନ୍ତି । ‘ଏକ ଚକ୍ଷୁ ଅତିଥି’, ‘ଅନ୍ଧକାର’ ଓ ‘ସାତଟି ଦିନ’ ନାମକ ତାଙ୍କର ଶ୍ରେଷ୍ଠ ରଚନା ବିଶ୍ୱସାହିତ୍ୟରେ ଯଶ ଅର୍ଜନ କରିଛି ।

 

ସୁଇଡେନ୍‌ର ସାହିତ୍ୟ

 

ସୁଇଡେନ୍‌ର ସାହିତ୍ୟ ପ୍ରଥମେ ଭକ୍ତ ଓ ଧର୍ମଗୁରୁମାନଙ୍କଦ୍ୱାରା ଲିଖିତ ହୋଇଥିଲା । ସେମାନଙ୍କ ମଧ୍ୟରେ ଭକ୍ତ ବ୍ରିଗିଟା (Saint Brigitta–1303–1373) ପ୍ରଧାନ । ଅଷ୍ଟାଦଶ ଶତାବ୍ଦୀରେ ବ୍ୟାରନ୍‌ଲଡଉଇଗ ହଲବର୍ଗ (Baron Ludwig Holborg) ଇତିହାସ ଓ ଦର୍ଶନ ସମ୍ୱନ୍ଧୀୟ ଗ୍ରନ୍ଥମାନ ଲେଖି ଯେଭଳି ସୁଖ୍ୟାତି ଅର୍ଜନ କରିଥିଲେ, ନାଟକ ରଚନାରେ ମଧ୍ୟ ସେହିଭଳି କୃତକାର୍ଯ୍ୟ ହୋଇଥିଲେ । ବୈଜ୍ଞାନିକ ଓ ଆଧ୍ୟାତ୍ମବାଦୀ ଲେଖକ ଇମାନୁଏଲ ସୁଇଡେନ୍‌ବର୍ଗ (୧୬୮୮–୧୭୭୨) ଏବଂ ଉଦ୍ଭିଦ ବିଜ୍ଞାନ ବିଶେଷଜ୍ଞ ଲିନେୟସ୍‌(୧୭୦୭–୭୮) ଲାଟିନ୍‌ ଭାଷାରେ ଲେଖିଥିଲେହେଁ ସେମାନଙ୍କ ଉପାଦେୟ ରଚନାଗୁଡ଼ିକ ବହୁଶଃ ଅନୁଦିତ ଓ ଆଦୃତ ହୋଇଥିଲା । ତାଙ୍କର ପ୍ରାୟ ସମସାମୟିକ ଲେଖକ ଟୋମାସ୍‌ଥରିଲ୍‌ଡ ଓ ଜୋହାନ୍‌କେଲ୍‌ଗ୍ରେନ୍‌ ଫ୍ରାନ୍‌ସର ପ୍ରାଚୀନ ଶ୍ରେଷ୍ଠ ଲେଖକମାନଙ୍କ ଅନୁକରଣରେ ସୁଇଡେନ୍‌ ସାହିତ୍ୟରେ କାଳ୍ପନିକ ସୁବର୍ଣ୍ଣଯୁଗର ଆବାହନ କରିଥିଲେ ।

 

ଏହି ସମୟରେ ଅର୍ଥାତ୍‌ ୧୭୮୬ ଶ୍ରୀଷ୍ଟାବ୍ଦରେ ସୁବିଖ୍ୟାତ ଫରାସୀ ଏକାଡେମୀ ଅନୁରୂପ ସୁଇଡେନ୍‌ର ତତ୍କାଳୀନ ରାଜା ଓ ନାଟ୍ୟକର ଗୁଷ୍ଟାଭସ୍‌ଙ୍କ ପୃଷ୍ଠପୋଷକତାରେ ସୁଇଡେସ୍‌ ଏକାଡେମୀ ପ୍ରତିଷ୍ଠିତ ହୋଇଥିଲା । ପରେ ଏହି ରାଜ୍ୟର ଶ୍ରେଷ୍ଠ ଉଦ୍ଭାବକ ଆଲ୍‌ଫ୍ରେଡ୍‌ ନୋବେଲଙ୍କ ଅର୍ଜିତ ପ୍ରଚୁର ଅର୍ଥଦାନରେ ନୋବେଲ ପୁରସ୍କାର ପାଣ୍ଠି ନିର୍ମିତ ହୋଇ ସୁଇଡେସ୍‌ ଏକାଡେମୀର ମହତ୍ତ୍ୱ ବଢ଼ାଇଅଛି ।

Image

 

ପ୍ରତିବେଶୀ ସାହିତ୍ୟ

 

ଅଷ୍ଟବିଂଶ ଶତାବ୍ଦୀର ଶେଷ ଭାଗରୁ ସ୍କାଣ୍ଡି ନେଭିଆର ସାହିତ୍ୟ ଉନ୍ନତି ପଥରେ ଅଗ୍ରସର ହୋଇ ଆଜି ପୃଥିବୀର ଶ୍ରେଷ୍ଠ ସାହିତ୍ୟମାନଙ୍କ ସଙ୍ଗେ ସମାନ ଆସନ ଅଧିକାର କରିପାରିଛି । ଅଥଚ ଓଡ଼ିଆ ସାହିତ୍ୟର ମୌଳିକ ବିକାଶ ବହୁ ପ୍ରାଚୀନତର ହେଲେହେଁ ତାହାର ଅଗ୍ରଗତି ତୁଳନୀୟ ହୋଇପାରୁନାହିଁ । ଏଥିଲାଗି ବହୁ ପାରିପାର୍ଶିକ ଅବସ୍ଥା ଅବଶ୍ୟ ଦାୟୀ । ସ୍କାଣ୍ଡି ନେଭିଆର କିମ୍ୱା ୟୁରୋପର ଇଟାଲୀ, ସ୍ପେନ୍, ପର୍ତ୍ତୁଗାଲ, ଫରାସୀ, ଜର୍ମାନୀ ଆଦି ସାନ ବଡ଼ ଦେଶର ସାମାଜିକ ଓ ରାଷ୍ଟ୍ରୀୟ ଜୀବନରେ ବିଜ୍ଞାନର ପ୍ରଭାବ ଫଳରେ ଯେଉଁ ପରିବର୍ତ୍ତନ ଦେଖାଦେଇଥିଲା, ଭାରତୀୟ ସମାଜ ତହିଁରୁ ଦୂରରେ ଥାଇ ପ୍ରାଚୀନ ପରମ୍ପରା ଉପରେ ହିଁ ନିବିଷ୍ଟ ରହିଲା । ବୈଷୟିକ ବିଜ୍ଞାନର ଉଦ୍ଭାବନୀ ଶକ୍ତି ତତ୍କାଳୀନ ଭାରତୀୟ ସମାଜରେ ଯେପରି ଦେଖାଯାଏ ନାହିଁ, ସେହିପରି ସହିତ୍ୟର ଧାରା ମଧ୍ୟ ଅପରିବର୍ତ୍ତନୀୟ ଓ ନିଶ୍ଚଳ ହୋଇ ରହିଗଲା ।

 

ସମାଜ ଓ ସାହିତ୍ୟ

 

ଧର୍ମ ଓ ପ୍ରଣୟ ବ୍ୟତୀତ ସାହିତ୍ୟର ଉପଜୀବ୍ୟ ରୂପେ ଆଉ କିଛି ଜୁଟିଲା ନାହିଁ । ବୈଚିତ୍ର୍ୟହୀନ ଜୀବନରେ ସାହିତ୍ୟ ପାଇଁ ନୂତନ ଉପାଦାନ ବା ମିଳନ୍ତା କେଉଁଠାରୁ ? ରାଧାକୃଷ୍ଣ, ସୀତାରାମ, ବିରହ ମିଳନ ମଧ୍ୟରେ ହିଁ ସାହିତ୍ୟିକ ପରିକଳ୍ପନା ମୁଖ୍ୟତଃ ଆବଦ୍ଧ ରହିଲା । ବିଷୟବସ୍ତୁର ସଂକୀର୍ଣ୍ଣ ପରିସର ପ୍ରାଚୀନ କବିକଣ୍ଠରୁ ନବ ନବ ସ୍ୱରମୂର୍ଚ୍ଛନା ବିଚିତ୍ର ବର୍ଣ୍ଣନାଭଙ୍ଗି ସାହାଯ୍ୟରେ ରୂପାୟିତ ହୋଇ ଅଦ୍ଭୁତ ପ୍ରତିଭାର ପରିଚୟ ଦେଲା ସତ; କିନ୍ତୁ ବାସ୍ତବ ଜୀବନ–ସଂଗ୍ରାମରୁ ସାହିତ୍ୟ ଦୂରେଇ ହୋଇ ରହିଗଲା । କାରଣ ଜୀବନରେ ସଂଗ୍ରାମର ମାତ୍ରା ହ୍ରାସ ପାଇଗଲା । ସାମାଜିକ ଚରିତ୍ରଚିତ୍ରଣ ମୁଖ୍ୟ ସ୍ଥାନ ଲାଭ କଲା ନାହିଁ । ଶିକ୍ଷା ପରିବର୍ତ୍ତନରେ ସାହିତ୍ୟରୁ ଆମୋଦ ଲାଭ କରିବା ହିଁ ଅସଲ ଲକ୍ଷ୍ୟ ହେଲା ।

 

ଏହି ଅବସରରେ ୟୁରୋପୀୟ ସାହିତ୍ୟ ସାମାଜିକ ଜୀବନ ସହିତ ପୂର୍ଣ୍ଣ ସହଯୋଗ ରକ୍ଷା କରି ବହୁ ଦୂର ଅଗ୍ରସର ହୋଇଗଲା । କବିତା ସ୍ଥାନରେ ଗଦ୍ୟର ଅଭ୍ୟୁଦୟ ଦେଖାଗଲା । ଲୋକମୁଖରେ ପ୍ରଚଳିତ ରୂପକଥା ଓ କାହାଣୀମାନ ଭାଷା–ବିଭବରେ ଅଳଂକୃତ ସାହିତ୍ୟରେ ସ୍ଥାନ ପାଇଲା ।

 

ଅନୁବାଦ

 

ୟୁରୋପର କୌଣସି ଭାଷାରେ ଏପରି କିଛି ଉତ୍କୃଷ୍ଟ ରଚନା ନାହିଁ, ଯାହା ଭାଷାନ୍ତରିତ ନ ହୋଇଛି । ବିଭିନ୍ନ ଅଞ୍ଚଳର ଲୋକସାହିତ୍ୟର ଅନୁବାଦ ସୁଦ୍ଧା ୟୁରୋପୀୟ ଭାଷାମାନଙ୍କରେ ପ୍ରଚୁର ପରିମାଣରେ ଦେଖାଯାଏ । ଅତି ନିକଟତମ ପ୍ରତିବେଶୀରୂପେ ମଧ୍ୟ ଆଜି ତେଲୁଗୁ, ତାମିଲ, ହିନ୍ଦୀ ଓ ଓଡ଼ିଆ ପ୍ରଭୃତି ସାହିତ୍ୟ ପରସ୍ପର ପକ୍ଷରେ ଅଜ୍ଞେୟ । ଅନୁବାଦ ମାଧ୍ୟମରେ ବିଭିନ୍ନ ସାହିତ୍ୟ ମଧ୍ୟରେ ଆଦାନ–ପ୍ରଦାନର ମାତ୍ରା ବୃଦ୍ଧି ଲାଭ ନ କଲା ପର୍ଯ୍ୟନ୍ତ ପ୍ରକୃତ ଭାରତୀୟ ସାହିତ୍ୟର ପରିଚୟ କିମ୍ୱା ପ୍ରତିଷ୍ଠା ସମ୍ଭବପର ନୁହେଁ ।

 

ସୁଖର କଥା, ଭାରତୀୟ ସାହିତ୍ୟ ଏକାଡେମୀ ଏ ଦିଗରେ ପଥପ୍ରଦର୍ଶନ କରିଛନ୍ତି । କିନ୍ତୁ କେବଳ ସାହିତ୍ୟ ଏକାଡେମୀ କର୍ତ୍ତୃକ ସମସ୍ତ କାର୍ଯ୍ୟ ସମ୍ପନ୍ନ ହୋଇନପାରେ । ଆଞ୍ଚଳିକ ଭାଷାରେ ବ୍ୟୁତ୍ପତ୍ତି ଲାଭ କରିଥିବା ବ୍ୟକ୍ତିବିଶେଷ ଅନୁବାଦ କାର୍ଯ୍ୟରେ ଅଗ୍ରସର ହେବା ବାଞ୍ଛନୀୟ-। ଇଂରାଜୀ ଭାଷାରୁ ବିଭିନ୍ନ ୟୁରୋପୀୟ ସାହିତ୍ୟର ଅନୁବାଦ ଓଡ଼ିଆରେ କରାଯାଉଥିବା ଉଦ୍ୟମ ଆଜି ଦେଖାଯାଏ । ଭାରତୀୟ ସାହିତ୍ୟମାନଙ୍କରୁ ମଧ୍ୟ ସେହିପରି ଅନୁବାଦ କରାଯିବା ଆବଶ୍ୟକ-

 

ପ୍ରତିବେଶୀ ସାହିତ୍ୟ

 

ଆମ୍ଭମାନଙ୍କର ପ୍ରତିବେଶୀ ସମୁନ୍ନତ ସାହିତ୍ୟଗୁଡ଼ିକର ଆଧୁନିକ ଉତ୍କୃଷ୍ଟ ଗ୍ରନ୍ଥମାନ ମଧ୍ୟ ଓଡ଼ିଆରେ ଅନୁଦିତ ହୋଇନାହିଁ । ରବୀନ୍ଦ୍ର ନାଥ, ଇକ୍‌ବାଲ ପ୍ରମୁଖ ଶ୍ରେଷ୍ଠ କବିମାନଙ୍କ ରଚନାରୁ ବହୁ ଓଡ଼ିଆ ପାଠକ ବଞ୍ଚିତ ହୋଇ ରହିଛନ୍ତି । ଉର୍ଦ୍ଦୁ, ବଙ୍ଗଳା, ତେଲୁଗୁ, ତାମିଲ, ଗୁଜରାଟୀ, ମହାରାଷ୍ଟ୍ରୀ ପ୍ରଭୃତି ସାହିତ୍ୟର ଜୀବିତ ଲେଖକମାନଙ୍କ ଶ୍ରେଷ୍ଠ ରଚନା ସହିତ ଆମ୍ଭେମାନେ ପରିଚିତ ନୁହେଁ । ସେହି ଭଳି ଓଡ଼ିଆ ଭାଷାରେ ଅନୁଦିତ ହୋଇନାହିଁ । ତାହା ନ ହେବା ପର୍ଯ୍ୟନ୍ତ ଭାରତୀୟ କୌଣସି ସାହିତ୍ୟର ଯଥାର୍ଥ ମୂଲ୍ୟ ବିଚାର ଲାଗି ପ୍ରଶସ୍ତ କ୍ଷେତ୍ର ମିଳିନପାରେ । ପ୍ରତି ସାହିତ୍ୟ ହିଁ ନିଜର ସଂକୀର୍ଣ୍ଣ ପରିସର ଭିତରେ ନିଜକୁ ବଡ଼ ବୋଲି ମଣିବାର ସ୍ୱାଭାବିକ କିମ୍ୱା ଅସ୍ୱାଭାବିକ ଅବସ୍ଥାରେ ପହଞ୍ଚିଥାଏ । ଭାରତୀୟ ତଥା ବିଶ୍ୱସାହିତ୍ୟର ମାନଦଣ୍ଡରେ ଓଡ଼ିଆ ସାହିତ୍ୟକୁ ତୁଳନା କରିବାକୁ ଗଲେ ଅନୁବାଦର ଆବଶ୍ୟକତାକୁ ଏଡ଼ିଦେଇ ହେବନାହିଁ ।

 

ବୈପ୍ଲବିକ ଚିନ୍ତାଧାରା

 

ଶିଳ୍ପବିଜ୍ଞାନର ଅଭିନବ ଅଭ୍ୟୁତ୍‌ଥାନ ଫଳରେ ୟୁରୋପୀୟ ସମାଜରେ ଯେଉଁ ବୈପ୍ଲବିକ ପରିବର୍ତ୍ତନ ଘଟିଲା, ସେ ଦେଶର ସାହିତ୍ୟ ତାହାର ବାର୍ତ୍ତାବହରୂପେ ଦେଖାଦେଇଥିବାରୁ ଏକାଧିକ ପ୍ରମାଣ ମିଳିଥାଏ । ଡେନ୍‌ମାର୍କର ପ୍ରସିଦ୍ଧ ସମାଲୋଚନା ଜର୍ଜ ବ୍ରାଣ୍ଡେସ୍‌(୧୮୪୨–୧୯୨୭) ‘‘ଊନବିଂଶ ଶତାବ୍ଦୀର ସାହିତ୍ୟଧାରା’’ ଆଲୋଚନା କରି ସମସାମୟିକ ସାହିତ୍ୟ ଉପରେ ଯେଉଁ ତୁମୂଳ ଆକ୍ରମଣ ଚଳାଇଲେ ଏବଂ ସାହିତ୍ୟ କଦାପି କଳ୍ପନାମୟ ସ୍ୱପ୍ନ ନ ହୋଇ ବାସ୍ତବ ଜୀବନ ଓ ସମାଜର ପ୍ରତିବିମ୍ୱ ବୋଲି ଘୋଷଣା କଲେ, ତାହାଦ୍ୱାରା ସମଗ୍ର ୟୁରୋପ ପ୍ରଭାବିତ ହୋଇ ନୂତନ ସୃଷ୍ଟିଲାଗି ଅନୁକୂଳ ବାତାବରଣ ପ୍ରସ୍ତୁତ କଲା । ଯେଉଁ ସାହିତ୍ୟରେ ହାନସ୍‌ ଏଣ୍ଡରସନ୍‌(୧୮୦୫–୭୫) ସୁବିଖ୍ୟାତ କାହାଣୀ (Fairy Tales) ଲେଖି ପ୍ରତିଷ୍ଠା ଅର୍ଜନ କରିଥିଲେ, ତାହାର ଦୃଷ୍ଟିଭଙ୍ଗୀ ନିରାଟ ବାସ୍ତବତା ପ୍ରତି ଆକୃଷ୍ଟ ହେଲା । ନରଓ୍ୱେର ନାଟ୍ୟକାର ହେନ୍‌ରିକ୍‌ ଇବ୍‌ସେନ୍ (୧୮୨୮–୧୯୦୬) ୟୁରୋପୀୟ ରଙ୍ଗମଞ୍ଚରେ ଏକ ବିପ୍ଲବ ଆନାୟନ କଲେ । ସାମଜିକ ଜୀବନର ବାସ୍ତବ ପରିବର୍ତ୍ତନକୁ ସ୍ୱୀୟ ନାଟକରେ ଫୁଟାଇ ଇବ୍‌ସେନ ତଦାନୀନ୍ତନ ଆଭିଜାତ୍ୟ ଉପରେ ଯେଉଁ ନିଷ୍ଠୁର ଆଘାତ କଲେ, ତାହା ସମଗ୍ର ୟୁରୋପୀୟ ଚିନ୍ତାଧାରାକୁ ଚହଲାଇଦେଲା । ସାହିତ୍ୟରେ ନୂତନ ସୃଷ୍ଟି ଲାଗି ଇବ୍‌ସେନ ହିଁ ପଥପ୍ରଦର୍ଶକ ହେଲେ-

 

ସାମନ୍ତବାଦୀ ବୁର୍ଜୁଆ ସମାଜର ବିଫଳତା ଓ ସହଜ ପତନ ଇବ୍‌ସେନ୍, ବ୍ୟୋର୍ଣ୍ଣସନ୍‌ ଏବଂ ଷ୍ଟ୍ରିଣ୍ଡବର୍ଗ ସାହିତ୍ୟରେ ଯେତେବଳେ ପ୍ରତିଫଳିତ ହୁଏ, ସେତେବେଳକୁ ମାର୍କସୀୟ ସମାଜବାଦୀର ଚିନ୍ତାଧାରା ୟୁରୋପରେ ପ୍ରତିଷ୍ଠିତ ହୋଇସାରିଥିଲା । ରୁଷର ରାଷ୍ଟ୍ରକ୍ଷେତ୍ରରେ ତାହା ପରୀକ୍ଷିତ ହେବାର ପ୍ରାରମ୍ଭ ଯୁଗ ବୋଲିବାକୁ ହେବ ।

Image

 

ବ୍ରହ୍ମଜ୍ଞ କବି ମଧୁସୂଦନ

 

ଅହରହ ଗତିଶୀଳତା ହିଁ ‘ଜଗତ୍‌’ ଶବ୍ଦଟିର ଅର୍ଥରୁ ପ୍ରକାଶ ପାଏ । ଏହି ଗତିର ବେଗ ଏତେଦୂର କ୍ଷିପ୍ର ଯେ, ‘ଜଗତ’ର ପୂର୍ଣ୍ଣ ସଂଜ୍ଞା ସ୍ଥିର କରିବା ଆଜି ପର୍ଯ୍ୟନ୍ତ ବିଜ୍ଞାନ, ଦର୍ଶନ କିମ୍ୱା ଶିଳ୍ପ ସାହିତ୍ୟ ପକ୍ଷରେ ସମ୍ଭବପର ହୋଇପାରି ନାହିଁ । ଆଜି ପର୍ଯ୍ୟନ୍ତ ନବ ନବ ଆବିଷ୍କାର, ଉଦ୍ଭାବନ ବର୍ଣ୍ଣନାଚାତୁରୀର ନିଃଶେଷ ନାହିଁ; ପରିସମାପ୍ତ ନାହିଁ ।

 

ଜଗତର ଏହି ଅଦ୍ଭୁତ ଗତିଶୀଳତା ମଧ୍ୟରେ ନିରେଖି ଚାହିଁଲେ–କିଏ ନୂଆ, କିଏ ପୁରୁଣା ବାରିବା ଅତି ଦୁରୂହ ହୋଇପଡ଼େ । ଦିନରାତି ଭଳି, ସତ–ମିଛ ଭଳି, ସୁନ୍ଦର–କୁସିତ ଭଳି ପରସ୍ପର ବିରୋଧୀ ଦୃଷ୍ଟିଭଙ୍ଗୀ କିମ୍ୱା ଭାବଧାରା ଭିତରେ ଆମ୍ଭେମାନେ ନୂଆ ପୁରୁଣାର ବିଭେଦ ନିର୍ଣ୍ଣୟ କରିଥାଉ । ମାତ୍ର ସେହି ବିଭେଦ, ବିରୋଧିତା ଓ ସଂଘର୍ଷକୁ ଘେନି ସୃଷ୍ଟି କ୍ରିୟା ପରିଚାଳିତ । ସେଥିରୁ ଗୋଟିକୁ ବାଦ୍‌ଦେଲେ ଅନ୍ୟଟିର ଅବସ୍ଥିତି ରହେନାହିଁ ଏବଂ ସୃଷ୍ଟି ହୁଏ ବୈଚିତ୍ର୍ୟହୀନ । ଦର୍ଶନ, ସାହିତ୍ୟ ଓ କଳା ମୁହୁର୍ମୁହୁଃ ପରିବର୍ତ୍ତିତ ସୃଷ୍ଟି ବୈଚିତ୍ର୍ୟକୁ ବୁଝେଇବାକୁ ଉଦ୍ୟମ କରେ । କିନ୍ତୁ ଧର୍ମଠାରୁ ନିର୍ଦ୍ଦେଶ ମିଳେ କର୍ତ୍ତବ୍ୟ ଓ ଅକର୍ତ୍ତବ୍ୟ ସେଥିଲାଗି କଳା ସାହିତ୍ୟର ଶ୍ରେଷ୍ଟ ସାଧକମାନଙ୍କ ସ୍ଥାନ କେତେକ କ୍ଷେତ୍ରରେ ଧର୍ମଗୁରୁମାନଙ୍କଠାରୁ ସ୍ୱତନ୍ତ୍ର ବିବେଚିତ ହୁଏ । ଆହୁରି ଅନେକ କ୍ଷେତ୍ରରେ ଧର୍ମ ସହିତ କଳା ସାହିତ୍ୟ ମଧ୍ୟ ନିବିଡ଼ ଭାବରେ ଜଡ଼ିତ ହୋଇଥିବାର ଦେଖାଯାଏ ।

 

ପ୍ରାଚୀନ ଯୁଗରୁ ଓଡ଼ିଆ ସାହିତ୍ୟରେ ଏହି ଲକ୍ଷଣମାନ ବିକଶିତ ହୋଇଆସିଅଛି । ଅଧିକାଂଶ କାବ୍ୟକବିତାର ଉପଜୀବ୍ୟ ବିଷୟ ଓ ଚରିତ୍ରମାନ ଦେବାଦେବୀଙ୍କୁ ଅବଲମ୍ୱନ କରି ଚିତ୍ରିତ ଏବଂ ଅଧିକାଂଶ ରଚନାର ପ୍ରାରମ୍ଭରେ ଦେବାଦେବୀଙ୍କ ବନ୍ଦନା କିମ୍ୱା ମଙ୍ଗଳାଚରଣ ସାଧାରଣ ପ୍ରଥା ରୂପେ ଗୃହୀତ । କେଉଁ କବି ଶାରଳା ଠାକୁରାଣୀଙ୍କର ନିର୍ଦ୍ଦେଶରେ, କିଏ ରାମତାରକ ମନ୍ତ୍ରର ସାଧନରେ, ଆଉ କିଏ ଜଗନ୍ନାଥଙ୍କୁ ଉପସାନା କରି ଶାକ୍ତ, ଅଲେଖ, ରାମଭକ୍ତି ବା ବୈଷ୍ଣବ କବିରୂପେ ଅଭିହିତ ହୋଇଛନ୍ତି । ଭାରତର ଅନ୍ୟାନ୍ୟ ଆଞ୍ଚଳିକ ସାହିତ୍ୟ ଭଳି ପ୍ରାଚୀନ ଓଡ଼ିଆ ସାହିତ୍ୟରେ ମଧ୍ୟ ଧର୍ମର ପ୍ରେରଣା ପରିବ୍ୟାପ୍ତ ।

 

ଆଧୁନିକ ଯୁଗରେ ସୁଦ୍ଧା ପ୍ରାଚ୍ୟ–ପାଶ୍ଚାତ୍ୟ ସଂସ୍କୃତିର ନିକଟତର ମିଳନ ଫଳରେ ସର୍ବଧର୍ମନ୍ୱୟର ପ୍ରତୀକ ରୂପେ ଯେଉଁ ଅଦ୍ୱୈତ ବ୍ରହ୍ମବାଦର ଆବିର୍ଭାବ ଘଟିଲା, ଓଡ଼ିଆ ସାହିତ୍ୟରେ ତାହାର ପ୍ରଧାନ ଅଗ୍ରଣୀ ହେଲେ ଭକ୍ତକବି ମଧୁସୂଦନ । ସେ ପର୍ଯ୍ୟନ୍ତ ପ୍ରାୟ ସବୁ ଓଡ଼ିଆ କବି କୌଣସି ଦେବାଦେବୀଙ୍କର ଭକ୍ତ ଥିଲେ । ନବ ଯୁଗରେ ନୂତନ ରୂପ ଘେନି ମଧୁସୂଦନ ସେହି ପର୍ଯ୍ୟାୟର ଅନ୍ତର୍ଭୁକ୍ତ ହେଲେ । ପ୍ରାଚୀନ ଅଲେଖଧର୍ମୀ କବି–ସାଧକଗଣ ଯେପରି ଏକେଶ୍ୱରବାଦୀ ଥିଲେ, ମଧୁସୂଦନଙ୍କ ବ୍ରହ୍ମବାଦ ତାହାର ଅନ୍ୟତମ ପରିମାର୍ଜିତ ସଂସ୍କରଣ ବୋଲାଯାଇପାରେ । ଭାରତରେ ନବଯୁଗର ଶ୍ରେଷ୍ଠ କବି ରବୀନ୍ଦ୍ରନାଥଙ୍କର ଧର୍ମଦର୍ଶନ ମଧ୍ୟ ତାହାହିଁ ଥିଲା । ଭାରତର ବିଭିନ୍ନ ଆଞ୍ଚଳିକ ସାହିତ୍ୟ ରବୀନ୍ଦ୍ରନାଥଙ୍କ ସାହିତ୍ୟ ଦର୍ଶନଦ୍ୱାରା ଯେଭଳି ପ୍ରଭାବିତ, ସେହି ଦୃଷ୍ଟିରୁ ମଧୁସୂଦନଙ୍କୁ ଆଧୁନିକ ଓଡ଼ିଆ ସାହିତ୍ୟାଦର୍ଶର ଗୁରୁ କହିଲେ ଦୋଷାବହ ହେବ ନାହିଁ । ଅବଶ୍ୟ ମଧୁସୂଦନଙ୍କ ଭାଷା, ରଚନାଭଙ୍ଗି ଏବଂ ସର୍ବତ୍ର ବିଭୁଦର୍ଶନର ପୁନରାବୃତ୍ତି ଆଧୁନିକ ଓଡ଼ିଆ କବିମାନଙ୍କର ଅନୁକରଣୀୟ ହୋଇନପାରେ । ପୁଣି ବିଭୁପ୍ରେମ, ଈଶ୍ୱରଭକ୍ତି, ସାମାଜିକ ଓ ପାରିବାରିକ ସ୍ନେହ, କରୁଣା ଆଦି ଗୁଣ ମଧୁସୂଦନଙ୍କ କବିତାବଳୀରେ ଯେରୂପ ଅଙ୍କିତ ହୋଇଛି, ଆଧୁନିକ ରଚନାରେ ତାହା ଭିନ୍ନ ଭିନ୍ନ ଆକାର ପ୍ରକାର ଗ୍ରହଣ କରିପାରିଥାଏ; କିନ୍ତୁ ପ୍ରାଚୀନ ଦେବାଦେବୀଙ୍କ ବନ୍ଦନା ସ୍ଥାନରେ ସେ ଯେଉଁ ନୂତନ ସାର୍ବଜନୀନ ଦେବତାଙ୍କର ବନ୍ଦନାଗାନ କଲେ, ସେଥିଲାଗି ତାଙ୍କୁ ଓଡ଼ିଆ ସାହିତ୍ୟରେ ଯୁଗ–ପ୍ରବର୍ତ୍ତକ ବୋଲିବାକୁ ହେବ ।

 

ଶିଶୁମାନଙ୍କ ପ୍ରଥମ ପାଠ୍ୟ ‘ବର୍ଣ୍ଣବୋଧ’ଠାରୁ ଆରମ୍ଭ କରି ଭାରତୀୟ ଦର୍ଶନର ଚରମ ଆଧ୍ୟାତ୍ମିକତାର ବିଶ୍ଲେଷଣ ଓ ଅନୁଭୂତି ତାଙ୍କ ରଚନାରୁ ମିଳିଥାଏ । ମହାକବି ଭବଭୂତିକୃତ ଶ୍ରେଷ୍ଠ ନାଟକ ‘ଉତ୍ତରରାମଚରିତ’ର ସାର୍ଥକ ଅନୁବାଦ ମଧ୍ୟ ସେ କରିଯାଇଛନ୍ତି । ସାହିତ୍ୟରେ ନିର୍ମଳ ନିର୍ଦ୍ଦୋଷ ରୁଚିର ପ୍ରବର୍ତ୍ତକରୂପେ ମଧୁସୂଦନଙ୍କ ସ୍ଥାନ ଓଡ଼ିଆ ସାହିତ୍ୟରେ ଅନସ୍ୱୀକାର୍ଯ୍ୟ । ପାଠ୍ୟପୁସ୍ତକ ରଚନାରେ ତାଙ୍କର ବିଶୁଦ୍ଧ ଭାଷା ଓ ଭାବ ଏବେ ମଧ୍ୟ ଆଦର୍ଶ ହୋଇ ରହିଛି । ପୁଣି ଇଂରାଜୀ ଛାଞ୍ଚରେ ସନେଟ୍‌ ବା ଚତୁର୍ଦ୍ଦଶପଦୀ କ୍ଷୁଦ୍ର କବିତା ରଚନାଦ୍ୱାରା ଯେଉଁ ଭାଷା ଓ ଭାବ–ସଂଯମରେ ଲୋଡ଼ାହୁଏ, ମଧୁସୂଦନ ସେ ଦିଗରେ ପ୍ରଥମେ ସ୍ୱୀୟ କଳାପାଟବ ପ୍ରଦର୍ଶନ କରିଛନ୍ତି । କବିଙ୍କ ରଚିତ ‘ବସନ୍ତଗାଥା’ ତାହାର ପ୍ରମାଣ ।

 

୧୯୨୮ ମସିହାରେ ପ୍ରକାଶିତ ଏହି ଲେଖକଙ୍କର ‘ଭକ୍ତକବି ମଧୁସୂଦନ’ ନାମକ ଗ୍ରନ୍ଥରେ ତାଙ୍କର ଜୀବନବୃତ୍ତାନ୍ତ ଓ ରଚନାବଳୀ ବିଶଦରୂପେ ଆଲୋଚିତ ହୋଇଛି । ଆଜି ସେହି ଗ୍ରନ୍ଥଉପରେ ଦୃଷ୍ଟିପାତ କରି ଲେଖକ ନିଜର ପ୍ରାଚୀନ ରଚନାରୁ ଅନେକ ଶିକ୍ଷା ପାଇଥାଏ । ମଧୁସୂଦନ ତାହାଙ୍କ ‘ଶିଶୁ ଗୀତିକା’ ନାମକ କବିତାଗୁଡ଼ିକରେ ଗାଇଛନ୍ତି–

 

‘‘ଆକାଶ ଦିଶେ କି ସୁନ୍ଦର,

ତାହାକୁ ରଚିଲେ ଈଶ୍ୱର ।’’

 

ଏଇ ଦୁଇଟା ପାଦରେ ଯେପରି ବିଶ୍ୱର ସମସ୍ତ କବିତା ଆସି ଠୁଳ ହୋଇଯାଇଛି । ତାହାଙ୍କୁ ବ୍ରହ୍ମବାଦୀ, ଭକ୍ତି ଆଦି ଯେଉଁ ସକଳ ଆଖ୍ୟା ଦିଆଯାଏ, ସେ ସମସ୍ତ ଅତିକ୍ରମ କରି ସେ କବି, କଳାକାର ଓ ଶିଳ୍ପୀର ସହନୀୟ ଆସନ ଗ୍ରହଣ କରିଛନ୍ତି । ତାଙ୍କର ବିଭିନ୍ନ ୠତୁବର୍ଣ୍ଣନା, ପ୍ରଦୋଷ–ଭାଷାରେ ପଲ୍ଲୀ ପ୍ରକୃତର ବିଚିତ୍ର ଦୃଶ୍ୟର ଚିତ୍ରଣ ସରଳ ଭାଷା ଓ ଅନବାଦ୍ୟ ପ୍ରକାଶଭଙ୍ଗୀରେ ଜୀବିତ ହୋଇରହିଛି । ‘ଉତ୍କଳଗାଥାରେ’ କବି ଯେଉଁ ଜାତୀୟ ଉଦ୍‌ବୋଧନ ଦେଇଛନ୍ତି, ତାହାର ଆଲୋଚନା ଅଠେଇଶ ବର୍ଷ ପୂର୍ବେ ଲିଖିତ ବର୍ତ୍ତମାନ ଲେଖକର ‘ଭକ୍ତକବି ମଧୁସୂଦନ’ ଗ୍ରନ୍ଥରୁ ଦ୍ରଷ୍ଟବ୍ୟ । ସ୍ୱଦେଶର ଦୁର୍ଦ୍ଦଶା ଦେଖି ମଧୁସୂଦନ ଖେଦୋକ୍ତି କରିଛନ୍ତି;

 

‘‘କୋଟିଏ ସନ୍ତାନ ମାଗୋ

ଧରିଅଛୁ କୋଳେ

ଗୋଟିଏ ସନ୍ତାନ କିନ୍ତୁ

ନ ଦେଖିଲି ଡୋଳେ ।’’

 

ଉତ୍କଳର ଶ୍ରେଷ୍ଠ ପ୍ରେମ ମୈତ୍ରିଭାବ ବିଲୁପ୍ତ ହୋଇଛି । ସବୁ ସ୍ଥଳରେ ସଂକୀର୍ଣ୍ଣତା, ସର୍ବତ୍ର ସ୍ୱାର୍ଥର ଗନ୍ଧ–

 

‘‘ସମସ୍ତେ ମୋହରି ପରି

ମୋହେ ମୂଢ଼ମତି

କ୍ଷୁଦ୍ର ସ୍ୱାର୍ଥ କାରାରୁଦ୍ଧ

ନିସ୍ତେଜ ମୁରତି

ସର୍ବେ ଶୁଦ୍ରୀକୃତ ପୁଜି

କ୍ଷୁଦ୍ର ମୁଦ୍ରା ଖଣ୍ଡେ ।’’

 

ସକଳ ବିଶ୍ୱ ଜାଗ୍ରତ, ଉତ୍କଳ କ’ଣ ସେ ବିଶ୍ୱରୁ ବିଚ୍ଛିନ୍ନ ! ସଂକୀର୍ଣ୍ଣ ପ୍ରାଦେଶିକତା, ଧର୍ମଭେଦ, ଜାତିଭେଦ ଦୂର ହୋଇ ବୃହତ୍ତର ଭାରତର ମହାନିମନ୍ତ୍ରଣ ଉତ୍କଳର ଦ୍ୱାରଦେଶରେ ସମାଗତ । ଉତ୍କଳ କ’ଣ ତା’ର କ୍ଷୁଦ୍ର ଅବୟବ ମଧ୍ୟରେ ଚିରକାଳ ଆବଦ୍ଧ ରହିଥିବ ?

 

‘‘ବର୍ଣ୍ଣଭେଦ ଧର୍ମଭେଦର

ଦିନ ହେଉଛି ଶେଷ

ମହାଯୋଗେ ହେଜ ଭାରତ

ମହାଭାରତ ଦେଶ ।’’

 

କେବଳ ବିଚ୍ଛିନ୍ନ ଉତ୍କଳର ଏକତ୍ରିକରଣ ଏବଂ ଭାରତର ବିଭିନ୍ନ ପ୍ରଦେଶ ମଧ୍ୟରେ ସଖ୍ୟଭାବ ମଧୁସୂଦନଙ୍କ ସ୍ୱଦେଶପ୍ରୀତିର ଚରମ ଆଦର୍ଶ ନଥଲା । ତାହା ଆହୁରି ଉଚ୍ଚ, ଅଧିକ ଉଦାର; ସେଥିଲାଗି ସେ ଛାତି ଫୁଲାଇ ଏ ପ୍ରାଣହୀନ ଦେଶରେ ମଧ୍ୟ ନବସମ୍ୱାଦ ଶୁଣାଇ ଯାଇଛନ୍ତି–

 

‘‘ଶୁଣ ଶୁଣ ନବ ସମ୍ୱାଦ

ସର୍ବେ ଉଲ୍ଲାସେ ମାତି

ଏକମାତ୍ର ବିଶ୍ୱବିଧାତା

ଏକ ମାନବ ଜାତି ।’’

 

କାରଣ–

 

‘‘ଏସିଆ, ୟୁରୋପ, ଆଫ୍ରିକା,

ଆମେରିକା ସଙ୍ଗତେ

ସମ୍ମଳିତ ହେଉଅଛନ୍ତି

ପ୍ରେମ–ବିଧାନ ମତେ ।’’

 

ସମଗ୍ର ମାନବଜାତିର ମିଳନ ଲାଗି କବି ଓ ଦ୍ରଷ୍ଟା ମଧୁସୂଦନ ଯେଉଁ ଆହ୍ୱାନ ଶୁଣାଇଥିଲେ, ତାହାହିଁ ଆଜି ଓଡ଼ିଆ ସାହିତ୍ୟର ବାଣୀ ନୁହେଁ କି ?

Image

 

ସ୍ୱତନ୍ତ୍ର ଦୃଷ୍ଟିକୋଣ

 

ଆଧୁନିକ ଅର୍ଥରେ ‘ସାହିତ୍ୟରେ ବାସ୍ତବତା’ ବୋଇଲେ ଯାହାକୁ ବୁଝାଏ, ଯାହାର ଅତି ନିର୍ମଳ ଓ ନିର୍ଭୁଲ ପ୍ରମାଣରୂପେ କ୍ଷୁଦ୍ର ରାଜ୍ୟ ନରଓ୍ୱେର ହେନେରିକ୍‌ ଇବ୍‌ସେନ୍‌ କେବଳ ୟୁରୋପରେ ଯୁଗାନ୍ତର ଆଣିଲେ ନାହିଁ, ସମଗ୍ର ପୃଥିବୀ ସାହିତ୍ୟର ଦୃଷ୍ଟିଭଙ୍ଗୀକୁ ଆଲୋଡ଼ନ କରି ବାସ୍ତବ ଜୀବନ ଓ ସମାଜପ୍ରତି ନିକଟତର ଅବସ୍ଥାକୁ ଆକର୍ଷଣ କଲେ । ଊନବିଂଶ ଓ ବିଂଶ ଶତାବ୍ଦୀର ସଂଯୋଜକରୂପେ, ପ୍ରାଚ୍ୟ ଓ ପାଶ୍ଚାତ୍ୟ ଭାବଧାରାର ଭଗୀରଥରୂପେ, ସାହିତ୍ୟକୁ ହେତୁ–ପ୍ରଧାନ ବା ଯୁକ୍ତିପ୍ରଧାନ କରିବାର ପ୍ରଥମ ସ୍ଥାପିତରୂପେ ହେନ୍‌ରିକ ଇବ୍‌ସେନ୍‌ଙ୍କ ଦାନ ଅବିସ୍ମରଣୀୟ ବୋଲି ତାହାଙ୍କୁ ସେକସପିଅର୍‌ଙ୍କ ପରେ ନବଯୁଗର ସ୍ରଷ୍ଟା ଓ ପଥପ୍ରଦର୍ଶକ କୁହାଯାଇଥାଏ ।

 

ଶ୍ରେଣୀ ସଂଘର୍ଷ

 

ଆବାହନକାଳରୁ ଯେଉଁ ଶ୍ରେଣୀସଂଘର୍ଷ ଜୀବଜଗତରେ ତଥା ମନୁଷ୍ୟ ସମାଜରେ ଲାଗି ରହିଛି, ଗୃହସ୍ଥ ଗୃହିଣୀ, ପରିବାର ସମାଜ, ନୀତି ଅନୀତି, ପାପ, ପୁଣ୍ୟ, ଧର୍ମ, ଅଧର୍ମ ଆଦି ବିଷୟରେ ସାଧାରଣର ଧାରଣାକୁ ନିଷ୍ଠୁରଭାବରେ ଆଘାତ କରି ଜାଗତିକ ସତ୍ୟର ଏକ ସାହସିକ ବ୍ୟାଖ୍ୟାଦ୍ୱାରା ଇବ୍‌ସେନ୍ ଯେଉଁ ପ୍ରଗତିଶୀଳ ସାହିତ୍ୟର ଭିତ୍ତି ପକାଇଲେ, ତାହାକୁ ଆଜି ସୁଦ୍ଧା କେହି ଟାଳିପାରିନାହାନ୍ତି । ଇବ୍‌ସେନଙ୍କର ପରବର୍ତ୍ତୀ ବର୍ଣ୍ଣାଡ଼ ଶ’ଙ୍କଠାରେ ଯୁକ୍ତିତର୍କ–ବିଜ୍ଞାନ–ମନସ୍ତତ୍ତ୍ୱର ପ୍ରାଚୁର୍ଯ୍ୟ ଅବଶ୍ୟ ଅଧିକ ଦେଖାଦେଲା । କିନ୍ତୁ ବର୍ଣ୍ଣାଡ଼ ଶ’ ମଧ୍ୟ ଇବ୍‌ସେନ୍‌ଙ୍କୁ ତାଙ୍କର ଅନ୍ୟତମ ଗୁରୁରୂପେ ପ୍ରକାରନ୍ତରରେ ସ୍ୱୀକାର କରିବାକୁ ଭୁଲିନାହାନ୍ତି । ଇବ୍‌ସେନ୍‌ଙ୍କ ସାମାଜିକ ସ୍ତମ୍ଭ ସକଳ ଆଜି ମଧ୍ୟ ଭାରତ ଓ ଅନ୍ୟାନ୍ୟ ଦେଶମାନଙ୍କରେ ଦେଖାଯାଏ ।

 

ଆଜି ମଧ୍ୟ ନାରୀ–ପୁରୁଷର ସ୍ୱାତନ୍ତ୍ର୍ୟ ଦୃଷ୍ଟିକୋଣରୁ ସେହିଭଳି ଦ୍ୱନ୍ଦ୍ୱର ଅବସାନ ଘଟିନାହିଁ । ତାହା ଫଳରେ ପାରିବାରିକ ଓ ସାମାଜିକ ପ୍ରାଚୀନ ବନ୍ଧନଗୁଡ଼ିକ କ୍ରମଶଃ ଶିଥିଳ ହୋଇପଡ଼ୁଛି । ଷାଠିଏ ସତୁରି ବର୍ଷ ପୂର୍ବେ ଇବ୍‌ସେନ୍ ଯେଉଁ ସମାଜର ଚିତ୍ର ଅଙ୍କନ କରିଥିଲେ, ଭାରତରେ ତାହାରି ପ୍ରତିବିମ୍ୱ ଆଜି ପ୍ରତିଫଳିତ ନୁହେଁ କି ?

 

କ୍ଷୟିଷ୍ଣୁ ଅତୀତ

 

ଭାରତୀୟ ସାହିତ୍ୟରେ ତାହାରି ପ୍ରଭାବ ପ୍ରତିକ୍ରିୟା କେତେଦୂର ପଡ଼ିପାରିଛି ଏବଂ ପରିବର୍ତ୍ତନଶୀଳ ନୂତନ ଜୀବନ କେଉଁ ଦିଗରେ ଗତି କରୁଛି, ସେସବୁର ପର୍ଯ୍ୟବେକ୍ଷଣ ନୂତନ ଜୀବନ କେଉଁଦିଗରେ ଅସ୍ୱୀକାର କରିବାର ଉପାୟ ନାହିଁ ଯେ, ଆମ୍ଭମାନଙ୍କୁ ପଛକୁ ଫେରିଯିବା ପାଇଁ ଯେତେ ଟଣାଓଟରା ଚାଲିଛି, ପ୍ରାଚୀନ ଛାନ୍ଦସଙ୍ଗୀତ ବା ଭଜନ ରାତିରେ ଆଧୁନିକ ଓଡ଼ିଆ କାବ୍ୟକବିତା ରଚିତ ହେବାଲାଗି ଯେତେ ଧମକ–ଚମକ ଦିଆଯାଉଛି, ସେତିକି ଭ୍ରୂକ୍ଷେପହୀନ ହୋଇ ତାହା ନୂଆ ନୂଆ ଛନ୍ଦ ଆବିଷ୍କାର କରିବାରେ ଲାଗିଛି । ତାହାର ଉପମା ଅଳଙ୍କାର ଏବଂ ଉପଜୀବୀ ବିଷୟ ଆଶ୍ଚର୍ଯ୍ୟ ଭାବରେ ନାନା ପରିବର୍ତ୍ତନ ଭିତରେ ଗତିକରୁଛି ।

 

ଓଡ଼ିଆ ଗଳ୍ପ, ଉପନ୍ୟାସ, ନାଟକ ଓ କବିତାରେ ଏହି ନୂତନ ଗଠନ ପ୍ରକ୍ରିୟାର ଚିତ୍ର ଅଭାବ ନାହିଁ । ତଥାପି ତାହା ବହୁ ପରିମାଣରେ ପ୍ରାଚୀନପନ୍ଥୀ ହୋଇ ରହିଛି ବୋଲି ମାନିବାକୁ ହେବ । ଭଗ୍ନଶୀଳ କ୍ଷୟିଷ୍ଣୁ ଅତୀତ ପରମ୍ପରାକୁ ଜାବୁଡ଼ି ଧରିବାର ଲୋଭ ଆମ୍ଭେମାନେ ଏପର୍ଯ୍ୟନ୍ତ ଯେ ଛାଡ଼ିପାରିନାହୁଁ, ତାହାର ପ୍ରମାଣ ବାଢ଼ିବା ଅନାବଶ୍ୟକ ।

 

ଆତ୍ମହତ୍ୟା ବ୍ରତ

 

ପ୍ରାଚୀନ ସାହିତ୍ୟର ଆଲୋଚନାକୁ ତ୍ୟାଗ କରିବାକୁ କୁହାଯାଉନାହିଁ କିମ୍ୱା ଉକ୍ତ ସାହିତ୍ୟପ୍ରତି ଆମର ସ୍ୱାଭାବିକ ଆସକ୍ତି ଓ ଭାବପ୍ରବଣତା ଦୋଷାବହ ନୁହେଁ । ବରଂ ତହିଁରୁ ନୂତନ ପ୍ରେରଣା ଲାଭ କରିବାକୁ ଏବଂ ପରମ୍ପରା ସହିତ ପରିଚିତ ହେବାକୁ ପ୍ରାଚୀନ ସାହିତ୍ୟ ଅନୁଶୀଳନ ଏକାନ୍ତ ପ୍ରୟୋଜନ । କିନ୍ତୁ ତାହାର ଅର୍ଥ ନୁହେଁ, ଆଧୁନିକ ସାହିତ୍ୟର ଆଭିମୁଖ୍ୟ ପ୍ରାଚୀନପନ୍ଥା କରି ଗଢ଼ିବା–ଭାରତୀୟ ସାହିତ୍ୟକୁ କାଳିଦାସ–ଯୁଗକୁ ଅଥବା ଓଡ଼ିଆ କବିତାକୁ ଭଞ୍ଜୀୟ ରୀତିକୁ ହଟାଇନେବା । ତାହା କଲେ ଆଧୁନିକ ସାହିତ୍ୟର ଆତ୍ମହତ୍ୟା ବ୍ୟତୀତ ଆଉ କିଛି ବୁଝାଇବା ନାହିଁ-। ଦୁଃଖର କଥା, ଆଧୁନିକ ଓଡ଼ିଆ ସାହିତ୍ୟ ଅନେକ ସ୍ଥଳରେ ଏହିପରି ଆତ୍ମହତ୍ୟା ବ୍ରତରେ ବ୍ରତୀ ହୋଇପଡ଼ିଛି ଜ୍ଞାତସାଗରରେ କିମ୍ୱା ଅଜ୍ଞାତସାରରେ । ଫଳରେ ତାହାର ସ୍ୱାଭାବିକ ଅଗ୍ରଗତିରେ ବାଧାପଡ଼ୁଛି ମାତ୍ର । କାରଣ ଆମ୍ଭମାନଙ୍କର ଅତ୍ୟଧିକ ପ୍ରାଚୀନ–ମୋହ ଆମ୍ଭମାନଙ୍କୁ ପ୍ରାଚୀନ, ସ୍ଥବିର ଓ ଜରାଗ୍ରସ୍ତ କରିବା ଛଡ଼ା ଆଉ କିଛି କରିନପାରେ । ତାହାହେଲେ ଜୀବନର ନୂତନ ମୂଲ୍ୟବୋଧ ଆମ ଆଗରେ ଏକ ଅଲଙ୍ଘ୍ୟ ପ୍ରହେଳିକାରୂପେ ଦଣ୍ଡାୟମାନ ହୋଇ ରହିଥିବ ସିନା-!

 

ଆମ ରାଜନୀତି ଓ ସମାଜନୀତି ଭଳି ସାହିତ୍ୟ ମଧ୍ୟ ନୁହେଁ ପୁରୁଣା–ନୁହେଁ–ନୂଆଭଳି ଦୁର୍ବୋଧ୍ୟ ପରିସ୍ଥିତିରେ ଉପନୀତ ହୋଇଛି । ଏ ଦେଶରେ କୋଟି କୋଟି ଜନତା ସମ୍ୱାଦପତ୍ର ନ ପଢ଼ି ଏବଂ ରାଜନୀତି ଓ ଗଣତନ୍ତ୍ର ବିଷୟରେ ଅଭିଜ୍ଞ ନଥାଇ ଯେମିତି ଭୋଟ୍ ଦେଇ ଗଣତନ୍ତ୍ର ସରକାର ଗଠନ କରନ୍ତି, ସାହିତ୍ୟ ସେହିପରି ବିନା ପାଠକରେ କିମ୍ୱା ଅତି ଅଳ୍ପସଂଖ୍ୟକ ପାଠକଙ୍କୁ ଘେନି ଗଠିତ ହୋଇଥାଏ । ଗ୍ରାମଗହଳରେ ତାହାର ପ୍ରବେଶ ଏକରକମ ନିଷିଦ୍ଧ ହୋଇ ରହିଛି ।

 

ଆମ ପାଠକ

 

ନିରକ୍ଷରତାର ଘୋର ଅନ୍ଧକାର ଭିତରେ ସାହିତ୍ୟର ଆଲୋକ ବିକୀରଣ ତେବେ କି ପରିମାଣରେ ସମ୍ଭବପର ? ୧୯୫୧ ମସିହାର ଜନଗଣନା ଅନୁସାରେ ଓଡ଼ିଶା ରାଜ୍ୟର ମୋଟ ଲୋକସଂଖ୍ୟା ଏକ କୋଟି ଛୟାଳିଶ ଲକ୍ଷ ମଧ୍ୟରୁ ମାତୃଭାଷାରୂପେ ଓଡ଼ିଆକୁ ବ୍ୟବହାର କରୁଥିବା ଲୋକସଂଖ୍ୟା ଏକ କୋଟି କୋଡ଼ିଏ ଲକ୍ଷ । ତାହାସତ୍ତ୍ୱେ କୌଣସି ଓଡ଼ିଆ ବହିର ପାଠକ କିମ୍ୱା କ୍ରେତାମାନଙ୍କ ସଂଖ୍ୟା ବର୍ଷ ମଧ୍ୟରେ ଏକ ସହସ୍ର ମିଳିବା ମଧ୍ୟ ସମ୍ଭବପର ହେଉନାହିଁ । ଏଇଭଳି ନୈରାଶ୍ୟପୂର୍ଣ୍ଣ ଦୁଃସ୍ଥିତିରୁ ସାହିତ୍ୟକୁ ମୁକ୍ତି ଦେବାଲାଗି କି ଉଦ୍ୟମ କରାଯାଉଛି ? କେତେଜଣ ଇଂରାଜୀ ପାଠୁଆ ସହରବାସୀ କବି ସାହିତ୍ୟିକଙ୍କୁ ଛାଡ଼ିଦେଲେ ପଲ୍ଲୀପ୍ରଧାନ ଓଡ଼ିଶାରେ ଯେଉଁ ସଂଖ୍ୟକ ଲେଖକ ଅଛନ୍ତି, ସେମାନଙ୍କୁ ଆବିଷ୍କାର କରି ତାଙ୍କ ପାଇଁ ଉତ୍ସାହ ଯୋଗାଇବା ଓ ଅପ୍ରକାଶିତ ପାଣ୍ଡୁଲିପିଗୁଡ଼ିକର ପ୍ରକାଶ କରିବା ମଧ୍ୟ ଗୋଟାଏ ମସ୍ତବଡ଼ କାମ । କିନ୍ତୁ ସେମାନଙ୍କୁ ପଚାରୁଛି କିଏ ?

 

ସ୍କୁଲ, କଲେଜ ବା ବିଶ୍ୱବିଦ୍ୟାଳୟରେ ଓଡ଼ିଆ ସାହିତ୍ୟର ଅଧ୍ୟୟନ ଲାଗି ଯେଉଁ ପାଠ୍ୟନିର୍ଘଣ୍ଟର ବ୍ୟବସ୍ଥା ହୋଇଛି ଏବଂ ଯେଉଁଠାରେ ଭାଷାଶିକ୍ଷା ଓ ସାହିତ୍ୟଚର୍ଚ୍ଛାକୁ ନିର୍ଦ୍ଦିଷ୍ଟ ସଂଖ୍ୟକ ପାଠକ ପକ୍ଷରେ ବାଧ୍ୟତାମୂଳକ ଧରାଯାଏ, ତାହାର ନିୟନ୍ତ୍ରଣ ସମ୍ୱନ୍ଧରେ କିଞ୍ଚିତ୍‌ ଆଲୋଚନା ମଧ୍ୟ ସାହିତ୍ୟ ପରମ୍ପରା ଅନ୍ତର୍ଭୁକ୍ତ ହେବା ବିଧେୟ ।

 

ପାଠ୍ୟପୁସ୍ତକ

 

ପାଠ୍ୟପୁସ୍ତକକୁ ସାଧାରଣ ଓ ଅସାଧାରଣ ଲେଖକ, ପୁଣି ପାଠକଗଣ ଯେତେ ଅବହେଳା–ଦୃଷ୍ଟିରେ ଦେଖନ୍ତୁ ପଛେ, ତାହା ଯେ ଲକ୍ଷାଧିକ ବାଳକବାଳିକାଙ୍କ ପାଇଁ, ଦେଶ ଓ ଜାତିର ସୁନିର୍ଦ୍ଦିଷ୍ଟ ଭବିଷ୍ୟତ ପାଇଁ ସାହିତ୍ୟର ବଡ଼ଦେଉଳରେ ପ୍ରବେଶ କରିବାର ପ୍ରଥମ ପାହାଚ, ପାଠ୍ୟପୁସ୍ତକର ସବୁଠାରୁ ବଳି ଶତ୍ରୁ ମଧ୍ୟ ଏ କଥା ଅସ୍ୱୀକାର କରିନପାରେ । ବର୍ଣ୍ଣ ପରିଚୟ ହେବାପରେ ଯେଉଁ ସାହିତ୍ୟକୁ ଲକ୍ଷ ଲକ୍ଷ ଶିଶୁ ମୁଖସ୍ଥ କରନ୍ତି, ଯାହାର ପ୍ରତ୍ୟେକ ଶବ୍ଦକୁ ହଜାର ହଜାର ଶିକ୍ଷକ ସନ୍ଧି, ସମାସ, ଅନ୍ୱେୟ, ପ୍ରତ୍ୟୟ, ଉପମା, ଅନୁପ୍ରାସ ଦେଖାଇ ବୁଝାଇଥାନ୍ତି, ଯାହାର ଓଜନଦାର ବାକ୍ୟର ଆକ୍ଷରିକ ଅର୍ଥ ବିଶ୍ଲେଷଣ କରିବାରେ ବହୁ ପରିମାଣରେ ଜାତୀୟ ଶ୍ରମ ଓ ସମୟ ବ୍ୟୟିତ ହୋଇଥାଏ, ସେଭଳି ସାହିତ୍ୟର ଗୁରୁତ୍ୱ ପ୍ରତିପାଦନ ନିଷ୍ପ୍ରୟୋଜନ ।

 

ଓ୍ୱୟେଲ୍‌ସ୍‌ଙ୍କ ଅଭିମତ

 

ବିଖ୍ୟାତ ଇଂରେଜ ସାହିତ୍ୟିକ ପରଲୋକଗତ ଏଇଚ୍‌. ଜି. ଓ୍ୱୟେଲସ୍‌ ଉଲ୍ଲେଖ କରିଛନ୍ତି ଯେ, ଜାତୀୟ ଶକ୍ତିର ଏକ ବିରାଟ ଅପଚୟ ହେଉଛି, ପାଠ୍ୟପୁସ୍ତକ । ଏଇଚ୍. ଜି. ଓ୍ୱୟେଲସ୍‌ଙ୍କ ଭଳି ଏକାଧିକ ସାହିତ୍ୟପୁଙ୍ଗବ ଏହି ମତ ପୋଷଣ କରୁଥିବାର ଜଣାଯାଏ । ତଥାପି ଈଶ୍ୱରଚନ୍ଦ୍ର ବିଦ୍ୟାସାଗର, ରବିନ୍ଦ୍ରନାଥ ପ୍ରମୁଖ ବଙ୍ଗର ଶ୍ରେଷ୍ଟ କବି, ପଣ୍ଡିତଗଣ ଶିଶୁମାନଙ୍କ ଜ୍ଞାନଅର୍ଜନ ଉଦ୍ଦେଶ୍ୟରେ ପାଠ୍ୟପୁସ୍ତକ ରଚନା କରିବାର ଆୟାସରୁ ପାଶ୍ଚାତ୍‌ପଦ ହୋଇନାହାନ୍ତି । ଓଡ଼ିଆ ସାହିତ୍ୟରେ ବ୍ରହ୍ମଜ୍ଞ ମଧୁସୂଦନ ଏ ଦିଗରେ ଅଗ୍ରଣୀ । ପ୍ରାଚୀନ ଓଡ଼ିଶାରେ ମାଟିବିଂଶ ଅବଧାନମାନେ ‘‘କମଳଲୋଚନ ଶ୍ରୀହରି’’, ‘‘କଳାକଳେବର କହ୍ନାଇ’’, ‘‘ପ୍ରଭାବ ଅବକାଶ’’, ‘‘ମାଘପଞ୍ଚମୀ’’, ‘‘ଭାଗବତ’’, ‘‘ମଥୁରାମଙ୍ଗଳ’’ ଓ ‘‘ମନବୋଧ ଚଉତିଶା’’ ଆଦି ସାହାଯ୍ୟରେ ସାହିତ୍ୟର ଯେଉଁ ପ୍ରାଥମିକ ଶିକ୍ଷା ଦେଉଥିଲେ, ତାହା କାହାରି ଅବଦିତ ନୁହେଁ ।

 

ପୁରାକାଳର ‘‘ଚାଟଶାଳୀପାଠ’’ ସ୍ଥାନରେ ଆଧୁନିକ ‘‘ବର୍ଣ୍ଣବୋଧ’’, ‘‘ଅକ୍ଷରଶିକ୍ଷା’’ ଦେବାଲାଗି ବିଭିନ୍ନ ସହଜ ପନ୍ଥା ଓ ପ୍ରଣାଳୀ ଅବଲମ୍ୱନ ଆଜି ଅବଶ୍ୟ ଦେଖାଦେଇଛି; ସବୁଠାରୁ ଅଳ୍ପକାଳ ମଧ୍ୟରେ ସବୁଠାରୁ ଅଧିକ ବିଷୟରେ ଶିକ୍ଷା ଦେବାର ଉପାୟମାନ ଉଦ୍ଭାବିତ ଓ ଅନୁସୃତ ହୋଇଛି । ତଥାପି ସୁଉଚ୍ଚ ସାହିତ୍ୟରାଜ୍ୟରେ ବିଚରଣ କରୁଥିବା ଲେଖକମାନେ ପାଠ୍ୟପୁସ୍ତକକୁ ପ୍ରଶଂସା ଦୃଷ୍ଟିରେ ଦେଖିପାରନ୍ତି ନାହିଁ । ତାହାର ଅନ୍ୟାନ୍ୟ କାରଣ ମଧ୍ୟରୁ ଗୋଟିଏ ପ୍ରଧାନ କାରଣ ଏହି ଯେ, ଶିକ୍ଷାବିଭାଗର ବିରାଦ ଅନୁଯାୟୀ ପାଠ୍ୟପୁସ୍ତକ ଲିଖିତ ହୋଇଥାଏ ଏବଂ ବିରାଦ ରଚନା କଦାପି ଶ୍ରେଷ୍ଠ କଳାର ବିକାଶ ଲାଗି ଅନୁକୂଳ ହୋଇନପାରେ । ପୁଣି ଉଚ୍ଚାଙ୍ଗ ସାହିତ୍ୟ ଭଳି ପାଠ୍ୟପୁସ୍ତକ ଆଦୌ ଶ୍ରେଣୀହୀନ ନୁହେଁ । ପ୍ରତ୍ୟେକ ଶ୍ରେଣୀ ଲାଗି ପାଠ୍ୟବସ୍ତୁର କ୍ରମାନ୍ୱୟରେ ନୂତନ ନୂତନ ଶବ୍ଦ ଯୋଜନା କରିବା ସଙ୍ଗେ ସଙ୍ଗେ ପ୍ରତି ବାକ୍ୟକୁ ବ୍ୟାକରଣ ଦୋଷବର୍ଜିତ କରି ବିଷୟବସ୍ତୁକୁ ଶିଶୁମାନଙ୍କର ହୃଦୟଗ୍ରାହୀ କରିବା ଯେ, କେଡ଼େ ଦୁରୂହ ବ୍ୟାପାର, ତାହା ସହଜରେ ଅନୁମେୟ । ଏହି ସକଳ ବାଛବିଚାର ମଧ୍ୟରେ ଉଚ୍ଚାଙ୍ଗ ସାହିତ୍ୟ–ସୃଷ୍ଟି ଅବଶ୍ୟ ଅସମ୍ଭବ ।

 

ପାଠ୍ୟପୁସ୍ତକର ସ୍ୱତନ୍ତ୍ର କଳା

 

ଯଥାର୍ଥରେ ପାଠ୍ୟପୁସ୍ତକ ଲେଖିବାଲାଗି ଯେଉଁ ପରିମାଣ ଅଧ୍ୟବସାୟ ଓ ଅନୁଶୀଳନ ଲୋଡ଼ାହୁଏ, ତାହା ବିନିମୟରେ ଉଚ୍ଚ ସାହିତ୍ୟ ରଚିତ ହେଲେ ନିଶ୍ଚିୟ ଆମମାନଙ୍କର ଜାତୀୟ ସାହିତ୍ୟର ସମୃଦ୍ଧି ବହୁଗୁଣରେ ହୋଇପାରନ୍ତା । ତେଣୁ କିଣ୍ଡରଗାର୍ଟନ ବା ମୌଳିକ ଶିକ୍ଷା ଯୋଜନା ଆଦି ପନ୍ଥାମାନ ଉଦ୍ଭାବିତ ହୋଇ ଶବ୍ଦ ମୁଖସ୍ଥ କରିବାର ଦାୟିତ୍ୱରୁ ଶିଶୁଚିତ୍ତକୁ ମୁକ୍ତି ଦେବାଲାଗି ବ୍ୟବସ୍ଥା କରାଯାଉଛି । ମୌଳିକ ଶିକ୍ଷା ଯୋଜନାର କାର୍ଯ୍ୟକାରିତା ଅଧିକ ବ୍ୟାପକ ହେଲେ ଶିଶୁଚିତ୍ତର ସ୍ୱାଭାବିକ ବିକାଶ ଦିଗରେ ସହାୟକ ହେବ ବୋଲି ଶୁଣାଯାଏ । ତାହା ଫଳରେ ହୁଏତ ପାଠ୍ୟପୁସ୍ତକର ଆବଶ୍ୟକତା ବହୁ ପରିମାଣରେ ହ୍ରାସ ହୋଇପଡ଼ିବ ।

 

ମାତ୍ର ସେ ରୂପ ଅବସ୍ଥା ନ ଉପୁଜିବା ପର୍ଯ୍ୟନ୍ତ ଶିଶୁମାନଙ୍କ ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚଶିକ୍ଷା ଲାଗି ପାଠ୍ୟପୁସ୍ତକ ରଚନା, ଅଧ୍ୟୟନ ଓ ଅଧ୍ୟାପନା ଊଣା ହେବନାହିଁ । ବର୍ତ୍ତମାନ ଓଡ଼ିଶାର ପ୍ରାୟ ସକଳ ସ୍ୱନାମଧନ୍ୟ ଲେଖକ ପାଠ୍ୟପୁସ୍ତକ ରଚନାରେ ମନ ବଳାଇଛନ୍ତି । ତାହାର ଅସଲ ଲକ୍ଷ୍ୟସ୍ଥଳ ଶିଶୁଶିକ୍ଷାର ଉନ୍ନତି ନ ହୋଇ ଦରିଦ୍ର–ଲେଖନୀଚଳକ ପାଇଁ ଅର୍ଥାଗମର ଗୋଟିଏ ସୁନିୟନ୍ତ୍ରିତ ପଥର ଉଦ୍‌ଘାଟନ ହୋଇପାରେ । କାରଣ ସାହିତ୍ୟିକ–ଦୃଷ୍ଟିରୁ ଯେତେ ନିକୃଷ୍ଟ ହେଲେହେଁ ପାଠ୍ୟପୁସ୍ତକର କାଟତ୍‌ ସଙ୍ଗେ ଅନ୍ୟ କୌଣସି ଉଚ୍ଚାଙ୍ଗ ସୃଷ୍ଟିମୂଳକ ସାହିତ୍ୟ–ଗ୍ରନ୍ଥର କାଟତିକୁ ତୁଳନା କରିହେବ ନାହିଁ ।

 

ଅବାଧ ଗତିବିଧି

 

ସର୍ବତ୍ର ଏହାର ଅବାଧ ଗତିବିଧି । କୌଣସି ଗୃହରେ ପାଠ୍ୟପୁସ୍ତକର ପ୍ରବେଶ ନିଷିଦ୍ଧ ନୁହେଁ । ଶିଶୁମନର କୋମଳତମ ଛାଞ୍ଚ ଉପରେ ଏହା ଯେଉଁ ଦାଗ କାଟିଦିଏ, ପରବର୍ତ୍ତୀ ଜୀବନରେ ତାହାହିଁ ଦେଶର ଉତ୍ତମ ନାଗରିକ ଗଠନ କରେ । ତେଣୁ ଭାଷା, ଭାବ ଓ ବିଷୟବସ୍ତୁର ଅଭିବ୍ୟକ୍ତି ଲାଗି ଲେଖକ ପକ୍ଷରେ କଠୋର ସଞ୍ଜମ ଆବଶ୍ୟକ । କବିକଳ୍ପନାର ଉଲ୍ଲଙ୍ଗ କ୍ରୀଡା ଏବଂ ଉଚ୍ଛୃଙ୍ଖଳ ଚିନ୍ତାର ସେଠାରେ ସ୍ଥାନ ନାହିଁ ।

 

ଦେଶ ଦେଶ, ଜାତି ଜାତି ମଧ୍ୟରେ ପ୍ରେମ ଓ ମୈତ୍ରୀର ଐକ୍ୟବନ୍ଧନ ଉତିହାସ, ବିଜ୍ଞାନ, ଭୂଗୋଳ, ଜୀବଜଗତ ଏବଂ ଉଦ୍ଭିଦ–ଜଗତ ବିଷୟରେ, ସ୍ୱାସ୍ଥ୍ୟ ଓ ସୌନ୍ଦର୍ଯ୍ୟ ବିଷୟରେ କିଞ୍ଚିତ୍‌ ପରିଚୟ ଦାନ, ମହାପୁରୁଷମାନଙ୍କର ସଂକ୍ଷିପ୍ତ ଜୀବନୀ, ପୁଣି ଗଦ୍ୟ ଏବଂ ପଦ୍ୟ ସମ୍ୱଳିତ ପ୍ରତ୍ୟେକ ପାଠର ଶେଷରେ ଚତୁର ପ୍ରଶ୍ନାବଳୀର ସନ୍ନିବେଶଦ୍ୱାରା ପାଠ୍ୟପୁସ୍ତକର କଳାକୌଶଳକୁ ଆୟତ୍ତ କରିବାପାଇଁ ଲେଖକ ପକ୍ଷରେ ଏକ ରାକ୍ଷସୀ ଶକ୍ତ ଆବଶ୍ୟକ । ଉକ୍ତ କଳାକୌଶଳ ସହ ଶ୍ରେଷ୍ଠ ସାହିତ୍ୟିକ ହାସଲ କରିବା ଉଚିତ ବୋଲି ଅବଶ୍ୟ ବୋଲାଯାଇ ନ ପାରେ କାରଣ ପାଠ୍ୟ–ପୁସ୍ତକର ସ୍ୱତନ୍ତ୍ର କଳା ଓ ଭାଷାବିନ୍ୟାସ ଅଭ୍ୟାସ କରିବାକୁ ଗଲେ ଭାଷାର ଶୈଳୀକୁ ବହୁ ଅଂଶରେ ବଦାଳଇବାକୁ ପଡ଼େ । ଶ୍ରେଷ୍ଠ ଇଂରେଜ ସାହିତ୍ୟକୁ ଏଇଚ୍‍. ଜି. ଓ୍ୱୟେଲସ୍‌ ଏହି ପରିବର୍ତ୍ତନକୁ ସ୍ୱୀକାର କରିବା ସକାଶେ ହୁଏତ ନାରାଜ ଥିବାରୁ ପାଠ୍ୟପୁସ୍ତକ ବିରୁଦ୍ଧରେ ତାଙ୍କର ଆକ୍ଷେପୋକ୍ତି ସ୍ୱାଭାବିକ ।

 

ଟଲଷ୍ଟୟ୍‌ ଓ ପାଠ୍ୟପୁସ୍ତକ

 

କିନ୍ତୁ ବିଶ୍ୱବିଖ୍ୟାତ ଔପନ୍ୟାସିକ ଲିଓ ଟଲଷ୍ଟୟ ପାଠ୍ୟପୁସ୍ତକ ପ୍ରଶ୍ନ ବିମୁଖ ହେବା ଦୂରେଥାଉ, ସେ ଦିଗରେ ଏକ ଶକ୍ତିଶାଳୀ ନେତୃତ୍ୱ ଦେଇଛନ୍ତି । ତାଙ୍କ ରଚିତ ପାଠ୍ୟପୁସ୍ତକ (Russian Reader) ଆଜି ମଧ୍ୟ ସୋଭିଏଟ୍‌ ରୁଷିଆର ଆଦର୍ଶ ପାଠ୍ୟରୂପେ ପରିଗଣିତ ।

 

୧୯୬୨ ଖ୍ରୀଷ୍ଟାବ୍ଦରେ ଲିଖିତ ଟଲଷ୍ଟୟଙ୍କ ପାଠ୍ୟପୁସ୍ତକମାନଙ୍କର ଯେଉଁ ନୂତନ ସଂସ୍କରଣ ଏବେ ପ୍ରକାଶିତ ହୋଇଛି, ତାହାର ମୁଖବନ୍ଧରେ ପ୍ରକାଶକ ଉଲ୍ଲେଖ କରିଛନ୍ତି ଯେ, ‘‘ଲିଓ ଟଲଷ୍ଟୟ ଏହି ପାଠ୍ୟପୁସ୍ତକ ରଚନା ଲାଗି ବହୁ ବର୍ଷଧରି ତଥ୍ୟ ଓ ବିଷୟବସ୍ତୁମାନ ସଂଗ୍ରହ କରିଥିଲେ ।’’

 

ରୁଷ୍‌ ଭାଷାରେ ତଥା ଅନ୍ୟାନ୍ୟ ବିଦେଶୀ ଭାଷାରେ ପ୍ରକାଶିତ ପାଠ୍ୟପୁସ୍ତକ ଓ ଶିଶୁପତ୍ରିକା, ଲୋକଗାଥା, ଢଗଢମାଳି, ଠାରକଥା ଏବଂ ସାଧାରଣ କଥୋପକଥନ ଭାଷାକୁ ଅନୁଶୀଳନ କରି ଶେଷରେ ସେ ଯେଉଁ ପାଠ୍ୟ ସାହିତ୍ୟର ପ୍ରଣୟନ କରିଥିଲେ, ତାହାର ନାମ ହେଲା, ‘‘ଏ, ବି, ସି’’ (ବା କ, ଖ, ଗ) ।

 

ଟଲ୍‌ଷ୍ଟୟ୍‌ଙ୍କ ରଚିତ ଚାରିଖଣ୍ଡ ତାଙ୍କର ଦୁଇଟି ଅମର ଉପନ୍ୟାସର ମଧ୍ୟବର୍ତ୍ତୀ ଯୁଗରେ ଆତ୍ମପ୍ରକାଶ କରିଥିଲା । ‘‘ଯୁଦ୍ଧ ଏବଂ ଶାନ୍ତି’’ (War & Peace) ଓ ‘‘ଆନାକାର୍‌ନିନା’’ ପ୍ରକାଶିତ ହେବାର ବ୍ୟବଧାନ ଭିତରେ ଏହି ପାଠ୍ୟପୁସ୍ତକ ଚତୁଷ୍ଟୟର ଆର୍ବିଭାବ । ସେତେବେଳେ ଅବଶ୍ୟ ରୁଷୀୟ ରାଷ୍ଟ୍ର ଓ ସମାଜରେ ସାମ୍ୟବାଦ ପ୍ରବେଶ କରିନାହିଁ । ଆଜି କିନ୍ତୁ ସାମ୍ୟବାଦୀ ରୁଷିଆ ଉକ୍ତ ପାଠ୍ୟପୁସ୍ତକଗୁଡ଼ିକୁ ବିପୁଳ ସମ୍ୱର୍ଦ୍ଧନା ପ୍ରଦର୍ଶନ କରିଛି; ତାହାକୁ ବୁର୍ଜିଆ ସାମନ୍ତବାଦୀ ଅବହେଳା କରିନାହିଁ ।

Image